Unknown

 

 

 

 

 

 

 

 

 

 

 

ପ୍ରଣୟବଲ୍ଲରୀ ଓ ମେହେର ମାନସ

ଦେବେନ୍ଦ୍ର ମହାନ୍ତି

 

 

 

 

 

 

 

 

 

 

ଅଗ୍ରଜପ୍ରତିମ ଅଧ୍ୟାପକ ଡକ୍ଟର ଖଗେଶ୍ୱର ମହାପାତ୍ରଙ୍କ କରକମଳରେ ଗଭୀର ଭକ୍ତି ଓ ଶ୍ରଦ୍ଧାର ନିବେଦନ ।

 

ଦେବେନ୍ଦ୍ର

 

ସୂଚୀପତ୍ର

 

୧.

ବଂଶ ପରିଚୟ ଓ କବି ଜୀବନ

୨.

ପାରିପାର୍ଶ୍ୱିକ ପରିସ୍ଥିତି ଓ କବିଙ୍କର ରାଧାନାଥଙ୍କ ସହ ସମ୍ପର୍କ

୩.

ଗଙ୍ଗାଧରଙ୍କ ସାହିତ୍ୟ ସାଧନା

୪.

ପ୍ରଣୟବଲ୍ଲରୀର ସୃଷ୍ଟି ପରିକଳ୍ପନା

୫.

ପ୍ରଣୟବଲ୍ଲରୀର କଥାବସ୍ତୁ

୬.

ପ୍ରଣୟବଲ୍ଲରୀର ପ୍ରେମଚିତ୍ର

୭.

ବ୍ୟାସଦେବ ଓ କାଳିଦାସଙ୍କ ପ୍ରଭାବ :

 

ମହାଭାରତର କଥାବସ୍ତୁ,

 

ଅଭିଜ୍ଞାନ ଶକୁନ୍ତଳମ୍‌ର କଥାବସ୍ତୁ,

 

କାଳିଦାସଙ୍କ ପ୍ରଭାବ

୮.

ଚରିତ୍ର ଚିତ୍ରଣ :

 

ନାୟକ ଦୁଷ୍ମନ୍ତ,

 

ନାୟିକା ଶକୁନ୍ତଳା,

 

ସଖୀ ଅନସୂୟା ଓ ପ୍ରିୟମ୍ବଦା,

 

ମୁନି ଦୁର୍ବାସା,

୯.

ପ୍ରଣୟବଲ୍ଲରୀରେ ଆଶ୍ରମ-ଜୀବନ :

୧୦.

ପ୍ରଣୟ ବଲ୍ଲରୀରେ ପ୍ରକୃତ ଚିତ୍ରାଙ୍କନ

୧୧.

କବିଙ୍କର ରଚନା ଶୈଳୀ :

 

ଶଦ୍ଦ ଓ ପଦବିନ୍ୟାସ,

 

ଅଳଙ୍କାର ବିନ୍ୟାସ,

 

ଛନ୍ଦ ବିନ୍ୟାସ,

☆☆☆

 

ବଂଶ ପରିଚୟ ଓ କବି ଜୀବନ

 

ପରିବର୍ତ୍ତନଶୀଳ ପୃଥିବୀରେ ପ୍ରତି ମୁହୂର୍ତ୍ତରେ କୋଟି କୋଟି ବ୍ୟକ୍ତି ଜନ୍ମଗ୍ରହଣ କରୁଛନ୍ତି, ପୁଣି ମୃତ୍ୟୁ ବରଣ କରୁଛନ୍ତି; କିନ୍ତୁ ସବୁରି ଜନ୍ମ ଆଉ ମୃତ୍ୟୁ ହସର ବନ୍ୟା ଓ ଅଶ୍ରୁର ସାଗର ସୃଷ୍ଟି କରୁନାହିଁ । ଯେଉଁମାନଙ୍କ ଆବିର୍ଭାବରେ ପୃଥିବୀ ଆନନ୍ଦରେ ଆଲୋକିତ ହୁଏ, ତିରୋଭାବରେ ମୂର୍ଚ୍ଛିତ ହୁଏ, ସେଇମିତି ଜଣେ ସାର୍ଥକଜନ୍ମା ପୁରୁଷ ସ୍ୱଭାବକବି ଗଙ୍ଗାଧର-ଗଙ୍ଗାଧର ମେହେର ।

 

ବିଗତ ଶତାଦ୍ଧୀର ସପ୍ତମ ଦଶକରେ, ୧୮୬୨ ଖ୍ରୀଷ୍ଟାଦ୍ଦ ଅଗଷ୍ଟ ମାସ ୮ ତାରିଖରେ, ଶ୍ରାବଣ ପୂର୍ଣ୍ଣିମାର ଚନ୍ଦ୍ରକାସ୍ନାତ ରଜନୀରେ, ସମ୍ବଲପୁରର ଅନାମଧେୟ ବରପାଲି ଗ୍ରାମର ଏକ ଦରିଦ୍ର କୁଟୀରରେ ଉତ୍କଳ ଜନନୀଙ୍କ ନିଷ୍ଠାପର ସେବକ, ଜ୍ଞାନଦାତ୍ରୀ ବୀଣାପାଣୀଙ୍କର ବରପୁତ୍ର, ଗଙ୍ଗାଧରଙ୍କର ଜନ୍ମ । ପରମ ଭାଗ୍ୟବାନ ଚୈତନ୍ୟ ମେହେର ଓ ପରମା ଭାଗ୍ୟବତୀ ସେବତୀ ଦେବୀଙ୍କର ସେ ଥିଲେ ଏକମାତ୍ର ପୁତ୍ର । ଗଙ୍ଗାଧରଙ୍କ ପ୍ରପିତାମହ କେଶବ ମେହେର ଅତ୍ୟନ୍ତ ଧର୍ମପରାୟଣ ବ୍ୟକ୍ତି ଥିଲେ । କେଶବ ମେହେରଙ୍କ ପାଞ୍ଚପୁତ୍ର ମଧ୍ୟରୁ ସର୍ବକନିଷ୍ଠ ପୁତ୍ର ଥିଲେ ଗଙ୍ଗାଧରଙ୍କ ପିତାମହ ସଦାଶିବ ମେହେର । ଲୁଗା ବୁଣିବା ଥିଲା ତାଙ୍କର କୌଳିକ ବ୍ୟବସାୟ । କିନ୍ତୁ ତାରି ଭିତରେ ଲୋକମଙ୍ଗଳ ଉଦ୍ଦେଶ୍ୟରେ ସେ ଔଷଧପତ୍ର ମଧ୍ୟ ଦେଉଥିଲେ । କେବଳ ସେତିକି ନୁହେଁ, ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ତାଙ୍କର ପ୍ରବେଶ ଥିଲା । ଯାତ୍ରାର ଶୁଭଦିନ ସ୍ଥିର କରିବାପାଇଁ ବା ଅନ୍ୟାନ୍ୟ ଶୁଭ ଅଶୁଭ ଦିନ କ୍ଷଣ ନିର୍ଣ୍ଣୟ କରିବା ପାଇଁ ଗ୍ରାମବାସୀ ତାଙ୍କର ଶରଣାପନ୍ନ ହେଉଥିଲେ । ସଦାଶିବଙ୍କର ଜ୍ୟେଷ୍ଠପୁତ୍ର ହେଉଛନ୍ତି ଗଙ୍ଗାଧରଙ୍କ ପିତା ଚୈତନ୍ୟ ମେହେର । କେଶବ ମେହେର ବସ୍ତ୍ର ବୟନ ସହିତ ଆନୁସଙ୍ଗିତ ଅନ୍ୟାନ୍ୟ ବ୍ୟବସାୟ ଦ୍ୱାରା ଅର୍ଥିକ ଅବସ୍ଥାକୁ ସ୍ୱଚ୍ଛଳ କରି ପାରିଥିଲେ । ତାଙ୍କ ପରେ ସଦାଶିବ—କେବଳ ତନ୍ତ ମାତ୍ର ତାଙ୍କର ସମ୍ବଳ ଥିବାରୁ ସେ ଉତ୍କଟ ଦାରିଦ୍ର୍ୟର ସମ୍ମୁଖୀନ ହୋଇଥିଲେ ।

 

ପଙ୍କରୁ ପଙ୍କଜ ଜାତ ହେଲାପରି ସେଇ ଦାରିଦ୍ର୍ୟ-ସରୋବରର ଅଭାବ ପଙ୍କିଳ ପରିବେଶ ଭିତରୁ ଗଙ୍ଗାଧରଙ୍କ ଜୀବନ-ପଦ୍ମ ତଥା ଭାବ-ପଙ୍କଜ ବିକଶିତ ହୋଇ ଉଠିଥିଲା । ବାଲ୍ୟକାଳରୁ ସେ ଅତ୍ୟନ୍ତ ଶାନ୍ତ ଓ ଧୀର ସ୍ୱଭାବର ଥିଲେ । ଶୈଶବାବସ୍ଥାରେ ସେ ପିତାମହଙ୍କ ସହିତ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ ମାର୍ଜନା ସମାପ୍ତ କରି ଜଗନ୍ନାଥ ଦର୍ଶନ କରୁଥିଲେ ଓ ମୃଦଙ୍ଗଟିଏ ଧରି ସଂକୀର୍ତ୍ତନ କରୁଥିଲା । ଜୀବନର ସକଳ ଦୁଃଖ ଦୈନ୍ୟ, ଶତ-ଝଡ଼ଝଞ୍ଜାକୁ ସହ୍ୟ କରିବାପାଇଁ ସହସ୍ର ବାଧା ପ୍ରତିବନ୍ଧକକୁ ଉଲ୍ଲଙ୍ଘନ କରିବା ପାଇଁ ଏହି ବିଭୁପ୍ରେମ ବା ଅଖଣ୍ଡ ଈଶ୍ୱର ବିଶ୍ୱାସହିଁ ତାଙ୍କୁ ଶକ୍ତିଦାନ କରିଥିଲା । ଗଙ୍ଗାଧରଙ୍କ ପିତା ବିଦ୍ୟାନୁରାଗୀ ଥିଲେ । ତେଣୁ ସେ ନିଜ ଘରେ ପାଠଶାଳା ଖୋଲି ବହୁ ଛାତ୍ରଙ୍କୁ ପଢ଼ାଉଥିଲେ ; କିନ୍ତୁ ଗଙ୍ଗାଧରଙ୍କ ବିଦ୍ୟାରମ୍ଭ ଘଟିଥିଲା ଗୃହ ନିକଟବର୍ତ୍ତୀ ଜଣେ ଆତ୍ମୀୟଙ୍କ ପାଠଶାଳାରେ । ଗଙ୍ଗାଧରଙ୍କୁ ସେତେବେଳେ ସାତବର୍ଷ ବୟସ । ଚୈତନ୍ୟ ମେହେରଙ୍କ ପାଠଶାଳା ସେତେବେଳକୁ ଭାଙ୍ଗିଗଲାଣି । ଦୁର୍ଭାଗ୍ୟର କଥା ଆତ୍ମୀୟଙ୍କ ପାଠଶାଳାଟି ମଧ୍ୟ ଚଳିଲା ନାହିଁ । ଚୈତନ୍ୟ ମେହେର ନିଜେ ଗଙ୍ଗାଧରଙ୍କୁ ନାମରତ୍ନଗୀତା ପଢ଼ାଇବାକୁ ଆରମ୍ଭ କଲେ । ପୁଣି ପାଠଶାଳା ଗଢ଼ି ଉଠିଲା–ଏମିତି ତେର ବର୍ଷ ପର୍ଯ୍ୟନ୍ତ ଅନେକ ଅସୁବିଧା ଭିତରେ ଗତି କରି ସେ ଯାହା ଶିକ୍ଷା ଲାଭ କଲେ ତାହା ଭାଗବତ, ନାମରତ୍ନଗୀତା ଓ ମଥୁରାମଙ୍ଗଳ ଭିତରେ ପର୍ଯ୍ୟବସିତ । ଏହା ତାଙ୍କୁ ଆଧୁନିକ ଶିକ୍ଷା ସଚେତନ କରିବାରେ ସହାୟତା କରିପାରିନଥିଲା । ସେ ସମୟରେ ସରକାରୀ ସ୍କୁଲରେ ଅଧ୍ୟୟନ କରିବା ବାଧ୍ୟତାମୂଳକ ଥିବାରୁ ତେରବର୍ଷ ବୟସରେ ଗଙ୍ଗାଧର ପ୍ରଥମ ଶ୍ରେଣୀରେ ନାମ ଲେଖାଇଲେ । ପ୍ରାୟ କୋଡ଼ିଏବର୍ଷ ବୟସରେ ସେ ପଞ୍ଚମ ଶ୍ରେଣୀ ପରୀକ୍ଷା ଦେଇଥିଲେ । କିନ୍ତୁ ଗଣିତରେ ଅକୃତକାର୍ଯ୍ୟ ହେବାରୁ ଭିଲେଜ୍ ସ୍କୁଲ ସାର୍ଟିଫିକେଟ ପରିବର୍ତ୍ତେ ଦେଶୀୟ ପାଠଶାଳା ମାନପତ୍ର ପାଇଥିଲେ । ଏଇ ଦୀର୍ଘକାଳ ଧରି ମେହେର ଯେଉଁ ଶିକ୍ଷାଲାଭ କଲେ ତାହା ଆଧୁନିକ ଶିକ୍ଷାର ପର୍ଯ୍ୟାୟଭୁକ୍ତ ନଥିଲା-। ତେଣୁ ଆଧୁନିକ ସାହିତ୍ୟ ସହିତ ମେହେରଙ୍କର ପରିଚୟ ଗଢ଼ି ଉଠିନଥିଲା ।

 

ଗଙ୍ଗାଧରଙ୍କ ଜନ୍ମ ଏକ ଅନ୍ଧକାର ଯୁଗରେ, ପୁଣି ଏକ ଅନ୍ଧାର ରାଜ୍ୟରେ । କଟକ, ପୁରୀ, ବେଲେଶ୍ୱର ତୁଳନାରେ ସମ୍ୱଲପୁର ଥିଲା ଅବହେଳିତ, ଅନୁନ୍ନତ । ତେଣୁ ଶିକ୍ଷା, ଦୀକ୍ଷା, ସଭ୍ୟତା, ସଂସ୍କୃତି, ସାମାଜିକ ରୀତିନୀତି ପ୍ରତ୍ୟେକ ଦିଗରେ ସମ୍ୱଲପୁର ଥିଲା ପ୍ରାଚୀନପନ୍ଥୀ । ଗଙ୍ଗାଧର ମାତ୍ର ଦଶବର୍ଷ ବୟସରେ ବିବାହ କରିଥିଲେ ଓ ୧୧୭୮ ଖ୍ରୀଷ୍ଟାବ୍ଦରେ ଷୋଳବର୍ଷ ବୟସରେ ତାଙ୍କର ଦୂର୍ବାକ୍ଷତ ହୋଇଥିଲା । ଧୀରେ ଧୀରେ ପରିବାର ପ୍ରତିପାଳନ କରିବାର ଦାୟିତ୍ୱ ତାଙ୍କୁ ବହନ କରିବାକୁ ପଡ଼ିଥିଲା । ଯେଉଁ ବୟସରେ ଆଜି ବିବାହ ସମ୍ୱନ୍ଧରେ ଧାରଣା ମାତ୍ର କରି ହୁଏ ନାହିଁ, ସେହି ବୟସରେ ସେ ପୂର୍ଣ୍ଣ ଗୃହୀ ବା ସଂସାରୀ ହୋଇ ପଡ଼ିଥିଲେ । ବେଡ଼ି ଉପରେ କୋରଡ଼ା ମାଡ଼ ପରି ଦୁଃଖ ଦାରିଦ୍ର୍ୟ ଅଭାବ ଅନାଟନ ସାଙ୍ଗକୁ ଦୈବ ଦୁର୍ବିପାକହେତୁ ତାଙ୍କର ଗୃହରେ ନିଆଁ ଲାଗି ବସ୍ତ୍ର ବୟନର ସମସ୍ତ ଯନ୍ତ୍ରପାତି ପୋଡ଼ି ନଷ୍ଟ ହୋଇଗଲା ।

 

ଗଙ୍ଗାଧରଙ୍କ କର୍ମମୟ ଜୀବନର ଆରମ୍ଭ ୧୮୮୫ ଖ୍ରୀଷ୍ଟାବ୍ଦରେ ବରପାଲି ଜମିଦାରଙ୍କ ଜମିଦାରୀର ଅମିନ ରୂପେ । ଗଙ୍ଗାଧର ଥିଲେ ଧର୍ମଭୀରୁ ଓ କର୍ମଠ ବ୍ୟକ୍ତି । ତାଙ୍କର କର୍ମନିଷ୍ଠା ଓ ଦକ୍ଷତାରେ ପ୍ରୀତି ହୋଇ ଜମିଦାର ତାଙ୍କୁ ମାଲ–ମୋହରିର କାର୍ଯ୍ୟରେ ନିଯୁକ୍ତି ଦେଲେ । ଦକ୍ଷତାର ସହିତ ସେ କାର୍ଯ୍ୟ ସମ୍ପାଦନ କରିଥିବା ହେତୁ ୧୮୯୯ ଖ୍ରୀଷ୍ଟାବ୍ଦରେ ବରପାଲିର ଯୁଡ଼ିସିଆଲ ମୋହରିରଙ୍କ ଦେହାନ୍ତ ଘଟିବାରୁ ଜମିଦାରଙ୍କ ସୁପାରିଶରେ ଗଙ୍ଗାଧର ସେହି କାର୍ଯ୍ୟରେ ଅଧିଷ୍ଠିତ ହେଲେ । ସେହି କାର୍ଯ୍ୟରେ ବିଭିନ୍ନ ସ୍ଥାନରେ ନିଜର ସାଧୁତା ଓ ପଟୁତା ପ୍ରଦର୍ଶନ କରି ୧୯୧୭ ପର୍ଯ୍ୟନ୍ତ ପଦ୍ମପୁରରେ ରହି ଚାକିରି କରୁଥିଲେ । କର୍ମମୟ ଜୀବନର ପରିସର ଅତ୍ୟନ୍ତ ସୀମିତ । ପୁଣି ଆର୍ଥିକ ସ୍ୱଚ୍ଛଳତା ଦୃଷ୍ଟିରୁ ମଧ୍ୟ ଆଦୌ ଆକର୍ଷଣୀୟ ନୁହେଁ । ଐଶୀ ଶକ୍ତି ଓ ଗଭୀର ଆତ୍ମପ୍ରତ୍ୟୟର ଅଧିକାରୀ ହୋଇ ମଧ୍ୟ କେବଳ ଏକ ଅନ୍ଧାରି ମୂଲକର ଅନ୍ଧାରି କୋଣରେ ଜନ୍ମଗ୍ରହଣ କରିଥିବାରୁ ଓ ଉଚ୍ଚଶିକ୍ଷା ଲାଭରୁ ବଞ୍ଚିତ ହେବାରୁ ଗଙ୍ଗାଧରଙ୍କ ଜୀବନ ସୁଖ ସ୍ୱାଚ୍ଛନ୍ଦ୍ୟ ସୁବିଧା ସୁଯୋଗ ଲାଭ କରି ପାରିନଥିଲା । ପ୍ରତିକୂଳ ଅବସ୍ଥା ସହିତ ନିରନ୍ତର ସଂଗ୍ରାମ ସୁଯୋଗ କରି, ଜୀବନର ଅନେକ ସ୍ୱପ୍ନ, ପୁଞ୍ଜିଭୂତ ଆଶା ଆକାଙ୍‌କ୍ଷାକୁ ମନର କୋଠରୀରେ ଅବରୁଦ୍ଧ କରି ୧୯୨୪ ଖ୍ରୀଷ୍ଟାବ୍ଦ ଏପ୍ରିଲ ମାସ ୪ ତାରିଖରେ, ଚୈତ୍ରମାସର ଅମାବାସ୍ୟାରେ ସମଗ୍ର ଉତ୍କଳବାସୀଙ୍କ ହୃଦୟକୁ ଅନ୍ଧକାରରେ ଆଚ୍ଛନ୍ନ କରି ଗଙ୍ଗାଧର ମହାପ୍ରସ୍ଥାନ ପଥର ଯାତ୍ରୀ ହେଲେ । ଆସିଥିଲେ ଦରିଦ୍ର ବେଶରେ, ଚାଲିଗଲେ ରାଜକୀୟ ମର୍ଯ୍ୟାଦାରେ ।

☆☆☆

 

ପାରିପାର୍ଶ୍ୱିକ ପରିସ୍ଥିତି ଓ କବିବର ରାଧାନାଥଙ୍କ ସହ ସଂପର୍କ

 

ଗଙ୍ଗାଧରଙ୍କ ଆବିର୍ଭାବ ଉତ୍କଳ ଜନନୀର ଏକ ମହା ସଂକଟମୟ ମୁହୂର୍ତ୍ତରେ । ଧନଧନ୍ୟ, ଫଳପୁଷ୍ପ, ଶସ୍ୟ କେଦାରପର୍ଣ୍ଣ ବୀରପ୍ରସବିନୀ ଉତ୍କଳ ଭୂମି ବିଦେଶୀ ଶାସନ ପ୍ରଭାବରେ ଦୁର୍ବଳ ହୋଇପଡ଼ିଲା । ପଡ଼ୋଶୀ ବଙ୍ଗଳାଦେଶର ଇଂରେଜି ଶିକ୍ଷାପ୍ରାପ୍ତ ବ୍ୟକ୍ତିମାନେ ହେଲେ ଓଡ଼ିଶାର ଶାସନ କାଳର ଜଣେ ଜଣେ ଅଧିନାୟକ । ଶିକ୍ଷାୟତନରେ ଶିକ୍ଷକ ରୂପେ ନିଯୁକ୍ତି ପାଇଲେ ବଂଗାଳୀ ଶିକ୍ଷକ । ବିଦେଶୀ ସାହେବ କର୍ମକର୍ତ୍ତାଙ୍କ କର୍ଣ୍ଣରେ ଯେଉଁ ମନ୍ତ୍ର ସେମାନେ ଉଚ୍ଚାରଣ କରୁଥିଲେ ତାହାହିଁ ବିଶ୍ୱାସଯୋଗ୍ୟ ହେଉଥିଲା । ସରଳ ବିଶ୍ୱାସୀ, ଉଦାରମନା, ଈଶ୍ୱର ବିଶ୍ୱାସୀ ଉତ୍କଳୀୟ ଭାଗ୍ୟର ବିଡ଼ମ୍ୱନାକୁ ନୀରବରେ ସହ୍ୟ କରୁଥିଲା, ଆଧୁନିକ ଶିକ୍ଷାର ଅଭାବରେ ନିଜକୁ ବଡ଼ ହୀନମନା ଓ ସଂକୁଚିତ ମନେ କରୁଥିଲା ।

 

କାଳର ରାତି ବଡ଼ ବିଚିତ୍ର ଓ କୁଟିଳ । ଉତ୍କଳୀୟମାନଙ୍କ ଏଇ ନିବୀର୍ଯ୍ୟ, ନିଷ୍କ୍ରିୟ ଉଦାସୀନତାର, ବିଦେଶୀ ସାହେବମାନଙ୍କ ଅଜ୍ଞତାର ସୁଯୋଗ ନେଇ ପାଶ୍ଚାତ୍ୟ ଶିକ୍ଷାରେ ଆଲୋକପ୍ରାପ୍ତ ବଂଗବାସୀମାନେ ଓଡ଼ିଶାକୁ ନିଶ୍ଚିହ୍ନ କରିଦେଇ ବଂଗର ଅନ୍ତର୍ଭୁକ୍ତ କରିଦେବାକୁ ଚେଷ୍ଟା କଲେ । ସବଳର ଦୁର୍ବଳ ଉପରେ ଅତ୍ୟାଚାର ଏକ ଚିରନ୍ତନ ରୀତି । ଅଷ୍ଟାଦଶ ଶତାବ୍ଦୀ ପରେ ଓଡ଼ିଆ ସାହିତ୍ୟର ଏକ ଅବସାଦ ବା ଅବକ୍ଷୟର ଯୁଗ ଆସିଥିଲା । ତେଣୁ ସାହିତ୍ୟିକ ଜ୍ୟୋତିରେ ସଦ୍ୟ ଆଲୋକିତ ବଂଗୀୟମାନେ ଉତ୍କଳର ଉନ୍ନତ ପରଂପରା ଓ ଐତିହ୍ୟକୁ ଅସ୍ୱୀକାର କରି ଓଡ଼ିଆ ଭାଷାକୁ ବଂଗଳାର ଏକ ରୂପାନ୍ତର ବୋଲି ପ୍ରଚାର କଲେ । ୧୮୭୩ ମସିହା ମାର୍ଚ୍ଚ ମାସରେ ଉତ୍କଳ ଦୀପିକାରେ ରାଜେନ୍ଦ୍ରଲାଲ ମିତ୍ରଙ୍କର ଯେଉଁ ଅଭିଭାଷଣ ବାହାରିଥିଲା ସେଥିରୁ ଜଣାଯାଏ ‘‘ଓଡ଼ିଆ, ବଂଗଳା ଓ ଆସାମୀ ଭାଷାମାନ ବାସ୍ତବରେ ଏକ, କିନ୍ତୁ ଭ୍ରମ ହେତୁରୁ ତାହାକୁ ତିନି ଭାଷା ଜ୍ଞାନ କରାଯାଏ ।’’ ବଂଗାଳୀମାନଙ୍କ ପକ୍ଷରେ ଏହା ଦୁର୍ଭାଗ୍ୟର କାରଣ ନୁହେଁ, କାରଣ ବଂଗଳା ଏକ ଉନ୍ନତ ଓ ବଳିଷ୍ଠ ଭାଷା–ନିଜକୁ ସ୍ୱତନ୍ତ୍ର ଭାବରେ ରକ୍ଷା କରିବାକୁ ସମର୍ଥ କିନ୍ତୁ ଓଡ଼ିଆ ଓ ଆସାମୀ ଅତ୍ୟନ୍ତ ଦୁର୍ବଳ ଓ ଅସହାୟ ଥିବାରୁ ଏ ଦୁଇଟି ଭାଷା ବଂଗଳା ସହିତ ମିଶିଗଲେ ପରମ ସୌଭାଗ୍ୟର ଅଧିକାରୀ ହେବେ । କେବଳ ସେତିକି ନୁହେଁ, ବାଲେଶ୍ୱର ଜିଲା ସ୍କୁଲର ହେଡ଼୍ ପଣ୍ଡିତ କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟ ଓଡ଼ିଶାର ଲୁଣ ଖାଇ ଗୁଣ ଗାଇବା ଉଦ୍ଦେଶ୍ୟରେ ବିକୃତ ବଙ୍ଗଳାଭାଷା ଓଡ଼ିଆକୁ ସଂସ୍କୃତ କରିବା ଲାଗି ‘‘ଉଡ଼ିୟା ସ୍ୱତନ୍ତ୍ର ଭାଷା ନୟ’’ ବୋଲି ଏକ ପୁସ୍ତକ ରଚନା କରି ପ୍ରଚାର କଲେ । ଦୁର୍ଭାଗ୍ୟ କବଳିତ ଉତ୍କଳ ଜନନୀ ପକ୍ଷରେ ଏହା ଅଭିଶାପର ମନ୍ତ୍ର ଧ୍ୱନିତ ନ କରି ଆଶୀର୍ବାଦର ବର ରଚନ ସୃଷ୍ଟି କଲା । ସୁପ୍ତ ଉତ୍କଳ ସନ୍ତାନ ଏକ ଶତାବ୍ଦୀର ନିଦ୍ରାଭଙ୍ଗ କରି ଜାଗ୍ରତ ହେଲା । ବିଚକ୍ଷଣ, ସୁଶିକ୍ଷିତ, ଚତୁର ଶତ୍ରୁ ପ୍ରତି ଥରେ ଦୃଷ୍ଟି ନିକ୍ଷେପ କରି ତାରି ଅସ୍ତ୍ରରେ ତାକୁ ବିଦ୍ଧ କରିବାର ଏକ ବ୍ୟାପକ ଆୟୋଜନରେ ଲାଗି ପଡ଼ିଲେ ଉତ୍କଳୀୟମାନେ । ରାତିକ ଭିତରେ ଜନ୍ମନେଲା ବର୍ଣ୍ଣବୋଧ । ବ୍ୟାକରଣ, ଇତିହାସ, ଭୂଗୋଳ ରଚନାରେ ମନୋନିବେଶ କଲେ ମୁଷ୍ଟିମେୟ ଶିକ୍ଷିତ ମଣ୍ଡଳୀ । ପତ୍ର ପତ୍ରିକାରେ ଜାତୀୟବାଦୀ ଭାବରେ ଉଦ୍‌ବୁଦ୍ଧ ହେବାକୁ ଆହ୍ୱାନ ଦେଲେ କର୍ମଯୋଗୀ ଗୌରୀଶଙ୍କର ପ୍ରମୁଖ ଚିନ୍ତାଶୀଳ ମନୀଷୀଗଣ । ଓଡ଼ିଆାର ମୁମୂର୍ଷୁ ଜୀବନରେ ପ୍ରାଣ ସ୍ପନ୍ଦନ ଖେଳିଗଲା । ଅର୍ଦ୍ଧମୃତ ଓଡ଼ିଆ ଜାତି ଜୀଇଁ ଉଠିଲା । ସୁପ୍ତ ଉତ୍କଳୀୟ ଜାଗ୍ରତ ହେଲା । ଓଡ଼ିଆର ଜନମାନସରେ ଏ ଆନ୍ଦୋଳନ ଏକ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କଲା । ଓଡ଼ିଶାର ଶୁଭଚିନ୍ତକଗଣ ମସୀର ତରବାରୀ ଧାରଣ କରି ଆଗେଇ ଆସିଲେ । ଜନ୍ମ ନେଲା ଏକ ନୂତନ ଚେତନା, ଏକ ନୂତନ ଚିନ୍ତାଧାରା, ଏକ ନୂତନ ସାହିତ୍ୟ—ଆଧୁନିକ ସାହିତ୍ୟ ।

 

ଦୀର୍ଘ, ବଳିଷ୍ଠ, ନିର୍ଭୀକ ପଦକ୍ଷପରେ ଆଗେଇ ଆସିଲେ ଉତ୍କଳ ବଂଧୁ କର୍ମଯୋଗୀ ଗୌରୀଶଙ୍କର, କୁଳବୃଦ୍ଧ ମଧୁସୂଦନ, ଯୁଗସ୍ରଷ୍ଟା ରାଧାନାଥରାୟ, ଦୂରଦ୍ରଷ୍ଟା ମୃତ୍ୟୁଞ୍ଜୟ ରଥ, ଭକ୍ତକବି ମଧୁସୂଦନ ରାଓ, କଥା ସମ୍ରାଟ ଫକୀରମୋହନ ସେନାପତି, ଭାଷାତତ୍ତ୍ୱବିଦ୍ ଗୋପୀନାଥ ନନ୍ଦ, ସମାଲୋଚନା ଶ୍ୟାମସୁନ୍ଦର ରାଜଗୁରୁ, ପଲ୍ଲୀକବି ନନ୍ଦକିଶୋର ବଳ, ଉତ୍କଳମଣି ଗୋପବନ୍ଧୁ ଦାସ ଓ ଅଗଣିତ ଉତ୍ସାହୀ ଦେଶପ୍ରେମୀ ଚିନ୍ତାନାୟକ ଗଣ । ଏହି ଅଗାଧ ଭାବ ସମୁଦ୍ରରେ ସ୍ୱଭାବ କବି ଗଙ୍ଗାଧର ଆଞ୍ଜୁଳାଏ ଜଳ ଟେକି ଦେବାରେ କାର୍ପଣ୍ୟ ନ କରି ନିରଭିମାନ ଅନ୍ତରରେ ଆଗେଇ ଆସିଥିଲେ । ରାମଚନ୍ଦ୍ରଙ୍କ ବିରାଟ ସେତୁବନ୍ଧ ନୀର୍ମାଣରେ ଗୁଣ୍ଡିଚି ମୂଷାର ଧୂଳି ଟିକକ ଅପାଙ୍‌କ୍ତେୟ ହୋଇପାରେ କିନ୍ତୁ ଯଥାଶକ୍ତି ନିଜର ସାହାଯ୍ୟ ଦାନର ପ୍ରୟାସ ତୁଚ୍ଛ ହୋଇ ନ ପାରେ । ନିଜର ବଞ୍ଚିତ ଜୀବନର ସୀମିତ ପରିସରରେ, ନିଜର କଠିନ ଅଧ୍ୟବସାୟରେ, ନିଜର ପ୍ରାଚୀନ ଦୃଷ୍ଟିଭଂଗୀରେ ଗଙ୍ଗାଧର ସର୍ବଶକ୍ତି ନିୟୋଜିତ କରି ଉତ୍କଳ ଭାରତୀଙ୍କ ବରଅଙ୍ଗରେ ଯେଉଁ କାବ୍ୟ-ପୁଷ୍ପ-ମାଲ୍ୟ ଅର୍ପଣ କରିଛନ୍ତି, ତାହା ନିଜ ଦୀପ୍ତିରେ ଦୀପ୍ତିମାନ, ନିଜ ତେଜରେ ତେଜୀୟାନ, ନିଜ ଆୟୁରେ ଆୟୁଷ୍ମାନ । କାଳର ଅଖଣ୍ଡ ଗତି ପ୍ରବାହରେ ତାହା ଅମ୍ଳାନ ପାରିଜାତ-

 

ଅଖ୍ୟାତ ବରପାଲୀର ଏକ ଦରିଦ୍ର ଗୃହରେ ଜନ୍ମଗ୍ରହଣ କରି ଗଙ୍ଗାଧର ଯେଉଁ ପ୍ରତିଭାର ପରିଚୟ ପ୍ରଦାନ କରିଛନ୍ତି, ତାହା ତାଙ୍କୁ କୃପାର ପାତ୍ର କରିନାହଁ, ତାଙ୍କର କୃପାଦାନରେ ଆମେ, ଯେ ଶିକ୍ଷା ସଭ୍ୟତା, ଧନ ଐଶ୍ଚର୍ଯ୍ୟ, ଭିତରେ ଭୂମିଷ୍ଠ ହୋଇ ବି କିଛି ମାତ୍ର କରି ପାରିଲୁ ନାହିଁ, କୃତ କୃତାର୍ଥ ହୋଇ ଯାଇଛୁ । ଗଙ୍ଗାଧର ଏ ଜାତିର ଚିର ନମସ୍ୟ ଓ ବରଣୀୟ ।

 

ବରେଣ୍ୟ କବି, ରାଧାନାଥ, ମଧୁସୂଦନ ଓ ଫକୀରମୋହନ—ଉତ୍କଳର ସାହିତ୍ୟାକାଶର ଏହି ତିନୋଟି ଉଜ୍ଜ୍ୱଳ ଜ୍ୟୋତିଷ୍କଙ୍କ ସମସାମୟିକ ହେଲେହେଁ ସାହିତ୍ୟିକ ପ୍ରତିଷ୍ଠାରେ ଗଙ୍ଗାଧର ବହୁ ପଛରେ ଥିଲେ । ରାଧାନାଥ ଯେତେବେଳେ ଜ୍ଞାନରାଜ୍ୟର ଗହଳ ଦେଶରେ ବିଚରଣ କରୁଥିଲେ, ଗଙ୍ଗାଧର ସେତେବେଳେ ଜୀବନ ସହିତ ବଞ୍ଚିବାର ସଂଗ୍ରାମରେ ଲିପ୍ତ ଥିଲେ । ଶିକ୍ଷାର ଅଭାବ, ଆର୍ଥିକ ସ୍ୱଚ୍ଛଳତାର ଅଭାବ, ସାଂସ୍କୃତିକ ପରିବେଶର ଅଭାବ–ଏହିପରି ବହୁ ଅଭାବ ଭିତରେ ନିଷ୍ପେଷିତ ହୋଇ ବି ଗଙ୍ଗାଧରଙ୍କ ପ୍ରତିଭା ବଣର ମାଳତୀ ପରି ବଣରେ ଫୁଟି ଝରିପଡ଼ି ନ ଥିଲା । ଯଦିଓ ସେ ଉଚ୍ଚଶିକ୍ଷା ଲାଭ କରି ନ ଥିଲେ, ନିଜର ଅଧ୍ୟବସାୟ ବଳରେ ସେ ବଂଗଳା ଭାଷା ଶିକ୍ଷା କରି ବଂଗଳାର ଅନୂଦିତ ସଂସ୍କୃତ କାବ୍ୟ ନାଟକାଦି ପାଠକରି ପ୍ରାଚୀନ ସଂସ୍କୃତ ଓ ଓଡ଼ିଆ କାବ୍ୟକୁ ସାହିତ୍ୟିକ ଆଦର୍ଶ ରୂପେ ଗ୍ରହଣ କରିଥିଲେ । ଗଙ୍ଗାଧରଙ୍କ ସମକ୍ଷରେ ପାଶ୍ଚାତ୍ୟର ବିରାଟ ସାହିତ୍ୟିକ ଦ୍ୱାର ଯେପରି ଉଦ୍‌ଘାଟିତ ହୋଇ ନ ଥିଲେ ସଂସ୍କୃତ ସାହିତ୍ୟର ମୂଳ ରଚନାର ଭାବ, ଭାଷା, ଛନ୍ଦ, ରୀତି ଓ ରସ ବିନ୍ୟାସ ଚାତୁରୀ ମଧ୍ୟ ସେହିପରି ଉନ୍ମୋଚିତ ହୋଇ ନଥିଲା । ସ୍ୱଳ୍ପ ବିଦ୍ୟା, ସୀମିତ ଦୃଷ୍ଟି ନେଇ ସାହିତ୍ୟ ସାଧନାର, ଦେଶ ସେବାର, ଉତ୍କଳମାତାର ଦୁର୍ଗତି ଅପସାରଣର ଯେଉଁ ମହାବ୍ରତର ଦୃଢ଼ ସଂକଳ୍ପ ସେ ଗ୍ରହଣ କରିଥିଲେ ତାର ପଟାନ୍ତର ନାହିଁ । ସୌଭାଗ୍ୟ ରଞ୍ଜିତ ଲଲାଟ ନେଇ ରାଧା-ମଧୁ-ଫକୀରମୋହନ ଯାହା କରି ଯାଇଛନ୍ତି ଦୁର୍ଭାଗ୍ୟ ଲାଞ୍ଛିତ ଲଲାଟରେ ଗଙ୍ଗାଧର ଯେ ତାହା ଠାରୁ ବହୁଗୁଣ ଅଧିକ ସାଧନାରେ ବ୍ରତୀ ହେଇଛନ୍ତି, ଏହା କେବଳ ବିନୟ ଉକ୍ତି ।

 

ରାଧାନାଥଙ୍କ ବିସ୍ତୃତ ଦୃଷ୍ଟିଭଙ୍ଗୀ ମୁଖ୍ୟତଃ ପାଶ୍ଚାତ୍ୟ ସାହିତ୍ୟ ଉପରେ ପ୍ରତିଷ୍ଠିତ ଥିଲା । ରାଧାନାଥ ସଂସ୍କୃତ ଆଦର୍ଶ ଅନୁସାରୀ ମଧ୍ୟଯୁଗୀୟ ସାହିତ୍ୟର ଭାଷା ଚାତୁରୀ, ବର୍ଣ୍ଣନା ଚାତୁରୀ, ଛନ୍ଦାବିନ୍ୟାସ, ଅଳଙ୍କାରବିନ୍ୟାସ, ରସ ବିନ୍ୟାସ, ବାକ୍ ବିନ୍ୟାସ ପ୍ରଭୁତିରୁ କିଛି ଗ୍ରହଣ କରି ପାଶ୍ଚାତ୍ୟ ଭାବାଦର୍ଶରେ ନୂଆ ଛାଞ୍ଚରେ କାବ୍ୟ କବିତା ଗଢ଼ିତୋଳିଲେ–ରାଧାନାଥ ନିଶ୍ଚିତ ଭାବରେ ଏକ ନୂଆ ରୂପରେ କାବ୍ୟ କବିତା ରଚନାକରି ପରିବର୍ତ୍ତନର ସୂତ୍ରପାତ କଲେ । ବିଶେଷରେ ବିଷୟବସ୍ତୁରେ ଅଭିନବତ୍ତ୍ୱ ରୋମାଞ୍ଚକର ସ୍ପର୍ଶ ଦେବାକୁ ଯାଇ ରାଧାନାଥ ଯେଉଁ ପାଶ୍ଚାତ୍ୟ କାହାଣୀର ଆଶ୍ରୟ ଗ୍ରହଣ କଲେ ତାହା ସମଗ୍ର ଉତ୍କଳରେ ଏକ ନୂଆ ଚମକ ଖଳାଇ ଦେଲା । ସେଇ ପୁରାଣକୁ ଅବଲମ୍ବନ କରି ପୌରାଣିକ କାହାଣୀକୁ କାବ୍ୟିକ ରୂପ ପ୍ରଦାନ କରାଯାଇଥିଲା । ଉପେନ୍ଦ୍ର ଯଦିଓ କପୋଳକଳ୍ପିତ କାହାଣୀର ରୂପାୟନ କରିଥିଲେ, ତଥାପି ତାର ମୂଳସ୍ୱର ଅପରିବର୍ତ୍ତିତ ରହିଥିଲା—ସେଇ ରାଜକୁମାର ଓ ରାଜକୁମାରୀଙ୍କ ପ୍ରେମ ପ୍ରଣୟୋଚ୍ଛଳ କଥା—ଯାହା ଉତ୍‌ଥାନ ପତନର କୁଟିଳମାର୍ଗରେ ବର୍ଣ୍ଣିଳ ନୁହେଁ—ସମତଳ ଗତିପଥରେ ଛନ୍ଦାହୀନ ଉଚ୍ଛ୍ୱାସରହିତ । ମାତ୍ର କବିବର ରାଧାନାଥଙ୍କ କାହାଣୀ ଏଦେଶର ଜନମାନସରେ ସଂପୂର୍ଣ୍ଣ ଅଭିନବ । କେବଳ କାହାଣୀରେ ନୂତନତା ସୃଷ୍ଟିକରି ରାଧାନାଥ ଶିଳ୍ପୀପୁରୁଷର ଗୌରବ ଲାଭ କରିନଥିଲେ । ରାଧାନାଥଙ୍କ ଭାଷାରେ ସୁଲଳିତ ବିନ୍ୟାସ ସହିତ ଭାବର ସମୁନ୍ନତ ପ୍ରକାଶ ଅତ୍ୟନ୍ତ ହୃଦ୍ୟ ଓ ମନୋଜ୍ଞ ହୋଇ ଉଠିଲା । ମନେ ହେଲା, ପାଠକର ଦୁଃଖ ବେଦନା ଜଡ଼ିତ ଅନ୍ତର୍ଲିପିକୁ ସତେ ଯେପରି କବି ତୋଳି ଧରିଛି । ଏଇ ବେଦନାର ସ୍ପର୍ଶ, ଏଇ କାରୁଣ୍ୟର ଲହରୀ ପାଠକର ପ୍ରାଣକୁ ଆଲୋଡ଼ିତ କରିଦେଲା, ହୃଦୟରେ ଉଚ୍ଛ୍ୱାସର ତରଙ୍ଗ ସୃଷ୍ଟି କଲା । ମନ୍ତ୍ରମୁଗ୍‌ଧ ବିଷଧର ସର୍ପପରି ବାଣୀ–ମନ୍ତ୍ରରେ ମୁଗ୍‌ଧ ହେଲେ ବିଷ ଉଦ୍‌ଗାରୀ ଅନେକ କୁଟିଳ ବ୍ୟକ୍ତି । ରାଧାନାଥଙ୍କ ବିଜାତୀୟ ଗଳ୍ପ କଥନକୁ ନିନ୍ଦାର ମହାସମୁଦ୍ରରେ ବୁଡ଼ାଇ ଦେବାର ଶତ ଅପେଚେଷ୍ଟା ବ୍ୟର୍ଥ ହେଲା–ରାଧାନାଥଙ୍କ ଶିଳ୍ପକର୍ମକୁ ସପ୍ରଶଂସ ଦୃଷ୍ଟିରେ ଚାହିଁଲା ପ୍ରତ୍ୟେକ ବିଦଗ୍‌ଧ ପାଠକ । ଆତ୍ମ ତୃପ୍ତିରେ ହୃଦୟ ଭରି ଉଠିଲା, କିନ୍ତୁ ଅଜାଣତରେ ଛୋଟ ଦୀର୍ଘଶ୍ୱାସଟିଏ ବାହାରି ପଡ଼ିଲା–ଇଏ ମୋର ପରିପାର୍ଶ୍ୱର କଥା ନୁହେଁ, ଇଏ ମୋ ଆଦର୍ଶର ଲିପି ନୁହେଁ । କାବ୍ୟାମୋଦୀ ପାଠକଙ୍କ ନୀକଟରେ ଇଏ ମୋର କଳାର ଉପହାର । ତଥାପି କୁଟିଳ ଚରିତ୍ର ବିଶିଷ୍ଟ କେତେକ ବ୍ୟକ୍ତି ରାଧାନାଥଙ୍କ କଳା ସୃଷ୍ଟିର ବିରୁଦ୍ଧାଚରଣ କଲେ । ସେମାନେ ରାଧାନାଥଙ୍କୁ ବିଜାତୀୟ ମନୋବୃତ୍ତିର କବି ଭାବରେ ନିନ୍ଦା ରଟନା କଲେ । କେତେକ ବ୍ୟକ୍ତିଙ୍କର ଏ ପ୍ରକାର କାର୍ଯ୍ୟ କଳାପ ଫଳରେ ଦୁଃଖରେ ଭାଙ୍ଗିପଡ଼ିଲା କବି ଚିତ୍ତର ଏକନିଷ୍ଠତା । କବିବର ରାଧାନାଥ ବ୍ୟଥିତ ଚିତ୍ତରେ ପୁଣି ତାଙ୍କ ରଚନାରେ ଜାତୀୟତାର ଅମର ବାଣୀ ଶୁଣାଇଲେ । ତଥାପି ତାଙ୍କ ବିରୁଦ୍ଧରେ ଗୁପ୍ତ ତଦନ୍ତର ଅବସାନ ହେଲା ନାହିଁ । ଜାତିର କେତେକ ଖଳପ୍ରକୃତିର ବ୍ୟକ୍ତିବିଶେଷଙ୍କ ଅପକର୍ମର ପରିଣାମ ସ୍ୱରୂପ ମହାଯାତ୍ରାର ଅପରିଣତ ରୂପ ଓଡ଼ିଆ ସାହିତ୍ୟରେ ସବୁଦିନ ଲାଗି ଏକ ଅଭାବରେ ହିଁ ରହିଗଲା ।

 

ଓଡ଼ିଶାର ସାରସ୍ୱତ କ୍ଷେତ୍ରର ଅମର ବିନ୍ଧାଣୀ ରାଧାନାଥଙ୍କ ପ୍ରଭାବ ସେ ସମୟରେ ଯେ କୌଣସି କବି ଓ କଳାକାରକୁ ପ୍ରଲୁବ୍‌ଧ କରିଥିଲା । କବିବର ରାଧାନାଥଙ୍କ ସହିତ କବିବର ଗଙ୍ଗାଧରଙ୍କ ସଂପର୍କ ସ୍ଥାପନର କାହାଣୀ ଅତ୍ୟନ୍ତ ଚିତ୍ତାକର୍ଷକ । ସୁଦୁର ବରପାଲୀରେ ଥାଇ କବିବର ଗଙ୍ଗାଧର କବିବର ରାଧାନାଥଙ୍କ ସାହିତ୍ୟ ସାଧନା ପ୍ରତି ତୀକ୍ଷ୍‌ଣ ଦୃଷ୍ଟି ରଖିଥିଲେ । ପତ୍ରାଳାପ ମାଧ୍ୟମରେ ଉଭୟ କବିଙ୍କର ସଂପର୍କ ଉତ୍ତମ ଭାବରେ ସ୍ଥାପିତ ହୋଇଥିଲା । କବିବର ଗଙ୍ଗାଧର କାବ୍ୟ ଖଣ୍ଡିଏ ରଚନା କରିବାର ଅବ୍ୟବହିତ ପୂର୍ବରୁ କବିବର ରାଧାନାଥଙ୍କ ଉପଦେଶ ଗ୍ରହଣ କରୁଥିଲେ । କାବ୍ୟ ଖଣ୍ଡିଏ ରଚନା କରିବା ପରେ ସେ ଖଣ୍ଡିକୁ ମତାମତ ନିମନ୍ତେ ରାଧାନାଥଙ୍କ ନିକଟକୁ ପ୍ରେରଣ କରୁଥିଲେ । ପ୍ରାଚୀନ ଓ ମଧ୍ୟଯୁଗୀୟ ସାହିତ୍ୟକୁ ସାହିତ୍ୟ ସାଧନାର ଭିତ୍ତିରୂପେ ଗ୍ରହଣ କରି ମଧ୍ୟ କବିବର ଗଙ୍ଗାଧର ନୂତନ ବା ଆଧୁନିକ ସାହିତ୍ୟ ସୃଷ୍ଟି କରିବା ଲାଗି କିପରି ତତ୍ପର ଥିଲେ ତାହା ଗଙ୍ଗାଧର ଗ୍ରନ୍ଥାବଳୀର ମୁଖବନ୍ଧରେ ଲିପିବଦ୍ଧ ହୋଇଅଛି ।

 

‘‘ପ୍ରଥମ ଅବସ୍ଥାରେ ସେ ପ୍ରାଚୀନ ପଦ୍ଧତିରେ କେତେକ କ୍ଷୁଦ୍ର ପଦ୍ୟ ପ୍ରଣୟନ କରି ‘ରସ ରତ୍ନାକର’ ନାମକ ଆଦ୍ୟପ୍ରାନ୍ତ ‘ର’ ଅକ୍ଷର ବିଶିଷ୍ଟ ଖଣ୍ଡେ ସୁଲଳିତ ପଦ୍ୟପୁସ୍ତକ ଲେଖିଥିଲେ । ତାହା ପାଠକରି ବରପାଲିର ତଦାନୀନ୍ତନ ଯୁବରାଜଙ୍କର ଗୃହ ଶିକ୍ଷକ ସୂର୍ଯ୍ୟକୁମାର ମିତ୍ର ଗଙ୍ଗାଧରଙ୍କୁ ଆଧୁନିକ ଧରଣରେ ପଦ୍ୟ ରଚନା କରିବା ପାଇଁ ଉତ୍ସାହିତ କରିବାରୁ ସେ ସଂସ୍ମୃତ ଛନ୍ଦରେ ‘ଅହଲ୍ୟାସ୍ତବ’ ପ୍ରଣୟନ ଓ ପ୍ରକାଶ କରି ଉତ୍କଳର ସୁପ୍ରସିଦ୍ଧ କବି ରାଧାନାଥଙ୍କଠାକୁ ପ୍ରେରଣ କଲେ । ଗୁଣରଙ୍କ ଉଦାରପ୍ରାଣ ରାଧାନାଥ ରାୟ ମହୋଦୟ ସେହି ପୁସ୍ତକ ପାଠରେ ପ୍ରୀତ ହୋଇ ପତ୍ରଦ୍ୱାରା ତାଙ୍କୁ ପ୍ରଭୂତ ପ୍ରେରଣା ଦେଇଥିଲେ । ପରେ କବି ତାକୁ ବଙ୍ଗଳାଶ୍ରୀ ବୃତ୍ତରେ ପରିବର୍ତ୍ତିତ କରିଥିଲେ ।’’

 

ଏହା ପରେ ଗଙ୍ଗାଧର ଅହଲ୍ୟାସ୍ତବ ରଚନା କରି କବିବର ରାଧାନାଥଙ୍କ ନିକଟକୁ ପ୍ରେରଣ କରିଥିଲେ । ତା ୩୧-୩-୧୮୯୩ରିଖରେ କବିବର ରାଧାନାଥ ଏ ବିଷୟରେ ଗଙ୍ଗାଧରଙ୍କୁ ଲେଖିଥିଲେ, ‘‘ଆପଣଙ୍କର ଅନୁଗ୍ରହ ଉପହାର ‘ଅହଲ୍ୟାସ୍ତବ’ ପ୍ରାପ୍ତ ହୋଇ ଆମୂଳଚୂଳ ପାଠ କରି ଅତ୍ୟନ୍ତ ପ୍ରୀତ ହେଲି । ଆପରଙ୍କ ରଚନା ଶକ୍ତି ବାସ୍ତବ ପ୍ରଶଂସନୀୟ । ଶାର୍ଦ୍ଦୂଳ ବିକ୍ରୀଡ଼ିତ ଛନ୍ଦ ଉତ୍କଳଭାଷାର ଉପଯୋଗୀ କିନା, ଏ ବିଷୟରେ ମତଭେଦ ହୋଇପାରେ, ମାତ୍ର ସେହି କଠିନଛନ୍ଦ ଅବଲମ୍ବନ କରି ସୁଦ୍ଧା ଆପଣ ଆଶାତୀତ କୃତକାର୍ଯ୍ୟତା ଲାଭ କରି ଅଛନ୍ତି, ଏହା ମୁଁ ମୁକ୍ତ କଣ୍ଠରେ ବୋଲିବାକୁ ପ୍ରସ୍ତୁତ । ଏକ ଏକ ସ୍ଥାନରେ ଛନ୍ଦ ପତନ ହୋଇ ଅଛି ସତ୍ୟ, ମାତ୍ର ସେଥିସକାଶେ ଆପଣଙ୍କୁ ଦାୟୀ କରିବାର ଉଚିତ ନୁହେଁ । ଏପରି ତ୍ରୁଟିମାନ ଆୟାସସାପେକ୍ଷ ଉଦ୍ୟମର ଅବଶ୍ୟମ୍ଭାବୀ ସହଚର ।’’

 

ଅହଲ୍ୟାସ୍ତବରେ ଆଧୁନିକତାର ଲକ୍ଷଣ ନାହିଁ ବୋଲି କବିବର ରାଧାନାଥ ପରୋକ୍ଷ ଭାବରେ ନିଜର ମତ ପ୍ରକାଶ କଲେ । ଏଥିରେ କବି ନିରୁତ୍ସାହିତ ନ ହୋଇ ଅଧିକ ଉତ୍ସାହର ସହିତ ରଚନା କଲେ ‘ଇନ୍ଦୁମତୀ’ । ‘ଇନ୍ଦୁମତୀ’ ରଚିତ ହେବା ପରେ ତାହାକୁ କବି ରାଧାନାଥଙ୍କ ନିକଟକୁ ପ୍ରେରଣ କଲେ । ‘ଇନ୍ଦୁମତୀ’ ପାଇ କବିବର ରାଧାନାଥ ତା ୧୬/୧୦/୧୮୯୩ ରିଖରେ ଗଙ୍ଗାଧରଙ୍କ ନିକଟକୁ ଏକ ପତ୍ରରେ ଲେଖିଥିଲେ, ‘‘ଆପଣଙ୍କ ପ୍ରେରିତ ‘ଇନ୍ଦୁମତୀ’ ହସ୍ତଗତ ହୋଇଅଛି । ସେଥିରେ କେତେକାଂଶ ପାଠ କରି ମୁଁ ଯତ୍ପରୋନାସ୍ତି ପ୍ରୀତିଲାଭ କରିଅଛି । ଉତ୍କଳ-ଭାରତୀ ବାସ୍ତବିକ ଆପଣଙ୍କ ପ୍ରତି ସୁପ୍ରସନ୍ନା ହୋଇଅଛନ୍ତି । କବିତା ପଢ଼ୁଁ ପଢ଼ୁଁ ଅନେକ ସ୍ଥଳରେ ଆପଣଙ୍କୁ ଧନ୍ୟବାଦ ଦେଇଅଛି । ଇନ୍ଦୁମତୀ ପ୍ରେରଣର ଉଦ୍ଦେଶ୍ୟ ମୁଁ ଅବଧି ଜାଣିପାରିଲି ନାହିଁ । ସେ ବିଷୟରେ ଆପଣଙ୍କ ପତ୍ର ପାଇଲେ ମୋହର ଅଭିମତ ଜଣାଇବି ।’’

 

ପୁଣି ତା ୨୨/୨/୧୮୯୪ରିଖରେ ରାଧାନାଥ ଗଙ୍ଗାଧରଙ୍କ ନିକଟକୁ ଲେଖିଥିଲେ, ‘‘ଇନ୍ଦୁମତୀ କାବ୍ୟ ମୁଁ ଆଦ୍ୟପ୍ରାନ୍ତ ପାଠକରି ଆଶାତୀର ପ୍ରୀତି ଲାଭ କରିଅଛି । ଏ କାବ୍ୟର କବି ସାମାନ୍ୟ ଶକ୍ତିଶାଳୀ ଲେଖକ ନୁହନ୍ତି । ମୂଳଚରିତ ରଘୁବଂଶରୁ ସଂଗୃହୀତ ହୋଇଥିଲେହେଁ ଏହାର ଭାବ ଏବଂ ଭାଷା ଦୃଷ୍ଟିରେ ମୁଁ ଏହାକୁ ଅଭିନବ ଏବଂ ଉତ୍କୃଷ୍ଟ କାବ୍ୟରୂପେ ଗ୍ରହଣ କରିବାକୁ ଲବମାତ୍ର କୁଣ୍ଠିତ ହେବିନାହିଁ । ଗ୍ରନ୍ଥକାର ଏଥିରେ ଅନେକ ନୂତନ ଓ ସୁନ୍ଦର ଭାବ ସନ୍ନିବେଶିତ କରିଅଛନ୍ତି । ଏହାର ଭାଷା ସରଳ, ଅକ୍ଳିଷ୍ଟ ଏବଂ ମଧୁର ହୋଇଅଛି । ମୋର ମତରେ ‘ଇନ୍ଦୁମତୀ’ ସ୍ୱଭାବ ସୁନ୍ଦରୀ ଉତ୍କଳ ଭାରତୀଙ୍କର ଅନୁପଯୁକ୍ତ ଭୂଷଣ ନୁହେଁ ।’’

 

କବିବର ରାଧାନାଥ ‘ଇନ୍ଦୁମତୀ’ କୁ ଯେତେ ପ୍ରଶଂସା କଲେହେଁ କବି ଗଙ୍ଗାଧରଙ୍କର ଆଶାନୁରୂପ ପ୍ରଶଂସା ଏଥିରେ ମିଳିନାହିଁ । କବି ଗଙ୍ଗାଧର ଜାଣିବାକୁ ଚାହିଁଥିଲେ, ‘ଇନ୍ଦୁମତୀ’ ଯଥାର୍ଥରେ ଆଧୁନିକ ସାହିତ୍ୟ ପର୍ଯ୍ୟାୟଭୁକ୍ତ କି ନୁହେଁ । କବି ଗଙ୍ଗାଧର ରାଧାନାଥଙ୍କଠାରୁ ଏହି ପ୍ରମାଣ ପତ୍ର ପାଇଲେ ଏହାର ଦଶମାସ ପରେ । ମନେହୁଏ, ରାଧାନାଥ ଗଙ୍ଗାଧରଙ୍କର ମନର କଥାକୁ ଧରିପାରିଥିଲେହେଁ, ‘ଇନ୍ଦୁମତୀ’ ପାଠ ପରେ ତାଙ୍କୁ ଆଧୁନିକ କବି ଭାବରେ ସ୍ୱୀକୃତି ଦେବା ନିମିତ୍ତ ଉଚିତ ମନେ କରି ନାହାନ୍ତି । ‘ଇନ୍ଦୁମତୀ’ ବିଷୟରେ ନିଜର ମତ ପ୍ରଦାନ କରିବା ପରେ ପୁଣି ଗଙ୍ଗାଧରଙ୍କଠାରୁ ସେ ‘ଉତ୍କଳଲକ୍ଷ୍ମୀ’ ପାଇଲେ । ‘ଉତ୍କଳ ଲକ୍ଷ୍ମୀ’ ପାଠ କରି କବିବର ରାଧାନାଥ ଅତ୍ୟନ୍ତ ଆହ୍ଲାଦିତ ହେବା ସଙ୍ଗେ ସଙ୍ଗେ ‘ଉତ୍କଳ ଲକ୍ଷ୍ମୀ’ ର ଉଚ୍ଛ୍ୱସିତ ପ୍ରଶଂସା କରିଥିଲେ । ଏହାପରେ କବିବର ରାଧାନାଥ ଅକୁଣ୍ଠ ଚିତ୍ତରେ ଗଙ୍ଗାଧରଙ୍କୁ ଜଣେ ଆଧୁନିକ କବି ଭାବରେ ସ୍ୱୀକାର କରିଥିଲେ । ତେଣୁ ୨୨/୨/୧୮୯୪ ତାରିଖରେ ସେ ‘ଇନ୍ଦୁମତୀ’ ବିଷୟରେ ମତପ୍ରଦାନ କରିବା ସମୟରେ ଯାହା ଲେଖିପାରି ନଥିଲେ ୬/୧୨/୧୮୯୪ ତାରିଖରେ ତାହା ଲେଖିଥିଲେ । ତାହା ହେଉଛି, ‘‘ଇନ୍ଦୁମତୀର’ ଆଉ ଗୋଟିଏ ପ୍ରଧାନ ଗୁଣ ଏହି ଯେ, ଏଥିରେ ଏପରି କୌଣସି ଭାବ ବା ଶଦ୍ଦ ନାହିଁ, ଯାହା ଆଧୁନିକ ରୁଚି ଅନୁସାରେ ବର୍ଜନୀୟ ବୋଲି ବିବେଚିତ ହେବ । ମୋର ମତରେ ଏହା ଉତ୍କଳ ବିଦ୍ୟାଳୟମାନଙ୍କରେ ପାଠ୍ୟପୁସ୍ତକରୂପେ ପ୍ରବର୍ତ୍ତିତ ହେବାର ସମ୍ପୂର୍ଣ୍ଣ ଉପଯୁକ୍ତ ଅଟେ ।’’

 

କବି ଗଙ୍ଗାଧରଙ୍କ ବିଷୟରେ କବିବର ରାଧାନାଥ କିପରି ମତପୋଷଣ କରିଥିଲେ ତାହା ‘କୀଚକବଧ’ କାବ୍ୟ ସଂପର୍କରେ ପ୍ରଦତ୍ତ ମନ୍ତବ୍ୟରୁ ସ୍ପଷ୍ଟ ହୋଇଯାଇଅଛି । ସେହି ମନ୍ତବ୍ୟର କିୟଦଂଶ ଏଠାରେ ଉଦ୍ଧାର କାରାଯାଇପାରେ ।

 

‘‘ଗଙ୍ଗାଧର ଉଚ୍ଚଶ୍ରେଣୀର କବି । କି ବହିଃ ପ୍ରକୃତି କି ଅନ୍ତଃ ପ୍ରକୃତି ଉଭୟ ଯଥାଯଥ ଚିତ୍ରାଙ୍କନରେ ଗଙ୍ଗାଧର ସିଦ୍ଧହସ୍ତ । ଗ୍ରନ୍ଥାଧ୍ୟୟନ କରି ଲୋକେ ପଣ୍ଡିତ ହୋଇପାରନ୍ତି ମାତ୍ର କବି ହେବାକୁ ହେଲେ କେବଳ ଗ୍ରନ୍ଥାଧ୍ୟୟନ ପର୍ଯ୍ୟାପ୍ତ ନୁହେଁ । ପ୍ରକୃତି ଗ୍ରନ୍ଥାଧ୍ୟୟନ ମଧ୍ୟ ଅପରିହାର୍ଯ୍ୟ ରୂପେ ଆବଶ୍ୟକ । ଗଙ୍ଗାଧର ଯେତେବେଳେ ଯାହା ଲେଖନ୍ତି ପ୍ରକୃତିକୁ ସ୍ୱଚକ୍ଷୁରେ ଦେଖି ଲେଖନ୍ତି-। ଏହି ହେତୁରୁ ତାହାଙ୍କର ଉକ୍ତିଗୁଡ଼ିକ ଭାବ ପ୍ରଧାନ ନ ହୋଇ ରସ ପ୍ରଧାନ ହୁଏ । ଏହାର ଭୁରି ଭୁରି ପ୍ରମାଣ ତାହାଙ୍କ ରଚନାରେ ସୁଲଭ । ତାହାଙ୍କର ପ୍ରଭାତ ବର୍ଣ୍ଣନା, ସନ୍ଧ୍ୟା ବର୍ଣ୍ଣନା, ୠତୁ ବର୍ଣ୍ଣନା ପ୍ରଭୁତି ବହିଃ ପ୍ରକୃତିର ଆଲେଖ୍ୟଗୁଡ଼ିକ ଯେମନ୍ତ ଉଚ୍ଛ୍ୱଳ ଏବଂ ମନୋହର ତାହାଙ୍କର ମନୁଷ୍ୟ ଚରିତ୍ର ମଧ୍ୟ ତଦପେକ୍ଷା କୌଣସି ଗୁଣରେ ହୀନକଳ୍ପ ନୁହେଁ । ‘କୀଚକ ବଧ’ ରେ କୀଚକର ବୀର୍ଯ୍ୟୋନ୍ନାଦ ସୁଲଭ ଦାମ୍ଭିକତା, ଏବଂ ଲମ୍ପଟତା, କୀଚକ ଦୁତୀର ସମ୍ଭଳୀ ସୁଲଭ ନାରକୀୟ ଚାତୁରା, ଦ୍ରୌପଦୀଙ୍କର ସେବାଧର୍ମର କର୍ତ୍ତବ୍ୟଜ୍ଞାନ ସହିତ ସାଧ୍ୱୀ ସୁଲଭ ଜାଗରୁକତା; ବିରାଟର ଅରାଜୋଚିତ ସ୍ୱାର୍ଥୈକ ଦର୍ଶିତା, ସୁଦେଷ୍ଣାଙ୍କର ରମଣୀ ସୁଲଭ କୋମଳତା ଏବଂ ଧର୍ମଭୀରୁତା ସହିତ ଅଯଥା ଭ୍ରାତୃବତ୍ସଳତା, କିପରି ନୈପୁଣ୍ୟ ସହକାରେ ଚିତ୍ରିତ ହୋଇଅଛି ସହୃଦୟ ପାଠକ ପାଠମାତ୍ରେ ତାହା ବୁଝିପାରିବେ ।’’

 

କବିବର ରାଧାନାଥ ଓ କବି ଗଙ୍ଗାଧରଙ୍କ ମଧ୍ୟରେ ଯେତେଗୁଡ଼ିଏ ପତ୍ରର ଆଦାନ ପ୍ରଦାନ ହୋଇଅଛି ସେଗୁଡ଼ିକରେ ଦୁହିଁଙ୍କର ଅନ୍ତରଙ୍ଗତା ସୂଚିତ । କବି ଗଙ୍ଗାଧର ରାଧାନାଥଙ୍କୁ ତାଙ୍କ କାବ୍ୟ ରଚନା ଲାଗି ଅନେକ କ୍ଷେତ୍ରରେ ଗୁରୁତୁଲ୍ୟ ଗ୍ରହଣ କରିଥିଲେ । କେତେକ ସ୍ଥଳରେ, କାବ୍ୟରଚନା ଲାଗି ଗଙ୍ଗାଧର ରାଧାନାଥଙ୍କଠାରୁ ଉପଦେଶ ଭିକ୍ଷା କରିଥିଲେ ଏବଂ କବିବର ରାଧାନାଥ ସେଥିଲାଗି ଗଙ୍ଗାଧରଙ୍କୁ ବହୁ ଅମୂଲ୍ୟ ଉପଦେଶ ପ୍ରଦାନ କରିଥିଲେ । ସାହିତ୍ୟ ସାଧନା ଲାଗି ଗଙ୍ଗାଧର ରାଧାନାଥଙ୍କଠାରୁ ଯେପରି ଭାବରେ ପ୍ରେରଣା ଲାଭ କରିଥିଲେ ତାହା ନିତାନ୍ତ ଦୁର୍ଲଭ । କବିବର ରାଧାନାଥ ଓ ଗଙ୍ଗାଧରଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ଆଧୁନିକ ଓଡ଼ିଆ ସାହିତ୍ୟର ଗତିପଥରେ ଏକ ଅବିସ୍ମରଣୀୟ ସୁଯୋଗ । କେବଳ ଏହି ଦୁଇ କବି ନୁହନ୍ତି, ଆଧୁନିକ ଓଡ଼ିଆ ସାହିତ୍ୟର ବିକାଶ ପଥରେ ଆଧୁନିକ ଯୁଗର ଅନ୍ୟ କବିମାନଙ୍କର ସୌନ୍ଦର୍ଯ୍ୟ ମଧ୍ୟ ଅତ୍ୟନ୍ତ ଉଲ୍ଲେଖଯୋଗ୍ୟ । କବିବର ରାଧାନାଥ ଓ ଗଙ୍ଗାଧରଙ୍କ ମଧ୍ୟରେ ପରିଚୟ ଓ ବନ୍ଧୁତା ସ୍ଥାପନ ବିଷୟରେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଯାହା ଲେଖିଥିଲେ ତହିଁରୁ ଏ ବିଷୟରେ କେତେକ ତଥ୍ୟ ଆହରଣ କରାଯାଇ ପାରେ ।

 

‘‘ଗଙ୍ଗାଧରଙ୍କ ଦ୍ୱାରା ସ୍ରଗଧରା ବୃତ୍ତରେ ରଚିତ ‘ଅହଲ୍ୟାସ୍ତବ’ ନାମକ ଗୋଟିଏ କ୍ଷୁଦ୍ରପୁସ୍ତିକା ମୁଦ୍ରିତ ହୋଇ ପ୍ରଚାରିତ ହେଲା । କବିବର ରାଧାନାଥ ଅଯାଚିତ ଭାବରେ ତହିଁର ପ୍ରଶଂସା କରି ଗଙ୍ଗାଧରଙ୍କ ନିକଟକୁ ପତ୍ରପଠାଇ ତାଙ୍କର ଉତ୍ସାହ ବର୍ଦ୍ଧନ କରିଥିଲେ । ଲୋକର ଯେତେ ଦୁର୍ଗୁଣ ଥାଉ, କବିତାରେ ଯେତେ ଦୋଷ ଥାଉ, ତହିଁରେ ଲେଖକଙ୍କର ଶକ୍ତିମତ୍ତାର ଓ ପ୍ରତିଭାର ବିଷୟ କିଛି ଥିଲେ, ସେ ଦୋଷ ଦୁର୍ଗୁଣର କଥା, ବୟସ ଯୋଗ୍ୟତା ଜାତି ବା ଅବସ୍ଥା ଓ ପଦମର୍ଯ୍ୟାଦାର ପ୍ରଭେଦ ବିସ୍ତୃତ ହୋଇ ସେ ଲେଖକ ବା କବିଙ୍କୁ ସମ୍ପୂର୍ଣ୍ଣ ଆପଣାର କରି ନେଉଥିଲେ । ଫଳତଃ ‘ଅହଲ୍ୟାସ୍ତବ’ ପ୍ରକାଶ ଦିନଠାରୁ କବି ଗଙ୍ଗାଧର କବିବରଙ୍କର ଜଣେ ସାହିତ୍ୟିକ ସଙ୍ଗୀ ସ୍ୱରୂପ ବିବେଚିତ ହୋଇ ତାଙ୍କଠାରୁ ମୂଲ୍ୟବାନ ଉତ୍ସାହବାଣୀମାନ ପ୍ରାପ୍ତ ହେଲେ-। କବିବର ରାଧାନାଥ ସେ ସମୟରେ ଓଡ଼ିଆ ଶିକ୍ଷା ବିଭାଗର କର୍ତ୍ତା, ଅଦ୍ୱିତୀୟ ପଣ୍ଡିତ, ଅସାଧାରଣ କବି ଏବଂ ଉତ୍କଳର ବିଶିଷ୍ଟ ରାଜା, ଜମିଦାର ପ୍ରଭୃତିଙ୍କର ବନ୍ଧୁ; ତାଙ୍କଠାରୁ ପ୍ରଶଂସା ପାଇବା ବା ଉତ୍ସାହବାଣୀ ଶୁଣିବା ସାଧାରଣ ଲୋକମାନଙ୍କ ପକ୍ଷରେ ସାମାନ୍ୟ ଗୌରବର ବିଷୟ ବୋଲି ବିବେଚିତ ହେଉ ନଥିଲା । ଏଥିରେ ଗଙ୍ଗାଧର ସମୁତ୍ସାହିତ ହେବା ଆଶ୍ଚର୍ଯ୍ୟର ବିଷୟ ନୁହେଁ-।’

 

କବିବର ରାଧାନାଥଙ୍କର ରଚନାଗୁଡ଼ିକୁ ଏକତ୍ର କରି ଏକ ଗ୍ରନ୍ଥାବଳୀ ପ୍ରକାଶନ ନିମନ୍ତେ ଗଙ୍ଗାଧର ୧୮୯୫ ସାଲରେ ରାଧାନାଥଙ୍କୁ ଅନୁରୋଧ କରିଥିଲେ । ଯେଉଁସ୍ଥାନରେ କବିବର ରାଧାନାଥ ଗଙ୍ଗାଧରଙ୍କୁ ପ୍ରଶଂସା କରିଛନ୍ତି ସେଠାରେ ଗଙ୍ଗାଧର ନିଜକୁ ‘ଅଳ୍ପଜ୍ଞ’ କହି ତାଙ୍କର ନମ୍ରସ୍ୱଭାବର ଯଥାର୍ଥ ଉଦାହରଣ ଦେଇଅଛନ୍ତି ।

 

କବିବର ରାଧାନାଥ ଆଧୁନିକ ଓଡ଼ିଆ ସାହିତ୍ୟର ଯୁଗପ୍ରବର୍ତ୍ତକ ଭାବରେ ଏଦେଶର ଜନସାଧାରଣଙ୍କ ନିକଟରେ ସୁପରିଚିତ । ଉଚ୍ଚଶିକ୍ଷା ଓ ସରକାରୀ କର୍ମକ୍ଷେତ୍ରର କେତେକ ସୁଯୋଗ ତାଙ୍କର ସାହିତ୍ୟ ସାଧନା ପଥରେ ସହାୟକ ହୋଇଥିଲା । ଶିକ୍ଷାକ୍ଷେତ୍ରରେ କର୍ମକରିବାର ସୁଯୋଗ ତାଙ୍କର ସାଧନାର ମାର୍ଗରେ ପୁଷ୍ପବୃଷ୍ଟି କରିଥିଲା । ବହୁଭାଷାରେ ପଣ୍ଡିତ କବିବର ରାଧାନାଥ ବିଦେଶୀ ସାହିତ୍ୟରୁ କଥାବସ୍ତୁ ଆହରଣ କରି ସେଗୁଡ଼ିକୁ ତତ୍ପରତାର ସହିତ ଓଡ଼ିଶାର ପାଣିପବନ ଓ ମାଟିରେ ଏପରି ଭାବରେ ଆରୋପଣ କରିଦେଲେ, ଯାହା ତାଙ୍କର ଯଶବୃଦ୍ଧିର ଅନ୍ୟ କାରଣ । ଉତ୍କଳ ପ୍ରକୃତିର ଅଭିନବ ରୂପାୟନ, ଅମିତ୍ରାକ୍ଷର ଛନ୍ଦ ପ୍ରୟୋଗରେ କୁଶଳତା, ମହାକାବ୍ୟ ପ୍ରଣୟନ, ଅନୁବାଦରେ ବୈଶିଷ୍ଟ୍ୟ ପ୍ରଦର୍ଶନ, ସୃଷ୍ଟି ମଧ୍ୟରେ ଜାତୀୟତାର ପ୍ରକାଶ, ସୃଷ୍ଟି ମଧ୍ୟରେ ଜୀବନପ୍ରତି ଉପଦେଶ ପ୍ରଭୃତି କବିବର ରାଧାନାଥଙ୍କର ଓଡ଼ିଆ ସାହିତ୍ୟକୁ ଅବିସ୍ମରଣୀୟ ଦାନ । ଏହିସବୁ ଦାନର ପ୍ରଭାବ ତାଙ୍କର ସମସାମୟିକ ତଥା ପରବର୍ତ୍ତୀ କବିମାନଙ୍କ ରଚନାରେ ଉପଲବ୍‌ଧ ହୋଇଥାଏ ।

 

କବି ଗଙ୍ଗାଧର ମେହେର ଉଚ୍ଚଶିକ୍ଷାର ସୁଯୋଗରୁ ବଞ୍ଚିତ ଓ କର୍ମକ୍ଷେତ୍ର ତାଙ୍କ ସାହିତ୍ୟ ସାଧନାରେ ସହାୟକ ହେବା ପରିବର୍ତ୍ତେ ପ୍ରତିବନ୍ଧକ ସୃଷ୍ଟି କରିଛି । ତାଙ୍କର ସ୍ୱାଧୀନଚେତା ମନୋବୃତ୍ତି ଦାରିଦ୍ର୍ୟର କଷାଘାତକୁ ସହ୍ୟ କରିନପାରି କର୍ମକ୍ଷେତ୍ରରେ ତାଙ୍କୁ ପ୍ରବେଶ କରାଇଥିଲା । ଉଚ୍ଚଶିକ୍ଷାରୁ ବଞ୍ଚିତ କବି ଗଙ୍ଗାଧର ନିଜର ଅଧ୍ୟବସାୟ ବଳରେ କାବ୍ୟଶାସ୍ତ୍ରାଦି ଚର୍ଚ୍ଚା କରି ପ୍ରାଚ୍ୟକାବ୍ୟାଦର୍ଶରେ ଅନୁପ୍ରାଣିତ ହୋଇଥିଲେ । ପ୍ରକୃତି ଚିତ୍ରଣ କ୍ଷେତ୍ରରେ ସେ କବିବର ରାଧାନାଥଙ୍କ ଦ୍ୱାରା ବହୁଭାବରେ ପ୍ରଭାବିତ । କବି ଗଙ୍ଗାଧରଙ୍କ କାବ୍ୟାଦର୍ଶ ଥିଲା ଉନ୍ନତ ଚରିତ୍ର ସୃଷ୍ଟି ମାଧ୍ୟମରେ ମାନବଜୀବନକୁ ଉନ୍ନତ ଭାବଧାରାରେ ପରିଚାଳିତ କରିବା ନିମିତ୍ତ ଏକ ସାର୍ଥକ ପ୍ରଚେଷ୍ଟା । ପ୍ରାଚ୍ୟ–ଜଗତର କାବ୍ୟ କବିତାରୁ ସେ ବାଛିନେଇଥିଲେ ଆଦର୍ଶମୂଳକ କଥାବସ୍ତୁ । ସେହି କଥାବସ୍ତୁଗୁଡ଼ିକର ଅମର ରୂପାୟନ ତାଙ୍କ ଲେଖନୀକୁ ଅମର କରି ରଖିଛି । ସ୍ୱଦେଶବତ୍ସଳତା ତଥା ବିଭୁପ୍ରେମ ତାଙ୍କ ରଚନାରେ ଅନେକତ୍ର ସମୁଚିତ ରୂପଲାଭ କରିଅଛି ।

 

କବିବର ରାଧାନାଥଙ୍କ ପ୍ରେରଣା ତାଙ୍କ ଜୀବନରେ ଅବିସ୍ମରଣୀୟ । ସେ ଉତ୍କଳ ଲକ୍ଷ୍ମୀ ରଚନା କରିବା ସମୟରେ କବିବର ରାଧାନାଥଙ୍କ ସାହିତ୍ୟ ସାଧନା ବିଷୟରେ ବିଶେଷ ଭାବରେ ସଚେତନ ଥିଲେ । କବିବର ରାଧାନାଥଙ୍କ ପ୍ରତିଭାକୁ ଯଥାଯୋଗ୍ୟ ସମ୍ମାନ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ସେ ଉତ୍କଳ ଲକ୍ଷ୍ମୀରେ ଲେଖିଥିଲେ,

 

‘‘କାବ୍ୟହିଁ ଗଲେଣି କାବ୍ୟ ରଚିବାକୁ

ରାଧାନାଥ ନାମ ବହି

ତାହାଙ୍କ ଭାରତୀ ବଳେ ହେବ ଖ୍ୟାତ

ଭାରତେ ଉତ୍କଳ ମହୀ ।’’

 

କବିବର ରାଧାନାଥଙ୍କ ମହାପ୍ରୟାଣରେ ଗଙ୍ଗାଧର ଲେଖିଥିଲେ,

 

‘‘ଅବିଶ୍ରାନ୍ତ ଭ୍ରମି କାବ୍ୟ–କୁସୁମ–କାନନେ

ବାଛି ବାଛି ଦିବ୍ୟଫୁଲ କଲ ନବ୍ୟହାର,

ସୌରଭତା ମହୀବ୍ୟାପି ଉଠିଲା ଗଗନେ

ଜନ୍ମାଇଲ ଦେବଙ୍କର ହୃଦେ ଚମତ୍କାର ।

ଅବନୀରେ ଥାଇ କଲେ ତୁମ୍ଭର ସମ୍ମାନ

ଗଙ୍ଗବଂଶ ଅବତଂସ ସେ ସୁଢ଼ଳଦେବ

ସ୍ୱର୍ଗେ ଉଠି ଶୂନ୍ୟଦେଖି ତୁମ୍ଭନିଜ ସ୍ଥାନ

ଡାକିନେଲେ ସମାଦରେ ସେହି ବାସୁଦେବ ।

ଉତ୍କଳବାସୀଙ୍କି ଦେଇ ବହୁ ଉପଦେଶ

ସମୟ ଶରୀର ତେଜି ଗଲ ନିଜଦେଶ ।

ପାର୍ବତୀକୁ ରଖିଦେଲ ପୁତ୍ରୀଶୋକ ଦେଇ

ପାଣ୍ଡବେ ରହିଲେ ସ୍ୱର୍ଗ ଗମନର ପଥେ ।

କିଏ ତାଙ୍କୁ ଚଢ଼ାଇବ ହିମାଦ୍ରିକ ନେଇ ?

କିଏ ନେଇ ବସାଇବ ତ୍ରିଦିବର ରଥେ ?

ଫିଟାଇ ଦେଇଛ ଶାସ୍ତ୍ର କବି କ୍ଷମତାର

ଚିହ୍ନାଇ ଦେଇଛ ରଙ୍ଗଜର୍ଜ୍ଜରିତ ତୂଳି,

ଶିଖାଇ ଦେଇଛ ପୁଣି ତାର ବ୍ୟବହାର

ଆଦର୍ଶ ଦେଇଛ ମନମୋହିନୀ ପିତୁଳୀ ।

କାହାହସ୍ତେ ନ୍ୟସ୍ତକରି ଗଲ କାର୍ଯ୍ୟଭାର ?’’

 

କବିବର ରାଧାନାଥଙ୍କ ବିୟୋଗରେ ଶୋକାତୁର କବି ଗଙ୍ଗାଧର ଶଶିଭୂଷଣଙ୍କ ନିକଟକୁ ଯେଉଁ ପତ୍ର ଲେଖିଥିଲେ ତହିଁରୁ ତାଙ୍କର ଅନ୍ତରର ବେଦନା ଫୁଟି ଉଠିଛି । କବିବର ରାଧାନାଥ ଓ କବି ଗଙ୍ଗାଧରଙ୍କ ସଂପର୍କ ଥିଲା ଅଚ୍ଛେଦ୍ୟ—ଏତିକି କହିଲେ ତାଙ୍କର ସଂପର୍କର ସ୍ୱରୂପ ପ୍ରକାଶ ପାଇବା ପାଇଁ ଭାଷା ଯଥେଷ୍ଟ ହେବ ନାହିଁ । ଗୁଣଗ୍ରାହକ ରାଧାନାଥ ଗୁଣୀ ଗଙ୍ଗାଧରଙ୍କୁ ଯେପରି ଭାବରେ ଚିହ୍ନି ପାରିଥିଲେ ତାହା ଭାଷାରେ ପ୍ରକାଶ କରିହେବ ନାହିଁ । ଅପର ପକ୍ଷରେ, ଗଙ୍ଗାଧର ରାଧାନାଥଙ୍କ ପ୍ରତିଭାକୁ ଯେପରି ଭାବରେ ସମ୍ମାନ ଜ୍ଞାପନ କରିଛନ୍ତି ତାହା ମଧ୍ୟ ଭାଷାରେ ପ୍ରକାଶ କରିବା ଅସମ୍ଭବ ।

☆☆☆

 

ଗଙ୍ଗାଧରଙ୍କ ସାହିତ୍ୟ ସାଧନା

 

ଅବସ୍ଥା ସହିତ ସଂଗ୍ରାମ କରି ଜୟଶ୍ରୀମଣ୍ଡିତ ହେବାର ଶକ୍ତି ସମସ୍ତଙ୍କର ନଥାଏ । ଦୃଢ଼ସଂକଳ୍ପ, ଗଭୀର ଆତ୍ମପ୍ରତ୍ୟୟ ଓ ଅକୁଣ୍ଠିତ ଈଶ୍ୱର ବିଶ୍ୱାସହିଁ ମନୁଷ୍ୟର ସଫଳ ଜୀବନର ସହାୟକ । ସାଧାରଣ ଏକ ପଲ୍ଲୀର ଦାରିଦ୍ର୍ୟପୀଡ଼ିତ ଏକ ପରିବାରରେ ଜନ୍ମଗ୍ରହଣ କରି ପ୍ରତିକୂଳ ପରିସ୍ଥିତିକୁ ପ୍ରତି ମୁହୂର୍ତ୍ତରେ ଅତିକ୍ରମ କରିବାର ଆପ୍ରାଣ ଉଦ୍ୟମ କରି ଅବଶେଷରେ ସାଫଲ୍ୟର ଶିଖରରେ ଅଧିରୂଢ଼ ହେବାର ଗୌରବ ଅର୍ଜ୍ଜନ କରିଥିବା ବାଣୀ–ବରପୁତ୍ର ଗଙ୍ଗାଧରଙ୍କ ବାଣୀ–ଆରାଧନା ଏକାନ୍ତ ବିସ୍ମୟକର ।

 

ଯେଉଁ ସମୟରେ କବିବର ଗଙ୍ଗାଧର ମେହେର ଜନ୍ମଗ୍ରହଣ କରିଥିଲେ ସେହି ସମୟରେ ଏ ଦେଶରେ ଆଧୁନିକ ଶିକ୍ଷାପ୍ରତି ଲୋକମାନଙ୍କର ଆଗ୍ରହ ନୂତନ କରି ଦେଖା ଦେଇଥାଏ । ଏହିପରି ଏକ ପରିବେଶ ମଧ୍ୟରେ ବାଲ୍ୟାବସ୍ଥା ଅତିକ୍ରମ କରିବା ସମୟରେ ଗଙ୍ଗାଧର ଆଧୁନିକ ଶିକ୍ଷାପ୍ରତି ଆକୃଷ୍ଟ ହେବା ନିତାନ୍ତ ସ୍ୱାଭାବିକ । ମାତ୍ର ତାଙ୍କର ଏ ଆକର୍ଷଣ ଯଥୋପଯୁକ୍ତ ଭାବରେ କାର୍ଯ୍ୟରେ ପରିଣତ ହୋଇ ପାରି ନଥିଲା । ବିଦ୍ୟାଳୟର ଆଧୁନିକ ଶିଷାରୁ ଗଙ୍ଗାଧର ବିଶେଷ କିଛି ଫଳ ପାଇ ନଥିଲେ । ନିଜ ଅନ୍ତରର ପ୍ରବଳ ଅନୁସନ୍ଧିତ୍ସା ତାଙ୍କୁ ଯଥାର୍ଥରେ ଜଣେ ବିଦ୍ୱାନ ବ୍ୟକ୍ତିରେ ପରିଣତ କରିଥିଲା । କବି ଗଙ୍ଗାଧର ପରିବାର ପୋଷଣ ଲାଗି କୌଳିକ କର୍ମ ସଂପାଦନ କରିବା ସଙ୍ଗେ ସଙ୍ଗେ ବିଦ୍ୟାର୍ଜ୍ଜନ କରିବାରେ ଯେଉଁ ଉତ୍ସାହ ପ୍ରଦର୍ଶନ କରିଥିଲେ ତାହା ବର୍ଣ୍ଣନାତୀତ । ସଂସ୍କୃତ ସାହିତ୍ୟ ଏବଂ ପ୍ରାଚୀନ ତଥା ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟ ଥିଲା ମୁଖ୍ୟତଃ କବିଙ୍କର ଚର୍ଚ୍ଚାର ବସ୍ତୁ । ସେହି ଚର୍ଚ୍ଚା ମଧ୍ୟରୁ କବି ପାଇଲେ ସୃଷ୍ଟିର ଅଦମ୍ୟ ପ୍ରେରଣା । ଏହି ସୃଷ୍ଟିର ସ୍ୱର କବିଙ୍କ ସମଗ୍ର ଜୀବନକାଳ ମଧ୍ୟରେ ଏକାଧିକ ସ୍ତର ମଧ୍ୟଦେଇ ଗତିଶୀଳ ହୋଇଥିଲେହେଁ କବିଙ୍କର ସମଗ୍ର ଜୀବନର ସାହିତ୍ୟ ସାଧନାକୁ ନିୟନ୍ତ୍ରିତ କରିଅଛି ।

 

ସୃଷ୍ଟି ସୌରଭର ଆଦ୍ୟପର୍ବରେ କବି ସଂସ୍କୃତ ସାହିତ୍ୟର ଆଦର୍ଶକୁ ନିବିଡ଼ଭାବରେ ଗ୍ରହଣ କରିଥିଲେ । କେତେକ ଆଲୋଚକ ମତ ପ୍ରକାଶ କରନ୍ତି ଯେ, ଗଙ୍ଗାଧରଙ୍କର ସଂସ୍କୃତ ସାହିତ୍ୟରେ ପାରଦର୍ଶିତା ନଥିଲା । ସେ ସଂସ୍କୃତ ସାହିତ୍ୟର କେତେକ ପ୍ରଧାନକାବ୍ୟର ବଙ୍ଗଳା ଅନୁବାଦ ପାଠ କରି ତଦନୁସାରେ ନିଜର କାବ୍ୟ ରଚନା କରିବାକୁ ସମର୍ଥ ହୋଇଥିଲେ । ଏ ପ୍ରକାର ଆଲୋଚକମାନଙ୍କର ମତ ଯେ ଏକଦେଶଦର୍ଶୀ କହିବା ବାହୁଲ୍ୟ ମାତ୍ର । କବି ଗଙ୍ଗାଧର ସଂସ୍କୃତ କାବ୍ୟଗୁଡ଼ିକର ବଙ୍ଗଳା ଅନୁବାଦ ପାଠ କରିବାର ଅର୍ଥ ନୁହେଁ ଯେ ସେ ସଂସ୍କୃତରେ ଅଜ୍ଞ ଥିଲେ । ସଂସ୍କୃତ ସାହିତ୍ୟାଦର୍ଶମୁଗ୍‌ଧ କବି ଯେତେବେଳେ କେତେକ ରଚନା ଆରମ୍ଭ କଲେ ସେତେବେଳେ ସେ ଉତ୍ତମ ଭାବରେ ଉପଲବ୍‌ଧ କଲେ ଯେ, ତାଙ୍କର ରଚନା ଜନସମାଜରେ ଆଦୃତ ହେବାର ସମ୍ଭାବନା କମ୍‌ । ତେଣୁ ସେ ପରିସ୍ଥିତି ଓ ପରିବେଶର ପ୍ରଭାବକୁ ଅସ୍ୱୀକାର ଅସମର୍ଥ ହୋଇ ଆଧୁନିକ ରୀତିରେ କାବ୍ୟ କବିତା ରଚନା କରିବାରେ ପ୍ରୟାସୀ ହେଲେ । ଏ ସମ୍ପର୍କରେ ଗଙ୍ଗାଧର ଗ୍ରନ୍ଥାବଳୀର ମୁଖବନ୍ଧରେ ଦିଆଯାଇଥିବା ଏକ ବିଷୟ ହେଉଛି, ‘‘ପ୍ରଥମ ଅବସ୍ଥାରେ ସେ ପ୍ରାଚୀନ ପଦ୍ଧତିରେ କେତେକ କ୍ଷୁଦ୍ରପଦ୍ୟ ପ୍ରଣୟନ କରି ପରେ ‘ରସରତ୍ନାକର’ ନାମକ ଆଦ୍ୟପ୍ରାନ୍ତ ‘ର’ ଅକ୍ଷର ବିଶିଷ୍ଟ ଖଣ୍ଡେ ସୁଲଳିତ ପଦ୍ୟପୁସ୍ତକ ଲେଖିଥିଲେ । ତାହା ପାଠକରି ବରପାଲିର ତଦନୀନ୍ତନ ଯୁବରାଜଙ୍କର ଗୃହଶିକ୍ଷକ ସୂର୍ଯ୍ୟକୁମାର ମିତ୍ର ଗଙ୍ଗାଧରଙ୍କୁ ଆଧୁନିକ ଧରଣରେ ପଦ୍ୟରଚନା କରିବାପାଇଁ ଉତ୍ସାହିତ କରିବାରୁ ସେ ସଂସ୍କୃତ ଛନ୍ଦରେ ‘ଅହଲ୍ୟାସ୍ତବ’ ପ୍ରଣୟନ ଓ ପ୍ରକାଶ କରି ଉତ୍କଳର ସୁପ୍ରସିଦ୍ଧ କବି ରାଧାନାଥଙ୍କଠାରୁ ପ୍ରେରଣ କଲେ । ଗୁଣରଙ୍କ ଉଦାରପ୍ରାଣ ରାଧାନାଥ ରାୟ ମହୋଦୟ ସେହି ପୁସ୍ତକ ପାଠରେ ପ୍ରୀତ ହୋଇ ପତ୍ରଦ୍ୱାରା ତାଙ୍କୁ ପ୍ରଭୂତ ପ୍ରେରଣା ଦେଇଥିଲେ । ପରେ କବି ତାକୁ ବଙ୍ଗଳାଶ୍ରୀ ବୃତ୍ତରେ ପରିବର୍ତ୍ତିତ କରିଥିଲେ ।’’

 

କବିଙ୍କର ରସ ରତ୍ନାକରର ରଚନାକାଳ ନିର୍ଦ୍ଦିଷ୍ଟ ଭାବରେ ଜଣାଯାଇ ନାହିଁ । ଏହା ଏକ ଅପ୍ରକାଶିତ ରଚନା । ଅହଲ୍ୟାସ୍ତବ ରଚିତ ହେବା ପୂର୍ବରୁ ଏହା ରଚିତ ହୋଇଥିଲା ବୋଲି ଜଣାଯାଇଅଛି । ଆଲୋଚକମାନଙ୍କ ମତ ଅନୁସାରେ ଏହା ୧୮୮୫ରୁ ୧୮୯୨ ସାଲ ମଧ୍ୟରେ ରଚିତ ହୋଇଥିଲା ବୋଲି କୁହାଯାଇପାରେ । ବାଣାସୁର କନ୍ୟା ଉଷା ଓ ଶ୍ରୀକୃଷ୍ଣଙ୍କ ପୁତ୍ର ଅନିରୁଦ୍ଧଙ୍କର ପରିଣୟ ବିଷୟକୁ କେନ୍ଦ୍ର କରି ଏହି କାବ୍ୟର କଥାବସ୍ତୁ ଗଠିତ । ଭାରତୀୟ ପୁରାଣ ସାହତ୍ୟରୁ କଥାବସ୍ତୁ ଗ୍ରହଣ କରି କବି ମଧ୍ୟଯୁଗୀୟ ରୀତିରେ ଏହି କାବ୍ୟକୁ ରୂପଦାନ କରିଥିଲେ । ସମାଲୋଚକମାନଙ୍କ ମତରେ ଏହି କାବ୍ୟ ଅପ୍ରକାଶିତ ରହିବାର କେତେକ କାରଣ ଅଛି । କେତେକ ଆଲୋଚକ ମତ ପ୍ରକାଶ କରନ୍ତି ଯେ, କବିବର ରାଧାନାଥ ପାଶ୍ଚାତ୍ୟ ସାହିତ୍ୟରୁ କଥାବସ୍ତୁ ଆହରଣ କରି ଉଷା କାବ୍ୟ ରଚନା କରିଥିଲେ ଓ କବି ଗଙ୍ଗାଧର ଭାରତୀୟ ପୁରାଣ ସାହିତ୍ୟରୁ କଥାବସ୍ତୁ ଆହରଣ କରି ରସରତ୍ନାକର କାବ୍ୟ ରଚନା କରିଥିବାରୁ ତାଙ୍କ କାବ୍ୟ ରାଧାନାଥଙ୍କ କାବ୍ୟ ସୃଷ୍ଟି ବିରୁଦ୍ଧରେ ଏକ ପ୍ରତିକ୍ରିୟା ସ୍ୱରୂପ ପ୍ରତିଭାତ ହୋଇପାରେ ବୋଲି ମନେ କରି କବି ଗଙ୍ଗାଧର ତାହାକୁ ଅପ୍ରକାଶିତ ରଖିଲେ । ମାତ୍ର ଏ ପ୍ରକାର ମତରେ ଯାଥାର୍ଥ୍ୟ ଥିବା ପରି ମନେ ହୁଏ ନାହିଁ । କବି ଗଙ୍ଗାଧର ତ ତାଙ୍କ କାବ୍ୟରେ ରାଧାନାଥଙ୍କ କାବ୍ୟ ବିରୁଦ୍ଧରେ ସ୍ୱରୋତ୍ତୋଳନ କରି ନ ଥିଲେ, ତେଣୁ ତାହା ରାଧାନାଥଙ୍କ କାବ୍ୟ ସୃଷ୍ଟିର ବିରୁଦ୍ଧାଚରଣ କରିବାର ପ୍ରଶ୍ନ ଉଠୁନାହିଁ । ପ୍ରକୃତ କାରଣ ରୂପେ କୁହାଯାଇ ପାରେ ଯେ, ଆଧୁନିକ ଓଡ଼ିଆ ସାହିତ୍ୟରେ କାବ୍ୟସୃଷ୍ଟିର ଯେଉଁ ଆଧୁନିକ ରୀତି ପରିଦୃଷ୍ଟ ହେଲା ତାହାର ଅଭାବ ରସରତ୍ନାକରରେ ଥିବାରୁ କବି ତାହାକୁ ପ୍ରକାଶ କରିବା ନିମନ୍ତେ ପଶ୍ଚାତ୍‌ପଦ ହୋଇଥିଲେ । କବି ଯଥାର୍ଥରେ ଅନୁଭବ କରିଥିଲେ ଯେ, ସେହି କାବ୍ୟରେ ତାଙ୍କର କବିପ୍ରତିଭାର ଯଥୋପଯୁକ୍ତ ପ୍ରକାଶ ହୋଇପାରିନାହିଁ । ବହୁ କ୍ଷେତ୍ରରେ ଦେଖାଯାଇଅଛି ଯେ, କବି ବା ଲେଖକମାନେ ପ୍ରଥମରେ ଯାହା ରଚନା କରନ୍ତି ତହିଁରେ କେତେକ ଦୋଷତ୍ରୁଟି ରହିଯାଇଥିବା ଯୋଗୁଁ ତାହାକୁ ପ୍ରକାଶ କରିବେ ନିମନ୍ତେ କୁଣ୍ଠାବୋଧ କରିଥାଆନ୍ତି । ଗଙ୍ଗାଧର ମେହେରଙ୍କର ରସରତ୍ନାକର ଅପ୍ରକାଶିତ ରହିବା ଏହି ଦୃଷ୍ଟିରୁ ଅସ୍ୱାଭାବିକ ନୁହେଁ । ଭାରତୀୟ ପୁରାଣ ସାହିତ୍ୟରୁ ଚରିତ୍ର ଓ କଥାବସ୍ତୁ ଆହରଣ କରି ସେଗୁଡ଼ିକୁ ନୂତନ ରୀତିରେ ଉପସ୍ଥାପନ କରିବାର ପ୍ରୟାସ କବି ସର୍ବପ୍ରଥମେ ରସରତ୍ନାକରରେ ପରୀକ୍ଷା କରିଥିଲେ । ରସରତ୍ନାକରର ଏହି ପରୀକ୍ଷା କ୍ରମେ ପରିମାର୍ଜିତ ରୂପ ଗ୍ରହଣ କଲା ଓ ପରବର୍ତ୍ତୀକାଳରେ କବିଙ୍କ ଲେଖନୀ ଶକୁନ୍ତଳା ସୀତା, ସୈରିନ୍ଧ୍ରୀ ପ୍ରଭୃତିଙ୍କୁ ଓଡ଼ିଆ କାବ୍ୟ ସାହିତ୍ୟରେ ଆକର୍ଷଣୀୟ ରୀତିରେ ରୂପଦାନ କରିବାକୁ ସମର୍ଥ ହେଲା ।

 

୧୮୯୨ ସାଲରେ କବି ଅହଲ୍ୟାସ୍ତବ ରଚନା କରିଥିଲେ । ଏହା ପ୍ରଥମେ ସଂସ୍କୃତ ଛନ୍ଦରେ ରଚିତ ହୋଇଥିଲା । କବି ଏହାକୁ ରାଧାନାଥଙ୍କ ନିକଟକୁ ପ୍ରେରଣ କରି ରାଧାନାଥଙ୍କର ମତାମତ ଚାହିଁଥିଲେ ଓ ତାଙ୍କର ପରାମର୍ଶକ୍ରମେ ପରବର୍ତ୍ତୀକାଳରେ ଏହାକୁ ବଙ୍ଗଳାଶ୍ରୀ ରାଗରେ ରଚନା କରିଥିଲେ । ସୀତାଙ୍କର ସ୍ୱୟମ୍ବର ସମ୍ବାଦ ପାଇ ସ୍ୱୟମ୍ବର ସଭାରେ ଯୋଗଦାନ କରିବା ନିମନ୍ତେ ରାମଚନ୍ଦ୍ର ଓ ଲକ୍ଷ୍ମଣ ବିଶ୍ୱାମିତ୍ରଙ୍କ ସହିତ ମିଥିଳାକୁ ଯାତ୍ରା କରିବା ସମୟରେ ପଥମଧ୍ୟରେ ପାଷାଣରୂପ ଗ୍ରହଣ କରି ପଡ଼ିଥିବା ଗୌତମପତ୍ନୀ ଅହଲ୍ୟାଙ୍କୁ ରାମଚନ୍ଦ୍ର ପଦସ୍ପର୍ଶ ଦେଇ ଶାପମୁକ୍ତ କରିବାପରେ ଅହଲ୍ୟା ରାମଚନ୍ଦ୍ରଙ୍କ ନିକଟରେ ସ୍ତବପାଠ କରିବା ବିଷୟକୁ ନେଇ ଏହା ରଚିତ । ଏହି ସ୍ତବଟିରେ କବିଙ୍କର ଭକ୍ତିଭାବର ପ୍ରକାଶ ଘଟିଅଛି । ଆଧୁନିକ ଓଡ଼ିଆ ସାହିତ୍ୟରେ ଏହାର ସାହିତ୍ୟିକ ମୂଲ୍ୟ ସ୍ୱୀକୃତିଲାଭ କରିପାରି ନାହିଁ ।

 

ଅହଲ୍ୟାସ୍ତବ ରଚନା ପରେ କବି ଗଙ୍ଗାଧରଙ୍କ ରଚନାଶକ୍ତିରେ ଉତ୍ତରୋତ୍ତର ଉନ୍ନତି ଲକ୍ଷ୍ୟ କରାଯାଇପାରେ । ଏହାପରେ ୧୮୯୩ ସାଲରେ ତାଙ୍କ ଲେଖନୀରୁ ଜନ୍ମନେଲା ଇନ୍ଦୁମତୀ-। କାବ୍ୟରଚନା କରିସାରି ସେ ଏହାକୁ କବିବର ରାଧାନାଥଙ୍କ ନିକଟକୁ ପ୍ରେରଣ କରିଥିଲେ । କବିବର ରାଧାନାଥ ଏହି କାବ୍ୟଟିକୁ ପାଠକରି ଗଙ୍ଗାଧରଙ୍କ ପ୍ରତିଭାକୁ ପ୍ରଶଂସା କରିଥିଲେ-। ଏହି କାବ୍ୟ ୧୮୯୪ ସାଲରେ ପ୍ରକାଶ ପାଇଥିଲା । ରସରତ୍ନାକର ରଚନା ପରେ ବରପାଲିର ତଦାନୀନ୍ତନ ଯୁବରାଜଙ୍କ ଗୃହଶିକ୍ଷକ ସୂର୍ଯ୍ୟକୁମାର ମିତ୍ର ଗଙ୍ଗାଧରଙ୍କୁ ଆଧୁନିକ ରୀତିରେ କାବ୍ୟରଚନା କରିବାଲାଗି ଯେଉଁ ପରାମର୍ଶ ଦେଇଥିଲେ ତଦନୁସାରେ କବିଗଙ୍ଗାଧର ସ୍ୱକୀୟ ଲେଖନୀ ଚାଳନା କରି ଅହଲ୍ୟାସ୍ତବ ରଚନା କଲେ । ମାତ୍ର ତାହା ସଂସ୍କୃତ ଛନ୍ଦରେ ରଚିତ ହୋଇଥିବାରୁ କବିବର ରାଧାନାଥଙ୍କର ଅନୁମୋଦନରୁ ବଞ୍ଚିତ ହେଲା । କବି ତାଙ୍କର ପ୍ରଥମ ଓ ଦ୍ୱିତୀୟ ପ୍ରଚେଷ୍ଟାରେ ଆଧୁନିକ ରୀତିରେ କାବ୍ୟରଚନା କରିବାରେ ଅସମର୍ଥ ହୋଇ ତୃତୀୟ ପ୍ରଚେଷ୍ଟାରେ ସଫଳକାମ ହୋଇଥିଲେ । କବିବର ରାଧାନାଥଙ୍କ ଉତ୍ସାହ ତାଙ୍କର କବିଜୀବନକୁ ବିଶେଷ ଭାବରେ ଅନୁପ୍ରାଣିତ କରିଥିଲା, କହିଲେ ଅତ୍ୟୁକ୍ତି ହେବନାହିଁ । ଇନ୍ଦୁମତୀର କଥାବସ୍ତୁ ମହାକବି କାଳିଦାସଙ୍କ ରଘୁବଂଶ କାବ୍ୟର ପଞ୍ଚମ ସର୍ଗଠାରୁ ଅଷ୍ଟମସର୍ଗ ମଧ୍ୟରେ ବର୍ଣ୍ଣିତ ବିଷୟରୁ ଆହୁତ । କଥାବସ୍ତୁର ଆହରଣ ସତ୍ତ୍ୱେ କବିଙ୍କର ମୌଳିକତା ଏଥିରେ ଲକ୍ଷ୍ୟଣୀୟ । ରଘୁବଂଶର ଏହି ଅଂଶରେ ଅଜଙ୍କର ପ୍ରାଧାନ୍ୟ ସୂଚିତ, ମାତ୍ର ଇନ୍ଦୁମତୀରେ କବି ଇନ୍ଦୁମତୀଙ୍କର ପ୍ରାଧାନ୍ୟ ସୂଚିତ କରି କାବ୍ୟର ନାମକରଣର ସାର୍ଥକତା ପ୍ରତିପାଦନ କରିଅଛନ୍ତି । ସ୍ୱୟମ୍ବର ସଭାର ବର୍ଣ୍ଣନା କବିଙ୍କ ସୌନ୍ଦର୍ଯ୍ୟବାଦୀ ଦୃଷ୍ଟିକୋଣର ସାର୍ଥକ ନିଦର୍ଶନ । ସଖୀ ମୁଖରେ କବି ବିଭିନ୍ନ ରାଜ୍ୟ ବର୍ଣ୍ଣନା ପ୍ରସଙ୍ଗରେ ପ୍ରକୃତିର ଯେଉଁ ମନୋରମ ଚିତ୍ର ଅଙ୍କନ କରିଛନ୍ତି ତାହା ଅନନ୍ୟ ସାଧାରଣ-। ରାଜାମାନଙ୍କର ପରିଚୟ ପ୍ରଦାନ ପ୍ରସଙ୍ଗରେ ସଖୀ ସୁନନ୍ଦା ମୁଖରେ କବି ଯେଉଁ ଭାଷା ଦେଇଛନ୍ତି ତହିଁରେ ତାଙ୍କର କବିତ୍ୱ ଚାତୁରୀ ପ୍ରକାଶିତ । ଇନ୍ଦୁମତୀ ଅଜଙ୍କୁ ବରଣ କରିବା ପରେ ତାଙ୍କର ଦାମ୍ପତ୍ୟ ଜୀବନର ମଧୁମୟ ବର୍ଣ୍ଣନାର ପରିସମାପ୍ତି ଘଟିଛି, ବସନ୍ତ ଅବକାଶରେ ସଖୀଙ୍କ ଗହଣରେ ଇନ୍ଦୁମତୀଙ୍କ ଉଦ୍ୟାନ ବିଳାସରେ । ଆକାଶରୁ ହଠାତ୍ ଏକ ପୁଷ୍ପମାଲ୍ୟର ପତନ ଫଳରେ ଇନ୍ଦୁମତୀଙ୍କର ପ୍ରାଣତ୍ୟାଗ ଯେଉଁ କରୁଣ ପରିବେଶ ସୃଷ୍ଟି କରିଅଛି, ତାହା ରସଗ୍ରାହୀପାଠକର ଚକ୍ଷୁକୁ ଲୋତକସିକ୍ତ କରିଦିଏ । ଇନ୍ଦୁମତୀ କାବ୍ୟର ଏହି କରୁଣ ପରିଣତି ପାଠକ ପ୍ରାଣରେ ମୁଦ୍ରାଙ୍କ ରଖିଦିଏ । ବଶିଷ୍ଠ ମହର୍ଷିଙ୍କ ଶିଷ୍ୟ ଆସି ଇନ୍ଦୁମତୀଙ୍କର ପୂର୍ବଜନ୍ମ–ବୃତ୍ତାନ୍ତ ବର୍ଣ୍ଣନା କରିବା ସତ୍ତ୍ୱେ କାବ୍ୟର ପରିଣତି ପାଠକ ଉପରୁ ତାର ପ୍ରଭାବ ଦୂର କରିପାରେ ନାହିଁ । କାବ୍ୟର କଥାବସ୍ତୁରେ ନୂତନତ୍ୱ ନାହିଁ ସତ୍ୟ, ମାତ୍ର ପରିବେଷଣ ଚାତୁରୀ କବିଙ୍କ ଲେଖନୀକୁ ଅବିସ୍ମରଣୀୟ କରିଅଛି ।

 

୧୮୯୪ ସାଲରେ ଉତ୍କଳଲକ୍ଷ୍ମୀ ପାଠକମାନଙ୍କର ଦୃଷ୍ଟି ଆକର୍ଷଣ କଲା । ଏହି କାବ୍ୟ ସେତେବେଳେ ଅସଂପୂର୍ଣ୍ଣ ଅବସ୍ଥାରେ ପ୍ରକାଶ ପାଇଥିଲା ବୋଲି କବି କାବ୍ୟର ଭୂମିକାରେ ଲେଖିଥିଲେ । ଏହାର କୋଡ଼ିଏ ବର୍ଷ ପରେ, ଅର୍ଥାତ୍ ୧୯୧୪ ସାଲରେ ଏହାର ପୂର୍ଣ୍ଣାଙ୍ଗ ରୂପ ପ୍ରକାଶ ପାଇଲା । ପ୍ରକୃତିର ପ୍ରତ୍ୟେକ ସ୍ତରରେ କବିଙ୍କର କଳ୍ପନା ବିଳାସିତା ଏହି କାବ୍ୟକୁ ଅପୂର୍ବ ଶ୍ରୀମଣ୍ଡିତ କରିଅଛି । ମାର୍ଗଶୀର ମାସର ପୂର୍ଣ୍ଣିମା ରଜନୀର ଅର୍ଦ୍ଧ ଭାଗରେ ପ୍ରଜ୍ଞାଦେବୀ କବିଙ୍କୁ ‘ଉତ୍କଳର ଗୂଢ଼ ରହସ୍ୟ’ ଦେଖାଇବା ନିମନ୍ତେ ନେଇଗଲେ । କବି ପ୍ରଜ୍ଞାଦେବୀଙ୍କ ସହିତ ଯାଇ ପ୍ରଥମରେ ଗୋଟିଏ ମନ୍ଦିରରେ ଚନ୍ଦ୍ର ଓ ରୋହିଣୀଙ୍କୁ ଯଥାକ୍ରମେ ଜଣେ ଯୁବକ ଓ କ୍ରନ୍ଦନରତା ଯୁବତୀ ରୂପରେ ଦେଖିଲେ । ଚନ୍ଦ୍ର ଏବଂ ରୋହିଣୀ ମର୍ତ୍ତ୍ୟମଣ୍ଡଳରେ ଯଥାକ୍ରମେ ମୟୁରଭଞ୍ଜର ମହାରାଜା ରାମଚନ୍ଦ୍ର ଓ ଉତ୍କଳପ୍ରଭା ରୂପରେ ଜନ୍ମଗ୍ରହଣ କରିଥିବା କଥା କବି ସେଠାରେ ଜାଣିବାକୁ ପାଇଲେ । ସେଠାରେ ଚନ୍ଦ୍ର କହିଲେ, ‘‘କାବ୍ୟହିଁ ଗଲେଣି କାବ୍ୟ ରଚିବାକୁ ରାଧାନାଥ ନାମ ବହି ।’’ ତା’ପରେ କବି ଉତ୍କଳ ଲକ୍ଷ୍ମୀଙ୍କର ମୂର୍ତ୍ତି ଦେଖି ପାରିଲେ । ଜଣେ ଭକ୍ତ ତାଙ୍କ ନିକଟରେ ବସି ତାଙ୍କୁ ଆରାଧନା କରୁଥିଲେ । ତା’ ପରେ ‘‘ଜୟ ଗୋ ଉତ୍କଳ ଲକ୍ଷ୍ମୀ’’ ଉଚ୍ଚାରଣ କରି ଉତ୍କଳର ନଦନଦୀ ଗିରିବନ ଆସି ଉତ୍କଳ ଲକ୍ଷ୍ମୀଙ୍କର ବନ୍ଦନା କରିଅଛନ୍ତି । ଉତ୍କଳର ପ୍ରାକୃତିକ ପରିବେଶ ଓ ତାର ନଦନଦୀ ଗିରିବନର ଅବସ୍ଥିତି ବିଷୟ କବି ‘ଗେଜେଟିୟର’ ରୁ ଗ୍ରହଣ କରିଥିବା କଥା ଉତ୍କଳ ଲକ୍ଷ୍ମୀର ଭୂମିକାରେ ପ୍ରକାଶ କରିଅଛନ୍ତି । ଉତ୍କଳ ଲକ୍ଷ୍ମୀ ଯେତେବେଳେ ଅସଂପୂର୍ଣ୍ଣ ଅବସ୍ଥାରେ ପ୍ରକାଶ ପାଇଥିଲା ସେତେବେଳେ ଗଙ୍ଗାଧର ଏହା ବିଷୟରେ ସନ୍ତୋଷଜନକ ସମାଲୋଚନା ପାଇପାରିନଥିଲେ । ପରବର୍ତ୍ତୀ କାଳରେ ଏହା ସଂପୂର୍ଣ୍ଣ ରୂପ ଗ୍ରହଣ କରିବା ପରେ ଉତ୍କଳ ଲକ୍ଷ୍ମୀର ମହତ୍ତ୍ୱ ପ୍ରକଟିତ ହୋଇଅଛି ।

 

ଉତ୍କଳ ଲକ୍ଷ୍ମୀ ରଚନା କରିବା ପରେ କବି ଅନ୍ୟ କେତେକ କବିତା ରଚନା କରିଥିଲେ । ସେଗୁଡ଼ିକ ଗଙ୍ଗାଧର ଗ୍ରନ୍ଥାବଳୀରେ ସ୍ଥାନ ପାଇପାରିନାହିଁ । ୧୯୦୨ରୁ ୧୯୦୩ ସାଲ ମଧ୍ୟରେ କବି କୀଚକବଧ କାବ୍ୟ ରଚନା କରିଥିଲେ । ଏହି କାବ୍ୟ ୧୯୦୫ ସାଲ ଜୁନ୍ ମାସରେ ଉତ୍କଳ ସାହିତ୍ୟ ପତ୍ରିକାରେ ସମାଲୋଚନା ହୋଇଥିଲା । ଏହି କାବ୍ୟର କଥାବସ୍ତୁ ସାରଳା ମହାଭାରତରୁ ଆହୃତ । ପୁରାଣ ସାହିତ୍ୟରୁ କଥାବସ୍ତୁ ଆହରଣ କରି କବି ନିଜର ପ୍ରତିଭା ବଳରେ ତାହାକୁ କାବ୍ୟ ରୂପରେ ଅପୂର୍ବ ସୌନ୍ଦର୍ଯ୍ୟ ମଣ୍ଡିତ କରିଅଛନ୍ତି । ଅଜ୍ଞାତ ବନବାସ କାଳରେ ପାଣ୍ଡବମାନେ ଛଦ୍ମବେଶରେ ବିରାଟ ରାଜ୍ୟରେ ଆଶ୍ରୟ ଗ୍ରହଣ କରିବା ସମୟରେ ଦ୍ରୌପଦୀ ସୈରିନ୍ଧ୍ରୀ ରୂପରେ ବିରାଟ ରାଣୀଙ୍କର ପରିଚାରିକା ଭାବରେ ରହିଥିଲେ । ବିରାଟ ରାଣୀ ସୁଦେଷ୍ଣାଙ୍କର ଭାଇ କୀଚକ । କୀଚକ ଅତ୍ୟନ୍ତ ଶକ୍ତିଶାଳୀ ଥିବାରୁ ରାଜ୍ୟ ପରିଚାଳନା ମୁଖ୍ୟତଃ କୀଚକ ଉପରେ ନ୍ୟସ୍ତ ଥିଲା । କୀଚକ ସୈରିନ୍ଧ୍ରୀଙ୍କର ସୌନ୍ଦର୍ଯ୍ୟରେ ଏପରି ମୁଗ୍‌ଧ ହୋଇପଡ଼ିଲା ଯେ, ସେ ତାଙ୍କୁ ନିଜର ପତ୍ନୀ ଭାବରେ ପାଇବାପାଇଁ ଅତ୍ୟନ୍ତ ବ୍ୟାକୁଳ ହୋଇ ପଡ଼ିଥିଲା । ତାର ଏହି ଉଦ୍ଦେଶ୍ୟକୁ ଚରିତାର୍ଥ କରିବା ନିମନ୍ତେ ସେ ଦାସୀ ଚପଳାକୁ କାର୍ଯ୍ୟଭାର ଦେଇଥିଲା । ଦାସୀ ଚପଳା ସୈରିନ୍ଧ୍ରୀଙ୍କୁ କପଟ ଜାଲରେ ପକାଇବା ପାଇଁ ଚେଷ୍ଟା କଲା । ବିରାଟ ରାଣୀ ସୁଦେଷ୍ଣା ସୈରିନ୍ଧ୍ରୀଙ୍କୁ କୀଚକ ନୀକଟକୁ ଯିବା ପାଇଁ ଆଦେଶ ଦେବାରୁ ସୈରିନ୍ଧ୍ରୀ ରାଜସଭାରେ ଆପତ୍ତି ଜଣାଇଲେ । ରାଜସଭାରେ ଯୁଦ୍ଧିଷ୍ଠିର ତାଙ୍କୁ ଶ୍ଳେଷ-ବାକ୍ୟରେ ଯେଉଁ ଆଦେଶ ଦେଲେ ସେହି ଆଦେଶ ଅନୁସାରେ ସେ ଭୀମଙ୍କ ନିକଟକୁ ଯାଇ ସବୁ କଥା ପ୍ରକାଶ କଲେ । ଭୀମ କୌଶଳ କରି କୀଚକକୁ ନାଟ ମନ୍ଦିରକୁ ନେଇ ସେଠାରେ ତାର ପ୍ରାଣନାଶ କରିଥିଲେ । ମହାଭାରତର କଥାବସ୍ତୁରେ ‘ଧର୍ମର ଜୟ ଓ ଅଧର୍ମର କ୍ଷୟ’ ଏହି ନୀତି ଘୋଷିତ ହୋଇଅଛି । ଏହି ନୀତିକୁ ରକ୍ଷା କରି କବି କାବ୍ୟ ରଚନାରେ ପାରଦର୍ଶିତା ପ୍ରଦର୍ଶନ କରିଅଛନ୍ତି । କୀଚକର ପୀପାଶା ତାର ଜୀବନନାଶର କାରଣ ହୋଇଅଛି । କାବ୍ୟର କଳେବର ମଧ୍ୟରେ କବିଙ୍କର ପ୍ରକାଶଭଙ୍ଗୀ, ବର୍ଣ୍ଣନାଚାତୁରୀ ଓ ଚରିତ୍ର ଚିତ୍ରଣ ବିଶେଷ ଲକ୍ଷ୍ୟଣୀୟ ।

 

କୀଚକ ବଧ ରଚନା ପରେ କବି କେତେକ ପାରିପାର୍ଶ୍ୱିକ ପ୍ରତିକୂଳ ଅବସ୍ଥାର ସମ୍ମୁଖୀନ ହୋଇ କିଛିକାଳ ପାଇଁ ଲେଖନୀ ଚାଳନା କରିବାକୁ ଅସମର୍ଥ ହୋଇଥିଲେ । ତା’ପରେ ୧୯୧୦ ସାଲରେ କବି ଓଡ଼ିଆ ସାହିତ୍ୟକୁ ଦାନ କଲେ ଅଯୋଧ୍ୟାଦୃଶ୍ୟ । ଏହା ତିନିଗୋଟି ସର୍ଗ ବା ଦୃଶ୍ୟରେ ବର୍ଣ୍ଣିତ । ପ୍ରଥମ ଦୃଶ୍ୟରେ ରାମଚନ୍ଦ୍ରଙ୍କର ଜନ୍ମ ଓ ବନବାସ, ଦ୍ୱିତୀୟ ସର୍ଗରେ କୌଶଲ୍ୟାଙ୍କର ପୁତ୍ର ବିଚ୍ଛେଦ ଜନିତ ଦୁଃଖ ଓ ତୃତୀୟ ସର୍ଗରେ ରାମଚନ୍ଦ୍ରଙ୍କର ଅଭିଷେକ ବର୍ଣ୍ଣିତ । କୌଶଲ୍ୟାଙ୍କର ମନର ଦୁଃଖଭାବକୁ କବି ଯଥୋପଯୁକ୍ତ ଭାବରେ ପ୍ରକାଶ କରିଅଛନ୍ତି । ଏହି ରଚନାକୁ ଏକ କାବ୍ୟ ଭାବରେ ଗ୍ରହଣ ନ କରି ଏକ ଦୀର୍ଘକବିତା ଭାବରେ ଗ୍ରହଣ କରିବା ସମୀଚୀନ ।

 

୧୯୧୦ ସାଲରେ କବି ପଦ୍ମିନୀ କାବ୍ୟ ରଚନା ଆରମ୍ଭ କରିଥିଲେ । ପଦ୍ମିନୀ କାବ୍ୟ କବିଙ୍କ ଲେଖନୀରେ ପୂର୍ଣ୍ଣତା ଲାଭ କରିପାରିଲା ନାହିଁ । ଯବନମାନେ ଦେଶକୁ ଆକ୍ରମଣ କରି ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର କରିବା ସଙ୍ଗେ ସଙ୍ଗେ ହିନ୍ଦୁନାରୀମାନଙ୍କର ସତୀତ୍ୱ ହରଣ କରୁଥିଲେ । ଚିତୋରବାସୀ ବୀରଗଣ ଏଥିପାଇଁ ଅତ୍ୟନ୍ତ ନିର୍ମମ ଭାବରେ ଯବନମାନଙ୍କୁ ସଂହାର କରିବାରେ ଲାଗିପଡ଼ିଥିଲେ । ଚିତୋରର ରାଜସିଂହାସନରେ ଲକ୍ଷ୍ମଣ ସିଂହ ଅଧିଷ୍ଠିତ ଥିବା ସମୟର କଥା ଏଥିରେ ବର୍ଣ୍ଣିତ । ଲକ୍ଷ୍ମଣସିଂହଙ୍କର ପିତା ଯେତେବେଳେ ଦେହତ୍ୟାଗ କଲେ ଲକ୍ଷ୍ମଣସିଂହ ସେତେବେଳେକୁ ବାଳକ । ତେଣୁ ତାଙ୍କ ପିତାଙ୍କର ଅନୁଜ ଭୀମସିଂହ ରାଜ୍ୟଭାର ଗ୍ରହଣ କରିଥିଲେ । ସେ ଲକ୍ଷ୍ମଣସିଂହଙ୍କୁ ରାଜନୀତି ଶିକ୍ଷା ଦେଇ ତାଙ୍କୁ ଜଣେ ବିଚକ୍ଷଣ ଶାସକରେ ପରିଣତ କରିଥିଲେ । ଭୀମସିଂହଙ୍କର ପତ୍ନୀ ପଦ୍ମିନୀ ଥିଲେ ଭୁବନମୋହିନୀ ଅନିନ୍ଦ୍ୟ ସୁନ୍ଦରୀ । ସେ ସମୟରେ ଦିଲ୍ଲୀର ରାଜସିଂହାସନ ଅଧିକାର କରିଥିଲେ ଆଲ୍ଲାଉଦ୍ଦିନ । ଆଲ୍ଲାଉଦ୍ଦିନ ଷଡ଼ଯନ୍ତ୍ର କରି ଜଲାଲୁଦ୍ଦିନଙ୍କୁ ହତ୍ୟା କରି ଦିଲ୍ଲୀ ସିଂହାସନ ଅଧିକାର କରିଥିଲେ । ପଦ୍ମିନୀଙ୍କର ସୌନ୍ଦର୍ଯ୍ୟ ବିଷୟ ଶୁଣିପାରି ସେ ପଦ୍ମିନୀଙ୍କୁ ନିଜର ଅଙ୍କଲକ୍ଷ୍ମୀ କରିବା ନିମନ୍ତେ ବ୍ୟାକୁଳ ହୋଇ ପଡ଼ିଲେ । ତେଣୁ ସେ ଗୋଟିଏ କୂଟନୀତିପୂର୍ଣ୍ଣ ପତ୍ର ଦେଇ ଜଣେ ଦୂତ ଓ ସନ୍ନ୍ୟାସିନୀ ବେଶରେ ଜଣେ ଦୂତୀକୁ ଚିତୋରକୁ ପଠାଇଥିଲେ । ଦୂତଠାରୁ ପତ୍ର ପାଇ ଭୀମସିଂହ ପତ୍ର ବିଷୟ ଅବଗତ ହୋଇ ଲକ୍ଷ୍ମଣସିଂହଙ୍କୁ ସେ ପତ୍ରଟି ଦେଖାଇଲେ । ଆଲ୍ଲାଉଦ୍ଦିନଙ୍କ ନିକଟକୁ ଏକ କୌଶଳପୂର୍ଣ୍ଣ ପତ୍ର ଉତ୍ତରରେ ପଠାଗଲା । ଯେଉଁ ଦୂତୀ ପଦ୍ମିନୀଙ୍କ ନିକଟକୁ ଯାଇଥିଲା; ସେ ମଧ୍ୟ ବ୍ୟର୍ଥକାମ ହୋଇ ଫେରିଗଲା । ଦୂତୀଠାରୁ ଆଲ୍ଲାଉଦ୍ଦିନ ପଦ୍ମିନୀଙ୍କ ସୌନ୍ଦର୍ଯ୍ୟ ବିଷୟରେ ଯାହା ଶୁଣିଲେ ସେଥିରେ ସେ ଅତ୍ୟନ୍ତ ତନ୍ମୟ ହୋଇ ପଡ଼ିଲେ ଏବଂ ଯୁଦ୍ଧରେ ଭୀମ ସିଂହଙ୍କୁ ହତ୍ୟା କରି ପଦ୍ମିନୀଙ୍କୁ ପାଇବା ଉଦ୍ଦେଶ୍ୟରେ ଯୁଦ୍ଧ ଯାତ୍ରା କଲେ । ଚିତୋର ଦୁର୍ଗର ଅଦୂରରେ ଆଲ୍ଲାଉଦ୍ଦିନ ଶିବିର ପକାଇ ଭୀମ ସିଂହଙ୍କ ନିକଟକୁ ବାର୍ତ୍ତା ପ୍ରେରଣ କଲେ ଯେ, ଯଦି ଭୀମସିଂହ ତାଙ୍କ ଆଦେଶ ଅନୁସାରେ ପଦ୍ମିନୀଙ୍କୁ ତାଙ୍କ କରରେ ସମର୍ପଣ କରିଦେବେ ତେବେ ସେ ଯୁଦ୍ଧ ନ କରି ସେହି ସ୍ଥାନରୁ ପ୍ରତ୍ୟାବର୍ତ୍ତନ କରିବେ; ନଚେତ୍ ଯୁଦ୍ଧ ଅବଶ୍ୟମ୍ଭାବୀ । ଆଲ୍ଲାଉଦ୍ଦିନଙ୍କଠାରୁ ଏହି ବାର୍ତ୍ତା ପାଇ ଭୀମ ସିଂହ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ପଡ଼ିଲେ ଓ ଚିତୋର ବାସୀ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ପଡ଼ିଲେ । ଯବନ ସୈନ୍ୟମାନେ ଚିତୋର ଦୁର୍ଗ ଅଭିମୁଖରେ ଅଗ୍ରସର ହେବା ସମୟରେ ପ୍ରବଳ ପ୍ରତିରୋଧର ସମ୍ମୁଖୀନ ହୋଇ ନ ପାରି ଶିବିରକୁ ପ୍ରତ୍ୟାବର୍ତ୍ତନ କଲେ । ଆଲ୍ଲାଉଦ୍ଦିନ କ୍ରୋଧରେ ଅସ୍ଥିର ହୋଇ ନିଜ ଶିବିରକୁ ଫେରି ଆସିଲେ । କବି ଏହି ସ୍ଥାନରେ ପଦ୍ମିନୀ କାବ୍ୟକୁ ଅସଂପୂର୍ଣ୍ଣ ଅବସ୍ଥାରେ ଛାଡ଼ି ଦେଇଛନ୍ତି । ଇତିହାସର କଙ୍କାଳରୁ କଥାବସ୍ତୁ ଆହରଣ କରି କବି ତାହାକୁ କାବ୍ୟରୂପ ଦେବାରେ ବିଶେଷ ପାରଦର୍ଶିତା ପ୍ରଦର୍ଶନ କରିପାରି ନାହାନ୍ତି ବୋଲି ଆଲୋଚକମାନେ ଗଙ୍ଗାଧରଙ୍କ ସୃଷ୍ଟି ମଧ୍ୟରେ ପଦ୍ମିନୀକୁ ଉଚ୍ଚସ୍ଥାନ ଦେଇ ନଥାନ୍ତି ।

 

ପ୍ରଣୟବଲ୍ଲରୀର ପ୍ରଥମ ସର୍ଗ ୧୯୧୧ ସାଲରେ ରଚିତ ହୋଇଥିଲା ଓ ଅନ୍ୟ ସର୍ଗଗୁଡ଼ିକ ୧୯୧୪ ସାଲରେ ରଚିତ ହୋଇଥିଲା । ମହାକବି କାଳିଦାସଙ୍କର ଅଭିଜ୍ଞାନ ଶାକୁନ୍ତଳମ୍‌ର କଥାବସ୍ତୁ କବି ଗ୍ରହଣ କରିଛନ୍ତି । ସର୍ବଜନ ବିଦିତ ଦୁଷ୍ମନ୍ତ ଓ ଶକୁନ୍ତଳାଙ୍କର ପ୍ରଣୟକାହାଣୀକୁ କବି ଏହି କାବ୍ୟରେ ସ୍ଥଳବିଶେଷରେ ଅନୁବାଦ କରି, ଅନୁସରଣ କରି ଓ ନିଜର ମୌଳିକତା ପ୍ରଦର୍ଶନ କରି ଏପରି ଭାବରେ ରୂପାୟିତ କରିଅଛନ୍ତି ଯେ, ତାହା ତାଙ୍କର କବିପ୍ରତିଭାର ସାର୍ଥକ ସ୍ୱାକ୍ଷର ବହନ କରିଅଛି । ପ୍ରଣୟ ବଲ୍ଲରୀର ଅଙ୍କୁର, ସଲ୍ଲବ, ପ୍ରସୂନ, ସୌରଭ, ପୁଷ୍ପେକୀଟ, ଫଳ, ଛାୟା ପ୍ରଭୁତି ଅନୁସାରେ ସର୍ଗଗୁଡ଼ିକର ନାମକରଣ କବିତ୍ୱପୂର୍ଣ୍ଣ ହୋଇଅଛି । ଏହି କାବ୍ୟଟି କବିଙ୍କ ଉନ୍ନତ କବିତ୍ୱର ପରିଚୟ ପ୍ରଦାନ କରିଅଛି ।

 

କବିଙ୍କର ଅନ୍ୟ ଏକ ବିଖ୍ୟାତ କାବ୍ୟ ତପସ୍ୱିନୀର ଜନ୍ମ ୧୯୧୨ ସାଲରେ ଓ ଏହା ଲୋକଲୋଚନ ଗୋଚରକୁ ଆସେ ୧୯୧୪ ସାଲରେ । ଏହି କାବ୍ୟ ରଚନାରେ କବି ନିଜର ସ୍ୱାତନ୍ତ୍ର୍ୟ ପ୍ରତିଷ୍ଠିତ କରିଅଛନ୍ତି । ତପସ୍ୱିନୀର କଥାବସ୍ତୁ ରାମାୟଣ, ରଘୁବଂଶ ଓ ଉତ୍ତର ରାମଚରିତରୁ ଆହୂତ, ମାତ୍ର କବିଙ୍କର ମୌଳିକତା ସର୍ବୋଦୌ ଲକ୍ଷଣୀୟ । କଥାବସ୍ତୁ ଆହରଣରେ, ଚରିତ୍ର ସମାରୋହରେ, ଚରିତ୍ର ଚିତ୍ରଣରେ, ପ୍ରକୃତି ଚିତ୍ରଣରେ ଓ କଳ୍ପନା ବିଳାସର ପ୍ରକାଶରେ କବି ସ୍ୱାତନ୍ତ୍ର୍ୟ ପ୍ରକାଶ କରିଅଛନ୍ତି । ସାହିତ୍ୟ ସମାଲୋଚକମାନଙ୍କ ମତରେ ତପସ୍ୱିନୀହିଁ ଗଙ୍ଗାଧର ସୃଷ୍ଟିସଂପଦ ମଧ୍ୟରେ ସର୍ବୋତ୍ତମ । ଏଥିରେ କବି ସୀତାଙ୍କର ନିର୍ବାସିତ ଜୀବନର ଚିତ୍ର ଅଙ୍କନ କରି ଅଛନ୍ତି । ଲକ୍ଷ୍ମଣ ଯେତେବେଳେ ରାମଚନ୍ଦ୍ରଙ୍କ ଆଦେଶ ଅନୁସାରେ ସୀତାଙ୍କୁ ନେଇ ଭାଗୀରଥୀ ତୀରରେ ଏକାକିନୀ ଛାଡ଼ିଦେଇ ଆସିଲେ, ସେତେବେଳେ ସୀତା ନିଜକୁ ଅସହାୟ ମଣି ବିକଳସ୍ୱରରେ କ୍ରନ୍ଦନ କଲେ । ପ୍ରକୃତି ସୀତାଙ୍କ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିବାଦ କରିବାକୁ ଯାଇ ନିୟତି ସହିତ ସମରରେ ଲିପ୍ତ ହେଲା । ସୀତା ବାଲ୍ମୀକିଙ୍କ ଆଶ୍ରମରେ ଆଶ୍ରୟ ପାଇ ସେଠାରେ ତପସ୍ୱିନୀ ଜୀବନ ଯାପନ କଲେ । ସେଠାରେ ତାଙ୍କର ଯମଜ ପୁତ୍ର ଲବ ଓ କୁଶ ଭୂମିଷ୍ଠ ହେଲେ । ରାମଚନ୍ଦ୍ରଙ୍କ ଅଶ୍ୱମେଧ ଯଜ୍ଞ ବାର୍ତ୍ତା ଶ୍ରବଣରେ ସୀତାଙ୍କ ମାନସିକ ପ୍ରତିକ୍ରିୟା ଓ ସ୍ୱପ୍ନଦର୍ଶନରେ କାବ୍ୟର କଥାବସ୍ତୁ ଚରମ ପରିଣତି ଲାଭ କରିଅଛି । ପ୍ରସଙ୍ଗ କ୍ରମରେ ଆରଣ୍ୟ ପ୍ରକୃତି ବର୍ଣ୍ଣନା, ଆଶ୍ରମ ଜୀବନ ବର୍ଣ୍ଣନା ପ୍ରଭୃତି କବିଙ୍କର ଚିନ୍ତାଧାରା ଉତ୍ତୁଙ୍ଗତା ପ୍ରକାଶ କରିଅଛି । କବି ସୀତାଙ୍କୁ ଭାରତୀୟା ନାରୀର ଶ୍ରେଷ୍ଠତମ ଆଦର୍ଶରେ ଓ ରାମଚନ୍ଦ୍ରଙ୍କୁ ଭାରତୀୟ ନରପତିର ଶ୍ରେଷ୍ଠତମ ଆଦର୍ଶରେ ଭୂଷିତ କରି ଅଛନ୍ତି । ସତୀ ସୀତାଙ୍କର ଜୀବନାଦର୍ଶକୁ ରୂପାୟିତ କରିବା କବିଙ୍କର ଲକ୍ଷ୍ୟ । ଓଡ଼ିଆ ସାହିତ୍ୟରେ ତପସ୍ୱିନୀ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ଦାବୀ କରି ଆସିଅଛି ଏବଂ ସେ ମର୍ଯ୍ୟାଦା ଏପର୍ଯ୍ୟନ୍ତ ପାଇ ଆସିଅଛି ।

 

ତପସ୍ୱିନୀ ରଚନା ପରେ କବି ଆହୁରି ଅନେକ କବିତା ଓ ପ୍ରବନ୍ଧ ରଚନା କରି ଓଡ଼ିଆ ସାହିତ୍ୟର ଉନ୍ନତି ବିଧାନରେ ତତ୍ପରତା ପ୍ରକାଶ କରିଥିଲେ । ମାତ୍ର ସେଗୁଡ଼ିକ ମେହେର ପ୍ରତିଭାର ଯଥାର୍ଥ ନିଦର୍ଶନ ନୁହେଁ । ୧୯୧୮ ସାଲରେ କବି ବିଭିନ୍ନ ସମୟରେ ରଚନା କରିଥିବା କେତେକ କବିତାକୁ ‘ଅର୍ଘ୍ୟଥାଳି’ ନାମ ଦେଇ ଲୋକ ଲୋଚନର ଗୋଚରକୁ ଆଣିଥିଲେ । ଏଥିରେ ଥିବା ଅଣଚାଳିଶ ଗୋଟି କବିତା ମଧ୍ୟରୁ ‘ଭକ୍ତି’ ନାମକ କବିତାରେ କବିଙ୍କର ଜୀବନ ଦର୍ଶନ ପ୍ରକାଶ ପାଇଅଛି । ଏହା ପୂର୍ବରୁ କବି ବିଭିନ୍ନ ସମୟରେ ରଚନା କରିଥିବା ପାଞ୍ଚଗୋଟି କବିତାକୁ ୧୯୧୨ ସାଲରେ କବିତା କଲ୍ଲୋଳ ନାମରେ ପ୍ରକାଶ କରିଥିଲେ । ବେଦବ୍ୟାସ, ଚନ୍ଦ୍ର ରଜନୀ, ବସନ୍ତ ବାସର, ସୋମନାଥ ବିଜୟ ଓ ବର୍ଷାଚିତ୍ର; ଏହି ପାଞ୍ଚଗୋଟି କବିତାର ସମାରୋହହିଁ କବିତା କଲ୍ଲୋଳ । ୧୯୧୮ରୁ ୧୯୨୨ ସାଲ ମଧ୍ୟରେ ବିଭିନ୍ନ ସମୟରେ କବି ରଚନା କରିଥିବା ଅଣତିରିଶ ଗୋଟି କବିତା ‘କବିତାମାଳା’ ନାମରେ ଗଙ୍ଗାଧର ଗ୍ରନ୍ଥାବଳୀରେ ସ୍ଥାନ ପାଇଅଛି । ଏହି କବିତାଗୁଡ଼ିକ ବିଭିନ୍ନ ସମୟରେ ମୁକୁର, ଉତ୍କଳ ସାହିତ୍ୟ ପ୍ରଭୃତି ପତ୍ରିକାମାନଙ୍କରେ ପ୍ରକାଶ ପାଇଥିଲା । ୧୯୨୧ ସାଲରେ କବି କୃଷିବିଷୟକ କେତେକ କବିତା ରଚନା କରି ସେଗୁଡ଼ିକୁ କୃଷକ ସଙ୍ଗୀତ ନାମ ଦେଇଥିଲେ । ଏହି କବିତା ଗୁଡ଼ିକରେ ବିଭିନ୍ନ ପନିପରିବା ଫସଲ ବିଷୟରେ ଜ୍ଞାତବ୍ୟ ନିୟମ ବର୍ଣ୍ଣିତ ହୋଇଅଛି । ୧୯୨୩ ସାଲରେ କବି ‘ଭାରତୀ ଭାବନା’ ରଚନା କରିଥିଲେ-। ଏହା କବିଙ୍କର ଏକ ବିଖ୍ୟାତ ରଚନା ।

 

କବି ଗଙ୍ଗାଧର ମେହେର କାବ୍ୟ କବିତା ବ୍ୟତୀତ ଓଡ଼ିଆ ସାହିତ୍ୟକୁ ଯେଉଁ କେତେକ ଗଦ୍ୟରଚନା ଦାନ କରିଅଛନ୍ତି ତାହା ମଧ୍ୟ ପ୍ରଣିଧାନ ଯୋଗ୍ୟ । ଗଙ୍ଗାଧର ଗ୍ରନ୍ଥାବଳୀରେ ଛଅଗୋଟି ଗଦ୍ୟ ରଚନା ଦେଖିବାକୁ ମିଳେ, ଯଥା :—(୧) ଆତ୍ମଜୀବନ, (୨) ଶ୍ରୀ ନୃପରାଜ ସିଂହ, (୩) ପୁରାଣକବି ଫକୀରମୋହନ, (୪) ସ୍ୱର୍ଗୀୟ କାଶୀନାଥ ପଣ୍ଡା, (୫) ଏହିକି ପୃଥିବୀର ଶଦ୍ଦ ଓ (୬) ଶିକ୍ଷିତ, ଅଶିକ୍ଷିତ ଓ ଶିକ୍ଷାଭିମାନୀ ।

 

ଗଙ୍ଗାଧରଙ୍କର ଆତ୍ମଜୀବନୀ ପାଠକଲେ ତାଙ୍କ ବିଷୟରେ ବା ତାଙ୍କ ସମୟର କୌଣସି ବିଷୟରେ ଜାଣିବାକୁ ଇଚ୍ଛା କରୁଥିବା ପାଠକକୁ ନିରାଶ ହେବାକୁ ପଡ଼େ । ଆତ୍ମଜୀବନୀ କହିଲେ ଯାହା ସାଧାରଣତଃ ବୁଝାଯାଏ ଏହି ରଚନାଟି ତାହା ନୁହେଁ । ନିଜ ଜୀବନର ଦାରିଦ୍ର୍ୟ, ଚାକିରି ବା ପାଠ ପଢ଼ିବା ବିଷୟରେ ସାମାନ୍ୟ କେତେକ ବିଷୟର ଏହା ଏକ ସଂକ୍ଷିପ୍ତ ସୂଚୀ । ଏହାକୁ ପାଠକଲେ କୌଣସି ପାଠକ ଗଙ୍ଗାଧରଙ୍କର ପ୍ରକୃତ ପରିଚୟ ପାଇପାରିବ ନାହିଁ ।

 

ବରପାଲିର ଯୁବରାଜ ନୃପରାଜ ସିଂହଙ୍କ ବିଷୟରେ ଲେଖିବାକୁ ଯାଇ କବି ନୃପରାଜ ସିଂହଙ୍କ ଅପେକ୍ଷା ଅନ୍ୟ ବିଷୟ ଅଧିକ ପରିମାଣରେ ବର୍ଣ୍ଣନା କରିଛନ୍ତି । ବରପାଲି ଇଲାକା ସମ୍ବଲପୁର ମହାରାଜାଙ୍କ ଦ୍ୱାରା କିପରି ପ୍ରଦତ୍ତ ହୋଇଥିଲା ଓ ବରପାଲିର ରାଜବଂଶରେ କେଉଁମାନେ ରାଜତ୍ୱ କରିଥିଲେ କେବଳ ସେହି ବିଷୟରେ କେତେକ ସଂକ୍ଷିପ୍ତ ବିବରଣୀ ଏହାର ପ୍ରଥମ ପରିଚ୍ଛେଦରେ ଦିଆଯାଇଅଛି । ଦ୍ୱିତୀୟ ପରିଚ୍ଛେଦରେ ନୃପରାଜ ସିଂହଙ୍କର ରାଜ୍ୟଭାର ଗ୍ରହଣ କରିବା ସଙ୍ଗେ ସଙ୍ଗେ ରାଜ୍ୟରେ ଶୃଙ୍ଖଳା ସ୍ଥାପନ ନିମିତ୍ତ କି କାର୍ଯ୍ୟପନ୍ଥା ସେ ଗ୍ରହଣ କରିଥିଲେ ତାହା ବର୍ଣ୍ଣିତ । ତୃତୀୟ ପରିଚ୍ଛେଦରେ ରାଜା ନୃପରାଜ ସିଂହଙ୍କର ଗୌରବର ପ୍ରସାର ବର୍ଣ୍ଣିତ । ଚତୁର୍ଥ ପରିଚ୍ଛେଦରେ ତାଙ୍କର ରାଜଭକ୍ତି ଓ ସତ୍‌କାର୍ଯ୍ୟ ବିଶେଷ ଭାବରେ ବର୍ଣ୍ଣିତ ହୋଇଅଛି । କବି ଏଥିରେ ନୃପରାଜ ସିଂହଙ୍କ ପ୍ରଶଂସାରେ ଶତମୁଖ ହୋଇ ପଡ଼ିଛନ୍ତି ।

 

‘ପୁରାଣ କବି ଫକୀର ମୋହନ’ରେ କବି ଗଙ୍ଗାଧର ଫକୀର ମୋହନଙ୍କ ମୃତ୍ୟୁ ପରେ ତାଙ୍କୁ କେନ୍ଦ୍ରକରି ଏକ ରୂପକ ଲେଖିଛନ୍ତି । ଏହି ରୂପକଟି ଆଶା ଏବଂ ନୈରାଶ୍ୟ ମଧ୍ୟରେ କଥୋପକଥନ ଛଳରେ ବର୍ଣ୍ଣିତ । ଫକୀର ମୋହନଙ୍କର ଯଶୋଗାନ ଏହି ରଚନାର ଉଦ୍ଦେଶ୍ୟ ।

 

ଲରମ୍ଭା ନିବାସୀ ସ୍ୱର୍ଗୀୟ କାଶୀନାଥ ପଣ୍ଡାଙ୍କର ଗୁଣାବଳୀ ବର୍ଣ୍ଣନା କରିବା ଉଦ୍ଦେଶ୍ୟରେ ଗଙ୍ଗାଧର ‘ସ୍ୱର୍ଗୀୟ କାଶୀନାଥ ପଣ୍ଡା’ ନାମକ ଏକ ଜୀବନ ରଚିତ ଲେଖିଛନ୍ତି । ଏଥିରେ ସ୍ୱର୍ଗୀୟ ପଣ୍ଡାଙ୍କର ଗୁଣ ଓ କର୍ମରେ ଉଚ୍ଛ୍ୱସିତ ପ୍ରଶଂସା ସ୍ଥାନ ପାଇଅଛି ।

 

ବାୟୁପୂର୍ଣ୍ଣ ଶୂନ୍ୟପଥରେ କୌଣସି ପଦାର୍ଥର ବ୍ୟଗ୍ରଗତି ହେଲେ ତହିଁରୁ ଶବ୍ଦ ଜାତ ହୁଏ-। ମାତ୍ର ପୃଥିବୀ ଯେଉଁ ପ୍ରବଳ ବେଗରେ ଅନନ୍ତ ଆକାଶ ମାର୍ଗରେ ପ୍ରଧାବିତ ହେଉଅଛି ତାହାର କଣ ଶବ୍ଦ ନାହିଁ ? ଗଙ୍ଗାଧର ଏହି ପ୍ରଶ୍ନର ଉତ୍ତରରେ ଏକ ଅନୁମାନରେ ଉପନୀତ ହୋଇଅଛନ୍ତି-। ତାଙ୍କ ମତରେ ନିସ୍ତବ୍‌ଧ ରଜନୀରେ ସବୁ ସ୍ଥାନରେ ଯେଉଁ ସାଇଁ ସାଇଁ ଶବ୍ଦ ଶୁଣାଯାଏ ତାହା କଣ ପୃଥିବୀର ଶବ୍ଦ ନୁହେଁ ? ଏ ବିଷୟରେ ଜଣେ ବନ୍ଧୁଙ୍କୁ ସେ ପ୍ରଶ୍ନ କରିଥିଲେ । ବନ୍ଧୁଜଣକ ଏହାକୁ ମୀମାଂସା ନକରି ଅନୁମାନ ବୋଲି ମତ ପ୍ରଦାନ କଲେ । ତେଣୁ କବି ଜନସାଧାରଣଙ୍କୁ ପ୍ରଶ୍ନ କରିଛନ୍ତି, ‘‘ଏହା କି ପୃଥିବୀର ଶବ୍ଦ’’ ? ଏହି ବିଷୟକୁ ନେଇ କବି ରଚନା କରିଛନ୍ତି ‘ଏହା କି ପୃଥିବୀର ଶବ୍ଦ’ ।

 

ଶିକ୍ଷିତ, ଅଶିକ୍ଷିତ ଓ ଶିକ୍ଷାଭିମାନୀ ନାମକ ଏକ ପ୍ରବନ୍ଧରେ ଗଙ୍ଗାଧର ଶିକ୍ଷିତମାନଙ୍କର ପ୍ରଶଂସା, ଅଶିକ୍ଷିତମାନଙ୍କର ଦୋଷ ଓ ଶିକ୍ଷାଭିମାନୀମାନଙ୍କର ନିନ୍ଦାଗାନ କରିଅଛନ୍ତି । ଗଙ୍ଗାଧର ମେହେରଙ୍କ ସମୟରେ ଆମ ସମାଜରେ ଶିକ୍ଷିତ ଓ ଅଶିକ୍ଷିତ ମଧ୍ୟରେ ଯେଉଁ ପ୍ରକାର ଭେଦଭାବ ଦେଖାଦେଇଥିଲା ସେହି ବିଷୟକୁ ଲକ୍ଷ୍ୟ କରି ଲେଖକ ଏପରି ଗୋଟିଏ ପ୍ରବନ୍ଧ ରଚନା କରିଅଛନ୍ତି-

 

କବି ଗଙ୍ଗାଧର ମେହେରଙ୍କ ସାହିତ୍ୟ ସାଧନାର ଆଦର୍ଶ ଯେ କୌଣସି ସାହିତ୍ୟ ପ୍ରେମୀ ବ୍ୟକ୍ତିଙ୍କର ବିସ୍ତୃତ ହେବାର ନୁହେଁ । ଦାରିଦ୍ର୍ୟ–ଲାଞ୍ଛିତ କବି ନିଜ ଜୀବନରେ ବହୁ ପ୍ରତିବନ୍ଧକ ଅତିକ୍ରମ କରି ଉତ୍କଳ ଭାରତୀଙ୍କ ପୂଜାରେ ଯେପରି ଭାବରେ ନିଜକୁ ନିୟୋଜିତ କରିଥିଲେ ତାହା ତାଙ୍କର ସାହିତ୍ୟ–ସାଧନାର ସର୍ବଶ୍ରେଷ୍ଠ ପରିଚୟ । ଭାରତୀୟ ସଂସ୍କୃତିର ଧାରାରେ ଉଦ୍‌ବୁଦ୍ଧ ହୋଇ, ଭାରତୀୟ ପୁରାଣର ପରମ୍ପରାରେ ନିଜର କବିପ୍ରତିଭାକୁ ନିମଜ୍ଜିତ କରି କବି ନିଜର ଗୌରବ ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ ଏଦେଶରେ ମହାନ ସଂସ୍କୃତି ସୃଷ୍ଟିର ମୂଳରେ ଥିଲା ଆଦର୍ଶର ପ୍ରତିଷ୍ଠା । ଦେଶବାସୀଙ୍କର ଜୀବନକୁ ସେହି ଆଦର୍ଶ ପଥରେ ପରିଚାଳିତ କରିବା ନିମନ୍ତେ ସେ ତାଙ୍କର କାବ୍ୟ-କବିତା ମାଧ୍ୟମରେ ଆହ୍ୱାନ କରିଅଛନ୍ତି ।

☆☆☆

 

ପ୍ରଣୟ ବଲ୍ଲରୀର ସୃଷ୍ଟି ପରିକଳ୍ପନା

 

ଶକୁନ୍ତଳା ଓ ଦୁଷ୍ମନ୍ତଙ୍କର ପ୍ରଣୟ ଉପାଖ୍ୟାନ ବ୍ୟାସଦେବଙ୍କ ମହାଭାରତରେ ବର୍ଣ୍ଣିତ । ଅପ୍‌ସରା ମେନକାଙ୍କ ଗର୍ଭରୁ ବିଶ୍ୱାମିତ୍ରଙ୍କ ଔରସରେ ଶକୁନ୍ତଳା ଆବିର୍ଭୂତା । ବ୍ୟାସଦେବଙ୍କ ଲେଖନୀ ଶକୁନ୍ତଳାଙ୍କୁ ଯେପରି ଭାବରେ ଉପସ୍ଥାପିତ କରିଥିଲା, ପରବର୍ତ୍ତୀ କାଳରେ ତାହା ମହାକବି କାଳିଦାସଙ୍କ ଲେଖନୀରେ ଶତଗୁଣ ବର୍ଦ୍ଧିତ ଶୋଭାରେ ରସିକ ପାଠକମାନଙ୍କ ଚିତ୍ତ ପ୍ରସାଦର କାରଣ ହେଲା । ମହାକବି କାଳିଦାସ ଏହି ଉପାଖ୍ୟାନକୁ ଗ୍ରହଣ କରି ତାହାକୁ ନାଟ୍ୟରୂପ ଦେଲେ ଓ ତାର ନାମକରଣ ହେଲା ଅଭିଜ୍ଞାନ ଶାକୁନ୍ତଳମ୍’’ । ମହାକବି କାଳିଦାସଙ୍କ ଅମର ଲେଖନୀର ଯାଦୁକରୀ ଶକ୍ତି ଦୁଷ୍ମନ୍ତ ଓ ଶକୁନ୍ତଳାଙ୍କର ପ୍ରଣୟ ଉପାଖ୍ୟାନକୁ ଅମରତ୍ୱ ପ୍ରଦାନ କରିଅଛି । ଶକୁନ୍ତଳା ତାଙ୍କର ଲେଖନୀ ବଳରେ ବିଶ୍ୱବନ୍ଦିତା ନାୟିକାର ଆସନରେ ଅଧିଷ୍ଠିତା । ବିଶ୍ୱସାହିତ୍ୟରେ ଶକୁନ୍ତଳା ସର୍ବଥା ସ୍ୱୀକୃତି ଲାଭ କରିବା ସଙ୍ଗେ ସଙ୍ଗେ ମହାକବି କାଳିଦାସଙ୍କ କୃତିତ୍ୱର ଅପୂର୍ବ ପରିଚୟ ଦେବାକୁ ସମର୍ଥ । ଶକୁନ୍ତଳାଙ୍କର ଅମର ପ୍ରେମ ସର୍ବକାଳୀନ ଓ ସାର୍ବଜନୀନ । ମହାକବି କାଳିଦାସ ଶକୁନ୍ତଳାଙ୍କୁ ଯେପରି ଭାବରେ ତାଙ୍କର ନାଟକରେ ଉପସ୍ଥାପିତ କରିଛନ୍ତି, ତାହା ବିଶ୍ୱସାହିତ୍ୟର ବହୁ ସାହିତ୍ୟାନୁରାଗୀ ଆଲୋଚକ ତଥା ରସପିପାସୁ ପାଠକଙ୍କୁ କିପରି ମୁଗ୍‌ଧ କରିଅଛି ତାହାର ଉଦାହରଣ ଗେଟେଙ୍କ ଉକ୍ତିରୁ ମିଳିଥାଏ । ଗେଟେଙ୍କର ଏହି ଉକ୍ତିକୁ କବି ଗଙ୍ଗାଧର ପ୍ରଣୟବଲ୍ଲରୀର ଭୂମିକାରେ ଉଦ୍ଧାର କରିଛନ୍ତି ।

 

‘‘Wouldst thou the young year's blossoms

and the fruits of its decline,

And all by which the soul is charmed,

enraptured feasted, fed ?

Wouldst thou the earth and heaven

itself in one sole name combine ?

I name thee, O'Sakuntala !

and all at once is said.’’

 

ମହାକବିଙ୍କର ଶକୁନ୍ତଳା ପୃଥିବୀର ବିଭିନ୍ନ ଦେଶରେ ଉତ୍ତମ ଭାବରେ ପରିଚିତା । କାଳିଦାସଙ୍କର ଅମରକୃତି ଅଭିଜ୍ଞାନ ଶାକୁନ୍ତଳଂ ପୃଥିବୀର ବିଭିନ୍ନ ଭାଷାରେ ଅନୂଦିତ ହୋଇ ପାଠକମାନଙ୍କ ନିକଟରେ ଆଦୃତ ହୋଇଅଛି । ଅଧୁନାତନ କାଳରେ, ସଭ୍ୟତା ଓ ସଂସ୍କୃତିର ଭୂୟୋବିକାଶରେ ମଧ୍ୟ କାବ୍ୟନାୟିକା ଶକୁନ୍ତଳା ଅମଳିନ ଦୀପ୍ତିରେ ଶୋଭିତା । ଆଧୁନିକ ଯୁଗରେ ନାଟକର କ୍ରମୋନ୍ନତ ଅବସ୍ଥାରେ ମଧ୍ୟ ମହାକବିଙ୍କର ସେହି ନାଟକର ମୂଲ୍ୟ ହ୍ରାସଲାଭ କରିବା ପରିବର୍ତ୍ତେ ବୃଦ୍ଧିଲାଭ କରିଅଛି । ଏହି ଦୁଇବର୍ଷ ତଳେ କାଳିଦାସଙ୍କର ଅଭିଜ୍ଞାନ ଶାକୁନ୍ତଳଂ ନାଟକ ସୋଭିଏତ୍ ରୁଷ୍‌ରେ ମଞ୍ଚସ୍ଥ ହୋଇ ଦର୍ଶକମାନଙ୍କ ମନରେ ପ୍ରୀତି ସଞ୍ଚାର କରିଥିଲା । ମହାକବି କାଳିଦାସ ଅଭିଜ୍ଞାନ ଶାକୁନ୍ତଳଂ ରଚନା କରିବା ସମୟରେ ମହାଭାରତକୁ ଛାଡ଼ି ପଦ୍ମ–ପୁରାଣର ଉପାଖ୍ୟାନ ଉପରେ ଆଶ୍ରୟ କରିଥିବା କଥା ଆଲୋଚକମାନେ ପ୍ରକାଶ କରିଅଛନ୍ତି । ମହାକବି ଯେଉଁ ସୂତ୍ରରୁ କଥାବସ୍ତୁ ଆହରଣ କରନ୍ତୁ ନା କାହିଁକି ତାଙ୍କର ମୌଳିକତା ବା ସ୍ୱାତନ୍ତ୍ର୍ୟକୁ ଅସ୍ୱୀକାର କରିବା କେବେହେଲେ ସମ୍ଭବ ନୁହେଁ ।

 

ମହାକବି କାଳିଦାସଙ୍କର ଗ୍ରନ୍ଥକୁ କବି ଗଙ୍ଗାଧର ମେହେର ସର୍ବାନ୍ତକରଣରେ ଗ୍ରହଣ କରିନେଇଛନ୍ତି । ଆବଶ୍ୟକ ସ୍ଥଳରେ ସେ ନିଜର ସ୍ୱାତନ୍ତ୍ର୍ୟ ପ୍ରଦର୍ଶନ କରିଅଛନ୍ତି । ଏ ବିଷୟରେ କବି ମତପ୍ରଦାନ କରି ଲେଖିଛନ୍ତି, ‘‘କେହି କେହି କହନ୍ତି ଯେ, ନାଟକରେ ନାୟକ ନାୟିକାଙ୍କର ହୃଦୟର ପ୍ରଶସ୍ତ ଚିନ୍ତାସବୁ ବିସ୍ତୃତ ରୂପେ ପରିସ୍ଫୁଟ ହୋଇପାରେ ନାହିଁ, ଏହି କଥାମାନ ଚିନ୍ତିତ ହୋଇ ଏହା ଉତ୍କଳ ଭାଷାରେ କାବ୍ୟରୂପେ ସ୍ଥାନେ ସ୍ଥାନେ ଲେଖକର ସ୍ୱତନ୍ତ୍ରତା ପ୍ରଯୁକ୍ତ ହୋଇଅଛି-।’’ କାବ୍ୟରେ ପ୍ରଣୟ ମୁଖ୍ୟସ୍ଥାନ ଅଧିକାର କରିଥିବାରୁ କାବ୍ୟର ନାମକରଣ ପ୍ରଣୟବଲ୍ଲରୀ ହୋଇଅଛି ।

 

କବି ପ୍ରଥମରେ ‘‘ପ୍ରଣୟାଙ୍କୁର’’ ନାମରେ ଏକ କବିତା ରଚନା କରିଥିଲେ ଓ ତାହାକୁ କଲ୍ଲୋଳରେ ସ୍ଥାନ ଦେଇଥିଲେ । ପ୍ରଣୟାଙ୍କୁରର ପରବର୍ତ୍ତୀ ପରିଣତି ପ୍ରଣୟବଲ୍ଲରୀ । ୧୯୧୧ ସାଲରେ ପ୍ରଣୟାଙ୍କୁର ରଚିତ ହୋଇଥିଲା ଓ କେତେକ ବନ୍ଧୁଙ୍କ ପରାମର୍ଶ କ୍ରମେ ତପସ୍ୱିନୀ କାବ୍ୟ ରଚନା ପରେ ୧୯୧୪ ସାଲରେ ଅନ୍ୟ ସର୍ଗଗୁଡ଼ିକ ରଚିତ ହୋଇ ଏଥି ସହିତ ସଂଯୋଜିତ ହେଲା-। ପ୍ରଣୟବଲ୍ଲରୀର ପ୍ରଥମ ସର୍ଗ ୧୯୧୧ ସାଲରେ ରଚିତ ହେଲେହେଁ ଏହାର କାବ୍ୟରୂପ ୧୯୧୪ ସାଲରେ ପୂର୍ଣ୍ଣତା ଲାଭ କରିଅଛି । ଏ ବିଷୟରେ କବି ଲେଖିଛନ୍ତି, ‘‘ମତ୍‌ପ୍ରଣୀତ ‘କବିତା କଲ୍ଲୋଳ’ରେ ପ୍ରଣୟାଙ୍କୁର ପାଠ କରି ମାନନୀୟ ଶ୍ରୀମାନ୍ ରାମନାରାୟଣ ମିଶ୍ର ଏମ୍ ଏ, ବି. ଏଲ୍ ପ୍ରମୁଖ ଅନେକ ସାହିତ୍ୟ ପ୍ରେମିକ ମହାତ୍ମା ପ୍ରଣୟାଙ୍କୁରକୁ ପରିବର୍ଦ୍ଧିତ ପ୍ରଣୟବଲ୍ଲରୀ ରୂପେ ଦେଖିବାକୁ ସ୍ନେହକାଙ୍‌କ୍ଷା ପ୍ରକାଶ କରିଥିଲେ ଏବଂ ମୋର ପରମ ହିତୈଷୀ ସୁହୃତ୍ ଶ୍ରୀମାନ୍‌ ବ୍ରଜମୋହନ ପଣ୍ଡା ମହୋଦୟ ଅନବରତ ପୃଷ୍ଠପୋଷକତା ସମ୍ବଳିତ ଉତ୍ତେଜନା ପ୍ରଦାନ କରିଅଛନ୍ତି ।’’ କବିଙ୍କ ଉକ୍ତି ଅନୁସାରେ ଉତ୍କଳର କେତେକ ସାହିତ୍ୟପ୍ରେମୀଙ୍କ ଅନୁରୋଧର ଫଳ ହେଉଛି ପ୍ରଣୟାଙ୍କୁରର ବର୍ଦ୍ଧିତରୂପ ପ୍ରଣୟବଲ୍ଲରୀ ।

☆☆☆

 

Unknown

ପ୍ରଣୟବଲ୍ଲରୀର କଥାବସ୍ତୁ

 

ମେହେର ମାନସର ଏକ ବିଚିତ୍ର ବିଳାସ ଥିଲା ପୌରାଣିକ ଆଖ୍ୟାୟିକାର ଆଦର୍ଶୋଚିତ କଥାବସ୍ତୁର ଭିତ୍ତିରେ କାବ୍ୟ ପ୍ରଣୟନ । ତାଙ୍କର ପ୍ରତ୍ୟେକ କାବ୍ୟରେ ଏହି ଭାବ ଅନୁସୃତ । କଥାବସ୍ତୁର ବଳିଷ୍ଠ, ଉନ୍ନତ, ସଂଯତ ବିନ୍ୟାସ କାବ୍ୟର ସୌଷ୍ଠବବର୍ଦ୍ଧକ । ସୁନ୍ଦର ବିଷୟବସ୍ତୁଟିଏ ଗ୍ରହଣ କରି କବି ତାର କଳ୍ପନାବିଳାସ ଓ କବିତ୍ୱଚାତୁରୀରେ ନିଜର ଶିଳ୍ପ ସୌନ୍ଦର୍ଯ୍ୟକୁ ଗଢ଼ିତୋଳେ । ଦୁର୍ବଳ କଥାବସ୍ତୁ କବିର ସକଳ ସୌନ୍ଦର୍ଯ୍ୟ ନିଷ୍ପ୍ରଭ କରିଦିଏ । ଗଙ୍ଗାଧର କାବ୍ୟ କଳାର ସାର୍ଥକ ରୂପାୟନ ବିଷୟବସ୍ତୁର ଚାରୁ ବିନ୍ୟାସରେ ନିହିତ । ଶକୁନ୍ତଳା ଓ ଦୁଷ୍ମନ୍ତଙ୍କ ପ୍ରଣୟ ବିଳାସର ନାଟକୀୟ ସୌନ୍ଦର୍ଯ୍ୟରେ ରସାଣିତ ବିଷୟବସ୍ତୁହିଁ ପ୍ରଣୟବଲ୍ଲରୀ କାବ୍ୟର ଆଖ୍ୟାୟିକା । ଗଙ୍ଗାଧର ସାତଟି ସର୍ଗରେ ଏହି କାବ୍ୟର କଥାବସ୍ତୁକୁ ଛନ୍ଦୋବଦ୍ଧ କରିଛନ୍ତି-

 

ପ୍ରଥମ ସର୍ଗ—

 

ବାଣୀ–ନନ୍ଦନ ଗଙ୍ଗାଧର ସଂସ୍କୃତ ଅଳଙ୍କାର ଶାସ୍ତ୍ର ଅନୁସରଣରେ କାବ୍ୟର ପ୍ରାରମ୍ଭରେ ମଙ୍ଗଳାଚରଣ କରିଛନ୍ତି । ଏହି ବନ୍ଦନାରେ ତାଙ୍କର ବୈଶିଷ୍ଟ୍ୟ ସ୍ୱତଃସ୍ୱୀକୃତ । ଭାରତୀଙ୍କର ପ୍ରିୟ ନନ୍ଦନ ମହାଭାରତର ରୂପକାର କବିଗୁରୁ ବ୍ୟାସଦେବ ଓ ବିଶ୍ୱବନ୍ଦନୀୟ କବି କାଳିଦାସଙ୍କ ପାଦପଦ୍ମରେ ଧ୍ୟାନ ରଖି ଦେବୀ ସରସ୍ୱତୀଙ୍କ ଚରଣ ବନ୍ଦନାରେ କାବ୍ୟର ଶୁଭାରମ୍ଭ ଘଟିଅଛି । କବି–କୂଳ–ତିଳକ ବେଦବ୍ୟାସ ଓ କାଳିଦାସ ଭାବ–ଅରଣ୍ୟରେ ଯେଉଁ ପଥର ପଥିକ ହୋଇ ଭାବ–ସୁମନ ତୋଳିଛନ୍ତି କବି ସେହି ମାର୍ଗରେ ପଥୁକୀ ହୋଇ ଭାରତୀଙ୍କ କାନନରୁ ଚିନ୍ତା କଳିକା ତୋଳିବା ପାଇଁ ମନସ୍ଥ କରିଛନ୍ତି । ଉତ୍କଳଜନନୀଙ୍କ ବହୁ ପୁଷ୍ପିତ କଣ୍ଠଦେଶକୁ ନିଜ ଭାବନା–କୁସୁମ–ମାଳରେ ଭୂଷିତ କରିବାକୁ ଓ ତାଙ୍କର ପଦତଳେ ଭାବଅର୍ଘ୍ୟ ନିବେଦନ କରିବାକୁ କବି କୃତନିଶ୍ଚୟ ।

 

ଈଶ ବନ୍ଦନା ପରେ ଅତୀବ ଚମତ୍କାର ରୀତିରେ ବିଷୟବସ୍ତୁର ଅବତାରଣା କବି କରିଛନ୍ତି । ସୁବିଖ୍ୟାତ ପୁରୁବଂଶର ପ୍ରଥିତଯଶା ନରପତି ଦୁଷ୍ମନ୍ତ ମୃଗୟା ଉଦ୍ଦେଶ୍ୟରେ ରଥାରୋହଣ କରି ଇତସ୍ତତଃ ଭ୍ରମଣ କରୁଛନ୍ତି । ମାର୍ଗ ମଧ୍ୟରେ ବିହାର କରୁ କରୁ ଅକସ୍ମାତ ଏକ ମୃଗ ଧନୁର୍ଦ୍ଧାରୀ ରାଜାଙ୍କ ସମ୍ମୁଖବର୍ତ୍ତୀ ହେଲା । କିନ୍ତୁ ପର ମୁହୂର୍ତ୍ତରେ ଶିକାରୀବେଶୀ ରାଜାଙ୍କୁ ଦେଖି ଜୀବନଭୀରୁ ମୃଗ ଦ୍ରୁତ ପଳାୟନ କଲା । ମୃଗର ପଶ୍ଚାତ୍‌ଦ୍ଧାବନ କରିବାକୁ ରାଜା ସାରଥିକୁ ନିର୍ଦ୍ଦେଶ ଦେଲେ । ପଥ ଅସମତଳ ଥିବାରୁ ସାରଥି ଦ୍ରୁତ ଗତିରେ ରଥ ଚାଳନା କରିପାରୁନଥାଏ । ପ୍ରାଣଭୟରେ ହରିଣଟି ଏତେ କ୍ଷିପ୍ର ବେଗରେ ଧାଉଁଥାଏ ଯେ, ଶୂନ୍ୟ ମାର୍ଗରେ ଅଧିକ ଯାଇ ତାର ପାଦ ବନଭୂମିକୁ ବେଳେ ବେଳେ ଛୁଇଁ ଯାଉଥାଏ । ଶତ୍ରୁର ଦୂରତ୍ୱ କଳିବାକୁ ଥରେ ଥରେ କମନୀୟ ଭଙ୍ଗୀରେ ବେକ ଭାଙ୍ଗି ପଛକୁ ଚାହିଁ ପୁଣି ଆତ୍ମରକ୍ଷା ଲାଗି ବିକଳ ହୋଇ ଧାଉଁଥାଏ । କ୍ଳାନ୍ତିରେ ତାର ମୁଖ ବିକୃତ ହେବାରୁ ଅର୍ଦ୍ଧ–ଭକ୍ଷିତ ତୃଣଗୁଡ଼ିକ ଏଣେ ତେଣେ ପଡ଼ି ଯାଉଥାଏ । ସମତଳ ଭୂମି ହେବାରୁ ସାରଥି ଅଶ୍ୱର ବଲ୍‌ଗା ହୁଗୁଳା କରି ଦେବାରୁ ସେମାନେ ଦ୍ରୁତ ଗତିରେ ଧାବିତ ହେଲେ । ମୃଗ ଓ ରଥର ବ୍ୟବଧାନ ହ୍ରାସ ହେଲା । ରାଜାଙ୍କ ଦୃଷ୍ଟି ସମକ୍ଷରେ ଦୂରବର୍ତ୍ତୀ କ୍ଷୁଦ୍ର ଓ ଅସ୍ପଷ୍ଟ ପଦାର୍ଥ ଧୀରେ ଧୀରେ ବୃହତ୍ ଓ ସ୍ପଷ୍ଠ ହୋଇଉଠିଲା । ରାଜା କୃଷ୍ଣସାରର ନିକଟବର୍ତ୍ତୀ ହୁଅନ୍ତେ ତାର ନିଧନ ପାଇଁ ଧନୁରେ ଶର ସଂଯୋଜନ କଲେ । କିନ୍ତୁ ଶର ସନ୍ଧାନର ଠିକ୍ ପୂର୍ବ ମୁହୂର୍ତ୍ତରେ ‘ମାରନା, ମାରନା, ଆଶ୍ରମ ମୃଗ ଏ’ ଶବ୍ଦରେ ଚକିତ ହୋଇ ରାଜା ଦୃଷ୍ଟିପାତ କରନ୍ତେ ଦୁଇଜଣ ତପସ୍ୱୀଙ୍କୁ ଦେଖି ବିସ୍ମୟରେ ସ୍ତବ୍‌ଧ ହେଲେ । ତାପସକୁମାରଙ୍କ ପ୍ରତି ଶ୍ରଦ୍ଧା ପ୍ରକାଶ କରି ଦୁଷ୍ମନ୍ତ ରଥର ଗତି ରୁଦ୍ଧ କରିବାକୁ ସାରଥିକୁ ନିର୍ଦ୍ଦେଶ ଦେଲେ । ଅତ୍ୟନ୍ତ ହୃଷ୍ଟ ଚିତ୍ତରେ ତପସ୍ୱୀଦ୍ୱୟ ରାଜାଙ୍କ ସମୀପକୁ ଆସି ତାଙ୍କୁ ଆଶୀର୍ବାଦ କରି କହିଲେ ଯେ, ମୃଗଟି ଆଶ୍ରମ ପାଳିତ, ତେଣୁ ଅବାଧ୍ୟ । ତୁଳା ଗଦାରେ ଅଗ୍ନି ସଂଯୋଗ କଲେ ଯେପରି ମୁହୂର୍ତ୍ତକରେ ତାହା ଭସ୍ମୀଭୂତ ହୋଇଥାଏ, ମୃଗର କୋମଳ ଶରୀରରେ ଶର ନିକ୍ଷେପ କଲେ ସେ ତତ୍‌କ୍ଷଣାତ୍ ପ୍ରାଣତ୍ୟାଗ କରିବ । ରାଜାଙ୍କର ବଜ୍ର ପରି କଠିନ ପ୍ରଚଣ୍ଡ ବାଣ କେଉଁଠି, ଆଉ ଦୁର୍ବଳପ୍ରାଣ ମୃଗ କେଉଁଠି । ବିଶେଷରେ ରାଜାଙ୍କ ଶର ଦୁର୍ଗତ ଓ ଅସହାୟକୁ ରକ୍ଷା କରିବା ପାଇଁ ଉଦ୍ଦିଷ୍ଟ, ନିରୀହ ନିଧନ ପାଇଁ ନୁହେଁ । ମହତ୍‌ପ୍ରାଣ ରାଜା ଶର ପ୍ରତିନିବୃତ୍ତ କରି ମୁନି କୁମାରଙ୍କୁ ବିନୀତ ଭାବରେ ପ୍ରଣାମ କଲେ । ଗୁଣଗ୍ରାହୀ ତାପସକୁମାର ରାଜାଙ୍କୁ ସାଧୁବାଦ ଦେଇ ତାଙ୍କର କୁଳୋଚିତ କର୍ମକୁ ଭୂରି ଭୂରି ପ୍ରଶଂସା କରି ନିଖିଳ ଚରାଚରର ଚକ୍ରବର୍ତ୍ତୀ ହେବା ପରି ଲକ୍ଷଣଯୁକ୍ତ ବୀର ପୁତ୍ର ଲାଭ ନିମନ୍ତେ ଆଶୀର୍ବାଦ କଲେ । ଦୁଷ୍ମନ୍ତଙ୍କ ପରି ପ୍ରଜାବତ୍ସଳ ମହାନ୍ ହୃଦୟ ରାଜାଙ୍କର ଆଗମନରେ ଅତ୍ୟନ୍ତ ସୁଖୀ ଋଷିକୁମାର ଦ୍ୱୟ ତାଙ୍କୁ ଆଶ୍ରମର ଅତିଥି ରୂପେ ବରଣ କରି ଆଶ୍ରମ ଅଭିମୁଖେ ଯାତ୍ରା କଲେ । ରାଜାଙ୍କୁ ମାଳିନୀ ନଦୀର କୂଳରେ ଅବସ୍ଥିତ କଣ୍ୱମୁନିଙ୍କ ଆଶ୍ରମ ଚିହ୍ନାଇ ଦେଇ କଣ୍ୱମୁନି ତୀର୍ଥ ପର୍ଯ୍ୟଟନ ପାଇଁ ଯାଇଥିବା ଓ ତାଙ୍କର କନ୍ୟା ଆଶ୍ରମରେ ଅବସ୍ଥାନ କରୁଥିବା ସଂବାଦ ଜଣାଇଲେ । ସୁଶାସକ ଦୁଷ୍ମନ୍ତଙ୍କ ଉତ୍ତମ ଶାସନ ଫଳରେ ମୁନି ଋଷିମାନେ ଅନ୍ୟମାନଙ୍କଦ୍ୱାରା ଉପଦ୍ରୁତ ନ ହୋଇ ଅତି ନିର୍ବିଘ୍ନରେ ଶାନ୍ତିରେ ଧର୍ମ କର୍ମରେ ନିରତ ରହିଛନ୍ତି । ମହର୍ଷି କଣ୍ୱ ରାଜାଙ୍କ ଶାସନ ପଦ୍ଧତିକୁ ପ୍ରଶଂସା କରି ଭଗବାନଙ୍କ ନିକଟରେ ତାଙ୍କର ଉତ୍ତରୋତ୍ତର ମଙ୍ଗଳ ମନାସି ଥାଆନ୍ତି । ରାଜାଙ୍କ ଆଗମନ ଓ ଦର୍ଶନରେ କଣ୍ୱ ନିଶ୍ଚୟ ସୁଖ ଅନୁଭବ କରିଥାଆନ୍ତେ । ଉପଯୁକ୍ତ ଭାବରେ ଅତିଥି-ସତ୍କାର ନ କଲେ କଣ୍ୱମୁନି ପ୍ରତ୍ୟାବର୍ତ୍ତନ କରି ନିଶ୍ଚୟ କୁପିତ ହେବେ ।

 

ମହାପ୍ରାଣ ଦୁଷ୍ମନ୍ତ ମୁନିମାନଙ୍କ ସାଗ୍ରହ ନିମନ୍ତ୍ରଣ ସ୍ୱୀକାର କରି ସଶ୍ରଦ୍ଧ ଚିତ୍ତରେ ଆଶ୍ରମ ଅଭିମୁଖେ ଅଗ୍ରସର ହେଲେ । ତପୋବନରେ ପାଦ ଦେଇ ରାଜା ବିସ୍ମୟ ପୁଲକିତ ଚିତ୍ତରେ ଦେଖିଲେ ଯେ, ବନର ଶୋଭାବର୍ଦ୍ଧକ ଶ୍ୟାମ ବର୍ଣ୍ଣ ବିଶିଷ୍ଟ ଶୁକ ପକ୍ଷୀର ମୁଖରୁ ଶସ୍ୟ ସ୍ଖଳିତ ହୋଇ ଇତସ୍ତତଃ ବିକ୍ଷିପ୍ତ । ରକ୍ତିମ ଚଞ୍ଚୁ ବିଶିଷ୍ଟ ଚିତ୍ରକଣ୍ଠ ପକ୍ଷୀ ରାଜାଙ୍କ ମନତୁ ଆଲୋଡ଼ିତ କଲେ । କେଉଁଠି ବା ଇଙ୍ଗୁଦୀ ତେଲ ଘଷା ହୋଇଥିବା ଚିକ୍‌କଣ ପଥର ଖଣ୍ଡ, କେଉଁଠି ହରିଣ ନିର୍ଭୟରେ ମୁନିକୁମାରଙ୍କ ହସ୍ତରୁ କୁଶାଙ୍କୁର ଭକ୍ଷଣରେ ବ୍ୟସ୍ତ, ହୋମ ଧୂଆଁରେ ମ୍ଳାନ ବୃକ୍ଷର ପତ୍ରଗୁଡ଼ିକ ରାଜାଙ୍କ ଦୃଷ୍ଟି ପଥାରୁଢ଼ ହେଲେ । ରାଜା ଦୁଷ୍ମନ୍ତ ଶିକାରୀ ବେଶ ତ୍ୟାଗ କରି ରଥରୁ ଅବତରଣ କରି ବିନମ୍ର ଚିତ୍ତରେ ଆଶ୍ରମରେ ପ୍ରବେଶ କଲେ ।

 

ଆଶ୍ରମର ଶାନ୍ତି ସୌନ୍ଦର୍ଯ୍ୟରେ ରାଜା ବିମୁଗ୍‌ଧ ହେଲେ । ସମଗ୍ର ବିଶ୍ୱ ଯାହାଙ୍କ ସୌନ୍ଦର୍ଯ୍ୟରେ ଆତ୍ମହରା, ସେହି ରୂପବାନ୍‌ ଯଶୋବାନ ରାଜା ଆଶ୍ରମ–ସୌନ୍ଦର୍ଯ୍ୟରେ ଆତ୍ମବିସ୍ମୃତ । ବୃକ୍ଷ ଛାୟାର ସସ୍ନେହ ସ୍ପର୍ଶ ଲାଭ କରି ରାଜା ରାଜଛତ୍ରର ଛାୟାକୁ ତୁଚ୍ଛ ଜ୍ଞାନ କରିଛନ୍ତି । ରଘୁବଂଶର ରାଜାଗଣ ଜୀବନର ସାୟାହ୍ନରେ ପୁତ୍ର ହସ୍ତରେ ରାଜ୍ୟଭାର ସମର୍ପଣ କରି ଶାନ୍ତି ଲାଭ କରିବା ପାଇଁ ବାନପ୍ରସ୍ଥ ଅବଲମ୍ୱନ କରୁଥିଲେ । ଏଇମିତି ରାଜା ଭାବବିଭୋର ହୋଇ ଆଶ୍ରମର ଶାନ୍ତ ସୌନ୍ଦର୍ଯ୍ୟ ଉପଭୋଗ କରୁଥିବା ଅବକାଶରେ ଅପୂର୍ବ ସୁନ୍ଦର ନାରୀକଣ୍ଠ ତାଙ୍କର ଶ୍ରୁତିଗୋଚର ହେଲା । ବୃକ୍ଷ ଅନ୍ତରାଳରେ ରହି ଦେଖିଲେ, କକ୍ଷ–କଳସ ଶୋଭିତ ତିନୋଟି ଆଶ୍ଚର୍ଯ୍ୟ ସୁନ୍ଦରୀ ନାରୀ ମୂର୍ତ୍ତି । ସେମାନେ ସୌନ୍ଦର୍ଯ୍ୟରେ ଦେବକନ୍ୟାଙ୍କୁ ପରାସ୍ତ କରିବେ—ମନେହେଲା ସତେ ଯେପରି ସେମାନେ ମୂର୍ତ୍ତିମତୀ ଆନନ୍ଦ । ସେମାନଙ୍କର କଥା କୌତୁକରୁ ଦୁଷ୍ମନ୍ତ ଜାଣିପାରିଲେ ଯେ, ଜଣେ କଣ୍ୱ ଦୁହିତା ଶକୁନ୍ତଳା, ଅନ୍ୟ ଦୁଇଜଣ ତାଙ୍କର ସଖୀ ଅନସୂୟା ଓ ପ୍ରିୟମ୍ବଦା । ଦର୍ଶନ ମାତ୍ରେ ରାଜା ତାଙ୍କ ଅନ୍ତଃପୁରର ଶତ ଶତ ନାରୀଙ୍କର ରୂପ ଲାବଣ୍ୟ ବିସ୍ମୃତ ହୋଇ ଶକୁନ୍ତଳାଙ୍କ ସୌନ୍ଦର୍ଯ୍ୟରେ ବିହ୍ୱଳିତ ହୋଇଛନ୍ତି । ସେ ଶକୁନ୍ତଳାଙ୍କ ପ୍ରତି ଏପରି ଗଭୀର ଭାବରେ ଆକୃଷ୍ଟ ହୋଇଛନ୍ତି ଯେ, ଶକୁନ୍ତଳାଙ୍କ କକ୍ଷରେ କଳସ ଓ କୋମଳ ଅଙ୍ଗରେ ବଳ୍‌କଳ ପରିଚ୍ଛଦ ଦର୍ଶନରେ ରାଜା ଅତ୍ୟନ୍ତ ମର୍ମାହତ ହୋଇଛନ୍ତି । ରାଜାଙ୍କର ମନେହେଲା ବିଜୁଳିରେ ବଜ୍ରର ପ୍ରକାଶ ଓ ପଦ୍ମନାଡ଼ରେ କଣ୍ଟକ ଯେପରି ଅତ୍ୟନ୍ତ ବିଷଦୃଶ, ଶକୁନ୍ତଳାଙ୍କ କାଖରେ କଳସ ମଧ୍ୟ ସେଇମିତି ଅଶୋଭନୀୟ ।

 

ଶକୁନ୍ତଳାଙ୍କ ଶିରୀଷ ପେଲବ ତନୁରେ ବଳ୍‌କଳ, ରାଜଲକ୍ଷ୍ମୀଙ୍କ ସୁନ୍ଦର ଶରୀର ଯୁଦ୍ଧ-ଚିନ୍ତାରେ ବିବର୍ଣ୍ଣ ହେଲା ପରି ମନେ ହେଉଥିଲା । ଏସବୁ ବିରୁଦ୍ଧ ସାଜସଜ୍ଜା ସତ୍ତ୍ୱେ ଶିବଙ୍କର ଜଟାଜୁଟ ମଧ୍ୟରେ ଚନ୍ଦ୍ରଙ୍କର ତେଜ ଯେପରି ବିଚ୍ଛୁରିତ ହୁଏ, ଶିଉଳିରେ ବେଷ୍ଟିତ ହୋଇ ମଧ୍ୟ ପଦ୍ମର ଶୋଭା ଯେପରି ଝଟକି ଉଠେ, ସେହିପରି ଶକୁନ୍ତଳାଙ୍କ ସୌନ୍ଦର୍ଯ୍ୟ ଓ ଦେହର ଲାବଣ୍ୟ ବିଚ୍ଛୁରିତ ହୋଇ ପଡ଼ୁଥିଲା । ଯେମିତି କଳଙ୍କରେ ଲାଞ୍ଛିତ ହେଲେ ବି ଚନ୍ଦ୍ରର ସୌନ୍ଦର୍ଯ୍ୟ ଆଖିକୁ ସୁନ୍ଦର ଦିଶେ, ସେମିତି ସ୍ୱଭାବସୁନ୍ଦର ଅଙ୍ଗରେ ଯେ କୌଣସି ଦ୍ରବ୍ୟ ବା ଅଳଙ୍କାର ଶୋଭାପାଏ । ପରିଶ୍ରମ ହେତୁ ଶକୁନ୍ତଳାଙ୍କ କାନ୍ତିମାନ ମୁଖମଣ୍ଡଳରେ ବିନ୍ଦୁ ବିନ୍ଦୁ ଘର୍ମ ଫୁଟି ଉଠିଥିଲା । ଦୁଷ୍ମନ୍ତଙ୍କର ପ୍ରତୀତ ହେଲା ସତେ ଅବା ସଦ୍ୟ ପ୍ରସ୍ଫୁଟିତ ପଦ୍ମରେ କାକର ବିନ୍ଦୁ ପଡ଼ିଅଛି । ଦୁଷ୍ମନ୍ତ ଭାବି ପାରିଲେ ନାହିଁ ଯେ, ଶକୁନ୍ତଳାଙ୍କ ପରି କୋମଳାଙ୍ଗୀକୁ ମହର୍ଷି କଣ୍ୱ କଣ ବିଚାର କରି ବୃକ୍ଷରେ ଜଳସେଚନ କରିବାପରି କଠିନ କାର୍ଯ୍ୟରେ ନିଯୁକ୍ତି କରିଛନ୍ତି । ଏହା ପାଟ ଦଉଡ଼ିରେ ଅରଣ୍ୟର ମତ୍ତହସ୍ତୀକୁ ବାନ୍ଧିବା ପରି ମନେ ହେଉଛି । ଅବଶ୍ୟ ତପସ୍ୟାର ଅଲୌକିକ ଶକ୍ତିରେ ଅସମ୍ଭବ ମଧ୍ୟ ସମ୍ଭବରେ ପରିଣତ ହୁଏ । ତା ନହେଲେ ଶମୀ ତରୁ ପରି କଠିନ ବୃକ୍ଷକୁ ମୁନି ନୀଳକଇଁର ପାଖୁଡ଼ାରେ କାଟିବା ପରି ଅସମ୍ଭବ କାର୍ଯ୍ୟ ହେଉଛି ସୁକୁମାରୀ ଶକୁନ୍ତଳାଙ୍କୁ ଜଳଦାନ କାର୍ଯ୍ୟରେ ନିୟୋଜିତ କରିବା । ଏତିକିବେଳେ ଦୁଇ ସଖୀ ଆସି ଛୋଟ ଛୋଟ ଗଛ ମୂଳରେ ପାଣି ଦେଲେ ଓ ଶକୁନ୍ତଳା ଚୂତ ବୃକ୍ଷ ତଳେ ଉପନୀତ ହେଲେ । ତଳେ ମାଠିଆ ରଖି ଦେହ ସିଧା କରି ଛିଡ଼ା ହେବାର ଠାଣି ରାଜାଙ୍କ ହୃଦୟରେ ରାଜପୁରରେ ଥିବା ସୁବର୍ଣ୍ଣ ନିର୍ମିତ ଲତା ପରି ପ୍ରତୀତ ହେଲା । ଶକୁନ୍ତଳାଙ୍କ ହାତ ପଦ୍ମରାଗର ପତ୍ର, ନଖ ହୀରା ଫୁଲର କଢ଼–ଖାଲି ପାର୍ଥକ୍ୟ ଏତିକି ସେହି ସୁବର୍ଣ୍ଣ ଲତା ସ୍ୱର୍ଣ୍ଣକାର ହାତରେ ଗଢ଼ା, ଆଉ ଶକୁନ୍ତଳା ବିଧାତାର ସୃଷ୍ଟି ।

 

ଆଶ୍ଚର୍ଯ୍ୟ ସୁନ୍ଦରୀ ଶକୁନ୍ତଳାଙ୍କୁ ଦେଖି ରାଜାଙ୍କ ହୃଦୟରେ ସଂଶୟ ଉଦ୍‌ବେଳିତ ହୋଇଉଠିଛି ଯେ, ଏଇ ସୌନ୍ଦର୍ଯ୍ୟଲତିକା କୌଣସି ମାନବର ଭାଗ୍ୟ ଉପବନରେ ଶୋଭା ପାଇବ ନା ଚିରକାଳ ତପୋବନର ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିବ । ଶକୁନ୍ତଳା ଲତା ନୁହନ୍ତି, ବିଧାତାର ମନ ରୂପକ ଲତିକାର ସବୁଠାରୁ ଉପରେ ଶୋଭା ପାଉଥିବା ଫୁଲଟିଏ (ଅର୍ଥାତ୍ ବିଧାତାର ସର୍ବଶ୍ରେଷ୍ଠ ସୃଷ୍ଟି ପରିକଳ୍ପନା) । ଏଇ ଅମୂଲ୍ୟ, ଅତୁଳନୀୟ ଫୁଲ ଭାଗ୍ୟଦେବୀଙ୍କ ମସ୍ତକରେ ଶୋଭା ପାଇବା ପାଇଁ ଯୋଗ୍ୟ । ଅର୍ଥାତ୍ ସର୍ବଶ୍ରେଷ୍ଠ ସୌଭାଗ୍ୟବାନ ପୁରୁଷହିଁ ଶକୁନ୍ତଳାଙ୍କୁ ଲାଭ କରିବା ସମ୍ଭବ । ରାଜା ନିଜ ମନକୁ ସାନ୍ତ୍ୱନା ଦେଇ କହିଛନ୍ତି ଯେ, ଯାହାର ପୂଜା ଲାଗି ଏଇ ଦୁର୍ଲ୍ଲଭ ଫୁଲ ଉଦ୍ଦିଷ୍ଟ ହେଲେ ମଧ୍ୟ ପରମ ଭାଗ୍ୟର କଥା ଯେ, ରାଜାଙ୍କର ନୟନରୂପୀ ଭ୍ରମର ସେଇ ଫୁଲର ସୌନ୍ଦର୍ଯ୍ୟ–ସୁଧା ପାନ କରିପାରିଲା । ଶକୁନ୍ତଳା ଆମ୍ବଗଛରେ ଲଟେଇଥିବା ନିଆଳୀ ଲତାରେ ଫୁଲ ଫୁଟିଥିବା ଦେଖି ଆନନ୍ଦରେ କୁରୁଳି ଉଠିଲେ ଓ ସଖୀଙ୍କୁ ଡାକି ଦେଖାଇଲେ । ଆଖୁ ରସରେ ମିଠା ଯେମିତି ପ୍ରକାଶ ନ ପାଇ ଗୋପନରେ ଥାଏ, ଶକୁନ୍ତଳା କଥାରେ ସେଇମିତି ମିଠା ହସଟିଏ ଅସ୍ଫୁଟ ଭାବରେ ମିଶି ରହିଥାଏ । ସଖୀମାନେ ଅତି ଆଗ୍ରହରେ ଆସି ପୁଷ୍ପିତ । ନିଆଳୀ ଲତାକୁ ଦେଖି ନାନା ମନ୍ତବ୍ୟ ପ୍ରକାଶ କଲେ । ପ୍ରିୟମ୍ୱଦା ସହକାର ସହିତ ବନତୋଷିଣୀ ନିଆଳୀର ବିବାହ କରିଦେବାକୁ ନିବେଦନ କଲେ । ପରିହାସପ୍ରିୟା ଶକୁନ୍ତଳା ନିଜର ଅକ୍ଷମତା ପ୍ରକାଶ କରି କହିଛନ୍ତି ଯେ ବିବାହ ରୀତି ତାଙ୍କୁ ଜଣା ନାହିଁ–ପ୍ରିୟମ୍ୱଦା ସେ କାର୍ଯ୍ୟ ସଂପନ୍ନ କରିବାରେ ତାଙ୍କର ଆପତ୍ତି ନାହିଁ । କିନ୍ତୁ ଚତୁରୀ ସଖୀ ଶକୁନ୍ତଳାଙ୍କ ପରିଣୟରେ ପୌରୋହିତ୍ୟ କରିବାକୁ ଆକାଙକ୍ଷା ପ୍ରକାଶ କଲେ । ଏହି କଥୋପକଥନ ରାଜାଙ୍କ ମନରେ ଆଶାର ଅଙ୍କୁର ଜାତ କରାଇଛି । ପୁଣି ରାଜାଙ୍କ ଦକ୍ଷିଣ ବାହୁ ସ୍ଫୁରିତ ହେବାରୁ ଶୁଭ ଲକ୍ଷଣ ଜାଣି ରାଜା ଆଶାନ୍ୱିତ ହେଲେ । କିନ୍ତୁ ଦୁଷ୍ମନ୍ତ ଜଣେ ବିଚାରଶୀଳ ରାଜା–ତେଣୁ ତାଙ୍କର ବିବେକ ଓ ମନ ମଧ୍ୟରେ ଦ୍ୱନ୍ଦ ସୃଷ୍ଟି ହୋଇଛି । ପର ଦ୍ରବ୍ୟରେ ଲୋଭ ପ୍ରକାଶ କରିବା ଅନ୍ୟାୟ, ଅନୁଚିତ । ବିଶେଷରେ ଋଷିକୁମାରୀ କୂପରେ ପ୍ରତିଫଳିତ ହୋଇଥିବା ତାରା ପରି ଦୁର୍ଲ୍ଲଭ ତାକୁ ଖଣିରେ ଥିବା ରତ୍ନ ଭାବି ଆଣିବାକୁ ଚେଷ୍ଟା କଲେ ତାହା ବିନଷ୍ଟ ହୋଇଯିବ । ପ୍ରିୟମ୍ୱଦା ‘ସୁରିବ କି ମତେ ରାଜବର–ପ୍ରେମ–ଲୋଲୁପ ତୋ ଚଳଚିତ୍ତ’ କୁହନ୍ତେ ରାଜା ଯାହାକୁ ଆକାଶରେ ତାରା ବୋଲି ମନେ କରୁଥିଲେ, ତାକୁ ସ୍ୱର୍ଗଭ୍ରଷ୍ଟ ପବିତ୍ର ଜ୍ୟୋତି ରୂପେ କଳନା କଲେ । ତାଙ୍କ ମନରେ ସଂଶୟ ଜାତ ହେଲା ଯେ, ରାଜକୁଳରେ ଜାତ ହୋଇ ଶକୁନ୍ତଳା କାହିଁକି ତପୋବନରେ ପ୍ରତିପାଳିତା ? ଏ ଯଦି ମୁନିର କନ୍ୟା, ତେବେ ରାଜବରଣୀୟା ହେବେ କିପରି ? ଏ ଦୃଶ୍ୟ ସତ୍ୟ କି ସ୍ୱପ୍ନ, ଭାଗ୍ୟରେ ଏ ସୁଖନିଧି ଅଛି କି ନାହିଁ, ଏହିପରି ଆଶା ନୈରାଶ୍ୟ ମଧ୍ୟରେ ରାଜା ଦୋଳାୟମାନ ହୋଇଛନ୍ତି ଓ ଶକୁନ୍ତଳାଙ୍କୁ ହୃଦୟରାଜ୍ୟର ରାଣୀ ରୂପେ ଅଭିଷିକ୍ତ କରିଛନ୍ତି ।

 

ଅନସୂୟା ନିଆଳୀ ଓ ସହକାରର ବିବାହରେ ପ୍ରିୟମ୍ୱଦାର ପୌରୋହିତ୍ୟକୁ ଅସ୍ୱୀକାର କରି ନିଆଳୀ ସମାଜର ଦ୍ୱିଜକୁ ପୁରୋହିତ ରୂପେ, ତାରକା ଖଚିତ ସୁନୀଳ ଗଗନକୁ ଚାନ୍ଦୁଆ ଭାବରେ କଳ୍ପନା କରିଛି । ଆଲୋକିତ ଦିହୁଡ଼ି ହାତରେ ପର୍ବତମାନେ ଚାରିଆଡ଼େ ରହିବେ ଓ ବାଉଁଶର ଗଣ୍ଠି ବାଣ ରୂପେ ଫୁଟି ଆକାଶକୁ ନକ୍ଷତ୍ର ରୂପେ ଉଠୁଥିବ । ଭ୍ରମରମାନେ ହୁଳହୁଳି ଦେବେ । ଚକୋର ଓ ଟେଣ୍ଟୋଇ ମଙ୍ଗଳସ୍ତବ ପାଠ କରିବେ—ଆଉ ଏମିତି ଉତ୍ସବମୁଖର ଶୁଭ ମୁହୂର୍ତ୍ତରେ ପବନ ନିଆଳୀର ହାତ ସହକାରର ହାତରେ ସମର୍ପଣ କରିବ ।

 

ଶକୁନ୍ତଳା ଏଥିରେ ପୂର୍ଣ୍ଣ ସମ୍ମତି ଜ୍ଞାପନ କରିବାରୁ ସଖୀମାନେ ନିଜ ନିଜ କାମରେ ଚାଲିଗଲେ ।

 

ଶକୁନ୍ତଳା ନିଆଳୀ ମୂଳରେ ଜଳ ଦେବା ଅବକାଶରେ ଫୁଲରେ ବସିଥିବା ଭଅଁରଟିଏ ଉଡ଼ି ଆସି ଶକୁନ୍ତଳାଙ୍କ ମୁଖ ମଣ୍ଡଳରେ ବାରମ୍ୱାର ବସି ତାଙ୍କୁ ବିବ୍ରତ କରି ପକାଇଲା । ଶକୁନ୍ତଳା ନାନା ଭଙ୍ଗୀରେ ମଧୂପକୁ ବିତାଡ଼ିତ କରିବାର ଚମତ୍କାର ଦୃଶ୍ୟ ଦେଖି ଦୁଷ୍ମନ୍ତ ସ୍ତମ୍ଭୀଭୂତ ହୋଇଗଲେ । ଶକୁନ୍ତଳା ବ୍ୟାକୁଳ ହୋଇ ସଖୀଙ୍କୁ ‘‘ଆସ ଆସ ପ୍ରାଣମିତ’’ ବୋଲି ଆହ୍ୱାନ କଲେ–ତାହା ସଙ୍ଗୀତର ମଧୁର ଝଙ୍କାର ସୃଷ୍ଟି କଲା ଓ ରାଜା ତାକୁ କନ୍ଦର୍ପ ଧନୁର ଟଙ୍କାର ଭାବି ଧୈର୍ଯ୍ୟଚ୍ୟୁତ ହୋଇ ପଡ଼ିଲେ । ପୁନର୍ବାର ଶକୁନ୍ତଳା ମଧୁବ୍ରତର (ଭ୍ରମର) ଗଞ୍ଜଣାରୁ ତାଙ୍କୁ ରକ୍ଷା କରିବାକୁ ଆହ୍ୱାନ କରିବାରୁ ସୁରସିକା ପ୍ରିୟମ୍ୱଦା ପୁରୁରାଜ୍ୟରେ ଦୁଷ୍ମନ୍ତଙ୍କ ସୁଶାସନରେ ମଧୁବ୍ରତର (ମଦ୍ୟପ) ଗଞ୍ଜନା ସମ୍ଭବ ନୁହେଁ ବୋଲି ଉତ୍ତର ଦେଲେ । ଏହି ଅବସରରେ ଦୁଷ୍ମନ୍ତ ସଂବିତ୍ ଲାଭ କରି ଶକୁନ୍ତଳାଙ୍କ ପାଖକୁ ଯାଇ ଅଭୟ ପ୍ରଦାନ କଲେ । ଶକୁନ୍ତଳା ତାଙ୍କ ସମ୍ମୁଖରେ ଦୁଷ୍ମନ୍ତଙ୍କୁ ଦେଖି ଭାବିଲେ ହୁଏତ କନ୍ଦର୍ପ ଦେହ ଧାରଣ କରି ତାଙ୍କ ସମକ୍ଷରେ ବିରାଜମାନ, ଅଥବା ଚନ୍ଦ୍ରକିରଣ ମୂର୍ତ୍ତିମନ୍ତ ହୋଇ ଠିଆ ହୋଇଛି । ଲାଜକୁଳୀ ଲତାକୁ ସ୍ପର୍ଶ କଲେ ସେ ଯେପରି ଝାଉଁଳି ପଡ଼େ, ଶକୁନ୍ତଳା ସେହିପରି ସଂକୁଚିତ ହେଲେ । ତାଙ୍କର ବାକ୍ୟ ସ୍ଫୂର୍ତ୍ତି ଘଟିଲା ନାହିଁ, ସେ ବିସ୍ମୟରେ ବିହ୍ୱଳ ହୋଇପଡ଼ିଲେ । ଅଧୋମୂଖୀ ହେବାରୁ ତାଙ୍କର ଆଖି ଦୁଷ୍ମନ୍ତଙ୍କ ରକ୍ତିମ ପଦଯୁଗଳରେ ଲାଖି ରହିଲା ।

 

ଅନସୂୟା ଓ ପ୍ରିୟମ୍ୱଦା ସେ ସ୍ଥଳରେ ଉପଗତ ହୋଇ ଶାନ୍ତ ଗମ୍ଭୀର ପ୍ରତିଭାରେ ପ୍ରଦୀପ୍ତ ଅତି ସୁଠାମ ଯୁବା ମୂର୍ତ୍ତି ଦେଖି ସତରେ ଦୁଷ୍ମନ୍ତ ଆସିଗଲେ କି ବୋଲି ମନରେ ଭାବି ଆଶ୍ଚର୍ଯ୍ୟ ହେଲେ ଓ ରାଜାଙ୍କୁ ବୃକ୍ଷ ତଳକୁ ଡାକି ନେଇ ଚିକ୍‌କଣ ପଥର ଉପରେ ବସାଇ ଅତିଥି ସତ୍କାର ପାଇଁ ବ୍ୟସ୍ତ ହୋଇ ପଡ଼ିଲେ । ରାଜା ତାଙ୍କର ବ୍ୟବହାରରେ ସତ୍କୃତ ହୋଇଛନ୍ତି କହି ଆଶ୍ରମର କୁଶଳ ଜିଜ୍ଞାସା କଲେ । ପ୍ରିୟମ୍ବଦା ଦୁଷ୍ମନ୍ତଙ୍କ ପରିଚୟ ଜାଣିବାକୁ ଆଗ୍ରହ ପ୍ରକାଶ କଲେ-। ରାଜା ନିଜର ପରିଚୟ ପ୍ରଦାନ କରି ତପୋବନରେ ଅଳଙ୍କାର ସ୍ୱରୂପିଣୀ ଓ ତପସ୍ୟାର ଫଳରୂପିଣୀ ନାରୀଶ୍ରେଷ୍ଠାଙ୍କର ତପସ୍ୱିନୀ ସୁଲଭ ବ୍ୟବହାରରେ ସଂଶୟାଚ୍ଛନ୍ନ ହୋଇ କଣ୍ୱମୁନିଙ୍କର କନ୍ୟା କିପରି ଜାତ ହେଲା ବୋଲି ପ୍ରଶ୍ନ କଲେ । ପ୍ରିୟମ୍ୱଦା ରାଜାଙ୍କର ସନ୍ଦେହ ନିରସନ କରି କହିଲେ ଯେ, ବିଶ୍ୱାମିତ୍ରଙ୍କ ତପସ୍ୟାରେ ଭୟଭୀତ ହୋଇ ଇନ୍ଦ୍ର ବିଶ୍ୱାମିତ୍ରଙ୍କୁ ତପସ୍ୟାଭ୍ରଷ୍ଟ କରିବା ଉଦ୍ଦେଶ୍ୟରେ ସୁନ୍ଦରୀ ଅପ୍‌ସରୀ ମେନକାଙ୍କୁ ପ୍ରେରଣ କଲେ । ମେନକାଙ୍କ ଗର୍ଭରେ ବିଶ୍ୱାମିତ୍ରଙ୍କ ଔରସରେ ଶକୁନ୍ତଳାରୂପୀ ରତ୍ନଲତାର ଜନ୍ମ । ମହର୍ଷି କଣ୍ୱ ତାଙ୍କୁ ପ୍ରତିପାଳନ କରୁଛନ୍ତି ଓ ଯୋଗ୍ୟପାତ୍ର ପାଇଲେ ବିବାହ ଦେବେ । ପ୍ରିୟମ୍ୱଦାଙ୍କଠାରୁ ଏ ସକଳ ବୃତ୍ତାନ୍ତ ଶୁଣି ରାଜା ଆଶାନ୍ୱିତ ହେଲେ । ଶକୁନ୍ତଳାଙ୍କ ସ୍ୱର୍ଗୀୟ ସୁଷମା ପ୍ରତି ଦୁଷ୍ମନ୍ତ ପ୍ରଥମ ଦର୍ଶନରେ ଆକୃଷ୍ଟ ହୋଇଥିଲେ । ଶକୁନ୍ତଳା ମଧ୍ୟ ହାବଭାବ ଭଙ୍ଗୀରେ ରାଜାଙ୍କ ପ୍ରତି ତାଙ୍କର ଗଭୀର ଅନୁରାଗ ପ୍ରକାଶ କରିଥିଲେ । ରାଜାଙ୍କର ଦୃଷ୍ଟି ଅନ୍ୟତ୍ର ଥିଲେ ଶକୁନ୍ତଳା ତାଙ୍କୁ ଚାହୁଁଥିଲେ, ରାଜା ତାଙ୍କ ଆଡ଼କୁ ଚାହିଁଲେ ସେ ଦୃଷ୍ଟି ଫେରାଇ ଆଣୁଥିଲେ ।

 

ସପ୍ତବର୍ଣ୍ଣ ପତ୍ରର ଶିରା ଗଣିବା ଛଳରେ ନତମୂଖୀ ଶକୁନ୍ତଳା ଥରେ ରାଜାଙ୍କ ଆଡ଼କୁ ଚାହିଁ ଅତ୍ୟନ୍ତ ଉଲ୍ଲସିତା ହେଉଥିଲେ । ରାଜା ମଧ୍ୟ ଗଳ୍ପ ଛଳରେ ଶକୁନ୍ତଳାଙ୍କୁ ହିଁ ମୁଖ୍ୟତଃ ଦେଖୁଥିଲେ । ଶକୁନ୍ତଳାଙ୍କର ଚୂର୍ଣ୍ଣକୁନ୍ତଳ ମଣ୍ଡିତ ସୀମନ୍ତ, ପଦ୍ମସଦୃଶ ଗଣ୍ଡଦେଶ, ସୁନ୍ଦର ଭୂରୁ, ଦୀର୍ଘ ପକ୍ଷ୍ମଯୁକ୍ତ ଚକ୍ଷୁ, ସୁଗଠିତ ନାସା, ବର୍ତ୍ତୁଳ ଚିବୁକ, ସୁନ୍ଦର ଓଷ୍ଠାଧର, ଶ୍ରୁତିଯୁଗଳ ସବୁ ଯେପରି ସୌନ୍ଦର୍ଯ୍ୟ ସାଗରର ତରଙ୍ଗରାଜି ସୃଷ୍ଟି କଲେ ଓ ରାଜାଙ୍କର ନୟନ ନୌକା ସଦୃଶ ସେଥିରେ ଭାସି ବୁଲୁଥାଏ । ଶକୁନ୍ତଳାଙ୍କ ଦୃଷ୍ଟି ରାଜାଙ୍କର ସୁନ୍ଦର ପଦଯୁଗଳରେ ନିବିଦ୍ଧ ଥାଏ ଓ ସେହି ପାଦରେ ଲାଗିଥିବା ଧୂଳିକୁ ଧୋଇ ଦେଇ ପୋଛି ଦେବାକୁ ତାଙ୍କର ମନ ଉନ୍ମୁଖ ହେଉଥାଏ । ରାଜାଙ୍କ ମସ୍ତକରେ ତିଳକ ରେଖାଟିଏ ଆଙ୍କି ଦେବାକୁ ମନ ବଳୁଥାଏ ।

 

ଏମିତି ଏକ ପ୍ରେମ–ଛଳଛଳ ମୁହୂର୍ତ୍ତରେ ହଠାତ୍ ବନହସ୍ତୀ ଭୟରେ ଚାରିଆଡ଼େ ଚହଳ ପଡ଼ିଗଲା । ତପୋବନବାସୀଙ୍କୁ ସାବଧାନ କରି ଅନ୍ତରାଳରୁ ଶୁଭିଲା ରାଜା ଦୁଷ୍ମନ୍ତ ଶିକାର ଉଦ୍ଦେଶ୍ୟରେ ତପୋବନକୁ ଆସିଛନ୍ତି । ଅଗଣିତ ଅଶ୍ୱ ଓ ଗଜରାଜ ବନଭୂମିକୁ ପ୍ରଦକ୍ଷିଣ କରିବାରୁ ଆଶ୍ରମର ଜୀବମାନେ ବ୍ୟାକୁଳ ହୋଇ ପଡ଼ିଛନ୍ତି । ଘୋଡ଼ାର ଖୂରାରୁ ଉଠୁଥିବା ଧୂଳି ସମଗ୍ର ବନକୁ ଆଚ୍ଛନ୍ନ କରି ପକାଇଛି । ପ୍ରକାଣ୍ଡ ଦନ୍ତାବଳର ଭୟରେ ଆଶ୍ରମବାସୀ ଭୟଭୀତ ହୋଇପଡ଼ିଛନ୍ତି । ସେହି ହାତୀ ଗଛର ଡାଳ ଭାଙ୍ଗୁ ଭାଙ୍ଗୁ ତାର ଦାନ୍ତ ଭାଙ୍ଗିଗଲାଣି ।

 

ଏହି ସାବଧାନ ବାଣୀ ଶୁଣି ବୀର ଦୁଷ୍ମନ୍ତ ତତ୍‌କ୍ଷଣାତ୍ ତାର ପ୍ରତିକାର ବିଧାନ ପାଇଁ ଗମନୋଦ୍ୟତ ହେଲେ । କିନ୍ତୁ ତରୁଣୀଙ୍କ ସାନ୍ନିଧ୍ୟ ତ୍ୟାଗ କରି ଯିବାପାଇଁ ତାଙ୍କ ମନରେ ଦୁଃଖ ଜାତ ହେଉଥାଏ । ଦୁଷ୍ମନ୍ତ ସଖୀଙ୍କୁ କହିଲେ ଯେ, ଉପଦ୍ରବ କରୁଥିବା ହସ୍ତୀଙ୍କୁ ନିବୃତ୍ତ କରିବା ପାଇଁ ସେ ଯାଉଛନ୍ତି । ସେଥିପାଇଁ ତାଙ୍କର ଧୃଷ୍ଟତା ମାର୍ଜନୀୟ । ଅବଶ୍ୟ ଅତି ଶୀଘ୍ର ସେ ପୁନର୍ବାର ମାର୍ଜନା ଭିକ୍ଷା କରିବାକୁ ଆସିବେ । ଅତିଥି–ସତ୍କାର କରି ନଥିବାରୁ ରାଜା ନ ଆସିଲେ ସେମାନେ ଦୁଃଖ ଅନୁଭବ କରିବେ ବୋଲି ଜଣାଇ ପୁନର୍ବାର ଆସିବାକୁ ସାଦର ନିମନ୍ତ୍ରଣ କଲେ । ଚତୁର ନୃପତି ଏହି ଅବକାଶରେ ନିଜର ଆଙ୍ଗୁଠିରୁ ସ୍ୱର୍ଣ୍ଣ ମୁଦ୍ରିକା କାଢ଼ି ଶକୁନ୍ତଳାଙ୍କ ଅଙ୍ଗୁଳିରେ ସପ୍ରେମରେ ପିନ୍ଧାଇଦେଲେ । କର୍ତ୍ତବ୍ୟ ଅନୁରୋଧରେ ରାଜା ଆଗକୁ ଗଲେ, ମନ ତାଙ୍କର ପଛରେ ପଡ଼ିରହିଲା-। ସେହି ମୁଦ୍ରିକାରେ ଦୁଷ୍ମନ୍ତଙ୍କ ନାମାଙ୍କିତ ହୋଇଥିଲା । ଶକୁନ୍ତଳା ମୁଦ୍ରିକାରେ ଦୁଷ୍ମନ୍ତଙ୍କ ନାମ ଦେଖି ଜଡ଼ୀଭୂତ ହୋଇଗଲେ । ଈଷତ୍ ହସି ଅନସୂୟା ଓ ପ୍ରିୟମ୍ବଦା କୁଟୀର ଅଭିମୁଖେ ଗମନ କରନ୍ତେ, ଶକୁନ୍ତଳା ସଖୀମାନଙ୍କ ସହିତ ଯିବା ପାଇଁ ଇଚ୍ଛା ପ୍ରକାଶ କଲେହେଁ ତାଙ୍କର ପାଦ ଶକ୍ତିହୀନ ହୋଇପଡ଼ିଲା ଓ ଚାଲୁ ଚାଲୁ ମନ ରାଜାଙ୍କ ଆଡ଼କୁ ଟାଣିହୋଇଗଲା ।

 

କୁରୁବକ କଣ୍ଟାଲାଗିଗଲା ବୋଲି

ସଖୀଙ୍କି କହିଲା ଛଳି

ପ୍ରିୟମ୍ବଦା ବୋଲେ‘‘ପୁରୁବକ କଣ୍ଟା

ମୀନାକ୍ଷି ଗଲା କି ଗଳି ?’’

 

ଶକୁନ୍ତଳାଙ୍କ ଦୃଷ୍ଟିପଥରୁ ରାଜା ଦୁଷ୍ମନ୍ତ ଅନ୍ତର ହେଲେ । କିନ୍ତୁ ତାଙ୍କ ମନ ମନ୍ଦିରରେ ଚିରକାଳ ପାଇଁ ତାଙ୍କ ମୂର୍ତ୍ତି ପ୍ରତିଷ୍ଠିତ ହୋଇଗଲା । ତାଙ୍କ ଜୀବନରେ ସ୍ୱତଃ ପ୍ରଣୟର ଅଙ୍କୁରୋଦ୍‌ଗମ ହୋଇ ତାଙ୍କୁ ପ୍ରେମବିବଶ କଲା ।

 

ଦ୍ୱିତୀୟ ସର୍ଗ—

 

ରାଜା ଦୁଷ୍ମନ୍ତ ଶିବିରକୁ ଫେରିଯାଇ ଅଶ୍ୱ ଓ ହସ୍ତୀମାନଙ୍କୁ ଯତ୍ନ ସହକାରେ ବାନ୍ଧି ରଖିବାକୁ ଆଦେଶ ଦେଲେ । କର୍ତ୍ତବ୍ୟ ସମାପନ କରି ଅବସର ମୁହୂର୍ତ୍ତରେ ଶିବିର ମଣ୍ଡପରେ ବସି ନିଜ ମୁଦ୍ରିକାଶୂନ୍ୟ ଅଙ୍ଗୁଳିକୁ ଚାହିଁ ଶକୁନ୍ତଳାଙ୍କ କରସ୍ପର୍ଶ ସୁଖ ମୁଦ୍ରିକା ପାଇଁ ପାଇଥିବାରୁ ପୁଲକିତ ହେଲେ । ବନରୁ ଆଣିଥିବା ଶକୁନ୍ତଳାଙ୍କର ପ୍ରିୟ ପୁଷ୍ପ ନିଆଳୀକୁ ଅତି ସ୍ନେହରେ ଆଘ୍ରାଣ କଲେ । ଶକୁନ୍ତଳାଙ୍କ ସୌନ୍ଦର୍ଯ୍ୟ–ସାଗରରେ ଅବଗାହନ କରି ଓ ତାଙ୍କର ପ୍ରୀତି–କଟାକ୍ଷ ସ୍ମରଣ କରି ରାଜାଙ୍କ ମନରୁ ସକଳ ନୈରାଶ୍ୟ ଦୂରୀଭୂତ ହୋଇ ହୃଦୟ ପ୍ରୀତିରେ ଉଦ୍‌ବେଳ ହୋଇଉଠିଲା । ବିଚାରଶୀଳ ରାଜାଙ୍କ ବିବେକ ଓ ମନ ମଧ୍ୟରେ ଦ୍ୱନ୍ଦ ସୃଷ୍ଟି ହୋଇ ତାଙ୍କର ମିଳନର ପଥ ପ୍ରସ୍ତୁତ କରିଦେଲା । ମନ କହିଲା, ବିବେକର ଅଭିଳାଷ ପୂର୍ଣ୍ଣ ହୋଇଛି । ହାତ ବଢ଼ାଇଦେବା ଦ୍ୱାରା ଜଣାଗଲା ଯେ, ସୁନ୍ଦରୀର ଅସମ୍ମତି ନଥିଲା । କୁରୁବକ କଣ୍ଟା ଲଗାଇ ପଛକୁ ଫେରି ଚାହିଁବା ମନର ସମ୍ମତିହିଁ ପ୍ରକାଶ କରେ । ବିବେକ କହିପାରେ ସେ ବାଳିକା, ପିତାର ଅଧୀନ—କିନ୍ତୁ ସେ ପ୍ରକୃତରେ ଯୁବତୀ । ତାର ଇଚ୍ଛାରେ ପିତାର ଅଧିକାର ନାହିଁ । ସ୍ୱଇଚ୍ଛାରେ ସ୍ୱାଧୀନା ନାରୀ ତାର ହସ୍ତ ସମର୍ପଣ କରିଛି ଓ ସେ ବିଷୟରେ ତାର ହୃଦୟ, ତାର ସଖୀଦ୍ୱୟ ଓ ନିକଟବର୍ତ୍ତୀ ବୃକ୍ଷଲତା ସାକ୍ଷୀ ମଧ୍ୟ ଅଛନ୍ତି । କିନ୍ତୁ ଏ ସକଳ ଯୁକ୍ତି ସତ୍ତ୍ୱେ ବିବେକ କଣ୍ୱ ମୁନିଙ୍କ କ୍ରୋଧ ସମ୍ବନ୍ଧରେ ମନକୁ ସାବଧାନ କରିଦେଇଛି । କିନ୍ତୁ ମନର ଅଭିମତ ମହର୍ଷି କଣ୍ୱ ବିଚାରଶୀଳ । କିନ୍ତୁ ବିବେକ ଏଥିରେ ସନ୍ତୁଷ୍ଟ ନହୋଇ ବିବାହକାଳୀନ ବିଭିନ୍ନ ଆଚାର ଅନୁଷ୍ଠାନ ସାଧିତ ହୋଇ ନଥିବାର ଦର୍ଶାଇଛି । ହାତଗଣ୍ଠି ପଡ଼ିଲାବେଳେ ହୁଳହୁଳି ନାହିଁ, ପାଣି ଢଳା ହୋଇନାହିଁ, ବ୍ରାହ୍ମଣ ନଥିବାରୁ ବେଦମନ୍ତ୍ର ଉଚ୍ଚାରିତ ହୋଇନାହିଁ—ତା’ ଛଡ଼ା ସ୍ୱଚ୍ଛନ୍ଦରେ ଅବଳା ନାରୀର ହାତ ଧରିବା ବଳାତ୍କାର । ଦୁଷ୍ମନ୍ତଙ୍କ ଚତୁର ମନ ସଂଶୟର ଉତ୍ତରରେ କହିଛି ଯେ, ସାରିକା ମୁଖରେ ହୁଳହୁଳି ଦିଆଯାଇଛି । ନିଜେ ବ୍ରହ୍ମା ଘର୍ମ ଛଳରେ ଜଳ ଢାଳିଛନ୍ତି । ବସନ୍ତ କୋକିଳ ଶ୍ରୀରାମସ୍ୟ ସୀତା ଯଥା ବେଦମନ୍ତ୍ର ଉଚ୍ଚାରି ବିବାହକୁ ସିଦ୍ଧ ସଫଳ କରିଥିଲା । ଆଉ ଲଜ୍ଜାହେତୁ କୌଣସି ନାରୀ ସ୍ୱତଃପ୍ରବୃତ୍ତ ହୋଇ ହାତ ବଢ଼ାଇ ଦିଏ ନାହିଁ । ଦେହ ମନ ଦେଇ ଶକୁନ୍ତଳାକୁ ଲାଭ ନ କଲେ ରତ୍ନ ସିଂହାସନ ମଧ୍ୟ ବିଷତୁଲ୍ୟ ପ୍ରତୀକ ହେବ । ଶକୁନ୍ତଳାଙ୍କୁ ଦେଖି ଦୁଷ୍ମନ୍ତଙ୍କର ଧାରଣା ହେଲା, ସତେ ଯେପରି ସେ ମୂର୍ତ୍ତିମତୀ ରାଜଲକ୍ଷ୍ମୀ-ତାଙ୍କ ଆଲୋକ ବ୍ୟତିରେକେ ସମଗ୍ର ରାଜ୍ୟ ଅନ୍ଧକାର, ହୀନପ୍ରଭ ହୋଇପଡ଼ିବ । ଶକୁନ୍ତଳାଙ୍କ ହାତ ଓ ଓଠର ବର୍ଣ୍ଣ ଔଜ୍ୱଲ୍ୟ ଲାଭ କରି ପଦ୍ମରାଗମଣି ଝଟକିପଡ଼ିବ । ତାର ନୀଳ କେଶରାଜି, ଭୁରୁ ଓ ଚକ୍ଷ୍‌ତାରକା ବର୍ଣ୍ଣବିଭାରେ ଇନ୍ଦ୍ରନୀଳମଣିରୁ ରଙ୍ଗ ଝରିବ । ମୁକ୍ତା ତାର ନଖ ଓ ଦନ୍ତର ଶୁଭ୍ରତା ଲାଭ କଲେ ମନୁଷ୍ୟଠାରେ ଅଧିକ ଆଦରଣୀୟ ହେବ । ଏ ନାରୀର ଦର୍ଶନ ମାତ୍ରେ ଚନ୍ଦ୍ରକୁ ଦେଖି ଚନ୍ଦ୍ରକାନ୍ତ ମଣି ଓ ସୂର୍ଯ୍ୟ ଦର୍ଶନରେ ସୂର୍ଯ୍ୟକାନ୍ତ ମଣି ପରି ରତ୍ନ ସବୁ ଆନନ୍ଦିତ ହେବେ-। ଗଛ ତଳେ ଶୋଇ ରହିଲେ ଫଳ ଯେପରି ମୁହଁରେ ଆସି ପଡ଼େ ନାହିଁ, ଗଛରୁ ତୋଳି ଖାଇବାକୁ ପଡ଼େ, ସେହିପରି ଶକୁନ୍ତଳାକୁ ପାଇବା ପାଇଁ ଚାହିଁ ନ ବସି, କାଳ ବଳମ୍ବ ନ କରି ତାର ଉଦ୍‌ଯୋଗ କରିବାକୁ ରାଜା ସ୍ଥିର କଲେ ଓ ମଧ୍ୟାହ୍ନ କୃତ୍ୟର ସମୟ ହେବାରୁ ଶିବିର ମଧ୍ୟକୁ ଗଲେ-

 

ପ୍ରେମିକ ପ୍ରେମିକାର ମନ ଅଭିନ୍ନ ହେଲେ କାର୍ଯ୍ୟରେ ମଧ୍ୟ ଐକ୍ୟ ପରିଲକ୍ଷିତ ହୁଏ । ତେଣେ ଶକୁନ୍ତଳା ମଧ୍ୟ କୁଟୀର ମଧ୍ୟକୁ ଗଲେ—କିନ୍ତୁ ଚିତ୍ତ ଅସ୍ଥିର, ବାରମ୍ବାର ଅଙ୍ଗୁରୀୟ ଦର୍ଶନ ଅଭିଳାଷୀ । ହୃଦୟରେ ପ୍ରୀତି ଯେତିକି ପ୍ରଗଢ଼ ହେଉଥାଏ, ଲଜ୍ଜାରେ ମୁଖ ସେତିକି ପାଟଳ ବର୍ଣ୍ଣ ଧାରଣ କରୁଥାଏ । ରାତ୍ରିର ଆଗମନରେ ମଲ୍ଲୀ ବିକଶିତ ହୁଏ । ରାଜାଙ୍କ ସୁଖ–ସ୍ପର୍ଶ ସ୍ମରଣରେ ଶକୁନ୍ତଳାଙ୍କ ହୃଦୟ ପୁଲକିତ ହୋଇ ଉଠୁଥାଏ । ରାଜାଙ୍କର ଅମୃତବୋଳା କଥା ଶୁଣି ଜୀବନ ଧନ୍ୟ କରିବାକୁ ଶକୁନ୍ତଳା ଆଗ୍ରହୀ । କିନ୍ତୁ ମନରେ ସଂଶୟ ଓ ସଂକଳ୍ପ–ଯଦି ରାଜା ଦର୍ଶନ ଦେଇ ପତ୍ନୀ ରୂପେ ତାଙ୍କୁ ଗ୍ରହଣ ନ କରନ୍ତି, ତେବେ ତପସ୍ୱିନୀ ରୂପେ ଏଇ ଆଶ୍ରମରେ ରହି ରାଜାଙ୍କୁ ସ୍ମରଣ କରି ଅବଶିଷ୍ଟ ଜୀବନ ଅତିବାହିତ କରିବେ ।

 

ଶକୁନ୍ତଳା କାର୍ଯ୍ୟବ୍ୟସ୍ତ ସତ, କିନ୍ତୁ ନୃପ ଭାବନାରେ ଚିତ୍ତ ମଗ୍ନ । ଦେବ ପୂଜା ପାଇଁ ଉଦ୍ଦିଷ୍ଟ ଫୁଲରେ ଦୁଷ୍ମନ୍ତଙ୍କ ପାଇଁ ମାଳା ଗୁନ୍ଥି ବସିଲେ । ସଖୀମାନେ ଶକୁନ୍ତଳାଙ୍କ ଅନ୍ୟମନସ୍କ ହୃଦୟର ପରିଚୟ ପାଇ ପରସ୍ପରଙ୍କୁ ଇଙ୍ଗିତ କଲେ । ଆଶ୍ରମର ବୟୋବୃଦ୍ଧା ତପସ୍ୱିନୀ ଗୌତମୀଙ୍କୁ ଦୁଷ୍ମନ୍ତଙ୍କ ଆଗମନ ସମ୍ବାଦ ଦେଇ ତାଙ୍କର ସତ୍କାର ପାଇଁ ବ୍ୟବସ୍ଥା କଲେ । ଶକୁନ୍ତଳା କ୍ଷତ୍ରିୟ କନ୍ୟା, ତେଣୁ ସେ ରାଜାଙ୍କର ପଦ ଧୌତ କରି ଫଳ, ଫୁଲ ଦେଇ ଅର୍ଚ୍ଚନା କରି ତାଙ୍କୁ ସନ୍ତୁଷ୍ଟ କରିବେ ।

 

ଶକୁନ୍ତଳାଙ୍କ ସରଳ, ନିର୍ଦ୍ୱନ୍ଦ ଜୀବନର ସୂର୍ଯ୍ୟ ଅସ୍ତମିତ ହେଲେ । ପ୍ରେମର ନବୀନ ଭାବରେ ଅନ୍ତରକୁ ସିକ୍ତ କରି ନବ ସନ୍ଧ୍ୟାର ଆଗମନ ଘଟିଲା । ଆକାଶ, ବତାସ ନୂଆ ରୂପ, ନୂଆ ସୌନ୍ଦର୍ଯ୍ୟ ନେଇ ଦେଖାଦେଲେ—ସନ୍ଧ୍ୟାର ରକ୍ତିମାଭା ସହିତ ତାଙ୍କ ମନରେ ପ୍ରେମର ଅରୁଣ ରାଗ ଜାତ ହେଲା । ତାରାମାନେ ଉଜ୍ଜ୍ୱଳ ରୂପେ ଦେଖାଦେଲେ, ଫୁଲର ଗନ୍ଧରେ ନୂତନ ସୌନ୍ଦର୍ଯ୍ୟ ଭରିଗଲା । ସବୁ ମନେ ହେଲା ସୁନ୍ଦର, ସରସ, ସୁଖ ଆନନ୍ଦରେ ଭରା । ଆଉ ସଖୀମାନଙ୍କ ସହିତ ବାଲ୍ୟକ୍ରୀଡ଼ା ସୁଖକର ପ୍ରତୀତ ହେଲା ନାହିଁ । ଥରେ ଜିହ୍ୱା ଲବଣର ସ୍ୱାଦ ଲାଭ କଲେ, ଆଉ ଅଲଣା ବ୍ୟଞ୍ଜନ ରୁଚିକରବୋଧ ହୁଏ ନାହିଁ । ଶକୁନ୍ତଳାଙ୍କ ହୃଦୟ ସହିତ ସମଗ୍ର ପ୍ରକୃତି ଦୁଷ୍ମନ୍ତଙ୍କ ସନ୍ତୋଷ ବିଧାନରେ ସେବା ଅର୍ଚ୍ଚନା କରି ଜୀବନ କୃତାର୍ଥ କରନ୍ତେ, ସେ ବାରମ୍ବାର ଦୁଷ୍ମନ୍ତଙ୍କ ଅନୁଗ୍ରହ ସେବିତ ମୁଖମଣ୍ଡଳ ଦର୍ଶନ କରି ହୃଦୟ ପୂର୍ଣ୍ଣ କରନ୍ତେ । ଏଇମିତି ଅନେକ ଆଶା ଆକାଙ୍‍କ୍ଷାରେ ମନକୁ ପୁଲକିତ କରି ଏଇ ନୂତନ ରାତ୍ରି ଅତିବାହିତ ହେଲା । ଅପରୂପକାନ୍ତି ଦୁଷ୍ମନ୍ତଙ୍କ ଦର୍ଶନ ଅଭିଳାଷରେ ପରିପ୍ଳାବିତ ହୃଦୟ ପ୍ରଣୟ–ପଲ୍ଲବରେ ଶୋଭିତ ହେଲା ।

 

ତୃତୀୟ ସର୍ଗ

 

କେତେ ମଧୁର କଳ୍ପନାରେ ରାଜା ଦୁଷ୍ମନ୍ତଙ୍କର ରାତ୍ରି ଉଦ୍‌ଯାପିତ ହୋଇଛି । ପ୍ରଭାତକାଳୀନ ପ୍ରକୃତି ନୂତନ ରୂପରେ ଆତ୍ମପ୍ରକାଶ କଲା । ନିତ୍ୟ କର୍ମ ସମାପନ କରି ରାଜା କାନନ ଭ୍ରମଣ ଉଦ୍ଦେଶ୍ୟରେ ଏକାକୀ ବାହାରିଲେ । ଶକୁନ୍ତଳାଙ୍କ ରୂପାମୃତରେ ବୋଳା ହୋଇ ସବୁ ଯେମିତି ତାଙ୍କ ଆଖିକୁ କାଲିଠାରୁ ଆହୁରି ରମଣୀୟ ମନେ ହେଲା । ସମସ୍ତେ ଶକୁନ୍ତଳାଙ୍କ ଉପସ୍ଥିତି ସମ୍ବନ୍ଧରେ ତାଙ୍କୁ ସଚକିତ କରିଦେଲେ—ଯାହା ଦେଖିଲେ ପ୍ରତ୍ୟେକରେ ଶକୁନ୍ତଳାଙ୍କ ରୂପ ଝଲସିଉଠିଲା । କାଲି ଯାହାକୁ ପବିତ୍ର ଭାବରେ ଆଶ୍ରମର ଶାନ୍ତ ସୌନ୍ଦର୍ଯ୍ୟ ରୂପେ ଦେଖିଥିଲେ, ପ୍ରେମର ସ୍ପର୍ଶରେ ଆଜି ସେ ସବୁ ରାଜକୀୟ ସୌନ୍ଦର୍ଯ୍ୟର ପ୍ରେମ ବିଭାବରେ ପୂର୍ଣ୍ଣ ହୋଇ ଦେଖାଯାଉଛି । କାଲି ଯେଉଁ ଫୁଲର ସୌରଭ ଭକ୍ତି ଜାତ କରୁଥିଲା, ଆଜି ପ୍ରେମ—ବହ୍ନିରେ ପ୍ରଜ୍ୱଳିତ କରୁଛି । ଯେଉଁ ଡାଳରେ ବସି ଶୁକ ତପସ୍ୱୀଙ୍କ କୀର୍ତ୍ତି ଗାନ କରୁଥିଲା, ସେଇ ଡାଳରେ କପୋତ ବସି ନବ ଦମ୍ପତିଙ୍କର ସୁଖ ସୌଭାଗ୍ୟ ବର୍ଣ୍ଣନା କରୁଛି । ଏପରିକି ଯେଉଁ ମୃଗ ମୃଗୀ ତାପସ ସ୍ୱଭାବ ପ୍ରକାଶ କରୁଥିଲେ, ଆଜି ସେମାନେ ମଧୁର ଦାମ୍ପତ୍ୟ ପ୍ରେମରେ ଆବଦ୍ଧ ଥିଲା ପରି ମନେ ହେଉଛି । ଏଇମିତି ବୃକ୍ଷ ଲତା, ପଶୁ ପକ୍ଷୀ, କୀଟ ପତଙ୍ଗ ପ୍ରତ୍ୟେକ ପ୍ରେମରେ ବିଭୋର । ରାଜା ମାଳିନୀ ନଦୀର ତୀର ଦେଇ ଯାଉଁ ଯାଉଁ ଏ ଦୃଶ୍ୟ ସକଳ ଦେଖି ତାଙ୍କ ମନ ଚଞ୍ଚଳ ହୋଇଉଠିଲା । ରାଜାଙ୍କ ମନ ସୁନ୍ଦର ସମୁନ୍ନତ ଥିବାରୁ ସେ ସାରା ବିଶ୍ୱକୁ ସୁନ୍ଦର ଆଖିରେ ଦେଖିଲେ ।

 

ନିକଟରେ ବଂଶକୁଞ୍ଜର ଛାୟାଶୀତଳ ସ୍ନିଗ୍‌ଧ ପରିବେଶ ରାଜାଙ୍କୁ ମୁଗ୍‌ଧ କଲା ଓ ତା’ଭିତରକୁ କେତୋଟି ପଦଚିହ୍ନ ପଡ଼ିଥିବାର ଦେଖି ବିସ୍ମିତ ରାଜା ନିକଟସ୍ଥ ଏକ ଚିକ୍‌କଣ ପ୍ରସ୍ତର ଉପରେ ଉପବେଶନ କଲେ । ଅକସ୍ମାତ୍‌ ପ୍ରଥମେ ଆଶ୍ଚର୍ଯ୍ୟ ହେଲେ, ପରେ ମନଧ୍ୟାନ ଦେଇ ସଂଗୀତଟି ଉପଭୋଗ କଲେ । ସୂର୍ଯ୍ୟ ଓ ପଦ୍ମର ପ୍ରଣୟ ସଂକେତ ମାଧ୍ୟମରେ ରାଜା ଓ ଶକୁନ୍ତଳାଙ୍କ ପ୍ରେମ ବିଳାସହିଁ ସଂଗୀତଟିର ଭାବାର୍ଥ । ସଂଗୀତର ଅପୂର୍ବ ମାଧୂର୍ଯ୍ୟରେ ନଦୀର କଳକଳନାଦ ସ୍ତବ୍‌ଧ ହୋଇଗଲା, ଝିଙ୍କାରୀର କର୍କଶ ରାବ ନୀରବ ହେଲା । ପ୍ରେମର ମଧୁର ଭାବରେ ଝଙ୍କୃତ ସେହି ଗାନ ଶୁଣି ଚକ୍ରବାକ ଚକ୍ରବାକୀ ମୁଖକୁ ଚାହିଁଲା । ଡାହୁକ ତାର ପ୍ରିୟ ବାନ୍ଧବୀକୁ ଗୀତ ଶୁଣିବାକୁ ଆହ୍ୱାନ କରିଛି । କପୋତ ସେହି ମଧୁର କଣ୍ଠ ଶୁଣି ଚମକିତ ହୋଇ ମୁହୂର୍ତ୍ତକ ପରେ ନିଜର କୋମଳ ସ୍ୱର ତାଳ ଦେଲା । କୋକିଳ କୁହୁକୁହୁ ରାବରେ ସେହି ସଂଗୀତକୁ ଅଭିନନ୍ଦନ ଜଣାଇଲା । ରାଜା ଦୁଷ୍ମନ୍ତ ପ୍ରେମାବେଶରେ ଉନ୍ମତ୍ତ ହୋଇ ବିଜୁଳିକୁ ଶଦ୍ଦ ଅନୁସରଣ କଲାପରି ସଂଗୀତର ଧ୍ୱନି ଅନୁସରଣ କରି ନିକୁଞ୍ଜର ନିକଟବର୍ତ୍ତୀ ହେଲେ । ଅନ୍ତରାଳରେ ରହି ଦେଖିଲେ, ଅନସୂୟା ଫୁଲହାର ଗୁନ୍ଥୁଛି । ଶକୁନ୍ତଳା ପୁଷ୍ପମାଳକୁ ଚାହିଁ ବିମନା ହୋଇପଡ଼ିଛି ଓ ପ୍ରିୟମ୍ୱଦା ସଂଗୀତ ଶେଷ କରି ଅନସୂୟାକୁ ଗାଇବା ପାଇଁ ଅନୁରୋଧ କରୁଛି । ପରିହାସବାଦିନୀ ଅନସୂୟା ଉତ୍ତରିଲା, ‘‘ମୁଁ ଗୀତ ଗାଇଲେ ପରାଣ ଦେବତା ହୋଇଯିବେ ଉପନୀତ ।’’ ହାର ଗୁନ୍ଥା ନ ହେଲେ ଶକୁନ୍ତଳା କ’ଣ ଦେଇ ତାର ପ୍ରାଣେଶ୍ୱରଙ୍କ ପୂଜା ଅର୍ଚ୍ଚନା କରିବ । ଶକୁନ୍ତଳା ମନ ଅନ୍ୟଠାରେ ଥିଲା, ତାଙ୍କ କଥାରେ କାନ ନଥିଲା । ପ୍ରେମ ବିବଶା ଶକୁନ୍ତଳାଙ୍କ ଅନ୍ୟମନସ୍କତା ବୁଝିପାରି ପ୍ରିୟମ୍ୱଦା କେଶ ସଜାଡ଼ିବା ଛଳରେ ତାଙ୍କର କେଶ, କର୍ଣ୍ଣ ଫୁଲର ଅଳଙ୍କାରରେ ସଜାଇ ଦେଲା ।

 

ଶକୁନ୍ତଳାଙ୍କ ପ୍ରାଣର ଦେବତା ଦୁଷ୍ମନ୍ତଙ୍କୁ ଆବାହନ କରି ଅନସୂୟା ଗାଇଲେ ଯେ, ନିର୍ମଳ ଶୁଦ୍ଧ ପ୍ରୀତି କେବେ ବ୍ୟର୍ଥ ହୁଏନା—ନିଶ୍ଚୟ ସଫଳ ହୁଏ । ଯେ ପ୍ରକୃତରେ ସଜ୍ଜନ-ପ୍ରେମିକ ସେ କେବେ ବିଶ୍ୱାସଘାତକତା କରେ ନାହିଁ । ଅମୃତ କେବେ କାହାକୁ ବିସ୍ୱାଦ ଲାଗେନାହିଁ । କେହି ପ୍ରସ୍ଫୁଟିତ ଫୁଲକୁ ପାଦରେ ଦଳି ଦିଏନା । ତେଣୁ ଦୁଷ୍ମନ୍ତ ଦେଖାଦେଇ ଶକୁନ୍ତଳାଙ୍କ ମନରେ ଆନନ୍ଦ ସମ୍ପାଦନ କରିବାକୁ ଅନସୂୟା ଆହ୍ୱାନ କରିଛନ୍ତି । ପ୍ରିୟମ୍ୱଦା ପରିହାସ ଛଳରେ କହିଲେ ଯେ, ଅନସୂୟା ବେଙ୍ଗ ରଡ଼ି ଶୁଣି ବିଜୁଳି ବେଗରେ ନୃପ ଆସିଲେଣି । ‘ନୃପ ଆସିଲେଣି’ ଏତିକି ମାତ୍ର ଶୁଣି ଶକୁନ୍ତଳା ଚକିତ ନୟନରେ ସମ୍ମୁଖକୁ ଚାହିଁ ଦେଖିଲେ ରାଜା କୁଞ୍ଜର ଦ୍ୱାର ଦେଶରେ ଦଣ୍ଡାୟମାନ । ଲଜ୍ଜାରେ ତିନିବନ୍ଧୁ ସଂକୁଚିତା ହୋଇ ଅବନତ ମସ୍ତକରେ ଉଭା ହେଲେ । ପ୍ରିୟମ୍ୱଦା ରାଜାଙ୍କ ପଦଧୌତ କରିବାକୁ ଶକୁନ୍ତଳାଙ୍କୁ ସଂକେତ କଲା । ଶକୁନ୍ତଳା ଅନସୂୟାଙ୍କ ପ୍ରତି ସେହି ଭାର ଅର୍ପଣ କଲେ । କିନ୍ତୁ ତାଙ୍କର ମନ ଚାହୁଁଥିଲା ଅନସୂୟା ସମ୍ମତ ନ ହେଉ । ଅନସୂୟା ମଧ୍ୟ ସଖୀର ଭାର ସଖୀ ନିଜେ ବହନ କରୁ ବୋଲି ଉପଦେଶ ଦେଲା । ଅନସୂୟା ଅସମ୍ମତ ହେବାରୁ ପ୍ରେମକମ୍ପିତ ହସ୍ତରେ ଶକୁନ୍ତଳା ରାଜାଙ୍କ ପଦଧୌତ କଲେ—ପ୍ରିୟମ୍ୱଦା କଅଁଳିଆ ପତ୍ରରେ କୋମଳ ଆସନ ସଜାଇଦେଲା । ରାଜା ରତ୍ନସିଂହାସନଠାରୁ ସେହି ଆସନକୁ ଅଧିକ ସୁଖପ୍ରଦ ମନେ କଲେ । ସଖୀଙ୍କ ନିର୍ଦ୍ଦେଶରେ ଶକୁନ୍ତଳା ସପ୍ରେମ ଚିତ୍ତରେ ରାଜାଙ୍କ କଣ୍ଠରେ ପୁଷ୍ପହାର ମଣ୍ଡି ଦେଲେ ।

 

ପରିହାସବାଦିନୀ ପ୍ରିୟମ୍ୱଦା ସହାସ୍ୟରେ କହିଲେ—‘‘ସଖୀ ଋଷିକୁମାରୀ ହୋଇଥିବାରୁ ରାଜାଙ୍କ ପରି ବିଶିଷ୍ଟ ଅତିଥିଙ୍କୁ କ’ଣ ଦେଇ ବା ପୂଜା କରିବେ ? ଶକୁନ୍ତଳାଙ୍କ ହସ୍ତ ଧାରଣରୁ ଜଣାଯାଇଛି ଯେ, ତୁମ୍ଭେ ସ୍ୱଭାବରେ ଉଦାର । ତେଣୁ ହେ ଉଦାର ! ଆମ୍ଭେ ମୁନିକନ୍ୟା ଅଧିକା ଖାଲି ଏସବୁ କହୁଅଛୁ । ଏହି ତପୋବନରେ କେବଳ ଫୁଲହାର ଅଛି । ସେତିକିରେ ସନ୍ତୁଷ୍ଟ ହୋଇ ତପସ୍ୱୀଙ୍କୁ ଧନ୍ୟ କର । ଏହାର ଶ୍ଳେଷାର୍ଥ ହେଉଛି–ଗତକାଲି ହସ୍ତ ଗ୍ରହଣରୁ (ବିବାହର ସର୍ବଶ୍ରେଷ୍ଠ ଅନୁଷ୍ଠାନ) ବୁଝିଛୁ । ତୁମ୍ଭେ ମହତ୍ ସ୍ୱଭାବର ବ୍ୟକ୍ତି । ଆମେ ବାହୁଲ୍ୟ ମାତ୍ରେ କହୁଅଛୁ ଯେ, ମୁନିକୁମାରୀ ଶକୁନ୍ତଳା ତୁମ୍ଭର ଦାରା (ପତ୍ନୀ) ହେଉ ।

 

ଏ ତପୋବନରେ କୁମାରୀ କନ୍ୟା ଶକୁନ୍ତଳା ରୂପୀ ଫୁଲହାର ବିଦ୍ୟମାନ—ସେଥିରେ ତୃପ୍ତ ହୋଇ ତାପସକୂଳକୁ କୃତାର୍ଥ କର ।

 

‘ମଳୁ ଖୋଜୁଥିଲା ଯାହା, ବଇଦ ବତେଇଲା ତାହା’ ନ୍ୟାୟରେ ରାଜା ନିଜକୁ ପରମ ସୌଭାଗ୍ୟବାନ୍ ମନେକଲେ । ପ୍ରିୟମ୍ୱଦାକୁ କହିଲେ ଯେ, ତପସ୍ୟାର ଫଳ ରାଜାଙ୍କର ଖଜଣା ଭାବରେ ପ୍ରାପ୍ୟ । ତପସ୍ୱୀମାନେ ତାକୁ ହୃଦୟର ମାଳା କରିଦେଲେ । ପକ୍ଷାନ୍ତରେ ତପସ୍ୱିନୀ ଶକୁନ୍ତଳାର ହସ୍ତକୁ ମୋ କଣ୍ଠର ହାର କରିଦେଲା । ପ୍ରିୟମ୍ୱଦା ପୁନଶ୍ଚ ସଂଶୟ ପ୍ରକାଶ କରି କହିଲେ ଯେ, ରାଜାଙ୍କ ଅନ୍ତଃପୁରର ଉଦ୍ୟାନରେ କେତେ ଭଲ ଭଲ ଫୁଲ ଅଛି, ସେଠି ବନଫୁଲ ଆଦରଣୀୟ ହେବ ତ ? ଅନ୍ୟ ପକ୍ଷରେ ରାଜାଙ୍କ ଅନ୍ତଃପୁରରେ ବହୁ ଶ୍ରେଷ୍ଠା ସୁନ୍ଦରୀ ବିଦ୍ୟମାନ–ସେ ସ୍ଥଳରେ ବନଫୁଲ ଶକୁନ୍ତଳା ସମାଜର ଲାଭ କରିବେ ତ ? ଶକୁନ୍ତଳାଙ୍କୁ ସ୍ୱର୍ଗୀୟ ସୁମନରି ଗୌରବ ଦାନ କରି ରାଜା କହିଲେ ଯେ, ନନ୍ଦନ କାନନର ପାରିଜାତ ପାଖରେ ପାର୍ଥିବ ଫୁଲ ସବୁ ଅବହେଳିତ ହୋଇଥାଆନ୍ତି । ଜଣେ ସଖୀ ଅନ୍ୟ ଜଣକୁ କହିଲା ଯେ, ସଂସାରରେ ନଦୀ, ନଖୀ ଓ ନରପତିଙ୍କୁ ବିଶ୍ୱାସ କରିବା ଅନୁଚିତ । ତେଣୁ ଶକୁନ୍ତଳାର ସନ୍ତାନର ଭବିଷ୍ୟତ କ’ଣ ? ରାଜା ବକ୍ରୋକ୍ତିରେ ଶକୁନ୍ତଳାର ପୁତ୍ର ତାଙ୍କର ପରବର୍ତ୍ତୀ ଅଧିକାରୀ ହେବ ବୋଲି ଜଣାଇଦେଲେ-। ରାଜାଙ୍କର ଚାତୁର୍ଯ୍ୟୋକ୍ତ ତପସ୍ୱିନୀଙ୍କ ନୀରସ ହୃଦୟକୁ ସରସତାରେ ଭରିଦେଲା । ପ୍ରେମ ଓ ଆନନ୍ଦର ପ୍ରାବଲ୍ୟରେ ହିତାହିତ ଜ୍ଞାନଶୂନ୍ୟ ହୋଇ ସେମାନଙ୍କର ମନ ବାଟ ହୁଡ଼ିଲା । ସବୁ ଜାଣି କିଛି ନ ଜାଣିଲା ପରି ଆନନ୍ଦ ଗଦ୍‌ଗଦ ହୃଦୟରେ ଲଜ୍ଜାବନତ ହୋଇ ଶକୁନ୍ତଳା ସେଠି ରହିଥାନ୍ତି-। ମୃଗ ଶାବକର ପରିଚର୍ଯ୍ୟା ଛଳରେ ଶକୁନ୍ତଳା ଓ ଦୁଷ୍ମନ୍ତଙ୍କୁ ନିଭୃତ ଆଳାପର ସୁଯୋଗ ଦେଇ ପ୍ରିୟମ୍ୱଦା ଓ ଅନସୂୟା ସେ ସ୍ଥାନ ତ୍ୟାଗ କଲେ ।

 

ବାକ୍‌ଚାତୁରୀରେ ନିପୁଣ ଦୁଷ୍ମନ୍ତ ଓ ଶକୁନ୍ତଳାଙ୍କ କଥୋପକଥନରେ ସମୟ ଆନନ୍ଦରେ ବିତିଗଲା । ସୂର୍ଯ୍ୟ ଦୁହିଁଙ୍କର ପ୍ରେମ ରୀତି ଦେଖି ଉଗ୍ରତା ତ୍ୟାଗ କରି ସ୍ନିଗ୍‌ଧ କମନୀୟ ମୂର୍ତ୍ତି ଧାରଣ କଲେ । ପ୍ରିୟତମା ଛାୟାଙ୍କ ଉଦ୍ଦେଶ୍ୟରେ ସୂର୍ଯ୍ୟ ହସ୍ତ ପ୍ରସାରଣ କରିବାରୁ ଛାୟା ମଧ୍ୟ ହୃଷ୍ଟ ଚିତ୍ତରେ ବୃକ୍ଷ ତଳ ତ୍ୟାଗ କରି ଉଦୟ ପର୍ବତ ଅଭିମୁଖରେ ଚଞ୍ଚଳ ପଦରେ ଯାତ୍ରା କଲା । ସୂର୍ଯ୍ୟ ଅସ୍ତମିତ ହେବାରୁ ଚତୁରୀ ପ୍ରିୟମ୍ୱଦା ସନ୍ଧ୍ୟାର ଆଗମନ ବାର୍ତ୍ତା ଜଣାଇ ଡାକ ଦେଲେ ଯେ, ପଦ୍ମକୁ ଛାଡ଼ି ସୂର୍ଯ୍ୟ ଓ ଚକ୍ରବାକୀକୁ ତ୍ୟାଗ କରି ଚକ୍ରବାକ ଗଲେଣି । ଅର୍ଥାତ୍ ଇଙ୍ଗିତରେ ଜଣାଇ ଦେଲେ ବିଚ୍ଛେଦର ସମୟ ସମାଗତ ।

 

ଦୁଷ୍ମନ୍ତ ସ୍ୱଶିବିରକୁ ପ୍ରତ୍ୟାବର୍ତ୍ତନ କଲେ, ହୃଦୟରେ ପ୍ରଣୟ ପୁଷ୍ପ ବିକଶିତ କରି ଶକୁନ୍ତଳା ଫେରିଲେ କୁଟୀରକୁ । ବିଚ୍ଛେଦ ସମୟରେ ରାଜାଙ୍କାର ତୃଷିତ ନୟନର ସପ୍ରେମ ଦୃଷ୍ଟିକୁ ଭାବି ଭାବି ପ୍ରଣୟ-ବିଳାସିନୀ ଶକୁନ୍ତଳା ରାତ୍ରି ଯାପନ କଲେ । ତପୋବନରେ ଚାରି ଦିନ ଅତିବାହିତ କରି ଶକୁନ୍ତଳାଙ୍କ ସହିତ ନାନା ବିଧ ଆନନ୍ଦ ବିଳାସରେ ମାତି ରାଜ୍ୟକୁ ଫେରି ଗଲେ । ପରେ ଶକୁନ୍ତଳାଙ୍କୁ ଘେନିଯିବା ପାଇଁ ଆଶ୍ୱାସନା ଦେଇଗଲେ ।

 

ଚତୁର୍ଥ ସର୍ଗ—

 

କର୍ତ୍ତବ୍ୟର ଆହ୍ୱାନରେ ରାଜା ଗଲେ ନିଜ ନଗରୀକୁ, ଭାଗ୍ୟକୁ ଆଦରି ଶକୁନ୍ତଳା ରହିଲେ ଆଶ୍ରମରେ । ରାଜାଙ୍କର ବିଭିନ୍ନ ଲୀଳା କୌତୁକ ଆମୋଦ କଥା ତାଙ୍କ ହୃଦୟ ପଟରେ ଉଦ୍ଭାସିତ ହେଲା । ରାଜାଙ୍କର ସୁଖମୟ ସ୍ମୃତିରେ ମନ ପରିପୂର୍ଣ୍ଣ କରି ତାଙ୍କର ଚିରାଚରିତ କର୍ମରେ ସେ ଅବହେଳା ପ୍ରଦର୍ଶନ କଲେ । ତାଙ୍କ ଆଖିରେ ସବୁବେଳେ ଭାସି ବୁଲିଲା ରାଜ ଅନ୍ତଃପୁର, ରାଜକୀୟ ଐଶ୍ଚର୍ଯ୍ୟ, ନଗର, ହାତୀ ଘୋଡ଼ା, ଦାସ ଦାସୀ—ସେ ଭୁଲିଗଲେ ସେ ବନବାସିନୀ ତପସ୍ୱିନୀ । ସଖୀମାନଙ୍କୁ ଛାଡ଼ି ଯିବାପାଇଁ ଦୁଃଖ ହେଲେ ବି ସ୍ୱାମୀଗୃହ ଯିବା ପାଇଁ ସେ ଉନ୍ମୁଖ ହୋଇ ଉଠୁଥିଲେ । ପଶୁପକ୍ଷୀ ବନଲତା ପ୍ରତି ସସ୍ନେହ ଦୃଷ୍ଟି ସଞ୍ଚାଳନ କରି ବିରହବ୍ୟଥାରେ କାତର ହୋଇ ପଡ଼ୁଥିଲେ । ପ୍ରଥମେ ସମୟ ପାଣି ପରି ବହିଗଲା—କିନ୍ତୁ ଦୀର୍ଘଦିନ ଧରି ଦୁଷ୍ମନ୍ତଙ୍କୁ ନ ଦେଖି ଶକୁନ୍ତଳା ଉତ୍କଣ୍ଠିତ ହେଲେ । ଶକୁନ୍ତଳା ଏକାକିନୀ ଆଶ୍ରମରେ ବସି ଦୁଷ୍ମନ୍ତଙ୍କ ସହିତ ତାଙ୍କର ମିଳନର ଘଟଣାଗୁଡ଼ିକ କଳ୍ପନା—ନେତ୍ରରେ ଦେଖି ଅତୀତ ସ୍ମୃତିରେ ମଜ୍ଜିଗଲେ । ଏଇ ଅବକାଶରେ ଦୁର୍ବାସା କୁଟୀର ଦ୍ୱାରରେ ଉପଗତ ହେଲେ–କିନ୍ତୁ ଶକୁନ୍ତଳା ତାଙ୍କୁ ସମ୍ଭାଷଣ କଲେ ନାହିଁ । ‘ଅତିଥି ମୁଁ’ ବୋଲି କହିବା ସତ୍ତ୍ୱେ ଶକୁନ୍ତଳା ନିରୁତ୍ତର ରହିବାରୁ ଦୁର୍ବାସା ଅତ୍ୟନ୍ତ ଅପମାନିତ ଓ କୁପିତ ହୋଇ ତାଙ୍କୁ ଅଭିଶାପ ଦେଲେ ଯେ, ମୁନିଙ୍କ ଆଶ୍ରମରେ ରହି କର୍ତ୍ତବ୍ୟରେ ଅବହେଳା ଓ ପୂଜ୍ୟ ବ୍ୟକ୍ତିକୁ ଅସମ୍ମାନ କରିବାରୁ ସେ ଯାହାଠାରେ ଧ୍ୟାନ ରଖିଛନ୍ତି, ସେ ବ୍ୟକ୍ତି ତାଙ୍କୁ ଚିହ୍ନି ପାରିବ ନାହିଁ । ଶକୁନ୍ତଳା ଏପରି ଭାବନାରେ ମଗ୍ନ ଥିଲେ ଯେ, ଅଭିଶାପର ବୃତ୍ତାନ୍ତ ଜାଣିପାରିଲେ ନାହିଁ । ମାତ୍ର ସଦାସଜାଗ ସଖୀଦ୍ୱୟ ଏ କଥା ଜାଣି ପାରି ସଦୟଚିତ୍ତ ହୋଇ ଶକୁନ୍ତଳାଙ୍କୁ କ୍ଷମା କରିବାକୁ ମୁନିଙ୍କୁ ଅନୁରୋଧ କଲେ । ତାଙ୍କର ବିନୟ ବଚନରେ ଦ୍ରବୀଭୂତ ହୋଇ ଦୁର୍ବାସା କହିଲେ, ଶକୁନ୍ତଳା ଯାହାଙ୍କୁ ଭାବୁଥିଲା ତାର ଯଦି କିଛି ଚିହ୍ନ ଥାଏ, ତେବେ ତାକୁ ଦେଖାଇଲେ ସେ ଚିହ୍ନି ପାରିବେ । ସୁବର୍ଣ୍ଣ ମୁଦ୍ରିକା କଥା ଭାବି ସଖୀଦ୍ୱୟ ଆଶ୍ୱସ୍ତ ହେଲେ । ଜଣେ ସଂଶୟ ପ୍ରକାଶ କରି କହିଲା ଯେ, ରାଜା ଦ୍ୱୈତ ଅର୍ଥରେ ସମ୍ଭାଷଣ କରୁଥିଲେ–ଯଦି ସେ ଭିନ୍ନ ଅର୍ଥ କରନ୍ତି, ତେବେ ଶକୁନ୍ତଳାର ଜୀବନ କଳଙ୍କିତ ହେବ । ଅନ୍ୟ ଜଣକ କହିଲା ଯେ, ଚରିତ୍ରବାନ ସାଧୁ ବ୍ୟକ୍ତିଙ୍କର କଥା ଓ କାର୍ଯ୍ୟରେ ପାର୍ଥକ୍ୟ ନଥାଏ । ରାଜାଙ୍କ କଥାରେ ବା କାର୍ଯ୍ୟରେ ଶଠତା ବା ଛଳନା ନଥିଲା । କିନ୍ତୁ ମୁନିଙ୍କ ଅଭିଶାପ ତାଙ୍କର ସ୍ମୃତି ନଷ୍ଟ କରିଦେବ । ତେଣୁ ସେ ତାଙ୍କର ପ୍ରତିଶ୍ରୁତି ରକ୍ଷା କରି ଆଉ ଆସି ନ ପାରନ୍ତି । ତାର ପ୍ରତିକାର କରିବାକୁ ହେବ । ସରଳା ଶକୁନ୍ତଳା ନିଜ ଭାଗ୍ୟର ବିଡ଼ମ୍ୱନା ସମ୍ୱନ୍ଧରେ କିଛି ନ ଜାଣି ଭୂତଳରେ ଦୁଷ୍ମନ୍ତ ନାମ ଲେଖି ବାରମ୍ୱାର ତାରି ଉପରେ ଅଙ୍ଗୁଳି ଚାଳନାରେ ରତ । ସଖୀମାନେ ପରିହାସ କରିବାରୁ ସଂବିତ୍ ଲାଭ କରି ଲଜ୍ଜାରେ ସଂକୁଚିତ ହୋଇ ନାମଟି ଲିଭାଇ ନିଜ ଲଲାଟରେ ପୋଛି ଦେଲା । ତା’ପରେ ତିନିଜଣ ମିଶି ମନ୍ଦିରକୁ ଯାଇ ଦେବତାର ଅର୍ଚ୍ଚନା କଲେ ।

 

କିଛି ଦିନ ପରେ କଣ୍ୱମୁନି ଆଶ୍ରମକୁ ପ୍ରତ୍ୟାବର୍ତ୍ତନ କଲେ । ଶକୁନ୍ତଳା ମୁନିଙ୍କୁ ପ୍ରଣାମ କରି ଲଜ୍ଜାରେ ଅତି ଶୀଘ୍ର ସେ ସ୍ଥାନ ତ୍ୟାଗ କଲେ । ଅନ୍ୟମାନଙ୍କୁ କୁଶଳ ଜିଜ୍ଞାସା କରି ମୁନି ଓ ଅନ୍ୟ ତାପସମାନେ ନିଜ ନିଜ କାର୍ଯ୍ୟରେ ନିରତ ହେଲେ । କିନ୍ତୁ ଶକୁନ୍ତଳାର ବ୍ୟବହାରରେ ଭିନ୍ନ ଭାବ ଦେଖି ମୁନି ଚିନ୍ତିତ ହେଲେ ବୃକ୍ଷ ଡାଳରେ ବସିଥିବା କାକର ରାବରୁ ସମସ୍ତ ଘଟଣା ଅବଗତ ହୋଇ ମୁନି ଆନନ୍ଦିତ ହେଲେ । ଦୁଷ୍ମନ୍ତ ଓ ଶକୁନ୍ତଳାଙ୍କ ପ୍ରଣୟ ତଥା ଶକୁନ୍ତଳାଙ୍କ ଅନ୍ତଃସତ୍ତ୍ୱା ହେବାର କଥା ଜାଣି ମୁନି ତାର ପ୍ରତିବିଧାନ ପାଇଁ ତତ୍ପର ହେଲେ । ଗୌତମୀଙ୍କୁ ଡାକି ଦୁଇଜଣ ତାପସଙ୍କୁ ଶକୁନ୍ତଳାଙ୍କୁ ହସ୍ତିନାପୁରରେ ଛାଡ଼ିଦେଇ ଆସିବାକୁ କଣ୍ୱମୁନି ନିର୍ଦ୍ଦେଶ ଦେଲେ । ଗୌତମୀ ଶକୁନ୍ତଳାଙ୍କ ସୌଭାଗ୍ୟରେ ଯେତିକି ଆନନ୍ଦିତା ହେଲେ, ନୟନର ପିତୁଳୀ ସବୁଦିନ ପାଇଁ ତାଙ୍କୁ ଛାଡ଼ିଯିବ ଭାବି ସେତିକି ବିଷାଦିତା ହେଲେ । ଏକଥା ଆଶ୍ରମରେ ପ୍ରଚାରିତ ହୁଅନ୍ତେ ସମସ୍ତେ ସୁଖରେ ନାନା ମନ୍ତବ୍ୟ ପ୍ରକାଶ କଲେ । ପ୍ରିୟମ୍ୱଦା ଓ ଅନସୂୟାଙ୍କ ଚିନ୍ତା ଦୂର ହେଲା । ଶକୁନ୍ତଳା ପିତାଙ୍କର କ୍ଷମାଶୀଳ ମୂର୍ତ୍ତି କଥା ଭାବି ବିସ୍ମିତ ହେଲେ । କଣ୍ୱଙ୍କ ଅନୁମତି ନ ନେଇ ଦୁଷ୍ମନ୍ତଙ୍କୁ ବରଣ କରିଥିବାରୁ ସେ ନିଜକୁ ଅପରାଧିନୀ ମନେକରି ଅତ୍ୟନ୍ତ ଅସ୍ଥିର ଓ ବ୍ୟାକୁଳ ହୋଇପଡ଼ିଥିଲେ । କିନ୍ତୁ କଣ୍ୱଙ୍କ ଗଭୀର ସ୍ନେହର ପରିଚୟ ପାଇ ସେ ଉତ୍‌ଫୁଲ୍ଲିତ ହେଲେ । ପୁଣି ଦୁଷ୍ମନ୍ତଙ୍କ ଗଭୀର ପ୍ରେମ ପ୍ରତି ମଧ୍ୟ ସେ ଶ୍ରଦ୍ଧାନ୍ୱିତା । ସାଗର ସହିତ ମିଳିତ ହେବା ପାଇଁ ସରିତର ଯେଉଁ ବ୍ୟାକୁଳତା, ସେହିପରି ଆକୁଳତା ଶକୁନ୍ତଳାଙ୍କ ଭାବନାରେ ପ୍ରକଟିତ ।

 

ସମଗ୍ର ତପୋବନରେ ଶକୁନ୍ତଳାଙ୍କ ବିଦାୟ ପ୍ରସ୍ତୁତି ଆରମ୍ଭ ହୋଇଗଲା । ଶକୁନ୍ତଳାଙ୍କୁ ସମସ୍ତେ ପ୍ରଗାଢ଼ ପ୍ରୀତିରେ ବାନ୍ଧି ରଖିବାକୁ ଚାହୁଁଥାନ୍ତି—ଶକୁନ୍ତଳା ନିବିଡ଼ ମମତାରେ ସମସ୍ତଙ୍କୁ ସ୍ନେହ ସମ୍ଭାଷଣ ଜଣାଉଥାନ୍ତି । କେଡ଼େ ଚଞ୍ଚଳ ଦିନଟି ବିତିଗଲା । ସଂଧ୍ୟା ଉପଗତ ହୁଅନ୍ତେ ଶକୁନ୍ତଳା, ପ୍ରିୟମ୍ବଦା, ଅନସୂୟା ମନଖୋଲି ନିଭୃତ ଆଳାପରେ ରତ ହେଲେ—ନିଦ୍ରା ଦୂରେଇଗଲା-। ବହୁ ସମୟ ପରେ ସ୍ୱପ୍ନ କୋଳରେ ଭାସି ଭାସି ଶକୁନ୍ତଳା ହସ୍ତିନାରେ ପହଞ୍ଚିଲେ-। ଆଶ୍ରମର ପୃଷ୍ଠଭୂମି ପରେ ରାଜଐଶ୍ଚର୍ଯ୍ୟର ଲୀଳା ବିଭବ ଦର୍ଶନ କଲେ । ରାତି ନ ପାହୁଣୁ ଗୌତମୀ ଶକୁନ୍ତଳାଙ୍କୁ ଆହ୍ୱାନ କଲେ । ସ୍ୱପ୍ନାଚ୍ଛନ୍ନ ଶକୁନ୍ତଳାଙ୍କର ମନେ ହେଲା, ରାଜ ଅନ୍ତଃପୂରରେ କେହି ତାଙ୍କୁ ନାମ ଧରି ଆହ୍ୱାନ କରୁଛି । ପ୍ରିୟମ୍ବଦାର ଆହ୍ୱାନରେ ନିଦ୍ରାଭଙ୍ଗ ହେବାରୁ ଦେଖିଲେ, ଐଶ୍ଚର୍ଯ୍ୟର ପ୍ରାସାଦରୁ ବହୁ ଦୂରରେ ଆଶ୍ରମ କୁଟୀରରେ ସେ ଅବସ୍ଥାନ କରୁଅଛି ।

 

ରାତ୍ରିର ଅବସାନ ଓ ପ୍ରଭାତର ଆଗମନ ବାର୍ତ୍ତା ଦେଇ ଗୌତମୀ ପୁନର୍ବାର ତିନି ସଖୀଙ୍କୁ ଆହ୍ୱାନ କଲେ । ନିଦ୍ରିତ ଅବସ୍ଥାରେ ଥିବା ସମୟରେ ଚୋର ଧନ ଅପହରଣ କରି ନେଲା ପରି କାଉମାନେ ଚମକିତ ହୋଇ କା କା ରାବରେ ଚତୁର୍ଦ୍ଦିଗ ମୁଖରିତ କଲେ । ସଖୀ ଶକୁନ୍ତଳାଙ୍କ ଅଙ୍ଗରେ ତୀର୍ଥ ମାଟି ବୋଳି କୁଙ୍କୁମ, ଗୋରଚନା ଓ ନାଗେଶ୍ୱର ଚୂର୍ଣ୍ଣ ମିଶାଇ ସ୍ନାନ ମାର୍ଜନା କରାଇଲେ । ସ୍ନାନାନ୍ତେ ସୁନ୍ଦର ସୂକ୍ଷ୍ମ ବସ୍ତ୍ର ପରିଧାନ କରି ଗୁରୁଜନଙ୍କୁ ପ୍ରଣାମ କରି ଶୁଭାଶିଷ ଗ୍ରହଣ କଲେ । ଗୌତମୀ ତାଙ୍କୁ ରାଜ ରାଜେଶ୍ୱରୀ ହେବାକୁ ଆଶୀର୍ବାଦ କଲେ । ଅନ୍ୟ କେହି ସୀତାଙ୍କ ପରି ବୀରପ୍ରସବିନୀ ହେବାକୁ ଆଶିଷିଲା । ଏକଥା ଶୁଣି କେହି ଭାବିଲା ଯେ, ସୀତା ନିର୍ବାସିତା ହୋଇ ବୀରପୁତ୍ର ପ୍ରସବ କରିଥିଲେ । ଯଥାର୍ଥରେ ଶକୁନ୍ତଳା ମଧ୍ୟ ମାରୀଚ ଆଶ୍ରମରେ ଭରତଙ୍କୁ ଜନ୍ମ ଦେଇଥିଲେ । ରାତ୍ର ଅବସାନ ହେଲା । ସୂର୍ଯ୍ୟ ଉଦିତ ହେବାରୁ ପଶୁପକ୍ଷୀ ନିଦ୍ରା ତ୍ୟାଗ କଲେ-

 

କଣ୍ୱଙ୍କ ନିର୍ଦ୍ଦେଶରେ ଋଷିକୁମାର ହାରୀତ ଅଳଙ୍କାରପୂର୍ଣ୍ଣ ଥାଳି ଆଣି ଉପସ୍ଥାପନ କଲେ-। ସେହି ବିଚିତ୍ର ଉଜ୍ଜଳ ଅପୂର୍ବ ସୁନ୍ଦର ଭୂଷଣ ଦେଖି କିଏ ଭାବିଲା କନ୍ୟା ପ୍ରତି ମମତା ପରବଶ ହୋଇ ଅପ୍‌ସରା ମେନକା ସେ ସବୁ ଦେଇଛନ୍ତି । କିଏ ବା କଣ୍ୱ ନିଜର ଗେହ୍ଲା ଦୁହିତା ପାଇଁ ପୂର୍ବରୁ ଏସବୁ ସଞ୍ଚିତ କରି ରଖିଥିଲେ ବୋଲି ମନେକଲା । ହାରୀତ କହିଲେ ଯେ, ମୁନିଙ୍କ ତପଃ ପ୍ରଭାବରେ ଏସବୁ ଲାଭ କିଛି ବିଚିତ୍ର ନୁହେ । ମୁନି ଉଦ୍ୟାନର ବୃକ୍ଷରାଜି ଧନାଗାର ସଦୃଶ-। ରାଜାମାନେ ମୁନିଙ୍କୁ ଏସବୁ ଦେବା ଅତ୍ୟନ୍ତ ସ୍ୱାଭାବିକ । ସିଦ୍ଧ ତପସ୍ୱୀ ଅଳଙ୍କାର ପ୍ରତି ଆକୃଷ୍ଟ ହୁଅନ୍ତି ନାହିଁ; ପରନ୍ତୁ ଅଳଙ୍କାର ପବିତ୍ର ହେବା ମାନସରେ ତାଙ୍କ ନିକଟକୁ ଆସନ୍ତି-। ମୁନିଙ୍କ ଆଦେଶରେ ହାରୀତ ଉଦ୍ୟାନରେ ବୁଲି ହାତ ବଢ଼ାଇବା ମାତ୍ରେ କେଉଁ ଅଦୃଶ୍ୟ ସ୍ଥଳରୁ ଅଳଙ୍କାର ସବୁ ଆସି ପତ୍ରରେ ପୂର୍ଣ୍ଣ ହେଲେ । ଭୂଷା–ଅନଭିଜ୍ଞା ତପସ୍ୱିନୀଗଣ କେଉଁଠାରେ କ’ଣ ଖଞ୍ଜିବେ, ବୁଝି ନପାରିବାରୁ ଜଣେ ପରିବ୍ରାଜିକା ସେସବୁର ଯଥାଯୋଗ୍ୟ ଉପଯୋଗ ସମ୍ବନ୍ଧରେ ନିର୍ଦ୍ଦେଶ ଦେଲା । ଶକୁନ୍ତଳା ଅଙ୍ଗରେ ମଣ୍ଡିତ ହୋଇ ଅଳଙ୍କାର କୃତାର୍ଥ ହେଲେ । ଶକୁନ୍ତଳା ଅତି ସୁନ୍ଦର ପାଟଶାଢ଼ୀ ପିନ୍ଧି ଜୀବନରେ ପ୍ରଥମଥର ପାଇଁ ବଳ୍‌କଳ ଓ ପାଟ ଲୁଗାର ପାର୍ଥକ୍ୟ ଅନୁଭବ କଲେ-

 

ଆଜନ୍ମବ୍ରହ୍ମଚାରୀ ସଂସାରବିଚାରୀ କଣ୍ୱମୁନି ଶକୁନ୍ତଳାଙ୍କୁ ପତିଗୃହ ପ୍ରେରଣ କରିବା ସମ୍ଭାବନାରେ ଦୁଃଖରେ ବିଚଳିତ ହେଲେ । ଶକୁନ୍ତଳା ତାଙ୍କୁ ପ୍ରଣାମ କରିବାରୁ ଆଶୀର୍ବାଦ ଦେଇ ମୁନି କହିଲେ, ‘‘ସାଗରତୁଲ୍ୟ ସର୍ବସୌଭାଗ୍ୟମନ୍ତ ସ୍ୱାମୀଙ୍କ ପ୍ରତି ତୁ ସ୍ୱର୍ଗର ମନ୍ଦାକିନୀ ପରି ପବିତ୍ର ସ୍ୱଚ୍ଛ ହୁଅ । ରାଜଚକ୍ରବର୍ତ୍ତୀ ଚିହ୍ନଧାରୀ ସୁଲକ୍ଷଣଯୁକ୍ତ ପୁତ୍ର ଲାଭକର ।’’

 

ମନକୁ ସ୍ଥିର କରି କଣ୍ୱ ଉପଦେଶ ଦେଇ କହିଲେ, ‘‘ମା, ତୁ ଆଜି ସ୍ୱାମୀଗୃହକୁ ଯିବୁ । ଆଜିଯାଏ ଆଶ୍ରମର ଶାନ୍ତ ପରିବେଶରେ ସଖୀମାନଙ୍କ ସହ ହସିଖେଳି ଜୀବନ ବିତାଇଥିଲୁ—ଏଥର ଜଟିଳ ସଂସାର ମଧ୍ୟରେ ପ୍ରବେଶ କରିବୁ । ସ୍ୱାମୀଙ୍କର ପାଦ ସଂସାର ସାଗରରେ ନୌକା ସ୍ୱରୂପ । ନାରୀ ନିକଟରେ ସ୍ୱାମୀ ସାକ୍ଷାତ ଭଗବାନ । ପତିବ୍ରତା ନାରୀର ଲକ୍ଷ୍ମୀ ଚିରକାଳ ସହାୟ, ସ୍ୱାମୀ ଗୁରୁତୁଲ୍ୟ, ପରମାତ୍ମୀୟ, ତାଙ୍କରି ପାଦତଳେ ପୂଜା ବାଢ଼ି ସଂସାର କର୍ମରେ ନିୟୋଜିତ ହେବା ଆବଶ୍ୟକ । ସେ ଯାହା କହିବେ, ତା’ ପାଳନ କରିବୁ । ଯାହା ମନା କରିବେ, ସେଥିରେ ମନ ବଳାଇବୁ ନାହିଁ । ସ୍ୱାମୀଙ୍କୁ ଦର୍ଶନ କରି ମନର ଦୁଃଖ ପାଶୋରିଦେବୁ । ତାଙ୍କ ସହିତ ଥଟ୍ଟା ପରିହାସ କରିବୁ ନାହିଁ । ସେ ଖାଇ ସାରିବା ପରେ ଖାଇବୁ, ଶୋଇବା ପରେ ଶୋଇବୁ—ସେ ଶଯ୍ୟା ତ୍ୟାଗ କରିବା ପୂର୍ବରୁ ଶଯ୍ୟା ତ୍ୟାଗ କରିବୁ । ସ୍ୱାମୀ ଭିନ୍ନ ଅନ୍ୟ ପୁରୁଷକୁ ଚାହିଁବୁ ନାହିଁ—ଭାଇ ହେଲେ ବି ନିର୍ଜ୍ଜନରେ ତା’ ସହିତ ସାକ୍ଷାତ କରିବୁ ନାହିଁ । ସ୍ୱାମୀ କୁପିତ ହେଲେ କି ଭତ୍ସନା କଲେ, ତାଙ୍କ ଦୋଷ ନ ଧରି ସେବା ପରିଚର୍ଯ୍ୟା କରିବୁ । ସ୍ୱହସ୍ତରେ ତାଙ୍କ ପାଇଁ ରାନ୍ଧିବୁ ଓ ଖାଇବାକୁ ଦେବୁ । କୌଣସି ନାରୀକୁ ସ୍ୱାମୀଙ୍କ ସେବାରେ ନିଯୁକ୍ତ କରିବୁ ନାହିଁ—ବିନା ଦରମାରେ ଯେଉଁ ଦାସୀ ଥିବ, ତାକୁ ବିତାଡ଼ିତ କରିବୁ । ତୋର ସ୍ୱାମୀ ରାଜ୍ୟର ଭାର ବହନ କରିଛନ୍ତି, ତାଙ୍କର ପାଦତଳେ ତୋର ସ୍ଥାନ—ତେଣୁ ତୋତେ ଅନେକ ଧୈର୍ଯ୍ୟ ଧାରଣ କରି ଜୀବନ ବିତାଇବାକୁ ପଡ଼ିବ—ଏକଥା ଭୁଲିବୁ ନାହିଁ । ଅଳଙ୍କାର, ବସ୍ତ୍ର ପାଇଁ ଅହଙ୍କାର ପ୍ରକାଶ କରିବୁ ନାହିଁ କି ସେଥିପାଇଁ ଅଳି କରିବୁ ନାହିଁ—ଯାହା ଦେବେ, ତା’ ତୋର ଉପଯୁକ୍ତ ଭାବି ସନ୍ତୁଷ୍ଟ ଚିତ୍ତରେ ଗ୍ରହଣ କରିବୁ ।’’

 

ତତ୍ପରେ ଶାଶୁ, ନଣନ୍ଦ, ପୁରର ନରନାରୀ ଗୁରୁଜନଙ୍କ ପ୍ରତି କିପରି ବ୍ୟବହାର ପ୍ରଦର୍ଶନ କରିବାକୁ ହେବ, ସେ ସମ୍ବନ୍ଧରେ ଏକ ସୁଚିନ୍ତିତ ଉପଦେଶ ପ୍ରଦାନ କରି ସଂସାର-ଅନଭିଜ୍ଞା ସରଳା ଶକୁନ୍ତଳାଙ୍କୁ ମୁନି ସଚେତନ କରି ଦେଇଛନ୍ତି ।

 

ସଂସାରର କୁଟିଳଚରିତ୍ର ବ୍ୟକ୍ତିମାନଙ୍କ ପ୍ରତି ସାବଧାନ ହେବା ପାଇଁ କଣ୍ୱ ଉପଦେଶ ଦେଇ କହିଛନ୍ତି, ‘‘କେହି ଅକସ୍ମାତ୍ ଆସି ତୋର ଗୁଣକୀର୍ତ୍ତନ କଲେ ତାକୁ ଶଠ ବୋଲି ଜାଣିବୁ । ସ୍ୱାମୀଙ୍କର ଦୋଷ ବର୍ଣ୍ଣନା କରି ତୋ ମନରେ କ୍ରୋଧ ସୃଷ୍ଟି କରିବାକୁ ଯେଉଁ ନାରୀ ଆସିବ, ତାର ପ୍ରତ୍ୟେକ କଥା ବିଷତୁଲ୍ୟ ମଣି ତାକୁ ଶତ୍ରୁ ଜ୍ଞାନ କରିବୁ । ତପୋବନରେ ସଂକୀର୍ଣ୍ଣ ପରିସରରେ ଯେଉଁ ସ୍ନେହ ମମତା ନ୍ୟସ୍ତ କରିଥିଲୁ, ଆଜିଠାରୁ ଚରାଚର ପୃଥିବୀର ମଙ୍ଗଳ ପାଇଁ ସେ ସ୍ନେହ ଢାଳିଦେବୁ । ସ୍ୱାମୀଙ୍କର ପାଦପଦ୍ମରେ ମତି ରଖି ଗୌତମୀଙ୍କ ସହିତ ଶୁଭଲଗ୍ନରେ ସ୍ୱାମୀ ଗୃହ ଅଭିମୁଖେ ଯାତ୍ରା କର ।’’

 

ମୁନିଙ୍କ ନିର୍ଦ୍ଦେଶରେ ମୁନିକୁମାର ଶାରଦ୍‌ବତ ପଥପ୍ରଦର୍ଶନ କରି ଆଗରେ ଚାଲିଲେ, ତାଙ୍କ ପଛରେ ଗୌତମୀ ଓ ଶକୁନ୍ତଳା—ଏମାନଙ୍କୁ ଅନୁସରଣ କଲେ ଋଷିକୁମାର ଶାର୍ଙ୍ଗରବ । ପଥ ମଧ୍ୟରେ ପଶୁପକ୍ଷୀ ବନଲତା ସମସ୍ତଙ୍କଠାରୁ ବିଦାୟ ନେଲେ ଶକୁନ୍ତଳା–ଶକୁନ୍ତଳାଙ୍କ ବିଚ୍ଛେଦରେ ସମସ୍ତେ ବ୍ୟଥିତ ହୋଇ ପଡ଼ିଲେ । ଜନନୀହରା ମୃଗଶାବକଟିଏ ଶକୁନ୍ତଳାଙ୍କ ଅଞ୍ଚଳ ତଳେ ଆତ୍ମଗୋପନ କରି କେତେ ଦୂର ଆସିବା ପରେ ଶକୁନ୍ତଳା ସେ କଥା ଜାଣି ପାରି କଣ୍ୱଙ୍କୁ ମୃଗଶାବକଟିକୁ ନେଇଯିବା ପାଇଁ ଅତି ଦୁଃଖରେ କହିଲେ । ପୁନଶ୍ଚ ନିଜର ପ୍ରିୟ ବୃକ୍ଷ ଲତା, ପଶୁ ପକ୍ଷୀ ଓ ଅନ୍ତରଙ୍ଗୀ ସଖୀଦ୍ୱୟଙ୍କୁ ଛାଡ଼ି ରାଜପୁରୀର ଅପରିଚିତ ପରିବେଶରେ ଜୀବନ ବିତାଇବା ଶକୁନ୍ତଳାଙ୍କ ପକ୍ଷରେ ଦୁଃସହ ବୋଧ ହୋଇଛି ।

 

ବିଦାୟର ଅନ୍ତିମ ଲଗ୍ନରେ ପ୍ରିୟମ୍ୱଦା ଅଙ୍ଗୁରୀୟକୁ ପ୍ରେମର ପ୍ରଥମ ସଂକେତ ସ୍ୱରୂପ ସଯତ୍ନରେ ରକ୍ଷା କରିବାକୁ ଅନୁରୋଧ କରିଛି । ଅଭିଶାପର ମର୍ମବିଦାରକ ବୃତ୍ତାନ୍ତ ବି ଜଣାଇ ସୁକୌଶଳରେ ମୁଦ୍ରିକା ସମ୍ବନ୍ଧରେ ସଖୀକୁ ସଚେତନ କରିଦେଇଛି ଓ ବସ୍ତ୍ରାଞ୍ଚଳରେ ସଯତ୍ନରେ ବାନ୍ଧି ଦେଇଛି । କଣ୍ୱ ସ୍ୱହସ୍ତଲିଖିତ ପତ୍ରଟିଏ ଦୁଷ୍ମନ୍ତଙ୍କ ଉଦ୍ଦେଶ୍ୟରେ ଶାରଦ୍‌ବତଙ୍କୁ ଦେଇଛନ୍ତି । ପୁଣି କେବେ ତପୋବନର ଶାନ୍ତ ଶୀତଳ ଆବାଲ୍ୟ ପରିଚିତ ପରିବେଶକୁ ଶକୁନ୍ତଳା ଫେରି ଆସିବେ ଜିଜ୍ଞାସା କରିବାରୁ କଣ୍ୱ କହିଛନ୍ତି ଯେ, ଦୁଷ୍ମନ୍ତ ବାନପ୍ରସ୍ଥ ଅବଲମ୍ବନ କରି ଯେତେବେଳେ ଏଇ ତପୋବନକୁ ଆସିବେ, ଶକୁନ୍ତଳା ତାଙ୍କର ପଦସେବାରେ ମୋକ୍ଷ ଲାଭ ପାଇଁ ତାଙ୍କର ଅନୁଗାମୀ ହୋଇ ଆସିବେ । କାହାର ପଦବନ୍ଦନା କରି କାହାକୁ ଆଲିଙ୍ଗନ କରି ଶକୁନ୍ତଳା ସମସ୍ତଙ୍କୁ ଯଥାମାନ୍ୟ ଜଣାଇ ପତିଗୃହଗାମିନୀ ହେଲେ ।

 

ଶକୁନ୍ତଳାଙ୍କ ହୃଦୟରେ ପ୍ରଣୟ-ସୌରଭ ବ୍ୟାପ୍ତ ହୋଇ ଦୀର୍ଘ ପଥ ଅତିକ୍ରମର ଶ୍ରାନ୍ତି ଦୂର କଲା । କଣ୍ୱ ମୁନି ବେଦନାହତ ଚିତ୍ତରେ ମୁନିକୁମାର ଓ କୁମାରୀଙ୍କ ସହ ପ୍ରତ୍ୟାବର୍ତ୍ତନ କରି ନିଜ ନିଜ କର୍ମରେ ବ୍ୟାପୃତ ରହିଲେ ।

 

ପଞ୍ଚମ ସର୍ଗ—

 

ଦୁଷ୍ମନ୍ତଙ୍କ ରାଜସଭାର ଦୃଶ୍ୟ–ମୂର୍ତ୍ତିମନ୍ତ ଧର୍ମ ସଦୃଶ ଦୁଷ୍ମନ୍ତ ରାଜା ବିଚାରବନ୍ତ ନ୍ୟାୟବାନ୍ ମନ୍ତ୍ରୀବର୍ଗ ଓ ପାରିଷଦମଣ୍ଡଳୀ ଦ୍ୱାରା ପରିଶୋଭିତ ହୋଇ ରତ୍ନସିଂହାସନରେ ବିଜେ କରିଛନ୍ତି । ବ୍ରାହ୍ମଣ ଯାଚକର ମନୋବାଞ୍ଛା ପୂର୍ଣ୍ଣ କରିବା ପାଇଁ ଦୁଷ୍ମନ୍ତ ସଦା ପ୍ରସ୍ତୁତ । ତାଙ୍କର ଦକ୍ଷିଣ ହସ୍ତଧୃତ ରାଜଦଣ୍ଡର ତେଜ ପ୍ରଭା ଦର୍ଶନରେ ଶତ୍ରୁ ଶଙ୍କିତ ହେଉଥିଲେ । ଗଜମୁକ୍ତା ଓ ବହୁମୂଲ୍ୟ ରତ୍ନରେ ସଭାମଣ୍ଡପ ଶୋଭିତ । ଗରୁଡ଼ ଗର୍ଜନରେ ସର୍ପ ଆତ୍ମଗୋପନ କଲା ପରି ରାଜାଙ୍କ ଧନୁ ଟଙ୍କାର ଶ୍ରବଣରେ ରାକ୍ଷସମାନେ ଭୟରେ ରାଜ୍ୟ ତ୍ୟାଗ କରୁଥିଲେ । ରାଜା କ୍ଷମାଶୀଳ ଥିଲେ ଓ ଗୁଣୀର ଆଦର କରୁଥିଲେ । ପ୍ରଜାବତ୍ସଳ, ସତ୍ୟନିଷ୍ଠ, ନ୍ୟାୟବାନ, ମହତ୍‌ ଚରିତ୍ର ଭୂଷିତ ରାଜା ଦୁଷ୍ମନ୍ତଙ୍କ କୀର୍ତ୍ତି ଚତୁର୍ଦ୍ଦିଗରେ ବ୍ୟାପିଯାଇଥିଲା । ଏଇ ବିରାଟ ରାଜସଭା ସମ୍ମୁଖରେ ଦଣ୍ଡାୟମାନ ହୋଇ ପ୍ରତିହାରୀ କଣ୍ୱଙ୍କ ଆଶ୍ରମରୁ କଣ୍ୱମୁନିଙ୍କ ପତ୍ର ସହ ଦୁଇଜଣ ତପସ୍ୱୀ, ଜଣେ ବୃଦ୍ଧା ଓ ଜଣେ ତରୁଣୀ ନାରୀ ଆସିଥିବା ସମ୍ୱାଦ ପ୍ରଦାନ କଲା । ରାଜା ଅଗ୍ନିଗୃହରେ ସେମାନଙ୍କ ସହିତ ସାକ୍ଷାତ କରିବାକୁ ନିର୍ଦ୍ଦେଶ ଦେଲେ ।

 

ରାଜପ୍ରାସାଦର ସିଂହଦ୍ୱାରରେ ପ୍ରତୀକ୍ଷାରତା ଶକୁନ୍ତଳା ଭବିଷ୍ୟତର କେତେ ମଧୁର କଳ୍ପନାରେ ପୁଲକ ଅନୁଭବ କରୁଥାନ୍ତି । ମଣିଷ ଭବିଷ୍ୟତକୁ ଦେଖିପାରେ ନାହିଁଶକୁନ୍ତଳା ମଧ୍ୟ ନିଜ ଭାଗ୍ୟର ବିଡ଼ମ୍ୱନାକୁ ଉପଲବ୍‌ଧି କରି ନ ପାରି ସ୍ୱପ୍ନରେ ବିଭୋର ହେଲେ । ପ୍ରତିହାରୀର ଆହ୍ୱାନରେ ସେମାନେ ଅଗ୍ନି ଭବନରେ ପ୍ରବେଶ କଲେ । ରାଜା ଦେଖିଲେ, ପାଷାଣ ଭିତରେ ହୀରା ଝଟକିଲା ପରି ତାପସ ମେଳରେ ଜଣେ ରୂପବତୀ ନାରୀ ବିଦ୍ୟମାନ । ରାଜା ପ୍ରଥମେ କୁଶଳ ଜିଜ୍ଞାସା କରି ପରେ ଆଗମନର ଅଭିପ୍ରାୟ ଜାଣିବାକୁ ଚାହିଁଲେ । କଣ୍ୱମୁନିଙ୍କ ପ୍ରେରିତ ପତ୍ର ଶାରଦ୍‌ବତ ରାଜାଙ୍କୁ ଦେଲେ ଓ ରାଜା ପତ୍ର ପାଠ କରି ଅତ୍ୟନ୍ତ ବିସ୍ମିତ ହେଲେ । ଶକୁନ୍ତଳାଙ୍କ ପ୍ରତି ରାଜା ବିଶ୍ରଦ୍ଧ ଭାବ ପୋଷଣ କରି କଣ୍ୱମୁନିଙ୍କ ପ୍ରବଞ୍ଚନାପୂର୍ଣ୍ଣ ପତ୍ରକୁ ମନେ ମନେ ଧିକ୍‌କାର କଲେ-। ରାଜା ବାରମ୍ୱାର ପତ୍ର ପାଠ କରି ଏ ସବୁ ଦୈବୀ ମାୟା ବୋଲି ମନେକଲେ । ଶକୁନ୍ତଳାଙ୍କର ଅପାର୍ଥିବ ସୌନ୍ଦର୍ଯ୍ୟ ଓ ଅଙ୍ଗରେ ମଣ୍ଡିତ ହୋଇଥିବା ସ୍ୱର୍ଗୀୟ ଭୂଷଣ ତାଙ୍କର ଭାବନାକୁ ଦୃଢ଼ୀଭୂତ କଲା । ଅଗ୍ନି ଭବନର ଅଗ୍ନିରେ ଶକୁନ୍ତଳାଙ୍କ ସବୁ ଆଶା ଆକାଂକ୍ଷା, ସ୍ୱପ୍ନ କଳ୍ପନା ଭସ୍ମୀଭୂତ ହୋଇଯିବ ବୋଲି ସେ ତିଳେମାତ୍ର ବିଶ୍ୱାସ କରି ନ ଥିଲେ । ରାଜା ସମୁଚିତ ଉତ୍ତର ଦେଇ କହିଲେ–ଯଦି ଏ ନାରୀ ଅନ୍ତଃସତ୍ତ୍ୱା ଓ ବିବାହିତା ହୋଇ ନଥାନ୍ତା, ତେବେ କଣ୍ୱମୁନିଙ୍କ ଆଦେଶ ପାଳନ କରିଥାନ୍ତି । କିନ୍ତୁ ଏ ନାରୀକୁ ମୁଁ କେବେ ପୂର୍ବରୁ ଦେଖି ନାହିଁ କି ଏହା ସହିତ ମୋର ପରିଣୟ ଘଟିନାହିଁ । କଣ୍ୱମୁନି ନିଜେ ପୁରୁବଂଶୀ ହୋଇ ନିଜ ବଂଶରେ ଏପରି କଳଙ୍କ କାଳିମା ଲେପନ କରିବାକୁ କିପରି ଇଚ୍ଛା ପ୍ରକାଶ କଲେ, ତା’ ମୁଁ ବୁଝିପାରୁ ନାହିଁ । ଶାରଦ୍‌ବତ କହିଲେ–ଏ ସବୁ କଣ ସଂପୂର୍ଣ୍ଣ ମିଥ୍ୟା ? ରାଜା ହସି ହସି କହିଲେ—ଇଏ ପ୍ରକୃତରେ ଇନ୍ଦ୍ରଜାଲ । ଶାରଦ୍‌ବତ ରାଜାଙ୍କର ସ୍ମୃତି ଚିହ୍ନ ଦେଖାଇ ତାଙ୍କର ମନରୁ ସନ୍ଦେହର ପରଦା ଉଠାଇ ଦେବାକୁ ଶକୁନ୍ତଳାଙ୍କୁ ନିର୍ଦ୍ଦେଶ ଦେଲେ । ବିସ୍ମୟବିମୂଢ଼ା ଶକୁନ୍ତଳା ରାଜାଙ୍କର ବାକ୍‌ପଟୁତା ଓ ବକ୍ତୋକ୍ତିରେ ନିପୁଣତାର ଉଲ୍ଲେଖ କରି ଏ ସବୁ ସତ୍ୟ କି ମିଥ୍ୟା ଭାଷଣ ତାହା ଜାଣିବାକୁ ଚାହିଁଲେ-। ରାଜା ଓ ଶକୁନ୍ତଳାଙ୍କ ଉକ୍ତି ପ୍ରତ୍ୟୁକ୍ତି ମଧ୍ୟରେ ଜଣଙ୍କର ଅସ୍ୱୀକୃତ ଓ ଜଣକର ଦୃଢ଼ ବିଶ୍ୱାସ ପ୍ରତିଫଳିତ । ଶେଷରେ ଶକୁନ୍ତଳା ପ୍ରଣୟର ନିଦର୍ଶନ ସ୍ୱରୂପ ମୁଦ୍ରିକା ନେଇ ରାଜାଙ୍କ ହସ୍ତରେ ଅର୍ପଣ କରିବାକୁ ଶାରଦ୍‌ବତଙ୍କୁ କହିଲେ । କିନ୍ତୁ ସୁନ୍ଦରୀ ବ୍ୟଗ୍ର ବ୍ୟାକୁଳ ହୋଇ ଦେଖିଲେ ଯେ ଅଞ୍ଚଳରେ ସଖୀ ସଯତ୍ନରେ ବାନ୍ଧି ଦେଇଥିବା ମୁଦ୍ରିକା ନାହିଁ । ରାଜା ପରିହାସ କରି କହିଲେ, ‘‘ହେ ତାପସ, ଯଦି ମୁଦ୍ରିକା ଦେଖାଇବ, ତେବେ ଏଇ ତପସ୍ୱିନୀ ବର୍ତ୍ତମାନ ହସ୍ତିନାର ପାଟରାଣୀ ହେବ-।’’ ଅପମାନରେ ଶକୁନ୍ତଳାଙ୍କ ଆଖିରୁ ଅଶ୍ରୁ ଝରିଲା । ସମଗ୍ର ଜଗତ ଅନ୍ଧକାର ଗହ୍ୱରରେ ହଜିଗଲା, କଣ୍ଠ ରୁଦ୍ଧ ହେଲା—ଆଶାର ପାହାଡ଼ ଧୂଳିକଣା ହୋଇ ଉଡ଼ିଗଲା । ପ୍ରଣୟ ମନ୍ଦିରର କୁଞ୍ଚିକା ହଜାଇ ବଞ୍ଚିବା ଅସମ୍ଭବ ମନେହେଲା । ଶକୁନ୍ତଳା ମୂର୍ଚ୍ଛିତା ହୋଇ ଢଳି ପଡ଼ିଲେ । ଗୌତମୀ ଓ ତାପସଦ୍ୱୟ ଉତ୍କଣ୍ଠିତ ହେଲେ । ରାଜା ଏସବୁକୁ ଅଭିନୟ ମନେକରି ତାପସଙ୍କୁ ଅପମାନିତ କଲେ-। ଶାର୍ଙ୍ଗରବ କ୍ରୋଧାନ୍ୱିତ ହୋଇ ରାଜାଙ୍କୁ ଅଭିଶାପ ଦେଲେ ଓ ଶକୁନ୍ତଳାଙ୍କ ଦୁର୍ଦ୍ଦଶାରେ ମର୍ମାହତ ହେଲେ-। ରାଜା ତାଙ୍କୁ ବୁଝାଇଲେ ଯେ, ତାଙ୍କ ଛଦ୍ମବେଶ ଧରି କୌଣସି ଦେବତା ପ୍ରବଞ୍ଚନା କରିଛନ୍ତି-। ଶାର୍ଙ୍ଗରବ ଶକୁନ୍ତଳାଙ୍କୁ କର୍ମଫଳ ଭୋଗ କରିବାକୁ ସେହି ସ୍ଥାନରେ ତ୍ୟାଗ କରି ଗୌତମୀଙ୍କ ସହ ଅଗ୍ରସର ହେଲେ । ଶକୁନ୍ତଳା ସଂଜ୍ଞା ଲାଭ କରି ଭାବିଲେ ଯେ, ତାଙ୍କୁ ସ୍ୱାମୀ ଗ୍ରହଣ କଲେ । ରାଜା ତପସ୍ୱୀଙ୍କ ଉଦ୍ଦେଶ୍ୟରେ ଉପହାସ କରି କହିଲେ, ‘‘ହେ ତପସ୍ୱୀ, ମୋ ପାଖରେ କର୍ମଫଳ ରଖି ଦେଇ ଯାଉଛ–କିନ୍ତୁ ପୁରୁବଂଶ କ’ଣ ‘ଜାର’ ସନ୍ତାନରେ ବିଶ୍ୱବିଶ୍ରୁତ ହେବ-?’’ ଶକୁନ୍ତଳା ‘ଜାର’କୁ ‘ଯାର’ ଭ୍ରମ କରି ପୁଲକିତା ହେଲେ । ଚକୋରୀ ଚନ୍ଦ୍ରରୁ ସୁଧା ପାନ କରି ବଞ୍ଚେ—ସେହି ଚନ୍ଦ୍ରିକାରୁ ବିଷ ଝରିବା ସେ ଅବା କିପରି ଭାବିବ ! ଯେଉଁ ରାଜାଙ୍କର ପ୍ରେମ ଜଳରେ ଶକୁନ୍ତଳା ନିମଜ୍ଜିତ ହୋଇଛନ୍ତି, ତାହା ଯେ ଜଡ଼ୀଭୂତ ହୋଇ ବରଫ ପାଲଟିଛି, ତା କିପରି ବା ସେ ଭାବିବେ-। ରାଜାଙ୍କ କଥାକୁ ପରିହାସ ଓ ଛଳୋକ୍ତି ଭାବି ଶକୁନ୍ତଳାଙ୍କ ଦେହର ପାଣ୍ଡରତା, ମନର ବିଷଣ୍ଣତା କଟିଗଲା–ତାଙ୍କର ଉଜ୍ଜ୍ୱଳ କାନ୍ତି ଓ ସୁନ୍ଦର ମୁଖ ଦର୍ଶନ କରି ରାଜା ଭାବିଲେ, ସତେ ଅବା ରାଜଲକ୍ଷ୍ମୀ ଦେହ ଧାରଣ କରି ତାଙ୍କ ସମକ୍ଷରେ ଆବିର୍ଭୂତା । ରାଜା ଶକୁନ୍ତଳାଙ୍କୁ ନାଗ କଣ୍ଠରେ ଚୁଚୁନ୍ଦ୍ରା ପରି ଗ୍ରହଣ କରି ପାରିଲେ ନାହିଁ କି ବର୍ଜନ କରିପାରିଲେ ନାହିଁ । ରାଜାଙ୍କର ମନୋଭାବ ବୁଝି ରାଜପୁରୋହିତ କହିଲେ ଯେ, ତାଙ୍କର ପୁତ୍ର ରାଜଚକ୍ରବର୍ତ୍ତୀ ଚିହ୍ନ ନେଇ ଜନ୍ମ ହେବ । କଣ୍ୱଙ୍କ ପତ୍ରର ସତ୍ୟାସତ୍ୟ ପରୀକ୍ଷାର ତାହାହିଁ ଶ୍ରେଷ୍ଠ ବିଧାନ । ସନ୍ତାନ ଭୂମିଷ୍ଠ ହେବା ପର୍ଯ୍ୟନ୍ତ ସୁନ୍ଦରୀଙ୍କୁ ସଯତ୍ନରେ ରକ୍ଷା କରାଯାଉ, ତତ୍ପରେ ଗ୍ରହଣ ବର୍ଜନ କଥା ଚିନ୍ତା କରି ଦେଖାଯିବ । ସରଳ ହୃଦୟା ବିନମ୍ର ବଦନା ଶକୁନ୍ତଳା ଅକପଟ ଚିତ୍ତରେ ଦୁଷ୍ମନ୍ତଙ୍କ ଭବନ ମଣ୍ଡନ କରିବାକୁ ଯାଉଛନ୍ତି ବୋଲି ମନେ କରି ପୁରୋହିତଙ୍କ ଆହ୍ୱାନରେ ତାଙ୍କୁ ଅନୁସରଣ କଲେ-। ଅଳ୍ପଦୂର ଅଗ୍ରସର ହେବା ପରେ ଜଣେ ଅପୂର୍ବ ସୁନ୍ଦରୀ ନାରୀ ଆବିର୍ଭୂତା ହୋଇ ତାଙ୍କୁ ତାର ନିଜ ପୁରକୁ ନେଇଗଲା । ଶକୁନ୍ତଳାଙ୍କ ନିରୁଦ୍ଦିଷ୍ଟ ହେବା ସମ୍ବାଦ ରାଜା ଶୁଣିଲେ, କିନ୍ତୁ ବୁଝି ପାରିଲେ ନାହିଁ ଯେ ତାଙ୍କ ପ୍ରଣୟ ପୁଷ୍ପରେ କୀଟ ପ୍ରବେଶ କରିଛି । ଶକୁନ୍ତଳାଙ୍କ ଧର୍ମ ତାଙ୍କୁ ସହାୟ ହୋଇ ସୁଖମୟ ପୁରରେ ସ୍ଥାପିତ କଲା ।

ଷଷ୍ଠ ସର୍ଗ—

ଶିଶିରର ସୁନ୍ଦର ରୂପବାନ ପୁତ୍ର ବସନ୍ତ ଜାତ ହେବାରୁ ଆନନ୍ଦରେ ଅଧୀର ହୋଇ ଦାନ ଧ୍ୟାନ ପ୍ରଭୃତି ନାନା ଶୁଭ କର୍ମରେ ରତ ହେଲା । ଚତୁର୍ଦ୍ଦିଗରେ ଉତ୍ସବର ସମାରୋହ । ବସନ୍ତର ଆଗମନରେ ପୃଥିବୀ ଯେଉଁ ପୁଷ୍ପ ଫଳରେ ଶୋଭା ପାଏ, ସେ ସବୁର ଏକ କମନୀୟ ବର୍ଣ୍ଣନାରେ ପ୍ରତିଛତ୍ର ଶୋଭିତ । ଧୀରେ ଧୀରେ ବସନ୍ତର ବୟସ ବୃଦ୍ଧି ହେବାରୁ ଓ ଶିଶିର ବାର୍ଦ୍ଧକ୍ୟରେ ଉପନୀତ ହେବାରୁ ପୁତ୍ରକୁ ରାଜ୍ୟ ଦେଇ ବନବାସୀ ହେଲା ।

ଋତୁ ସମ୍ରାଟ ବସନ୍ତର ନବୀନ ମଧୁର ସୌନ୍ଦର୍ଯ୍ୟ ଦର୍ଶନ ଅଭିଳାଷରେ ରାଜା ଦୁଷ୍ମନ୍ତ ଦିନେ ନଦୀ କୂଳରେ ଏକାକୀ ବିଚରଣ କରୁଥିଲେ । ସହସା ଏକ ରମଣୀ କଣ୍ଠର ସୁଲଳିତ ଗାନ ଶୁଣି ରାଜା ଉତ୍ସୁକ ହୋଇ ନିକଟକୁ ଗଲେ । ସେ ଯେତିକି ଗୀତ ଶୁଣିଲେ ତାଙ୍କର ବିସ୍ମୃତି ସାଗର ସେତିକି ଉଦ୍‌ବେଳିତ ହୋଇ ଉଠିଲା । ରାଜା ଦେଖିଲେ ଜଣେ ନାରୀ ତା ଶିଶୁ ସନ୍ତାନକୁ କୋଳରେ ଧରିଛି ଓ ଆଉ ଜଣେ ତରୁଣୀ ଗୀତ ଗାଉଛି—କିୟତ୍‌କାଳ ପରେ ଜଣେ କାନ୍ତିମାନ ପୁରୁଷ ସେ ସ୍ଥାନକୁ ଆସିବାରୁ ତାକୁ ‘ବାବା’ ‘ବାବା’ ବୋଲି ଆହ୍ୱାନ କରି ତାର କ୍ରୋଡ଼ ମଣ୍ଡନ କଲା-। ସେ ଚାରିଜଣଙ୍କୁ ଦେଖି ରାଜାଙ୍କ ହୃଦୟ ଉତ୍କଣ୍ଠିତ ହେଲା । ସମଗ୍ର ଜଗତ ତାଙ୍କୁ ବିସ୍ୱାଦ ଲାଗିଲା-। ମଧୁ ବସନ୍ତର ଅହୋରାତ୍ର ତାଙ୍କ ନିକଟରେ ବିଷଜର୍ଜରିତ ପରି ଅସହ୍ୟ ବୋଧ ହେଲା-। ଦୁର୍ବାସାଙ୍କ ଶାପ ପ୍ରଭାବରେ ଶକୁନ୍ତଳାଙ୍କ ପ୍ରଣୟ ରାଜାଙ୍କର ସ୍ମୃତିରେ ଉଦ୍ଭାସିତ ନ ହେଲେହେଁ ମନକୁ ବ୍ୟାକୁଳ କଲା ।

 

ମହାରାଜା ବାହାର ମଣ୍ଡପରେ ବସିଥିବା ଅବକାଶରେ ନଗର ରକ୍ଷକ ଗୋଟିଏ ସ୍ୱର୍ଣ୍ଣ ମୁଦ୍ରିକା ଆଣି ରାଜାଙ୍କୁ ଦେଲା ଓ ମୁଦ୍ରିକା ଚୋରି ଅପରାଧରେ ଜଣେ ଧୀବର ଧରା ହୋଇଛି ବୋଲି ଜଣାଇଲା । କିନ୍ତୁ ଧୀବର କହିଲା ସେ ଶଚୀ ତୀର୍ଥ ଜଳରେ ଜାଲ ପକାଇ ସେ ମାଛ ଧରିଥିଲା ଓ ତାର ଗର୍ଭରୁ ଏ ମୁଦ୍ରିକା ଲାଭ କଲା । ରାଜା ମୁଦ୍ରିକାକୁ ହସ୍ତରେ ଧାରଣ କରି ଥରେ ଦୃଷ୍ଟିପାତ କରିବାରୁ ଲୁପ୍ତ ସ୍ମୃତି ଫେରି ପାଇଲେ ଓ ଶକୁନ୍ତଳା ପରିଣୟ କଥା କଣ୍ୱମୁନି ଯାହା ଲେଖିଥିଲେ ତା’ ବର୍ଣ୍ଣେ ବର୍ଣ୍ଣେ ସତ୍ୟ । ବିସ୍ମୟ ବିଷାଦରେ ରାଜା ସ୍ତବ୍‌ଧ ହେଲେ, କିନ୍ତୁ ରହସ୍ୟର ଜାଲ ଭେଦ କରି ପାରିଲେ ନାହିଁ । ରାଜା ଧୀବରକୁ ଡକାଇ ଏକ ଶତ ସ୍ୱର୍ଣ୍ଣ ମୁଦ୍ରା ଦେଲେ । ଭୀତି ବିହ୍ୱଳିତ ଧୀବର ଭାବିଲା ଯେ ମୁଦ୍ରିକା ଚୋରି ଅପରାଧରେ ତା’ ପ୍ରତି ଶହେ ସୁବର୍ଣ୍ଣ ମୁଦ୍ରା ଅର୍ଥଦଣ୍ଡ ହୋଇଛି । କିନ୍ତୁ ପୁରସ୍କାର ସ୍ୱରୂପ ଉକ୍ତ ଧନ ଲାଭ କରି ସେ ଆହୁରି ବିହ୍ୱଳିତ ହୋଇ ପଡ଼ିଲା ।

 

ବିସ୍ମୃତି ସ୍ମୃତିର ଉଦ୍‌ଘାଟନରେ ରାଜାଙ୍କର ଜୀବନ ବିଷମୟ ହେଲା । ଅନୁତାପରେ ତାଙ୍କର ହୃଦୟ ପ୍ରଜ୍ୱଳିତ ହେଲା । ନିରପରାଧିନୀ ପତ୍ନୀକୁ ତ୍ୟାଗ କରିବାରୁ ସମଗ୍ର ସଂସାର ତାଙ୍କୁ ଉପହାସ କଲା ପରି ବୋଧ ହେଲା । ଲକ୍ଷ୍ମୀ ସ୍ୱରୂପିଣୀ ପତ୍ନୀକୁ କୁତ୍ସିତ ଅପବାଦ ଦେଇ ବର୍ଜନ କରିଥିବାରୁ ଦୁଷ୍ମନ୍ତ ଅନୁଶୋଚନାରେ ଦଗ୍‌ଧୀଭୂତ ହେଲେ । ଏ ଗର୍ହିତ ଅପରାଧର କୌଣସି ପ୍ରାୟଶ୍ଚିତ ଅଛି ବୋଲି ସେ ଭାବି ପାରିଲେ ନାହିଁ । ସେହି ଦିବ୍ୟ ପୁରୁଷଙ୍କର ପୁତ୍ର ସ୍ନେହ କଥା ସ୍ମରଣ କରି ରାଜା ଅତ୍ୟନ୍ତ ମର୍ମାହତ ହେଲେ । ବସନ୍ତର ପ୍ରଫୁଲ୍ଲିତ ରୂପ ମାଧୁରୀ ରାଜାଙ୍କୁ ନୀରସ ଶୁଷ୍କ ମଳିନ ପ୍ରତୀତ ହେଲା । ଶକୁନ୍ତଳାଙ୍କ ଉପସ୍ଥିତିରେ ଯାହା ସରସ ସୁନ୍ଦର ରମଣୀୟ ମନେ ହୋଇଥିଲା, ତାଙ୍କ ଅଭାବରେ ସେ ସବୁ ତାର ବିପରୀତ ବୋଧ ହେଲା ।

 

ଜୀବନ ପ୍ରିୟା ସୁକୁନ୍ତଳା ଶକୁନ୍ତଳାଙ୍କ ବିରହ ବିଦଗ୍‌ଧ ରୂପ କଳ୍ପନା କରି ଓ ନିଜ ଦୁଃଖର ଦୁଃସହତାକୁ ଅନୁଭବ କରି ମିଳନର ଶୁଭ ମୁହୂର୍ତ୍ତ ପାଇଁ ରାଜା ପିପାସିତ ହେଲେ । ସ୍ୱହସ୍ତ ଅଙ୍କିତ ଶକୁନ୍ତଳାଙ୍କ ଚିତ୍ରପଟକୁ ବାରମ୍ବାର ଦେଖି ମାନସପଟରେ ତପୋବନଚାରିଣୀ ଶକୁନ୍ତଳାଙ୍କ ମୂର୍ତ୍ତି ଉଦ୍ଭାସିତ ହୋଇ ଉଠିଲା । ରାଜା ସଂଜ୍ଞା ହରାଇଲେ । କିଛି ସମୟ ପରେ ସଂଜ୍ଞା ଲାଭ କରି ଶକୁନ୍ତଳାଙ୍କ ପ୍ରତିକୃତିକୁ ଚାହିଁ ହୃଦୟ ଦୁର୍ଲଭ ପବିତ୍ର ପ୍ରୀତିରେ ପୂର୍ଣ୍ଣ ହେଲା । ମନରେ ଆଶା ପୋଷଣ କରି ପ୍ରିୟାର ସୁଖ–ସ୍ମୃତିକୁ ସମ୍ବଳ କରି ରାଜା ବହୁ ଦିନ ଦୁଃଖରେ ଅତିବାହିତ କଲେ ।

 

ସଂସାରରେ ସୁଖ ଦୁଃଖ କାହାରି ଭାଗ୍ୟରେ ଚିରଦିନ ରହେନା । ସୁଖ ପରେ ଦୁଃଖ, ପୁଣି ଦୁଃଖ ପରେ ସୁଖ ଉଦୟାସ୍ତ ପରି ପ୍ରକାଶିତ ହୁଅନ୍ତି । ଆଜି ଯେ ସୁଖ ସୌଭାଗ୍ୟରେ ହର୍ଷୋତ୍‌ଫୁଲ୍ଲିତ, କାଲି ଦୁଃଖ ଦୁର୍ଭାଗ୍ୟରେ ତାର ଜୀବନ ବିଷାଦିତ । ଯାହା ପାଇଁ ସଂସାରରେ ମନୁଷ୍ୟ ଯେତିକି ସୁଖ ଲାଭ କରେ, ତା’ ପାଇଁ ସେତିକି ଦୁଃଖ ପାଏ—ଯେମିତି କୌଣସି ବସ୍ତୁ ଯେତିକି ତପ୍ତ ହୋଇଥାଏ, ସେ ସେତିକି ଶୀତଳ ହୁଏ । ପୃଥିବୀ ଯେତିକି ଘେର ଅନ୍ଧକାରରେ ନିମଗ୍ନ ହୁଏ, ସେତିକି ଉଜ୍ଜ୍ୱଳ ବର୍ଣ୍ଣରେ ବିଭାସିତ ହୁଏ । ପ୍ରକୃତ ପ୍ରଣୟ-ଫଳ ଯେତିକି ମଧୁର ସୁସ୍ୱାଦୁ ଲାଗେ, ସମୟକ୍ରମେ ସେତିକି ତିକ୍ତ ବିସ୍ୱାଦ ହୋଇଉଠେ ।

 

ସପ୍ତମ ସର୍ଗ—

 

ଏକଦା ନୀଳଚଳତଳ ସାଗର ବେଳାରେ ଶାନ୍ତି, ଶ୍ରଦ୍ଧା, ଦୟା, କ୍ଷମା ଭକ୍ତି ଓ ଧ୍ରୂତି ପ୍ରଭୁତି ଦେବକନ୍ୟାଗଣ ବୁଲୁଥିଲେ । ଭ୍ରମର ସେବିତ ପୁସ୍ପୋଦ୍ୟାନରୁ ମଲ୍ଲୀ, ମାଧବୀ, ନିଆଳୀ ଫୁଲ ତୋଳୁ ତୋଳୁ ମନର ଉଲ୍ଲାସରେ ମଧୁର ସଂଗୀତ ଗାନ କରୁଥିଲେ । ମୋତି ସ୍ତବକ ମଣ୍ଡିତ ଦୀର୍ଘ ବେଣୀ, ସୃକ୍ଷ୍ମବସ୍ତ୍ରାବୃତ କମନୀୟ ଦେହ କାନ୍ତି ଓ ଅମୃତବୋଳା ଅପୁର୍ବ ମୁଖଶୋଭାରେ ଓ ରକ୍ତପଦ୍ମ ତୁଲ୍ୟ ପଦସ୍ପର୍ଶରେ ଉଦ୍ୟାନଭୂମି ଶୋଭିତ ହେଲା । ପଶୁ ପକ୍ଷୀ, ବୃକ୍ଷଲତା ସେମାନଙ୍କୁ ସାଦରେ ଗ୍ରହଣ କଲେ । ଏମିତି ଏକ ଶାନ୍ତି କମନୀୟ ପରିବେଶରେ ଅସୁର ରାଜକନ୍ୟା ହିଂସା ତାର ଛଞ୍ଚାଣ ପରି ମୁନିଆ ନଖ ଓ ବ୍ୟାଘ୍ର ପରି ତୀକ୍ଷ୍‌ଣ ଦନ୍ତ, ଭାଲୁ ପରି ଆଖି ଓ ପେଚା ପରି କର୍କଶ ସ୍ୱର ନେଇ ଦୟା ସମ୍ମୁଖରେ ସଦୟରେ ନିଜର ଆଧିପତ୍ୟ ପ୍ରକାଶ କଲା । ଦେବକନ୍ୟାମାନଙ୍କୁ ବିତାଡ଼ିତ କରିବା ପାଇଁ ଅକାରଣରେ ସେମାନଙ୍କ ସହିତ କଳହ କଲା । ପଶୁପକ୍ଷୀ ଭୀତତ୍ରସ୍ତ ହୋଇ ପଳାୟନ କଲେ । ବୃକ୍ଷଲତା ଭୟରେ ଥରହର ହୋଇ କମ୍ପିଲେ ଦେବକନ୍ୟାମାନେ ତାର ମନ୍ଦ ବ୍ୟବହାର ପାଇଁ ଭତ୍ସନା କଲେ । କୋପାନ୍ୱିତ ରାକ୍ଷାସୀ ତା’ର ନଖ ଦନ୍ତରେ ସେମାନଙ୍କୁ କ୍ଷତ ବିକ୍ଷତ କରି ପକାଇଲା । କ୍ଷମା ସମସ୍ତଙ୍କୁ ସାନ୍ତ୍ୱନା ଦେଇ କଳହରୁ ନିବୃତ କଲା ଓ ସମସ୍ତେ ନିଜ ନିଜ ଗୃହକୁ ପ୍ରତ୍ୟାବର୍ତ୍ତନ କଲେ । ରାକ୍ଷସରାଜ କନ୍ୟାଠାରୁ ସମସ୍ତ ବିବରଣୀ ଶୁଣି କ୍ରୋଧରେ କମ୍ପିତ ହେଲା । ସ୍ୱ ଅଧିକୃତ ନୀଳାଚଳ ତଳ ରମ୍ୟ ଉପବନରେ ଦେବକନ୍ୟା ମାନେ ଅନଧିକାର ପ୍ରବେଶ କରି ରାଜକନ୍ୟାଙ୍କୁ ଭର୍ତ୍ସନା କରିବା ହେତୁ ରାଜମନ୍ତ୍ରୀ କୁପିତ ହେଲେ । ଦେବତାମାନଙ୍କର ବଳାତ୍କାର ଓ ଶଠତାର ପ୍ରତିକାର ପାଇଁ ଦେବତାମାନଙ୍କ ବିରୁଦ୍ଧରେ ଯୁଦ୍ଧ ଯାତ୍ରା କଲେ । ଇନ୍ଦ୍ର ପ୍ରଥମେ ଉତ୍ସାହ, ସାହସ, ଧୈର୍ଯ୍ୟ, ବୁଦ୍ଧି, ପରାକ୍ରମ ପ୍ରଭୃତି ବୀରଶ୍ରେଷ୍ଠମାନଙ୍କୁ ପଠାଇଲେ । କିନ୍ତୁ କାମ, ଲୋଭ, ମଦ, ଆଳସ୍ୟ, ବିଳାସ ପ୍ରଭୃତି ଯୋଦ୍ଧାଗଣ ସେମାନଙ୍କର ବିନାଶ ଘଟାଇଲେ । ସେନାପତି ଇନ୍ଦ୍ରଙ୍କ ସମକ୍ଷରେ ଅସୁରମାନଙ୍କ ଦୁର୍ଜୟ ଆକ୍ରମଣ ଓ ଦେବତାମାନଙ୍କର ଶୋଚନୀୟ ପତନର କଥା କହିଲେ । ଇନ୍ଦ୍ର ବୃହଷ୍ପତିଙ୍କୁ ପ୍ରତିକାର ପାଇଁ ଚାହିଁଲେ । ଦେବଗୁରୁ ଜ୍ଞାନଚକ୍ଷୁ ବଳରେ କହିଲେ ଯେ ବିଶ୍ୱାମିତ୍ରଙ୍କ ପରି ତପସ୍ୱୀଙ୍କୁ ବଞ୍ଚିତ କରିବାପାଇଁ ତାଙ୍କର ତପସ୍ୟା ଭଙ୍ଗ କରିଥିବା ପାପର ଫଳ ଭୋଗ କରିବାକୁ ପଡ଼ୁଛି । ପୁଣି ସ୍ୱାମୀ ଚିନ୍ତାରେ ନିମଗ୍ନ ଶକୁନ୍ତଳାଙ୍କ ପ୍ରତି ଅଯଥା କୋପ ବିଷ୍ଟ ହୋଇ ଦୁର୍ବାସା ଶାପ ଦେଲେ । ପରିଣାମରେ ଧାର୍ମିକ ପ୍ରବର ଦୁଷ୍ମନ୍ତ ରାଜା ବିନା ଅପରାଧରେ ଘୋର ବିରହ ଦୁଃଖ ଭୋଗିବାରୁ ସ୍ୱର୍ଗର ସୌଭାଗ୍ୟ ଶ୍ରୀ ସଂପଦ ବିନଷ୍ଟ ହୋଇଛି । ଦୁଷ୍ମନ୍ତଙ୍କ ପରି ଧର୍ମପ୍ରାଣ ଦୈବୀଶକ୍ତି ସଂପନ୍ନ ରାଜାଙ୍କୁ ସମାଦର କରି ଆଣିଲେ ତାଙ୍କର ଧର୍ମବଳରେ ରାକ୍ଷସମାନେ ପରାସ୍ତ ହେବେ ।

 

ଅସୁର ନିପୀଡ଼ନରେ ଭୀତ ଦେବରାଜ ଇନ୍ଦ୍ର ଅତି ଶୀଘ୍ର ସାରଥି ମାତଳିକୁ ଦୁଷ୍ମନ୍ତଙ୍କୁ ଆମନ୍ତ୍ରଣ କରି ରଥରେ ବସାଇ ସସମ୍ମାନରେ ଆଣିବାକୁ ପଠାଇଲେ । ସୁରପତିଙ୍କ ଆମନ୍ତ୍ରଣ ପାଇ ରାଜା ଶୁଚିବନ୍ତ ହୋଇ ରଥାରୋହଣ ପୂର୍ବକ ରତ୍ନମୟ ତୋରଣ ଶୋଭିତ ସ୍ୱର୍ଗପୁରୀର ପୂର୍ବଦ୍ୱାରରେ ଉପନୀତ ହେଲେ । ରାଜା ସ୍ୱର୍ଗ ଉଦ୍ୟାନରେ ପୂର୍ବଦୃଷ୍ଟ ସେହି ନାରୀ, ତାର ସହଚରୀ, ଶିଶୁ ଓ ଯୁବକକୁ ଦେଖି କୌତୁହଳ ପ୍ରକାଶ କରିବାରୁ ମାତଳି ସେମାନଙ୍କ ପରିଚୟ ଦେଇ କହିଲେ ଯେ ଯୁବବର ନାମ ପ୍ରେମ, ଯୁବତୀର ନାମ ପ୍ରୀତି । ସେମାନଙ୍କର ପୁତ୍ର ହେଉଛି ସୁଖ । ସଖୀର ନାମ ମୈତ୍ରୀ—ମର୍ତ୍ତ୍ୟରେ ପବିତ୍ର ନିର୍ମଳ ସ୍ଥାନ ଦେଖିଲେ ଏମାନେ ଭ୍ରମଣ ଉଦ୍ଦେଶ୍ୟରେ ଗମନ କରନ୍ତି ।

 

ସୁରପତି ଇନ୍ଦ୍ର ରାଜାଙ୍କ ଆଗମନ ସମ୍ୱାଦ ପାଇ ଯଥୋଚିତ ସତ୍କାର କରି ଅସୁରମାନଙ୍କ ଉପଦ୍ରବ କଥା ବର୍ଣ୍ଣନା କଲେ । ରାଜା ତତ୍‌କ୍ଷଣାତ୍ ଅସୁର ନିଧନ ଉଦ୍ଦେଶ୍ୟରେ ଅଭିଯାନ କଲେ । ଅସୁରରାଜା ଦୁଷ୍ମନ୍ତଙ୍କ ଯୁଦ୍ଧ ଯାତ୍ରା ସମ୍ୱାଦ ପାଇ ଆଚାର୍ଯ୍ୟ ଶୁତ୍ରଙ୍କୁ ଏହାର ପରିଣାମ ସମ୍ୱନ୍ଧରେ ପଚାରିବାରୁ ଶୁତ୍ରାଚାର୍ଯ୍ୟ କହିଲେ ଯେ ଦେବତାମାନେ ଅସୁରଙ୍କଠାରେ ପରାଜିତ ହେଲେ ଦୈବଶକ୍ତି ଦେଇ ମାନବର ସାହାଯ୍ୟ ଲୋଡ଼ିଥାନ୍ତି ରାବଣ ଦେବତାମାନଙ୍କୁ ଜୟ କରି ମାନବ ହସ୍ତରେ ପରାଜୟ ବରଣ କଲା । ରାମ ରାବଣ ଯୁଦ୍ଧର ମୂଳରେ ଥିଲା ସୂର୍ପଣଖା ଓ ବର୍ଦ୍ଧମାନ ସଂଗ୍ରାମର ମୂଳରେ ରାକ୍ଷସ କନ୍ୟା ହିଂସା । ଅସୁର ରାଜା ଆଚାର୍ଯ୍ୟଙ୍କ କଥାର ମର୍ମାର୍ଥ ଉପଲବ୍‌ଧି କରି ଛାର ମାନବ ସହିତ ଯୁଦ୍ଧ କରିବାରେ ଗୌରବ ନାହିଁ କହି ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କଲେ ।

 

ଦୁଷ୍ମନ୍ତ ଯୁଦ୍ଧ ଅଭିଯାନ ଆନନ୍ଦ ଉତ୍ସବରେ ପର୍ଯ୍ୟବସିତ ହେଲା । ଦେବୀମାନେ ତାଙ୍କ ମସ୍ତକରେ ପୁଷ୍ପ ବୃଷ୍ଟି କଲେ । ଭାଟମାନେ ପୁରୁବଂଶର ଜୟଗାନ କଲେ । ଅପ୍‌ସରା ନୃତ୍ୟ ଓ କିନ୍ନରଙ୍କ ଗାନରେ ସ୍ୱର୍ଗପୁରୀ ମଧୁମୟ ହେଲା । ଦୁଷ୍ମନ୍ତଙ୍କ ପୂର୍ବ ପୁରୁଷ ଯଯାତି ଓ ଗୁରୁ ଆନନ୍ଦରେ ତାଙ୍କୁ ଆଶୀର୍ବାଦ କଲେ । ଇନ୍ଦ୍ର ତାଙ୍କର ପୁତ୍ର ଜୟନ୍ତଙ୍କୁ କୋଳରୁ ଓହ୍ଲାଇ ଦେଇ ଦୁଷ୍ମନ୍ତଙ୍କୁ ପୁତ୍ର ତୁଲ୍ୟ କୋଳାଗ୍ରତ କଲେ । ନିଜ କଣ୍ଠରୁ ହାର କାଢ଼ି ଦୁଷ୍ମନ୍ତଙ୍କୁ ଅର୍ପଣ କଲେ । ପ୍ରେମ ଓ ପ୍ରୀତି ତାଙ୍କୁ ଆଲିଙ୍ଗନ କରି ରାଜା ମର୍ତ୍ତ୍ୟରେ ସୁଖ ଲାଭ କରିବେ ବୋଲି ଜଣାଇଲେ । ଇନ୍ଦ୍ରଙ୍କୁ ପ୍ରଣାମ କରି ଫେରିବା ବାଟରେ ନନ୍ଦନ କାନନରେ ତାଙ୍କ କୀର୍ତ୍ତିଗାନ କରି ଶ୍ଳୋକ ରଚିତ ହେବାର ଦେଖିଲେ ।

 

ନଦୀ ପୁଳିନରେ ଶାମୁକା ରଚିତ ‘‘ଧନ୍ୟ ଧନ୍ୟ ପୁରୁବଂଶ’’ ପଠନ କରି ରାଜହଂସ ଗଣ ତାକୁ ଉଦ୍‌ଘୋଷଣା କରୁଛନ୍ତି । ରାଜା ଏସବୁ ଦେଖି ଶୁଣି ନିଜକୁ ଅତ୍ୟନ୍ତ ସୌଭାଗ୍ୟବାନ ମନେ କଲେ । ପଥ ମଧ୍ୟରେ ରମଣୀୟ ହେମକୂଟରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଅଭିଭୂତ ହୋଇ ଓ ତାର ମାହାତ୍ମ୍ୟ ମାତଳିଠାରୁ ଶୁଣି ରାଜା କଶ୍ୟପ ମୁନିଙ୍କ ଆଶ୍ରମରେ ଅବତରଣ କରି ଋଷି ପଦ ବନ୍ଦନା ପାଇଁ ଅଭିଳାଷୀ ହେଲେ । ଆଶ୍ରମ ନିକଟରେ ଦେଖିଲେ ଜଣେ ମୁନି ନୀରବ ନିଶ୍ଚଳ ହୋଇ ବସିଛନ୍ତି । ତାଙ୍କ ପାଦରୁ ଅଣ୍ଟା ପର୍ଯ୍ୟନ୍ତ ଉଚ୍ଚ ହୁଙ୍କା ଚରି ଯାଇଛି । ସର୍ପ ଚର୍ମ ଉପବୀତ ପରି ସ୍କନ୍ଧରେ ପଡ଼ିଛି, ଲତା ଜାଲରେ କଣ୍ଠ ବେଷ୍ଟିତ । ତାଙ୍କ କାନ୍ଧକୁ ଝୁଲି ପଡ଼ିଥିବା ଜଟାରେ ପକ୍ଷୀମାନେ ନୀଡ଼ ରଚନା କରିଛନ୍ତି । ମୁନିଙ୍କ ବନ୍ଦନା କରି ରାଜା ଆଶ୍ରମରେ ଶୋଭା ଦର୍ଶନ କରି ବିମୁଗ୍‌ଧ ହୋଇ ପଡ଼ିଲେ । ଅଶୋକ ବୃକ୍ଷ ତଳେ ରାଜା ଅପେକ୍ଷା କଲେ—ମାତଳି କଶ୍ୟପକୁ ସମ୍ୱାଦ ଦେବାକୁ ଗଲା । ହଠାତ୍ ରାଜା ‘‘ଛାଡ଼ ଛାଡ଼ ଦୁଷ୍ଟ ଛାଡ଼ରେ’ ଶବ୍ଦରେ ଚମକିତ ହୋଇ ଦେଖିଲେ ଜଣେ ବାଳକ ସିଂହ ଶିଶୁର କେଶର ଧରିଛି । ରାଜା ବାଳକର ନିର୍ଭୀକତାରେ ବିସ୍ମିତ ହୋଇ ନିକଟକୁ ଗଲେ ବାଳକ ହସ୍ତରୁ ସିଂହ ଶାବକକୁ ମୁକ୍ତ କରିବା ପାଇଁ ଜଣେ ତପସ୍ୱିନୀ ଖେଳଣାର ପ୍ରଲୋଭନ ଦେଖାଇବାରୁ ବାଳକ ହାତ ବଢ଼ାଇ ଦେଲା ଓ ରାଜା ବାଳକର ହସ୍ତରେ ରାଜଚକ୍ରବର୍ତ୍ତୀ ଚିହ୍ନ ଦେଖିଲେ । ଖେଳଣା ଆଣିବାକୁ ସେମାନେ ଯାଉ ଯାଉ ଜଣେ ଅର୍ଦ୍ଧ ପଥରୁ ଫେରି ରାଜାଙ୍କ ସମକ୍ଷରେ ବାଳକ ସିଂହ ଶିଶୁକୁ ନ ଛାଡ଼ିବାର ଅଭିଯୋଗ କଲେ । ରାଜା ଶିଶୁ ପ୍ରତି ଅତ୍ୟନ୍ତ ଆକୃଷ୍ଟ ହୋଇ ପଡ଼ିଲେ—ତାଙ୍କ ହୃଦୟ ସ୍ନେହରେ ବିଗଳିତ ହେଲା । ଶିଶୁକୁ ବୁଝାଇ କହିଲେ ଯେ ସେ ତାପସ କୁମାର ହୋଇ ସିଂହ ଶିଶୁ ସହ କ୍ରୀଡ଼ା କରିବା ସୀମାଚୀନ ନୁହେଁ । ମୁନିକୁମାର ବୀରଭାବ ତ୍ୟାଗ କରି ତପସ୍ୱି ଭାବ ଧାରଣ କରିବା ଉଚିତ । ତାପସୀ ଜଣାଇଲେ ଯେ ଶିଶୁଟି ତପସ୍ୱୀକୁମାର ନୁହେଁ । ରାଜା ତାପସ ଗୃହରେ ଥିବାରୁ ତାକୁ ତାପସ କୁମାର ଭାବିଥିଲେ କହି ସସ୍ନେହରେ ଶିଶୁର ହସ୍ତରୁ ସିଂହ ଶାବକକୁ ମୁକ୍ତି ଦେଲେ । ରାଜାଙ୍କ ରୂପ ସହ ଶିଶୁ ସର୍ବଦମନର ରୂପର ସାମଞ୍ଜସ୍ୟ ଦେଖି ତାପସୀ ଚମକୃତ ହେଲେ ।

 

ରାଜା ବାଳକର ବଂଶ ପରିଚୟ ପଚାରି ବୁଝିଲେ ସେ ପୁରୁବଂଶରେ ଜାତ । ଦେବଗୁରୁ-ବଂଶ-ଗରଭ ସମ୍ଭୁତା ଶିଶୁର ମାତା ଭାଗ୍ୟଦୋଷରେ ବନବାସିନୀ ହୋଇଛି । ବାଳକର ପିତୃ ପରିଚୟ ଜାଣିବାକୁ ଆଗ୍ରହୀ ହେବାରୁ ରାଜା ଉତ୍ତର ପାଇଲେ ଯେ ଅଧାର୍ମିକର ନାମ ଉଚ୍ଚାରଣ କରିବା ନିଷିଦ୍ଧ । ଆଉ ଜଣେ ତପସ୍ୱୀନୀ ଗୋଟିଏ ମାଟିର ମୟୁର ଆଣି ‘ଶକୁନ୍ତଲାବଣ୍ୟ ଦେଖ’ ବୋଲି କହିବାରୁ ଶିଶୁ ତାର ଜନନୀ କାହିଁ ବୋଲି ଜିଜ୍ଞାସା କଲା । ରାଜା ବୁଝିଲେ ଯେ ଶିଶୁର ଜନନୀର ନାମ ଶକୁନ୍ତଳା । ତଥାପି ତାଙ୍କର ସଂଶୟ ମୋଚନ ହେଲା ନାହିଁ । ବାଳକ ସାନନ୍ଦରେ ମାଟିର ମୟୁର ନେବାକୁ ଆସିଲା । ତପସ୍ୱିନୀ ବାଳକ ହାତରେ ବନ୍ଧା ଥିବା ରକ୍ଷାକାଣ୍ଡ ନଦେଖି ବିବ୍ରତ ହୋଇ ଇତସ୍ତତଃ ଅନ୍ୱେଷଣ କଲା । ରାଜା ରକ୍ଷାକାଣ୍ଡ ପାଇ ତଳୁ ଉଠାଇବାରୁ ତପସ୍ୱୀନୀମାନେ ଭୟଭୀତ ହୋଇ ତାକୁ ସ୍ପର୍ଶ ନ କରିବାକୁ ରାଜାଙ୍କୁ ବାରଣ କଲେ । ସେମାନଙ୍କର ଉଦ୍‌ବିଘ୍ନତାରେ ରାଜା ଜିଜ୍ଞାସୁ ହେବାରୁ ସେମାନେ କହିଲେ ଯେ ପିତା ବ୍ୟତୀତ ଅନ୍ୟ କେହି ତାକୁ ସ୍ପର୍ଶ କଲେ ରକ୍ଷାକାଣ୍ଡ ବିଷଧର ସର୍ପରେ ପରିଣତ ହେବ । ଶିଶୁ ବା ତା’ ଜନନୀ ବ୍ୟତୀତ ଅନ୍ୟ କେହି ଛୁଇଁଲେ ମୃତ୍ୟୁ ଅନିବାର୍ଯ୍ୟ । ରାଜା ଏକଥା ଶୁଣି ନିସଂଶୟରେ ବାଳକଟି ଶକୁନ୍ତଳାଙ୍କ ପୁତ୍ର ବୋଲି ବୁଝିପାରି ଗାଢ଼ ଆଲିଙ୍ଗନରେ କୋଳାଗ୍ରତ କଲେ । ଶକୁନ୍ତଳା ତାପସୀ ଏକଥା ଜଣାଇବାରୁ ସେ ଆସି ଦେଖିଲେ ପିତାଙ୍କ କୋଳ ପୁତ୍ର ମଣ୍ଡନ କରିଛି । କୁମାର ସର୍ବଦମନ ଜନନୀଙ୍କୁ ଦେଖି ତାଙ୍କର ଗୋଟିଏ ହସ୍ତ ଧାରଣ କଲା–ଅନ୍ୟ ହସ୍ତଟି ରାଜାଙ୍କ ସ୍ନେହ ବନ୍ଧନରେ ବନ୍ଦୀ ହୋଇଥିଲା । ଭଗୀରଥ ଗଙ୍ଗାଙ୍କୁ ସାଗରରେ ମିଳିତ କଲାପରି ଶିଶୁ ଜନକ ଜନନୀଙ୍କର ମିଳନ ସାଧନ କଲା ।

 

ପ୍ରିୟତମଙ୍କୁ ଦେଖି ଶକୁନ୍ତଳାଙ୍କ ହୃଦୟରେ ପ୍ରେମାଙ୍କୁର ଜାତ ହେଲା । ଶକୁନ୍ତଳା ଭାବିଥିଲେ ତାଙ୍କ ଜନନୀ ମେନକାଙ୍କ ପାଇଁ ସେ ସ୍ୱାମୀଠାରୁ ବିଚ୍ଛିନ୍ନ ହୋଇଛନ୍ତି । ତେଣୁ ତାଙ୍କ ହୃଦୟରେ ଅପରାଧ ବୋଧ । ରାଜା ଧର୍ମ ଲଙ୍ଘନ କରିଥିବାରୁ ନିଜକୁ ଅପରାଧୀ ଭାବୁଥିଲେ । କ’ଣ କହି କ୍ଷମା ମାଗିବେ ରାଜା ବୁଝିପାରିଲେ ନାହିଁ । ଶକୁନ୍ତଳା ଓ ଦୁଷ୍ମନ୍ତଙ୍କ ମିଳନରେ ସେମାନଙ୍କ ହୃଦୟରେ ଯେପରି ସୁଖଚନ୍ଦ୍ର ଉଦିତ ହେଲେ, ସମଗ୍ର ପ୍ରକୃତି ସେହିପରି ମଧୁମୟ ଆନନ୍ଦରେ ଉନ୍ମତ୍ତ ହେଲା । ଏହି ସମୟରେ କଶ୍ୟପ ମୁନି ସେଠାରେ ଉପସ୍ଥିତ ହୋଇ ସେମାନଙ୍କୁ ଆଶୀର୍ବାଦ କଲେ । ପତ୍ନୀ ଓ ପୁତ୍ର ସହ ରାଜା ମୁନିଙ୍କୁ ପରେ ମୁନିପତ୍ନୀ ଅଦିତୀଙ୍କୁ ବନ୍ଦନ କଲେ । ଅଦିତୀ ହୁଷ୍ଟ ଚିତ୍ତରେ ଆଶୀର୍ବାଦ କଲେ । ତାପସ ତାପସୀଗଣ ରାଜାଙ୍କୁ ଦେଖି କେହି ମନୁଷ୍ୟ କେହି ବା ଦେବତା ବୋଲି ଜ୍ଞାନ କଲେ ।

 

ସର୍ବଦ୍ରଷ୍ଟା ତ୍ରିକାଳଜ୍ଞ କଶ୍ୟପ ମୁନି ରାଜାଙ୍କୁ କହିଲେ ଯେ କୃତକର୍ମ ପାଇଁ ରାଜା ଅନୁତାପ କରିବା ଉଚିତ ନୁହେଁ । କାରଣ ଦୁର୍ବାସାଙ୍କ ଅଭିଶାପରେ ତାଙ୍କର ସ୍ମୃତିଭ୍ରଶଂ ଘଟିଥିଲା । ଯେଉଁ ଅଙ୍ଗୁରୀୟ ଦର୍ଶନରେ ଲୁପ୍ତ ସ୍ମୃତି ସେ ଫେରି ପାଇଥାନ୍ତେ, ସେହି ସ୍ମୃତି ଚିହ୍ନଟି ଶକୁନ୍ତଳା ସ୍ନାନ ସମୟରେ ଶତୀ ତୀର୍ଥ ଜଳରେ ହଜାଇ ଦେଲେ । ତାକୁ ମୀନ ଆହାର ଭାବି ଭକ୍ଷଣ କଲା—ଧୀବର ସେ ମୀନ ମରିବାରୁ ରାଜା ମୁଦ୍ରିକା ଲାଭ କଲେ । ଶକୁନ୍ତଳାଙ୍କ ଜନନୀ ମେନକା ସନ୍ତାନର ବିପଦ ଜାଣି ତାକୁ ହସ୍ତିନା ପ୍ରାସାଦରୁ ଆଣି ଶୋକତାପହୀନ କଶ୍ୟପଙ୍କ ଆଶ୍ରମରେ ଛାଡ଼ିଗଲେ । ଅନୁତାପରେ ରାଜାଙ୍କ ମହତ୍ତ୍ୱ ଅଧିକ ଶ୍ରୀମଣ୍ଡିତ ହୋଇଛି, ନିଜ ରାଜ୍ୟକୁ ଫେରି ପୃଥିବୀପାଳନ କରିବାକୁ କଶ୍ୟପ ରାଜାଙ୍କୁ ନିର୍ଦ୍ଦେଶ ଦେଲେ ।

 

ମୁନି ଓ ମୁନିପତ୍ନୀଙ୍କ ପାଦତଳେ ପ୍ରଣାମ ନିବେଦନ କରି ପତ୍ନୀ ପୁତ୍ର ସହ କିଛି ବାଟ ପଦବ୍ରଜରେ ଯାଇ ଦୁଷ୍ମନ୍ତ ରଥାରୋହଣ କରି ହସ୍ତିନାକୁ ପ୍ରତ୍ୟାବର୍ତ୍ତନ କଲେ । ଶକୁନ୍ତଳା ପାଟମହିଷୀ ରୂପେ ଓ ତାଙ୍କ ପୁତ୍ର ଯୁବରାଜ ରୂପେ ଅଭିଷିକ୍ତ ହେଲେ । ରାଜା ରାଣୀଙ୍କ ଯଶ ଚତୁର୍ଦ୍ଦିଗରେ ବ୍ୟାପ୍ତ ହେଲା । ଦେହ ଭିନ୍ନ ହେଲେହେଁ ଦୁହିଁଙ୍କ ପ୍ରାଣ ଅଭିନ୍ନ ଥିଲା । ପବିତ୍ର ପ୍ରଣୟ–ଛାୟାରେ ତାଙ୍କ ଜୀବନ ସ୍ନିଗ୍‌ଧତା ଲାଭ କଲା ।

☆☆☆

 

ପ୍ରଣୟ ବଲ୍ଲରୀରେ ପ୍ରେମଚିତ୍ର

 

ପ୍ରଣୟ ବଲ୍ଲରୀ କାବ୍ୟର ନାମକରଣ ଅନୁସାରେ କବି କାବ୍ୟର ସର୍ଗ ବିଭାଗକୁ ଯେପରି ଭାବରେ ନାମିତ କରିଛନ୍ତି ତାହା ପ୍ରଣୟ ଲତିକାର ପୂର୍ଣ୍ଣଚିତ୍ର ପ୍ରଦାନ କରିବାକୁ ସମର୍ଥ ହୋଇଅଛି । ପ୍ରଣୟ ଲତିକାର ଅଙ୍କୁରଠାରୁ ଛାୟା ପର୍ଯ୍ୟନ୍ତ ଅବସ୍ଥାକୁ କବି ଅତ୍ୟନ୍ତ ଦକ୍ଷତାର ସହିତ ପ୍ରତିପାଦନ କରିଛନ୍ତି । ପ୍ରଣୟଙ୍କୁର, ପ୍ରଣୟ-ପଲ୍ଳବ, ପ୍ରଣୟ-ପ୍ରସୂନ, ପ୍ରଣୟ ସୌରଭ, ପୁଷ୍ପେକୀଟ, ପ୍ରଣୟ-ଫଳ ଓ ପ୍ରଣୟ-ଛାୟା ପ୍ରଭୃତି ସର୍ଗମାନଙ୍କରେ ଶକୁନ୍ତଳା ଓ ଦୁଷ୍ମନ୍ତଙ୍କର ପ୍ରଣୟର ଲତା ଯଥା କ୍ରମରେ ପରିଣତରେ ପ୍ରବେଶ କରିଅଛି । ପ୍ରଣୟ ଲତିକାର ବିକାଶ ଓ ପରିଣତି ପ୍ରଦର୍ଶନ କରିବାକୁ ଯାଇ କବି ଗଙ୍ଗାଧର ଯେପରି ଭାବରେ ସର୍ଗମାନଙ୍କର ସନ୍ନୀକରଣ କରିଛନ୍ତି ତାହା ମହାକବି କାଳିଦାସଙ୍କ ନାଟକର ଅନୁସରଣରେ ହୋଇଥିଲେହେଁ କେତେକ ସ୍ଥଳରେ କବି କାଳିଦାସଙ୍କ ଉପାଦାନକୁ ପରିତ୍ୟାଗ କରି ନୂତନ ଉପାଦାନ ସଂଯୋଜିତ କରିଅଛନ୍ତି ।

 

ପ୍ରଥମ ସର୍ଗରେ କବି ଦୁଷ୍ମନ୍ତଙ୍କର ମୃଗୟା ବିନୋଦନର ବର୍ଣ୍ଣନା ଦେଇ ତାହାଙ୍କୁ କଣ୍ୱମହର୍ଷିଙ୍କ ଆଶ୍ରମ ସମୀପରେ ଉପନୀତ କରାଇଛନ୍ତି । ଅବସ୍ଥା ଚକ୍ରରେ ସେଠାରେ ଦୁଷ୍ମନ୍ତ ତିନିଜଣ ଯୁବତୀଙ୍କୁ ଦେଖିଛନ୍ତି ।

 

ପ୍ରଥମ ଦର୍ଶନରେ ଯୁବତୀ ତିନିଜଣଙ୍କର ସୌନ୍ଦର୍ଯ୍ୟ ଦୁଷ୍ମନ୍ତଙ୍କ ଚକ୍ଷୁରେ ଅତୁଳନୀୟ ହୋଇ ଉଠିଛି । ପ୍ରସଙ୍ଗ କ୍ରମରେ ଦୁଷ୍ମନ୍ତ ଜାଣିପାରିଛନ୍ତି ଯେ ସେହି ତିନି ଜଣ ଯୁବତୀଙ୍କର ନାମ ଶକୁନ୍ତଳା, ଅନସୂୟା ଓ ପ୍ରିୟମ୍ୱଦା । ରାଜା ସେଠାରେ ସେମାନଙ୍କର ପରିଚୟ ମଧ୍ୟ ପାଇଯାଇଛନ୍ତି-। ଶକୁନ୍ତଳା କଣ୍ୱଙ୍କର ଦୁହିତା, ଅନ୍ୟ ଦୁଇଜଣ ତାଙ୍କର ସହଚରୀ । ପ୍ରଥମ ଦର୍ଶନର ଅନୁଭୂତି ଦୁଷ୍ମନ୍ତଙ୍କୁ ଅନୁଭୂତି କରିଦେଇଥିଲା । କବିଙ୍କ ଭାଷାରେ,

 

‘‘ତା ରୂପ ମାଧୁରୀ କଲା ଅଧିକାର

ହୃଦ ରାଜ୍ୟ ରାଜାଙ୍କର,

ଅନ୍ତଃପୁର–ନାରୀ ରୂପ–ସ୍ମୃତିତାକୁ

ଯୋଡ଼ିଲା କର-ପତର ।

ଭାଙ୍ଗିଦେଲା ବନ-ବଲ୍ଲରୀ ଉଦ୍ୟାନ

ଲତିକାର ଅଭିମାନ,

ଗୋଲାପ କଣ୍ଟକ-ବନବାସୀ ବୋଲି

ବାସଙ୍ଗ କି ତା ସମାନ ?’’

 

ମନ ଭିତରେ ଯାହାର ରୂପ ପ୍ରଭାବ ବିସ୍ତାର କରେ ତା ତୁଳନାରେ ପ୍ରେମିକ ଚକ୍ଷୁରେ ଜଗତରେ ଆଉ କିଛି ସମାନ ନ ଥାଏ । ରାଜା ଦୁଷ୍ମନ୍ତ ଶକୁନ୍ତଳାଙ୍କ ଅମଳିନ ସୌନ୍ଦର୍ଯ୍ୟରେ ଏପରି ଭାବରେ ଅଭିଭୂତ ହୋଇ ପଡ଼ିଲେ ଯେ, ତାଙ୍କ ଚକ୍ଷୁରେ ଶକୁନ୍ତଳାଙ୍କ ପରି ସୁନ୍ଦରୀ ଅନ୍ୟତ୍ର ଅସମ୍ଭବ ବୋଲି ପ୍ରତୀତ ହେଲା ।

 

ଶକୁନ୍ତଳାଙ୍କର ଅଙ୍ଗଲତିକା ଦୁଷ୍ମନ୍ତଙ୍କର ରସପାୟୀ ଦୃଷ୍ଟିରେ ଅପରୂପ ଶୀମଣ୍ଡିତ ହେଲା-। ଦୋଷ ପରିଣତ ହେଲା ଗୁଣରେ । ବଳ୍‌କଳ ପରିହିତା ମୁନିକୁମାରୀର ସୌନ୍ଦର୍ଯ୍ୟ ରାଜଅନ୍ତଃପୁରବାସିନୀ ବିଳାସବ୍ୟସନରତା ବିବିଧ ରତ୍ନଭୂଷଣ ମଣ୍ଡିତା ଅନିନ୍ଦ୍ୟସୁନ୍ଦରୀ ଯୁବତୀଙ୍କ ସୌନ୍ଦର୍ଯ୍ୟକୁ ତିରସ୍କାର କଲା । ରାଜା ଦୁଷ୍ମନ୍ତ ତାଙ୍କର ନେତ୍ରକୁ ଭାଗ୍ୟବାନ ମନେ କଲେ ।

 

‘‘ଯାହା ପୂଜା ପାଇଁ ଆଉ ଏ କୁସୁମ

ଧନ୍ୟ ମୋ ନେତ୍ର ଭ୍ରମର,

ଭାଗ୍ୟ ତା ମାଧୁରୀ ସୁଧାପାନ କଲା

ପାଇ ଶୁଭ ଅବସର ।’’

 

କାବ୍ୟର କଥାବସ୍ତୁର ବର୍ଣ୍ଣନା ପ୍ରସଙ୍ଗରେ ସଖୀମାନଙ୍କ ସହିତ ଶକୁନ୍ତଳା କଥୋପକଥନରେ ଦୁଷ୍ମନ୍ତ ଜାଣିପାରିଲେ ଯେ ଶକୁନ୍ତଳା ଅପରିଣୀତା । ମନମଧ୍ୟରେ ତାଙ୍କର ଆଶାର ସଉଧ ମୁଣ୍ଡଟେକି ଉଠିଲା । ମନ ଓ ବିବେକର ଦ୍ୱନ୍ଦ ଦେଖାଗଲା । ଯେତେବେଳେ ମଧୁକରର ଉପଦ୍ରବରେ ଅତିଷ୍ଠ ହୋଇ ଶକୁନ୍ତଳା ସଖୀମାନଙ୍କୁ ଆହ୍ୱାନ କଲେ, ସେତିକିବେଳେ ଦୁଷ୍ମନ୍ତ ତାଙ୍କ ସମ୍ମୁଖରେ ଆବିର୍ଭୂତ ହେବାର ସୁଯୋଗ ଲାଭ କଲେ ।

 

‘‘ଦେଖିଲା ସୁନ୍ଦରୀ ସମ୍ମୁଖେ ଅପୂର୍ବ

ସୁନ୍ଦର ଯୁବକବର,

ଅଙ୍ଗବନ୍ତ କି ସେ ଅନଙ୍ଗ ଅର୍ଥବା

ନବରୂପୀ ସୁଧାକର ?

ବଦନ–ଦୀଧିତି ଥରେ ଚାହିଁ ତାଙ୍କ

ମୁଖକଲା ଅବନତ,

ଲାଜକୁଳୀ ଲତା— ଅଙ୍ଗେ କି ସହସା

ଲାଗିଗଲା କାହା ହସ୍ତ ?’’

 

ଶକୁନ୍ତଳା ଏଇ ପ୍ରଥମ ଦର୍ଶନ–ଏତିକିରେ ସବୁ ଯେପରି ତାଙ୍କର ଓଲଟ ପାଲଟ ହୋଇଯାଇଛି । ତାଙ୍କ ଚକ୍ଷୁରେ ଦୁଷ୍ମନ୍ତ ସାଧାରଣ ଯୁବକ ନୁହନ୍ତି—ବିଗ୍ରହଧାରୀ କନ୍ଦର୍ପ ବା ନବବିଗ୍ରହଧାରୀ ଚନ୍ଦ୍ର । ଦୁଷ୍ମନ୍ତଙ୍କ ଦର୍ଶନରେ ଶକୁନ୍ତଳା ନିର୍ବାକ । ତା ପରେ ଦୁଷ୍ମନ୍ତଙ୍କ ସହିତ ଶକୁନ୍ତଳା ଓ ତାଙ୍କର ସଖୀଦ୍ୱୟ ଉପବେଶନ କରି ବାର୍ତ୍ତାଳାପ କଲେ । କଥାବାର୍ତ୍ତା ମଧ୍ୟରେ ଶକୁନ୍ତଳା ଓ ଦୁଷ୍ମନ୍ତ ପରସ୍ପର ପ୍ରତି ବାରମ୍ୱାର ଦୃଷ୍ଟିନିକ୍ଷେପ କରିବାରେ ଲାଗିଥାନ୍ତି । ଉଭୟଙ୍କ ମନ ମଧ୍ୟରେ ଉତ୍ତାଳ ତରଙ୍ଗ । ଦୁଷ୍ମନ୍ତ ସେତେବେଳେ ସେମାନଙ୍କ ନିକଟରୁ ଯିବାପାଇଁ ଉଠିଲେ ସେତେବେଳେ ସଖୀମାନେ ତାଙ୍କୁ ପୁନଦର୍ଶନ ନିମନ୍ତେ ଅନୁରୋଧ କରିଥିଲେ । ଦୁଷ୍ମନ୍ତ ତା’ପରେ କହିଥିଲେ,

 

‘‘ଘେନି ଯାଉଅଛି ମୁନି ତନୟାଙ୍କ

ନିକଟରୁ ପ୍ରୀତି–ଋଣ

ବନ୍ଧକ ନ ଦେଲେ କି ରୂପେ ବିଶ୍ୱାସ

କରିବ କି ଦେଖି ପୁଣ ?

ଏହା କହି ହେମ ଅଙ୍ଗୁରୀୟ କାଢ଼ି

ଅଙ୍ଗୁଳିରୁ ତରତରେ,

ଶକୁନ୍ତଳା କର ଧରି ଅଙ୍ଗୁଳିରେ

ମଣ୍ଡିଦେଲେ ପ୍ରେମଭରେ ।’’

 

ପ୍ରେମର ପ୍ରଥମ ସୋପାନ—ଅଙ୍ଗୁରୀୟ ଦାନ। ରାଜା ଦୁଷ୍ମନ୍ତ ଯେତେବେଳେ ଶକୁନ୍ତଳାଙ୍କ ଅଙ୍ଗୁଳିରେ ମୁଦ୍ରିକା ପିନ୍ଧାଇଦେଲେ ସେତେବେଳେ ଶକୁନ୍ତଳା ପାଇଲେ ତାଙ୍କର ପ୍ରଥମ ସ୍ପର୍ଶ । ସେହି ସ୍ପର୍ଶରେ ସତେ ଯେପରି ସେ ହରାଇ ବସିଲେ ତାଙ୍କର ପ୍ରଥମ ସ୍ପର୍ଶ । ସେହି ସ୍ପର୍ଶରେ ସତେ ଯେପରି ସେ ହରାଇ ବସିଲେ ତାଙ୍କର ମାନସିକ ଭାରସାମ୍ୟ ସଖୀମାନଙ୍କ ସଙ୍ଗରେ ଆଶ୍ରମକୁ ଫେରିଯିବା ସମୟରେ ଶକୁନ୍ତଳା ପଥ ମଧ୍ୟରେ ବାରମ୍ୱାର ପଶ୍ଚାତ୍‌ଦୃଷ୍ଟି ନିକ୍ଷେପ କରି ଦୁଷ୍ମନ୍ତଙ୍କର ଗତିପଥକୁ ନିରୀକ୍ଷଣ କରୁଥାନ୍ତି । ସଖୀମାନେ ଶକୁନ୍ତଳାଙ୍କର ଦୁର୍ବଳତା ବୁଝିପାରିଛନ୍ତି । କୁରୁବକ କଣ୍ଟା ଗଳିଗଲା ବୋଲି ଆଳକରି ଶକୁନ୍ତଳା ଯେତେବେଳେ ସଖୀମାନଙ୍କ ନିକଟରେ ନିଜର ଦୁର୍ବଳତାକୁ ଗୋପନ କରିବାକୁ ଚେଷ୍ଟା କରିଛନ୍ତି, ସେତେବେଳେ ପ୍ରିୟମ୍ୱଦାହିଁ ତାଙ୍କ ଦୁର୍ବଳତାକୁ ପ୍ରକାଶ କରିଦେଇଛନ୍ତି ।

 

ଦୁଷ୍ମନ୍ତ ଶିବିରକୁ ବାହୁଡ଼ିଗଲେ । ମନ ତାଙ୍କର ପୁରିଉଠିଛି କେବଳ ସେହି ଏକମାତ୍ର ଭାବନାରେ । ମନ ଏବଂ ବିବେକର ଦ୍ୱନ୍ଦରେ ଦୋଳାୟିତ ଦୁଷ୍ମନ୍ତଙ୍କର ସିଦ୍ଧାନ୍ତ ହେଉଛି,

 

‘‘ସ୍ୱାଧୀନ ଯୁବତୀ ସ୍ୱାଧୀନ ମନରେ

କରିଛି କର ଅର୍ପଣ,

ସାକ୍ଷୀ ସଖୀଦ୍ୱୟ ସାକ୍ଷୀ ତା ହୃଦୟ

ସାକ୍ଷୀ ପାଖ ଶାଖିଗଣ ।’’

 

ଶକୁନ୍ତଳା କୁଟୀରରେ ପ୍ରବେଶ କରି ମଧ୍ୟ ଅନୁରୂପ ଭାବନାରେ ବିହ୍ୱଳ । ଦୁଷ୍ମନ୍ତ-ନାମାଙ୍କିତ ମୁଦ୍ରିକାକୁ ସେ ବାରମ୍ୱାର ନିରୀକ୍ଷଣ କରିଛନ୍ତି । ମନରେ ତାଙ୍କର ବାରମ୍ୱାର ପ୍ରଶ୍ନ ଉଠିଛି, ସେ ଯାହାଙ୍କୁ ହୃଦୟରେ ଦେବତା ଭାବରେ ପୂଜା କରିଛନ୍ତି ତାଙ୍କୁ ନିଜ ହାତରେ ପୂଜା କରିବାର ସୌଭାଗ୍ୟ ଲାଭ କରିପାରିବେ ତ ? ଦୁଷ୍ମନ୍ତ ପୁନର୍ଦର୍ଶନର ଆଶା ଦେଇଛନ୍ତି—ଏଥିପାଇଁ ମଧ୍ୟ ତାଙ୍କର ବ୍ୟାକୁଳତା ବୃଦ୍ଧି ପାଇଲା । ସେ ମନେ ମନେ ସ୍ଥିର କଲେ,

 

‘‘ଦରଶନ ଦେବେ ସତ କିନ୍ତୁ ଯଦି

ଦାସୀ ନ କରିବେ ପଦେ;

ନାମେ ତପସ୍ୱିନୀ ଥାଇ ମରୁଥିବି

ଝୁରି ଏ ଆଶ୍ରମ-ପଦେ ।’’

 

ଶକୁନ୍ତଳା ଦୁଷ୍ମନ୍ତଙ୍କ କଥା ଭାବି କାଳ କାଟିଛନ୍ତି । ଦୁଷ୍ମନ୍ତ ଆଶ୍ରମକୁ ଆସିପାରନ୍ତି ବୋଲି ପ୍ରିୟମ୍ୱଦା ଓ ଅନସୂୟା ଯେତେବେଳେ ଗୌତମୀଙ୍କୁ କହିଲେ ସେତେବେଳେ ଗୌତମୀ ଦୁଷ୍ମନ୍ତଙ୍କ ଚର୍ଚ୍ଚାଭାର ଶକୁନ୍ତଳାଙ୍କ ଉପରେ ନ୍ୟସ୍ତ କଲେ । ତାପରେ ଶକୁନ୍ତଳା ମନୋରାଜ୍ୟରେ ଦେଖାଦେଲା କଳ୍ପନାର ଉତ୍ତୁଙ୍ଗ ତରଙ୍ଗ ।

 

ଚିନ୍ତାକୁଳ ଭାବରେ ଦୁଷ୍ମନ୍ତ ସାରାରାତ୍ରି ଶିବିରରେ କଟାଇଛନ୍ତି । ପ୍ରଭାତରେ ବନପ୍ରକୃତିର ପ୍ରତ୍ୟେକ ସ୍ତର ତାଙ୍କ ଚକ୍ଷୁରେ ମଧୁରତର ପ୍ରତିଭାତ ହୋଛଅଛି । ସେ ନିତ୍ୟକର୍ମ ସମାପନ କରି ଅରଣ୍ୟରେ ପ୍ରବେଶ କଲେ । ମାଳିନୀ ନଦୀ ତୀରବର୍ତ୍ତୀ ଏକ ବେତସ କୁଞ୍ଜରେ ଶକୁନ୍ତଳା, ପ୍ରିୟମ୍ୱଦା ଓ ଅନସୂୟାଙ୍କର ସନ୍ଧାନ ପାଇଲେ । ସଖୀମାନେ ଶକୁନ୍ତଳାଙ୍କୁ ପୁଷ୍ପଭୂଷଣରେ ମଣ୍ଡିତ କରି ରାଜା ଦୁଷ୍ମନ୍ତଙ୍କ ଅପେକ୍ଷାରେ ରହିଲେ । ଅନସୂୟା ସେଠାରେ ସଙ୍ଗୀତ ଗାନ କରିବସିଲା ।

 

‘‘ଚୂତି ପକ୍ୱହେଲେ କୋକିଳ ଆସଇ

ଭାଷଇ ମଧୁର ଭାଷା,

ପୁଣ୍ୟ ପକ୍ୱ ହେଲେ ପରାଣ–ଦେବତା

ପୂରଣ କରନ୍ତି ଆଶା ।

ନିର୍ମଳ ଗଗନେ ଚନ୍ଦ୍ରଥିଲେ ସିନା

ଦିଶନ୍ତି କର-ଦର୍ପଣେ,

ନିର୍ମଳ ପୀରତି ଜାତ ହୋଇଥିଲେ

ପାଶକୁ ଆସନ୍ତି ଜନେ ।’’

 

ବେତସ କୁଞ୍ଜରେ ପ୍ରବେଶ କଲେ ଦୁଷ୍ମନ୍ତ । ସଖୀମାନଙ୍କର କଥୋପକଥନରେ ଚାତୁରୀ ପ୍ରକାଶ ପାଇଅଛି । ସଖୀଙ୍କ ନିର୍ଦ୍ଦେଶରେ ଶକୁନ୍ତଳା ଦୁଷ୍ମନ୍ତଙ୍କ ଗଳାରେ ପ୍ରୀତିମାଲ୍ୟ ଅର୍ପଣ କରିଛନ୍ତି ।

 

‘‘ତାପସିକ ରସେ ନାଗରିକ ରସ

ତହିଁ ପ୍ରେମରସ ପଡ଼ି,

ଅମା–ସ୍ୱତୀ–ଶନି ପ୍ରାୟ ମିଳିକଲେ

ଆନନ୍ଦର ମହାଝଡ଼ ।’’

 

ଦୁଷ୍ମନ୍ତ ଓ ଶକୁନ୍ତଳାଙ୍କର ମିଳନର ସୁଯୋଗ ଦେଇଛନ୍ତି ଅନସୂୟା ଓ ପ୍ରିୟମ୍ୱଦା । ଶକୁନ୍ତଳା ହେଲେ ଦୁଷ୍ମନ୍ତଙ୍କର ପତ୍ନୀ । ଦୁହିଙ୍କ ମିଳନ ପରେ ସନ୍ଧ୍ୟା ସମାଗତ ହେବାରୁ ଶକୁନ୍ତଳା ଆଶ୍ରମକୁ ପ୍ରତ୍ୟାବର୍ତ୍ତନ କଲେ । ଦୁଷ୍ମନ୍ତ ଶକୁନ୍ତଳାଙ୍କଠାରୁ ବିଦାୟ ନେଇ ଶିବିରକୁ ଚାଲିଗଲେ । ଶକୁନ୍ତଳା ଆଶ୍ରମ–କୁଟୀରକୁ ଆସି ବାରମ୍ୱାର ଦୁଷ୍ମନ୍ତଙ୍କୁ ସ୍ମରଣ କରି ରାତ୍ରି ଯାପନ କଲେ ।

 

ଶକୁନ୍ତଳାଙ୍କ ମନରେ କେବଳ ଦୁଷ୍ମନ୍ତଙ୍କ ବ୍ୟତୀତ ଅନ୍ୟ କୌଣସି ଭାବନା ରହିଲା ନାହିଁ-। ସେ ଦୁଷ୍ମନ୍ତଙ୍କ ଚିନ୍ତାରେ ଏତେଦୂର ବିହ୍ୱଳ ହୋଇ ପଡ଼ିଥିଲେ ଯେ, ଦୁର୍ବାସା ତାଙ୍କ ନିକଟରେ ଉପସ୍ଥିତ ହେବା ମଧ୍ୟ ଜାଣିପାରିଲେ ନାହିଁ । ଫଳରେ ଦୁର୍ବାସାଙ୍କଠାରୁ ସେ ପାଇଲେ ଅଭିଶାପ-

 

ଦୁଷ୍ମନ୍ତ ଶକୁନ୍ତଳାଙ୍କୁ ପ୍ରତ୍ୟାଖ୍ୟାନ କରିବା ପରେ ଯେତେବେଳେ ଧିବରଠାରୁ ମୁଦ୍ରିକା ମିଳିଲା ସେତେବେଳେ ଦୁଷ୍ମନ୍ତଙ୍କ ସ୍ମୃତିପଥରେ ସବୁ ଘଟଣା ଗୋଟି ଗୋଟି ହୋଇ ଭାସି ବୁଲିଲା । ଶକୁନ୍ତଳାଙ୍କ ସହିତ ତାଙ୍କର ପ୍ରୀତିର ସ୍ମୃତି ତାଙ୍କୁ ବିଚଳିତ କରିଦେଲା । ଶକୁନ୍ତଳାଙ୍କ ବିରହରେ ସେ ଜଗତର ପ୍ରତ୍ୟେକ ବସ୍ତୁକୁ ବିଷପ୍ରାୟ ମନେ କଲେ । ତାଙ୍କ ମନର ଏହି ଭାବନାକୁ ବ୍ୟକ୍ତ କରିବାକୁ ଯାଇ କବି ଲେଖିଛନ୍ତି ।

 

‘‘ପ୍ରିୟାକରେ ଥାଇ ଯେଉଁ ଫୁଲ ମୋତେ

ଦେଉଥିଲା ମଧୁଗନ୍ଧ,

ତାହା ବାସ ଏବେ ନାସାରନ୍ଧ୍ରେ ପଶି

ମନେ ଲଗାଉଛି ଦ୍ୱନ୍ଦ୍ୱ ।

ପ୍ରିୟାକର–ଫଳ ଭୋଜନ କରି ମୁଁ

ତୁଚ୍ଛ ମଣିଥିଲି ସୁଧା,

ସ୍ମୃତି–ମୁଖେ ତିକ୍ତ ଲାଗୁଛି ତା ବିନା

ତହୁଁ ଭଲ ଫଳ ସୁଦ୍ଧା ।

ପ୍ରିୟା ସଙ୍ଗେ ବସି ବୁଝିଥିଲି ଏକା

ପଲ୍ଲବ–ଆସନ–ମୂଳେ,

ତା ବିନା ଶାକୁକୀ- ତଳ-ଶଯ୍ୟା ହେଲା

ଶାଳ୍ମଳୀ–କଣ୍ଟକ ତୁଲ୍ୟ ।’’

 

ଦୁଷ୍ମନ୍ତ ଶକୁନ୍ତଳାଙ୍କ ସ୍ମୃତିରେ ଅତିମାତ୍ରାରେ ବିଚଳିତ ହୋଇପଡ଼ିଲେ । ସେ ମନେ କଲେ, ଶକୁନ୍ତଳାଙ୍କ ସହିତ ତାଙ୍କର ପୁନର୍ମିଳନ ନହେଲେ ତାଙ୍କ ପକ୍ଷରେ ବଞ୍ଚିରହିବା ଅସମ୍ଭବ । ସତେ ଯେପରି ଶକୁନ୍ତଳାଙ୍କ ସ୍ମୃତି ତାଙ୍କୁ ଉନ୍ମାଦ କରିଦେଲା ।

 

‘‘ସୁନ୍ଦରୀର ଚିତ୍ର ଥିଲା ଯେଉଁ କକ୍ଷେ

ତହିଁକି କରି ଗମନ,

ଚିତ୍ର ଧରିକରେ ଲଗାଇ ବକ୍ଷରେ

ବଦନେ ଦେଲେ ଚୁମ୍ୱନ ।’’

 

ପ୍ରିୟତମଙ୍କର ଚିତ୍ରପଟ ଦୁଷ୍ମନ୍ତଙ୍କ ଚକ୍ଷୁରେ ହୋଇ ଉଠିଲା ଅନବଦ୍ୟ । ସେହି ଚିତ୍ରପଟ ଦର୍ଶନରେ ଦୁଷ୍ମନ୍ତ ଯେତେବେଳେ ଶକୁନ୍ତଳାଙ୍କ ରୂପବିଗ୍ରହକୁ ମନ ମଧ୍ୟରେ ସ୍ଥାନ ଦେଲେ ସେତେବେଳେ ସେ ଆଉ ସଂଜ୍ଞାଧରି ରହିପାରିଲେ ନାହିଁ—ସଂଜ୍ଞାହୀନ ହୋଇ ଭୂମିରେ ଟଳି ପଡ଼ିଲେ । ରାଜା ଦୁଷ୍ମନ୍ତ ଯେତେବେଳେ ସଂଜ୍ଞାଲାଭ କଲେ ସେତେବେଳେ ତାଙ୍କ ମନ ମଧ୍ୟରେ ଯେଉଁ ପ୍ରକାର ଭାବ ଉଦିତ ହେଲା, ତାହାହେଉଛି;

 

‘‘ଯାହା ଲାଗି ପ୍ରାଣ ଯେତିକି ପ୍ରଫୁଲ୍ଲ

ତା ଲାଗି ତେତେ ବିକଳ,

ତେତିକି ତପତ ହୋଇଥାଏ, ଯାହା

ଯେତିକି ହୁଏ ଶୀତଳ ।

 

ତେତିକି ତିମିରେ ମଚ୍ଛଇ ଅବନୀ

ଯେତିକି ହୁଏ ଉଜ୍ଜଳ,

ଯେମନ୍ତ ମଧୁର ତିକ୍ତହିଁ ତେମନ୍ତ

ପ୍ରକୃତ ପ୍ରଣୟ-ଫଳ ।’’

 

କାବ୍ୟର ଶେଷ ସର୍ଗରେ ଶକୁନ୍ତଳା ସହିତ ଦୁଷ୍ମନ୍ତଙ୍କର ମିଳନ ଘଟିଛି ଆକସ୍ମିକ ଭାବରେ । ଏହି ମିଳନର ଯୋଗସୂତ୍ର ହୋଇଛି ଦୁଷ୍ମନ୍ତଙ୍କର ପୁତ୍ର । କବି କୌଶଳ ପ୍ରୟୋଗ କରି ଶିଶୁଟିକୁ କେତେକ ସୂଚନା ମାଧ୍ୟମରେ ଦୁଷ୍ମନ୍ତଙ୍କ ନିକଟରେ ପରିଚିତ କରାଇଛନ୍ତି । ଏହି ସର୍ଗରେ କବି ଦୁଷ୍ମନ୍ତଙ୍କ ହୃଦୟରେ ବାତ୍ସଲ୍ୟ ମମତାର ସ୍ପଷ୍ଟ ଚିତ୍ର ଅଙ୍କନ କରିବାରେ ସମର୍ଥ ହୋଇ ଅଛନ୍ତି । ଦୀର୍ଘ ଛଅବର୍ଷର ବିରହ ପରେ ଶକୁନ୍ତଳା ଓ ଦୁଷ୍ମନ୍ତଙ୍କର ମିଳନ ହେଲା । ପ୍ରୀତି ରକ୍ଷାରେ ଅସମର୍ଥ ହୋଇଛନ୍ତି ବୋଲି ଉଭୟଙ୍କ ଅନ୍ତର ମଧ୍ୟରେ ଯେଉଁ ଭାବନାର ଉଦୟ ହେଲା ତାହା ପ୍ରକାଶ କରିବାକୁ ଯାଇ କବି ଲେଖିଛନ୍ତି,

 

‘‘ମନେ କରୁଥାଏ ପ୍ରଣୟ ପାଳନେ

ହୋଇଛି ନିଜେ ଅକ୍ଷମା

ପତି ଦରଶନ ଲଭିଲେ ଚରଣେ

ବିନୟେ ମାଗନ୍ତା କ୍ଷମା ।

 

ରାଜା ଭାବୁଥିଲେ ପ୍ରେମ–ମୂରତିକି

ପ୍ରଣୟ–ପୀଠେ ଆରାଧି,

ନପାରି ଧରମ ଲଙ୍ଘି ନିଜେ ହୋଇ-

ଛନ୍ତି ମହା ଅପରାଧୀ ।’’

 

ପ୍ରଣୟ ମୁଖର କାବ୍ୟ ପ୍ରଣୟ ବଲ୍ଲରୀରେ କବି ଯେପରି ଭାବରେ ପ୍ରେମ ଚିତ୍ର ଅଙ୍କନ କରିଛନ୍ତି ତାହା ପ୍ରେମିକ ପ୍ରେମିକାଙ୍କର ହୃଦୟର ଭାବ ପ୍ରକାଶ କରିବାକୁ ସମର୍ଥ ହୋଇଅଛି । ମିଳନ ପରେ ବିରହ ଓ ପୁଣି ବିରହ ପରେ ମିଳନ କାବ୍ୟକୁ ସୁପରିସମାପ୍ତ କରିବାରେ ସହାୟକ ହୋଇଅଛି ।

☆☆☆

 

Unknown

ବ୍ୟାସଦେବ ଓ କାଳିଦାସଙ୍କ ପ୍ରଭାବ

 

ମହାଭାରତର କଥାବସ୍ତୁ—

 

ଗଙ୍ଗାଧରଙ୍କ ସ୍ୱପ୍ନ ସନ୍ତାନ ପ୍ରଣୟ ବଲ୍ଲରୀ ବିଶ୍ୱବନ୍ଦିତ କବି କାଳିଦାସଙ୍କ ଅମର ସୃଷ୍ଟି ‘ଅଭିଜ୍ଞାନ ଶକୁନ୍ତଳମ୍‌’ର ଏକ ସାର୍ଥକ ଅନୁସତି । ବେଦବ୍ୟାସଙ୍କ ମହାଭାରତରେ ବର୍ଣ୍ଣିତ ଦୁଷ୍ମନ୍ତ–ଶକୁନ୍ତଳା ଉପାଖ୍ୟାନକୁ ନାଟକୀୟ ସୌନ୍ଦର୍ଯ୍ୟରେ ମଣ୍ଡିତ କରି କାଳିଦାସ ରଚନା କଲେ କାଳଞ୍ଜୟୀ ନାଟକ ‘ଅଭିଜ୍ଞାନ ଶକୁନ୍ତଳମ୍‍’ । ମହାଭାରତରେ ବର୍ଣ୍ଣିତ କାହାଣୀ, କାଳୀଦାସଙ୍କ ନାଟକୀୟ କଥାବସ୍ତୁ ଓ ଗଙ୍ଗାଧରଙ୍କ କାବ୍ୟିକ ଉପାଦାନର ବିଚାର ଦ୍ୱାରା ଗଙ୍ଗାଧରଙ୍କ ସ୍ୱକୀୟତା ବିଚାର୍ଯ୍ୟ ।

 

ମହାଭାରତରେ ବର୍ଣ୍ଣନା କରାଯାଇଅଛି—ପୁରୁବଂଶ ନରଶ୍ରେଷ୍ଠ, ମହାପରାକ୍ରମଶାଳୀ, ସସାଗରା ମେଦିନୀର ପାଳକ ରାଜା ଦୁଷ୍ମନ୍ତ ଅସଂଖ୍ୟ ସୈନ୍ୟ ଗଜବାଜିରେ ପରିବେଷ୍ଟିତ ହୋଇ ହିଂସ୍ରପଶୁ ଶିକାର ଅଭିପ୍ରାୟରେ ଗହନ ବନ ଉଦ୍ଦେଶ୍ୟରେ ଯାତ୍ରା କଲେ ଓ ଫଳପୁଷ୍ପରେ ସମନ୍ୱିତ, ପକ୍ଷୀ କାକଳିରେ ମୁଖରିତ, ମାଳିନୀର ସୁଶୀତଳ ବାୟୁସେବିତ କଣ୍ୱମୁନିଙ୍କର ପବିତ୍ର ଆଶ୍ରମ ନିକଟରେ ଉପନୀତ ହେଲେ । ରଜୋଗୁଣରହିତ ତପସ୍ୱୀ କଣ୍ୱଙ୍କ ଦର୍ଶନ ଅଭିଳାଷୀ ରାଜା ଦୁଷ୍ମନ୍ତ ସୈନ୍ୟସାମନ୍ତଙ୍କୁ ସେଠାରେ ଅପେକ୍ଷା କରିବାକୁ ନିର୍ଦ୍ଦେଶ ଦେଇ ଆଶ୍ରମର ଶୋଭା ସଂଦର୍ଶନ କରି ଅଗ୍ରସର ହେଲେ । କିନ୍ତୁ ଆଶ୍ରମରେ କଣ୍ୱଙ୍କର ବା ଅନ୍ୟକାହାର ସାକ୍ଷାତ ନ ପାଇ ‘କିଏ ଅଛ’ ବୋଲି ଅହ୍ୱାନ କଲେ । ଅପରୂପା ସୁନ୍ଦରୀ ଶକୁନ୍ତଳା ତପସ୍ୱୀ ବେଶରେ କୁଟୀରରୁ ବାହାରକୁ ଆସି ରାଜାଙ୍କୁ ପାଦ୍ୟ, ଅର୍ଘ୍ୟ, ଆସନ ଦେଇ ପୂଜା କଲେ ଓ କୁଶଳ ଜିଜ୍ଞାସା କଲେ । ସୁଶୋଭିନୀ ଶକୁନ୍ତଳାଙ୍କ ସୌନ୍ଦର୍ଯ୍ୟ ପ୍ରତି ଆକୃଷ୍ଟ ହୋଇ ଦୁଷ୍ମନ୍ତ କହିଲେ ଯେ ଦର୍ଶନମାତ୍ରେ ଶକୁନ୍ତଳା ତାଙ୍କର ଚିତ୍ତ ହରଣ କରିଛନ୍ତି । ସଂଯତ ଚିତ୍ତ ରାଜାଙ୍କର ହୃଦୟ କ୍ଷତ୍ରିୟ କନ୍ୟା ବ୍ୟତୀତ ଅନ୍ୟ କୌଣସୀ ନାରୀ ପ୍ରତି ଆକୃଷ୍ଟ ହେବା ସମ୍ଭବ ନୁହେଁ । ଶକୁନ୍ତଳା ମୁନିକୁମାରୀ ହୋଇଥିବାରୁ ତାଙ୍କର ପ୍ରକୃତ ପରିଚୟ ଜାଣିବାକୁ ସେ ଆଗ୍ରହ ପ୍ରକାଶ କଲେ ।

 

ଧର୍ମଜ୍ଞ କଣ୍ୱ ନନ୍ଦିନୀ ପ୍ରତ୍ୟୁତ୍ତରରେ କହିଲେ ଯେ ସେ ବିଶ୍ୱମିତ୍ରା ମେନକାଙ୍କର କନ୍ୟା । ବିଶ୍ୱମିତ୍ରଙ୍କ ତପସ୍ୟା ଭଙ୍ଗ ଉଦ୍ଦେଶ୍ୟରେ ଇନ୍ଦ୍ରଙ୍କ ନିର୍ଦ୍ଦେଶରେ ମେନକା ମର୍ତ୍ତ୍ୟପୁରୀକୁ ଆସି ନିଜର ଅବର୍ଣ୍ଣନୀୟ ସ୍ୱର୍ଗୀୟ ରୂପ ସୌନ୍ଦର୍ଯ୍ୟରେ ବିଶ୍ୱାମିତ୍ରଙ୍କୁ ପ୍ରଲୁବ୍‌ଧ କରି ଶକୁନ୍ତଳାଙ୍କୁ ହିମାଳୟରେ ମନୋହର ଶିଖର ଦେଶର ମାଳିନୀ ନଦୀ ତୀରରେ ଜନ୍ମ ଦେଇ ଇନ୍ଦ୍ରଲୋକକୁ ପ୍ରତ୍ୟାବର୍ତ୍ତନ କଲେ-। ବିଶ୍ୱାମିତ୍ର ନିଜର ସ୍ଖଳନରେ ଲଜ୍ଜିତ ହୋଇ ପୁନର୍ବାର ତପସ୍ୟାରେ ନିମଗ୍ନ ହେଲେ-। ନିର୍ଜନ ବନରେ ଶକୁନ୍ତଳାମାନେ ତାକୁ ପକ୍ଷ ଆଚ୍ଛାଦନ କରି ରକ୍ଷା କରିଥିଲେ ଓ କଣ୍ୱଙ୍କୁ ଦେଖି କନ୍ୟାକୁ ଅର୍ପଣ କଲେ ।

 

‘‘ନିର୍ଜନେ ତୁ ବନେ ଯସ୍ମାଚ୍ଛକୁନ୍ତୈଃ ପରିବାରିତା

ଶକୁନ୍ତଲେତି ନାମାସ୍ୟାଃ କୃତଂ ଚାପି ତତୋ ମୟା ।’’

 

‘ଶକୁନ୍ତନ୍ ଲାତି ରକ୍ଷକତ୍ୱେନ ଗୃହିତ’ ଏହି ବ୍ୟୁତ୍ପତ୍ତି ଅନୁସାରେ କନ୍ୟାର ନାମ ଶକୁନ୍ତଳା ବୋଲି କଣ୍ୱ ଦେଲେ ।

 

ଦୁଷ୍ମନ୍ତ ଶକୁନ୍ତଳାଙ୍କୁ ଗାନ୍ଧର୍ବ ମତରେ ବିବାହ କରିବା ପାଇଁ ଅନୁରୋଧ କଲେ ଓ ଗାନ୍ଧର୍ବ ବିବାହକୁ ବିବାହ ମଧ୍ୟରେ ଶ୍ରେଷ୍ଠ ରୂପେ ସ୍ୱୀକାର କରାଯାଏ ବୋଲି ବୁଝାଇଲେ ।

 

ଶାସ୍ତ୍ରବିଶାରଦା ଶକୁନ୍ତଳା କହିଛନ୍ତି—

 

‘‘ପିତାହି ମେ ପ୍ରଭୁର୍ନିତ୍ୟଂ ଦୈବତଂ ପରମଂ ମତମ୍

ଯସ୍ୟ ବା ଦାସ୍ୟତି ପିତା ସ ମେ ଭର୍ତ୍ତା ଭବିଷ୍ୟତି ।

ପିତା ରକ୍ଷତି କୌମାରେ ଭର୍ତ୍ତା ରକ୍ଷତି ଯୌବନେ ।

ପୁତ୍ରସ୍ତୁ ସ୍ଥବିରେ ଭାବେ ନ ସ୍ତ୍ରୀ ସ୍ୱତନ୍ତ୍ରମର୍ହତି ।’’

 

ପିତା ମୋର ପ୍ରଭୁ । ତାକୁହିଁ ମୁଁ ସର୍ବଦା ମୋର ସର୍ବୋକୃଷ୍ଟ ଦେବତା ବୋଲି ଜ୍ଞାନ କରେ । ସେ ମତେ ଯାହାଙ୍କ ହସ୍ତରେ ଅର୍ପଣ କରିବେ, ସେଇ ମୋର ସ୍ୱାମୀ । କୁମାରୀ ଅବସ୍ଥାରେ ପିତା, ଯୌବନରେ ପତି, ଓ ବାର୍ଦ୍ଧକ୍ୟରେ ପୁତ୍ର ରକ୍ଷା କରେ–ସ୍ତ୍ରୀ ସ୍ୱତନ୍ତ୍ର ହେବା ବିଧେୟ ନୁହେଁ ।

 

ମହତ୍ ପଣ୍ଡିତ ଦୁଷ୍ମନ୍ତ ବ୍ରାହ୍ମ, ଦୈବ, ଆର୍ଷ, ପ୍ରାଜାପତ୍ୟ, ଅସୁର, ଗାନ୍ଧର୍ବ, ରାକ୍ଷସ, ପୈଶାଚ—ଏହି ଅଷ୍ଟବିଧ ବିବାହ ପ୍ରକ୍ରିୟା ମଧ୍ୟରେ କ୍ଷତ୍ରିୟ ପାଇଁ ଗାନ୍ଧର୍ବ ଧର୍ମାନୁକୂଳ ଓ ପ୍ରଶସ୍ତ ବୋଲି କହି ଶକୁନ୍ତଳାଙ୍କୁ ସ୍ୱୀକୃତି ଦେବାକୁ ବାରମ୍ୱାର ଅନୁରୋଧ କଲେ ।

 

ବର ବଧୂ ସ୍ୱେଚ୍ଛାରେ ପରସ୍ପରକୁ ସ୍ୱୀକାର କରିନେବା ହେଉଛି ଗାନ୍ଧର୍ବ ବିବାହ । ତେଣୁ ଶକୁନ୍ତଳା କହିଲେ ଯେ ଯଦି ଏହି ବିବାହ ଧର୍ମାନୁକୂଳ ହୁଏ ଓ ଯଦି ଆତ୍ମା ସ୍ୱୟଂ ନିଜକୁ ଦାନ କରିବାକୁ ସମର୍ଥ ହୋଇଥାଏ, ତେବେ ସେ ପ୍ରସ୍ତୁତ, କିନ୍ତୁ ତାଙ୍କର ସର୍ତ୍ତ ହେଉଛି, ତାଙ୍କର ଗର୍ଭଜାତ ସନ୍ତାନ ପୁରୁବଂଶର ଉତ୍ତରାଧିକାରୀ ହେବ । ରାଜା ଅଗ୍ର ପଶ୍ଚାତ୍ ବିବେଚନା ନ କରି ଅଙ୍ଗୀକୃତ ହେଲେ । ଦୁଷ୍ମନ୍ତ ଅନିନ୍ଦ୍ୟାଗାମିନୀ ଶକୁନ୍ତଳାଙ୍କୁ ବିଧିପୂର୍ବକ ବିବାହ କଲେ ଓ କଣ୍ୱଙ୍କ ଆଗମନ ପୂର୍ବରୁ ଅତିଶୀଘ୍ର ଆସି ନିଜ ନଗରକୁ ଶକୁନ୍ତଳାଙ୍କୁ ଚତୁରଙ୍ଗ ବାହିନୀ ପଠାଇ ନେଇଯିବା ପାଇଁ ପ୍ରତିଶ୍ରୁତି ଦେଇ ନିଜ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କଲେ ।

 

ଦୁଷ୍ମନ୍ତଙ୍କ ପ୍ରସ୍ଥାନ ପରେ ପରେ କଣ୍ୱ ଆଶ୍ରମକୁ ଆସିଲେ । ଲଜ୍ଜାବଶତଃ ଶକୁନ୍ତଳା ପୂର୍ବପରି ପିତାଙ୍କ ନିକଟକୁ ଗଲେ ନାହିଁ । ନିଜ ଧର୍ମରୁ ବିଚ୍ୟୁତି ହୋଇଥିବାରୁ ସେ ଭୟଭୀତ ହୋଇ ପଡ଼ିଥିଲେ । କଣ୍ୱ ତାଙ୍କୁ ନିର୍ଭୟରେ ସକଳ ବୃତ୍ତାନ୍ତ କହିବାକୁ ଅଭୟ ହେବାରୁ ସେ ମହାଯଶସ୍ୱୀ କ୍ଷତ୍ରିୟ ଶିରୋମଣି ଦୁଷ୍ମନ୍ତଙ୍କ ସହ ତାଙ୍କର ବିବାହ ବିଷୟ ଉଲ୍ଲେଖ କଲେ ଓ ପରବର୍ତ୍ତୀ ଘଟଣା ଦିବ୍ୟଦୃଷ୍ଟି ବଳରେ ଜାଣିବାକୁ କହିଲେ ।

 

କଣ୍ୱ ଦିବ୍ୟଦୃଷ୍ଟି ବଳରେ ସକଳ ବୃତ୍ତାନ୍ତ ଜାଣି ଆନନ୍ଦିତ ହେଲେ ଓ ମହାପରାକ୍ରମଶାଳୀ ରାଜଚକ୍ରବର୍ତ୍ତୀ ଲକ୍ଷଣଯୁକ୍ତ ପୁତ୍ର ସନ୍ତାନ ହେବ ବୋଲି ଜଣାଇଲେ । କିନ୍ତୁ ପତିବ୍ରତା ମହାସାଧ୍ୱୀ ଶକୁନ୍ତଳା ଦୁଷ୍ମନ୍ତଙ୍କ ମଙ୍ଗଳ କାମନା କରି ଆଶୀର୍ବାଦ ଭିକ୍ଷା କଲେ । ଦିନ, ପକ୍ଷ, ମାସ, ବର୍ଷ ଗଣନା କରି ଶକୁନ୍ତଳାଙ୍କର ତିନିବର୍ଷ ବିତିଗଲା । ତିନିବର୍ଷ ପରେ ପ୍ରଜ୍ଜ୍ୱଳିତ ଅଗ୍ନିତୁଲ୍ୟ ମହା ତେଜସ୍ୱୀ, ରୂପବାନ ଓ ଗୁଣବାନ ପୁତ୍ରଟିଏ ଜାତ ହେଲା । କଣ୍ୱ ବିଧିପୂର୍ବକ ଜାତକର୍ମାଦି ସଂସ୍କାର କଲେ । ସେହି ବୁଦ୍ଧିମାନ ବାଳକ ପ୍ରତିଦିନ ଚନ୍ଦ୍ରକଳା ପରି ବଢ଼ିବାକୁ ଲାଗିଲା । ଦେବପୁତ୍ର ତୁଲ୍ୟ ସେହି ବଳବାନ ବାଳକ କଣ୍ୱାଶ୍ରମରେ ସିଂହ, ବ୍ୟାଘ୍ର, ବରାହ, ମହିଷ ଓ ହସ୍ତୀ ପ୍ରଭୃତିଙ୍କୁ ଧରି ବାନ୍ଧୁଥିଲା । ଦୈତ୍ୟ, ରାକ୍ଷସ, ପିଶାଚ ଓ ସମସ୍ତ ଜୀବଙ୍କୁ ଦମନ କରିପାରିବାରୁ ଆଶ୍ରମର ଋଷିମାନେ ତାକୁ ନୂତନ ନାମକରଣ ଦେଲେ—ସର୍ବଦମନ ।

 

ଦୁଷ୍ମନ୍ତ କୌଣସି ବ୍ୟକ୍ତିକୁ ପ୍ରେରଣ ନ କରିବାରୁ ଶକୁନ୍ତଳା ଚିନ୍ତିତ ହେଲେ ଓ କ୍ରମେ ଅତ୍ୟନ୍ତ ଦୁର୍ବଳ ଓ ଦୀନ ଅବସ୍ଥା ପ୍ରାପ୍ତ ହେଲେ । କଣ୍ୱ ଶକୁନ୍ତଳାଙ୍କର ଏହି ଦୟନୀୟ ରୂପ ଦେଖି ସର୍ବଦମନକୁ ସର୍ବଶାସ୍ତ୍ରରେ ବିଶାରଦ କଲେ । ମାତ୍ର ଦ୍ୱାଦଶ ବର୍ଷରେ ବାଳକର ହୃଦୟରେ ସମସ୍ତ ଶାସ୍ତ୍ର ଓ ସମ୍ପୂର୍ଣ୍ଣ ବେଦଜ୍ଞାନ ପ୍ରକାଶିତ ହେଲା । ମହର୍ଷି ବାଳକର ଲୋକେତ୍ତର କର୍ମ ଦେଖି ଓ ତାର ଯୁବରାଜ ପଦରେ ଅଭିଷିକ୍ତ ହେବାର ସମୟ ଉପନୀତ ହେବାର ଅନୁଭବ କରି ଶକୁନ୍ତଳା ଓ ସର୍ବଦମନକୁ ଶିଷ୍ୟମାନଙ୍କ ସହ ଦୁଷ୍ମନ୍ତଙ୍କ ପାଖକୁ ପଠାଇବାର ବ୍ୟବସ୍ଥା କଲେ । ଶକୁନ୍ତଳାଙ୍କୁ ଉପଦେଶ ଛଳରେ ପତିବ୍ରତ୍ୟର ମହିମା ବୁଝାଇ କହିଲେ—ସତୀ ସ୍ତ୍ରୀର ସର୍ବପ୍ରଥମ କର୍ତ୍ତବ୍ୟ ହେଉଛି ମନ, ବଚନ, ଶରୀର ଓ ଚେଷ୍ଟାଦ୍ୱାରା ନିରନ୍ତର ସ୍ୱାମୀର ସେବାରେ ନିଯୁକ୍ତ ରହିବା । ଏହି ପତିବ୍ରତୋଚିତ ଆଚାର ବ୍ୟବହାରରେ ହିଁ ବିଶିଷ୍ଟ ଶୋଭା ଲାଭ କରାଯାଏ । ପୁଣି ନିଜ ଶିଷ୍ୟମାନଙ୍କୁ କହିଲେ—ସ୍ୱାମୀମାନଙ୍କ ପକ୍ଷରେ ନିଜର ଭାଇ ବନ୍ଧୁ କୁଟୁମ୍ୱଙ୍କ ଘରେ ଅଧିକ ଦିନ ରହିବା ସମୀଚୀନ ନୁହେଁ । ତଦ୍ଦ୍ୱାରା ନିଜର କୀର୍ତ୍ତି, ସ୍ୱଭାବ ତଥା ପାତିବ୍ରତ୍ୟ ଧର୍ମନାଶ ଘଟିଥାଏ । ତେଣୁ ଅବିଳମ୍ୱେ ଶକୁନ୍ତଳାକୁ ତାର ପତିଗୃହରେ ପହଞ୍ଚାଇ ଦିଅ ।

 

ପତିଗୃହ ଗମନ ସମ୍ୱାଦରେ ଶକୁନ୍ତଳା ଅତ୍ୟନ୍ତ ପ୍ରସନ୍ନ ହେଲେ ଓ କଣ୍ୱଙ୍କୁ ପ୍ରଣିପାତ କରି ନିଜର ଅଜ୍ଞାନତାବଶତଃ ଯଦି କୌଣସି ଅପରାଧ କରିଥାଆନ୍ତି, ସେଥିପାଇଁ କ୍ଷମାଭିକ୍ଷା କଲେ-। ମହାମୁନି କଣ୍ୱ ପ୍ରିୟତମା ପୁତ୍ରୀର ବଚନରେ ଦୁଃଖରେ ଅଶ୍ରୁମୋଚନ କଲେ । ଶକୁନ୍ତଳା ଓ ସର୍ବଦମନଙ୍କ ସହିତ ଶିଷ୍ୟମାନେ ଦୁଷ୍ମନ୍ତଙ୍କ ରାଜ୍ୟ ଉଦ୍ଦେଶ୍ୟରେ ଯାତ୍ରା କଲେ । ରାଜସଭାରେ ଉପନୀତ ହୋଇ ମହର୍ଷିଙ୍କ ସମ୍ୱାଦ ରାଜାଙ୍କୁ ଜଣାଇ ଶିଷ୍ୟଗଣ ପୁନର୍ବାର ଆଶ୍ରମକୁ ପ୍ରତ୍ୟାବର୍ତ୍ତନ କଲେ । ଶକୁନ୍ତଳା ସର୍ବଦମନଙ୍କୁ ଯୁବରାଜ ପଦରେ ଅଭିଷିକ୍ତ କରିବା ପାଇଁ ଦୁଷ୍ମନ୍ତଙ୍କୁ ପୂର୍ବ ସର୍ତ୍ତ ସ୍ମରଣ କରାଇଦେଲେ । ରାଜା ଦୁଷ୍ମନ୍ତ ଶକୁନ୍ତଳାଙ୍କ କଥା ସ୍ମରଣରେ ଆଣିଲେ ବି ଧର୍ମବୃଦ୍ଧିରେ କିଛି ବିଚାର କରି ତାଙ୍କୁ ପତ୍ନୀ ରୂପେ ଗ୍ରହଣ କରିଥିବା କଥା ଅସ୍ୱୀକାର କଲେ ।

 

ଶକୁନ୍ତଳା ଦୁଷ୍ମନ୍ତଙ୍କ ନିଷ୍ଠୁର ବଚନ ଶୁଣି ଲଜ୍ଜା ଦୁଃଖରେ ନିଶ୍ଚଳ ହୋଇଗଲେ । ତତ୍ପରେ କ୍ରୋଧ ଓ ଅମର୍ଷରେ ତାଙ୍କର ଚକ୍ଷୁ ରକ୍ତବର୍ଣ୍ଣ ଓ ଓଷ୍ଠ କମ୍ପିତ ହେଲା । ରାଜାଙ୍କୁ ଭତ୍ସନା କରି ସେ କହିଲେ, ‘‘ଆପଣ ନିଜର ପ୍ରକୃତ ସ୍ୱରୂପ ଗୋପନ କରି ନିଜକୁ ଅନ୍ୟ ରୂପରେ ପ୍ରକାଶ କରୁଛନ୍ତି । ନିଜ ଆତ୍ମାକୁ ଅପହରଣ କରିଥିବା ସେହି ଚୋର କେଉଁ ପାପ କରି ନପାରେ । ଆପଣ ଭାବୁଛନ୍ତି ଯେ ସେ ସମୟରେ ମୁଁ ଏକାକୀ ଥିଲି । କିନ୍ତୁ ଆପଣ ଜାଣନ୍ତି ନାହିଁ ଯେ ସେହି ସନାତନ ପୁରୁଷ ରୂପୀ ପରମାତ୍ମା ସକଳ ହୃଦୟରେ ଅନ୍ତର୍ଯ୍ୟାମୀ ରୂପରେ ବିଦ୍ୟମାନ । ସେ ସମସ୍ତଙ୍କ ପାପପୂଣ୍ୟ ଜାଣି ପାରନ୍ତି, ଆଉ ଆପଣ ତାଙ୍କ ପାଖରେ ରହି ପାପ କାର୍ଯ୍ୟ କରୁଛନ୍ତି । ଏହିପରି ନାନା ବାକ୍ୟବାଣି ଦ୍ୱାରା ଶକୁନ୍ତଳା ଦୁଷ୍ମନ୍ତଙ୍କୁ ଜର୍ଜରିତ କଲେ ସୁଦ୍ଧା ଦୁଷ୍ମନ୍ତ ଅବିଚଳିତ ଭାବରେ ତାଙ୍କୁ ଅସ୍ୱୀକାର କରିଛନ୍ତି । ଶେଷରେ ଶକୁନ୍ତଳା ଦୁଃଖ କ୍ଷୋଭ ଓ ଅପମାନର ପ୍ରସ୍ଥାନ ଉଦ୍ୟତ ହୁଅନ୍ତେ ଆକାଶରୁ ଶୂନ୍ୟବାଣୀ ହେଲା—ମାତା କେବଳ ପୁତ୍ରର ଧାତ୍ରୀ ଅଟେ—ପୁତ୍ର ପିତାର ସ୍ୱରୂପ । ତେଣୁ ତୁମେ ତୁମ ପୁତ୍ରକୁ ପାଳନ ପୋଷଣ କର । ଦୁଷ୍ମନ୍ତ ଶୂନ୍ୟବାଣୀ ଶୁଣି ଅତ୍ୟନ୍ତ ଆନନ୍ଦିତ ହେଲେ ଓ ଶକୁନ୍ତଳାଙ୍କୁ କହିଲେ ଯେ ତାଙ୍କ ସହିତ ସେ ଯେପରି ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ, ସାଧାରଣ ଜନତା ତାକୁ ସ୍ୱୀକାର କରିନଥାନ୍ତା । ଏଣୁ ଶକୁନ୍ତଳାଙ୍କ ଶୁଦ୍ଧି ପାଇଁ ସେ ଏପରି ଉପାୟ ସ୍ଥିର କରିଥିଲେ । ଶକୁନ୍ତଳାଙ୍କ କଥାରେ ଦୁଷ୍ମନ୍ତ ତାଙ୍କୁ ସ୍ୱୀକାର କରିଥିଲେ ଅନ୍ୟମାନଙ୍କ ମନରେ ସଂଶୟ ଜାତ ହୋଇଥାନ୍ତା । ଶେଷରେ ନିଜର କଟୁ ବଚନ ଓ ମନ୍ଦ ବ୍ୟବହାର ପାଇଁ ସତୀ ସାଧ୍ୱୀ ସ୍ତ୍ରୀଙ୍କ ନିକଟରେ କ୍ଷମା ଭିକ୍ଷା କରି ପତ୍ନୀ ଓ ପୁତ୍ରକୁ ଗ୍ରହଣ କରି ଅନପାନ ବସ୍ତ୍ର ଦ୍ୱାରା ତାଙ୍କର ସତ୍କାର କରି ଦୁଷ୍ମନ୍ତ ପରମ ଆନନ୍ଦ ଲାଭ କଲେ । ମହାଭାରତ ବର୍ଣ୍ଣିତ ଏହି ଉପଖ୍ୟାନ ମହାକବି କାଳିଦାସଙ୍କ ଲେଖନୀରେ କି ରୂପ ଧାରଣ କରିଛି ତାହା ବିଚାର୍ଯ୍ୟ-

 

ଅଭିଜ୍ଞାନ ଶକୁନ୍ତଳମ୍‌ର କଥାବସ୍ତୁ

 

ମହାକବି କାଳିଦାସଙ୍କ ଅଭିଜ୍ଞାନ ଶକୁନ୍ତଳମ୍‌ରେ ପ୍ରଥମେ ନାନ୍ଦୀର ମଙ୍ଗଳାଚରଣ ପରେ ସୂତ୍ରଧାର ଓ ନଟୀର ପ୍ରବେଶ । ନାଟକ ସମ୍ୱନ୍ଧରେ ସୂଚନା ପ୍ରଦାନ କରିବା ପରେ ପ୍ରଥମ ଅଙ୍କରେ ମହାରାଜା ଦୁଷ୍ମନ୍ତ ଦ୍ରୁତ ଅଶ୍ୱବାହୀ ରଥରେ ଆରୋହଣ କରି ଚଞ୍ଚଳନୟନା କୁରଙ୍ଗୀର ପଶ୍ଚାତ୍‌ଧାବନ କରି ଅରଣ୍ୟ ମଧ୍ୟରେ ଉପନୀତ ହୋଇଛନ୍ତି । ଶରୀଶଙ୍କିତ କୃଷ୍ଣସାର ଦୀର୍ଘ ଲମ୍ଫ ପ୍ରଦାନ କରି ଦ୍ରୁତ ଧାବିତ । ମୃଗୟା ବିଳାସୀ ଧନୁର୍ଦ୍ଧାରୀ ରାଜା ମୃଗ ନିଧନ ସଂକଳ୍ପରେ ଦୃଢ଼ ହୋଇ ଅତି କ୍ଷିପ୍ର ଗତିରେ ଅଶ୍ୱଚାଳନା ପାଇଁ ସାରଥିଙ୍କୁ ନିର୍ଦ୍ଦେଶ ଦେଲେ । ସୂର୍ଯ୍ୟ ଓ ଇନ୍ଦ୍ରଙ୍କ ଅଶ୍ୱଠାରୁ ଆହୁରି ବେଗବାନ୍ ଅଶ୍ୱରେ ରାଜା ମୃଗର ସମୀପବର୍ତ୍ତୀ ହୋଇ ଶରସନ୍ଧାନରେ ପ୍ରବୃତ୍ତ ହେବାରୁ ନିକଟବର୍ତ୍ତୀ ଆଶ୍ରମରେ ତାପସକୁମାରଙ୍କ ନିଷେଧରେ ଶର ପ୍ରତିସଂହାର କରି ସେମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କଲେ ଓ ନିଜର ମହାନୁଭବତାର ପରିଚୟ ଦେଲେ । ପରିତୁଷ୍ଟ ତାପସ ରାଜାଙ୍କୁ ଆଶୀର୍ବାଦ କରି କହିଲେ, ‘ଚିତ୍ରବର୍ତ୍ତୀ ଲକ୍ଷଣଯୁକ୍ତ ଗୁଣବାନ ପୁତ୍ର ଲାଭକର’ । ଅପୁତ୍ରିକ ରାଜା ସାନନ୍ଦରେ ତାପସଙ୍କୁ ପ୍ରଣାମ କରି ଆଶୀର୍ବାଦ ଗ୍ରହଣ କଲେ । ସମିଧ ଆହରଣ ପାଇଁ ଯିବା ପୂର୍ବରୁ ମୁନିକୁମାର ଜଣାଇଲେ ଯେ ମାଳିନୀ ନଦୀର ତୀରରେ କଣ୍ୱଙ୍କ ଆଶ୍ରମରେ ମୁନିକନ୍ୟା ଶକୁନ୍ତଳାଙ୍କ ଉପରେ ଅତିଥି ସତ୍କାରର ଦାୟିତ୍ୱ ଅର୍ପଣ କରି କନ୍ୟାର ଗ୍ରହଦୋଷ ଖଣ୍ଡନ ନିମନ୍ତେ କଣ୍ୱମୂହି ସୋମତୀର୍ଥକୁ ଯାଇଛନ୍ତି । ରାଜାଙ୍କୁ ଆଶ୍ରମରେ ଆତିଥ୍ୟ ଗ୍ରହଣ କରିବାକୁ ତାପସ ଅନୁରୋଧ କରିଗଲେ ।

 

କଣ୍ୱ ମୁନିଙ୍କ ପବିତ୍ର ଆଶ୍ରମ ଦର୍ଶନ କରି ଆତ୍ମଶୁଦ୍ଧି ଲାଭ କରିବା ଅଭିପ୍ରାୟରେ ରାଜା ଆଶ୍ରମ ଅଭିମୁଖେ ରଥ ଚାଳନା କଲେ । ଆଶ୍ରମର ପ୍ରକୃତିକ ଶୋଭା ରାଜାଙ୍କ ଦୃଷ୍ଟିରେ ଲୋଭନୀୟ ପ୍ରତୀତ ହେଲା । କେଉଁଠି ଶୁକପକ୍ଷୀ ଶାବକର ମୁଖରୁ ନିବାର ସ୍ଖଳିତ ହୋଇ ବୃକ୍ଷତଳେ ପଡ଼ିଛି, କେଉଁଠି ମୁନିମାନେ ଭାଙ୍ଗିଥିବା ଇଙ୍ଗୁଦୀ ଫଳରେ ତୈଳ ମସୃଣ ପ୍ରସ୍ତରଖଣ୍ଡ ଶୋଭା ପାଉଛି । କେଉଁଠି ବା ମୃଗମାନେ ରଥଚକରେ ଘର୍ଘର ନାଦରେ ଚକିତ ନହୋଇ ନିଃଶଙ୍କ ଚିତ୍ତରେ ବିହାର କରୁଛନ୍ତି । ଆଶ୍ରମ ସୌନ୍ଦର୍ଯ୍ୟରେ ବିହ୍ୱଳିତ ରାଜା କିଛି ବାଟ ଯାଇ ରଥରୁ ଅବତରଣ କରି ନିଜର ଅହଙ୍କାର ଧନୁଶର ସାରଥିକୁ ଦେଇ ବିନୀତ ବେଶରେ ଆଶ୍ରମରେ ପ୍ରବେଶ କଲେ ।

 

ଶାନ୍ତିର କ୍ରୀଡ଼ାସ୍ଥଳୀ ଆଶ୍ରମ ପଦରେ ପ୍ରବେଶ କରିବା ମାତ୍ରେ ରାଜାଙ୍କର ଦକ୍ଷିଣ ବାହୁ ସ୍ଫୁରିତ ହେଲା । ଏହା ବରନାରୀ ପ୍ରାପ୍ତିର ସୂଚନା–ଆଶ୍ରମରେ ଏହା କିପରି ସମ୍ଭବ ଭାବି ଦୁଷ୍ମନ୍ତ ବିସ୍ମିତ ହେଲେ । ହଠାତ୍ ଲତା ଅନ୍ତରାଳରୁ ନାରୀକଣ୍ଠର ମଧୁର ସ୍ୱର ଶ୍ରବଣ କରି ରାଜା ସେହି ଦିଗରେ ଅଗ୍ରସର ହୋଇ ଦେଖିଲେ ଅପୁର୍ବ ସୁନ୍ଦରୀ ତିନୋଟି ତାପସ କନ୍ୟା ଉପବନର ବୃକ୍ଷରେ ଜଳସେଚନ କରି ତାଙ୍କ ଆଡ଼କୁ ଆସୁଛନ୍ତି । ରାଜାଙ୍କର ମନେ ହୋଇଛି, ରାଜା ଅନ୍ତଃପୁରରେ ଏପରି ସୌନ୍ଦର୍ଯ୍ୟ ଦୁର୍ଲଭ । ବନଲତିକା ସୌନ୍ଦର୍ଯ୍ୟ ଗୁଣରେ ଉଦ୍ୟାନ ଲତିକାକୁ ଅତିକ୍ରମ କରି ଯାଇଛି । ସେମାନଙ୍କ କଥୋପକଥନରୁ ରାଜା ଜାଣିଲେ ସୁନ୍ଦରୀଶ୍ରଷ୍ଠାର ନାମ ଶକୁନ୍ତଳା ଓ ଅପରଦ୍ୱୟ ତାର ପ୍ରିୟ ସଖୀ ପ୍ରିୟମ୍ୱଦା ଓ ଅନସୂୟା ।

 

କଣ୍ୱ ଦୁହିତା ଶକୁନ୍ତଳାଙ୍କର ସଜସଜ୍ଜାରହିତ ସ୍ୱଭାବ ସୁନ୍ଦର ମନୋହର ଦେହବଲ୍ଲରୀ ଦେଖି ଦୁଷ୍ମନ୍ତ ବିମୁଗ୍‌ଧ ହେଲେ ଓ ତାଙ୍କର ଆଚାର ପୁତ ହୃଦୟ ଶକୁନ୍ତଳାଙ୍କ ପ୍ରତି ଆକୃଷ୍ଟ ହେବାରୁ ତାଙ୍କର ସ୍ଥିର ବିଶ୍ୱାସ, ସେ ନିଶ୍ଚୟ କ୍ଷତ୍ରିୟର ବିବାହଯୋଗ୍ୟା ।

 

ଠିକ୍ ଏତିକିବେଳେ ନାଟକୀୟ ଭାବରେ ନବମାଳିକାକୁ ତ୍ୟାଗ କରି ଦୁଷ୍ଟ ମଧୁବ୍ରତ ଶକୁନ୍ତଳାଙ୍କୁ ବିବ୍ରତ କଲା । ଭ୍ରମର–ଭୀତା ଶକୁନ୍ତଳା ଦୁର୍ବିନୀତ ମଧୁକର ଉପଦ୍ରବରୁ ରକ୍ଷା କରିବା ପାଇଁ ସଖୀଙ୍କୁ ଅନୁରୋଧ କଲେ । ସଖୀମାନେ ହସି ହସି ତପୋବନରେ ରକ୍ଷକ ରାଜା ଦୁଷ୍ମନ୍ତଙ୍କୁ ଆହ୍ୱାନ କରିବାକୁ କହିଲେ । ବିଚକ୍ଷଣ ମତି ରାଜା ଏହି ସୁଯୋଗର ସଦ୍‌ବ୍ୟବହାର କଲେ । ଚଞ୍ଚଳ ପଦକ୍ଷେପରେ ଆସି ଶକୁନ୍ତଳାଙ୍କୁ ମଧୁକର ଗଞ୍ଜନାରୁ ରକ୍ଷା କଲେ । ସଖୀମାନେ ରାଜାଙ୍କର ସତ୍କାର କରି ସପ୍ତବର୍ଣ୍ଣ ବେଦିକାର ସୁଶୀତଳ ଛାୟାରେ ଉପବେଶନ କରାଇଲେ ଓ ରାଜାଙ୍କ ଅନୁରୋଧରେ ସମସ୍ତେ ତାଙ୍କ ନିକଟରେ ବସିଲେ । ରାଜାଙ୍କୁ ଦେଖି ଶକୁନ୍ତଳାଙ୍କ ହୃଦୟରେ ତପୋବନ ବିରୁଦ୍ଧ ଭାବ ସଞ୍ଚାରି ଦେଲା । ରାଜା ସେମାନଙ୍କୁ ଲକ୍ଷ୍ୟ କରି କହିଲେ, ତମେ ତିନି ବନ୍ଧୁ ସମାନ ବୟସ ଓ ରୂପରେ ରମଣୀୟ । ରାଜାଙ୍କର ଭଦ୍ର ଓ ରାଜୋଚିତ ଭାବରେ କୌତୂହଳୀ ହୋଇ ଅନସୂୟା ଅରଣ୍ୟସ୍ଥିତ ତପୋବନକୁ ତାଙ୍କ ଆଗମନର କାରଣ ଜିଜ୍ଞାସା କଲେ । ଶକୁନ୍ତଳାଙ୍କର ହୃଦୟର ଆକାଂକ୍ଷା ଅନସୂୟାଙ୍କ ମୁଖରେ ଅଭିବ୍ୟକ୍ତ ହେଲା । ଆତ୍ମ ପରିଚୟ ଗୋପନ କରି ସୁଚତୁର ରାଜା କହିଛନ୍ତି ମୁଁ ପୁରୁବଂଶର ରାଜାଙ୍କ ଦ୍ୱାରା ଧର୍ମାଧିକାରରେ ନିଯୁକ୍ତ ହୋଇ ଆଶ୍ରମର ଧର୍ମବିଧି ନିର୍ବିଘ୍ନରେ ସଂପନ୍ନ ହେଉଛି କି ନାହିଁ ଜାଣିବାକୁ ଏହି ପବିତ୍ର ଅରଣ୍ୟରେ ଉପସ୍ଥିତ ହୋଇଛି । ‘‘ଧର୍ମାଚାରୀମାନେ ସନାଥ ହେଲେ’’ ବୋଲି ରାଜାଙ୍କୁ ଉଦ୍ଦେଶ୍ୟ କରି ଅନସୂୟା କହିବାରୁ ଶକୁନ୍ତଳା ଶୃଙ୍ଗାର ଲଜ୍ଜାରେ ଆରକ୍ତ ହେଲେ ।

 

ଆଜନ୍ମ ବ୍ରହ୍ମାଚାରୀ କଣ୍ୱଙ୍କର କିପରି କନ୍ୟା ସମ୍ଭାବିଲା ଏହି କୌତୁହଳ ନିବୃତ୍ତ କରିବାକୁ ରାଜା ବିଶେଷ ଆଗ୍ରହୀ ହେଲେ । ଶକୁନ୍ତଳାଙ୍କ ଜନ୍ମରହସ୍ୟ ପ୍ରକାଶ କରି ଅନସୂୟା କହିଲେ ଯେ ବିଶ୍ୱାମିତ୍ର ଓ ଅପ୍‌ସରୀ ମେନକାଙ୍କର କନ୍ୟା ଶକୁନ୍ତଳା । ଏକଥା ଶୁଣି ରାଜାଙ୍କ ହୃଦୟରେ ଆଶାର ସଞ୍ଚାର ହୋଇଛି । ତଥାପି ସଂଶୟରେ ଦୋଳାୟିତ ରାଜା ଶକୁନ୍ତଳା ଚିରକୁମାରୀ ରହିବେ ନା ବିବାହ କରିବେ ଏହି ପ୍ରଶ୍ନର ସଦୁତ୍ତର ଜାଣିବାକୁ ଚାହିଁଛନ୍ତି । ଶୁଣି ସୁଖୀ ହେଇଛନ୍ତି ଯେ ଯୋଗ୍ୟ ପାତ୍ର ହସ୍ତରେ କନ୍ୟାକୁ ସମର୍ପଣ କରିବାକୁ ମୁନି ସଂକଳ୍ପବଦ୍ଧ । ରାଜାଙ୍କ ହୃଦୟରେ ଆନନ୍ଦର ହିଲ୍ଲୋଳ ଖେଳିଯାଇଛି । ଯାହାକୁ ଅଗ୍ନି ଭାବି ବିମର୍ଷ ହୋଇଥିଲେ, ତାହା ସ୍ପର୍ଶକ୍ଷମ ରତ୍ନ ଜାଣି ଆଶ୍ୱସ୍ତ ହେଲେ । ଶକୁନ୍ତଳା ଲଜ୍ଜାରେ ସେ ସ୍ଥାନ ତ୍ୟାଗ କରିବାକୁ ଉଦ୍ୟତ ହୁଅନ୍ତେ ପରିହାସବାଦିନୀ ପ୍ରିୟମ୍ୱଦା ସଖୀର ଅନ୍ତରର ଅଭିପ୍ରାୟ ବୁଝିପାରି ତାଙ୍କୁ ଅତିଥି ସତ୍କାର ନ କରି ଚାଲିଯିବା ଅନୁଚିତ ବୋଲି କହିଛନ୍ତି । ଅପରନ୍ତୁ ଶକୁନ୍ତଳାଙ୍କୁ ବୃକ୍ଷ ସେଚନ ପାଇଁ ନେଇଥିବା ଦୁଇ କଳସୀ ଜଳ ନ ଦେଲେ ଛାଡ଼ିବେ ନାହିଁ ବୋଲି କହି ବଳାତ୍କାରରେ ଧରି ରଖିଛନ୍ତି ପ୍ରେମବିବଶ ରାଜା ପରିଶ୍ରାନ୍ତା ଶକୁନ୍ତଳାଙ୍କୁ ଋଣମୁକ୍ତ କରି ତାଙ୍କୁ ଦୁଷ୍ମନ୍ତ ନାମାଙ୍କିତ ଅଙ୍ଗୁରୀୟ ପ୍ରଦାନ କରିଛନ୍ତି । ଦୁଷ୍ମନ୍ତ ନାମ ମୁଦ୍ରିକାରେ ଦେଖି ଉଭୟେ ବିସ୍ମିତ ହୋଇଛନ୍ତି । ଶକୁନ୍ତଳାଙ୍କ ମନୋଭାବ ଜାଣିବାକୁ ରାଜା ଆଗ୍ରହ ପ୍ରକାଶ କରିଛନ୍ତି । ସେ ଯେପରି ଶକୁନ୍ତଳାଙ୍କ ପ୍ରତି ପ୍ରେମାସକ୍ତ, ଶକୁନ୍ତଳା ତାଙ୍କ ପ୍ରତି ସେହିପରି ଆକୃଷ୍ଟ ତ ? ଏହି ସମୟରେ ନେପଥ୍ୟରୁ ଶୁଭିଲା ଯେ ମହାରାଜା ଦୁଷ୍ମନ୍ତ ଶିକାର ଅଭିପ୍ରାୟରେ ଆଶ୍ରମର ସନ୍ନିକଟରେ ଉପସ୍ଥିତ । ଆଶ୍ରମର ପ୍ରାଣୀମାନଙ୍କୁ ରକ୍ଷା କରିବା ପାଇଁ ସମସ୍ତେ ଏକତ୍ରିତ ହୁଅ । ଏତଦ୍‌ବ୍ୟତୀତ ଗୋଟିଏ ବନ୍ୟ ହସ୍ତୀ ରଥ ଦେଖି ଭୀତତ୍ରସ୍ତ ହୋଇ ଆଶ୍ରମ ମଧ୍ୟରେ ପ୍ରବେଶ କରିଛି । ଭୟରେ ଗୋଟିଏ ବୃକ୍ଷ ଗଣ୍ଡିରେ ସଜୋରେ ଆଘାତ କରିବା ଫଳରେ ତାର ଗୋଟିଏ ଦାନ୍ତ ଭାଙ୍ଗିଯାଇଛି । ସେ ଇତସ୍ତତଃ ଧାବିତ ହେବାରୁ ଆଶ୍ରମର ନିରୀହ ହରିଣୀମାନେ ପ୍ରାଣ ବିକଳରେ ଏଣେତେଣେ ପଳାଉଛନ୍ତି । ଆଶ୍ରମର ଶାନ୍ତି ବିଘ୍ନିତ—ସମସ୍ତେ ଏକଥା ଶୁଣି ସଚକିତ ହେଲେ ।

 

ଦୁଷ୍ମନ୍ତ ବୁଝିପାରିଲେ ଯେ ତାଙ୍କର ଅନୁଚରମାନେ ତାଙ୍କୁ ଅନ୍ୱେଷଣ କରିବାକୁ ଯାଇ ତପୋବନରେ ଶାନ୍ତିଭଙ୍ଗ କରିଛନ୍ତି । ତେଣୁ ସେ ପ୍ରତ୍ୟାବର୍ତ୍ତନ କରିବାକୁ ସ୍ଥିର କଲେ । ସଖୀମାନେ ମଧ୍ୟ ବନ୍ୟହସ୍ତୀ ଭୟରେ ଭୀତତ୍ରସ୍ତ ହୋଇ ଆଶ୍ରମକୁଟୀରକୁ ଫେରିଯିବା ନିମନ୍ତେ ଅନୁମତି ପ୍ରାର୍ଥନା କଲେ । ସେମାନେ ଅତିଥି ସତ୍କାର କରି ନ ପାରିବାରୁ ଲଜ୍ଜିତା ହେଲେ ଓ ରାଜାଙ୍କୁ ପୁନର୍ବାର ଆସିବାକୁ ଅନୁରୋଧ କଲେ । ଆଶ୍ରମ ଅଭିମୁଖରେ ଯିବା ପାଇଁ ଉଦ୍ୟତ ଶକୁନ୍ତଳା ପାଦରେ କୁଶଙ୍କୁର ବିଦ୍ଧ ହୋଇଛି ଓ ବଳ୍‌କଳାଞ୍ଚଳ କୁରୁବକ ଶାଖାରେ ସଂଲଗ୍ନ ହୋଇଛି କହି ବିଳମ୍ୱ କଲେ । ବଳ୍‌କଳକୁ ଶାଖାରୁ ମୁକ୍ତ କରିବା ଛଳରେ ପଛକୁ ଫେରି ଦୁଷ୍ମନ୍ତଙ୍କୁ ଦେଖିଲେ ଓ ଅନିଚ୍ଛୁକ ପଦକ୍ଷେପରେ ପକ୍ଷୀମାନଙ୍କ ସହିତ କୁଟୀରକୁ ଯିବା ପାଇଁ ଉଦ୍ୟତ ହେଲେ । ଠିକ୍ ସେଇମିତି ନଗରକୁ ଫେରିଯିବା ପାଇଁ ରାଜା ବୀତସ୍ପୃହ ହେଲେ । ଅନୁଚରମାନଙ୍କ ସହିତ ମିଳିତ ହୋଇ ତପୋବନ ନିକଟରେ ସେନ ଛାଉଣୀ ପକାଇବାକୁ ମନସ୍ଥ କଲେ । ଶକୁନ୍ତଳାଙ୍କ ପାଖରୁ ମୁହୂର୍ତ୍ତକ ପାଇଁ ମନକୁ ବିଚ୍ଛିନ୍ନ କରି ପାରିଲେ ନାହିଁ । ତାଙ୍କର ଜଡ଼ ଶରୀର ଆଗକୁ ଯାଉଛି ସତ୍ୟ କିନ୍ତୁ ଉଦ୍‌ଭ୍ରାନ୍ତ ହୃଦୟ ପ୍ରତିକୂଳ ପବନ ବାହିତ ଧ୍ୱଜସ୍ଥିତ ଚୀନାଂଶୁକ ପରି ପଶ୍ଚାତ୍‌ଗାମୀ ହେଉଛି ।

 

ଶକୁନ୍ତଳା ସୁଦୁର୍ଲଭ ରତ୍ନ ହେଲେହେଁ ତାଙ୍କର ସ୍ନିଗ୍‌ଧ କଟାକ୍ଷ, ମୃଦୁ ପଦକ୍ଷେପ, ସୁଲଳିତ କଣ୍ଠସ୍ୱନ ବିହ୍ୱଳିତ ରାଜାଙ୍କ ମନରେ ଆଶା ସଞ୍ଚାର କରିଥିଲା । ପୁନର୍ବାର ଆଶ୍ରମକୁ ଯିବା ପାଇଁ ବ୍ୟାକୁଳ ରାଜା ଉପାୟ ଅନ୍ୱେଷଣ କରୁଥିଲେ । ଏହି ସମୟରେ ଦୁଇଜଣ ମୁନିକୁମାର ରାଜାଙ୍କ ସହିତ ସାକ୍ଷାତ କରି ମହର୍ଷି କଣ୍ୱଙ୍କ ଅନୁପସ୍ଥିତିରେ ରାକ୍ଷସମାନେ ଯଜ୍ଞରେ ବିଘ୍ନସାଧନ କରିଥିବାରୁ ଦୁଷ୍ମନ୍ତଙ୍କୁ କିଛିକାଳ ଅବସ୍ଥାନ କରି ଏହି ଉପଦ୍ରବରୁ ଆଶ୍ରମକୁ ରକ୍ଷା କରିବାକୁ ଅନୁରୋଧ କଲେ । ରାଜା ଉତଫୁଲ୍ଲ ଚିତ୍ତରେ ସମ୍ମତି ପ୍ରଦାନ କଲେ ଓ ଅସୁର ଦୌରାତ୍ମ୍ୟରୁ ଆଶ୍ରମବାସୀଙ୍କୁ ମୁକ୍ତ କରି ନିଶ୍ଚିତ କଲେ ।

 

ପୁରୁବଂଶର ଗୌରବ ରାଜା ଦୁଷ୍ମନ୍ତ ଶତ ଚେଷ୍ଟାରେ ଶକୁନ୍ତଳାଙ୍କଠାରୁ ନିଜ ହୃଦୟକୁ ନିବୃତ୍ତ କରି ନ ପାରି କନ୍ଦର୍ପ ଓ ଚନ୍ଦ୍ରମାକୁ ନିନ୍ଦା କରିବାକୁ ଲାଗିଲେ । ଦୁଃଖ ବିକ୍ଷୁବ୍‌ଧ ହୃଦୟରେ ସାନ୍ତ୍ୱନାର ଉପାୟ ଅନ୍ୱେଷଣ କରି କରି ଦେଖିଲେ ଶକୁନ୍ତଳାଙ୍କ ଦର୍ଶନ ବ୍ୟତୀତ ଅନ୍ୟ କୌଣସିଥିରେ ହୃଦୟର ସନ୍ତାପ ପ୍ରଶମିତ ହେବା ସମ୍ଭବ ନୁହେଁ । ଶାଖା ଅନ୍ତରାଳରେ ପୁଷ୍ପମଣ୍ଡିତ ପ୍ରସ୍ତର ଖଣ୍ଠରେ ଶୟିତା ଶକୁନ୍ତଳାଙ୍କୁ ଦେଖି ରାଜା ଭାବିଲେ; ‘‘ଅୟେ ଲବ୍‌ଧ ନେତ୍ରନିର୍ବାଣମ୍‌’’ ଅର୍ଥାତ୍‌ ମୋ ଆଖିରେ ଆନନ୍ଦକୁ ପାଇଗଲି । ସଖୀମାନଙ୍କ ସେବା ପରିଚର୍ଯ୍ୟାରେ ଶକୁନ୍ତଳା ତିଳେ ମାତ୍ର ଶାନ୍ତି ଲାଭ କରି ପାରିଲେ ନାହିଁ । କମଳ ପତ୍ର, ବେଣାଚେରରେ ସଖୀମାନେ କାମ ସନ୍ତାପିତ ଶକୁନ୍ତଳାଙ୍କ ଶୁଶ୍ରୂଷା କରୁଥିଲେ, କିନ୍ତୁ ସେ ନିଜେ କିଛି ଅନୁଭବ କରିପାରୁ ନଥିଲେ । ଏସବୁ ଗ୍ରୀଷ୍ମଜନିତ ନା ବିରହଜନିତ ସନ୍ତାପ ତା ଜାଣିବାକୁ ରାଜା ଉତ୍ସୁକ ହେଲେ ।

 

ରାଜର୍ଷିଙ୍କ ସହିତ ପ୍ରଥମ ଦର୍ଶନ ପରେ ଶକୁନ୍ତଳା ଉତ୍କଣ୍ଠିତ, ବିମନା ଓ ବିରସ ହେବାର ଦେଖି ପ୍ରିୟମ୍ୱଦା ଜାଣିଥିଲେ ଯେ ତାଙ୍କରି ପାଇଁ ଶକୁନ୍ତଳା ଅସୁସ୍ଥତା । ଦୁଇ ସଖୀଙ୍କ ସନିର୍ବନ୍ଧ ଅନୁରୋଧରେ ଶକୁନ୍ତଳା ତାଙ୍କର ଲଜ୍ଜା ବିଜଡ଼ିତ ମନୋଭାବ ବହୁକଷ୍ଟରେ ପ୍ରକାଶ କଲେ—‘‘ସଖି, ଯେଉଁ ସମୟରୁ ମୋର ଦୃଷ୍ଟି ପଥରେ ସେଇ ତପୋବନ ରକ୍ଷକ ରାଜର୍ଷି ଆବିର୍ଭୂତ ହୋଇଛନ୍ତି, ସେହିଦିନଠାରୁ ତାଙ୍କ ପ୍ରତି ଆକୃଷ୍ଟ ହୋଇ ମୁଁ ଏପରି ଅବସ୍ଥା ପ୍ରାପ୍ତ ହୋଇଛି ।’’ ଏକଥା ଶୁଣି ନିଜର ଦୁଃଖ ରଜନୀ ଅବସାନ ହେଲା ଭାବି ଆନନ୍ଦିତ ହେଲେ ।

 

ପୁରୁଶ୍ରେଷ୍ଠ ଦୁଷ୍ମନ୍ତଙ୍କ ସହିତ ଅତି ଶୀଘ୍ର ମିଳିତ ହେବା ଲାଗି ଶକୁନ୍ତଳାଙ୍କ ଏକାନ୍ତ ଆଗ୍ରହକୁ ପୂର୍ଣ୍ଣ କରିବା ପାଇଁ ପ୍ରିୟମ୍ୱଦା ଉପାୟ ନିର୍ଣ୍ଣୟ କଲେ । ସୌଭାଗ୍ୟବଶତଃ ଶକୁନ୍ତଳା ଯୋଗ୍ୟ ବର ବରଣ କରିଥିଲେ । ନଦୀ ସମୁଦ୍ରରେ ମିଳିତ ନ ହୋଇ ଆଉ କେଉଁଠିକି ଯିବ ? ସହକାର ବ୍ୟତୀତ ଆଉ କେଉଁ ବୃକ୍ଷ ପଲ୍ଲବିତ ମାଧବୀଲତା ଧାରଣ କରିବ ? ତେଣୁ ଶକୁନ୍ତଳାର ଇଚ୍ଛା ପୁରଣ ପାଇଁ ଅତି ଗୋପନରେ ପ୍ରିୟମ୍ୱଦା ଶକୁନ୍ତଳାଙ୍କ ପ୍ରେମ ପତ୍ରକୁ ପୁଷ୍ପରେ ସ୍ଥାପନ କରି ଦେବତାର ଅର୍ଚ୍ଚନା ଛଳରେ ତାଙ୍କ ହାତରେ ଅର୍ପଣ କରିବାକୁ ସ୍ଥିର କଲେ । ଲେଖନ ସରଞ୍ଜାମ ନଥିବାରୁ ଶକୁନ୍ତଳା ପଦ୍ମ ପାଖୁଡ଼ାରେ ନଖରେ ପ୍ରଣୟ ପତ୍ର ରଚନା କରି ସଖୀଙ୍କୁ ଶୁଣାଇଲେ । ଦୁଷ୍ମନ୍ତ ଅନ୍ତରାଳରୁ ସହସା ସମୀପବର୍ତ୍ତୀ ହୋଇ ପତ୍ରର ଉପଯୁକ୍ତ ଉତ୍ତର ପ୍ରଦାନ କଲେ । ସଖୀଦ୍ୱୟ ଆନନ୍ଦରେ ଉଠିପଡ଼ି ଶକୁନ୍ତଳାଙ୍କ ଆକାଂକ୍ଷିତ ପୁରୁଷ ଦୁଷ୍ମନ୍ତଙ୍କୁ ସ୍ୱାଗତ କଲେ । ରାଜା ଶିଳାଖଣ୍ଡରେ ଉପବେଶନ କଲେ । ଶକୁନ୍ତଳା ଲଜ୍ଜାରେ ଅଧୋମୁଖ ହେଲେ ।

 

ପ୍ରିୟସଖୀର ଭବିଷ୍ୟତ ଜୀବନର ନିରାପତ୍ତା ପାଇଁ ବୁଦ୍ଧିମତୀ ପ୍ରିୟମ୍ୱଦା ଓ ଅନସୂୟା ବହୁବଲ୍ଲରୀ ରାଜାଙ୍କ ମନୋବୃତ୍ତି ହୃଦୟଙ୍ଗମ କରିବାକୁ ଚେଷ୍ଟା କରିଛନ୍ତି । ରାଜା କହିଛନ୍ତି ଯେ ଅଧିକ କଥାରେ କି କାର୍ଯ୍ୟ—ଯଦି ଓ ତାଙ୍କର ଅନେକ ପତ୍ନୀ ଅଛନ୍ତି, ତଥାପି ବସୁନ୍ଧରା ଓ ଶକୁନ୍ତଳା ତାଙ୍କ ବଂଶର ପ୍ରଧାନ ହୋଇ ରହିବେ । ସୁଚତୁରା ପ୍ରିୟମ୍ୱଦା ରାଜାଙ୍କ ସଦୁତ୍ତରରେ କୃତାର୍ଥ ହୋଇ ମୃଗଶିଶୁର ତତ୍ତ୍ୱାବଧାନ କରିବା ଛଳରେ ଅନସୂୟାଙ୍କ ସହ ପ୍ରସ୍ଥାନ କଲେ ।

 

ମଦନ ପୀଡ଼ିତା ଶକୁନ୍ତଳା କାମବିହ୍ୱଳ ଦୁଷ୍ମନ୍ତଙ୍କର ଏକାନ୍ତ ନିକଟବର୍ତ୍ତିନୀ ହେଲେହେଁ ଆତ୍ମମର୍ଯ୍ୟାଦା ବିସ୍ମୃତ ହୋଇ ନଥିଲେ । ତେଣୁ ଦୁଷ୍ମନ୍ତ ବହୁ ଭାବରେ ତାଙ୍କର ସ୍ମୃତି କରି ପ୍ରଲୁବ୍‌ଧ କଲେହେଁ ସେ ମିଳନରେ ଅସ୍ୱୀକୃତ ପ୍ରଦାନ କରିଥିଲେ । ଅବଶେଷରେ ନେପଥ୍ୟରୁ ଗୌତମୀଙ୍କ ଆଗମନ ସଂବାଦ ବ୍ୟଞ୍ଜନା ଛଳରେ ସଖୀ ପ୍ରକାଶ କରିଛନ୍ତି—‘‘ଚିତ୍ରବାକ ବଧୂ ବନ୍ଧୁକୁ ବିଦାୟ ସମ୍ଭାଷଣ ଜଣାଅ, ରଜନୀ ଉପସ୍ଥିତ ।’’ ଶକୁନ୍ତଳାଙ୍କ ଶାରୀରିକ ସନ୍ତାପ ପ୍ରଶମନ ପାଇଁ ଗୌତମୀ କୁଶ ବାରି ସିଞ୍ଚନ କରି କୁଟୀରକୁ ପ୍ରତ୍ୟାବର୍ତ୍ତନ କରିବାକୁ ଆହ୍ୱାନ କଲେ । ଶକୁନ୍ତଳା ଅତ୍ୟନ୍ତ କାତର ହୃଦୟରେ ସନ୍ତାପହାରକ ଲତାବଳୟସ୍ଥିତ ଦୁଷ୍ମନ୍ତଙ୍କୁ ପୁନର୍ବାର ଆଗମନ ପାଇଁ ଆମନ୍ତ୍ରଣ ଜଣାଇ ବିଦାୟ ନେଲେ । ଦୁଃଖାଭିଭୂତି ରାଜା ଶୂନ୍ୟ ବେତସ କୁଞ୍ଜରେ ଦଣ୍ଡାୟମାନ ହୋଇ ଶକୁନ୍ତଳାଙ୍କ ରୂପଗୁଣ ସ୍ମରଣ କଲେ ।

 

ପ୍ରିୟମ୍ୱଦା ଓ ଅନସୂୟା ଦୁଷ୍ମନ୍ତ ଶକୁନ୍ତଳା ଗାନ୍ଧର୍ବ ବିବାହରେ ଆନନ୍ଦିତ ହେଲେହେଁ, ଆଶଙ୍କା ମଧ୍ୟ ପ୍ରକାଶ କରିଛନ୍ତି । ହସ୍ତିନାକୁ ପ୍ରତ୍ୟାବର୍ତ୍ତନ କରି ଦୁଷ୍ମନ୍ତ ଅନ୍ତଃପୁରନାରୀଙ୍କ ସଂସ୍ପର୍ଶରେ ଆସି ଶକୁନ୍ତଳାଙ୍କୁ ବିସ୍ମୃତ ହୋଇ ପାରନ୍ତି । ପୁନଶ୍ଚ ପିତା କଣ୍ୱ ଶକୁନ୍ତଳାଙ୍କ ବିବାହ ସମ୍ୱଦ୍ଧରେ ଅନବହିତ । ଏହିପରି ପୁଷ୍ପଚୟନ କାଳରେ ଦୁଇ ସଖୀ ଶକୁନ୍ତଳାଙ୍କ ଭବିଷ୍ୟତ ସମ୍ୱନ୍ଧରେ ଚିନ୍ତାନ୍ୱିତ ହେବା ଅବକାଶରେ କୁଟୀରସ୍ଥିତ ଶକୁନ୍ତଳାଙ୍କ ଅମନେ ଯେ ଗିତାରେ କ୍ରୁଦ୍ଧ ହୋଇ ଅତିଥି ଦୁର୍ବାସା ତାଙ୍କୁ ଅଭିଶାପ ଦେଇଛନ୍ତି—‘ଅନନ୍ୟହୃଦୟରେ ଯେଉଁ ବ୍ୟକ୍ତିକୁ ଚିନ୍ତା କରିବା ଫଳରେ ମୋ ପରି ତପୋଧନରେ ଉପସ୍ଥିତ ଲକ୍ଷ୍ୟ କଲୁ ନାହିଁ, ସେ ତତେ ସ୍ମରଣ କରାଇଦେଲେ ମଧ୍ୟ ଚିହ୍ନି ପାରିବ ନାହିଁ ।’’ ସଖୀର ଦୁରବସ୍ଥା ଉପଲବଧି କରି ଆକୁଳ ହୃଦୟରେ ଶାପମୋଚନ ପାଇଁ ଅନସୂୟା ଦୁର୍ବାସାଙ୍କୁ ପ୍ରାର୍ଥନା କଲେ । ମନ୍ତ୍ରସିଦ୍ଧ ଋଷି କହିଲେ—‘‘ମେ ବଚନଂନ୍ୟଥା ଭବତୁଂ ନାହତି, କିନ୍ତୁ ଅଭିଜ୍ଞାନ ଭରଣଦର୍ଶନନେନ ଶାପୋ ନିର୍ବତିଷ୍ୟତେ ।’’ ମୋର ବାକ୍ୟ ଅନ୍ୟଥା ହେବ ନାହିଁ । କିନ୍ତୁ କୌଣସି ଅଳଙ୍କାର ଚିହ୍ନ ସ୍ୱରୂପ ଦେଖାଇଲେ ଶାପମୁକ୍ତ ହେବ । ଦୁଷ୍ମନ୍ତଙ୍କ ନାମାଙ୍କିତ ମୁଦ୍ରିକା ବିଦାୟ କାଳରେ ରାଜା ଶକୁନ୍ତଳାଙ୍କୁ ପ୍ରଦାନ କରିଥିଲେ । ସେହି ମୁଦ୍ରିକାକୁ ଅଭିଜ୍ଞାନ ରୂପେ ଦେଖାଇଲେ ରାଜା ଶକୁନ୍ତଳା ସ୍ମରଣ କରିବେ—ଏହି କଥା ଭାବି ସଖୀଦ୍ୱୟ ଆଶ୍ୱସ୍ତ ହେଲେ । ଅଭିଶାପ ସମ୍ୱନ୍ଧରେ ଅନବହିତ ଶକୁନ୍ତଳାଙ୍କୁ କୌଣସି କଥା ଜଣାଇଲେ ନାହିଁ ।

 

କନ୍ୟାର ଗ୍ରହଦୋଷଖଣ୍ଡନାର୍ଥେ ତପସ୍ୟା କରି ମହର୍ଷି କଣ୍ୱ ଆଶ୍ରମକୁ ପ୍ରତ୍ୟାବର୍ତ୍ତନ କଲେ । ଅଗ୍ନିଗୃହକୁ ପ୍ରବେଶ କରିବା ମାତ୍ରେ ଛନ୍ଦୋମୟ ଅଶରୀରୀ ବାଣୀ ଝଙ୍କୃତ ହେଲା–‘ହେ ବ୍ରାହ୍ମଣ, ଅଗ୍ନିଗର୍ଭା ଶମୀବୃକ୍ଷ ପରି ତୁମର କନ୍ୟା ପୃଥିବୀର ମଙ୍ଗଳ ପାଇଁ ଦୁଷ୍ମନ୍ତଙ୍କ ତେଜ ଧାରଣ କରିଛନ୍ତି ।’ ମହାମନା କଣ୍ୱ ଶକୁନ୍ତଳାଙ୍କ ସହିତ ସାକ୍ଷାତ କରି ଲଜ୍ଜିତା କନ୍ୟାକୁ ସସ୍ନେହରେ ଆଲିଙ୍ଗନ କରିଛନ୍ତି ଓ ଋଷିକୁମାରଙ୍କ ସହିତ ସ୍ୱମୀଗୃହକୁ ଅତି ଶୀଘ୍ର ପ୍ରେରଣ କରିବା ପାଇଁ ବନ୍ଦୋବସ୍ତ କରିଛନ୍ତି । ପ୍ରକୃତିଦତ୍ତ ବହୁମୂଲ୍ୟ ଆଭରଣରେ ସଜ୍ଜିତା ହୋଇ ଶାଙ୍ଗରବ ଓ ଶାରବ୍ଦତଙ୍କ ସମଭିବ୍ୟାହାରରେ ଗୌତମୀଙ୍କ ସହ ଶକୁନ୍ତଳା ପତିଗୃହ ଅଭିମୁଖେ ଯାତ୍ରା କରିବାକୁ ପ୍ରସ୍ତୁତ ହେଲେ । କଣ୍ୱଙ୍କ ହୃଦୟ ପିତୃସ୍ନେହରେ ଉଦ୍‌ବେଳିତ ହୋଇ ଉଠିଲା । ଆଶ୍ରମର ବୃକ୍ଷକୁ ସମ୍ୱୋଧନ କରି କଣ୍ୱ କହିଲେ—‘‘ତୁମକୁ ଜଳସେଚିତ ନ କରି ଯେଉଁ ଶକୁନ୍ତଳା ଜଳ ଗ୍ରହଣ କରେ ନାହିଁ; ପୁଷ୍ପ ଭରଣରେ ମଣ୍ଡିତ ହେବାକୁ ଅଭିଳାଷୀ ହେଲେହେଁ ପତ୍ରଟିଏ ତୋଳେ ନାହିଁ; ପ୍ରଥମ ପୁଷ୍ପୋଦ୍‌ଗମ ଦେଖିଲେ ଉତ୍ସବ ମୁଖରିତ ହୁଏ; ସେହି ଶକୁନ୍ତଳା ଆଜି ସ୍ୱାମୀ ଗୃହକୁ ଯାଉଛି । ତୁମେ ତାକୁ ଅନୁମତି ଦିଅ ।’’ କୋକିଳ କଣ୍ଠରେ ସ୍ୱୀକୃତି ପାଇ କଣ୍ୱ ସୁଖୀ ହେଲେ । ଯାତ୍ରା ପୂର୍ବରୁ ଭଗିନୀତୁଲ୍ୟ ବନଜ୍ୟୋସ୍ନାକୁ ସଖୀଦ୍ୱୟଙ୍କ ତତ୍ତ୍ୱାବଧାନରେ ଅର୍ପଣ କରିବାରୁ ଅଶ୍ରୁ ବିଗଳିତ କଣ୍ଠରେ ସଖୀ କହିଲେ—‘‘ଆମକୁ କାହା ଦାୟିତ୍ୱରେ ଛାଡ଼ି ଯାଉଛ ?’’

 

ଶକୁନ୍ତଳାଙ୍କ ବସନାଞ୍ଚଳ ଧରି ଛିଡ଼ା ହେଇଛି ତାଙ୍କରି ହାତରେ ପ୍ରତିପାଳିତ ମାତୃହରା ମୃଗଶାବକ । ଆଖିରୁ ଅଶ୍ରୁ ଝରାଇ ତାକୁ ପ୍ରବୋଧନା ଦେଇ ଶକୁନ୍ତଳା ଅଗ୍ରସର ହୋଇଛନ୍ତି । ବିଦାୟ ପୂର୍ବରୁ କଣ୍ୱମୁନି ସଂସାର ଅନଭିଜ୍ଞା ଶକୁନ୍ତଳାଙ୍କୁ ଆଦର୍ଶନାରୀର ସଂସାର ଧର୍ମ ସମ୍ୱନ୍ଧରେ ଉପଦେଶ ଦେଇଛନ୍ତି—

 

‘‘ଶୁଶ୍ର ଷସ୍ୱ ଗୁରୂନ୍‍ କୁରୁ ପ୍ରିୟସଖୀବୃତ୍ତିଂ ସପତ୍ନୋଜନେ

ଭର୍ତ୍ତୃବିପ୍ର କୃତାପି ରୋଷଣତୟା ମାସୁପ୍ରତୀପଂ ଗମଃ ।

ଭୂୟିଷ୍ଟଂ ଭବ ଦକ୍ଷିଣା ପରିଜନେ ଭୋଗେଷୁନୁତ୍‌ସେକିନୀ

ଯାନ୍‌ତ୍ୟେବଂ ଗୃହିଣୀପଦଂ ଯୁବତୟୋ ବାମା କୁଳସ୍ୟାଧୟଃ ।’’

 

—‘ଗୁରୁଜନମାନଙ୍କର ସେବା କରିବ । ସପତ୍ନୀମାନଙ୍କ ପ୍ରତି ପ୍ରିୟସଖୀ ପରି ବ୍ୟବହାର କରିବ । ଅପମାନିତ ହେଲେହେଁ ସ୍ୱାମୀଙ୍କ ପ୍ରତି କୁପିତ ହୋଇ ତାଙ୍କର ବିରୁଦ୍ଧାଚରଣ କରିବ ନାହିଁ-। ପରିଜନଙ୍କ ପ୍ରତି ଅତ୍ୟନ୍ତ ଉଦାର ଭାବ ପୋଷଣ କରିବ । ସୁଖ ସମ୍ଭୋଗ କାଳରେ ଉଦ୍ଧତ ହେବ ନାହିଁ ଏଇମିତି ଭାବରେ ଯୁବତୀ ନାରୀ ଗୃହଣୀପଦ ପ୍ରାପ୍ତ ହୁଏ । ବିପଥଗାମୀମାନେ କୁଳର କଳଙ୍କ ହୁଅନ୍ତି ।’ ବଧୂଜନୋଚିତ ଏହି ଉପଦେଶକୁ ସ୍ମରଣ ରଖିବାକୁ ଗୌତମୀ ଅନୁରୋଧ କରିଛନ୍ତି ।

 

ବିଦାୟର ଆସନ୍ନ ମୁହୂର୍ତ୍ତରେ ପ୍ରିୟସଖୀଙ୍କୁ ଆଲିଙ୍ଗନ କରି ସଖୀ କହିଛନ୍ତି—‘‘ସଖି, ଯଦି ରାଜାଙ୍କର ଚିହ୍ନିବାରେ ବିଳମ୍ୱ ହୁଏ, ତେବେ ତାଙ୍କ ନାମାଙ୍କିତ ଏହି ମୁଦ୍ରିକା ତାଙ୍କୁ ଦେଖାଇବ-।’’ ସଖୀର ସଂଶୟାକୁଳ ବଚନରେ ଶକୁନ୍ତଳା ବିଚଳିତ ହୋଇ ପଡ଼ିଛନ୍ତି । ନିର୍ଭୟହେବାକୁ ସଖୀମାନେ ପ୍ରବୋଧନ ଦେଇଛନ୍ତି । ସତୃଷ୍ଣ ନୟନରେ ତାଙ୍କ ଗମନ ପଥକୁ ଚାହିଁଛନ୍ତି । ଆଶ୍ରମ କୁଟୀର ସେମାନଙ୍କୁ ଶୂନ୍ୟବୋଧ ହୋଇଛି ।

 

ଦୁର୍ବସାଙ୍କ ଶାପରେ ଶକୁନ୍ତଳାଙ୍କୁ ବିସ୍ମୃତ ହେଲେହେଁ ଶୂନ୍ୟରୁ ଭାସି ଆସୁଥିବା ସଂଗୀତଟିଏ ଶ୍ରବଣ କରି ଦୁଷ୍ମନ୍ତ ବିମର୍ଷ ହୋଇଛନ୍ତି । ଏତିକିବେଳେ କଞ୍ଚିକୀ କଣ୍ୱଙ୍କ ଆଶ୍ରମରୁ ସସ୍ତ୍ରୀକ ତପସ୍ୱୀ ଆସିଥିବା ସମ୍ୱାଦ ଦେଇଛି । ବିସ୍ମିତ ରାଜା ଅଗ୍ନି ଗୃହରେ ତାଙ୍କ ସହିତ ସାକ୍ଷାତ କରିଛନ୍ତି । ଶକୁନ୍ତଳାଙ୍କ ଦକ୍ଷିଣ ଚକ୍ଷୁ ସ୍ଫୁରିତ ହେବାରୁ ସେ ଅଶୁଭ ଲକ୍ଷଣରେ ସୂଚନା ଲାଭ କରିଛନ୍ତି-। ତାଙ୍କ ହୃଦୟର ଆଶଙ୍କା ସତ୍ୟ ହୋଇଛି । ଦୁଷ୍ମନ୍ତ ପୂର୍ବକଥା ସମ୍ପୂର୍ଣ୍ଣ ବିସ୍ମୃତ ହୋଇଥିଲେ-। ଅନ୍ତଃସତ୍ତ୍ୱା ପରସ୍ତ୍ରୀକୁ ତାଙ୍କପରି ବିବେକୀ ରାଜା ଗ୍ରହଣ କରିନାହାନ୍ତି । ଶାରବ୍ଦତ ଶକୁନ୍ତଳାଙ୍କୁ ପ୍ରତ୍ୟୟବାକ୍ୟ କହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜାଙ୍କ ସଂଶୟ ଦୂର କରିବାକୁ ଅଙ୍ଗୁରୀୟ ଦେଖାଇବାକୁ ଯାଇ ଶକୁନ୍ତଳା ହତାଶ ନୟନରେ ଦେଖିଲେ ଆଙ୍ଗୁଳି ଶୂନ୍ୟ । ଅନେକ ଘଟଣାର ଅବତାରଣା ସତ୍ତ୍ୱେ ରାଜାଙ୍କ ସ୍ମୃତ୍ତି ଫେରାଇ ନ ପାରି ଦୁଃଖ କ୍ଷୋଭ ଲଜ୍ଜାରେ ସେ ଉଚ୍ଚସ୍ୱରରେ ବିଳାପ କରିଛନ୍ତି । ସମସ୍ତ ପରିସ୍ଥିତି ପର୍ଯ୍ୟାଲୋଚନା କରି ଶାରବ୍ଦତ ଦୁଷ୍ମନ୍ତଙ୍କ ନିକଟରେ ପ୍ରତ୍ୟାଖିତା ଶକୁନ୍ତଳାଙ୍କୁ ରଖି ଗୌତମୀଙ୍କୁ ଅଗ୍ରସର ହେବାକୁ ନିର୍ଦ୍ଦେଶ ଦେଲେ ।

 

ଦୁର୍ଭାଗ୍ୟପ୍ରପୀଡ଼ିତ ଶକୁନ୍ତଳା ସ୍ୱାମୀ ପରିତ୍ୟକ୍ତା ହୋଇ ଅଶ୍ରୁ ମୁଞ୍ଚନ ପୂର୍ବକ ବିଳାପ କଲେ । ବିଜ୍ଞ ରାଜପୁରୋହିତ ଭାବୀ ସନ୍ତାନର ରାଜଚକ୍ରବର୍ତ୍ତୀ ଲକ୍ଷଣ ଦ୍ୱାରା ଏହି ସଂଶୟର ମୀମାଂସା କରିବା ଅଭିପ୍ରାୟରେ ଶକୁନ୍ତଳାଙ୍କୁ ନିଜ ଗୃହକୁ ନେବାପାଇଁ ରାଜା ଅନୁମତି ଭିକ୍ଷା କଲେ-। ପଥ ମଧ୍ୟରେ ଅକସ୍ମାତ୍ ଏକ ଜ୍ୟୋତିମୟୀ ନାରୀମୂର୍ତ୍ତି ଆବିର୍ଭୂତା ହୋଇ ଶକୁନ୍ତଳାଙ୍କୁ ଅପ୍‌ସରାତୀର୍ଥ ଆଡ଼କୁ ନେଇଗଲେ ।

 

ସମୟର ଚକ ସୁଖ ଦୁଃଖକୁ ଅପେକ୍ଷା ନକରି ଗଡ଼ି ଚାଲିଲା । ଦୁଷ୍ମନ୍ତ ଧୀବରଠାରୁ ଶତୀତୀର୍ଥକୁ ବନ୍ଦନା କରିବା ସମୟରେ ଗଙ୍ଗାଜଳରେ ଶକୁନ୍ତଳା ହରାଇଥିବା ମୁଦ୍ରିକା ଲାଭ କରି ପୂର୍ବସ୍ମୃତି ଫେରି ପାଇଲେ । ଶକୁନ୍ତଳାଙ୍କୁ ଉପେକ୍ଷା କରିଥିବାରୁ ରାଜା ଅନୁତାପରେ ଦଗ୍‌ଧ ହୋଇଛନ୍ତି ଓ ପ୍ରିୟତମାର ପ୍ରତିକୃତ ଅଙ୍କନ କରି ବାରମ୍ୱାର ସେଥିରେ ମନୋନିବେଶ କରିଛନ୍ତି ।

 

ଏକଦା ଦେବାସୁର ଯୁଦ୍ଧରେ ପରାଭୂତ ଇନ୍ଦ୍ର ହରିଙ୍କ ନିର୍ଦ୍ଦେଶରେ ଦୁଷ୍ମନ୍ତଙ୍କୁ ଆମନ୍ତ୍ରଣ ଜଣାଇ ସାରଥୀ ମାତଳିକୁ ମର୍ତ୍ତ୍ୟକୁ ପ୍ରେରଣ କଲେ । କାଳନେମିର ବଂଶଧର ଦୁର୍ଜୟକୁ ପରାସ୍ତ କରିବା ଦୁଷ୍ମନ୍ତଙ୍କ ପକ୍ଷରେ ସମ୍ଭବ । ଦୁଷ୍ମନ୍ତ ଆମନ୍ତ୍ରଣ ରକ୍ଷା କରି ଦେବତାଙ୍କୁ ବିପନ୍ମୁକ୍ତ କରି ପୁନର୍ବାର ସେହି ରଥରେ ମର୍ତ୍ତ୍ୟକୁ ଫେରିବା ସମୟରେ ପଥମଧ୍ୟରେ ସୁବର୍ଣ୍ଣରସ ନିସ୍ୟନ୍ଦିତ ମେଘମାଳା ଶୋଭିତ ହେମକୁଟ ନାମକ କିଂପୁରୁଷ ପର୍ବତର ସୌନ୍ଦର୍ଯ୍ୟରେ ଆକୃଷ୍ଟ ହୋଇ ଓ ଲୋକସ୍ରଷ୍ଟା କଶ୍ୟପ ଓ ଅଦିତିଙ୍କୁ ପ୍ରଦକ୍ଷିଣ କରିବା ଅଭିପ୍ରାୟରେ ସେହି ସ୍ଥାନରେ ଅବତରଣ କଲେ ।

 

ବନରେ ଭ୍ରମଣ କରୁ କରୁ ରାଜା ସବିସ୍ମୟରେ ଦେଖିଲେ ଗୋଟିଏ ବାଳକ ଖେଳିବା ଉଦ୍ଦେଶ୍ୟରେ କ୍ଷୀରପାନରତ ସିଂହ ଶାବକକୁ ବଳାତ୍କାରରେ ଆକର୍ଷଣ କରୁଛି ଓ ଦୁଇଜଣ ତାପସୀ ସିଂହ ଶାବକକୁ ମୁକ୍ତ କରିବାପାଇଁ ଆପ୍ରାଣ ଚେଷ୍ଟା କରୁଛନ୍ତି । ସେହି ଅଦ୍ଭୁତ ବଳଶାଳୀ ଦୁଃସାହାସୀ ବାଳକକୁ ଦେଖି ରାଜାଙ୍କ ହୃଦୟ ଅପତ୍ୟ ସ୍ନେହରେ ଭରି ଉଠିଲା । ଜଣେ ତାପସୀ ଖେଳଣାର ପ୍ରଲୋଭନ ଦେଖାଇବାରୁ ଶିଶୁ ‘‘କାହିଁ, ଦିଅ’’ ବୋଲି ହାତ ବଢ଼ାଇଦେଲା । ରାଜା ବାଳକର ହସ୍ତରେ ରାଜଚକ୍ରବର୍ତ୍ତୀ ଲକ୍ଷଣ ଦେଖି ଆଶ୍ଚର୍ଯ୍ୟାନ୍ୱିତ ହେଲେ । ବାଳକର ଅନାବିଳ ହାସ, ଦରୋଟି କଥା ଶୁଣି ପୁଲକିତ ହେଲେ । ରାଜାଙ୍କୁ ଦେଖିକରି ତାପସୀ ସିଂହଶାବକକୁ ବାଳକର ଦୃଢ଼ମୁଷ୍ଟିରେ ମୁକ୍ତ କରିବାକୁ ଅନୁରୋଧ କଲେ । ଚନ୍ଦନ ବୃକ୍ଷରେ କୃଷ୍ଣସର୍ପ ଗୁଡ଼ାଇ ହେଲାପରି ଋଷିକୁମାର ହୋଇ ଆଶ୍ରମ ବିରୁଦ୍ଧ କାର୍ଯ୍ୟ କରିବା ଅନୁଚିତ—ଏହା କହି ରାଜା ବାଳକକୁ ସ୍ପର୍ଶ କରନ୍ତେ ତାଙ୍କର ସର୍ବାଙ୍ଗ ଆନନ୍ଦରେ ରୋମାଞ୍ଚିତ ହେଲା । ତାପସୀଠାରୁ ରାଜା ଜାଣି ପାରିଛନ୍ତି ବାଳକ ଋଷିକୁମାର ନୁହେଁ, ପୁରୁବଂଶ ସମ୍ଭୂତ । ପୁନଶ୍ଚ ରାଜାଙ୍କ ସହିତ ବାଳକର ଆଶ୍ଚର୍ଯ୍ୟ ଭାବରେ ସାଦୃଶ୍ୟ ରହିଛି । ବାଳକର ମାତା ସ୍ୱାମୀ ପରିତ୍ୟକ୍ତା ଓ ଅପସରାଙ୍କ ଆତ୍ମୀୟ । ଏସବୁ ଶୁଣି ରାଜାଙ୍କ ଅନ୍ତରରେ ବାଳକର ମାତା ନାମ ଜାଣିବାକୁ ଅଦମ୍ୟ ଆଗ୍ରହ ସଞ୍ଚାର ହୋଇଛି । ଏତିକିବେଳେ ଅନ୍ୟ ଜଣେ ତାପସୀ ମୃତ୍ତିକା ମୟୂର ହାତରେ ଧରି କହିଲେ— ‘ସର୍ବଦମନ ଶକୁନ୍ତଲାବଣ୍ୟ ଦେଖ’ । ମାତୃବତ୍ସଳ ବାଳକ ‘ମୋ ମା କାହିଁ’ କହି ଚାହିଁବାରୁ ତାପସୀ ତାଙ୍କୁ ପକ୍ଷୀର ସୌନ୍ଦର୍ଯ୍ୟ ଦେଖିବାକୁ କହିଛନ୍ତି ବୋଲି ବୁଝାଇଦେଲେ । କିନ୍ତୁ ଏହି ଅବକାଶରେ ବାଳକର ମାତା ନାମ ଶକୁନ୍ତଳା ବୋଲି ରାଜା ଅନୁମାନ କରିଛନ୍ତି ତାପସୀ ସର୍ବଦମନର ରକ୍ଷାକବଚ ନ ଦେଖି ବିଚଳିତ ହେଲେ-। ରାଜା ରକ୍ଷା କବଚଟି ଦେଖି ତଳୁ ଉଠାଇବାବେଳେ ତାପସୀଦ୍ୱୟ ‘ଛୁଅନା ଛୁଅନା’ ବୋଲଇ କହି ଉଠିଲେ–କିନ୍ତୁ ରାଜା ହାତରେ ରକ୍ଷା କବଚ ଧରିଥିବା ଦେଖି ହତବାକ୍ ହେଲେ । ସେମାନଙ୍କ ବିସ୍ମୟ ଦେଖି ରାଜା ତାର କାରଣ ଜିଜ୍ଞାସା କରିବାରୁ ସେମାନେ କହିଲେ—ଏହା ଅପରାଜିତା ନାମକ ଔଷଧ । ବାଳକର ଜାତକର୍ମ ସମୟରେ ଭଗବାନ ମରୀଚ ଏଇଟି ଦେଇଥିଲେ । ପିତାମାତା ବା ନିଜ ବ୍ୟତୀତ ଅନ୍ୟ କେହି ଏହାକୁ ସ୍ପର୍ଶ କଲେ ତାହା ସର୍ପ ହୋଇ ତାକୁ ଦଂଶନ କରିବ । ଦୁଷ୍ମନ୍ତ ଆନନ୍ଦରେ ଆତ୍ମହରା ହୋଇ ବହୁବାଞ୍ଛିତ ଆତ୍ମଜକୁ ଆଲିଙ୍ଗନ କଲେ । ମାତାଙ୍କ ନିକଟକୁ ଯିବାକୁ ସର୍ବ ଦମନ ବ୍ୟଗ୍ର ହେଲେ । ତାପସୀଙ୍କ ମୁଖରୁ ସଂବାଦ ପାଇ ତପସ୍ୱିନୀ ବେଶରେ ଶୃଦ୍ଧଶୀଳା ଶକୁନ୍ତଳା ସେଠାରେ ପ୍ରବେଶ କଲେ । ଦୀର୍ଘକାଳ ପରେ ସ୍ୱାମୀଙ୍କ ସାକ୍ଷାତ ଲାଭ କରି ତାଙ୍କର କଣ୍ଠ ବାଷ୍ପାଚ୍ଛନ୍ନ ହୋଇଛି । ନିଜର ଭ୍ରମ ପାଇଁ, ନିଷ୍ଠୁର ପ୍ରତ୍ୟାଖ୍ୟାନ ପାଇଁ ଅନୁତପ୍ତ ଦୁଷ୍ମନ୍ତ ବହୁ ଭାବରେ ପ୍ରିୟତମା ପତ୍ନୀଙ୍କ ପାଖରେ କ୍ଷମା ଭିକ୍ଷା କରିଛନ୍ତି । ଅନ୍ଧ ପୁଷ୍ପମାଲ୍ୟକୁ ସର୍ପ ଭ୍ରମରେ ଫିଙ୍ଗି ଦେଲା ପରି ଯାହାକୁ ତାମସ ଘାରେ ସେ ଆଶୀର୍ବାଦକୁ ଅଭିଶାପ ବୋଲି ଭାବେ—ଏହା କହି ରାଜା ଶକୁନ୍ତଳାଙ୍କ ପାଦତଳେ ପଡ଼ିଗଲେ । ବ୍ୟସ୍ତ ବିବ୍ରତ ଶକୁନ୍ତଳା ନିଜ କର୍ମକୁ ନିନ୍ଦା କରି ସ୍ୱାମୀର ଉଦାରତାକୁ ପ୍ରଶଂସା କରି ରାଜାଙ୍କୁ ତଳୁ ଉଠିବାକୁ କହିଲେ । ଶକୁନ୍ତଳାଙ୍କୁ ପୁରୋଗାମୀ କରି ଦୁଷ୍ମନ୍ତ ଲୋକସ୍ରଷ୍ଟା ମାରୀଚକୁ ଦର୍ଶନ କରିବାକୁ ଅଗ୍ରସର ହେଲେ । ଭଗବାନ ମାରୀଚଙ୍କଠାରୁ ଆଶୀର୍ବାଦ ଗ୍ରହଣ କରି ରାଜା ଦୁଷ୍ମନ୍ତ ପୁତ୍ର ପତ୍ନୀ ସହ ଇନ୍ଦ୍ରଙ୍କ ରଥରେ ଆରୋହଣ କରି ହସ୍ତିନା ଅଭିମୁଖେ ଯାତ୍ରା କଲେ । ମିଳନର ଆନନ୍ଦରେ ଦୁଇଟି ହୃଦୟ ଅପୁର୍ବ ସୁଖରେ ଅଭିଭୂତ ହେଲା ।

 

କାଳିଦାସଙ୍କ ପ୍ରଭାବ—

 

କବିପୁରୁଷ କାଳିଦାସ ବ୍ୟାସ ବର୍ଣ୍ଣିତ ମହାଭାରତ କଥାବସ୍ତୁରେ ପ୍ରଭାବିତ ହେଲେହେଁ ସ୍ୱୀୟ ନାଟକରେ ବହୁ ପରିବର୍ତ୍ତନ ସାଧନ କରିଥିଲେ । କଣ୍ୱଙ୍କ ଆଶ୍ରମରୁ ଅନୁପସ୍ଥିତିର କାରଣ, ସଖୀମୁଖରେ ଶକୁନ୍ତଳାଙ୍କ ଜନ୍ମବୃତ୍ତାନ୍ତ ବର୍ଣ୍ଣନ, ବିବାହ ପ୍ରସ୍ତାବ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ଓ ମିଳନ ପାଇଁ ସମୟ ପ୍ରତି ସଚେତନ, ପ୍ରିୟମ୍ୱଦା ଓ ଅନସୂୟା ନାମ୍ନୀ ଭିନ୍ନ ଚରିତ୍ରର ଦୁଇ ସଖୀଙ୍କ ଅବତାରଣା, ସଖୀ ମୁଖରେ ଉତ୍ତରାଧିକାରୀତ୍ୱ ପାଇଁ ଦୁଷ୍ମନ୍ତଙ୍କଠାରୁ ପ୍ରତିଶ୍ରୁତି ଗ୍ରହଣ, ଶକୁନ୍ତଳାଙ୍କୁ ବିସ୍ମୃତ ହେବାର କାରଣ ପ୍ରଦର୍ଶନ, ଶକୁନ୍ତଳାଙ୍କ ସ୍ୱାମୀଗୃହ ପ୍ରେରଣରେ କଣ୍ୱଙ୍କର ଅଯଥା କାଳକ୍ଷେପନୀତ ବର୍ଜନ, ସର୍ବଶେଷରେ ରାଜସଭାରେ ଶକୁନ୍ତଳାଙ୍କ ପରିଚୟ ଦାନ ଓ ପୁତ୍ରର ଅଧିକାର ସାବ୍ୟସ୍ତରେ କାଳିଦାସ ମହାଭାରତର ଘଟ ପରିବର୍ତ୍ତନ କରି ସ୍ୱକୀୟ କଳ୍ପନାରେ ଯେଉଁ ଅନୁପମ ମାଧୁର୍ଯ୍ୟମଣ୍ଡିତ ନାଟକ ରଚନା କରିଛନ୍ତି ତାହା ପ୍ରଶଂସନୀୟ ଉଦ୍ୟମ । ମୂଳ ଉପଖ୍ୟାନ ସମାନ ହେଲେହେଁ ତାକୁ ନୂତନ ରୂପ ଦାନ କରି ନିଜସ୍ୱ ମୂର୍ତ୍ତିରେ ଗଢ଼ି ନେବାର କାରୁ କୌଶଳରେ କାଳିଦାସ ଅପ୍ରିତନ୍ଦ୍ୱନ୍ଦୀ ଶିଳ୍ପୀ ।

 

ମହାକବି କାଳିଦାସଙ୍କ ବିଶ୍ୱବିଶ୍ରାତ ନାଟକ ଅଭିଜ୍ଞାନ ଶକୁନ୍ତଳମ୍‌ର ବିଷୟବସ୍ତୁ ଅନପୁସରଣେ ନିଜ ମନର କଳ୍ପନା ସୌନ୍ଦର୍ଯ୍ୟକୁ ଅପୂର୍ବ ରସ ମାଧୁର୍ଯ୍ୟରେ ମଣ୍ଡିତ କରି ଗଙ୍ଗାଧର ପ୍ରଣୟବଲ୍ଲରୀ କାବ୍ୟର ସୃଷ୍ଟି ସଂପାଦନା କରିଛନ୍ତି । ଏହା କାଳିଦାସଙ୍କ ନାଟକର ଅନୁବାଦ ମାତ୍ର ନୁହେଁ । କାବ୍ୟର ଆରମ୍ଭରେ କବି ବେଦବ୍ୟାସ ଓ କାଳିଦାସ ଉଭୟଙ୍କୁ ତାଙ୍କ କାବ୍ୟ ରଚନାରେ ଗୁରୁ ରୂପେ ସ୍ୱୀକାର କରି ପଦବନ୍ଦନା କରିଛନ୍ତି । ଦୁଷ୍ମନ୍ତ ଶକୁନ୍ତଳା ଉପଖ୍ୟାନର ଆଦିସ୍ରଷ୍ଟା ରୂପେ ବେଦବ୍ୟାସଙ୍କୁ ଓ ସେହି ଚରିତ୍ରର ଉତ୍କର୍ଷ ସାଧନର ଉତ୍ତର ସାଧକ କାଳୀଦାସଙ୍କୁ ଅର୍ଥାତ୍ ଦେବୀ ସରସ୍ୱତୀଙ୍କ ବରପୁତ୍ରଙ୍କୁ ସ୍ତୁତି କରି ଗଙ୍ଗାଧର ନିଜର ନମ୍ରତା ତଥା ଗୁଣଗ୍ରାହିକତା ପ୍ରକାଶ କରିଛନ୍ତି-

 

କାଳିଦାସ ତାଙ୍କର ନାଟକଟି ସପ୍ତ ଅଙ୍କରେ ସମାପ୍ତ କରିଛନ୍ତି । ମେହେର କବିଙ୍କ ପ୍ରଣୟବଲ୍ଲରୀ ସପ୍ତ ସର୍ଗ ବିଶିଷ୍ଟ । ପ୍ରଥମେ ମଙ୍ଗଳା ଚରଣ କରି କବି କାବ୍ୟର ଆରମ୍ଭ କରିଛନ୍ତି—ରଥରେ ଶୋଭିତ ହୋଇ ମୃଗୟା ଅଭିପ୍ରାୟରେ ଦୁଷ୍ମନ୍ତ କାନନଚାରୀ ହୋଇଛନ୍ତି ଓ ସମ୍ମୁଖଦୃଷ୍ଟି ମୃଗକୁ ଦେଖି ତାର ଅନୁସରଣ କରିଛନ୍ତି । ଏହା କାଳିଦାସଙ୍କ ନାଟକର ପ୍ରଥମ ଅଙ୍କ ପ୍ରଥମ ଦୃଶ୍ୟର ପ୍ରତିବିମ୍ୱ ମାତ୍ର । ମହାଭାରତରେ ଯେଉଁ ଆଡ଼ମ୍ୱରପୂର୍ଣ୍ଣ ବର୍ଣ୍ଣନା ବାହୁଲ୍ୟ—ତାକୁ କାଳିଦାସ ବର୍ଜନ କରିଛନ୍ତି—ମେହେର ବ୍ୟାସଦେବ ଓ କାଳିଦାସଙ୍କୁ ଅନୁସରଣ କରି କାବ୍ୟର ଆରମ୍ଭ କରିଛନ୍ତି ଏବଂ କୃଷ୍ଣସାରର ପଳାୟନ ଓ ରାଜାଙ୍କ ଅନୁଧାବନର ଏକ ବାସ୍ତବ ଚିତ୍ର ଅଙ୍କନ କରିଛନ୍ତି-। ବହୁ ସ୍ଥଳରେ କାଳିଦାସଙ୍କ ବର୍ଣ୍ଣନାର ଭାବଗତ ତଥା ଶବ୍ଦଗତ ସାମ୍ୟ ପରିଲକ୍ଷିତ ହୁଏ । ଦୁଷ୍ମନ୍ତ ସ୍ୱରୂପ—

 

‘‘ଗ୍ରୀବାଭଙ୍ଗାଭିରାମଂ ମୁହୁରନୁପତତି ସ୍ୟନ୍ଦନେ ଦତ୍ତଦୃଷ୍ଟିଃ

ପଶ୍ଚାଦ୍ଧେନ ପ୍ରବିଷ୍ଟଃ ଶରପତନ ଭୟାଦଭୂୟସା ପୂର୍ବକାୟମ୍ ।

ଦଭୈ ରର୍ଦ୍ଧାବଲୀତୈଃ ଶ୍ରମବିବୃତମୁଖଭ୍ରଂଶିଭଃ ଜୀର୍ଣ୍ଣବର୍ତ୍ସ ।

ପଶ୍ୟୋଦଗ୍ରପ୍ଲତତ୍ତ୍ୱାଦ୍ୱିୟତି ବହୁତରଂ ସ୍ତୋକ ମୁଖ୍ୟାଂ ପ୍ରୟାତି ।’’

 

କାଳିଦାସଙ୍କ ଶ୍ଳୋକର ଭାବରେ ମୁଗ୍‌ଧ ହୋଇ ମେହେର ରଚନା କରିଛନ୍ତି—

 

‘‘ପୁଚ୍ଛ ଲପଟାଇ ସ୍ଫୀଚ ସଙ୍କୁଚାଇ

ଆଶ୍‌ଗ–ପତନ–ଭୟେ

ଗ୍ରୀବ ଭାଙ୍ଗି ଥରେ ଥରେ ରଥେ ଚାହିଁ

ପଳାଏ ପୁଣି ଅଥୟେ ।

ଶରମ–ବିବୃତି— ମୁଖ–ଚ୍ୟୁତ–ତର

କବଳିତ କୁଶମାନ

ଗମନ ପଥରେ ଇତସ୍ତତଃ ପଡ଼ି—

ଯାଉଥାଏ ସ୍ଥାନ ସ୍ଥାନ ।’’

 

ବନ୍ଧୁର ପଥରଛାଡ଼ି ସମତଳ ଭୂମିରେ ଗତି ଦ୍ରୁତ କରିବା ଅଭିପ୍ରାୟରେ ସାରଥିର ଅଶ୍ୱରଜ୍ଜୁ ଶିଥିଳ କରିବା, ବେଗଗାମୀ ଅଶ୍ୱଙ୍କର ପଦ ଭୂମିସ୍ପର୍ଷ କରିଛି କି ନାହିଁ ତାହା ନିର୍ଣ୍ଣୟ କରି ନ ପାରିବା, ଦୂରସ୍ଥିତ ବସ୍ତୁଗୁଡ଼ିକ ଧୀରେ ଧୀରେ ନିକଟବର୍ତ୍ତୀ ହେବାରୁ ସ୍ପଷ୍ଟ ଦେଖାଯିବା ଓ ମୃଗର ସମୀପବର୍ତ୍ତୀ ହେବାରୁ ରାଜାଙ୍କର ଧନୁରେ ଶର ସନ୍ଧାନ କରିବା ପ୍ରଭୃତି ପଦଗୁଡ଼ିକ କାଳିଦାସଙ୍କ ପ୍ରତିଧ୍ୱନି ମାତ୍ର ।

 

ମୁନିକୁମାରଙ୍କ ନିଷେଧ ବାକ୍ୟ—‘‘ମନୋ ମାରନା ଆଶ୍ରମ ମୃଗ ଏ’’ କାଳିଦାସଙ୍କ ‘‘ଆଶ୍ରମ ମୃଗୋଽୟଂ ନ ହନ୍ତବ୍ୟୋ ନ ହନ୍ତବ୍ୟଃ’’ ର ନିର୍ଭୁଲ ଅନୁବାଦ ।

 

ରାଜାଙ୍କ ନିର୍ଦ୍ଦେଶରେ ରଥର ଗତିରୁଦ୍ଧ ହେବାରୁ ତପସ୍ୱୀଦ୍ୱୟ ନିକଟକୁ ଆସି ରାଜାଙ୍କୁ ହାତ ଟେକି ଆଶୀର୍ବାଦପୂର୍ବକ କହିଲେ—‘‘ରାଜନ୍ ଆଶ୍ରମ ମୃଗେଽୟଂ ନ ହନ୍ତବ୍ୟୋ ନ ହନ୍ତବ୍ୟଃ ।’’

 

‘‘ନ ଖଳୁ ନ ଖଳୁ ବାଣଃ ସନ୍ନି ପାତ୍ୟୋଽୟମସ୍ୱିନ୍

ମୃଦୁନି ମୃଗ ଶରୀର ତୁଳରାଶା ବିବାଗ୍ନିଃ ।

କବତ୍ୱ ହରିଣକାନାଂ ଜୀବିତଞ୍ଚାତି ଲୋଲଂ

କ୍ୱଚ ନିଶିତ ନିପାତା ବଜ୍ରସାରାଃ ଶରାସ୍ତେ ।’’

 

ମେହେରଙ୍କ ବର୍ଣ୍ଣନା କାଳିଦାସ-ଭାବାନୁପ୍ରାଣିତ ହୋଇଛି ଦୁଇଟି ପଦରେ—

 

‘‘ବୋଇଲେ, ‘ଭୋ ନୃପ ଆଶ୍ରମ ମୃଗ ଏ

ବଧ୍ୟ ନୁହେଁ ଛାମୁଙ୍କର

ତୁଳା କୁଢ଼େ ବହ୍ନି ପ୍ରାୟେ ମୃଦୁ ମୃଗ

ଶରୀରେ ନ ଛାଡ଼ି ଶର ।

କାହିଁ ବଜ୍ର-ସାର ଶର ତୁମ୍ଭ, କାହିଁ

କୃଷ୍ଣସାର କ୍ଷୀଣ ପ୍ରାଣ,

ନୁହେଁ ତୁମ୍ଭ ଶର ଦୁର୍ବଳ ମାରଣେ

କରଇ ଆରତ ତ୍ରାଣ ।’’

 

ଶର ପ୍ରତିସଂହାର କରି ରାଜା ବିନୀତ ଭାବରେ ତପସ୍ୱୀଙ୍କୁ ପ୍ରଣାମ କଲେ ଓ ସେମାନେ ଆଶୀର୍ବାଦ ସ୍ୱରୂପ କହିଲେ—

 

‘‘ଜନ୍ମ ଯସ୍ୟ ପୁରୋର୍ବଂଶେ ଯୁକ୍ତରୂପମିଦଂ ତବ,

ପୁତ୍ରମେବଂ ଗୁଣୋପେତଂ ଚକ୍ରବର୍ତ୍ତିନମାପ୍ନୁହି ।’’

 

‘‘ସାଧୁ ପୁରୁବଂଶ ଅବତଂଶ କଲ

କୂଳ ଅନୁରୂପ କାମ

ଲଭ ପୁତ୍ର ରତ୍ନ ଶୂର ଚକ୍ରବର୍ତ୍ତୀ

ନିଖିଳ ସଦ୍‌ଗୁଣ ଧାମ ।’’

 

କାଳିଦାସ ଓ ଗଙ୍ଗାଧରଙ୍କ ପଦର ତୁଳନାତ୍ମକ ବିଚାର କଲେ ମନେ ହୁଏ କାଳିଦାସଙ୍କ ଭାଷା ଓ ଭାବର ଜାଲରେ ଗଙ୍ଗାଧର ଛନ୍ଦି ହୋଇ ପଡ଼ିଛନ୍ତି ।

 

ତାପସଙ୍କ ଅନୁରୋଧରେ ରାଜା ଆଶ୍ରମପଦ ଦର୍ଶନ ଉଦ୍ଦେଶ୍ୟରେ ଯାତ୍ରା କରିଛନ୍ତି । ତପୋବନ ମଧ୍ୟରେ ରାଜା ଦାଖିଛନ୍ତି—

 

‘‘ଶୁକ–ମୁଖ–ଭ୍ରଷ୍ଟ ତୃଣ ଧାନ୍ୟମନ

ପଡ଼ିଛି ପାଦପ ତଳେ ।’’

ପୁଣି—‘‘ପଡ଼ି କେଉଁଠାରେ ଇଙ୍ଗୁଦୀ ନିର୍ଯ୍ୟାସ

ସ୍ନିଗ୍‌ଧ ଶିଳା–ଖଣ୍ଡ–ଚୟ,

ଦେଉଛନ୍ତି ଋଷି ହସ୍ତରେ ଇଙ୍ଗୁଦୀ

ବିଦାରଣ ପରିଚୟ ।’’

 

କାଳିଦାସଙ୍କ ଦୁଷ୍ମନ୍ତ

 

‘‘ନୀବାରଃ ଶୁକଗର୍ଭକୋଟର ମୁଖଭ୍ରଷ୍ଟାସ୍ତରୂଣାମଧଃ

ପ୍ରସ୍ନିଗ୍‌ଧା କ୍ୱଚିଦିଙ୍ଗୁ ଦୀଫଳଭିଦଃ ସୂଚ୍ୟନ୍ତ ଏଇୋପଳାଃ’’ ।

 

ଏହି ଦୃଶ୍ୟ ଦେଖି ତପୋବନରେ ସୀମାରେ ଉପନୀତ ହୋଇଛନ୍ତି ବୋଲି ଜାଣି ପାରିଥିଲେ ।

 

ରମଣୀର ରମଣୀୟ କଣ୍ଠସ୍ୱରରେ ଚମକିତ ହୋଇ ରାଜା ପାଦପ ଅନ୍ତରାଳରେ ଥାଇ ଦେଖିଛନ୍ତି ଶକୁନ୍ତଳାଙ୍କ ଅପରୂପ ସୌନ୍ଦର୍ଯ୍ୟମାଧୁରୀ । ବିମୁଗ୍‌ଧ ହୋଇ ଭାବିଛନ୍ତି–‘‘ଦୂରୀକୃତଃ ଖଳୁ ଗୁଣୈରୁଦ୍ୟାନ—ଲତା ବନଲତାଭିଃ ।’’ କାଳିଦାସଙ୍କ ଚିନ୍ତା ଚାତୁରୀରେ ଅନୁପ୍ରାଣିତ ହୋଇ ଗଙ୍ଗାଧର ନିଜର ବର୍ଣ୍ଣବିଳାସ ସହଯୋଗରେ ରଚନା କରିଛନ୍ତି ଅନବଦ୍ୟ ସ୍ତବକଟିଏ—

 

‘‘ଭାଙ୍ଗିଦେଲା ବନ ବଲ୍ଲରୀ, ଉଦ୍ୟାନ

ଲତିକାର ଅଭିମାନ

ଗୋଲାପ କଣ୍ଟକ- ବନବାସୀ ବୋଲି

ବାସଙ୍ଗ କି ତା ସମାନ ?’’

 

ଏଠାରେ ଗୋଲାପକୁ ବନବାସିନୀ ନାରୀ ଓ ବାସଙ୍ଗକୁ ରାଜଅନ୍ତଃପୁର ଯେଷା ଭାବରେ କଳ୍ପନା କରି ଗଙ୍ଗାଧର ନିଜର କଳ୍ପନା ସୌନ୍ଦର୍ଯ୍ୟର ନିଦର୍ଶନ ରଖିଯାଇଛନ୍ତି ।

 

ବଳ୍‌କଳ ପରିହିତା ସୁକୁମାରୀ ଶକୁନ୍ତଳାଙ୍କୁ ଦେଖି ରାଜା କ୍ଷୁବ୍‌ଧ ହୋଇ ଭାବିଛନ୍ତି—

 

‘‘ବିସ୍ଫୋରିତ ହୋଇପଡ଼ୁଛି ତଥାପି

ଲଳନା–ଲାବଣ୍ୟ–ପ୍ରଭା,

ଯଥା ଶିବଜଟ— ଚନ୍ଦ୍ରିକା ଶୈବାଳ

ବେଷ୍ଟିତ–ପଦ୍ମିନୀ ଅବା ।

 

କଳଙ୍କହିଁ ଥାଇ କଳାକର କୋଳେ

କରଇ ନେତ୍ର ରଞ୍ଜନ,

ସ୍ୱଭାବ ସୁନ୍ଦର ଅଙ୍ଗକୁ ଜଗତେ

ନ ହୁଅ କିସ ମଣ୍ଡନ ?’’

 

ମୂଳ ଶ୍ଳୋକରେ ଅଛି—

 

‘‘ସରସିଜମନୁବିଦ୍ଧଂ ଶୈବଳେନାପି ରମ୍ୟଂ

ମଳିନମପି ହିମାଂ ଶୋର୍ଲକ୍ଷ୍ମ ଲକ୍ଷ୍ମୀଂ ତନୋତି ।

ଇୟମଧିକମାନେ ଜ୍ଞାନବଳ୍ କଳେନାପି ତନ୍ୱୀ

କମିବ ହି ମଧୁରାଣାଂ ମଣ୍ଡନଂ ନାକୃତୀନାମ୍‌ ।’’

 

କାଳିଦାସଙ୍କର ଏହି ଅପୂର୍ବ ସୁନ୍ଦର କଳ୍ପନା ବିଳାସ ସମଗ୍ର ସଂସ୍କୃତି ସାହିତ୍ୟର ସାରସତ୍ୱ ସଂପଦ ରୂପେ ସଂଗୃହୀତ । ଶୈବାଳ ବେଷ୍ଟିତ ପଦ୍ମିନୀ ଓ କଳଙ୍କଲାଞ୍ଛିତ ଚନ୍ଦ୍ରମଣ୍ଠଳ ସଙ୍ଗେ ବକ୍‌ଳଧାରିଣୀ ତନ୍ୱୀ ଶକୁନ୍ତଳାଙ୍କର ତୁଳନା କରି ସୁନ୍ଦର ଆକୃତିରେ ତୁଚ୍ଛ ବସ୍ତୁ ମଧ୍ୟ ଶୋଭିତ ହୁଏ–ଏହି ଚମତ୍କାର ସ୍ୱୀକୃତିରେ ସ୍ୱଭାବ ସୁନ୍ଦରୀଙ୍କୁ କବି ସମ୍ୱର୍ଦ୍ଧିତ କରିଛନ୍ତି । ଗଙ୍ଗାଧର ଆଉ ପଦେ ଆଗେଇ ଯାଇଛନ୍ତି ‘ଶିବ ଜଟାରେ ଆଚ୍ଛାଦିତ ଚନ୍ଦ୍ରିକା’ର ମନୋଜ୍ଞ କଳ୍ପନାରେ । କାଳିଦାସଙ୍କୁ ନିଶ୍ଚିତ ଭାବରେ ଅବଲମ୍ୱନ କଲେହେଁ ଗଙ୍ଗାଧରଙ୍କ ସ୍ୱକୀୟ କଳ୍ପନାବିଳାସ ପ୍ରତି ଛତ୍ରରେ ଫୁଟି ଉଠୁଛି-

 

ପୁନଶ୍ଚ—

 

‘‘ତପୋବଳେ ଏକା ଅସମ୍ଭବ କଥା

ଜଗତେ ସମ୍ଭବି ପାରେ,

ଶମୀତରୁ ଏହା କାଟୁଛନ୍ତି ମୁନି

ନୀଳୋତ୍ପଳ–ଦଳ ଧାରେ ।’’

 

କାଳିଦାସଙ୍କ ଲେଖନୀ ନିଃସୃତ ‘‘ଧ୍ରୁବଂ ସ ନୀଳୋତ୍ପଳ ପତ୍ରଧାରୟା ଶମୀଲତାଂ ଚ୍ଛେତ୍ତୁ ମୃଷିର୍ବ୍ୟବସ୍ୟତି’’ ର ଭାବନାରେ ପରିପୃଷ୍ଟ ।

 

ବନଗଜ ଭୟରେ ଶଙ୍କିତ ଆଶ୍ରମବାସୀଙ୍କ ସନ୍ତ୍ରାସ ଦୂର କରିବାପାଇଁ ରାଜା ଅନିଚ୍ଛା ସତ୍ତ୍ୱେ ଯିବା ପାଇଁ ବ୍ୟଗ୍ରତା ପ୍ରକାଶ କଲେ ।

 

କାଳିଦାସଙ୍କ ଭାଷାରେ—

 

‘‘ଗଚ୍ଛିତ ପୁରଃ ଶରୀରଂ ଧାବତି ପଶ୍ଚାତଦ୍‌ସଂସ୍ଥିତ ତେତଃ

ଚୀନାଂ ଶୁକମିବ କେତୋଃ ପ୍ରତିବାରଂ ନୀୟମନସ୍ୟ ।’’

 

ଗଙ୍ଗାଧର ଏ ଭାବନାକୁ ରୂପ ଦେଇଛନ୍ତି–

 

‘‘ଚଳିଲେ ନୃପତି ତରତର କିନ୍ତୁ

ପଛକୁ ଘୁଞ୍ଚାଇ ମନ,

ପ୍ରଧବିତ ରଥ— ପଛକୁ ଉଡ଼ାଇ

ଦୁକୂଳଧ୍ୱଜ ଯେସନ ।’’

 

ଆଉ ଶକୁନ୍ତଳାଙ୍କ ଅବସ୍ଥା ଆହୁରି ଶୋଚନୀୟ । ସଖୀ ସଙ୍ଗରେ ଆଶ୍ରମକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ତାଙ୍କ ଶରୀରରେ ତିଳେମାତ୍ର ଶକ୍ତି ନାହିଁ—ମନ ରାଜାଙ୍କ ପ୍ରତି ଆକୃଷ୍ଟ, ଦୃଷ୍ଟି ରାଜଦର୍ଶନ ଲାଗି ବ୍ୟାକୁଳ । ତେଣୁ ପ୍ରିୟସଖୀ ଅନସୂୟାଙ୍କୁ ଗତିବିମୁଖ ଶକୁନ୍ତଳା କାତର କଣ୍ଠରେ କହିଛନ୍ତି ଯେ ତାଙ୍କର ପଦ କୁଶାଗ୍ରରେ ବିଦ୍ଧ ହୋଇଛି ଓ ଅଞ୍ଚଳ କୁରୁବାକ ଶାଖାରେ ଲାଗିଯାଇଛି । ରାଜାଙ୍କ ପ୍ରତି ଦୃଷ୍ଟି ନିବିଦ୍ଧ କରି ସେ ନିଜକୁ କୁରୁବକ ଶାଖାରୁ ମୁକ୍ତ କରିଛନ୍ତି । ଏହି ବର୍ଣ୍ଣନାକୁ ରସ ତରଙ୍ଗରେ ଅବଗାହିତ କରାଇ ଗଙ୍ଗାଧର ଲେଖିଛନ୍ତି—

 

‘କୁରୁବକ କଣ୍ଟା ଲାଗିଗଲା ବୋଲି

ସଖୀଙ୍କି କହିଲା ଛଳି

ପ୍ରିୟମ୍ୱଦା ବୋଲେ ‘ପୁରୁବାକ କଣ୍ଟା

ମୀନାକ୍ଷି, ଗଲା କି ଗଳି ?’’

 

ଗଙ୍ଗାଧରଙ୍କ ଏ ରସଚାତୁର୍ଯ୍ୟପୂର୍ଣ୍ଣ ଉକ୍ତି ଭଂଜୀୟ ଶୈଳୀକୁ ସ୍ମରଣ କରାଇ ଦିଏ ।

 

ଗଙ୍ଗାଧର କାଳିଦାସଙ୍କ କଥାଭାଗର ମୂଳସ୍ୱରକୁ ଅନୁସରଣ କଲେହେଁ କ୍ଷେତ୍ର ବିଶେଷରେ ପରିବର୍ତ୍ତନ ସାଧନ କରିଛନ୍ତି । କାଳିଦାସଙ୍କ ଅଭିଜ୍ଞାନ ଶକୁନ୍ତଳମ୍‌ରେ ମହର୍ଷି କଣ୍ୱ ଶକୁନ୍ତଳାଙ୍କ ଗ୍ରହଦୋଷ ଖଣ୍ଡନ ପାଇଁ ସୋମତୀଂକୁ ଯିବା କଥା ବର୍ଣ୍ଣନା କରାଯାଇଛି । କିନ୍ତୁ ଗଙ୍ଗାଧର କେବଳ ତୀର୍ଥ ଯିବା କଥା ଉଲ୍ଲେଖ କରିଛନ୍ତି, କାରଣ ଦର୍ଶାଇ ନାହାନ୍ତି ।

 

ମୂଳ ନାଟକରେ ଆଶ୍ରମରେ ଉପସ୍ଥିତ ହେବା ମାତ୍ରେ ବରାଙ୍ଗନା ପ୍ରାପ୍ତ ସୂଚକ ଦକ୍ଷିଣବାହୁ ସ୍ପନ୍ଦନ ଅନୁଭବ କରି ରାଜା ବିସ୍ମିତ ହୋଇଛନ୍ତି । ଆଶ୍ରମ ତପସ୍ୱୀ ତପସ୍ୱିନୀ ଅଧ୍ୟୁଷିତ ସ୍ଥଳୀ । ସେହି ପବିତ୍ର ସ୍ଥଳରେ ନାରୀଲାଭ ସୂଚନାରେ ରାଜା ଆଶ୍ଚର୍ଯ୍ୟାନିତ୍ୱ ହୋଇଛନ୍ତି । କିନ୍ତୁ ପ୍ରଣୟବଲ୍ଲରୀରେ ଶକୁନ୍ତଳା ଅନୂଢ଼ା କୁମାରୀ ଜାଣି ରାଜାଙ୍କ ମନରେ ବିବାହର ସମ୍ଭାବନା ଅଙ୍କୁର ରୂପେ ପ୍ରକାଶ ପାଇଲା ଓ ଦକ୍ଷିଣ ବାହୁ ସ୍ପନ୍ଦନରେ ତାଙ୍କର ଆଶା-ବଲ୍ଲରୀ ପଲ୍ଲବିତ ହେଲା । ଉଭୟ ସୃଷ୍ଟିରେ ଭବିଷ୍ୟତ ଆଶାର ସୂଚନା ପ୍ରଦାନ ପାଇଁ ଦକ୍ଷିଣ ବାହୁ ସ୍ପନ୍ଦନ କଥା ଉଲ୍ଲେଖ କରାଗଲେ ମଧ୍ୟ ପରିସ୍ଥିତି ଭିନ୍ନ । ମନେହୁଏ, ଗଙ୍ଗାଧର ବିଶେଷଭାବରେ ପରିସ୍ଥିତି ସଚେତନ ଓ କାଳିଦାସ ନାଟକୀୟ ଉତ୍କଣ୍ଠା ଆବେଗ ପ୍ରତି ସ୍ଥିରଲକ୍ଷ୍ୟ ।

 

ଭ୍ରମର ତାଡ଼ିତ ଶକୁନ୍ତଳାଙ୍କ ଲାସ୍ୟମୟ ସୌନ୍ଦର୍ଯ୍ୟର ଭୂରି ଭୂରି ବର୍ଣ୍ଣନାରେ ଗଙ୍ଗାଧର ଲେଖନୀ ମୁଖର । କାଳିଦାସ ଏପରି ବିସ୍ତୃତ ବିସ୍ତାରିତ ଭାବରେ ବର୍ଣ୍ଣନା କରିନାହାନ୍ତି ।

 

କାଳିଦାସଙ୍କ ନାଟକରେ ପ୍ରିୟମ୍ୱଦାଙ୍କଠାରେ ଦୁଇ କଳସୀ ଜଳ ନେଇଥିବା ଶକୁନ୍ତଳାଙ୍କୁ ଋଣମୁକ୍ତ କରି ରାଜା ସ୍ୱନମାଙ୍କିତ ଅଙ୍ଗୁରୀୟ ପ୍ରଦାନ କରିଛନ୍ତି । କିନ୍ତୁ ପ୍ରଣୟ ବଲ୍ଲରୀରେ—

 

‘‘ଘେନି ଯାଉଅଛି ମୁନି-ତନୟାଙ୍କ

ନିକଟରୁ ପ୍ରୀତି-ଋଣ,

ବନ୍ଧକ ନ ଦେଲେ କି ରୂପେ ବିଶ୍ୱାସ

କରିବ କି ଦେଖି ଗୁଣ ?’’

 

ଏହା କହି ହେମ— ଅଙ୍ଗୁରୀୟ କାଢ଼ି

ଅଙ୍ଗୁଳିରୁ ତରତରେ

ଶକୁନ୍ତଳା କରଧରି ଅଙ୍ଗୁଳିରେ

ମଣ୍ଡିଦେଲେ ପ୍ରେମଭରେ ।’’

 

ପ୍ରୀତି–ଋଣ ନେଇ ରାଜା ସୁବର୍ଣ୍ଣ ମୁଦ୍ରିକା ବନ୍ଧକ ସ୍ୱରୂପ ପ୍ରଦାନ କରିଛନ୍ତି । କାଳିଦାସୀୟ ପରିବେଶ ନିଶ୍ଚିତ ଭାବରେ ନାଟକୀୟ, କିନ୍ତୁ ଗଙ୍ଗାଧରଙ୍କ ମୁଦ୍ରିକା ପ୍ରଦାନ କାରଣ ସାଧାରଣ ଜୀବନଚର୍ଯ୍ୟା ଅବଲମ୍ୱିତ ।

 

କାଳିଦାସଙ୍କ ନାଟକର ପ୍ରଥମ ଅଙ୍କ ଅନିଚ୍ଛୁକ ପଦକ୍ଷେପରେ ରାଜାଙ୍କର ନିଷ୍କ୍ରମଣରେ ପରିସମାପ୍ତ । କିନ୍ତୁ ଗଙ୍ଗାଧରଙ୍କ ପ୍ରଥମ ସର୍ଗ ଗମନ ଅନଭିଳାଷୀ ଶକୁନ୍ତଳାଙ୍କ ପ୍ରୀତିଅଙ୍କୁର ଜାତରେ ସୁଷମାନ୍ୱିତ । ଗଙ୍ଗାଧରଙ୍କ କବିତ୍ୱ ବିଳାସ ଓ ନାଟକୀୟ ଆଖ୍ୟାନକୁ କାବ୍ୟିକ ସ୍ୱରୂପ ଦାନରେ ଅପୂର୍ବ ଦକ୍ଷତା ଯଥାର୍ଥରେ ପ୍ରଶଂସନୀୟ ।

 

ଦ୍ୱିତୀୟ ସର୍ଗରେ ଗଙ୍ଗାଧର ମନ ବିବେକର ଦ୍ୱନ୍ଦ୍ୱର ଅବତାରଣା କରି ଦୁଷ୍ମନ୍ତଙ୍କ ହୃଦୟରେ କୁମାରୀ କନ୍ୟାର ପାଣିଗ୍ରହଣ ଲାଗି ଯେଉଁ ବଳବତ୍ତର ଆକାଙ୍‌କ୍ଷା ତାର ସପକ୍ଷ ଓ ବିପକ୍ଷରେ ବିଭିନ୍ନଯୁକ୍ତିର ଉଲ୍ଲେଖରେ ପ୍ରେମିକ ଦୁଷ୍ମନ୍ତଙ୍କ ମନୋଭାବକୁ ସ୍ପଷ୍ଟ କରିଛନ୍ତି । ଶକୁନ୍ତଳାଙ୍କ ପ୍ରଣୟବିହ୍ୱଳ ଭାବନା ମଧ୍ୟ ଏଥିରେ ପ୍ରକଟିତ ତେଣୁ କାଳିଦାସୀୟ ପ୍ରଭାବରୁ ଏହି ସର୍ଗଟି ମୁକ୍ତି ଲାଭ କରି ଗଙ୍ଗାଧରଙ୍କ ସହଜ ବିଶ୍ୱାସ ଓ ନିଃଶ୍ୱାସରେ ପରିପୃଷ୍ଟ ହୋଇଛି ।

 

କାଳିଦାସଙ୍କ ନାଟକର ଦ୍ୱିତୀୟ ଅଙ୍କ ବିଦୁଷକ ସମକ୍ଷରେ ରାଜାଙ୍କର ପ୍ରଣୟ ସ୍ୱୀକୃତିରେ ଆରମ୍ଭ ଓ ବିଦୁଷକର ଚପଳତା ଅନ୍ତଃପୁରବାସୀଙ୍କ ମନରେ ପ୍ରତିକ୍ରିୟା ସଞ୍ଚାର କରିବାର ଆଶଙ୍କାରେ ବିଦୁଷକକୁ ମିଥ୍ୟା ବାକ୍ୟରେ ପ୍ରବଞ୍ଚିତ କରିବାରେ ସମାପ୍ତ । ଆଶ୍ରମର ନିରାପତ୍ତା ପାଇଁ ରାଜାଙ୍କର ବ୍ୟସ୍ତତା ଓ ଶୂନ୍ୟ ଅଙ୍ଗୁଷ୍ଠିକୁ ଚାହିଁ ସୁନ୍ଦରୀ ଶକୁନ୍ତଳାଙ୍କ ଅନୁଚିନ୍ତନରେ ପ୍ରଗାଢ଼ତା ପ୍ରଣୟବଲ୍ଲରୀର ଦ୍ୱିତୀୟ ସର୍ଗର ଆଦ୍ୟକଥନ । ଶେଷବାର୍ତ୍ତା ଶକୁନ୍ତଳାଙ୍କ ପ୍ରିୟଦର୍ଶନ ଆକାଙ୍‌କ୍ଷାରେ ହୃଦୟ ପ୍ରେମ ବଲ୍ଲବିତ ପାଟଳିମା ।

 

ତୃତୀୟ ଅଙ୍କରେ ଶକୁନ୍ତଳା ଦର୍ଶନ ଅଭିଳାଷୀ ଦୁଷ୍ମନ୍ତ ଶୋକ ମୁହ୍ୟମାନା ଶକୁନ୍ତଳାଙ୍କୁ ଦେଖି ଚିନ୍ତାନ୍ୱିତ ହେଲେ । ଅବଶେଷରେ ସଖୀ ପରିବୃତା ଶକୁନ୍ତଳାଙ୍କ ସମକ୍ଷରେ ଅକସ୍ମାତ୍ ଆବିର୍ଭୂତ ହେଲେ । ପ୍ରଣୟ ବଲ୍ଲରୀର ତୃତୀୟ ସର୍ଗ ରାଜାଙ୍କର ପ୍ରୀତି ପ୍ରକ୍ଷାଳିତ ହୃଦୟର ଅନାବିଳ ମାଧୁର୍ଯ୍ୟରେ ବିମଣ୍ଡିତ । ସଖୀର ମନୋରଞ୍ଜନ ପାଇଁ ପ୍ରିୟମ୍ୱଦା ଓ ଅନସୂୟାଙ୍କ ସଙ୍ଗୀତ ଗାନ ଓ ପ୍ରିୟମ୍ୱଦା ପରିହାସପୂର୍ଣ୍ଣ ଉକ୍ତି ‘ବିଦ୍ୟୁତ ବେଗରେ ଆସିଲେଣି ନୃପ ତୋ ଦର୍ଦ୍ଦୁର–ବର–ସ୍ୱରେ’ ଶ୍ରବଣରେ ଶକୁନ୍ତଳା ଚମକିତ ହୋଇ ଦ୍ୱାର ପ୍ରାନ୍ତରକୁ ଦୃଷ୍ଟିପାତ କରିବା ଓ ଦୁଷ୍ମନ୍ତ କୁଞ୍ଜ ଦ୍ୱାରରେ ଦଣ୍ଡାୟମାନ ଥିବାର ଅପୁର୍ବ ନାଟକୀୟ ଦୃଶ୍ୟରେ ରୋମାଞ୍ଚିତ ହେବା ଗଙ୍ଗାଧରଙ୍କ କାବ୍ୟିକ ଶୈଳୀର ଅନବଦ୍ୟ ଦୃଷ୍ଟାନ୍ତ ।

 

ରାଜା ବହୁପତ୍ନୀ ବିଳାସୀ, ତେଣୁ ଶକୁନ୍ତଳାଙ୍କ ଭବିଷ୍ୟତ ଭାବନାରେ ଚିନ୍ତାନ୍ୱିତା ହୋଇ ଅନସୂୟା କହିଛନ୍ତି ଯେ ପ୍ରିୟସଖୀ ଶକୁନ୍ତଳା ରାଜାଙ୍କର ବନ୍ଧୁପରିଜନଦ୍ୱାରା ଯେପରି ଦୁର୍ଦ୍ଦଶାଗ୍ରସ୍ତ ନ ହୁଅନ୍ତି ସେପରି ବ୍ୟବସ୍ଥା କରିବା ବାଞ୍ଛନୀୟ । ଭାବାର୍ଥ ଗ୍ରହଣ କରି ଗଙ୍ଗାଧର ଦୁଇ ସଖୀଙ୍କ କଥୋପକଥନ ଛଳରେ ‘‘ସଖୀନନ୍ଦନ ପାଇବ କିସ ?’’ ପ୍ରଶ୍ନ ଉତ୍‌ଥାପନ ଦରିଛନ୍ତି । ରାଜା ଶକୁନ୍ତଳାଙ୍କ ଭାବି ସନ୍ତାନ ତାଙ୍କ ରାଜ୍ୟର ଉତ୍ତରାଧିକାରୀ ହେବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି-

 

ମୂଳ ନାଟକରେ ପ୍ରିୟମ୍ୱଦା ମାତାଠାରୁ ବିଚ୍ଛିନ୍ନ ହୋଇଥିବା ମୃଗ ଶାବକକୁ ତାର ମାତା ନିକଟରେ ପହଞ୍ଚାଇ ଦେବା ପାଇଁ ଅନସୂୟାଙ୍କୁ ଆହ୍ୱାନ କରି ସେ ସ୍ଥାନ ତ୍ୟାଗ କରିଛନ୍ତି । ରାଜା ଓ ଶକୁନ୍ତଳାଙ୍କର କଥୋପକଥନ ମୂଳ ନାଟକଠାରୁ ପ୍ରଣୟବଲ୍ଲରୀରେ ଶ୍ଳୋଷାଙ୍କାରରେ ଚମତ୍କାର ଭାବ ସୌନ୍ଦର୍ଯ୍ୟ ସୃଷ୍ଟି କରିଛି ।

 

ଦୁଷ୍ମନ୍ତ ଓ ଶକୁନ୍ତଳାଙ୍କ ନିଭୃତ ମିଳନ ଅବକାଶରେ ନେପଥ୍ୟରୁ ‘‘ଚିତ୍ରବାକ ବଧୂକେ, ଆମନ୍ତ୍ରୟସ୍ୱ ସହଚରମ୍, ଉପସ୍ଥିତା ରଜନୀ’’—ଏହି ସଂକେତ ବାଣୀ ଭାସି ଆସିଛି । ଶକୁନ୍ତଳା ବୁଝି ପାରିଛନ୍ତି ଯେ ତାଙ୍କର ଶାରୀରିକ ଅସୁସ୍ଥତା ସମ୍ଭାଦ ପାଇ ଗୌତମୀ ଆସୁଛନ୍ତି । ରାଜାଙ୍କୁ ଆତ୍ମଗୋପନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଶକୁନ୍ତଳାଙ୍କ ପ୍ରସ୍ଥାନ ପରେ ମଧ୍ୟ ରାଜା ସେଇ ଶୂନ୍ୟ ସ୍ଥାନ ତ୍ୟାଗ କରି ପାରି ନାହାନ୍ତି ।

 

ମେହେର କବି କାଳିଦାସଙ୍କ ଚିହ୍ନିତ ପଥରେ ଅଗ୍ରସର ହେଲେହେଁ ସ୍ୱକୀୟତା ରକ୍ଷା କରିଛନ୍ତି । ସନ୍ଧ୍ୟା ସମାଗମ ହେବାରୁ ପ୍ରିୟମ୍ୱଦ ଇଙ୍ଗିତରେ ସଖୀକୁ ସଚେତନ କରିଦେଲେ—

 

‘‘ନଳିନୀକି ତେଜି ମିହିର ଗଲେଣି

ଚିତ୍ରବାକ ଚିତ୍ରବାକୀ ।’’

 

ଗୌତମୀଙ୍କ ଆଗମନକୁ ସଂପୂର୍ଣ୍ଣ ବର୍ଜନ କରିଛନ୍ତି ଗଙ୍ଗାଧର । ପୁଣି କାବ୍ୟର ସରସ ଅଭିବ୍ୟକ୍ତ ଲାଗି ସୂର୍ଯ୍ୟ ଓ ପଦ୍ମର ପରସ୍ପରଠାରୁ ବିଚ୍ଛିନ୍ନ ହେବା କଥା ଉଲ୍ଳେଖ କରି ପ୍ରେମବିବଶ ନାୟକ ନାୟିକାଙ୍କର ବିଚ୍ଛେଦର ମୁହୂର୍ତ୍ତ ଆସନ୍ନ ବୋଲି ସଂକେତ ପ୍ରଦାନ କରିଛନ୍ତି ।

 

ଶକୁନ୍ତଳା କୋମଳ ଚିତ୍ତ ପୁଟରେ ପ୍ରଣୟ-ପୁଷ୍ପ ବିକଶିତ ହେବା କଥା ପୂର୍ଣ୍ଣତଃ ଗଙ୍ଗାଧରଙ୍କ କଳ୍ପନା ଚାତୁରୀର ଏକ ରସରଭସ ପ୍ରକାଶ ।

 

ପ୍ରଣୟ ବଲ୍ଲରୀର ଚତୁର୍ଥ ସର୍ଗ ପ୍ରିୟ ବିରହକାତରା ଶକୁନ୍ତଳାଙ୍କର ଜୀବନ ନାଟ୍ୟର ବିଚିତ୍ର ଘଟଣାବଳୀରେ ବିଚିତ୍ରିତ । ଦୁଷ୍ମନ୍ତଙ୍କ ଭାବନାରେ ନିମଜ୍ଜିତ ଶକୁନ୍ତଳା ବାହ୍ୟ ଚେତନାଶୂନ୍ୟ ହୋଇ ଅନ୍ତର୍ଲୋକରେ ନିଜ ଭାବନାର ମନ୍ଦିର ଗଢ଼ିବାରେ ଯେତେବେଳେ ତତ୍ପର, ସେତିକିବେଳେ ନାଟକୀୟ ଭାବରେ ଦୁର୍ବାସାଙ୍କର ଆବିର୍ଭାବ ଓ ‘ଅତିଥି ମୁଁ’ ବୋଲି ନିଜର ଉପସ୍ଥିତି ଜ୍ଞାପନ ଅଭିଜ୍ଞାନ ଶକୁନ୍ତଳମ୍‌ର ଅନୁବର୍ତ୍ତନ ମାତ୍ର । କାଳିଦାସ ନେପଥ୍ୟରୁ ଶୁଣାଇଛନ୍ତି ଯେ ‘ଅୟମହଂ ଭୋ’ ଓ ଅନସୂୟା ରଙ୍ଗମଞ୍ଚରେ କହିଛନ୍ତି—

 

‘‘ସଖି, ଅତିଥିନାମିବ ନିବେଦିତମ୍‌’’ ।

 

ଗଙ୍ଗାଧର ଲେଖିଛନ୍ତି—

 

‘‘ଶକୁନ୍ତଳା–ଦେହ ମାତ୍ରକ ରହିଲା

ଆଶ୍ରମ କୁଟୀରେ ବସି ।’’

 

କାଳିଦାସ ପ୍ରିୟମ୍ୱଦାର ଉକ୍ତି—‘‘ଅଦ୍ୟ ପୁନଃ ହୃଦୟେନା ସନ୍ନିହିତା’’ ଆଜି କିନ୍ତୁ ତା ହୃଦୟଠାରୁ ସେ ଦୂରରେ ଅଛି ।

 

ଶକୁନ୍ତଳମ୍‌ର ଦୁର୍ବାସା କ୍ରୋଧ ଜର୍ଜରିତ ଅଭିଶାପ ଦେଇଛନ୍ତି—

 

‘‘ବିଚିନ୍ତୟନ୍ତୀ ଯମନନ୍ୟମାନସା

ତପୋଧନ ବେତ୍‌ସି ନ ମାମୃପସ୍ଥିମ୍‌

ସ୍ମରିଷ୍ୟତି ତ୍ତ୍ୱା ନ ସ ବୋଧିତୋଽପି ସନ୍‌

କଥଂ ପ୍ରମତ୍ତଃ ପ୍ରଥମ କୃତାମିବ ।’’

 

ଅର୍ଥାତ୍ ମୋ ପରି ତପୋଧନର ଉପସ୍ଥିତି ପ୍ରତି ଅନବହିତ ହୋଇ ଅନନ୍ୟଚିତ୍ତରେ ଯାହାଙ୍କୁ ଭାବୁଅଛୁ, ମଦ୍ୟପାନ କରିଥିବା ବ୍ୟକ୍ତି ପୂର୍ବରୁ କହିଥିବା କଥା ଯେପରି ବିସ୍ମୃତ ହୁଏ, ସେହିପରି ସ୍ମରଣ କରାଇ ଦେଲେ ମଧ୍ୟ ସେ ତତେ ଚିହ୍ନି ପାରିବ ନାହିଁ ।’’ ଗଙ୍ଗାଧର ପ୍ରମତ୍ତ ବ୍ୟକ୍ତିର ଦୃଷ୍ଟାନ୍ତ ବର୍ଜନ କରି ଦୁର୍ବାସାଙ୍କ କଣ୍ଠରେ ଫୁଟାଇଛନ୍ତି—

 

‘‘ଘେନ ପୂଜ୍ୟ–ପୂଜା ବ୍ୟତିକ୍ରମ–ଫଳ

ଯା’ଠାରେ ରଖିଛୁ ଲୟ

ସେ ତୋତେ ଚିହ୍ନିବ ନାହିଁ ତୁ ହେଲେହେଁ

ଆପଣାର ପରିଚୟ ।’’

 

ଅଭିଶାପର ପ୍ରତିକାର ସ୍ୱରୂପ ଦୁର୍ବାସା କହିଛନ୍ତି—‘‘ମେ ବଚନମନ୍ୟଥା ଭବିତୁଂ ବାର୍ହିତି କିନ୍ତୁ ଅଭିଜ୍ଞାନଭରଣ ଦର୍ଶନେନ ଶାପେ ନିବାର୍ତିଷ୍ୟତେ’’—ଋଷିବାକ୍ୟ ଅନ୍ୟଥା ହେବ ନାହିଁ, କିନ୍ତୁ ଚିହ୍ନସ୍ୱରୂପ କୌଣସି ଅଳଙ୍କାର ଦର୍ଶନରେ ଅଭିଶାପ ଖଣ୍ଡିତ ହେବ ।

 

ପ୍ରଣୟ ବଲ୍ଲରୀରେ—

 

‘‘ବୋଇଲେ ମହର୍ଷି ଯାକୁ ଚିନ୍ତୁଥିଲା

ଥିଲେ ତାର ନିଦର୍ଶନ

ପୂର୍ଣ୍ଣ ପରିଚୟ ପାଇବ ତାହାକୁ

କଲେ ତାହା ପ୍ରଦର୍ଶନ ।’’

 

ଆନନ୍ଦ–ଶିହରିତ ହୃଦୟରେ ସଖୀଦ୍ୱୟ ଶକୁନ୍ତଳାଙ୍କ ନିକଟକୁ ଯାଇ

 

‘‘ଦେଖିଲେ ସୁନ୍ଦରୀ ବାମକରେ ଗଣ୍ଡ

ଥୋଇ କରୁଅଛି ଧ୍ୟାନ ।’’

 

ପ୍ରିୟମ୍ୱଦା ଆଶ୍ରମକୁ ଯାଇ ଦେଖିଛନ୍ତି—‘ବାମହସ୍ତପିହିତ ବନ୍ଦନା ଆଲିଖିତା ଇବ ପ୍ରିୟସଖୀ ଭର୍ତ୍ତୃଗତୟା ଚିନ୍ତୟା’ ।

 

ସ୍ନାନାନ୍ତେ ବିଭିନ୍ନ ଆଭୂଷଣରେ ମଣ୍ଡିତ ହୋଇ ଶକୁନ୍ତଳା ଗୁରୁଜନଙ୍କ ପାଦତଳେ ପ୍ରଣାମ କରିବାରୁ—

 

‘‘ଗୌତମୀ ବୋଇଲେ, ମହାରାଣୀ–ପଦେ

ହୁଅ ବତ୍ସେ ! ଗୌରବିଣୀ

ଅନ୍ୟ କେ ବୋଇଲା,ସୀତା ପରି ହୁଅ

ମହାବୀର ପ୍ରସବିନୀ ।’’

 

ତାପସୀମାନେ ଶକୁନ୍ତଳାଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି— ‘‘ଭର୍ତ୍ତୃ ବର୍ହୁ ମାନସୂଚକ ମହାଦେବୀ ଶବ୍ଦ ଲଭସ୍ୱ ।’’ ‘‘ବୀର ପ୍ରସବିନୀ ଭବ’’ ‘‘ଭର୍ତ୍ତ୍ୱବହୁମତା ଭବ ।’’ ଗଙ୍ଗାଧର ମୂଳନାଟକର ଭାବାନୁପ୍ରାଣିତ ହେଲେହେଁ ‘‘ସୀତା ପରି ହୁଅ ମହାବୀର ପ୍ରସବିନୀ’’ କହି ଶକୁନ୍ତଳାଙ୍କ ଭବିଷ୍ୟତ ଜୀବନ ପ୍ରତି ଏକ ଶରୀର ଭାବଦ୍ୟୋତକ ଇଙ୍ଗିତ ପ୍ରଦାନ କରିଛନ୍ତି ।

 

ମ୍ନାନୋତ୍ତୀର୍ଣ୍ଣ କାଶ୍ୟପ ସୁସଜ୍ଜିତା ଶକୁନ୍ତଳାଙ୍କ ନିକଟକୁ ଆସିଛନ୍ତି । ପ୍ରିୟତମା କନ୍ୟା ଆଜି ସ୍ୱାମୀଗୃହ ଯିବେ—ଏହି ଭାବନାରେ ଜିତେନ୍ଦ୍ରିୟ ମହର୍ଷି ବ୍ୟାକୁଳ ହୋଇ କହିଛନ୍ତି—

 

‘‘ଯାସ୍ୟତ୍ୟଦ୍ୟ ଶକୁନ୍ତଳେତି ହୃଦୟଂ ସଂସ୍ପଷ୍ଟମୁତ୍‌କଣ୍ଠୟା

କଣ୍ଠ ସ୍ତମ୍ଭିତ–ବାଷ୍ପ–ବୃତ୍ତି–କଳୁଷଶ୍ଚିନ୍ତାଜଡଂ ଦର୍ଶନମ୍ ।

ବୈକ୍ଳବ୍ୟଂ ମମ ତ ବଦୀଦୃଶମହୋ ସ୍ନେହାଦରଶୋଳସଃ

ପୀଡ଼୍ୟନ୍ତେ ଗୃହିଣଃ କଥଂ ନୁତନୟା ବିଶ୍ଳେଷ ଦୁଃଖୈର୍ନବୈଃ ।’’

 

ପ୍ରଣୟବଲ୍ଲରୀରେ ମଧ୍ୟ ସେଇ ପରିବେଶର ମୁନୀନ୍ଦ୍ର କଣ୍ୱ ପ୍ରବେଶ କଣ୍ୱ ସସ୍ନେହ ଦୃଷ୍ଟିପାତରେ ଶକୁନ୍ତଳାଙ୍କୁ ଦେଖି ଭାବିଲେ ଯେ ଆଶ୍ରମ ଏଣିକି ଶକୁନ୍ତଳାହୀନ ହେବ । ଏଇ ଚିନ୍ତାରେ ମୁନିଙ୍କ ହୃଦୟ ବ୍ୟଥାରେ ବ୍ୟକୁଳ ହୋଇ ଉଠିଲା—

 

‘‘ହୃଦ ଆନ୍ଦୋଳନେ ନୟନ ଯୁଗଳେ

ଜଳ ହେଲା ଢଳ ଢଳ

ବିକମ୍ପିତ ସରେ ସ୍ୱତଃ ଆସିଥାଏ

ଜଳଦ–ଦଳକୁ ଦଳ ।

ସେହି କାଳେ ଯଦି କଥା କହିଥାନ୍ତେ

ଅଶ୍ରୁ ଯାଇଥାନ୍ତା ବହି,

ପାନ୍ଥତରୁ ଦେହେ ପଥ ଫିଟିଗଲେ

ପଥ କି ପାରଇ ରହି ?

ସମୟ ପାଇଲେ ଜୀବନେ ପ୍ରବୃତ୍ତି

ଫୁଟି ପଡ଼ିଥାଏ ଆସି

ପ୍ରବୃତ୍ତି ବର୍ଜିତ କେ ଅଛି ଜଗତେ

କି ଗୃହୀ କି ବନବାସୀ ?’’

 

ପତିଗୃହଗାମିନୀ ସଂସାର ଅନଭିଜ୍ଞ କନ୍ୟାକୁ ଉପଦେଶ ଦେଇ କଣ୍ୱ କହିଛନ୍ତି—

 

‘‘ଶୁଶ୍ରୁ ଷସ୍ୱ ଗୁରୁନ୍ କୁରୁ ପ୍ରିୟସଖୀବୃତ୍ତିଂ ସପତ୍ନୋଜନେ

ଭର୍ତ୍ତ୍ୱଦି ପ୍ରକୃତାପି ରୋଷଣତୟା ମାସୁଂ ପ୍ରତୀପଂ ଗମଃ

ଭୂୟିଷ୍ଟିଂ ଭବ ଦକ୍ଷିଣା ପରିଜନେ ଭୋଗେଷ୍ୱନୁତ୍‌ସେକିନୀ ।’’

 

କଶ୍ୟପ ଆଦର୍ଶ ବଧୂ ହେବା ପାଇଁ ପାଞ୍ଚୋଟି ଉପଦେଶ ପ୍ରଦାନ କରିଛନ୍ତି—ଗୁରୁଜନମାନଙ୍କର ସେବା କରିବା, ସପତ୍ନୀମାନଙ୍କ ସହିତ ପ୍ରିୟସଖୀ ତୁଲ୍ୟ ଆଚରଣ କରିବା, ଅପମାନିତ ହେଲେହେଁ ସ୍ୱାମୀଙ୍କର ବିରୁଦ୍ଧାଚରଣ ନ କରିବା; ପରିଜନମାନଙ୍କ ପ୍ରତି ଭାବ ପ୍ରଦର୍ଶନ କରିବା ଓ ଭୋଗରେ ଗର୍ବ ଭାବ ପୋଷଣ ନ କରିବା । କିନ୍ତୁ ଗଙ୍ଗାଧର ଦୀର୍ଘ ଉପଦେଶରେ ଜୀବନର ପ୍ରତିଟି ବିଷୟ ପ୍ରତି ତୀକ୍ଷ୍‌ଣ ଦୃଷ୍ଟି ପ୍ରଦାନ କରି ଉତ୍କଳୀୟ ବଧୂର ବୈଶିଷ୍ଟ୍ୟ ପ୍ରତିପାଦନ କରିଛନ୍ତି । କାଶ୍ୟପ କହିଛନ୍ତି—

 

‘‘ନାରୀମାନଙ୍କର ସ୍ୱାମୀଟି ଈଶ୍ୱର

ସ୍ୱାମୀଙ୍କ ଚରଣ ସ୍ୱର୍ଗ,

ଲକ୍ଷ୍ମୀ ସଦା ପତିବ୍ରତାର ସଙ୍ଗିନୀ

ସ୍ୱାମୀ–ପ୍ରୀତି ଅପବର୍ଗ ।

X X X

ସ୍ୱାମୀ ଯା କହିବେ ଦୁଷ୍କର ହେଲେହେଁ

ପାଳନେ ହେବୁ ତତ୍ପର,

ଥରେ ଯା ବାରିବେ ଆଉ ତହିଁ କେବେ

ହେବୁ ନାହିଁ ଅଗ୍ରସର ।

X X X

ସ୍ୱାମୀ ସେବା କାର୍ଯ୍ୟେନାରୀ ପ୍ରତିନିଧି

କଦାପି କରିବୁ ନାହିଁ

ବିନା ବେତନର ପରିଚାରିକାକୁ

ଘରୁ ଦେବୁ ଘଉଡ଼ାଇ ।

X X X

ବାସ ଭୂଷଣର ଗର୍ବ ନ କରିବୁ

ଅବା ତହିଁ ପାଇଁ ଅଳି

ଯାହା ଦେବେ ତୋଷେ ସନ୍ତୋଷ ଘେନିବୁ

ଜାଣିବୁ ତାହା ତୋ ଭଳି ।

X X X

ଆଉ ଯେତେ ପୁର-ନାରୀ ଥିବେ ତାଙ୍କୁ

କରିବୁ ଭଗିନୀ ଜ୍ଞାନ

ସେ କଥା କଦାପି ନ କରିବୁ ହେଳା

ହେବ ତାଙ୍କ ଅପମାନ ।

X X X

ନିଜେ ପରିଷ୍କୃତ ଥାଇ ନିଜ ଗୃହ

ରଖିଥିବାରୁ ପରିଷ୍କାର

ପରିଜନଙ୍କର ଦୁଃଖ ଶୁଣୁଥିବୁ

କରୁଥିବୁ ପ୍ରତିକାର ।’’

 

ଏହିପରି କାଳିଦାସଙ୍କ ଅଭିଜ୍ଞାନ ଶକୁନ୍ତଳମ୍‌ରେ ପ୍ରଦତ୍ତ ଉପଦେଶକୁ ଭିତ୍ତି କରି ଗଙ୍ଗାଧର ନାରୀ ଜୀବନର ସୁଶୃଙ୍ଖଳ ବିନ୍ୟାସ ପାଇଁ ବିସ୍ତୃତ ଉପଦେଶର ଅବତାରଣା କରିଛନ୍ତି । ଅଭିବ୍ୟକ୍ତିର ସୌନ୍ଦର୍ଯ୍ୟରେ ଏହା ହୃଦ୍ୟ ଓ ମନୋଜ୍ଞ ।

 

ଆଶ୍ରମ ଉପବନରେ ଆଜନ୍ମ ସହଚାରୀ ଶକୁନ୍ତଳାଙ୍କୁ ସ୍ୱାମୀଗୃହ ଯିବା ପାଇଁ ଅନୁମତି ଦେବା ନିମନ୍ତେ ତରୁଲତାଙ୍କୁ କଣ୍ୱ ବାଷ୍ପ ଗଦ୍‌ଗଦ କଣ୍ଠରେ କହିଛନ୍ତି—

 

‘‘ଜଳପାନ କରୁ ନ ଥିଲା ଯେ ଆଗେ

ତୁମ୍ଭଙ୍କୁ ନ ଦେଇ ଜଳ,

ହେଉଥିଲା ତୁମ୍ଭ ଅଙ୍ଗେ ନବ ପୁଷ୍ପ

ଦେଖିଲେ ମୁଦେ ବିହ୍ୱଳ ।

ତହିଁ ପାଇଁ ସଖୀବୃନ୍ଦ ଘେନି କେତେ

କରୁଥିଲା ମହୋତ୍ସବ,

କେତେ ଯତନରେ ରଖୁଥିଲା ତୁମ୍ଭ

ନୈସର୍ଗିକ ସଉଷ୍ଠବ ।

 

ଭୂଷଣ ରଙ୍କୁଣୀ ହୋଇ ଯେ ତୁମ୍ଭର

ଅଙ୍ଗଭଙ୍ଗ ହେବ ଜାଣି,

କେବେହେଁ ତୁମ୍ଭର ପଲ୍ଲବ ଛେଦନେ

ବଢ଼ାଇ ନ ଥାଏ ପାଣି,

 

ତୁମ୍ଭେମାନେ ଏବେ ପ୍ରସନ୍ନ ଭାବରେ

କର ଅନୁମତି ଦାନ

ମଧୁମୟ ଶୁଭ-ମୟ ହେଉ ସେହି

ଶକୁନ୍ତଳାର ପ୍ରସ୍ଥାନ ।’’

 

ଏହି ପଦଗୁଡ଼ିକରେ କାଳିଦାସୀୟ ଭାବ ଓ ଭାଷା ସ୍ପଷ୍ଟତଃ ପରିଲକ୍ଷିତ ହୁଏ—

 

‘‘ପାତୁଂ ନ ପ୍ରଥମଂ ବ୍ୟବସ୍ୟତି ଜଳଂ ଯୁକ୍ଷ୍ମାସ୍ୱପିତେଷୁ ଯା ।

ନାଦତ୍ତେ ପ୍ରିୟମଣ୍ଡନାଽପି ଭବତାଂ ସ୍ନେହେନ ଯା ପଲ୍ଲବମ୍‌ ।

ଆଦ୍ୟେ ବଃ କୁସୁମପ୍ରସୂତିସମୟେ ସସ୍ୟା ଭବତ୍ୟୁତ୍‌ସବଃ

ସେୟଂ ଯାତି ଶକୁନ୍ତଳା ପତିଗୃହଂ ସର୍ବେରନୁଜ୍ଞାୟତାମ୍ ।’’

 

ଆଶ୍ରମ ଅଭିମୁଖୀ ହୋଇ ଶକୁନ୍ତଳା କାଶ୍ୟପଙ୍କୁ ଜିଜ୍ଞାସା କରିଛନ୍ତି–ପିତା, ପୁଣି କେବେ ଆସି ଏହି ତପୋବନ ଦେଖିବି ?

 

ଦୂରଦର୍ଶୀ ପିତା ସସ୍ନେହରେ ଉତ୍ତର ଦେଇଛନ୍ତି—

 

‘‘ଭୁତ୍ତ୍ୱା ଚିରୟା ଚତୁରନ୍ତମହୀ ସପତ୍ନୀ

ଦୌଷ୍ୟନ୍ତିମ ପ୍ରତିରଥଂ ତନୟଂ ନିବେଶ୍ୟ

ଭର୍ତ୍ତା ତଦପତକୁଟମ୍ୱଭରେଣ ସାର୍ଦ୍ଧ-

ଶାନ୍ତେ କରିଷ୍ୟସି ପଦଂ ପୁନରାଶ୍ରମେଽସ୍ମିନ୍ ।’’

 

ଗଙ୍ଗାଧର ଏହି ଭାବଧାରାକୁ ଅନୁସରଣ କରି ଲେଖିଛନ୍ତି—

 

‘‘ମହର୍ଷି ବୋଇଲେ ଯେ କାଳେ ଶୋଭିବ

ତୋପୁତ୍ର ମସ୍ତକେ ଛତି,

ସେହି ଛତ୍ର–ଛାୟା-ତିଳେ ସ୍ନଗ୍‌ଧ ହେବ

ସସାଗରା ବସୁମତୀ ।

ତୋ ପତି ଏ ବନେ ବାନପ୍ରସ୍ଥ ରୂପେ

ହେବେ ମୋକ୍ଷ–ଅଭିଳାଷୀ

ମୋଷ ପାଇଁ ତୁହି ତାଙ୍କ–ପଦ–ସେବା

କରିବୁ ଏ ବନେ ଆସି ।’’

 

ପତିଗୃହଗାମିନୀ ଶକୁନ୍ତଳାଙ୍କ ଅନ୍ତରରେ ପ୍ରଣୟ–ସୌରଭ କ୍ରମେ ବିସ୍ଫାରିତ ହୋଇ ତାଙ୍କର ପଥଶ୍ରମର କ୍ଳାନ୍ତିକୁ ଦୂରୀଭୂତ କଲା । ଗଙ୍ଗାଧରଙ୍କ ଏ କଳ୍ପନା ସଂପୂର୍ଣ୍ଣ ନିଜସ୍ୱ ।

 

କାଳିଦାସଙ୍କ ବହୁଖ୍ୟାତି ନାଟକର ପଞ୍ଚମ ଅଙ୍କରେ ରାଜା ଓ ବିଦୁଷକ ପ୍ରବେଶ କରିଛନ୍ତି ଓ ଶୂନ୍ୟରୁ ଭାସି ଭାସି ଆସୁଥିବା ସଙ୍ଗୀତ ପ୍ରତି ରାଜା ଆକୃଷ୍ଟ ହୋଇଛନ୍ତି । ରାଜାଙ୍କ ହୃଦୟରେ ଅଜ୍ଞାତ ଦୁଃଖର ସଞ୍ଚାର ହୋଇଛି ଅଙ୍କର ଶେଷଭାଗରେ । ଶକୁନ୍ତଳାଙ୍କ ଆକସ୍ମିକ ଅନ୍ତର୍ଦ୍ଧାନରେ ରାଜା ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି ଓ ତାଙ୍କର ପୀଡ଼ିତ ବ୍ୟାକୁଳ ଅନ୍ତରରେ ଶକୁନ୍ତଳାଙ୍କ କଥା ବିଶ୍ୱାସ ଉତ୍‌ଥାପନ କରିଛି–ଯଦିଓ ସେ ଅତୀତର ସବୁ ଘଟଣା ବିସ୍ମୃତ ହୋଇଛନ୍ତି । ସଂଗୀତ ଝଙ୍କାରରେ ବିଚଳିତ ରାଜାଙ୍କ ସମକ୍ଷରେ ପ୍ରତିହାରୀ ଶକୁନ୍ତଳା ଓ ଋଷିକୁମାରୀଙ୍କ ଆଗମନ ସମ୍ୱାଦ ଜଣାଇଛି । ରାଜା ଅଗ୍ନି ଗୃହରେ ତାଙ୍କ ସହିତ ସାକ୍ଷାତ କରିଛନ୍ତି ଓ ଶକୁନ୍ତଳାଙ୍କ ସୌନ୍ଦର୍ଯ୍ୟରେ ଅଭିଭୂତ ହୋଇ ଭାବିଛନ୍ତି—

 

‘କେୟମବଗୁଣ୍ଠନବତୀ ନାତି ପରିସ୍ଫୁଟ ଶରୀରଲାବଣ୍ୟା

ମଧ୍ୟେ ତପୋଧନାନାଂ କିଶଳୟମିବ ପାଣ୍ଡୁ ପନ୍ତ୍ରାଣାମ୍‌ ।’’ (୫।୧୨)

 

-ଜୀର୍ଣ୍ଣ ପତ୍ର ମଧ୍ୟରେ ନବପଲ୍ଲବ ପରି ଶୋଭା ପାଉଥିବା ଏ ନାରୀ କିଏ ? ଅବଗୁଣ୍ଠନବତୀ ହୋଇଥିବାରୁ ଏହାଙ୍କ ଶରୀର ସୌନ୍ଦର୍ଯ୍ୟ ପ୍ରକାଶ ପାଉନାହିଁ ।

 

ସିଂହାସନାରୂଢ଼ ହସ୍ତିନାଧିପତିଙ୍କ ପ୍ରଶସ୍ତିରେ ଗଙ୍ଗାଧରଙ୍କ ପଞ୍ଚମ ସର୍ଗ ଆନନ୍ଦ ମୁଖରିତ-। ଲୋକପାଳକ ସୁଶାସକ ଦୁଷ୍ମନ୍ତଙ୍କ ସଭାଗୃହ ସମ୍ମୁଖରେ ଦଣ୍ଡାୟମାନ ହୋଇ ପ୍ରତିହାରୀ ନିବେଦନ କରିଛି—

 

‘‘ତାପସଙ୍କ ମଧ୍ୟେ ତରୁଣୀର ରୂପ

ଦିଶୁଛି ଲାବଣ୍ୟମୟ

ପାଣ୍ଡୁର ପତରମଧ୍ୟେ ମନୋରମ

ଯଥା ନବ କିଶଳୟ ।’’

 

ପ୍ରତିହାରୀ ମୁଖରେ ପ୍ରକାଶ୍ୟ ସଭାଗୃହରେ ପର ସ୍ତ୍ରୀର ସୌନ୍ଦର୍ଯ୍ୟ ସମ୍ୱନ୍ଧରେ ଏପରି ମନ୍ତବ୍ୟ ରୁଚି ବିଗର୍ହିତ । କାଳିଦାସଙ୍କ ବିଷୟ ବିନ୍ୟାସ ସଂଯତ ରୁଚିର ପରିଚାୟକ ।

 

ଶାର୍ଙ୍ଗରବଙ୍କ ମୁଖରେ କଣ୍ୱ ବାର୍ତ୍ତା ପ୍ରେରଣ କରିଛନ୍ତି—

 

‘‘ତ୍ୱମର୍ହତା ପ୍ରାଗ୍ରସରଃ ସ୍ମୃତେଽସି ନଃ

ଶକୁନ୍ତଳା ମୂର୍ତ୍ତିମତୀ ଚ ସତ୍‌କ୍ରିୟା

ସମନୟଂ ସ୍ତୁଲ୍ୟଗୁଣଂ ବଧୂବରଂ

ଚିରସ୍ୟ ବାତ୍ୟଂ ନ ଗତଃ ପ୍ରଜାପତିଃ ।’’

 

ଗଙ୍ଗାଧରଙ୍କ କଣ୍ୱ ପାରଂପାରିକ ରୀତିରେ ରାଜାଙ୍କ ସକାଶେ ପତ୍ର ପ୍ରେରଣ କରିଛନ୍ତି କିନ୍ତୁ ପତ୍ରର କଥାବସ୍ତୁର ଉଲ୍ଲେଖ ଗଙ୍ଗାଧର କୌଣସି ସ୍ଥଳରେ କରି ନାହାନ୍ତି । କେବଳ ଦୁଷ୍ମନ୍ତଙ୍କ ମୁଖରେ ପ୍ରକାଶ ପାଇଛି—

 

ବୋଇଲେ ତାପସକୁମାର ପଠନେ

ବୁଝିଲ ପତ୍ରିକା ମର୍ମ,

ଯାହା ଦେଖିଛନ୍ତି ମୁନି ତାହା ମୋର

ଧର୍ମ ନୁହେଁ, ନୁହେଁ କର୍ମ ।

 

ଏ ନାରୀ ସହିତ କେବେ କାହିଁ ମୋର

ହୋଇ ନାହିଁ ପରିଣୟ,

ପୁରୁବଂଶୀ ଆଗେ ଦେଖାଗଲା ଆଜି

ଅଭିନବ ଅଭିନୟ ।

 

ଯଦି ଗର୍ଭବତୀ ନ ଥାନ୍ତା ଯୁବତୀ

ନୋହିଥାନ୍ତା ବିବାହିତା,

ତେବେ ମହର୍ଷିଙ୍କ ଆଦେଶ ପାଳନେ

ନ ଥିଲା ମୋ କିଛି ଚିନ୍ତା ।’’

 

କାଳିଦାସଙ୍କ ଦୁଷ୍ମନ୍ତ ଶାର୍ଙ୍ଗରବକୁ କହିଛନ୍ତି–ଭୋଃ ତପୋଧନାଃ ଚିନ୍ତୟନ୍ନିପିନଖଳୁ ସ୍ୱୀକରାଣମନ୍ତ୍ରଭବତ୍ୟା ସ୍ଵରାମି । ତତ୍‌ କଥମିମାମିଭିବ୍ୟକ୍ତ ସତ୍ତ୍ୱଲକ୍ଷନାଂ ପ୍ରତ୍ୟାତ୍ମାନ କ୍ଷେତ୍ରିୟମାଶଙ୍କମାନଃ ପ୍ରହ୍ମପତ୍‌ସ୍ୟେ ।’’

 

ଏଇମିତି ଗଙ୍ଗାଧର କାଳିଦାସଙ୍କ ରଚନାରୁ ଅତି କୁଶଳତା ସହକାରେ ଭାବ ସଂଗ୍ରହ କରି କାବ୍ୟିକ ସୋନ୍ଦର୍ଯ୍ୟ ପରିପୃଷ୍ଟି ସାଧନ କରିଛନ୍ତି । କାଳିଦାସଙ୍କର ଅନୁଗାମୀ ହେଲେହେଁ ନିଜର ମୌଳିକ ରସ ସୌନ୍ଦର୍ଯ୍ୟରେ କାବ୍ୟର ପ୍ରାଣରେ ନୂତନ ସ୍ପନ୍ଦନ ସଞ୍ଚାର କରିଛନ୍ତି ।

 

କାଳିଦାସ ଯେଉଁଠି, କହିଛନ୍ତି ଯେ ଗୋଟିଏ ଆଲୋକ ମୂର୍ତ୍ତି ଶକୁନ୍ତଳାଙ୍କୁ ଉତ୍ତୋଳନ କରି ଅପ୍‌ସରାତୀର୍ଥ ଆଡ଼କୁ ନେଇଗଲା ସେଠି ଗଙ୍ଗାଧର କହିଛନ୍ତି—

 

‘‘କିଛି ଦୂର ଯାଉଁପଥେ ଉଭା ହୋଇ

ଅପୂର୍ବ ଏକ ସୁନ୍ଦରୀ

‘ଆସ ବତ୍ସେ’ ଆସମୋ ପୁରକୁ ବୋଲି

ନେଲା ବାଲା–କର ଧରି ।’’

 

କାଳିଦାସ ସୃଷ୍ଟି କରିଛନ୍ତି ନାଟକୀୟ ଉତ୍କଣ୍ଠା–ଗଙ୍ଗାଧର ତାକୁ ମାଧୁର୍ଯ୍ୟରେ ରସାଣିତ କରିଛନ୍ତି । ପ୍ରଣୟପୁଷ୍ପ କୀଟଦ୍ରଂଷ୍ଟ ହେବା କଥା ରାଜା ଜାଣିପାରିଲେ ନାହିଁ ।

 

ଅଭିଜ୍ଞାନର ଷଷ୍ଠ ଅଙ୍କ ରାଜାଙ୍କ ନାମାଙ୍କିତ ମୁଦ୍ରିକା ପ୍ରାପ୍ତିରେ ଆରମ୍ଭ ଓ ଦୁଷ୍ମନ୍ତ ଅଭିଜ୍ଞାନ ଅର୍ଥାତ୍ ମୃତ ଚିହ୍ନ ଦର୍ଶନରେ ଅଭିଶାପ ମୁକ୍ତ ହୋଇ ଅତୀତ ଘଟଣା ସ୍ମରଣ କରି ଦୁଃଖ ଓ ଅନୁତାପରେ ରାଜ୍ୟରେ ବସନ୍ତ ଉତ୍ସବ ପାଳନ ପାଇଁ ନିଷେଧାଜ୍ଞ ପ୍ରଦାନ କରିଛନ୍ତି । ଏହି ଅଙ୍କର ପରିସମାପ୍ତି ଇନ୍ଦ୍ର ପ୍ରେରିତ ମାଳତି ସହ ରାଜାଙ୍କର ରଥ ରୋହଣ ପୂର୍ବକ ଯୁଦ୍ଧ ଉଦ୍ଦେଶ୍ୟରେ ସ୍ୱର୍ଗ ଅଭିମୁଖେ ଯାତ୍ରାର ପ୍ରସ୍ତୁତିରେ ।

 

ପ୍ରକୃତି କବି ଗଙ୍ଗାଧର ବସନ୍ତ ଋତୁରେ ବର୍ଣ୍ଣନାରେ ଷଷ୍ଠ ସର୍ଗର ଆରମ୍ଭ କରିଛନ୍ତି । ବସନ୍ତ ମାଧୁରୀ ଦର୍ଶନ ଅଭିଳାଷୀ ରାଜା ନଦୀତଟରେ ଭ୍ରମଣ କାଳରେ ସୁନ୍ଦରୀର ମଧୁର ସଂଗୀତ ଶ୍ରବଣ କରି ଓ ପିତାପୁତ୍ରର ସ୍ନେହ ବନ୍ଧନ ଦର୍ଶନ କରି ମଧୁମାସର ସୌନ୍ଦର୍ଯ୍ୟକୁ ନୀରସ ଜ୍ଞାନ କଲେ-। ବିସ୍ମୃତ ସ୍ମୃତିରେ ବ୍ୟାକୁଳ ଦହନରେ ରାଜାପ୍ରାଣ ଯେତେବେଳେ ଅସ୍ଥିର ସେତିକିବେଳେ ନଗର ରକ୍ଷକ ରାଜାଙ୍କୁ ମୁଦ୍ରିକା ପ୍ରଦାନ କରିଛି ।

 

ମୁଦ୍ରିକାକୁ ଦେଖି ରାଜା କହିଛନ୍ତି–‘‘ଅୟେ ଇହଂ ତାବଦ ସୁଲଭ–ସ୍ଥାନଭ୍ରଂଶି ଶୋଚନୀୟମ୍’’—

 

‘‘ତବ ସୁଚରିତମଙ୍ଗୁଲୀୟ ନୂନଂ ପ୍ରତନୁ ମମେବ ବିଭାବ୍ୟତେ ଫଳେନ । ଅରୁଣ–ନଖ–ମନୋରାମାସୁ ତସ୍ୟାଶ୍ଚ୍ୟୁତମସି ଲବ୍‌ଧ–ପଦଂ ଯଦ୍‌ଙ୍ଗୁଲିକ୍ଷୁ ।’’

 

-ହାୟ, ଅତି ଦୁର୍ଲଭ ସ୍ଥାନରୁ ସ୍ଖଳିତ ହୋଇ ଏହା ଦୟାର ପାତ୍ର ହୋଇଛି । ହେ ଅଙ୍ଗୁରୀୟ ! ମୋର ପୁଣ୍ୟ ପରି ତୁମର ପୁଣ୍ୟ ବୋଧହୁଏ କ୍ଷୟ ପାଇଛି । ପୁଣ୍ୟ ଫଳରୁ ଶକୁନ୍ତଳାର ଅଙ୍ଗୁଳିରେ ସ୍ଥାନ ଲାଭ କରିଥିଲା । ପୁଣ୍ୟ ବଳ କ୍ଷୟ ହେବାରୁ ତାର ସେଇ ଆଦକ୍ତ ନଖଯୁକ୍ତ ସୁନ୍ଦର ଅଙ୍ଗୁଷ୍ଠିରେ ସ୍ଥାନ ପାଇ ବି ସ୍ଖଳିତ ହୋଇ ପଡ଼ିଛି ।

 

କାଳିଦାସଙ୍କର ଏହି ଭାବକୁ ଆଶ୍ରୟ କରି ଗଙ୍ଗାଧର ରଚନା କରିଛନ୍ତି—

 

‘‘ସଜଳ ନୟନେ ଅଙ୍ଗୁରୀୟ ଚାହିଁ

ମଧୁର ଭତ୍ସନା କରି,

ବୋଇଲେ, ହା ହତ-ଭାଗ୍ୟ ଅଙ୍ଗୁରୀୟ

ଥିଲୁ ଖଣ୍ଡତପ କରି ।

ଯେଉଁ ପୁଣ୍ୟବଳେ ଥିଲୁ ସୁନ୍ଦରୀର

ସୁନ୍ଦର କର ପଲ୍ଲବେ,

ସେହି ପୁଣ୍ୟକ୍ଷୟହୋଇଯିବା ବେଳୁ

ରହି ନ ପାରିଲୁ ଭବେ ।’’

 

ଶକୁନ୍ତଳାଙ୍କ ଅସମାପ୍ତ ଚିତ୍ରପଟ ଦର୍ଶନରେ ରାଜାଙ୍କ ହୃଦୟରେ କାଳିଦାସ ଏକ ଜୀବନ୍ତ ଅନୁଭୁତ ସଞ୍ଚାର କରିଛନ୍ତି–ନିର୍ଜୀବ ଚିତ୍ର ସଜୀବ ରୂପ ଧାରଣ କରି ରାଜା ହୃଦୟରେ ପ୍ରଗାଢ଼ ପ୍ରେମାନୁରାଗ ସୃଷ୍ଟି କରିଛି । ଗଙ୍ଗାଧର ଦୁଷ୍ମନ୍ତଙ୍କ ଅନ୍ତରରେ ଅନୁରୂପ ଭାବ ସୃଷ୍ଟି କଲେହେଁ ମୂଳ ନାଟକର ଅନୁସରଣ କରିନାହାନ୍ତି । ଗଙ୍ଗାଧରଙ୍କ ବର୍ଣ୍ଣନାରେ—

 

‘‘ସୁନ୍ଦରୀର ଚିତ୍ରଥିଲା ଯେଉଁ କକ୍ଷେ

ତହିଁ କି କରି ଗମନ

ଚିତ୍ର ଧରି କରେଲଗାଇ ବକ୍ଷରେ

ବଦନେ ଦେଲେ ଚୁମ୍ୱନ ।

X X X

ପୁନଃ ପୁନଃ ତାହାଅନାଇ ନୃପଙ୍କ

ଦୃଷ୍ଟି ଶକ୍ତି ହେଲା ହ୍ରାସ,

ହୃଦୟରେ ହେଲା ତପୋବନ ସହ

ବାମା ମୂର୍ତ୍ତି ପରକାଶ ।’’

 

ମିଳନରେ ପ୍ରଣୟ ଫଳ ଯେତିକି ଉପଭୋଗ୍ୟ, ମଧୁର, ବିରହରେ ତାହା ସେତିକି ତିକ୍ତ ବେଦନାଦାୟକ । କବିର ଏଇ ଦାର୍ଶନିକ ଦୃଷ୍ଟିଭଙ୍ଗୀ ଷଷ୍ଠ ସର୍ଗର ମହତ୍ତ୍ୱ ସମ୍ପାଦନ ସହାୟକ ।

 

ଅଭିଜ୍ଞାନ–ଶକୁନ୍ତଳମ୍‌ର ସପ୍ତମ ଅଙ୍କରେ ଦୁଷ୍ମନ୍ତ ସ୍ୱର୍ଗର ଦାନବ ଯୁଦ୍ଧରେ ଜୟଲାଭ କରି ଓ ଇନ୍ଦ୍ରଙ୍କଦ୍ୱାରା ସମ୍ୱର୍ଦ୍ଧିତ ହୋଇ ଇନ୍ଦ୍ରଙ୍କ ଦେବ ରଥରେ ମର୍ତ୍ତ୍ୟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଇନ୍ଦ୍ର ଦେବଗଣଙ୍କ ଉପସ୍ଥିତିରେ ନିଜ ସିଂହାସନର ଏକାଂଶରେ ଦୁଷ୍ମନ୍ତଙ୍କୁ ବସାଇ ନିଜ କଣ୍ଠର ହରିଚନ୍ଦନ ବିଲିପ୍ତ ମନ୍ଦାରମାଳା ତାଙ୍କ କଣ୍ଠରେ ପିନ୍ଧାଇଦେଲେ । କାଳିଦାସଙ୍କ ଭାଷାରେ—

 

‘‘ଅନ୍ତର୍ଗତ–ପ୍ରାର୍ଥନମନ୍ତିକସ୍ଥଂ ଜୟନ୍ତମୁଦ୍ୱୀକ୍ଷ୍ୟ କୃତସ୍ମିତେନ ।

ଅମୃଗ–ବକ୍ଷୋ–ହରିଚନ୍ଦନାଙ୍କା ମନ୍ଦାରମାଳା ହରିଣା ପିନଦ୍ଧା ।’’

 

ଗଙ୍ଗାଧର ଲେଖିଛନ୍ତି—

 

‘‘ଜୟନ୍ତଙ୍କୁ କୋଳୁଓହ୍ଲାଇ ବାସବ

ଦୁଷ୍ମନ୍ତଙ୍କୁ କଲେ କୋଳ,

ନିଜ ବକ୍ଷ–ହାରଦେଲେ ତାଙ୍କ ବକ୍ଷେ

ମହାନନ୍ଦେ ହୋଇ ଭୋଳ ।’’

 

ଗଙ୍ଗାଧର କାଳିଦାସଙ୍କ ଭାବ ସୌନ୍ଦର୍ଯ୍ୟରେ ବହୁ ସ୍ଥଳରେ ଅନୁପ୍ରାଣିତ ହେଲେହେଁ ସପ୍ତମ ସର୍ଗର ଆରମ୍ଭ ଦୁଷ୍ମନ୍ତଙ୍କର ସ୍ୱର୍ଗକୁ ଯୁଦ୍ଧ ଯାତ୍ରାର କାରଣ ଦର୍ଶାଇ ଅପୂର୍ବ ସୁନ୍ଦର ପରିବେଶ ରଚନା କରିଛନ୍ତି ।

 

ହେମକୂଟ ପର୍ବତର ସୌନ୍ଦର୍ଯ୍ୟରେ ଆକୃଷ୍ଟ ହୋଇ ଓ କଶ୍ୟପଙ୍କ ଚରଣ ବନ୍ଦନା ଅଭିପ୍ରାୟରେ ରାଜା ରଥରୁ ଅବତରଣ କଲେ ଓ ‘‘ଦେଖିଲେ ସ୍ୱପନଗଗନେ ଯେସନେ

 

ଭୁତଳେ ତେସନ ଚଳେ

ଚିତ୍ର ନ ପଶଇ ଧୂଳିବାଲି ମଧ୍ୟେ

ନ ନାଚେ ଅସମତଳେ,

ଚଳେ ଯଥା ହଂସଅବାତ–କମ୍ପିତ

ଗଭୀର–ସାରସୀ–ଜଳେ ।

ତହିଁ ଲାଗି ନୃପସାରଥି ବଦନ

ଅନାଇଲେ ଚମତ୍କାରେ

ସୁରେଶ–ନରେଶରଥ–ତାରତମ୍ୟ

ଜ୍ଞାତ ହେଲେ ସେହିଠାରେ ।’’

 

ଦୁଷ୍ମନ୍ତ କହିଛନ୍ତି—

 

‘‘ଉପୋଢ଼–ଶ୍ରଦ୍ଧା ନ ରଥାଙ୍ଗ ନେମୟଃ

ପ୍ରବର୍ତ୍ତମାନଂ ନ ଚ ଦୃଶ୍ୟତେ ରଜଃ

ଅଭୁତଳ–ସ୍ପର୍ଶତୟା ନିରୁଦ୍ଧତି

ସ୍ତବାବତୀର୍ଣ୍ଣୋହପି ରଥୋ ନ ଲକ୍ଷ୍ୟତେ ।’’

 

ମାତଳି ଉତ୍ତର ଦେଇଛି—

 

‘‘ଏତାବାନେବ ଶତତ୍ରତୋରାୟଷୁତଶ୍ଚ ବିଶେଷଃ’’ ।

-ଦେବରାଜ ଇନ୍ଦ୍ର ଓ ଆପଣଙ୍କ ରଥ ମଧ୍ୟରେ ଏହା ହିଁ ପାର୍ଥକ୍ୟ ।

 

ମାରୀଚଙ୍କ ଆଶ୍ରମ ପ୍ରତି ଦୃଷ୍ଟିପାତ କରି ଦୁଷ୍ମନ୍ତ ଦେଖିଲେ—

 

‘‘ଅଦୁରେ ଦେଖିଲେ ମୁନି ଏକ ଛନ୍ତି

ନିଶ୍ଚଳ ଅଚଳ ରୂପେ

ପାଦୁଁ କଟିଯାଏ ତାହାଙ୍କ ମଜ୍ଜିତ

ହୋଇଛି ବଲ୍ମୀକ–ସ୍ତୂପେ

ବିଷଧର–ଚର୍ମ ଉପବୀତ ସହ

ହୋଇଅଛି ଉପବୀତ

ଜୀର୍ଣ୍ଣ–ଲତା–ଜାଲବେଢ଼ି କଣ୍ଠଦେଖ

କରୁଅଛି ନିପୀଡ଼ିତ ।

ରବି–ଅଭିମୁଖୀ ହୋଇ ସ୍ଥାଣୁ ପରି

ରହିଛନ୍ତି ମୁନିବର,

ସ୍କନ୍ଧ ବିଲମ୍ୱିତଜଟା–ମଣ୍ଡଳରେ

ପକ୍ଷୀ କରିଛନ୍ତି ଘର ।’’

 

ମୂଳ ନାଟକରେ ତପସ୍ୟା ନିରତ ଋଷିଙ୍କ ବର୍ଣ୍ଣନା: —

 

‘‘ବଲ୍ମୀ କାର୍ଦ୍ଧ–ନିମଗ୍ନ–ମୂର୍ତ୍ତିରୁରସା ସନ୍ଦଷ୍ଟ–ସର୍ପତ୍ୱଚା

କଣ୍ଠେ ଜୀର୍ଣ୍ଣ–ଲତ–ପ୍ରତାନ–ବଳୟେନାତ୍ୟର୍ଥ ସଂପୀଡ଼ିତଃ

ଅସଂବ୍ୟାପି ଶକୁନ୍ତନୀଡ଼ନିଚିତଂ ବିଭ୍ରଜ୍‌ଜଟାମଣ୍ଡଳଂ

ଯତ୍ର ସ୍ଥାଣୁରିବାଚଳୋ ମୁନିରସା ବଭ୍ୟର୍କବିମ୍ୱଂ ସ୍ଥିତଃ ।’’

 

ମାତଳି କଶ୍ୟପଙ୍କୁ ସମ୍ୱାଦ ଦେବା ପାଇଁ ଯିବା ଅବକାଶରେ କାନନ ସୌନ୍ଦର୍ଯ୍ୟରେ ମୋହବିଷ୍ଟ ରାଜା ହଠାତ୍‌ ଶୁଣିଛନ୍ତି—

 

‘ଛାଡ଼ ଛାଡ଼ ଦୁଷ୍ଟ ଛାଡ଼ରେ’ ଶବଦ—

 

ମୁଳ ନାଟକରେ ଅଶୋକ ତରୁତଳେ ପ୍ରତୀୟମାନ ରାଜାଙ୍କ ଭାବନାକୁ ବ୍ୟବହାର କରି ଅନ୍ତରାଳରୁ ଶୁଭୁଛଅଛି—

 

‘‘ମା ଖଳୁ ଚାପଲଂ କୁରୁ, କଥଂ ଗତ ଏବ ଆତ୍ମନଃ ପ୍ରକୃତିମ୍‌ ।’’

 

ପରବର୍ତ୍ତୀ ଘଟଣା କାଳିଦାସଙ୍କ ବର୍ଣ୍ଣିତ ବିଷୟର ଏକ ନିପୁଣ ପ୍ରତିବିମ୍ୱ । ‘ଶକୁନ୍ତ—ଲାବଣ୍ୟ ପ୍ରେଯସ୍ୱ’—ମୁନିକୁମାରୀଙ୍କ ଉକ୍ତିକୁ ‘ଶକୁନ୍ତଳା ଦେଖ’ ଅର୍ଥରେ ଗ୍ରହଣ କରି ଜନନୀ ଦର୍ଶନ ପାଇଁ ସର୍ବଦମନର ବ୍ୟଗ୍ରତା, ଦୁଷ୍ମନ୍ତଙ୍କର ରକ୍ଷାକବଚ ‘ଅପରାଜିତା’ ସ୍ପର୍ଶ କରିବା, ସର୍ବଦମନ ତାର ପିତା ‘ଦୁଷ୍ମନ୍ତ’ ବୋଲଇ ସ୍ୱୀକାର କରିବା, କଶ୍ୟପ ରାଜାଙ୍କୁ ଦୁର୍ବାସାଙ୍କ ଅଭିଶାପ ହେତୁ ତାଙ୍କର ପତ୍ନୀବିଚ୍ଛେଦ ହୋଇଥିବା ସମ୍ୱାଦ ଦାନ ଓ ଶେଷରେ ସୁଖରେ ରାଜ୍ୟ ପାଳନ ପାଇଁ ମାରୀଚଙ୍କର ଆଶୀର୍ବାଦ ଲାଭ—କାଳିଦାସଙ୍କ ଅନୂବର୍ତ୍ତୀ ହୋଇ ମେହେର ରଚନା କଲେହେଁ ପ୍ରତ୍ୟେକ ବିଷୟ ନିଜର ମୌଳିକ ଦୃଷ୍ଟିଭଙ୍ଗୀର ସ୍ୱାକ୍ଷର ରଖିଯାଇଛନ୍ତି । ଅଧିକନ୍ତୁ କାଳିଦାସଙ୍କଠାରୁ ଆଉ ପାଦେ ଅଗ୍ରସର ହୋଇ ଗଙ୍ଗାଧର ଇନ୍ଦ୍ରଙ୍କ ରଥରେ ହସ୍ତିନା ନଗରରେ ଦୁଷ୍ମନ୍ତଙ୍କୁ ଉପନୀତ କରାଇଛନ୍ତି । ଶକୁନ୍ତଳା ହେଲେ ପଟ୍ଟମହିଷୀ, ସର୍ବଦମନ ହେଲେ ଯୁବରାଜ—ଆଉ ବହୁ ଦୁଃଖ ତାପିତ ଜୀବନ ମଧ୍ୟ ଦେଇ ଶେଷରେ ପ୍ରଣୟ–ଛାୟା ତଳେ ଦୁଷ୍ମନ୍ତ ଶକୁନ୍ତଳାଙ୍କ ପ୍ରେମ ସ୍ନିଗ୍‌ଧ ଜୀବନ ଯାପିତ ହେଲା ।

 

ଉପରୋକ୍ତ ଆଲୋଚନା କହେ ଗଙ୍ଗାଧରଙ୍କ କାବ୍ୟ ସୌନ୍ଦର୍ଯ୍ୟ କାଳିଦାସଙ୍କ ଅମଳିନ ପ୍ରତିଭା ସ୍ପର୍ଶରେ ଉର୍ଚ୍ଛସ୍ୱଳ କିନ୍ତୁ କଥାବସ୍ତୁ ଓ ଚରିତ୍ର ଅବତାରଣାରେ ଗଙ୍ଗାଧରଙ୍କ ସୃଷ୍ଟି ପରିକଳ୍ପନା ବହୁଳ ଭାବରେ କାଳିଦାସଙ୍କ ନାଟକର ଅନୁବର୍ତ୍ତୀ ହେଲେହେଁ ଘଟଣା ସଂସ୍ଥାନ, ଚରିତ୍ର ଚିତ୍ରଣ ଓ ପ୍ରକୃତି ବର୍ଣ୍ଣନାରେ ସ୍ୱକୀୟ ଭାବଛଟାରେ ହାସ୍ୟଦୀପ୍ତ । ପ୍ରଣୟବଲ୍ଲରୀ କାଳିଦାସଙ୍କ କଳ୍ପନା ଓ ଚଗଙ୍ଗାଧରଙ୍କ ଭାବ ମାଧୁରୀର ଏକ ଶୋଭନ ସମନ୍ୱୟ ।

☆☆☆

 

Unknown

ଚରିତ୍ର ଚିତ୍ରଣ

 

ଆଧୁନିକ ଯୁଗର ଶିଳ୍ପୀ ପୁରୁଷ କବିବର ରାଧାନାଥ ଓଡ଼ିଆ ସାହିତ୍ୟରେ ସୌନ୍ଦର୍ଯ୍ୟର ଯେଉଁ ମନୋଜ୍ଞ କାବ୍ୟ—କୋଣାର୍କ ନିର୍ମାଣ କରି ଗଲେ, ସେଥିରେ ପ୍ରକୃତିର ଗୁରୁଚିତ୍ରଶାଳିକା ରଚନାରେ ଅପ୍ରତିଦ୍ୱନ୍ଦୀ ହେଲେହେଁ ମାନବ ଚରିତ୍ରର ମନ—ମନ୍ଦିରର ରହସ୍ୟ ଉନ୍ମୋଚନରେ ଗୌରବ ଦୀପ୍ତ ହୋଇ ପାରି ନଥିଲେ । ଅଧିକନ୍ତୁ କେଦାର, ସୂର୍ଯ୍ୟ, ଜୟନ୍ତ, ଚୋରଗଙ୍ଗ, ଗଙ୍ଗେଶ୍ୱର, ଯଯାତି ପ୍ରମୁଖ ନାୟକ ଓ ଗୌରୀ, ଚନ୍ଦ୍ରଭାଗା, ଉଷା ନନ୍ଦିକା, କୌଶଲ୍ୟା, ଲଳିତା ପ୍ରଭୃତି ନାୟିକାଗଣ—ହୃଦୟ ଉଲ୍ଲାସକାରୀ ପ୍ରଣୟର ଆନନ୍ଦ ମଧୁର ସ୍ୱରୂପ, କିନ୍ତୁ ହୃଦୟହାରିଣୀ ଶିବସୁନ୍ଦର ଆଦର୍ଶ ନାରୀ ପୁରୁଷର ମୂର୍ତ୍ତି ନୁହନ୍ତି । ପ୍ରାକୃତିକ ସୌନ୍ଦର୍ଯ୍ୟ ତଥା ପ୍ରଣୟର ସୌନ୍ଦର୍ଯ୍ୟରେ ଉଦ୍ଭାସିତା ଉତ୍କଳ ଭାରତୀ ଭାରତୀୟ ସସ୍କୃତିର ସଂବାହକ ଆଦର୍ଶ—ଚରିତ୍ର—ସୌନ୍ଦର୍ଯ୍ୟ ପାଇଁ ଯେତେବେଳେ ବ୍ୟଗ୍ର ବ୍ୟାକୁଳା, ସେତେବେଳେ ଉତ୍କଳ ସାହିତ୍ୟ ମଣ୍ଡପରେ ଗଙ୍ଗାଧରଙ୍କ ଆବିର୍ଭାବ ଏକ ବହୁନନ୍ଦିତ ଘଟଣା । ରାଧାନାଥଙ୍କ ବିଭିନ୍ନ କାବ୍ୟର ଚିତ୍ରାବଳୀ ଉତ୍କଳ ପାଠକ ମାନସରେ ଦୀର୍ଘ ଅବସାଦ ଓ ବିଷର୍ଣ୍ଣତା ସଞ୍ଚାର କରିଛି । ରାଧାନାଥ ସୌନ୍ଦର୍ଯ୍ୟର ଉପାସକ—ସେ ସୌନ୍ଦର୍ଯ୍ୟ ବାହ୍ୟ ସୌନ୍ଦର୍ଯ୍ୟ, ମାନବ ପ୍ରକୃତିର ସୌନ୍ଦର୍ଯ୍ୟ ନୁହେଁ । ସେ ସୁନ୍ଦରର ଜୟଗାନ କରିଗଲେ ସର୍ବତ୍ର । ଶିବ ଅର୍ଥାତ୍ ସମାଜ ମଙ୍ଗଳର ଶୁଭ ଶଙ୍ଖନାଦରେ ଆଦର୍ଶ ଚରିତ୍ରର ମଙ୍ଗଳ ଗୀତିକା ଗାନ କରିବ କିଏ ? ପଶ୍ଚିମ ଓଡ଼ିଶାର ଏକ ଅବହେଳିତ, ଅଜ୍ଞାତ ପଲ୍ଲୀକୋଣରୁ ବିଶୁଦ୍ଧ ପ୍ରଣୟର, ଧର୍ମଭାବ ମଧୁର ଦାମ୍ପତ୍ୟ ପ୍ରେମର, ମଙ୍ଗଳ ଧ୍ୱନିତ ଆଦର୍ଶ ପ୍ରୀତିର ଅନୁପମ ଆଲେଖ୍ୟ ରଚନା କରି କୁଣ୍ଠିତ ପଦକ୍ଷେପରେ ଆଗେଇ ଆସିଲେ ସାରସତ୍ୱ ସାଧକ ଗଙ୍ଗାଧର । ଚମତ୍‌କୃତ ହେଲେ ସହୃଦୟଗଣ—ସଚକିତ ହେଲେ କାବ୍ୟଗୁରୁ ରାଧାନାଥ । କବିମାନସର ଉଦାରତା ନେଇ ଆଲିଙ୍ଗନ କଲେ ମେହେର କବିଙ୍କୁ—ସ୍ୱୀକୃତି ଦେଲେ ତାଙ୍କ କାବ୍ୟର ବିଶୁଦ୍ଧ, ପବିତ୍ର, ଆଦର୍ଶ–ଉଜ୍ଜ୍ୱଳ ନାୟକ ନାୟିକାଙ୍କୁ । ପ୍ରକୃତି ଚିତ୍ରଣ ସଙ୍ଗେ ସଙ୍ଗେ ମାନବର ଅନ୍ତଃ ପ୍ରକୃତି ଚିତ୍ରଣରେ ଅସାଧାରଣ ଦକ୍ଷତା ପ୍ରଦର୍ଶନ କରି ଗଙ୍ଗାଧର ସର୍ବକାଳର କବି ରୂପେ ସମ୍ମାନିତ ହୋଇଛନ୍ତି । ସଫଳ ଚରିତ୍ର ଚିତ୍ରଣରେ କାବ୍ୟର ସାର୍ଥକତା ପ୍ରତିପାଦିତ । ବ୍ୟାସ ବାଲ୍ମୀକିଙ୍କର ମହାକାବ୍ୟ, କାଳିଦାସ ଭବଭୁତିଙ୍କର କାବ୍ୟ ନାଟକ ତଥା ସେକ୍‌ସପିୟର ଓ ମିଲଟନ୍‌ଙ୍କ ସୃଷ୍ଟି ପ୍ରତିଷ୍ଠା ମୂଳରେ ନିହିତ ଚରିତ୍ରର ସାର୍ଥକ ରୂପାୟନ । ମେହେରଙ୍କ ପ୍ରଣୟ ବଲ୍ଲରୀ କାବ୍ୟ ବିଶ୍ଳେଷଣ ଚରିତ୍ର ବିଚାରର ଗୁରୁତ୍ୱ ସର୍ବଥା ସ୍ୱୀକୃତ ।

 

ନାୟକ ଦୁଷ୍ମନ୍ତ

 

ପ୍ରଣୟ ବଲ୍ଲରୀ ପ୍ରଧାନ ପୁରୁଷ ଦୁଷ୍ମନ୍ତ, ହସ୍ତିନାର ଅଧିପତି ଓ କଣ୍ୱ ଦୁହିତା ଶକୁନ୍ତଳାଙ୍କର ସୌନ୍ଦର୍ଯ୍ୟ ମୁଗଧ୍ ନାୟକ । ତେଣୁ କାବ୍ୟ ନାୟକ ବିଚାରରେ ଦୁଷ୍ମନ୍ତ ଶୃଙ୍ଗାର ନାୟକ ଓ ଚିନ୍ତାରହିତ, ମୃଦୁ ସ୍ୱଭାବ ଓ ନୃତ୍ୟଗୀତାଦିରେ ଆସକ୍ତ ବୋଲି ଧୀରଲଳିତା । ପୁଣି ବହୁ ପତ୍ନୀଙ୍କଠାରେ ସମାନ ପ୍ରୀତି ପୋଷଣ କରୁଥିବାରୁ ଦକ୍ଷିଣ ନାୟକ ଭାବରେ ଖ୍ୟାତ । ଅବଶ୍ୟ ଏଠାରେ ନିର୍ଦ୍ୱନ୍ଦ୍ୱରେ କୁହାଯାଇପାରେ ଯେ ଦୁଷ୍ମନ୍ତଙ୍କ ଜୀବନରେ ଶକୁନ୍ତଳାଙ୍କର ଆବିର୍ଭାବ ତାଙ୍କୁ ଅନୁକୂଳ ନାୟକର ଗୌରବ ପ୍ରଦାନ କରିଅଛି । କାଳିଦାସଙ୍କ ନାଟକରେ ରାଣୀହଂସପାଦିକାଙ୍କର ଉଲ୍ଲେଖ ରହିଛି । କିନ୍ତୁ କାଳିଦାସମାନସଚାରୀ ହେଲେହେଁ ଗଙ୍ଗାଧରଙ୍କ କାବ୍ୟରେ ଦ୍ୱିତୀୟ ନାରୀର ଛାୟାପାତ ଘଟିନାହିଁ । ତେଣୁ ଦୁଷ୍ମନ୍ତ ବହୁବଲ୍ଲଭା ହେଲେହେଁ ଏକପତ୍ନୀ ବିଳାସୀ ରୂପେ ପ୍ରୀତିର ଏକନିଷ୍ଠା ପ୍ରତିପାଦନ କରିଛନ୍ତି ଓ ଗଙ୍ଗାଧରଙ୍କ ମୌଳିକତା ଏତଦ୍ଦ୍ୱାରା ସୂଚିତ ହୋଇଅଛି ।

 

ପ୍ରଣୟ ବଲ୍ଲରୀ କାବ୍ୟର ପ୍ରଥମ ସର୍ଗରେ ଦୁଷ୍ମନ୍ତଙ୍କ ପ୍ରଥମ ଆବିର୍ଭାବ ସୂଚାଇ ଦିଏ ସେ ଜଣେ ମୃଗୟା ବିଳାସୀ ଆନନ୍ଦମୟ ପୁରୁଷ । ଯେତିକି କାବ୍ୟର ଅଭ୍ୟନ୍ତରକୁ ପାଠକ ପ୍ରବେଶ କରେ ବହୁ ଗୁଣ ଭୂଷିତ ଓ ରୂପ ସୌନ୍ଦର୍ଯ୍ୟ ମଣ୍ଡିତ ଦୁଷ୍ମନ୍ତଙ୍କ ସହିତ ତାର ନିବିଡ଼ ପରିଚୟ ଘଟେ । ଦୁଷ୍ମନ୍ତଙ୍କ ରୂପ ଗୁଣ ବର୍ଣ୍ଣନାରେ କବି ଚାତୁର୍ଯ୍ୟ ପ୍ରଦର୍ଶନ କରିଛନ୍ତି । ରାଜାଙ୍କ ସୌନ୍ଦର୍ଯ୍ୟର ଏକ ବିସ୍ତୃତ ବର୍ଣ୍ଣନା ନ ଦେଇ ପ୍ରସଙ୍ଗିକ ଭାବରେ ଉଲ୍ଲେଖ କରିଛନ୍ତି । ଆଶ୍ରମ–ସୌନ୍ଦର୍ଯ୍ୟରେ ଅଭିଭୂତ ଦୁଷ୍ମନ୍ତଙ୍କୁ ଲକ୍ଷ୍ୟ କରି କବି କହିଛନ୍ତି—

 

‘‘ବିଶ୍ୱଜନମନେପ୍ରୀତି–ପ୍ରସ୍ରବଣ

ତାଳଇ ଯାହାଙ୍କ ରୂପ

ତପୋବନ ଦୃଶ୍ୟଦରଶନେ ମୁଗ୍‌ଧ

ହୁଅନ୍ତି ଆଜି ସେ ଭୂପ ।’’

 

ଏହି ଗୋଟିଏ ପଦ ଦୁଷ୍ମନ୍ତଙ୍କ ରୂପଗୁଣର ଅବଗୁଣ୍ଠନ ତୋଳି ଧରିଛି । ଦୁଷ୍ମନ୍ତଙ୍କ ଦର୍ଶନ ମାତ୍ରେ ବ୍ୟକ୍ତି ବିଶେଷ ନୁହନ୍ତି; ସମଗ୍ର ବିଶ୍ୱବାସୀଙ୍କ ଅନ୍ତରରେ ପ୍ରୀତିର ନିର୍ଝର ଝରିଯାଏ । ସେଇ ପରମ ସୁନ୍ଦର ନିରଭିମାମୀ ପୁରୁଷ ଆଶ୍ରମର ଶୋଭା ସନ୍ଦର୍ଶନରେ ପ୍ରୀତି ବିମୁଗ୍‌ଧ ଭାବ ପୋଷଣ କରି ନିଜର ମହତ ଓ ଉନ୍ନତି ଚରିତ୍ରର ପରିଚୟ ପ୍ରଦାନ କରିଛନ୍ତି ।

 

ଦୁର୍ବିନୀତି ଭ୍ରମର ଦ୍ୱାରା ତାଡ଼ିତା ଶକୁନ୍ତଳାଙ୍କର ସଖୀମାନଙ୍କୁ ବ୍ୟସ୍ତ ବ୍ୟାକୁଳ ଆହ୍ୱାନରେ ଲତା ଅନ୍ତରାଳରୁ ଦୁଷ୍ମନ୍ତ ଆଗେଇ ଆସିଛନ୍ତି । ଶକୁନ୍ତଳା ଦେଖିଛନ୍ତି ସମ୍ମୁଖରେ ଅପୂର୍ବ ସୁନ୍ଦର ଯୁବାମଣି । ଅନଙ୍ଗ ଦେହ ଧାରଣ କରି ଦଣ୍ଡାୟମାନ ହୋଇଛନ୍ତି କି ? ଏହିପରି ଶକୁନ୍ତଳାଙ୍କ ମନରେ ସନ୍ଦେହ ଜାତ ହୋଇଛି । ଦୁଷ୍ମନ୍ତଙ୍କ ସୌନ୍ଦର୍ଯ୍ୟ ଶକୁନ୍ତଳାଙ୍କ ଭାବନାରେ ଅଭିବ୍ୟଞ୍ଜିତ । ମର୍ତ୍ତ୍ୟଭୁବନରେ ଏ ରୂପ ସୁଦୁର୍ଲଭ–ସ୍ୱର୍ଗୀୟ ସୁଷମାରେ ଦୁଷ୍ମନ୍ତଙ୍କ କଳେବର ଗଠିତ । ଉଜ୍ଜ୍ୱଳ ମୁଖ କାନ୍ତି, ଶୁଭ୍ର ନଖ ପଂକ୍ତି ଓ ରଙ୍ଗ ପାଦ ଦୁଷ୍ମନ୍ତଙ୍କ ସୌନ୍ଦର୍ଯ୍ୟ ପ୍ରକାଶ କରିବା ସଙ୍ଗେ ସଙ୍ଗେ ସୂଚାଇ ଦିଏ ସେ ଜଣେ ଲକ୍ଷଣବନ୍ତ ଓ ସୌଭାଗ୍ୟଶାଳୀ ପୁରୁଷ ।

 

ଦେହର ସୌନ୍ଦର୍ଯ୍ୟ ତଥା ମନର ସୌନ୍ଦର୍ଯ୍ୟର ମନୋଜ୍ଞ ମିଳନରେହିଁ ଚାରିତ୍ରିକ ବୈଶିଷ୍ଟ୍ୟ ଫୁଟି ଉଠେ । ଦୁଷ୍ମନ୍ତ କେବଳ ରୂପରେ ବିଶ୍ୱଜନ ବନ୍ଦିତ ନୁହନ୍ତି, ଗୁଣରେ ସର୍ବଜନ ପ୍ରଶଂସିତ । ବିଶାଳ ଭୂଖଣ୍ଡର ପ୍ରତାପଶାଳୀ ନରପତି ହେଲେହେଁ ତାଙ୍କ ମଧ୍ୟରେ ମଦଗର୍ବିତ ଭାବ ନଥିଲା । ଅପରନ୍ତୁ ଅତ୍ୟନ୍ତ ବିନୟ, ସାଧୁ ଭକ୍ତି ଓ ସମ୍ଭ୍ରମବୋଧ ଏକାଧାରରେ ବିଳସିତ । ମୃଗୟା ଅଭିଳାଷୀ ରାଜା କୃଷ୍ଣସାର ପଛରେ ଧାବିତ ହୋଇ ଯେତେବେଳେ ଶର ସଂଯୋଜନା ପାଇଁ ଉଦ୍ୟତମୁଖ, ସେତିକିବେଳେ ମୁନିକୁମାରଙ୍କ ନିଷେଧ ବାକ୍ୟ ପ୍ରତି ଶ୍ରଦ୍ଧା, ସମ୍ମାନ ପ୍ରଦର୍ଶନ କରି ରାଜା–ଅଭିଳାଷ ବର୍ଜନ କରି ଶର ପ୍ରତିସଂହାର କରିନେବା କେବଳ ଦୁଷ୍ମନ୍ତଙ୍କ ପରି ମହାମନା ବ୍ୟକ୍ତି ପକ୍ଷରେ ସମ୍ଭବ । ବିନୟରେ ମୁନିଙ୍କ ପଦବନ୍ଦନା କରି ସେମାନଙ୍କ ଆମନ୍ତ୍ରଣରେ ସଶ୍ରଦ୍ଧ ଚିତ୍ତରେ, ମୃଗୟାବେଶ ତ୍ୟାଗ କରି ପଦବ୍ରଜରେ ଆଶ୍ରମ ପରିଦର୍ଶନ କରିବାକୁ ଏକାକୀ ଅଗ୍ରସର ହେଲେ । ଏସବୁ ଦେଖି ମନେହୁଏ ଦୁଷ୍ମନ୍ତ ଥିଲେ ମୂର୍ତ୍ତିମନ୍ତ ବିନୟା–ରାଜକୀୟ ଐଶ୍ୱର୍ଯ୍ୟରେ ଚିର ଅଭ୍ୟସ୍ତ । ରାଜା ଆଶ୍ରମର ଶାନ୍ତ ଶୀତଳ ସୌନ୍ଦର୍ଯ୍ୟ ଦେଖି ଅବିଳମ୍ୱେ ସେଥିପ୍ରତି ଆକୃଷ୍ଟ ହୋଇପଡ଼ିଛନ୍ତି । ଛତ୍ର–ଛାୟାକୁ ତୁଚ୍ଛ ଜ୍ଞାନ କରି ଶୀତଳ ଶାନ୍ତ–ପ୍ରଦ ଛାୟାର ମହତ୍ତ୍ୱ ପ୍ରକାଶ କରିଛନ୍ତି ।

 

ଉଲ୍ଲସିତ ଯୌବନା ଶକୁନ୍ତଳାଙ୍କର ରୂପ ମାଧୁରୀ ପ୍ରଥମ ଦର୍ଶନମାତ୍ରେ ରାଜାଙ୍କ ହୃଦୟ ଅଧିକାର କରିଅଛି । ବିଶ୍ୱ ସୃଷ୍ଟି ବିସ୍ମୃତ ହୋଇ ରାଜା ଆତ୍ମସମାହିତ ଚିତ୍ତରେ ଶକୁନ୍ତଳାଙ୍କ ରୂପ ତରଙ୍ଗରେ ନିମଚ୍ଛାମାନ ହେଲେ । ରାଜାଙ୍କର ହୃଦୟ ପ୍ରେମବିବଶ ହେଲେହେଁ, ବ୍ୟକ୍ତିତ୍ତ୍ୱ ସଜାଗ । ଜଡ଼ବୁଦ୍ଧି ସଂପନ୍ନ ଦୁଷ୍ମନ୍ତଙ୍କ ଆକାଙ୍‌କ୍ଷାକୁ ପ୍ରାଧାନ୍ୟ ନଦେଇ କବି ଗଙ୍ଗାଧର ଚେତନାଶୀଳ ଦୁଷ୍ମନ୍ତଙ୍କ ମଧ୍ୟରେ ଆତ୍ମଜିଜ୍ଞାସା ସଞ୍ଚାର କଲେ—

 

‘‘ନବ ସ୍ୱାଧୀନତା ଏକି ଆଜି ତୋର

ପର ଦ୍ରବ୍ୟ ପ୍ରଲୋଭନ !’’

 

ଜୀବନର ଏଇ ପ୍ରଥମଥର ସଂଯତ ହୃଦୟ ଦୁଷ୍ମନ୍ତ ପରଦ୍ରବ୍ୟରେ ପ୍ରଲୁବ୍‌ଧ ହୋଇଛନ୍ତି । ରାଜା ମନର ଏଇ ପ୍ରଲୋଭନକୁ ପ୍ରଶୟ ନଦେଇ ବିବେକର କଠିନ କଣ୍ୱ ଘାତରେ ଜର୍ଜରିତ କରିଛନ୍ତି । ଋଷିନନ୍ଦିନୀ ପ୍ରତି କ୍ଷତ୍ରିୟର ଆକର୍ଷଣ ଗର୍ହିତ ଅପରାଧ । ମନର ବିଳାସ ଉପରେ ବିବେକର ଏଇ ଅଙ୍କୁଶାଘାତ ରାଜା ଚରିତ୍ରର ସୌନ୍ଦର୍ଯ୍ୟ ବର୍ଦ୍ଧକ ।

 

ଦୁଷ୍ମନ୍ତଙ୍କୁ ପ୍ରେମିକ ରୂପେ ଦର୍ଶାଇବାକୁ ଯାଇ କବି ଦୁଷ୍ମନ୍ତଙ୍କ ଭାବନାରେ ଫୁଟାଇଛନ୍ତି—

 

‘‘ଦୃଷ୍ଟି ସିଂହାସନତେଜି ଯିବ ଯେବେ

ଏ ମୋ ହୃଦ-ରାଜ୍ୟ-ରାଣୀ,

ଦୁଷ୍ଟ ସ୍ମୃତି ପ୍ରାଣ-ପ୍ରଜାକୁ ସହଜେ

ବିପ୍ଳବେ ପ୍ଳାବିବ ଆଣି ।’’

 

ହୃଦୟର ଅଧୀଶ୍ୱରୀ ଶକୁନ୍ତଳାଙ୍କ ପ୍ରତି ଗୌରବଶ୍ରେଷ୍ଠ ଦୁଷ୍ମନ୍ତ ସର୍ବତୋଭାବରେ ଅନ୍ତରର ଆନୁଗତ୍ୟ ପ୍ରକାଶ କରିଛନ୍ତି ।

 

ମଧୁବ୍ରତର ଗଞ୍ଜନାରେ ଲାସ୍ୟମୟୀ ଶକୁନ୍ତଳାଙ୍କର ସ୍ଫଳିତ ବଳ୍‌କଳ ଭ୍ରମର ବାଧା ବ୍ୟାକୁଳ ତ୍ରସ୍ତନୟନ, କାତର ଦୃଷ୍ଟିର ଅପରୂପ ରୂପ ମାଧୁରୀରେ ଦୁଷ୍ମନ୍ତ ଅଭିଭୂତ ହେଲେ । କିନ୍ତୁ ଶକୁନ୍ତଳାଙ୍କ ସୌନ୍ଦର୍ଯ୍ୟରେ ଦୁଷ୍ମନ୍ତ ତନ୍ମୟଚିତ୍ତ ହେଲେହେଁ ଦ୍ରବୀଭୂତ ନ ହୋଇ ହୃଦୟକୁ ସଂଯମ ବଜ୍ରରେ କଠିନ କଲେ । ଦୁଷ୍ମନ୍ତଙ୍କ ବିଚାରଶୀଳତା ଓ ଜିତେନ୍ଦ୍ରିୟତା ପାଠକକୁ ମୁଗ୍‌ଧ କରେ ।

 

ଦୁଷ୍ମନ୍ତଙ୍କ ବୀରତ୍ୱ, ଦୁଷ୍ଟ ନିବାରଣତ୍ୱ ଓ ଅବଳା ରକ୍ଷକତ୍ୱର ପରିଚୟ ମିଳେ ଭ୍ରମର ତାଡ଼ନାରୁ ଶକୁନ୍ତଳାଙ୍କୁ ରକ୍ଷା କରିବାପାଇଁ ରାଜାଙ୍କର ସତ୍ୱର ଆଗମନ ଓ ଶକୁନ୍ତଳାଙ୍କୁ ଆଶ୍ୱାସ ବାକ୍ୟ ପ୍ରଦାନରେ—

 

‘‘ଭୟ ନାହିଁନାହିଁ ଚାରୁଶୀଳେ

ପୌରବ ଭୂପତି ଥିଲେ

ଅବଳା ଅରକ୍ଷଉପଦ୍ରବ କେହି

କାହିଁକି ସହିବ ତିଳେ ?’’

 

ପୁରୁବଂଶ ଅବତଂସ ଦୁଷ୍ମନ୍ତଙ୍କ ଉପସ୍ଥିତିରେ ଅସହାୟା ନାରୀ ପ୍ରତି ସାମାନ୍ୟ ମଧୁପର ଉପଦ୍ରବ ମଧ୍ୟ ଅବାଞ୍ଛିତ । ବୀରର ଧର୍ମ, ରାଜାର ଧର୍ମ ଅବଳାର ରକ୍ଷାସାଧନ । ଦୁଷ୍ମନ୍ତ ନିଜ କର୍ତ୍ତବ୍ୟ ପ୍ରତି ସଚେତନ ରହି ଶକୁନ୍ତଳାଙ୍କୁ ଭ୍ରମର ତାଡ଼ନାରୁ ରକ୍ଷା କରିଛନ୍ତି କିନ୍ତୁ ଏଇ କର୍ତ୍ତବ୍ୟ ବ୍ରତ ତଳେ ପ୍ରେମବ୍ରତର ଯେଉଁ ଅବ୍ୟକ୍ତ ଭାବ ବିସ୍ତୃତ, ତାହାହିଁ ପ୍ରେମିକ ଦୁଷ୍ମନ୍ତ ଚରିତ୍ରର ବୈଶିଷ୍ଟ୍ୟ ।

 

ଶକୁନ୍ତଳାଙ୍କ ପରିଚୟ ଲାଭ ପାଇଁ ବ୍ୟାକୁଳ ହୃଦୟ ରାଜା କଥୋପକଥନ ଛଳରେ ଜିଜ୍ଞାସା କରିଛନ୍ତି—

 

‘ଚିର ବ୍ରହ୍ମଚାରୀ କଣ୍ୱ ମହାଋଷି

ପୁତ୍ରୀ ପାଇଲେ କେସନେ ?’

 

ଶକୁନ୍ତଳାଙ୍କ ଜନ୍ମରହସ୍ୟର ସଂଶୟ ହାର ସଖୀମାନେ ଉଦ୍‌ଘାଟନ କଲେ । ଶକୁନ୍ତଳାଙ୍କ ଜନ୍ମବୃତ୍ତାନ୍ତ ଶ୍ରବଣ କରି ଓ ‘‘ଅନୁରୂପ ପାତ୍ରରେ ବାଳା ସମର୍ପିତ ହେବ’’ ଜାଣି ଦୁଷ୍ମନ୍ତଙ୍କ ମନରେ, ଆଶାର ତରୁ ପୁଷ୍ପିତ ହେଲା । କାରଣ ରୂପ ଗୁଣ ଐଶ୍ୱର୍ଯ୍ୟ ଦ୍ୱାରା ବରର ଯୋଗ୍ୟତା ବିଚାର କରାଯାଏ । ଦୁଷ୍ମନ୍ତ ଏଇ ତ୍ରିବିଧ ବିଭବରେ ଅଦ୍ୱିତୀୟ । ତେଣୁ କଣ୍ୱଙ୍କ ବିବେଚନାରେ ଶକୁନ୍ତଳାଙ୍କ ଅନୁରୂପ ବର ରୂପେ ଗୃହୀତ ହେବାର ସମ୍ଭାବନା ସମଧିକ । ଏଥିରୁ ଦୁଷ୍ମନ୍ତଙ୍କ ଅହଙ୍କାର ନୁହେଁ, ଆତ୍ମ ବିଶ୍ୱାସ ଓ ଆତ୍ମମର୍ଯ୍ୟାଦାର ଭାବ ସହଜରେ ଉପଲବ୍‌ଧ କରାଯାଏ ।

 

ପ୍ରେମର ସାଗରରେ ଆକଣ୍ଠ ନିମଜ୍ଜମାନ ହେଲେହେଁ ବନଗଜ ଉପଦ୍ରବରେ ଦୁଷ୍ମନ୍ତଙ୍କ ଶାଣିତ କର୍ତ୍ତବ୍ୟ ବୁଦ୍ଧିର ସମ୍ୟକ ପରିଚୟ ମିଳେ । ସୌନ୍ଦର୍ଯ୍ୟର ଆଧାର, ପ୍ରୀତିର ପାତ୍ର ଶକୁନ୍ତଳାଙ୍କୁ ତ୍ୟାଗ କରିବା ପାଇଁ ରାଜା–ହୃଦୟରେ ଘୋର ଅନିଚ୍ଛା ଥିଲେହେଁ ଆଶ୍ରମବାସୀଙ୍କୁ ମତ୍ତ ମାତ୍ତଙ୍ଗ ଭୟରୁ ନିରୁପଦ୍ରବ କରିବା ପାଇଁ ରାଜା ତ୍ୱରାନ୍ୱିତ ହେଲେ । କିନ୍ତୁ ପ୍ରେମସଜାଗ ନରପତି ଯିବା ପୂର୍ବରୁ ପ୍ରୀତି–ଋଣ ବିନିମୟରେ ସ୍ୱହସ୍ତରୁ ହେମ ଅଙ୍ଗୁରୀୟ କାଢ଼ି ପ୍ରିୟତମାର ନବନୀତ କୋମଳ ଅଙ୍ଗୁଷ୍ଠିରେ ସପ୍ରେମରେ ପିନ୍ଧାଇ ଦେଲେ । କର୍ତ୍ତବ୍ୟ ଅନୁରୋଧରେ ତାଙ୍କର ଶରୀର ଆଗକୁ ଗଲା ସତ, କିନ୍ତୁ ରଥର ଧ୍ୱଜ ପଛକୁ ଉଡ଼ିଲା ପରି ତାଙ୍କର ମନ ପଛରେ ପଡ଼ି ରହିଲା । ଶକୁନ୍ତଳାଙ୍କଠାରେ ତାଙ୍କ ଚିତ୍ତ ସଂଲଗ୍ନତାର ଏହା ଏକ ଚମତ୍କାର ନିଦର୍ଶନ ।

 

ଦ୍ୱିତୀୟ ସର୍ଗରେ ଶିକାର ଉଦ୍ଦେଶ୍ୟରେ ବୀର ଦୁଷ୍ମନ୍ତ ଆଶ୍ରମକୁ ଆସି ନିଜେ ଶକୁନ୍ତଳାଙ୍କ ପ୍ରେମର ଶିକାର ହୋଇ ପଡ଼ିଛନ୍ତି । ଆଶ୍ରମପଦକୁ ନିରୁପଦ୍ରବ କରିବା ଅଭିପ୍ରାୟରେ ଗଜବାଜି ସବୁ ଯତ୍ନରେ ବାନ୍ଧି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଇ ନିର୍ଦ୍ଦେଶରେ ମୂଳରେ ଆଶ୍ରମବାସୀ ନୁହନ୍ତି, ଶକୁନ୍ତଳାହିଁ ବିଦ୍ୟମାନ । ସଂସ୍କୃତ ନାଟକରେ ରାଜା ଶିକାର କରିବା ପାଇଁ ସେନାପତିଙ୍କୁ ନିଷେଧ କରିଛନ୍ତି । ମୃଗୟା ସ୍ପୃହା ତାଙ୍କର ଅନ୍ତର୍ହିତ ହୋଇଛି । କାରଣ ମୃଗ ପ୍ରତି ଶର ସଂଯୋଜନା କଲାବେଳେ ତାର ନିରୀହ ଆଖିରେ ଶକୁନ୍ତଳାଙ୍କ ଚକ୍ଷୁ ପ୍ରତିବିମ୍ୱିତ ହୋଇଛି—ରାଜା ଭାବିଛନ୍ତି, ଯେଉଁ ମୃଗଗଣ ମୋର ପ୍ରିୟତମାକୁ ଏମିତି ସୁନ୍ଦର ଚାହାଣୀ ଶିଖାଇଛନ୍ତି; ତାଙ୍କ ପ୍ରତି କିପରି ପ୍ରାଣ ଧରି ଶର ସନ୍ଧାନ କରିବି–ଏଇଥିରୁ ଦୁଷ୍ମନ୍ତଙ୍କ ପ୍ରେମର ଗଭୀରତା ଓ ସାନ୍ଦ୍ରତା ସହଜରେ ଲକ୍ଷଣୀୟ-

 

ନିଜର ଅଙ୍ଗୁରୀୟହୀନ ଅଙ୍ଗୁଳିକୁ ଚାହିଁ ରାଜା ଅଙ୍ଗୁରୀୟ ପାଇଁ ସୁନ୍ଦରୀର କରସ୍ପର୍ଶ ଲାଭ କରିଥିବାରୁ ତା ପ୍ରତି କୃତଜ୍ଞଚିତ୍ତ ହୋଇଛନ୍ତି । ଶକୁନ୍ତଳାଙ୍କର ପ୍ରିୟପୁଷ୍ପ ନିଆଳୀକୁ ସ୍ନେହଭରା ହୃଦୟରେ ବାରମ୍ୱାର ଆଘ୍ରାଣ କରିଛନ୍ତି । ବିରହୀ ନାୟକର ହୃଦୟ ବୃତ୍ତି ଅତି ସରସ ବର୍ଣ୍ଣନା ଭଙ୍ଗୀରେ ପ୍ରକାଶ ପାଇଛି ।

 

ଦୁଷ୍ମନ୍ତ ଜଣେ ବିଚାରଶୀଳ ପୁରୁଷ । ଶକୁନ୍ତଳା ପ୍ରତି ପ୍ରଧାବିତ ଅନ୍ତର ପ୍ରିୟତମ ପ୍ରାପ୍ତିର ଆକଙ୍‌କ୍ଷାରେ ଉଦ୍‌ବେଳିତ । ଏହି ଉଦ୍‌ବେଳନ କେତେଦୂର ଯଥାର୍ଥ ଓ ସଙ୍ଗତ ସେ ସମ୍ୱନ୍ଧରେ ତାଙ୍କର ବିବେକ ଓ ମନର ଦ୍ୱନ୍ଦ ସୃଷ୍ଟି ହେଇଛି । ଶକୁନ୍ତଳାଙ୍କ ସୌନ୍ଦର୍ଯ୍ୟରେ ସେ ତନ୍ମୟଚିତ୍ତ ହେଲେହେଁ ଉଚ୍ଛୃଙ୍ଖଳତା ପ୍ରକାଶ କରି ନାହାନ୍ତି ।

 

ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ପ୍ରବୃତ୍ତି ସମ୍ୱନ୍ଧରେ ମନର ବିଳାସ ଓ ବିବେକର ନିରାସ ରହିଛି । କିନ୍ତୁ ବିବେକୀ, ବିଚାରଶୀଳ ବ୍ୟକ୍ତି ଚିତ୍ତରେ ଚୈତନ୍ୟ ଚିର ପ୍ରବୁଦ୍ଧ । କାମନା ବାସନା, ଲୋଭ ପ୍ରମାଦ ପ୍ରତ୍ୟେକ ଅବସ୍ଥାରେ ତାର ବିବେକ ଜ୍ଞାନ ପ୍ରଖର । କୌଣସି ସଂଯତ ଚିତ୍ତ ପୁରୁଷ ପକ୍ଷରେ ଦୁଷ୍ପ୍ରାପ୍ୟ କୁମାରି ପ୍ରତି ଆସକ୍ତି ସମୀଚୀନ ନୁହେଁ । ଦୁଷ୍ମନ୍ତଙ୍କ ପରି ବିଚାରଶୀଳ ଉନ୍ନତମନା ମହତ୍ ବ୍ୟକ୍ତି ପକ୍ଷରେ ନୀଚ, ଘୃଣିତ କାର୍ଯ୍ୟରେ ଅଭିଳାଷୀ ହେବା ସମ୍ଭବ ନୁହେଁ । ତେଣୁ ବିବେକ ଓ ମନର ଦ୍ୱନ୍ଦ ମଧ୍ୟରେ ଦୁଷ୍ମନ୍ତ ପ୍ରମାଣ କରିଛନ୍ତି ଯେ ସେ ଶକୁନ୍ତଳାଙ୍କ ପ୍ରତି ଯେପରି ଆସକ୍ତ, ଶକୁନ୍ତଳା ମଧ୍ୟ ତାଙ୍କ ପ୍ରତି ସେହିପରି ଅନୁରକ୍ତା । ବୟଃପ୍ରାପ୍ତ ଶକୁନ୍ତଳା ସ୍ୱଚ୍ଛାରେ ରାଜାଙ୍କୁ କର ସମର୍ପଣ କରିଛନ୍ତି ଓ ପ୍ରକୃତିର ସଂଗ୍ରହ ଆୟୋଜନରେ ବୈଦିକ ବିବାହ କାର୍ଯ୍ୟ ସଂପନ୍ନ ହୋଇଅଛି-। ତେଣୁ ପରିଣୀତା ପତ୍ନୀର ସାନ୍ନିଧ୍ୟ ଆକଙ୍‌କ୍ଷା କରିବା ଦୁଷ୍ମନ୍ତଙ୍କ ଜାଗ୍ରତ ହୃଦୟର ପରିଚାୟକ-। ମନ ବିବେକର ପ୍ରଶ୍ନୋତ୍ତର ଭିତରେ ମୋହ ଓ ଜ୍ଞାନର ସମବେତ ଭାବହିଁ ଦୁଷ୍ମନ୍ତ ଚରିତ୍ରର ସୌନ୍ଦର୍ଯ୍ୟ । ଶେଷରେ ବିବେକର ବିଜୟରେ ସେସୌନ୍ଦର୍ଯ୍ୟ ଆହୁରି ଉଜ୍ଜଳ, ରସାଣିତ-

 

ତୃତୀୟ ସର୍ଗରେ ପ୍ରେମ ତନ୍ମୟ ହୃଦୟରେ ଦୁଷ୍ମନ୍ତ ଯେଉଁ ଦିଗକୁ ଦୃଷ୍ଟି ସଞ୍ଚାଳିତ କରିଛନ୍ତି ସର୍ବତ୍ର ଦେଖିଛନ୍ତି ପ୍ରକୃତିର ମଧୁର ଲାଳିତ ସୌନ୍ଦର୍ଯ୍ୟ । ପ୍ରକୃତିର ସେଇ ବରବର୍ଣ୍ଣିନୀ ସୌନ୍ଦର୍ଯ୍ୟରେ ପ୍ରେମ ଆକୁଳ ଭାବ ଲକ୍ଷ୍ୟ କରି ରାଜାଙ୍କର ହୃଦୟ ଚଞ୍ଚଳ ହୋଇ ଉଠିଛି । ରାଜାଙ୍କ ହୃଦୟ ଉଦାର, ସୁନ୍ଦର ମହତ, ସମୁନ୍ନତ ତଥା ପ୍ରେମବିହ୍ୱଳ ହୋଇଥିବାରୁ ପ୍ରକୃତିର ପ୍ରତି ପୃଷ୍ଠାରେ ସେ ଆନନ୍ଦର ସ୍ତବ ପାଠ କରିଛନ୍ତି । କବିଙ୍କ ଭାଷାରେ—

 

‘‘ଯା ମନ ଯେପରି ତା ପାଇଁ ସେପରି

ଫଳ ଥୋଇଥାଏ ବିଶ୍ୱ,

ଉଚ୍ଚମନା ଉଚ୍ଚେଅମୃତ ଲଭଇ

ନୀଚମନା ପାଏ ବିଷ ।’’

 

ପ୍ରକୃତିର ସୌନ୍ଦର୍ଯ୍ୟ ଲହରୀରେ ଭାସି ଭାସି ରାଜା ବେତସ କୁଞ୍ଜ ନିକଟରେ ଏକ ଚିକ୍‌କଣ ପ୍ରସ୍ତର ଖଣ୍ତ ଉପରେ ଉପବେଶନ କଲେ । ଅକସ୍ମାତ୍‌ ସଂଙ୍ଗୀତର ଝଙ୍କାର ଶ୍ରବଣରେ ରାଜ ହୃଦୟ ଚମକିତ ତଥା ପୁଲକିତ ହେଲା । ଦୁଷ୍ମନ୍ତ ଧୀର ଲଳିତ ନାୟକ । ନୃତ୍ୟ ଗୀତ ବାଦ୍ୟରେ ତାଙ୍କର ଗଭୀର ଆସକ୍ତି ।

 

ଏହି ଭାବପୂର୍ଣ୍ଣ ସଙ୍ଗୀତ ଶ୍ରବଣ କରି ରାଜାଙ୍କର ହୃଦୟ ପ୍ରେମରେ ଉଚ୍ଛ୍ୱସିତ ହେଲା । ରାଜା ଅଭିମାନ ବର୍ଜନ କରି ତପସ୍ୱିନୀ ଶକୁନ୍ତଳାଙ୍କର ପ୍ରେମସ୍ରୋତରେ ମନ-ତରୀକୁ ଭସାଇ ଦେଲେ । ରାଜା ଓ ଶକୁନ୍ତଳାଙ୍କ ଚାତୁର୍ଯ୍ୟପୂର୍ଣ୍ଣ ତଥା କୌତୁକ ରସଭରା ଉକ୍ତି ପ୍ରତ୍ୟୁକ୍ତି କହେ, ଦୁଷ୍ମନ୍ତ ଜଣେ ବାକ୍‌ପଟୁ, କଳାବିଦଗ୍‌ଧ, ଚତୁର, ରସିକ ପ୍ରେମିକ ।

 

ଦୁଷ୍ମନ୍ତ ଯେ କେବଳ ପ୍ରେମର ଏକ ଶୋଭନ ମଞ୍ଜୁଳ ମୂର୍ତ୍ତି ଥିଲେ ତା ନୁହେଁ । ତାଙ୍କର ଆଦର୍ଶ ବ୍ୟକ୍ତିତ୍ୱ ତଥା ନୃପତିତ୍ୱ ମଧ୍ୟ ପ୍ରଣୟ ବଲ୍ଲରୀରେ ପ୍ରକାଶ ପାଇଛି । ଅବଶ୍ୟ କାଳିଦାସଙ୍କ ନାଟକରେ ଆଦର୍ଶ ଶାସକ ଓ ରାଜାର ଲକ୍ଷଣ ଯେପରି ବିସ୍ତୃତ ଭାବରେ ପ୍ରକାଶ ଲାଭ କରିଛି ବିଭିନ୍ନ ଚରିତ୍ର ମୁଖରେ ପ୍ରଣୟ ବଲ୍ଲରୀରେ ସେପରି ଦେଖାଯାଏ ନାହିଁ । ତଥାପି ୪ର୍ଥ ସର୍ଗରେ କଣ୍ୱଙ୍କ ମୂଖରେ ଉଚ୍ଚାରିତ ହୋଇଛି—

 

‘‘ସ୍ୱାମୀ ତୋର ଋଷିସ୍ୱରୂପ ମଣ୍ତିତ

କରିଛନ୍ତି ରାଜ୍ୟାଶ୍ରମ,

ସେ ଆଶ୍ରମ ନୀତିରକ୍ଷଣେ ନିଜର

ଜୀବନ କରିବୁ କ୍ଷମ’’

 

ଦୁଷ୍ମନ୍ତଙ୍କ ନିକଟରେ ରାଜ୍ୟ ଗୋଟିଏ ଆଶ୍ରମ ପରି-ରାଜାଋଷି ପରି ବିଷୟ ଭୋଗ ବାସନା ଶୂନ୍ୟ ହୋଇ ପ୍ରଜାର ମଙ୍ଗଳ ପାଇଁ ରାଜ୍ୟ ଶାସନ କରିବା ଏକାନ୍ତ ବିଧେୟ ।

 

ପଞ୍ଚମ ସର୍ଗର ପ୍ରାରମ୍ଭରେ ଦୁଷ୍ମନ୍ତଙ୍କର ଶାସନ ଦକ୍ଷତା, ଧର୍ମଜ୍ଞାନ, ବିବେକ ବୋଧ ନ୍ୟାୟପରାୟଣତା, ଦାନଶୀଳତା, ଶାସନ ନିରପେକ୍ଷତା, ଶତ୍ରୁ ନିର୍ବିହଣତା, କ୍ଷମାଶୀଳତା, ଗୁଣଗ୍ରାହିତା, ନିର୍ଲୋଭତା, ହୃଦୟର ସ୍ୱଚ୍ଛତା ଓ ମହନୀୟତା, ସତ୍ୟପରାୟଣତା, କୀର୍ତ୍ତିଶାଳିତା, ପ୍ରଜାବତ୍ସଳତା ପ୍ରଭୃତି ବହୁ ସଦ୍‌ଗୁଣର ସୁବିସ୍ତୃତ ବର୍ଣ୍ଣନା ତାଙ୍କୁ ଆଦର୍ଶ ରାଜାରୂପେ ଗୌରାବାନ୍ୱିତ କରିଛି । କବିଙ୍କ ଭାଷାରେ—

 

‘‘ହସ୍ତିନା ଭୂପତି ବିଜେ କରିଛନ୍ତି

ରତ୍ନମୟ ସିଂହାସନେ,

ସତେ କି ଧରମମୂର୍ତ୍ତି-ପ୍ରତିବିମ୍ବ

ଉଜ୍ୱଳ ଜ୍ଞାନ-ଦର୍ପଣେ ।’’

 

ଦୁଷ୍ମନ୍ତ ଥିଲେ ମୂର୍ତ୍ତିମନ୍ତ ଧର୍ମ । ରାଜା କେବଳ ରାଜନୀତିଜ୍ଞ ହେଲେ ସୁଶାସକ ହୋଇ ନ ପାରନ୍ତି–ରାଜନୀତି ସହିତ ଧର୍ମନୀତିର ମଧୁର ସମ୍ମେଳନରେ ରାଜାର ଆଦର୍ଶ ଗୁଣାବଳୀ ପ୍ରଖ୍ୟାପିତ ହୋଇଥାଏ ।

 

ଆତ୍ମଶ୍ଳାଘାରହିତ ଦୁଷ୍ମନ୍ତ ଅନ୍ୟର ଯଶକୀର୍ତ୍ତି ପ୍ରତି ଆକୃଷ୍ଟ ହୋଇ ତାଙ୍କଠାରୁ ଆହୁରି ଉତ୍ତମରୂପେ ରାଜ୍ୟ ଶାସନ କରିବାକୁ ଓ ସତ୍‌ କର୍ମରେ ବ୍ରତୀ ହେବାକୁ ତତ୍ପର ହେଉଥିଲେ । ଦୁଷ୍ମନ୍ତ ଗୁଣର ଯେପରି ଆଦର କରୁଥିଲେ ଦୁର୍ଗୁଣ ପ୍ରତି ସେହିପରି କଠୋର ଭାବ କରୁଥିଲେ । ସେଥିପାଇଁ ଗଙ୍ଗାଧର କହିଛନ୍ତି—

 

‘‘ଶାସନେ ତାଙ୍କର ଆଲୋକ ଥିଲେହେଁ

ତମ ଥିଲା ଘୋରତମ,

ସେହି ତମ ଭେଦିକୁପଥ ଗମନେ

କେହି ନୋହୁଥିଲେ କ୍ଷମ ।’’

 

ଦୁଷ୍ଟ ନିବାରଣ ଶିଷ୍ଟ ପାଳନ ଦ୍ୱାରା ତାଙ୍କ ରାଜ୍ୟ ନିରୁପଦ୍ରବ ଥିଲା । ଦୁଷ୍ମନ୍ତଙ୍କ ଉଜ୍ଜ୍ୱଳ ଶାସନ ନୀତିର ଓ ପ୍ରଶସ୍ତ ଚରିତ୍ରବତ୍ତାର ଏକ ଦୀର୍ଘ ପରିଚୟ ପରେ ବି ଦୁଷ୍ମନ୍ତଙ୍କ ଚରିତ୍ରର ଆଉ ଏକ ଆକର୍ଷଣୀୟ ଦିଗ ଉଦ୍‌ଘାଟିତ ହୋଇଛି ଶକୁନ୍ତଳାଙ୍କ ଆବିର୍ଭାବରେ । କଣ୍ୱାଶ୍ରମରୁ ଗୌତମୀ, ଶାର୍ଙ୍ଗରବ ଓ ଶାରବ୍ଦତଙ୍କ ସହିତ ଶକୁନ୍ତଳା ପତିଗୃହରେ ଅଶେଷ କଳ୍ପନା ଆଶା ଆକାଙ୍‌କ୍ଷା ନେଇ ଉପନୀତ ହୋଇଛନ୍ତି । ‘‘ତପସ୍ୱୀ-ଦର୍ଶନୋଚିତ’’ ସ୍ଥଳରେ ଅର୍ଥାତ୍‌ ଅଗ୍ନିଗୃହରେ ଦୁଷ୍ମନ୍ତ ସେମାନଙ୍କ ସଙ୍ଗେ ସାକ୍ଷାତ କରିଛନ୍ତି ।

 

କଣ୍ୱପ୍ରେରିତ ପତ୍ର ପାଠକରି ଅତୀତ ସ୍ମୃତି-ବିସ୍ମୃତ ଦୁଷ୍ମନ୍ତ ବିସ୍ମୟ ଜଳରେ ଭାସିଛନ୍ତି । ଅନିନ୍ଦ୍ୟ ସୁନ୍ଦରୀ, ବରଭୋଗ୍ୟା ଶକୁନ୍ତଳାଙ୍କ ସୌନ୍ଦର୍ଯ୍ୟରେ ବିମୁଗ୍‌ଧ ତଥା ସଶ୍ରଦ୍ଧ ଚିତ୍ତ ଦୁଷ୍ମନ୍ତ ତାଙ୍କୁ ପତ୍ନୀରୂପେ ଗ୍ରହଣ କରିବାକୁ ଅସ୍ୱୀକାର କରିଛନ୍ତି । ଶକୁନ୍ତଳା ଯଦି ଅନୂଢ଼ା କୁମାରୀ ହୋଇଥାଆନ୍ତେ, ତେବେ ଦୁଷ୍ମନ୍ତ ମୁନିଙ୍କ ଆଦେଶ ଶିରୋଧାର୍ଯ୍ୟ କରିଥାଆନ୍ତେ । କିନ୍ତୁ ପର ସ୍ତ୍ରୀ ପ୍ରତି ଦୃଷ୍ଟି ଉତ୍ତୋଳନ କରିବା ମଧ୍ୟ ରାଜାଙ୍କ ବିଚାରରେ ଗର୍ହିତ ଅପରାଧ । ଦୁଷ୍ମନ୍ତ ଚରିତ୍ରର ସୌନ୍ଦର୍ଯ୍ୟ ଏହି ଆଚରଣରେ ପରିସ୍ଫୁଟ । ଦୁଷ୍ମନ୍ତଙ୍କ ପରି ଦୃଢ଼ବ୍ରତ ପୁରୁଷ ପକ୍ଷରେ କହିବା ସମ୍ଭବ-

 

‘‘ବୋଇଲେ, ତାପସ କୁମାର, ପଠନେ

ବୁଝିଲି ପତ୍ରିକା ମର୍ମ,

ଯାହା ଲେଖିଛନ୍ତି ମୁନି ତାହା ମୋର

ଧର୍ମ ନୁହେଁ, ନୁହେଁ କର୍ମ ।’’

 

ବିବେକର ବଶବର୍ତ୍ତୀ ହୋଇ ଲୋକପାଳ ଦୁଷ୍ମନ୍ତ ଦୁର୍ବାସା ଅଭିଶାପରେ ବିସ୍ମୃତ ଶକୁନ୍ତଳାଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏପରି ସୁନ୍ଦରୀ ରମଣୀକୁ ଅନାୟାସରେ ସେ ଅନ୍ତଃପୁରରେ ପ୍ରତିଷ୍ଠିତ କରି ପାରିଥାଆନ୍ତେ କିନ୍ତୁ ଧର୍ମବୁଦ୍ଧି ସଂପନ୍ନ, ସତ୍‌ କର୍ମ ନିସେବିତ ରାଜା ଶକୁନ୍ତଳାଙ୍କ ଅମ୍ଳାନ ସୌନ୍ଦର୍ଯ୍ୟର ତୀବ୍ର ଆକର୍ଷଣରେ ମଧ୍ୟ ନିଜର ବିବେକ ଜ୍ଞାନକୁ ଜଳାଞ୍ଜଳି ଦେଇନାହାନ୍ତି । ମହାଭାରତର ଦୁଷ୍ମନ୍ତ କାମପ୍ରବଣ; କାଳିଦାସଙ୍କ ଦୁଷ୍ମନ୍ତ ଆତ୍ମସତ୍ତାରେ ବିଶ୍ୱାସୀ ଓ ଆର୍ଯ୍ୟ ନୂପତିର ଜ୍ୱଳନ୍ତ ଦୃଷ୍ଟାନ୍ତ ହେଲେହେଁ ଉପେକ୍ଷିତା ହଂସପାଦିକାର ନାୟକ ଆତ୍ମବିଶ୍ୱାସରେ ଉଜ୍ଜ୍ୱଳ, ଧର୍ମବୁଦ୍ଧିରେ ଅଟଳ ଓ ପ୍ରେମବ୍ରତରେ ଅବିଚଳ । ମହାଭାରତ ତଥା ଅଭିଜ୍ଞାନ ଶକୁନ୍ତଳମ୍‌ର ଦୁଷ୍ମନ୍ତ ମେହେରଙ୍କ ଆଦର୍ଶ ପୁଟରେ ରଂଜିତ ହୋଇ ବିଶୁଦ୍ଧ ଚରିତ୍ର ପ୍ରଭାରେ ମଣ୍ତିତ ହୋଇଛନ୍ତି । ସତ୍ୟର ସୁଦୃଢ଼ କର୍ମରେ ନିଜକୁ ଆଦୃତ କରି ଦୁଷ୍ମନ୍ତ ନିଜର ଆଦର୍ଶ ଚରିତ୍ରବତ୍ତାର ପରିଚୟ ପ୍ରଦାନ କରିଛନ୍ତି-

 

ତଥାପି ଏଇ ନିର୍ଦ୍ଦୋଷ ଚରିତ୍ରରେ କିଞ୍ଚିତ ତ୍ରୂଟିର ଅଂଜନ ଲେପିତ ହୋଇଛି ଦୁଷ୍ମନ୍ତଙ୍କ ନିମ୍ନୋକ୍ତ ଅଭିବ୍ୟକ୍ତିରେ—

 

‘‘ପୁରୁବଂଶ ହେବ ବିସ୍ତୃତ-ବିଶ୍ରୁତ

କୀରତି ଜାର-ସନ୍ତାନେ ।’’

 

ତପସ୍ୱୀଙ୍କ ପ୍ରତି ଦୁଷ୍ମନ୍ତଙ୍କର ଏଇ ଉପହାସ-ବାକ୍ୟ ଆଦୌ ଶୋଭନୀୟ ହୋଇନାହିଁ । ଦୁଷ୍ମନ୍ତଙ୍କ କଣ୍ଠରେ ଏ ଉକ୍ତି ତାଙ୍କ ଚରିତ୍ର ଶୋଭାକୁ ମ୍ଳାନ କରି ଦେଇଛି ।

 

ଏକପକ୍ଷରେ ଦୁଷ୍ମନ୍ତ ଶକୁନ୍ତଳାଙ୍କୁ ପର ସ୍ତ୍ରୀ ଭାବି ଗ୍ରହଣ କରି ପାରିନାହାନ୍ତି, ଅନ୍ୟପକ୍ଷରେ ଅନିନ୍ଦିତ ରୂପସୀ ମୂର୍ତ୍ତିମତୀ ରାଜଲକ୍ଷ୍ମୀ ସ୍ୱରୂପିଣୀ କଣ୍ୱ ଦୁହିତାଙ୍କୁ ବର୍ଜନ ମଧ୍ୟ କରି ପାରି ନାହାନ୍ତି । ରାଜା କର୍ତ୍ତବ୍ୟରେ ବିମୂଢ଼ ହୋଇ ବିଷମ କଷ୍ଟ ଅନୁଭବ କରିଛନ୍ତି । ମେହେର ଦୁଷ୍ମନ୍ତଙ୍କୁ ଆଲୌକିକ ଚରିତ୍ର ସଂପନ୍ନ ବ୍ୟକ୍ତି ରୂପେ ଚିତ୍ରିତ ନ କରି ସାଧାରଣ ମନୁଷ୍ୟରୂପେ ଅଙ୍କନ କରିଛନ୍ତି । ସ୍ୱାଭାବିକ ଚରିତ୍ର ଭିତରେ ଅସାଧାରଣ ବ୍ୟକ୍ତିତ୍ୱ ପ୍ରତିଫଳିତ ।

 

ଷଷ୍ଠସର୍ଗରେ ସଂଗୀତ ଶ୍ରବଣରେ ଦୁଷ୍ମନ୍ତଙ୍କ ପ୍ରାଣ ‘ଜଳଧର-ନାଦେ ଶିଳୀନ୍ଦ୍ର ପରାଏ’ ପୁଲକିତ ହୋଇ ଉଠିଛି । ଏହି ଉପମା ସଂଗୀତ ସହିତ ରାଜାଙ୍କର ନିତ୍ୟ ସମ୍ବନ୍ଧ ପ୍ରକାଶ କରେ । ଯଥାର୍ଥରେ ଧୀର ଲଳିତ ନାୟକ ଦୁଷ୍ମନ୍ତ ସଂଗୀତରେ ଆସକ୍ତ ହେବା ତାଙ୍କ ଚରିତ୍ରର ସ୍ୱାଭାବିକ ପ୍ରକାଶ । ଏଇ ସଂଗୀତର ପ୍ରତିକ୍ରିୟା ଦର୍ଶାଇ ଦିଏ ଦୁଷ୍ମନ୍ତ ଶଠ ବା ଲମ୍ପଟ ନୁହନ୍ତି; ଉଗ୍ର ବା ଉଦ୍ଧତ ନୁହନ୍ତି । ଲଳିତ ପ୍ରେମ ସୌନ୍ଦର୍ଯ୍ୟରେ ଅଭିଷିକ୍ତ ରାଜା ସଂଗୀତ ଶ୍ରବଣରେ ବ୍ୟାକୁଳ ହୋଇଛନ୍ତି–

 

‘‘ଯେତିକି ଶୁଣିଲେ ତେତିକି ନୃପଙ୍କ

ଜୀବନ ହେଲା ବ୍ୟାକୁଳ,

ବିସ୍ତୃତି-ସାଗର-ମଧ୍ୟେ ପଶି ଯେହ୍ନେ

ଖୋଜି ପାଉ ନାହିଁ କୂଳ ।’’

 

ପ୍ରେମ-ସୁଭଗ ହୃଦୟ ଦୁଷ୍ମନ୍ତ ଅଭିଶାପର ବିସ୍ତୃତି-ଜାଲରେ ନିବଦ୍ଧ ହୋଇ ପ୍ରାଣ ପ୍ରିୟତମାକୁ ପାଶୋରି ଦେଇଛନ୍ତି ସତ, କିନ୍ତୁ ଅତୀତର ସ୍ମୃତିର ଏକ ଅସ୍ପଷ୍ଟ ଦହନରେ ତାଙ୍କର ହୃଦୟ ଆକୁଳ ହୋଇ ଉଠିଛି । ରାଜା ବସନ୍ତ ପ୍ରକୃତିର ବିଲୋଳ ଶୋଭାରେ ବିମୁଗ୍‌ଧ ନ ହୋଇ ବିମୁଖ ହୋଇଛନ୍ତି । ‘‘ରାଜ ପଣ, ରାଜ ସଂପଦ, ମଧୁମୟ ମଧୁମାସର ଦିବସ ନିଶି’’ ସବୁ ନୀରସ ପ୍ରତୀତ ହେଲା । ଅଭିଶାପଗ୍ରସ୍ତ ହୋଇ ମଧ୍ୟ ଦୁଷ୍ମନ୍ତଙ୍କ ପ୍ରେମର ବିଶ୍ୱସ୍ତତା ସ୍ୱତଃ ପ୍ରକାଶିତ ହୋଇଯାଇଛି ।

 

ବିସ୍ମୃତିର ଅବସାନ ଘଟିଛି ସ୍ୱନାମାଙ୍କିତ ମୁଦ୍ରିକା ଦର୍ଶନରେ । ସ୍ମୃତିର କବାଟ ଖୋଲିଯାଇଛି । ଅଳୀକ-ଅତୀତ ନିଷ୍ଠୁର ବାସ୍ତବ ସତ୍ୟର ମୂର୍ତ୍ତି ନେଇ ଆତ୍ମପ୍ରକାଶ କରିଛି । କାଶ୍ୟପଙ୍କ ପତ୍ର ସାଧୁର ଛଳନା ନୁହେଁ, ମୁନିକୁମାରଙ୍କ ଉକ୍ତି ମିଥ୍ୟା ପ୍ରବଞ୍ଚନା ନୁହେଁ, ଶକୁନ୍ତଳାଙ୍କର ସ୍ମୃତି-ଉଦ୍‌ବୋଧନ ପ୍ରୟାସ ନାରୀର ହୀନ ଚକ୍ରାନ୍ତ ବା ନୀଚ ଅଭିନୟ ନୁହେଁ, ଶକୁନ୍ତଳା-ଦୁଷ୍ମନ୍ତ ପରିଣୟ ସଂବାଦ ଅବାସ୍ତବ ପ୍ରହସନ ନୁହେଁ; ଦୁଷ୍ମନ୍ତଙ୍କ ଉଦ୍ଦାମ ପ୍ରେମର ବାସ୍ତବ ପରିଣତି ମାତ୍ର ।

 

ଅନୁତାପ ଅନଳରେ ଦଗ୍‌ଧୀଭୂତ ହେଲେ, ଅନୁଶୋଚନାରେ କ୍ଷୟୀଭୂତ ହେଲେ, ଆତ୍ମାଧିକ୍‌କାରରେ ଜର୍ଜରିତ ହେଲେ ପୌର ଚୂଡ଼ାମଣି ଦୁଷ୍ମନ୍ତ । ଦୁଷ୍କର୍ମର ପ୍ରାୟଶ୍ଚିତ ଲାଗି କୃତସଂକଳ୍ପ ରାଜାଙ୍କର ହୃଦୟରେ ବିଚିତ୍ର ଅନୁଭୂତି ଜାତ ହୋଇଛି । ନଗର, ଉଦ୍ୟାନ, ମନୁଷ୍ୟ, ପକ୍ଷୀ, ତରୁଲତା ସର୍ବତ୍ର ଦୁଷ୍ମନ୍ତଙ୍କ ଅପଯଶ ଉଦ୍‌ଘୋଷିତ–

 

‘‘ଗଗନେ ବିହଙ୍ଗ-ଦଳ କହୁଛନ୍ତି

ପୁରୁବଂଶେ ହୋଇ ଜନ୍ମ

ଦୁଷ୍ମନ୍ତ ନୃପତି ଧର୍ମପତ୍ନୀ ତେଜି

କଲେ ଅତି ନୀଚ କର୍ମ ।

ସରେ ହଂସଦଳ କହୁଛନ୍ତି କିସ

ଗ୍ରାସି କରି କଳକଳ

ବିଷ-ଖଣ୍ତ-ପ୍ରାୟେ ଗ୍ରାସ କଲେ ରାଜା

ଘୋର ବିଷ ହଳାହଳ ।’’

 

ପ୍ରିୟା ବିରହରେ ଓ ଆତ୍ମା ଅପରାଧରେ ଦୁଷ୍ମନ୍ତଙ୍କ ଆଖିରେ ସମଗ୍ର ଜଗତ ନୀରସ ତିକ୍ତ ପ୍ରତୀତ ହୋଇଛି । ଅତୀତର ସ୍ମୃତି, ବର୍ତ୍ତମାନର ସନ୍ତାପ, ସଂଶୟାକୁଳ ଭବିଷ୍ୟତ ପ୍ରତି ଦୃଷ୍ଟି ସଂପ୍ରସାରିତ କରିଛି ।

 

ଦୁଷ୍ମନ୍ତ ପ୍ରେମିକ–ମନ ପ୍ରାଣରେ ଆଦର୍ଶ ପ୍ରେମିକ ।

 

ସପ୍ତମସର୍ଗ ଶୌର୍ଯ୍ୟ ବୀର୍ଯ୍ୟରେ ତେଜୋଦୀପ୍ତ ଦୁଷ୍ମନ୍ତଙ୍କ ସହିତ ପରିଚୟ ଘଟାଏ । ସେ ଧାର୍ମିକ, ନୀତିବନ୍ତ ଓ ବହୁ ଦେବତାଙ୍କ ଗୁଣ ବହନ କରି ମହତୀ ଦେବତା ରୂପେ କୀର୍ତ୍ତିତ । ତେଣୁ ଦେବ ଦାନବ ଯୁଦ୍ଧର ସେହି ଧନୁର୍ଦ୍ଧର ବୀର ପୁରୁଷଙ୍କ ଆବିର୍ଭାବ ଏକାନ୍ତ ପ୍ରୟୋଜନ—ଦାନବ କୁଳ ନାଶନ ପାଇଁ । ଦୁଷ୍ମନ୍ତଙ୍କ ରୂପ ସୌଷ୍ଠବ ଓ ଚରିତ୍ର ସୌନ୍ଦର୍ଯ୍ୟ ଏପରି ନିର୍ଦ୍ଦୋଷ ଥିଲା ଯେ ତାଙ୍କୁ ଦେଖି ଦେବତା କି ନର ବୋଲି ମନ ମଧ୍ୟରେ ବିତର୍କ ସୃଷ୍ଟି ହେଉଥିଲା ।

 

ଦୁଷ୍ମନ୍ତଙ୍କ ଚରିତ୍ରର ସମଗ୍ର ସୌନ୍ଦର୍ଯ୍ୟ ପ୍ରତି ଦୃଷ୍ଟିପାତ କଲେ ଜଣାଯାଏ ତାଙ୍କ ପରି ଜଣେ ଅବିକତ୍‌ଥନ, କ୍ଷମାଶୀଳ, ଦୃଢ଼ବ୍ରତ, ନ୍ୟାୟବାନ, ଚତୁର, ବାକ୍‌ପଟୁ, ଦାନଶୀଳ, ପ୍ରିୟଭାଷୀ, ବୀର, କର୍ତ୍ତବ୍ୟନିଷ୍ଟ, ବିଚାରଶୀଳ, ସଙ୍ଗୀତପ୍ରିୟ ରସିକ, ପ୍ରେମିକ ତଥା ସୁଶାସକ ନରପତି ଆର୍ଯ୍ୟ ସମାଜର ଗୌରବ ବର୍ଦ୍ଧକ ଓ କାବ୍ୟ ସାହିତ୍ୟର ଅକଳଙ୍କ ସର୍ବ ଜନପ୍ରିୟ ନାୟକ ।

 

ନାୟିକା ଶକୁନ୍ତଳା—

 

ନାରୀ ହେଉଛି ବିଶ୍ୱ ସୃଷ୍ଟିର ବିସ୍ମୟ । ନାରୀର ଆଶ୍ଚର୍ଯ୍ୟ ରୂପ ସମ୍ଭାର ଓ ବିଚିତ୍ର ଗୁଣାବଳୀ ଯୁଗେ ଯୁଗେ କବି ଚିତ୍ତକୁ ଅଭିଭୂତ, ଆକୃଷ୍ଟ କରିଛି । କବି ଲେଖନୀ ଚଞ୍ଚଳ ହୋଇଛି ନାରୀର ରୂପ ବର୍ଣ୍ଣନରେ, ମୁଖର ହୋଇଛି ଗୁଣ କୀର୍ତ୍ତନରେ । ପ୍ରତ୍ୟେକ କବି ତାର ମାନସ-ନନ୍ଦିନୀକୁ ସଂସାର-ସୁଧାସାର ରୂପେ କଳ୍ପନା କରିଛନ୍ତି । କିନ୍ତୁ ସର୍ବକାଳରେ କବି କାଳିଦାସଙ୍କକ ନାୟିକା ଶକୁନ୍ତଳା ସକଳ ବିସ୍ମୟର ବିସ୍ମୟ । ମହାଭାରତର ଏକ ବୈଶିଷ୍ଟ୍ୟ ବିହୀନ ଉପାଖ୍ୟାନ ଓ ସ୍ୱାର୍ଥପ୍ରବଣ ଶଠ ନାୟକ, ଅସହିଷ୍ଣୁ ପ୍ରଗଳ୍‌ଭା ନାୟିକାକୁ ନେଇ ବିଶ୍ୱର ଏକ ଶ୍ରେଷ୍ଠ ନାଟକ, ପରାକ୍ରମୀ, ରସିକ, ପ୍ରେମିକ, ନାୟକ ଓ ସରଳା, ସୁରସିକା, ମୁଗ୍‌ଧା ନାୟିକାର ରମଣୀୟ ମୂର୍ତ୍ତି ଗଢ଼ିବା ଅସାମାନ୍ୟ ପ୍ରତିଭା ସାପେକ୍ଷ । ଅପରୂପ ସୌନ୍ଦର୍ଯ୍ୟ ଭୂଷିତା ଶକୁନ୍ତଳା କାଳିଦାସଙ୍କ ପ୍ରତିଭାର ନିଃଶେଷିତ ସ୍ୱାକ୍ଷର । ଶକୁନ୍ତଳାଙ୍କ ଉଦ୍ଦେଶ୍ୟରେ ପାଶ୍ଚାତ୍ୟର ମନୀଷୀ ଗେଟେ କହିଛନ୍ତି

 

‘‘Woudst thou the earth and

heaven in one sole name combine

I name thee, O Sakuntla, and

all at once is said,’’

 

ମର୍ତ୍ତ୍ୟଭୁବନର ତପଃସିଦ୍ଧ ମୁନି ବିଶ୍ୱାମିତ୍ରଙ୍କ ଔରସରେ ସ୍ୱର୍ଗର ଅପ୍‌ସରା ମେନକାଙ୍କ ଗର୍ଭସମ୍ଭୂତା ଶକୁନ୍ତଳା ସ୍ୱର୍ଗ ଓ ମର୍ତ୍ତ୍ୟର ରୂପୈଶ୍ୱର୍ଯ୍ୟ ବିମଣ୍ତିତା । ସେ ନିଜେ ନିଜର ଉପମା, ନିର୍ଦ୍ଦୋଷ ସୌନ୍ଦର୍ଯ୍ୟର ପ୍ରତିମା ।

 

ଅପ୍‌ସରା ଦୁହିତା, ଋଷିଆଶ୍ରମ ପାଳିତା, ବନବାସିନୀ, କୃଚ୍ଛ୍ର ଚାରିଣୀ, ମଧୁରଦର୍ଶିତା ଅନିନ୍ଦିତା ସୁନ୍ଦରୀ ଶକୁନ୍ତଳା ଗଙ୍ଗାଧରଙ୍କ ପ୍ରଣୟବଲ୍ଲରୀ ସୌନ୍ଦର୍ଯ୍ୟ ସୁରଭିତା ମୁଗ୍‌ଧା ନାୟିକା । କାଳିଦାସଙ୍କ ‘ନବମାଳିକା-କୁସୁମ-ପେଲବା ଶକୁନ୍ତଳା ଗଙ୍ଗାଧରଙ୍କ ‘ଆନନ୍ଦ ପ୍ରତିମା’ ବେନି ପତ୍ର ମଧ୍ୟରେ ପ୍ରସୂନ ତୁଲ୍ୟ ଶୋଭିତା ।

 

ପୁରୁବଂଶର ଗୌରବ ମହାତେଜ ମହାରାଜା ଦୁଷ୍ମନ୍ତ ବୃକ୍ଷ ଅନ୍ତରାଳରୁ ନବକୁସୁମ ସଦୃଶ ଉଲ୍ଲସିତ ଯୌବନା ଶକୁନ୍ତଳାଙ୍କୁ ଦେଖି ଆତ୍ମବିସ୍ମୃତ ହୋଇ ପଡ଼ିଛନ୍ତି । ଶକୁନ୍ତଳାଙ୍କ କୁସୁମ କୋମଳ ଆନବଦ୍ୟ ଅଙ୍ଗରେ ବଲ୍‌କଳର ପରିଚ୍ଛଦ ରାଜାଙ୍କୁ ବିଷଦୃଶ ପ୍ରତୀତ ହୋଇଛି । ତଥାପି ସୌନ୍ଦର୍ଯ୍ୟ ଅଭିଭୂତ ରାଜା ଶକୁନ୍ତଳାଙ୍କୁ ଲକ୍ଷ୍ୟକରି କହିଛନ୍ତି—

 

‘‘ବିସ୍ଫାରିତ ହୋଇପଡ଼ୁଛି ତଥାପି

ଲଳନା-ଲାବଣ୍ୟ-ପ୍ରଭା,

ଯଥା ଶିବ-ଜଟା-ଚନ୍ଦ୍ରିକା ଶୈବାଳ-

ବେଷ୍ଟିତ-ପଦ୍ମିନୀ ଅବା ।

କଳଙ୍କହିଁ ଥାଇ କଳାକର କୋଳେ

କରଇ ନେତ୍ର ରଞ୍ଜନ,

ସ୍ୱଭାବ-ସୁନ୍ଦର ଅଙ୍ଗକୁ ଜଗତେ

ନ ହୁଏ କିସ ମଣ୍ତନ ?’’

ରୁକ୍ଷ କର୍କଶ ବଳ୍‌କଳ ଧାରଣ କଲେହେଁ ଶକୁନ୍ତଳାଙ୍କ ନୈସର୍ଗିକ ରୂପ-ସମ୍ପଦ ତିଳେମାତ୍ର କ୍ଷୁଣ୍ଣ ନ ହୋଇ ରାଜ-ନେତ୍ରରେ ଅଧିକ ରମଣୀୟ ପ୍ରତୀତ ହୋଇଛି । ଜଳକୁମ୍ଭକୁ ତଳେ ରଖି ଶକୁନ୍ତଳା ସଳଖ ହୋଇ ଛିଡ଼ା ହୁଅନ୍ତେ ରାଜାଙ୍କ ହୃଦୟରେ ରାଜପୁରରେ ଅଙ୍କିତ ସୁବର୍ଣ୍ଣ ଲତିକାର ଛବି ଆଙ୍କି ହୋଇଗଲା । ମନେ ହେଲା ଶକୁନ୍ତଳା ସୁନାର ଲତାଟିଏ, ତାଙ୍କର ରକ୍ତିମ ପାପୁଲି ପଦ୍ମରାଗ ମଣିର ପଲ୍ଲବ, ମନୋରମ ଉଜ୍ଜ୍ୱଳ ନଖକାନ୍ତି ହୀରା ନିର୍ମିତ କୁସୁମ କଳିକା । ଏଇ ଆଶ୍ଚର୍ଯ୍ୟ ସୁନ୍ଦର ରୂପକାନ୍ତି ଦେଖି ରାଜା ଭାବିଛନ୍ତି—

‘‘ଲତା ନୁହେଁ ବାମା ବିଧତା-ମାନସ

ଲତା-ଚୂଡ଼-ଶୋଭୀ-ଫୁଲ,

ଭାଗ୍ୟଦେବୀ ଶିର-ଯୋଗ୍ୟ ଏ ଭୂଷଣ

ଫୁଲ ଅମୂଲ୍ୟ ଅତୁଲ୍ୟ ।’’

ସୌନ୍ଦର୍ଯ୍ୟ-ରସିକ କବି-ମନର ସକଳ କଳ୍ପନା-ମାଧୁରୀ ଢାଳି ମାନସ-କନ୍ୟାର ଯେଉଁ ଲାବଣ୍ୟ ମୂର୍ତ୍ତି ଅଙ୍କନ କରିଛନ୍ତି, ତାର ପ୍ରକୃତ ପୂଜାରୀ ହେଉଛନ୍ତି ପ୍ରେମିକ ପୁରୁଷ ।

ଶକୁନ୍ତଳାଙ୍କର ସ୍ୱର୍ଗୀୟ ସୁଷମା ତରଙ୍ଗରେ ନିମଜ୍ଜିତ ଦୁଷ୍ମନ୍ତଙ୍କ ମନ କହିଛି—

‘‘ସ୍ୱର୍ଗୀୟ ଲତାର ନବ କୁସୁମ ଏ

ସ୍ୱର୍ଗୀୟ ସୁଷମାନ୍ୱିତ,

ସ୍ୱର୍ଗୀୟ ସୌରଭ ସ୍ୱର୍ଗୀୟ ମାର୍ଦ୍ଦବ

ଅନାଘ୍ରାତ ଅଚୁମ୍ବିତ ।’’

ସେଇ ‘‘ଦିବ୍ୟ-ପ୍ରଭା’’ ଆନନରେ ଦୃଷ୍ଟି ସ୍ଥାପନ କରି ରାଜା ମଧବ୍ରତ ତୁଲ୍ୟ ନବପୁଷ୍ପିତା ଶକୁନ୍ତଳାଙ୍କ ରୂପ-ମଧୁ ପାନ କରିଛନ୍ତି । ଘନକୃଷ୍ଣ କେଶରାଜି ମଧ୍ୟରେ ଶୁଭ୍ର ସରଳ ସୀମାନ୍ତରେଖା, କପାଳରେ ଅଯତ୍ନଲାଳିତ ଚୂର୍ଣ୍ଣକୁନ୍ତଳ ବାଳଭ୍ରମର ପରି ପଦ୍ମାନନାର ଗଣ୍ତଦେଶକୁ ଚୁମ୍ବନ କରୁଛନ୍ତି-। ଗାଢ଼ କୃଷ୍ଣ ବର୍ଣ୍ଣର ଭ୍ରୂଲତା ଆକର୍ଣ୍ଣ ବିସ୍ତୃତ, ଘନ ପକ୍ଷ୍ମଶୋଭିତ ଦୀର୍ଘ ନୟନ, ସୁଗଠିତ ନାସା, ବର୍ତ୍ତୁଳ ଚିବୁକ ଓ ଅତି ସୁନ୍ଦର ଅଧର ପଲ୍ଲବ ସୌନ୍ଦର୍ଯ୍ୟରେ ପରସ୍ପରକୁ ଜୟ କରିବା ପାଇଁ ବ୍ୟଗ୍ର, ବ୍ୟାକୁଳ । ପୁଣି—

‘‘ଶ୍ରବଣଯୁଗଳମୁଖ-ଶୋଭା-ରାଜ୍ୟେ

କରିବାକୁ ରାଜପଣ,

ସୀମା ପ୍ରାନ୍ତେ ଥାଇ ଉଭୟ ଦିଗରୁ

କରୁଥାନ୍ତି ଆକ୍ରମଣ ।’’

 

ଏଇମିତି ସର୍ବାଙ୍ଗସୁନ୍ଦରୀ ଶକୁନ୍ତଳାଙ୍କ ଅଙ୍ଗ-ଲାବଣ୍ୟ ଦେଖିବାକୁ ରାଜାଙ୍କର ଉତ୍କଣ୍ଠା-ଜାଗ୍ରତ ନୟନ ମୁହୂର୍ତ୍ତକ ପାଇଁ ବିଶ୍ରାମ ନ ପାଇ ଅପଲକ ହୋଇଯାଇଛି । ସର୍ବ ଶୋଭା ଘେନି ମୂର୍ତ୍ତିମତୀ ରାଜଲକ୍ଷ୍ମୀ ତୁଲ୍ୟ ଶକୁନ୍ତଳା ପ୍ରଭାନ୍ୱିତା ।

 

କେବଳ ଦୁଷ୍ମନ୍ତଙ୍କ ପ୍ରେମ-ପୂରିତ ଲୋଚନ ଶକୁନ୍ତଳାଙ୍କୁ ସପ୍ରଶଂସା ଦୃଷ୍ଟିରେ ଦେଖି ଯେ ଅଭିଭୂତ ହୋଇଛି ତା ନୁହେଁ, ପଞ୍ଚମ ସର୍ଗରେ ରାଜଦର୍ଶନପ୍ରାର୍ଥୀ ତପସ୍ୱିକୁମାର, ଗୌତମୀ ଓ ଶକୁନ୍ତଳାଙ୍କ ସଂବାଦ ନେଇ ରାଜ-ସଭାରେ ପ୍ରତିହାରୀ ଉପସ୍ଥିତ ହୋଇ କହିଛି—

 

‘‘ତାପସଙ୍କ ମଧ୍ୟେ ତରୁଣୀର ରୂପ

ଦିଶୁଛି ଲାବଣ୍ୟମୟ,

ପାଣ୍ତୁର-ପତର-ମଧ୍ୟେ ମନୋରମ

ଯଥା ନବ କିଶଳୟ ।’’

 

‘‘ପ୍ରସ୍ତର ଭିତରେ ହୀରା ଖଣ୍ତ ପରି’’ ସହଜରେ ଚିହ୍ନିତ ହେଉଥିବା ଶକୁନ୍ତଳାଙ୍କ ସୌନ୍ଦର୍ଯ୍ୟ ବର୍ଣ୍ଣନାରେ ଗଙ୍ଗାଧରଙ୍କ ଲେଖନୀ ଉଚ୍ଛ୍ୱାସ-ମୁକ୍ତ ହୋଇଉଠିଛି । ‘‘କଞ୍ଜ-ଖଞ୍ଜନ-ଗଞ୍ଜନ-ଲୋଚନା’’ ଲାବଣ୍ୟବତୀ ନିଜ ‘ଯୁବା ଧୈର୍ଯ୍ୟ-କବଚ ପ୍ରତି କଟାକ୍ଷ ତୀରେ’ ତୁଟାଉଥିବା ଚନ୍ଦ୍ରଭାନୁ ସୌନ୍ଦର୍ଯ୍ୟଗାରିମା ପକ୍ଷ୍ମବିଶୋଭିତ ଦୀର୍ଘନୟନା ଲାବଣ୍ୟମୟୀ ଚନ୍ଦ୍ରାଭାନୁ ଶନ୍ତୁଳାଙ୍କ ନିକଟରେ ମ୍ଳାନ ହୋଇ ଯାଇଛି । ଗଙ୍ଗାଧରଙ୍କ କଳ୍ପନା ଶୋଭିତା, ଅପରୂପା, ଅନିନ୍ଦିତା କାବ୍ୟ-ନାୟିକା ଶକୁନ୍ତଳାଙ୍କ ପ୍ରଶଂସା ରୂପ ଶୋଭା ସର୍ବକାଳର ସକଳ ରସିକର ହୃଦୟ-ତରୁ ପଲ୍ଲବିତ କରିବା ପାଇଁ ସମର୍ଥ ।

 

ସର୍ବଶୋଭା-ସୀମନ୍ତିନୀ ଶକୁନ୍ତଳାଙ୍କ ଦେହ ଯେ କେବଳ ସ୍ୱତଃ ସୁଷମାରେ ଆଲୋକିତ ତା ନୁହେଁ, ତାଙ୍କର ହୃଦୟ ମଧ୍ୟ ‘ଶମପ୍ରଧାନ’ ଆଶ୍ରମର ଶାନ୍ତ ପରିବେଶର ଦିବ୍ୟ ମଧୁରୀରେ ସାରଲ୍ୟପ୍ରଦୀପ୍ତ । ସ୍ୱତଃ ବର୍ଦ୍ଧିତ ସଯତ୍ନଲାଳିତ ନିଆଳୀ ଲତାରେ ‘ନବ ପୁଷ୍ପ ଉଦ୍‌ଗମନ’ ଶକୁନ୍ତଳାଙ୍କ ହୃଦୟରେ ଅନାବିଳ ଆନନ୍ଦର ଉଚ୍ଛ୍ୱସିତ ପ୍ରକାଶହିଁ ଜନ ‘‘ଅବିଦିତ-ସଂସାର ବୃତ୍ତାନ୍ତ’’ ସରଳ ହୃଦୟର ବିଶ୍ୱସ୍ତ ପରିଚୟ ଦିଏ ଶକୁନ୍ତଳା ପ୍ରଭଳ୍‌ଭା ନୁହନ୍ତି, ସ୍ୱଳ୍ପଭାଷିଣୀ । ତାଙ୍କର ସଦା ପ୍ରତ୍ୟୁତ୍ତର ମୁଖମଣ୍ତଳରେ ଦରହାସ ଫୁଟିଉଠିଛି ଓ ମନର ଆନନ୍ଦକୁ ପ୍ରିୟ ସଖୀକୁ କହି ସେ ରହି ପାରିନାହାନ୍ତି । ’’ଦେଖ ମୋ ନିଆଳୀ ହୋଇ ଯାଇଅଛି ନବ କୁସୁମିତ’’ ଉକ୍ତି ମଧ୍ୟରେ ଶିଶୁର ସାରଲ୍ୟ ପ୍ରକାଶିତ । ଆଶ୍ରମର ବୃକ୍ଷ ଲତା, ମୃଗ ମୟୁର—ଏଇମାନଙ୍କୁ ଘେନି ଶକୁନ୍ତଳାଙ୍କର ସଂସାର ଆନନ୍ଦିତ, ତାଙ୍କର ଅନ୍ତର ଭରା ମମତା ଏଇମାନଙ୍କ ଉଦ୍ଦେଶ୍ୟରେ ନିର୍ଝରିତ ।

 

ଆଶ୍ରମ-ପାଳିତା ଋଷିକନ୍ୟା ଶକୁନ୍ତଳାଙ୍କର ସରଳ ନିର୍ବିରୋଧ ଜୀବନରେ ଉଜ୍ଜ୍ୱଳ କାନ୍ତି, ମଧୁର ଆକୃତି ଓ ଶାନ୍ତି ଗମ୍ଭୀର ପ୍ରକୃତି ଦୁଷ୍ମନ୍ତଙ୍କର ଆକସ୍ମିକ ଆବିର୍ଭାବ ବିଷମ ସମସ୍ୟା ସୃଷ୍ଟି କରିଛି । ଦୁଷ୍ମନ୍ତଙ୍କୁ ଦେଖିବା ମାତ୍ରେ ‘ସୁକୁମାରୀ ସକୁନ୍ତଳା’ ଶକୁନ୍ତଳାଙ୍କ ହୃଦୟ ଲଜ୍ଜାରେ ସଂକୁଚିତ ହୋଇଛି । ପ୍ରଥମ ଦର୍ଶନରେ ତାଙ୍କର ହୃଦୟ-ସରରେ ପ୍ରେମ–କମଳିନୀ ପ୍ରସ୍ଫୁଟିତ ହୋଇଛି । ପ୍ରକୃତି କୋଳରେ ଲାଳିତା ଶକୁନ୍ତଳାଙ୍କ ଫୁଲ ପରି କୋମଳ, ଆକାଶ ପରି ସ୍ୱଚ୍ଛ ଓ ଶିଶୁ ପରି ସରଳ ହୃଦୟରେ ଦେଖାଦେଇଛି ସଂକଟର ମେଘ । ଆଶ୍ରମର ପୁଷ୍ପ ଲତା, ଜୀବଜନ୍ତୁ ଚିରକାଳ ତାଙ୍କର ଦୃଷ୍ଟିନନ୍ଦନ ହୋଇ ଚିତ୍ତ ଆକର୍ଷଣ କରିଛନ୍ତି; କିନ୍ତୁ ସେ ଭାବ ପରିବର୍ତ୍ତିତ ହୋଇଛି ଦୁଷ୍ମନ୍ତ-ଦର୍ଶନରେ । ଶକୁନ୍ତଳାଙ୍କ ଆଖି ରାଜାଙ୍କର ପଦଯୁଗଳରେ ଲାଖି ରହିଛି । ଲଜ୍ଜାଜଡ଼ିତ ଦୃଷ୍ଟି ଉତ୍ତୋଳନ କରି ସନ୍ତର୍ପଣରେ ରାଜାଙ୍କୁ ଦର୍ଶନ କରିଛି । ଯିବାକୁ ଇଚ୍ଛା ନ ଥିଲେ ବି ଗମନ ଉନ୍ମୁଖୀ ହୋଇ ଅନ୍ୟମନସ୍କ ଭାବରେ ବସିଲା ପରି ଶକୁନ୍ତଳା ସପ୍ତପର୍ଣ୍ଣ-ପତ୍ରର ଶିରା ଗଣିଛନ୍ତି । ଏପରି ଛଳନା ସହିତ ଶକୁନ୍ତଳା ଅଭ୍ୟସ୍ତା ନୁହନ୍ତି । ତେଣୁ ତାଙ୍କର ଅସତର୍କ ମୁହୂର୍ତ୍ତରେ ଉତ୍ତୋଳିତ ଦୃଷ୍ଟି ସହିତ ଦୁଷ୍ମନ୍ତଙ୍କ ଦୃଷ୍ଟି ମିଳିତ ହୋଇ ଶକୁନ୍ତଳାଙ୍କ ହୃଦୟରେ ପ୍ରେମ-ବିଦ୍ୟୁତ୍‌କୁ ସ୍ଫୁରିତ କରିଛି । ତାଙ୍କର ଐକାନ୍ତିକ ଅଭିଳାଷ ପ୍ରକାଶ ପାଇଛି—

 

‘‘ଲାଗିଥାଏ ଯାହା ପାଦରେ ଆଶ୍ରମ-

ପଦର-ପଦକୀ-ଧୂଳି,

ଧୋଇ ଦେଇ ପୋଛି-ଦେବା ପାଞ୍ଚ କରୁ-

ଥାଏ ତରୁଣୀ ମଉଳୀ ।’’

 

ସେତିକିରେ ପ୍ରେମ-ପୁଷ୍ପିତ ହୃଦୟର ଆକାଙ୍‌କ୍ଷା ମଉଳି ଯାଇନାହିଁ ।

 

‘‘ଶ୍ରଦ୍ଧା ଲାଖି ମନେ ମସ୍ତକେ ତିଳକ

ଦେଇ ଅତିଥି ସତ୍କାର

କରନ୍ତା, କରନ୍ତେ ସଖୀମାନେ ଯଦି

ତହିଁ ପାଇଁ ବଳାତ୍କାର ।’’

 

ଶକୁନ୍ତଳାଙ୍କ ହୃଦୟ ପାଦପ ଆଳବାଳରେ ଜଳ ସିଞ୍ଚନ କରିବା ପାଇଁ ବ୍ୟାକୁଳ ହୋଇଛି-। ମୃଗ ଶିଶୁର ମସ୍ତକରେ ସସ୍ନେହ ହସ୍ତ ସଞ୍ଚାଳନ ପାଇଁ ଚଞ୍ଚଳ ହୋଇଛି; କିନ୍ତୁ ଅପରିଚିତ ପୁରୁଷର ପାଦ ପ୍ରକ୍ଷାଳନ ପାଇଁ, ମସ୍ତକରେ ତିଳକ ଆଙ୍କି ଅତିଥି ସତ୍କାର ପାଇଁ ହୃଦୟରେ କାତରତା ପ୍ରକାଶ ପାଇନାହିଁ । ବିଚିତ୍ର ଅନୁଭୂତିରେ ଶକୁନ୍ତଳାଙ୍କ ହୃଦୟ ଆଚ୍ଛନ୍ନ ହୋଇଛି, ଯେତେବେଳେ ରାଜା ତାଙ୍କ ଅଙ୍ଗୁଷ୍ଠିରେ ନିଜ ନାମାଙ୍କିତ ମୁଦ୍ରିକା ପିନ୍ଧାଇ ଦେଇ ବନଗଜ-ଭୟ ନିବାରଣ ପାଇଁ ସେ ସ୍ଥାନ ତ୍ୟାଗ କରିଛନ୍ତି । ପ୍ରଥମ ଦର୍ଶନରେ ତାଙ୍କ ଦୃଷ୍ଟି ମୋହାଚ୍ଛନ୍ନ, ପ୍ରଥମ ସ୍ପର୍ଶରେ ହୃଦୟ ପ୍ରେମବିବଶ ହୋଇଛି-। ତେଣୁ ସଖୀମାନଙ୍କୁ ‘‘ଶକୁନ୍ତଳା-ପ୍ରାଣ ଅଛି କି ନା ଦେହେ ନ ହେଲା ତାଙ୍କୁ ବିଦିତ-।’’ ଏକ ନବୀନ ଭାବାବେଗରେ ତାଙ୍କର ଦୃଷ୍ଟି-ଦର୍ଶନ-ଲାଳସୀ ହୋଇ ରାଜାଙ୍କ ପ୍ରତି ଆକୃଷ୍ଟ ହେଲା-। ଚଳତ୍‌ଶକ୍ତି ରହିତା, ଦୁଷ୍ମନ୍ତ ଗତପ୍ରାଣ ଶକୁନ୍ତଳା ପୂର୍ବର ସରଳତା ଭୁଲି ଛଳନାର ଅଞ୍ଚଳ ତଳେ ଆଶ୍ରୟ ନେଇ ‘‘କୁରୁବକ କଣ୍ଟା ଲାଗିଗଲା’’ ବୋଲି ସଖୀଙ୍କୁ କପଟ ଭାବରେ କହିଲେ-। ଶକୁନ୍ତଳାଙ୍କର ଏଇ ମାନସ ପରିବର୍ତ୍ତନ ହିଁ ତାଙ୍କର ଚାରିତ୍ରିକ ସୌନ୍ଦର୍ଯ୍ୟର ପରିଚାୟକ-। ପ୍ରଣୟବିମୁଗ୍‌ଧା ଶକୁନ୍ତଳାଙ୍କ ସହିତ ପାଠକର ଏଇଠି ପ୍ରତ୍ୟକ୍ଷ ସାକ୍ଷାତ ଘଟେ ।

 

‘‘ଚାମରିଣୀ ମୃଗୀ ଯେମିତି ଅତି ଯତ୍ନରେ ଓ ଅତି ସତର୍କତା ସହିତ ନିଜର ଚାମରଟି ରକ୍ଷାକରେ, ମଣିଭୂଷଣା ଫଣୀ ଯେପରି ଶିରୋମଣିଟି ସଯତ୍ନରେ ଧାରଣ କରେ, ଗନ୍ଧ-ହରିଣୀ ଯେମିତି ନାଭିସ୍ଥିତ କସ୍ତୁରିକାକୁ ନିୟତ ସଂଗୋପନ କରି ରଖେ’’ ଶକୁନ୍ତଳା ମଧ୍ୟ ସେଇମିତି ତାଙ୍କ ହୃଦୟର ପ୍ରେମ-ମଧୁର ଭାବକୁ ଗୋପନ ରଖି ସଖୀମାନଙ୍କ ଅଲକ୍ଷ୍ୟରେ ଦୁଷ୍ମନ୍ତଙ୍କ ପ୍ରେମ-ସଂକେତକୁ ବାରମ୍ବାର ଦେଖୁଥିଲେ । ରାଜାଙ୍କୁ ଦେଖିବା ପାଇଁ ମନ ଅସ୍ଥିର ହୋଇଛି । ଶକୁନ୍ତଳାଙ୍କର ପ୍ରେମ-ମଞ୍ଜରିତ ହୃଦୟର ପରିଚୟ ଦେବାକୁ ଯାଇ କବି କହିଛନ୍ତି—

 

‘‘ପ୍ରୀତି-ପ୍ରତିମମାର ପ୍ରଭା କରି ତାର

ହୃଦୟ-ମନ୍ଦିର ଦୀପ୍ତ,

ମନ୍ଦାକ୍ଷ-ତିମିର ଆଚ୍ଛାଦିତ ମୁଖ-

ପ୍ରାଙ୍ଗଣରେ ହେଲା କ୍ଷପ୍ତ ।’’

 

ଶକୁନ୍ତଳାଙ୍କର ଲଜ୍ଜାକୁଣ୍ଠିତ, ବ୍ରୀଡ଼ାବନତ ମୁଖମଣ୍ତଳ ପ୍ରେମରେ ଉଦ୍ଭାସିତ ହୋଇଉଠିଛି-। ରାଜାଙ୍କର ସ୍ପର୍ଶ-ସୁଖ ସ୍ମରଣରେ ତାଙ୍କ ହୃଦୟ ପୁଲକିତ ହୋଇଛି ଓ ଶେଷରେ ମିଳନରେ ଆକାଙ୍‌କ୍ଷାରେ ପ୍ରାଣ ବ୍ୟାକୁଳ ହୋଇଛି । ଶକୁନ୍ତଳାଙ୍କ ହୃଦୟରେ ଏତେ ସଂକୋଚ, କୁଣ୍ଠା ଓ ସଂଗୋପନର କାରଣ, ସେ ବୁଝିଥିଲେ ଦୁଷ୍ମନ୍ତଙ୍କ ପ୍ରତି ତାଙ୍କର ମନର ପ୍ରବଳ ଆକର୍ଷଣ ଓ ପ୍ରେମବିଶ ଭାବ ଆଶ୍ରମ ଚାରିଣୀ ପକ୍ଷରେ ଶୋଭନୀୟ ନୁହେଁ—ଏହା ଆଶ୍ରମ ବିରୁଦ୍ଧ ଭାବ; କିନ୍ତୁ ପ୍ରେମର ପ୍ରବଳ ସ୍ରୋତରେ ତାଙ୍କର ଏଇ ପ୍ରବୁଦ୍ଧ ହୃଦୟ ତୃଣଖଣ୍ତ ପରି ଭାସିଗଲା । ଦେବତାର ଆରାଧନା ପାଇଁ ସଂଗୃହୀତ ପୁଷ୍ପରେ ଶକୁନ୍ତଳା ପ୍ରେମ-ଦେବତାର ପୂଜାପାଇଁ ମାଳା ରଚନା କଲେ-। ହୋମକାଠ ସଂଗ୍ରହ କରିବାକୁ ଯାଇ ଡିମିରି ପରିବର୍ତ୍ତେ ଚନ୍ଦନ କାଠରେ ଆଖି ଲାଖିରହିଲା-। ଅର୍ଥାତ୍‌ ତାପସ-କନ୍ୟାର ବୃତ୍ତି ତ୍ୟାଗକରି ଅପ୍‌ସରା କନ୍ୟାର ଭାବ ଜାଗ୍ରତ ହେଲା । ତପଶ୍ଚାରିଣୀ ଶକୁନ୍ତଳାର ମୃତ୍ୟୁ ଘଟିଲା—ଜନ୍ମ ନେଲା ପ୍ରେମବିଳାସିନୀ ପ୍ରଣୟମୁଗ୍‌ଧା ଶକୁନ୍ତଳା । ତପଶ୍ଚର୍ଯ୍ୟା ଥିଲା ଯାହା ଜୀବନର ଏକମାତ୍ର ବ୍ରତ, ସେ ପ୍ରେମଚର୍ଯ୍ୟାରେ ଏକାଗ୍ର ହେଲା । ଲଜ୍ଜାବତୀ କିଶୋରୀ ପରିଣତ ହେଲା ନବ ଆଶାବତୀ ବାମାରେ । ଶକୁନ୍ତଳାଙ୍କର ଫୁଲପରି କୋମଳ ନିର୍ମଳ ସୁନ୍ଦର ହୃଦୟ, ସଂସାର ଅନଭିଜ୍ଞ ଚିତ୍ତବୃତ୍ତି ନବୀନ ପ୍ରେମାରୁଣରାଗରେ ଉଦ୍ଭାସିତ ହୋଇଉଠିଲା ।

କବିଙ୍କ ଭାଷାରେ

‘‘ବିଦାୟକାଳୀନ ସତୃଷ୍ଣ ଦର୍ଶନ

ନୃପତିଙ୍କୁ ସ୍ମରି ସ୍ମରି

ପ୍ରଣୟ-ପ୍ରମୋଦ-ବିମୁଗ୍‌ଧା ସୁନ୍ଦରୀ

ଯାପନ କଲା ଶର୍ବରୀ ।’’

 

ପ୍ରୀତି-ପ୍ରମୋଦ ଦେବତାଙ୍କ ଅଦର୍ଶନରେ ‘‘ପ୍ରଣୟ-ବିମୁଗ୍‌ଧା ସୁନ୍ଦରୀ’’ ଶକୁନ୍ତଳା ପ୍ରେମ ଉନ୍ମାଦଗ୍ରସ୍ତ ଆତ୍ମବିସ୍ମୃତ ଅବସ୍ଥା ଲାଭକଲେ । ପୂର୍ବ ଆଚରିତ କର୍ମରେ ବିମୁଖ ହେଲେ । ବନବାସିନୀ ହୋଇ କଳ୍ପନାରେ ରାଜପୁରଚାରିଣୀ ରାଜ ଐଶ୍ୱର୍ଯ୍ୟ ବିଳାସିନୀ ହେଲେ । ଶକୁନ୍ତଳାଙ୍କ ଦେହ ମାତ୍ରକ ଆଶ୍ରମରେ ଅବସ୍ଥାନ କଲା । ମନ ପତିଙ୍କର ଅନୁବର୍ତ୍ତିନ ହୋଇ ହସ୍ତିନାରେ ବିଚରଣ କଲା । ଏମିତି ଏକ ସ୍ୱପ୍ନବିଭୋର ଅବସ୍ଥାରେ ଦୁର୍ବାସାଙ୍କ ଆଗମନ ଓ ‘‘ଅତିଥି ମୁଁ’’ ବୋଲି ନିଜର ପରିଚୟ ଜ୍ଞାପନ ପ୍ରେମବିବଶା ଶକୁନ୍ତଳାଙ୍କର ଶ୍ରୁତିଗୋଚର ହେଲା ନାହିଁ । ଅତିଥି ସତ୍କାର ଆଶ୍ରମବାସିନୀର ପ୍ରଧାନ କର୍ତ୍ତବ୍ୟ, ସେ କର୍ତ୍ତବ୍ୟରେ ଅବହେଳା କରିବାର ବିଷମୟ ଫଳ ହେଲା ଋଷି ଅଭିଶାପ । ଯାହାଙ୍କୁ ଏକାନ୍ତ ଭାବରେ ଅନନ୍ୟଚିତ୍ତ ହୋଇ ଶକୁନ୍ତଳା ଧ୍ୟାନ କରୁଥିଲେ, ସେଇ ମହାନୁଭବ ଭାରତେଶ୍ୱର ଦୁଷ୍ମନ୍ତ ତାଙ୍କୁ ବିସ୍ମୃତି ହେଲେ; କିନ୍ତୁ ଦୁର୍ବାସାଙ୍କ ଅଭିଶାପ ଅନଭିଜ୍ଞା ଶକୁନ୍ତଳାଙ୍କ ଧ୍ୟାନସ୍ଥ ମୂର୍ତ୍ତି ତାଙ୍କର ପ୍ରଣୟ ରସଘନ ଅନ୍ତରର ଏକ ସାର୍ଥକ ପ୍ରତିରୂପ ।

 

ଶକୁନ୍ତଳା ଆତ୍ମସମାହିତ ଚିତ୍ତରେ ‘ପୁତ୍ତଳିକା’ ପରି ବସି ରହିଛନ୍ତି । ନିଜର ଅଜ୍ଞାତସାରରେ ‘ଦୁଷ୍ମନ୍ତ’ ନାମ ଲେଖି ତା’ ଉପରେ ବାରମ୍ବାର ଅଙ୍ଗୁଳି ଚାଳନା କରିଛନ୍ତି । ଦୁଷ୍ମନ୍ତ–ଏହି ତିନୋଟି ଅକ୍ଷର, ଗୋଟିଏ ନାମକୁ ନେଇ ତାଙ୍କର ଜଗତ । ତାରି ଭିତରେ ସେ ପ୍ରକାଶିତ, ପ୍ରତିଷ୍ଠିତ । କଣ୍ୱମୁନି ଯେତେବେଳେ ଆଶ୍ରମକୁ ପ୍ରତ୍ୟାବର୍ତ୍ତନ କଲେ, ଶକୁନ୍ତଳା ପୂର୍ବର ସରଳତା, ଉଚ୍ଛଳତା ପ୍ରକାଶ ନ କରି ଲଜ୍ଜା ଓ ଭୟରେ ସଂକୁଚିତା ହୋଇ ସଖୀ ପଛରେ ଆତ୍ମଗୋପନ କଲେ-। ପିତାଙ୍କର ଅନୁପସ୍ଥିତିରେ ଗାନ୍ଧର୍ବ ରୀତିରେ ବିବାହ କରି ସନ୍ତାନସମ୍ଭବା ହୋଇଥିବାରୁ ଶକୁନ୍ତଳା ଭୀତା, ଲଜ୍ଜିତା । ଆଶ୍ରମର ନୀତିବିରୁଦ୍ଧ କାର୍ଯ୍ୟ କରିଥିବାରୁ ଓ କଣ୍ୱଙ୍କ ବିନାନୁମତିରେ ବିବାହ କରିଥିବାରୁ ତାଙ୍କ ମନରେ ଅପରାଧ ବୋଧ । ଆସିବାକୁ କହି ଦୁଷ୍ମନ୍ତ ନ ଆସିବାରୁ ସେ ଚିନ୍ତିତା-। କିନ୍ତୁ ପ୍ରଣୟ-ଦ୍ୱିଧାଗ୍ରସ୍ତା ନୁହନ୍ତି । ଶକୁନ୍ତଳାଙ୍କ ହୃଦୟ ସୌନ୍ଦର୍ଯ୍ୟ-ଉଦ୍‌ଭାସିତ ହୋଇଛି ଦୁଇଟି କଥାରେ—

 

‘‘ପ୍ରବାଳ-ଲଳିତା କେମନ୍ତେ ଜାଣିବ

ସାଗର କେତେ ଗଭୀର ?’’

 

ପିତୃ ସ୍ନେହର କଳନା କରିବାକୁ ସେ ଅକ୍ଷମ, ପୁଣି ପତିପ୍ରେମର ପ୍ରଗାଢ଼ତା ଜାଣିବାକୁ ମଧ୍ୟ ସେ ଅସମର୍ଥ । ତାଙ୍କର ଭାଷାରେ—

 

‘‘ତାଙ୍କ ପ୍ରେମ ଅବାକେମନ୍ତେ କଳିବି

ତାହା ତ ସିନ୍ଧୁ ପରାଏ ।’’

 

ଏହି ଅଭିବ୍ୟକ୍ତି ଶକୁନ୍ତଳାଙ୍କ ହୃଦୟ-ସୌନ୍ଦର୍ଯ୍ୟକୁ ଆହୁରି ଉଜ୍ଜ୍ୱଳ ଓ ସୁନ୍ଦର କରିଛି, ତାଙ୍କ ମନର ଉନ୍ନତ ନିଷ୍କପଟ ସରଳ ବିଚାରଧାରାକୁ ପ୍ରକାଶ କରିଛି ।

 

ଏହି ନିଷ୍କପଟ ଅନ୍ତରର ଅନାବିଳ ମମତା ଝରିପଡ଼ିଛି ଆଶ୍ରମର ତରୁ ଲତା, ପଶୁପକ୍ଷୀଙ୍କ ଉଦ୍ଦେଶ୍ୟରେ । ପିତୃଗୃହରୁ ବିଦାୟ ନେବାବେଳେ ଆଶ୍ରମ ଜୀବନ ସହିତ ଯେଉଁ ମମତାର ଦୃଢ଼ ବନ୍ଧନ, ତାକୁ ଛିନ୍ନ କରିବା ଯେ କେତେ କଠିନ, ତା’ ପତିସଙ୍ଗନ ଅଭିଳାଷିଣୀ ଶକୁନ୍ତଳା ପ୍ରାଣେ ପ୍ରାଣେ ଅନୁଭବ କରିଛି । ବୃକ୍ଷର ଆଳବାଳରେ ଜଳସେଚନ ନ କରି ସେ ଜଳପାନ କରୁ ନ ଥିଲେ । ପୁଷ୍ପିତ ଲତାକୁ ଦେଖି ଇନ୍ଦ୍ର ଐଶ୍ୱର୍ଯ୍ୟ ପ୍ରାପ୍ତି ପରି ସେ ସୁଖ ଅନୁଭବ କରୁଥିଲେ । କଣ୍ୱଙ୍କ ବିଷାଦ ଗଦ୍‌ଗଦ କଣ୍ଠରେ ଫୁଟିଛି—

 

‘‘ଭୂଷଣ-ରଙ୍କୁଣୀହୋଇ ଯେ ତୁମ୍ଭର

ଅଙ୍ଗଭଙ୍ଗ ହେବ ଜାଣି

କେବେହେଁ ତୁମର ପଲ୍ଲବ ଛେଦନେ

ବଢ଼ାଇ ନ ଥାଏ ପାଣି;’’

 

ମମତାର କି ସ୍ୱର୍ଗୀୟ ରୂପ ଫୁଟିଉଠିଛି ସରଳା ନାରୀ ଅନ୍ତରରେ ! ଅଚେତନ ପୁଷ୍ପଲତା, ବନବିଥିକାରେ ଯାହାର ଏତେ ସ୍ନେହ, ଏତେ କରୁଣା ତା’ ହୃଦୟ ସ୍ୱାମୀ-ଅନୁରାଗରେ କିପରି ଶ୍ରୀମଣ୍ତିତ ହୋଇଥିବ, ତାହା ସହଜରେ ଅନୁମେୟ । ପ୍ରିୟସଖୀଙ୍କୁ ଆଲିଙ୍ଗନ କରିବା ସମୟରେ ବଳ୍‌କଳ ଲୋତକରେ ସିକ୍ତ ହେଲା । ଶକୁନ୍ତଳା ଗଣ୍ତ-ପ୍ଳାବିତ ଲୋତକଧାରା ତାଙ୍କ ଶୋକ ବିଦୀର୍ଣ୍ଣ ଆବେଗୋଚ୍ଛଳ ହୃଦୟର କିଞ୍ଚିତ୍‌ ପ୍ରକାଶ ମାତ୍ର । ସ୍ନେହବର୍ଷିତ ସଜ ନୟନରେ କଣ୍ୱଙ୍କ ଆଶ୍ରମର ପ୍ରତିଟି ସଜୀବ ନିର୍ଜୀବ ଚେତନ ଅଚେତନଠାରୁ ବିଦାୟ ନେଇ ଶକୁନ୍ତଳା ଚାଲିଲେ ନିଜ ଅଦୃଷ୍ଟଚାଳିତ ପଥରେ କଣ୍ୱଙ୍କ ଆଶୀର୍ବାଦ ବଚନ ସମ୍ବଳ କରି, ପତିପ୍ରେମରେ ଦେହମନ ପ୍ରକ୍ଷାଳନ କରି ।

 

ହସ୍ତିନାର ରାଜଭବନରେ ରାଜଦର୍ଶନ ପ୍ରାର୍ଥିନୀ କାଳିଦାସଙ୍କ ଶକୁନ୍ତଳା ଦୁର୍ଲକ୍ଷଣ ଦେଖି ଚକିତ ହୋଇଛନ୍ତି । ତାଙ୍କ ବାମ ନୟନ ସ୍ଫୁରିତ ହେବ ସେ ଅମଙ୍ଗଳ ଓ ଅଶୁଭର ସୁଚନା ଅନୁଭବ କରିଛନ୍ତି । କିନ୍ତୁ ମେହେରଙ୍କ ସରଳା ସୁକୁମାରୀ ଶକୁନ୍ତଳା ଭାବିଛନ୍ତି—

 

‘‘ଏହିକ୍ଷଣି କାନ୍ତ ଆସିଯିବେ ପରା

ମୋ ଆସିବା ଉଦନ୍ତରେ ।’’

 

ସଂଶୟ, ଅବିଶ୍ୱାସର ଛାୟା ମାତ୍ର ତାଙ୍କୁ ସ୍ପର୍ଶ କରି ନାହିଁ । ନିଜର ରାଜଦର୍ଶନ-ଅଭିଳାଷୀ ମନକୁ ନେଇ ସେ ଦୁଷ୍ମନ୍ତଙ୍କ ମନର ବ୍ୟଗ୍ରତାକୁ ବିଚାର କରିଛନ୍ତି । ବଧୂ ଜୀବନର ମଧୁର କଳ୍ପନାରେ ଓ ନୂତନ ଜୀବନର ଅନାସ୍ୱାଦିତ ଆନନ୍ଦରେ ବିଭୋର ହୋଇଛନ୍ତି ମୂର୍ତ୍ତିମତୀ ସରଳତା ରୂପିଣୀ ଶକୁନ୍ତଳା । ସମ୍ବେଦନଶୀଳ କବି ଦୁଃଖରେ ଅଭିଭୂତ ହୋଇ କହିଛନ୍ତି—

 

‘‘ଶକୁନ୍ତଳା ଆଶାଦଗ୍‌ଧ ହୋଇଯିବ

ଅନଳ-ଗୃହ-ଅନଳେ,

ଏ ବିଶ୍ୱାସ ତିଳ-ମାତ୍ର ଥିଲା ନାହିଁ

ତାହାର ହୃଦ-କମଳେ ।’’

 

ଦୁଷ୍ମନ୍ତଙ୍କର ସୁସ୍ପଷ୍ଟ ପ୍ରତ୍ୟାଖାନା ମର୍ମାନ୍ତକ ବାଣୀ ଶୁଣି ସମଗ୍ର ପୃଥିବୀ ଯେତେବେଳେ କାତର ବିହ୍ୱଳିତ, ସେତେବେଳେ ଶକୁନ୍ତଳା ପୂର୍ବ ପ୍ରଣୟାଳାପର ଚତୁର ସମ୍ଭାଷଣକୁ ମନରେ ପୋଷଣ କରି ରାଜାଙ୍କ ଉକ୍ତିକୁ ପରିହାସ ବୋଲି ମନେ କରିଛନ୍ତି । ଅଭିଜ୍ଞାନର ଶକୁନ୍ତଳା ନିର୍ବୋଧ ନୁହନ୍ତି । ସେ କହିଛନ୍ତି, ‘‘ପାବକଃ ଖଳୁ ବଚନୋପନ୍ୟାସଃ’’—ଅର୍ଥାତ୍‌ କଥା ଯେମିତି ଜ୍ୱଳନ୍ତ ଅଗ୍ନି । ତା’ଛଡ଼ା ରାଜା ତାଙ୍କୁ ଅସ୍ୱୀକାର କରି ପାରନ୍ତି ଏ ଆଶଙ୍କା ସେ କରିଥିଲେ । ମେହେରଙ୍କ ଶକୁନ୍ତଳା ଆଦୌ ତା କଳ୍ପନା କରି ନାହାନ୍ତି । କିନ୍ତୁ ସତୀ ସାଧ୍ୱୀ ନାରୀ ରାଜାଙ୍କର ଅସମ୍ମତି ଜାଣି ତାଙ୍କ ମୁଖ ଦର୍ଶନ କରିବାକୁ ଦୃଢ଼ତାର ସହିତ ଅସ୍ୱୀକାର କରିଛନ୍ତି । ଦୁର୍ବଳ ହୃଦୟ, ସରଳ ମନ ଭିତରେ ସତୀତ୍ୱର ମହିମାରଞ୍ଜିତ ଭାବ ତେଜୋଦ୍ଦୀପ୍ତ ।

 

ପରିଣୟର ପରିଚୟ ସ୍ୱରୂପ ରାଜାଙ୍କ ନାମାଙ୍କିତ ମୁଦ୍ରିକା ପ୍ରଦର୍ଶନ କରିବାକୁ ଯାଇ ଶକୁନ୍ତଳା ଯେତେବେଳେ ଅସମର୍ଥ ହୋଇଛନ୍ତି, ସେତିକିବେଳେ ଦୁଷ୍ମନ୍ତଙ୍କର ‘‘ହେବ ଏହିକ୍ଷଣି ତୁମ୍ଭ ତପସ୍ୱିନୀ ହସ୍ତିନାର ପାଟରାଣୀ’’—ଏହି ନିଷ୍ଠୁର ଉକ୍ତିରେ ତାଙ୍କର କୋମଳ ପ୍ରାଣ ଅପମାନରେ କଂପିତ ହୋଇଛି । ସମଗ୍ର ଜଗତ ଅନ୍ଧକାର ଗର୍ଭରେ ବିଲୁପ୍ତ ହୋଇଯାଇଛି, କଣ୍ଠ ରୁଦ୍ଧ, ପ୍ରାଣ କ୍ଷୀଣ ହୋଇଛି । ‘‘ପ୍ରାଣ ପ୍ରଣୟ-ମନ୍ଦିର-କଞ୍ଚିକୁ’’ ହରାଇ ଶକୁନ୍ତଳା ପ୍ରଣୟ-ଦେବତା ଦର୍ଶନ ଲାଭ ସୁଖରୁ ବଞ୍ଚିବା ହେଲେ ଓ ମନର ଅନନ୍ତ କଳ୍ପନା ଆକସ୍ମିକ ଆଘାତରେ ଶତଖଣ୍ତ ବିଚୂର୍ଣ୍ଣ ହେଲା । ଯେଉଁ ଶକୁନ୍ତଳା ଗୁରୁଜନଙ୍କର ଅଗୋଚରରେ ମନର ଆକାଙ୍‌କ୍ଷାକୁ ରୂପ ଦେଇଥିଲେ, ତାଙ୍କୁ ତାଙ୍କର ସେଇ କର୍ମଫଳ ଏକାକୀ ଭୋଗ କରିବାକୁ ଛାଡ଼ି ଦେଇ ଗୌତମୀ ଓ ତାପସୀ ଦ୍ୱୟ ଚାଲିଗଲେ । ଏତେ ଅପମାନ, ପ୍ରତ୍ୟାଖାନ ପରେ ବି ଶକୁନ୍ତଳା ସ୍ୱାମୀଙ୍କଠାରେ ସମର୍ପିତା ହୋଇଛନ୍ତି ବୋଲି ମନେକରିବା ଏକପକ୍ଷରେ ତାଙ୍କର ନିର୍ବୋଧ ସାରଲ୍ୟ ଓ ଅନ୍ୟପକ୍ଷରେ ଚରିତ୍ରର ସୌନ୍ଦର୍ଯ୍ୟ ପ୍ରକାଶ କରିଛି । ଯେଉଁ ଦୁଷ୍ମନ୍ତ ଅମୃତ-ବଚନ ଦ୍ୱାରା ତାଙ୍କ ପ୍ରାଣକୁ ଉଲ୍ଲସିତ କରିଥିଲେ, ସେଇ ରାଜା ଆଜି ଯେ ଗରଳ ଉଦ୍‌ଗୀରଣ କରି ତାଙ୍କ ଜୀବନକୁ ବିଷାକ୍ତ କରିଦେବେ ଏକଥା କଳ୍ପନା କରିବା ମେହେରଙ୍କ ସରଳ ବିଶ୍ୱାସୀ ଶକୁନ୍ତଳା ପକ୍ଷରେ ସମ୍ଭବ ନୁହେଁ । ତେଣୁ—

 

‘‘ଜାର’ ଶବ୍ଦ ‘ଯାର’ ବୁଝିଲା ଅବଳା

ଅକ୍ଷର ଭେଦ ନ ବାରି

ଭୀମ-ବଜ୍ର-ନାଦନଗଣି ଚାତକୀ

ପାନ କରେ ଘନ ବାରି ।’’

 

ପ୍ରେମ-ଅମୃତ ମନେ କରି ଶକୁନ୍ତଳା ଯେ ଛଳନାର ହଳାହଳ ପାନ କରିଛନ୍ତି, ଏକଥା ପ୍ରେମ-ସତ୍ୟରେ ଆଲୋକିତା ପ୍ରେମଶୀଳା ଶକୁନ୍ତଳା ଭାବି ନ ପାରିବାହିଁ ତାଙ୍କ ଚରିତ୍ରର ଏକ ସ୍ୱାଭାବିକ ପ୍ରକାଶ । ସକଳ ବିରୁଦ୍ଧତା, ପ୍ରତିକୂଳତା ମଧ୍ୟରେ ପ୍ରେମ-ବିଶ୍ୱାସର ଅଟଳତା ହିଁ ଶୁଦ୍ଧାନ୍ତକାରିଣୀ ଶକୁନ୍ତଳାଙ୍କର ବାସ୍ତବ ପରିଚୟ । ଶକୁନ୍ତଳା ପ୍ରେମ-ଭୋଖିନୀ ଥିଲେ ବୋଲି ‘ବିଷକୁ-ସାଧ୍ୱୀ ହୋଇଥିବାରୁ ତାଙ୍କ ପାନ କଲେ ତାହା ସର୍ବୈବ ସତ୍ୟ ନୁହେଁ । ସ୍ୱଭାବ-ସାଧ୍ୱୀ ହୋଇଥିବାରୁ ତାଙ୍କ ପକ୍ଷରେ ରାଜାଙ୍କର ପ୍ରତ୍ୟାଖ୍ୟାନ ପରିହାସ ବେଲି ବୋଧ ହୋଇଛି ଓ ସେ ଗରଳକୁ ଅମୃତ ଜ୍ଞାନରେ ପାନ କରିଛନ୍ତି ।

 

ପବିତ୍ର, କାମବର୍ଜିତ ପ୍ରେମର ସତ୍ୟାଲୋକରେ ଯାହାର ହୃଦୟ ଉଦ୍ଭାସିତ, ତାର ପ୍ରେମ ଚିର ସୁନ୍ଦର, ଚିର ନୂତନ । ବର୍ଷ ପରେ ବର୍ଷ ଅତିକ୍ରାନ୍ତ ହେଲା ପରେ ଶକୁନ୍ତଳା ଓ ଦୁଷ୍ମନ୍ତଙ୍କର ପୁନର୍ମିଳନ ଘଟିଛି ମାରୀଚ ଆଶ୍ରମରେ । ଶକୁନ୍ତଳାଙ୍କୁ ଦେଖି ମନେ ହେଇଛି ଯେମିତି ସେଦିନର ସେଇ ଅନୂଢ଼ା ଅନାଘ୍ରତା, ଅଚୁମ୍ବିତା କଣ୍ୱ ଦୁହିତା, ସଦ୍ୟ ପ୍ରଣୟାସକ୍ତା, ନବୀନ ପ୍ରେମର ଦିବ୍ୟପ୍ରଭାରେ ଆଲୋକିତା । ସ୍ୱାମୀ ଦର୍ଶନରେ ରୋମାଞ୍ଚିତା ଚିତ୍ର ଆଙ୍କି କବି କହିଛନ୍ତି—

 

‘‘କାନ୍ତ-ଦରଶନେ ପୁଲକ ଛଳରେ

ପ୍ରେମାଙ୍କୁର ହେଲା ଜାତ ।’’

ପୁଣି,‘‘ହାସ ତା ଅଧରେନ ଫୁଟି ବଦନେ

ନେତ୍ରେ ହେଲା ସଞ୍ଚାରିତ ।’’

 

ବ୍ରହ୍ମର୍ଷି ହେବାର ସଂକଳ୍ପରେ କଠୋର ସାଧନାରେ ରତ ବିଶ୍ୱାମିତ୍ରଙ୍କ ତପଭଙ୍ଗ କରି ଅପ୍‌ସରା ମେନକା ଋଷି ଅନ୍ତରରେ ଯେଉଁ ସାମୟିକ କାମନାର ବାଡ଼ବାନଳ ପ୍ରଜ୍ୱଳିତ କରିଥିଲେ, ତାର ‘ସ୍ୱଚ୍ଛ ଅମୃତମୟ ଫଳ’ ଚିରନ୍ତନ ପ୍ରେମର ପ୍ରତିମୂର୍ତ୍ତି ଶକୁନ୍ତଳା । କାମ-କବଳିତ ହେବାରୁ ଅନୁତପ୍ତ ଅନ୍ତରରେ ହିମାଳୟର ଗଭୀର ଅରଣ୍ୟ ଉଦ୍ଦେଶ୍ୟରେ ସୁକଠୋର ତପଶ୍ଚର୍ଯ୍ୟ ପାଇଁ ପ୍ରସ୍ଥାନ କଲେ ଜନକ ବିଶ୍ୱାମିତ୍ର । ପ୍ରେମାଭିନୟର ପରିସମାପ୍ତିରେ ସଦ୍ୟଜାତ ଶିଶୁକନ୍ୟାକୁ ନିର୍ମମ ଭାବରେ ବର୍ଜନ କରି ଉଦ୍ଦେଶ୍ୟ ସାଧନରେ କୃତ୍ୟ ହୋଇ ସ୍ୱର୍ଗପୁରୀ ଅଭିମୁଖେ ଯାତ୍ରା କଲେ ଜନନୀ ମେନକା । କିନ୍ତୁ ବିଶ୍ୱାମିତ୍ର ମେନକାଙ୍କର ମୁହୂର୍ତ୍ତ ବିଳାସୀ ପ୍ରେମରୁ ସମ୍ଭବ କନ୍ୟା ଶକୁନ୍ତଳା ଶାଶ୍ୱତ ପ୍ରେମ-ସାଧିକା ଭାବରେ ଅପୂର୍ବ ପ୍ରେମର ଅକ୍ଷୟ ମୂର୍ତ୍ତି ପ୍ରତିଷ୍ଠା କରି ଯୁଗେ ଯୁଗେ ପ୍ରେମ-ବହ୍ନିଶୁଦ୍ଧା ନାରୀ ରୂପେ ଗୌରବନ୍ୱିତା । ‘ପ୍ରଣୟ-ପୀଠ’ରେ ପ୍ରେମ-ମୂରତିର ଏକାଗ୍ର ଆରାଧନା ଦ୍ୱାରା ସାର୍ଥକକାମା ପ୍ରେମିକା ରୂପା ଅଭିବନ୍ଦିତା ।

 

ସଂକ୍ଷେପରେ ଗଙ୍ଗାଧର ଶକୁନ୍ତଳାଙ୍କର ପ୍ରକୃତି ପ୍ରୀତି, ପଶୁପକ୍ଷୀ ମୃଗ ମୃଗୀ ପ୍ରୀତି, ସଖୀ ପ୍ରୀତି, ଗୁରୁଜନ ପ୍ରୀତି, ବିଶ୍ୱଚରାଚରର ପ୍ରତ୍ୟେକ ବସ୍ତୁ ପ୍ରତି ପ୍ରୀତି ଓ ପରିଶେଷରେ ଦୁଷ୍ମନ୍ତ ପ୍ରୀତି, ସବୁରି ଭିତରେ ଦେଖାଇଛନ୍ତି ଏକା ସରଳା, ନିଷ୍କପଟ ହୃଦୟା ନାରୀର ପ୍ରୀତି ବିମୁଗ୍‌ଧ ରୂପ; ସଂସାରରେ ଯେ ମନ୍ଦ ଦେଖିନାହିଁ, ଜଗତର କୌଣସି ବସ୍ତୁରେ ଅସୁନ୍ଦର ଦର୍ଶନ କରି ଯେ ବିମୁଖ ହୋଇନାହିଁ ସେମିତି ଏକ ବିଶ୍ୱଉନ୍‌ମୁଖ ନାରୀର ଛବି । ବ୍ୟାସଦେବଙ୍କ ଶିଳ୍ପ ମୂର୍ତ୍ତି ଶକୁନ୍ତଳା କାଳିଦାସଙ୍କ ସୌନ୍ଦର୍ଯ୍ୟମୟୀ ପ୍ରେମମୂର୍ତ୍ତି ରୂପେ ଶ୍ରୀ ଓ ହ୍ରୀ ମଣ୍ତିତା ହୋଇ ବିଶ୍ୱବିମୋହିନୀ ସୌନ୍ଦର୍ଯ୍ୟ ଧାରଣ କରିଛନ୍ତି । ଗଙ୍ଗାଧର କାଳିଦାସଙ୍କ ମାନସ ମୂର୍ତ୍ତିର ଚିରିତ୍ରକୁ ନିଜ ଭାବ ମୂର୍ତ୍ତିରେ ରସାଣିତ କରି ସମୁଜ୍ୱଳ କରିଦେଲେ । ମେହେରଙ୍କ ଶକୁନ୍ତଳା ରୂପ ଓ ଗୁଣର ଏକ ନିଷ୍କଳଙ୍କ ସମନ୍ୱୟ ।

 

ସଖୀ ଅନସୂୟା ଓ ପ୍ରିୟମ୍ବଦା—

 

କାବ୍ୟ ନାୟିକାର ଅଭିଳାଷ ପୂର୍ଣ୍ଣ କରିବା ପାଇଁ ସଖୀର ଆବିର୍ଭାବ ଆବଶ୍ୟକ । କାବ୍ୟରେ ଘଟଣାର ବିନ୍ୟାସ, ଚରିତ୍ରର ବିକାଶ ପାଇଁ ସଖୀର ଭୂମିକା ଅପରିହାର୍ଯ୍ୟ । ନାୟିକା ମନର ଅବ୍ୟକ୍ତ କାମନାକୁ ବୁଦ୍ଧିର ତୀକ୍ଷ୍‌ଣତା ଓ ମନର କୋମଳତା ଦେଇ ଉପଲବ୍‌ଧି କରି ତାର ପୂର୍ଣ୍ଣତା ସଂପାଦନ ହିଁ ସଖୀର କର୍ତ୍ତବ୍ୟ—ପ୍ରେମ ବିଧୂରା ନାୟିକାକୁ ଚିତ୍ରପଟ ପ୍ରଦର୍ଶନ କରି ତାର ମନର ପୁରୁଷର ସଂଧାନ ଦେବା, ନାୟକ ସହିତ ମିଳନ ଘଟାଇବା ପାଇଁ କ୍ଷେତ୍ର ପ୍ରସ୍ତୁତ କରିବା, ମିଳନ ମୁହୂର୍ତ୍ତରେ ଗୁରୁଜନଙ୍କ ଭିତରୁ ରକ୍ଷା କରିବା ପାଇ ସଜାଗ ଦୃଷ୍ଟି ରଖିବା, ନୃତ୍ୟ, ଗୀତ ବାକ୍ୟାଦି ଦ୍ୱାରା ସଖୀର ମନସ୍ତୁଷ୍ଟି କରିବା, ବିରହ କାତରା ନାୟିକାର ବିରହତାପ ଲାଘବ ପାଇଁ ବିଭିନ୍ନ ଉପଚାରର ଆୟୋଜନ କରିବା, ତାର ଦୁଃଖରେ ସମବେଦନଶୀଳତା ହୋଇ ଉପାୟ ବିଧାନ କରିବା, ନିଜର ସୁଖ ଭୁଲି ନାୟିକା ସୁଖରେ ସୁଖୀ ହେବା, ତା’ ପ୍ରେମର ସାର୍ଥକ ପ୍ରକାଶ ପାଇଁ ଆକଣ୍ଠ ତଥା ଅକୁଣ୍ଠ ପ୍ରୟାସ କରିବା । ସ୍ଥୂଳତଃ ନାୟିକା ଜୀବନର ସକ୍ରିୟ ସଫଳ ଅଭିବ୍ୟକ୍ତି ପାଇଁ ସଖୀ ହେଉଛି ଅପରିହାର୍ଯ୍ୟ । ସେଥିପାଇଁ ସଖୀ ହୁଏ ଚିତ୍ର ବିଦ୍ୟାରେ ପ୍ରବୀଣା, ବାକ୍‌ଚାତୁରୀରେ ଧୁରୀଣା, ଚତୁରା, ପ୍ରଗଳ୍‌ଭା, ପରିହାସପ୍ରିୟା, ବହୁ ଶାସ୍ତ୍ରବିଶାରଦା, କେଉଁଠି ତନ୍ତ୍ର ମନ୍ତ୍ର ବା ଯୋଗବିଦ୍ୟାରେ ପାରଦର୍ଶିନୀ ।

 

ଶ୍ରୀରାଧାଙ୍କର ପରମଶ୍ରେଷ୍ଠ ସଖୀ ଲଳିତା ବିଶାଖା ପରି ପ୍ରଣୟବଲ୍ଲରୀରେ ଅନସୂୟା ଓ ପ୍ରିୟମ୍ବଦା ଶକୁନ୍ତଳାଙ୍କର ପରମପ୍ରିୟ ସଖୀ । ଶକୁନ୍ତଳାଙ୍କ ମନର ସକଳ ଅଭିଳାଷ ପୂରଣ କରିବାକୁ ଓ ତାଙ୍କର ସୁଖ ସଂପାଦନ କରିବାକୁ ସଖୀଦ୍ୱୟ ସଦା ତତ୍ପର । ନାୟିକାର ସୁଖ ଦୁଃଖ ଆନନ୍ଦ ବେଦନାର ନିବିଡ଼ ମୁହୂର୍ତ୍ତରେ ତାର ଅନୁଗାମିନୀ । ତା ଜୀବନର ପରିପୂର୍ଣ୍ଣ ବିକାଶରେ ନିଜକୁ ଉତ୍ସର୍ଗ କରିଦେବା ପାଇଁ ସତତ ବ୍ୟାକୁଳ ।

 

କାବ୍ୟର ପ୍ରଥମ ସର୍ଗରେ ଅନସୂୟା ଓ ପ୍ରିୟମ୍ବଦାଙ୍କ ସହିତ ପାଠକର ପରିଚୟ ହୁଏ ଦୁଷ୍ମନ୍ତଙ୍କ ମାଧ୍ୟମରେ । ବୃକ୍ଷ ଉହାଡ଼ରେ ରହି ଦୁଷ୍ମନ୍ତ ଦେଖିଛନ୍ତି ତିନୋଟି ନାରୀ-ନାୟିକା ଶକୁନ୍ତଳା ଆଉ ତାର ପ୍ରାଣର ସଖୀ ଦ୍ୱୟ; ଅନସୂୟା ଓ ପ୍ରିୟମ୍ବଦା । ସେମାନେ ଆଶ୍ରମବାସିନୀ, ତେଣୁ ଋକ୍ଷ କେଶପାଶ, ବଳକଳ୍‌ର ବାସ କିନ୍ତୁ ତାଙ୍କର ଅନାବିଳ ସ୍ୱର୍ଗୀୟ ସୁଷମା ନିକଟରେ ସୁରକାମିନୀଗଣ ସୁଦ୍ଧା ପରାଭୂତ । ସଂସାରର ସୁଖ ଦୁଃଖରେ ଅଭିଭୂତ ନ ହେବାରୁ ସେମାନଙ୍କ ମୁଖ ମଣ୍ତଳରେ ସ୍ୱଭାବିକ ଆନନ୍ଦର ପ୍ରକାଶ । ‘ଆନନ୍ଦ ପ୍ରତିମା’ ପରି ଅପୂର୍ବ ସୁନ୍ଦର ଦୁଇଟି ପୂର୍ଣ୍ଣ ଯୌବନା ନାରୀ । ଶକୁନ୍ତଳା ରୂପୀ ପ୍ରସୂନର ଦୁଇ ଦିଗରେ ଦୁଇଟି ପତ୍ର ତୁଲ୍ୟ ପ୍ରିୟମ୍ବଦା ଅନସୂୟା ଶୋଭା ପାଉଥିଲେ-। ପତ୍ର ଶୋଭିତ ହେଲେ ଫୁଲର ସୌନ୍ଦର୍ଯ୍ୟ ବଢ଼େ, ପୁଣି ପତ୍ର ଉହାଡ଼ରେ ଫୁଲ ଆତ୍ମଗୋପନ କରି ନିରାପଦ ହୁଏ । ଦୁଇ ସହଚରୀଙ୍କ ମଧ୍ୟରେ ଶକୁନ୍ତଳା ଯେ କେବଳ ଶୋଭା ପାଇଛନ୍ତି ତା’ ନୁହେଁ, ଦୁଇ ସଖୀଙ୍କ ସ୍ନେହ ଅଞ୍ଚଳ ତଳେ ଶକୁନ୍ତଳାଙ୍କ ଜୀବନ ହେଉଛି ପ୍ରମାଦଶୂନ୍ୟ; ଶକୁନ୍ତଳାଙ୍କ ସୁଖ ଦୁଃଖରେ ସେମାନେ ସମାନ ଅଂଶ ଗ୍ରହଣ କରିଛନ୍ତି । ସାମାନ୍ୟ ଘଟଣାଟିଏ-ନିଆଳୀ ଲତାରେ ଫୁଲ ଫୁଟିଛି । ଶକୁନ୍ତଳା ଆନନ୍ଦରେ ଟଳମଳ, ଖୁସିର ତରଙ୍ଗରେ ଦୋଳାୟିତ । ସଖୀଙ୍କୁ ନ ଦେଖାଇଲେ ପୂର୍ଣ୍ଣ ଆନନ୍ଦ ଅନୁଭବ କରିପାରୁ ନାହାନ୍ତି । ସଖୀ ଦ୍ୱୟ ମଧ୍ୟ ତଦ୍ରୂପ । ଆହ୍ୱାନ ମାତ୍ର ସହଚରୀ ଦିଜଣ ଆଗେଇ ଆସିଲେ । ଆଗ୍ରହରେ ଶକୁନ୍ତଳାଙ୍କ ଅସ୍ଫୁଟ ଅଭିଳାଷ ବୁଝିପାରି ନିଆଳୀ ଲତାରେ ମନ ସଂଯୋଗ କଲେ । ଶକୁନ୍ତଳାଙ୍କ ଜୀବନ ନାଟିକାର ଏମାନେ ଅବିଚ୍ଛେଦ୍ୟ ଅଙ୍ଗ-

 

ପ୍ରିୟମ୍ବଦା ଆଉ ଅନସୂୟାଙ୍କ ସ୍ୱଭାବ ଭିନ୍ନ ଭିନ୍ନ । ଅନସୂୟା ସ୍ୱଳ୍ପ-ଭାଷିଣୀ, ସରଳା ଓ ଶାନ୍ତ ପ୍ରକୃତିବିଶିଷ୍ଟ ଦ୍ୱେଷ, କ୍ରୋଧ ଓ ଈର୍ଶାବର୍ଜିତ ହୋଇଥିବାରୁ ନିଜ ନାମର ସାର୍ଥକତା ହିଁ ପ୍ରତିପାଦନ କରିଛି । କିନ୍ତୁ ପ୍ରିୟମ୍ବଦା ଚଟୁଳ ଭାଷିଣୀ, ପ୍ରଗଳ୍‌ଭା, ରସିକତାର କଲ କଲ୍ଲୋଳିନୀ । ବଚନ ଚାତୁରୀରେ ସେ ସାମାନ୍ୟ କଥାରେ ଅସାମାନ୍ୟ ସୌନ୍ଦର୍ଯ୍ୟ ଭରିଦିଏ । ପରିହାସବାଦିନୀ ପ୍ରିୟମ୍ବଦା ମଧ୍ୟ ନାମକୁ ସାର୍ଥକ କରିଛି, ମଧୁର, ସୁନ୍ଦର, ପ୍ରିୟ ସମ୍ଭାଷଣରେ । ଶକୁନ୍ତଳା ମନରେ ନବ କୁସୁମିତ ନିଆଳୀକୁ ଦେଖି ଯେଉଁ ଉଚ୍ଛ୍ୱସିତ ଆନନ୍ଦ ଲହରୀ ଖେଳିଯାଇଛି, ତାକୁ ଲକ୍ଷ୍ୟ କରି ଚତୁରୀ ପ୍ରିୟମ୍ବଦା ସଖୀ ମନର ଅସ୍ପଷ୍ଟ ଆକାଙ୍‌କ୍ଷା ବୁଝିପାରି କହିଛି—‘‘ସଙ୍ଗାତ, ଶୁଭ ଲଗ୍ନ ଉପସ୍ଥିତ, ସହକାର ସହିତ ବନ-ତୋଷିଣୀର ବିବାହ କରିଦିଅ ।’’ ଏ କଥାର ଅନ୍ତରାଳରେ ଭିନ୍ନ ଅର୍ଥ ସୂଚିତ । ଶକୁନ୍ତଳା ଯୌବନପ୍ରାପ୍ତା ହେବାରୁ ତାଙ୍କର ବିବାହ ଲଗ୍ନ ସମାଗତ, ଯୋଗ୍ୟ ବର ସହିତ ତାଙ୍କ ପରିଣୟ ହିଁ କାମ୍ୟ । କଥାର ମର୍ମ ବୁଝି ନ ବୁଝିବା ପରି ସହାସ୍ୟ ବଦନରେ ଶକୁନ୍ତଳା ପ୍ରିୟମ୍ବଦାଙ୍କୁ ପୁରୋହିତ ହୋଇ ଏ କାର୍ଯ୍ୟ ସମ୍ପନ୍ନ କରିବାକୁ କହିଛନ୍ତି । ତତ୍‌କ୍ଷଣାତ୍‌—

 

‘‘ପ୍ରିୟମ୍ବଦା ତହିଁ ବୋଇଲା, ‘‘କୁମାରି

କରିଥାଅ ତେବେ ସତ୍ୟ,

ତୁମ୍ଭ ପରିଣୟ-ପୁରୋଧା ହେବାକୁ

ଅକ୍ଷୂର୍ଣ୍ଣ ଥିବ ମୋ ସ୍ୱତ୍ୱ ।’’

 

ଉପସ୍ଥିତ ବୁଦ୍ଧିର କୁଶଳତାରେ ପ୍ରିୟମ୍ବଦା ଆଦୌ ପରାଜିତ ହୋଇ–ନାହାନ୍ତି । ସ୍ଥିର ବୁଦ୍ଧି ସଂପନ୍ନା ଅନସୂୟା ଶାନ୍ତ କଣ୍ଠରେ ଜଣାଇଛନ୍ତି ପ୍ରକୃତି କନ୍ୟାର ବିବାହରେ ପ୍ରକୃତି ହିଁ ମୁଖ୍ୟ ଅଂଶ ଗ୍ରହଣ କରିବା ଉଚିତ । ନିଆଳୀ ସମାଜର ଦ୍ୱଜଗଣ ବା ପକ୍ଷୀମାନେ ହେବେ ପୁରୋହିତ, ତାରା ଖଚିତ ଆକାଶ ଉପରେ ଚନ୍ଦ୍ରାତପ ରୂପେ ଲମ୍ବିତ ହେବ—ଦିହୁଡ଼ି ହାତରେ ପର୍ବତମାନେ ଚତୁର୍ଦ୍ଦିଗର ଶୋଭା ବଢ଼ାଇବେ । ବାଉଁଶ—ବାଣ ଫୁଟିବ, ମଲ୍ଲୀ ବନରେ ଭ୍ରମର ହୁଳହୁଳି ଦେବ । ଚକୋର ଟେଣ୍ଟେଇ ଆନନ୍ଦରେ ମଙ୍ଗଳ-ସଙ୍ଗୀତ ଗାନ କରିବେ—ଠିକ୍‌ ଏଇମିତି ଏକ ସୁନ୍ଦର ପରିବେଶରେ ପବନର ହିଲ୍ଲୋଳରେ ନିଆଳୀର ହାତ ସହକାରର ହାତରେ ସମର୍ପିତ ହେବ । ଦୁଇ ସଖୀଙ୍କର କଥା ହିଁ ସତ୍ୟ ହୋଇଛି । ଶକୁନ୍ତଳା ଓ ଦୁଷ୍ମନ୍ତଙ୍କ ମିଳନ ଘଟାଇବାରେ ପ୍ରଧାନ ଦାୟିତ୍ୱ ନେଇଛି ପ୍ରିୟମ୍ବଦା ଆଉ ମଙ୍ଗଳ ଅନୁଷ୍ଠାନ ସାଧିତ ହୋଇଛି ପ୍ରକୃତିର ସାଗ୍ରହ ସାହଚର୍ଯ୍ୟରେ । ଆଶ୍ରମବାସିନୀ ହୋଇ ବି ଅନସୂୟା ସାମାଜିକ ଅନୁଷ୍ଠାନ ପ୍ରତି ମନର ଆନୁଗତ୍ୟ ହିଁ ପ୍ରକାଶ କରିଛି-

 

ପ୍ରିୟମ୍ବଦାର ରହସ୍ୟପ୍ରିୟ ମନୋଭାବ ପ୍ରକାଶ ପାଇଛି ମଧୁବ୍ରତତାଡ଼ିତା ଶକୁନ୍ତଳାଙ୍କ ବ୍ୟାକୁଳ ଆହ୍ୱାନ ସମୟରେ—

 

‘‘ଜାଣି ନ ଜାଣିଲାପରି ପ୍ରିୟମ୍ବଦା

କହିଲା କରି ବ୍ୟଞ୍ଜନା,

ପୁରୁରାଜ୍ୟେ ପୁଣି ତପୋବନ ମଧ୍ୟେ

ମଧୁବ୍ରତର ଗଞ୍ଜନା !’’

 

ବ୍ୟଞ୍ଜନା ମିଶ୍ରିତ କଥା କହିବାରେ ସେ ଧୁରନ୍ଧରା ।

ପୁଣି ‘‘ସଜନୀକି ଆମ୍ଭ ନିଆଳୀ ମଣିଛି

ଆଳୀଏ ଥାଉଁ ଗହଣେ,

କେଉଁ ଦୁର୍ଜନ ସେ,ଦୁଷ୍ମନ୍ତ-ପ୍ରତାପ

ପଡ଼ିନାହିଁ କି ତା କର୍ଣ୍ଣେ ?’’

 

ଚମତ୍କାର ବାଚନଭଙ୍ଗୀଦ୍ୱାରା ପାଠକ ପ୍ରାଣରେ ପ୍ରିୟମ୍ବଦା କେବଳ ଆନନ୍ଦ ସଞ୍ଚାର କରିଛି ତା ନୁହେଁ, ପ୍ରିୟମ୍ବଦାର ଏହି ମଧୁର ବ୍ୟଙ୍ଗୋକ୍ତି ହିଁ ଶକୁନ୍ତଳାଙ୍କ ପାଖକୁ ଆସିବା ପାଇଁ ଦୁଷ୍ମନ୍ତଙ୍କର ପଥକୁ ସହଜ କରିଦେଇଛି ।

 

ଦୁଷ୍ମନ୍ତଙ୍କର ଶାନ୍ତ, ଗମ୍ଭୀର, ପ୍ରତିଭା ଉଜ୍ଜ୍ୱଳ ଯୌବନଦୀପ୍ତ ମୂର୍ତ୍ତି ଦେଖି ସଖୀଦ୍ୱୟ ‘‘ସତେ କି ଦୁଷ୍ମନ୍ତ ?’’ ବୋଲି ଭାବି ଚକିତ ହୋଇଛନ୍ତି । ଏହା ସଖୀ ଦ୍ୱୟଙ୍କ ବୁଦ୍ଧିର ଚାତୁର୍ଯ୍ୟ ହିଁ ପ୍ରତିପାଦିତ କରେ । ସପ୍ରତିଭ ଭାବରେ ମଧୁର ସମ୍ଭ୍ରମପୂର୍ଣ୍ଣ ବିନୟ ବାକ୍ୟରେ ଦୁଷ୍ମନ୍ତଙ୍କୁ ଆହ୍ୱାନ କରି ଛାୟା ଶୀତଳ ବୃକ୍ଷ ତଳେ ଚିକ୍‌କଣ ପ୍ରସ୍ତରଖଣ୍ତରେ ନେଇ ପ୍ରିୟମ୍ବଦା ବସାଇଲା । ବୁଦ୍ଧିମତୀ ଇଙ୍ଗିତରେ ପାଦ୍ୟ ଅର୍ଘ୍ୟ ପାଇଁ ଅନସୂୟାଙ୍କୁ ଜଣାଇଲା । ରାଜା ତା’ ଜାଣିପାରି କହିଛନ୍ତି ।

 

‘‘ତୁମର ମଧୁମୟ ପ୍ରିୟ ବ୍ୟବହାରରେ ଅତିଥି ସୁସେବିତ ତଥା ଆପ୍ୟାୟିତା ହୋଇଅଛି-। ତୁମେ ସ୍ଥିର ହୋଇ କ୍ଷଣେ ବସିଲେ ମୋର ଆନନ୍ଦ ଶତଗୁଣରେ ବର୍ଦ୍ଧିତ ହେବ-।’’ ଅତିଥିର ସନ୍ତୋଷ ବିଧାନ କରିବାକୁ ଯାଇ ସଖୀ ଦୁହେଁ ଶକୁନ୍ତଳାଙ୍କ ସହିତ ରାଜାଙ୍କ ପାଖରେ ବସିଛନ୍ତି-। ଅତିଥିଙ୍କର ପ୍ରକୃତ ପରିଚୟ ନ ଜାଣି ମଧ୍ୟ ରାଜାଙ୍କ ପ୍ରଶ୍ନର ଉତ୍ତରରେ ‘‘ଭବଦୀୟ-କୃପା-ବଳେ ସର୍ବ ଶୁଭ’’ ବୋଲି କହିଛନ୍ତି । ଅତିଥି ରାଜା ହୁଅନ୍ତୁ ବା ପ୍ରଜା ହୁଅନ୍ତୁ, ଧନୀ ହୁଅନ୍ତୁ ବା ନିର୍ଦ୍ଧନ ହୁଅନ୍ତୁ, ଅତିଥି ହେଉଛନ୍ତି ସମ୍ମାନାସ୍ପଦ । ତାଙ୍କ ପ୍ରତି ସୌନ୍ଦର୍ଯ୍ୟପୂର୍ଣ୍ଣ ବ୍ୟବହାର ପ୍ରଦର୍ଶନ ହିଁ ଆଶ୍ରମର ନିୟମ । ତେବେ ସେମାନେ ଦୁଷ୍ମନ୍ତଙ୍କୁ ଦେଖି ବୁଝିଥିଲେ ଯେ ସେ ରାଜବଂଶରେ ସମ୍ଭୂତ, ସାଧାରଣ ବ୍ୟକ୍ତି ନୁହନ୍ତି । ପୁଣି ଏହି ବ୍ୟକ୍ତି ‘ଦୁଷ୍ମନ୍ତ’ ବୋଲି ତାଙ୍କ ମନରେ ଯେଉଁ ସଂଶୟ, ସେହି ସଂଶୟର ଜାଲ ଛିନ୍ନ କରି ଅତିଥିଙ୍କର ପ୍ରକୃତ ପରିଚୟ ଜାଣିବାକୁ ସେମାନେ ଆଗ୍ରହୀ ହେବା ସ୍ୱାଭାବିକ-। ପ୍ରିୟମ୍ବଦା ଓ ଅନସୂୟା ପରସ୍ପରକୁ ଅତିଥିଙ୍କ ପରିଚୟ ପଚାରିବା ପାଇଁ ସଂକେତ ପ୍ରଦାନ କରିଛନ୍ତି-। ଦୁଇ ସଖୀଙ୍କ ମଧ୍ୟରେ ଅନସୂୟା ନିରୀହ, ସଲ୍ଲଜ ଓ ଶାନ୍ତ । ତେଣୁ ଅପରିଚିତ ବ୍ୟକ୍ତିଙ୍କୁ ପରିଚୟ ଜିଜ୍ଞାସା କରିବା ପାଇଁ କୁଣ୍ଠିତା । କିନ୍ତୁ ପ୍ରିୟମ୍ବଦା ମୁଖରା, ଚଞ୍ଚଳା । ବିଳମ୍ବ ସହି ନ ପାରି ସେ ଆଗ୍ରହ ସହକାରେ ରାଜାଙ୍କର ପରିଚୟ ଜାଣିବାକୁ ଚାହିଁଛି—

 

‘‘ଧୀରମଣି କେଉଁ ବଂଶ-ଭୂଷା, କେଉଁ

ରାଜ୍ୟ କରି ଅସୁନ୍ଦର,

ଏଡ଼େ ଅନୁଗ୍ରହେ କଲେ ସୁଶୋଭିତ

ବନେ ଅର୍ପି ପୟର ?’’

 

ଏହି ପ୍ରଶ୍ନହିଁ କହେ, ପ୍ରିୟମ୍ବଦା କିପରି ବଚନ-ପ୍ରବୀଣ । ପଚାରିବା ଭଙ୍ଗୀଟି ଅତି ଚମତ୍କାର । ସପ୍ରତିଭ ଭାବରେ ଅନ୍ୟକୁ ଅପ୍ରତିଭ ନ କରି ସବୁ ବିଷୟ ଜାଣିନେବାର କୌଶଳଟି ସୁନ୍ଦର । ପୁରୁବଂଶର ଭୂଷଣ ସ୍ୱରୂପ ଦୁଷ୍ମନ୍ତ ତିନି ସଖୀଙ୍କୁ ‘ତପୋବନ-ଅଳଙ୍କାର’ ରୂପେ ସମ୍ବର୍ଦ୍ଧନା କରି ନିଜ ମନର କୌତୂହଳ ବାଢ଼ିଛନ୍ତି—ଦୁଃସାଧ୍ୟ ତପସ୍ୟାରେ ନିରତ ଆଜନ୍ମ ବ୍ରହ୍ମଚାରୀ କଣ୍ୱ ମହର୍ଷିଙ୍କର କନ୍ୟା କିପରି ଜାତ ହେଲା ?

 

ପ୍ରିୟମ୍ବଦା ଶକୁନ୍ତଳାଙ୍କରେ ଜନ୍ମରହସ୍ୟ ଗ୍ରନ୍ଥ ଉନ୍ମୋଚନ କରି ରାଜା ତଥା ପାଠକଙ୍କର କୌତୂହଳ ନିରସନ କରିଛି । କେବଳ ସେତିକି ନୁହେଁ, ‘‘ମହର୍ଷି ଦେଖିଲେ ଅନୁରୂପ ପାତ୍ରେ ବାଳା ହେବ ସମର୍ପିତ—ଏକଥା କହି ଦୁଷ୍ମନ୍ତଙ୍କର ଆଶା-ତରୁ କୁସୁମିତ କରିବାରେ ସାହାଯ୍ୟ କରିଛି ଓ ଦୁଷ୍ମନ୍ତ ଶକୁନ୍ତଳାଙ୍କୁ ପରସ୍ପର ସହିତ ପରିଚିତ କରାଇଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି । ଦୁଷ୍ମନ୍ତଙ୍କ ପ୍ରତି ଶକୁନ୍ତଳାଙ୍କର ଆକର୍ଷଣ ଦୁଷ୍ଟମତୀ ପ୍ରିୟମ୍ବଦା ବୁଝିପାରିଥିଲା ଓ ତଦନୁଯାୟୀ ପଦକ୍ଷେପ ଗ୍ରହଣ କରିଥିଲା । ରାଜାଙ୍କର ପରିଚୟ ଜାଣିବାକୁ ଶକୁନ୍ତଳାଙ୍କ ହୃଦୟରେ ଯେତେବେଳେ ଦୁର୍ଦ୍ଦମ ଅଭିଳାଷ, ଠିକ୍‌ ସେତିକିବେଳେ ସଖୀର ମନ ବୁଝି ପ୍ରିୟମ୍ବଦା ରାଜାଙ୍କର ପରିଚୟ ଜାଣିବାକୁ ଚାହିଁଛନ୍ତି । ନାୟିକା ମନର ଉଗ୍ର, ବ୍ୟଗ୍ର ଅଭିଳାଷକୁ ସଫଳ କରିବାହିଁ ସଖୀର କର୍ତ୍ତବ୍ୟ । ପ୍ରିୟମ୍ବଦା ପ୍ରତ୍ୟେକ ସ୍ଥଳରେ ନିଜ କର୍ମପ୍ରତି ସଜାଗ ।

 

ଶକୁନ୍ତଳାଙ୍କ ହୃଦୟ ଯେତେବେଳେ ସ୍ୱହସ୍ତରେ ଅତିଥି ସତ୍କାର କରିବା ପାଇଁ ବ୍ୟାକୁଳ, ଠିକ୍‌ ସେତିକିବେଳେ ନାଟକୀୟ ଭାବରେ ଛନ୍ଦପତନ ଘଟାଇଛି ବନଗଜର ଉପଦ୍ରବ । କର୍ତ୍ତବ୍ୟର ଆହ୍ୱାନରେ ଦୁଷ୍ମନ୍ତ ଯିବା ପୂର୍ବରୁ ଅତିଶୀଘ୍ର ଆସିବାକୁ ସ୍ୱୀକୃତି ଦେଇଛନ୍ତି । ଅତିଥି ସତ୍କାର କରି ନ ପାରି ସଖୀଦ୍ୱୟ ମନକ୍ଷୁର୍ଣ୍ଣ କରିଛନ୍ତି । ପୁନଦର୍ଶନ ଅଭିଳାଷୀ ହୋଇଛନ୍ତି—ନିଜ ପାଇଁ ନୁହେଁ, ଆତ୍ମରୂପିଣୀ ଶକୁନ୍ତଳା ପାଇଁ । ରାଜାଙ୍କ ଯିବା ପୂର୍ବରୁ ‘ପ୍ରୀତି-ଋଣ’ ବିନିମୟରେ ବନ୍ଧକ ସ୍ୱରୂପ ସ୍ୱନାମାଙ୍କିତ ହେମ ଅଙ୍ଗୁରୀୟ ଶକୁନ୍ତଳାର ହାତରେ ପିନ୍ଧାଇ ଦେଲେ । ଶକୁନ୍ତଳାଙ୍କ ହୃଦୟ ଦୁଷ୍ମନ୍ତଙ୍କର ଅନୁଗାମୀ ହେଲା । ସଖୀମାନେ ଶକୁନ୍ତଳାକୁ ଦେଖି ତା’ ପିଣ୍ତରେ ପ୍ରାଣ ଅଛି କି ନାହିଁ ଜାଣି ପାରିଲେ ନାହିଁ । ଏଥିରେ ଚିନ୍ତିତ ନ ହୋଇ ଆନନ୍ଦରେ ହସି ହସି ‘‘କୁଟୀରକୁ ଯାଉଁ କହି ପ୍ରସ୍ଥାନ କଲେ । ଦୁଷ୍ମନ୍ତଙ୍କ ଦର୍ଶନଲାଳସୀ ଶକୁନ୍ତଳା ‘‘କୁରୁବଳ କଣ୍ଟା ଲାଗିଲା’’ ବୋଲି ସଖୀଙ୍କୁ ଛଳନାରେ କହିଲା—ପ୍ରଗଳ୍‌ଭା ପ୍ରିୟମ୍ବଦା କହିଲେ ‘‘ପୁରୁବକ କଣ୍ଟା ମୀନାକ୍ଷି, ଗଲା କି ଗଳି ?’’ ଦୁଷ୍ମନ୍ତ ଓ ଶକୁନ୍ତଳାଙ୍କର ଅନୁରାଗର କଥା ପ୍ରିୟମ୍ବଦା ଜାଣି ପାରିଛି । ଶକୁନ୍ତଳାଙ୍କ ହୃଦୟର ସଂଗୁପ୍ତ ଭାବ ପ୍ରିୟମ୍ୱଦାର ପ୍ରଶ୍ନରେ ବା କଥାରେହିଁ ବ୍ୟକ୍ତ ହୋଇଛି । ମନର ଭାବକୁ ଗୋପନ କରିବାର ସକଳ ଚେଷ୍ଟା ତାଙ୍କର ବ୍ୟର୍ଥ ହୋଇଛି ସଖୀମାନଙ୍କ ପାଖରେ । ଅନସୂୟା ପରିହାସ ତରଳା ନୁହନ୍ତି କିନ୍ତୁ ଶକୁନ୍ତଳାଙ୍କ ମନର ଆବେଗ ଫୁଟିଛି ପ୍ରିୟମ୍ବଦାଙ୍କ ଉକ୍ତିରେ ।

 

ଶକୁନ୍ତଳାଙ୍କ କାର୍ଯ୍ୟବଳୀରୁ ତାଙ୍କ ମନର ତରଙ୍ଗ ଉଦ୍‌ବେଳ ଅବସ୍ଥା ଉପଲବ୍‌ଧ କରି ସଖୀଦ୍ୱୟ ପରସ୍ପର ପ୍ରତି ଦୃଷ୍ଟି ନିକ୍ଷେପ କଲେ । ନିଜ ମନର ଆକାଙ୍‌କ୍ଷା ଗୋପନକରିବାକୁ ଶକୁନ୍ତଳାଙ୍କର ଯେତିକି ଚେଷ୍ଟା; ଅଭିନ୍ନ ହୃଦୟା ସଖୀଙ୍କ ସମକ୍ଷରେ ତା’ ସେତିକି ଉନ୍ମୁକ୍ତି ହୋଇଯାଇଛି । ରାଜାଙ୍କ ଆଗମନ ପାଇଁ ଶକୁନ୍ତଳାଙ୍କର ଅଧୀର ପ୍ରତୀକ୍ଷା ପ୍ରିୟମ୍ବଦା ଓ ଅନସୂୟାଙ୍କ ହୃଦୟଙ୍କୁ ମଧ୍ୟ ସ୍ପର୍ଶ କରିଛି । ସେମାନେ ବୃଦ୍ଧା ତପସ୍ୱିନୀ ଗୌତମୀଙ୍କୁ ରାଜ ଆଗମନ ସଂବାଦ ପ୍ରଦାନ କରି ରାଜ-ଅତିଥିଙ୍କ ସତ୍କାର କଣ୍ୱମୁନିଙ୍କ ଅନୁପସ୍ଥିତିରେ କିଏ କରିବ ବୋଲି ଜିଜ୍ଞାସା କରିଛନ୍ତି । ଗୌତମୀ ସରଳ ମନରେ କ୍ଷତ୍ରିୟ କନ୍ୟା ଶକୁନ୍ତଳା ନିଜେ ପାଦ ଧୌତ କରି ରାଜାଙ୍କ ଅର୍ଚ୍ଚନା କରିବ ବୋଲି ଅଭିମତ ପ୍ରକାଶ କରିଛନ୍ତି । ଶକୁନ୍ତଳା ମନର ବାସନା ଜାଣି ପ୍ରିୟମ୍ବଦା ତା ପାଇଁ ଅନୁକୂଳ ପଥ ପ୍ରସ୍ତୁତ କରି ଦେଇଛନ୍ତି ।

 

ସଙ୍ଗୀତର ସୁଲଳିତ ଝଙ୍କାରରେ ନାୟିକା ମନର ବିଷାଦ ଅପନୟନ କରି ଆନନ୍ଦ ସଞ୍ଚାର କରିବା, ସଙ୍ଗୀତ ଛଳରେ ନାୟିକା ମନର ଭାବ ପ୍ରକାଶ କରିବା ସଖୀର କର୍ତ୍ତବ୍ୟ । ସେହି କର୍ତ୍ତବ୍ୟ ସଂପାଦନ କରିଛି ପ୍ରିୟମ୍ବଦା । ଶକୁନ୍ତଳା ମନର କଥା, ତା ଜୀବନର କଥା ରୂପାୟିତ ହୋଇଛି ସଙ୍ଗୀତରେ ସୂର୍ଯ୍ୟ ଓ କମଳିନୀର ଉପାଖ୍ୟାନରେ । ଏଠାରେ ଗୀତର ଭାବ ଯେପରି ବ୍ୟଞ୍ଜନାପୂର୍ଣ୍ଣ, ସ୍ୱର ସେହିପରି ଧୀର ଗମ୍ଭୀର ଓ ମାଧୁର୍ଯ୍ୟପୂର୍ଣ୍ଣ । ପ୍ରିୟମ୍ବଦାର ମଧୁର ସୁଲଳିତ କଣ୍ଠ ଧ୍ୱନିରେ ଚକ୍ରବାକ, ଚକ୍ରବାକୀ, କପୋତ କପୋତୀ ପ୍ରେମରେ ପରସ୍ପରକୁ ଆହ୍ୱାନ କଲେ—ରାଜା ଦୁଷ୍ମନ୍ତଙ୍କ ହୃଦୟ ପ୍ରେମ ତରଙ୍ଗରେ ଉଦ୍‌ବେଳିତ ହୋଇ ଉଠିଲା । ରସିକିନୀ ପ୍ରିୟମ୍ୱଦା ସଙ୍ଗୀତ ଗାନ କରିବା ସମୟରେ ଅପ୍ରଗଳ୍‌ଭା ଅନସୂୟା ନୀରବରେ ମାଳା ରଚନା କରିଛି । ପ୍ରିୟମ୍ବଦା ଅନସୂୟାକୁ ଗୀତଟିଏ ଗାଇବାକୁ ଅନୁରୋଧ କରିବାରୁ ସେ ହାସ୍ୟବ୍ୟଞ୍ଜିତ କଣ୍ଠରେ କହିଛି, ‘‘ମୁଁ ଗୀତ ଗାଇଲେ ପରାଣ-ଦେବତା ହୋଇଯିବେ ଉପନୀତ ।’’ ପ୍ରକୃତରେ ପ୍ରେମର ନିଗୂଢ଼ ତତ୍ତ୍ୱ ତଥା ସତ୍ୟ ପ୍ରକାଶ କରି ଅନସୂୟା ଯେଉଁ ସଙ୍ଗୀତ ଗାନ କରିଛି ତା’ର ମହତ୍ତ୍ୱ ପ୍ରତିପାଦନ କରି ରାଜା ନିକୁଞ୍ଜ ଦ୍ୱାରରେ ଉଭା ହୋଇଗଲେ । ଶକୁନ୍ତଳା ସମକ୍ଷରେ ସଖୀଦ୍ୱୟ ଯେତିକି ଉନ୍ମୁକ୍ତ ପ୍ରାଣ, ପ୍ରଗଳ୍‌ଭ ଓ ମୁଖର ରାଜାଙ୍କ ଆକସ୍ମିକ ଆଗମନରେ ସେମାନେ ସେତିକି ସଙ୍କୁଚିତ, ମୂକ ଓ ଲଜ୍ଜିତ ହେଲେ । ସଂକେତରେ କର୍ତ୍ତବ୍ୟ-ସଜାଗ ପ୍ରିୟମ୍ୱଦା ଶକୁନ୍ତଳାଙ୍କୁ ପଦ ପ୍ରକ୍ଷାଳନ କରିବାକୁ କହିଲା । ଶକୁନ୍ତଳା ପ୍ରିୟ ସଖୀ ଅନସୂୟାଙ୍କୁ ଅନିଚ୍ଛାରେ ସେ ଦାୟିତ୍ୱ ଅର୍ପଣ କଲେ । କିନ୍ତୁ ବିଚାରଶୀଳା ଅନସୂୟା ହସି ହସି କହିଲା, ‘‘ସଜନି’’ । ନିଜ ଦାୟିତ୍ୱ ନିଜେ ବହନ କର । ବିଧାତା ମତେ ସେ ଭାଗ୍ୟ ଦେଇନାହିଁ କି ନିଜ ଶକ୍ତିରେ ମୁଁ ସେ ସୌଭାଗ୍ୟ ଅର୍ଜନ କରିନାହିଁ ।’’ ଅନସୂୟାଙ୍କ ଅନ୍ତରରେ ତିଳେମାତ୍ର ଈର୍ଷା ବା ଦ୍ୱେଷର ପ୍ରକାଶ ଘଟି ନାହିଁ । ସଖୀର ମନ କଥା ଜାଣି ତାକୁ ତାର ଅଧିକାରରେ ସୁପ୍ରତିଷ୍ଠିତ କରିବାହିଁ ତାଙ୍କର ଏକମାତ୍ର କର୍ତ୍ତବ୍ୟ । ଅପର ସଖୀ ପ୍ରିୟମ୍ବଦା କୋମଳ ପତ୍ରରେ ଆସନ ସଜାଇ ଦେଲା ଓ ରାଜାଙ୍କ ଗଳାରେ ଫୁଲହାର ପିନ୍ଧାଇ ଦେବାକୁ ନିର୍ଦ୍ଦେଶ ଦେଲା-। ପ୍ରିୟମ୍ବଦା ଓ ଅନସୂୟାଙ୍କ ଆନ୍ତରିକ ସାହଚର୍ଯ୍ୟରେ ଓ ସହାନୁଭୂତିରେ ଶକୁନ୍ତଳାଙ୍କ ମନର ସ୍ୱପ୍ନ ବାସ୍ତବତାର ଆଲୋକରେ ଉଦ୍ଭାସିତ ହୋଇଛି ।

 

ପ୍ରେମ-ସାଗରରେ ପ୍ରାଣ-ପୋତଟି ଭସାଇ ଦେଇଛି ଶକୁନ୍ତଳା—ଭବିଷ୍ୟତର ନିଶ୍ଚିନ୍ତ, ନିରାପଦ ଜୀବନ କଥା ନ ଭାବି ସେ ପ୍ରଣୟ-ସ୍ରୋତରେ ଭାସିଯାଇଛି । କୂଳରେ ପହଞ୍ଚିବ କି ନାହିଁ ସେ କଥା ସେ ଜାଣେ ନାହିଁ । କିନ୍ତୁ ଶକୁନ୍ତଳାର ଶୁଭାଶୁଭ ପ୍ରତି ସଜାଗ ସଖୀଦ୍ୱୟ ସେ କଥା ବିସ୍ମୃତ ହୋଇ ନାହାନ୍ତି । ତେଣୁ ବଚନ ପଟ୍ଟୀୟତ୍ରୀ ପ୍ରିୟମ୍ବଦା ଶ୍ଳେଷ ଭାଷାରେ ରାଜାଙ୍କ ହସ୍ତରେ ଶକୁନ୍ତଳାଙ୍କୁ ସମର୍ପଣ କଲେ । ରାଜା ସ୍ତ୍ରୀ ରୂପେ ଗ୍ରହଣ କଲେ ଶକୁନ୍ତଳା ପ୍ରାପ୍ତି ସମ୍ଭବ । ପ୍ରିୟମ୍ବଦା ଶକୁନ୍ତଳାଙ୍କ ସମବୟସୀ ହେଲେହେଁ ସଂସାରର ରୀତିନୀତି ସମ୍ୱନ୍ଧରେ ସଚେତନ । ତେଣୁ ସେ ରାଜାଙ୍କୁ ପଚାରିଛି—

 

‘ବନଫୁଲ ସମାଦୃତ,

ହେବ କି ପ୍ରମଦା-ରଣ୍ୟ ସାର ପୁଷ୍ପ

ସବୁ ଯହିଁ ସମାଦୃତ ?’’

 

ଯେଉଁଠି ରାଜାଙ୍କ ଅନ୍ତଃପୁରରେ ପ୍ରମୋଦ ବିଳାସିନୀ ବହୁ ସୁନ୍ଦରୀ ଲଳନା ରହିଛନ୍ତି, ସେଠି ବନଚାରିଣୀ ସରଳା ଶକୁନ୍ତଳା ସମ୍ମାନ ଲାଭ କରିବେ ତ ? ସଖୀ ପାଇଁ ସଖୀ ମନରେ କି ଅପରିସୀମ ସ୍ନେହ ବ୍ୟାକୁଳତା ! ଶକୁନ୍ତଳାଙ୍କର ଜନନୀ ଥିଲେ ନିଜ ସନ୍ତାନର ଭବିଷ୍ୟତ ଶୁଭ ଚିନ୍ତନରେ ତାଙ୍କ ମନରେ ଯେଉଁ ବ୍ୟଗ୍ରତା ପ୍ରକାଶ ପାଇଥାନ୍ତା, ପ୍ରିୟମ୍ବଦା ଚରିତ୍ରରେ ସେହି ଭାବ, ସେହି ରୂପ ପ୍ରତିବିମ୍ବିତ ହୋଇଅଛି । ଶକୁନ୍ତଳା ଜୀବନରେ ସାମୟିକ ପ୍ରତିଷ୍ଠା ସେମାନେ ଚାହିଁ ନାହାନ୍ତି, ଚାହିଁଛନ୍ତି ଚିରକାଳର ମର୍ଯ୍ୟାଦା, ସେଥିପାଇଁ—

 

‘‘ସଖୀ ପଚାରିଲା ସଖୀ ପ୍ରତି, ‘‘ସଖୀ-

ନନ୍ଦନ ପାଇବ କିସ ?

ବିଶ୍ୱାସ ଭାଜନ ନୁହନ୍ତି ଜଗତେ

ନଦୀ, ନଖୀ, ନରାଧୀଶ ।’’

 

ରାଜାଙ୍କର ଦୃଢ଼, ସଂଯତ ଓ ବିଶ୍ୱସ୍ତ ପ୍ରେମର ପରିଚୟ ପାଇଁ ଚତୁରା ବିଚକ୍ଷଣମତୀ, ପ୍ରିୟମ୍ବଦା ଅଭିଭୂତ ତଥା ଆଶ୍ୱସ୍ତ ହେଲେ । ଶକୁନ୍ତଳାଙ୍କ ପ୍ରେମର ଯଜ୍ଞରେ ସେ ପ୍ରଣୟର ଘୃତ ଢାଳି ତାକୁ ଆହୁରି ପ୍ରଜ୍ୱଳିତ କରିବା ମାନସରେ ମାତୃହରା ମୃଗଶିଶୁକୁ ତା’ ମାତା ସହିତ ମିଳିତ କରାଇବା ପାଇଁ ବ୍ୟସ୍ତ ହୋଇ ସେ ସ୍ଥାନ ତ୍ୟାଗ କଲା । ପ୍ରିୟମ୍ୱଦାର ଉଦ୍ଦେଶ୍ୟ ଉପଲବ୍‌ଧି କରି ଅନସୂୟା ମୃଗ-ଜନନୀକୁ ଅନ୍ୱେଷଣ କରିବା ଛଳରେ ସତ୍ୱର ପ୍ରସ୍ଥାନ କଲା । ପ୍ରେମିକ ପ୍ରେମିକାଙ୍କ ନିଭୃତ ମିଳନ ପାଇଁ ସଖୀଦ୍ୱୟ ଯେପରି ଚତୁରତାର ସହିତ କ୍ଷେତ୍ର ପ୍ରସ୍ତୁତ କରିଛନ୍ତି, ସଂଧ୍ୟା ଉପଗତ ହୁଅନ୍ତେ ‘‘ନଳିନୀକି ତେଜି ମିହିର ଗଲେଣି, ଚକ୍ରବାକ ଚକ୍ରବାକୀ’’ କହି ପରସ୍ପରର ବିଚ୍ଛେଦ ସମୟର ସଂକେତ ମଧ୍ୟ ପ୍ରଦାନ କରିଛନ୍ତି । ଶକୁନ୍ତଳାଙ୍କ ପ୍ରେମର ସାର୍ଥକ ପରିଣତ ପାଇଁ ଦୁଇ ସଖୀଙ୍କ ଅବଦାନ ଅବିସ୍ମରଣୀୟ ।

 

ଦୁଷ୍ମନ୍ତ ଅଦୂର ଭବିଷ୍ୟତରେ ଶକୁନ୍ତଳାଙ୍କୁ ରାଜକୀୟ ମର୍ଯ୍ୟାଦାରେ ହସ୍ତିନାପୁରକୁ ନେଇଯିବା ପାଇଁ ପ୍ରତିଶ୍ରୁତି ଦେଇ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କଲେ । ଶକୁନ୍ତଳା ଭବିଷ୍ୟତ ସ୍ୱପ୍ନରେ ବିଭୋର ହୋଇ ସଖୀ ସଙ୍ଗ ତ୍ୟାଗ କରି ଆଶ୍ରମ କୁଟୀରରେ ଏକାକୀ ପ୍ରିୟତମ ଚିନ୍ତାରେ ନିମଗ୍ନ ହେଲେ । ସେଇ ଅବସରରେ ଦୁର୍ବାସା ଆସି ପୂଜ୍ୟ-ପୂଜା-ବ୍ୟତିକ୍ରମ-ଫଳ ସ୍ୱରୂପ କଠୋର ଅଭିଶାପରେ ଶକୁନ୍ତଳାଙ୍କ ଜୀବନରେ ବିପଦର ବୀଜ ପୋତି ଦେଇ ଗଲେ । ସଖୀ ପରିବୃତା ଶକୁନ୍ତଳାଙ୍କୁ କୌଣସି ବିପଦ ଆପଦ ଦୁଶ୍ଚିନ୍ତା ସ୍ପର୍ଶ ମାତ୍ର କରି ପାରିନାହିଁ । ତାଙ୍କ ପଥକୁ ସୁନ୍ଦର, ସୁଶୋଭିତ ମସୃଣ କରିଛନ୍ତି ପ୍ରିୟ ସହି ପ୍ରିୟମ୍ବଦା ଓ ଅନସୂୟା । ଯେଉଁ ମୁହୂର୍ତ୍ତରେ ସେ ସଖୀଙ୍କଠାରୁ ବିଚ୍ଛିନ୍ନ ହୋଇ ପଡ଼ିଛନ୍ତି, ସେଇ ମୁହୂର୍ତ୍ତର ସୁଯୋଗ ନେଇ ବିପଦ ତାଙ୍କୁ କବଳିତ କରିଛି । କିନ୍ତୁ ଶକୁନ୍ତଳାଙ୍କ ଦ୍ୱିତୀୟା ସତ୍ତା ସ୍ୱରୂପିଣୀ ସଖୀଦ୍ୱୟ ସେଇ ଗୁରୁତର ବିପଦରୁ ମଧ୍ୟ ତାଙ୍କ ଉଦ୍ଧାରର ମାର୍ଗ ନିରୂପଣ କରିଛନ୍ତି । ମହର୍ଷି ଦୁର୍ବାସାଙ୍କ ପାଦତଳେ ପଡ଼ି ସେମାନେ ସଖୀର ଅପରାଧ ପାଇଁ ଅତ୍ୟନ୍ତ ବିନୀତ ଭାବରେ କ୍ଷମା ପ୍ରାର୍ଥନା କରିଛନ୍ତି । ସେମାନଙ୍କ କାରୁଣ୍ୟରେ କଠୋରମନା ଦୁର୍ବାସାଙ୍କ କ୍ରୋଧ ଶାନ୍ତ ହେଲା ଓ ଅଭିଜ୍ଞାନ ଦେଖିଲେ ଦୁଷ୍ମନ୍ତ ଶକୁନ୍ତଳାଙ୍କୁ ଚିହ୍ନି ପାରିବ ବୋଲି ଋଷି ବଚନ ଦେଲେ । ପ୍ରିୟ ସଖୀ କୋମଳ ସ୍ୱଭାବ ଶକୁନ୍ତଳାକୁ ଏକଥା କହି ଦୁଃଖ ଦେବାକୁ ଚାହିଁଲେ ନାହିଁ । ବିପଦ ଖଣ୍ତନର ଉପାୟ କରି ସଖୀଦ୍ୱୟ ନିଶ୍ଚିନ୍ତ ହେଲେ । ତଥାପି ଦୁଷ୍ମନ୍ତଙ୍କ ଶ୍ଳେଷବାକ୍ୟ ସ୍ମରଣ କରି ଜଣେ ଚିନ୍ତିତ ହୋଇ କହିଛି—

 

‘‘ଯଦି କୁମାରୀର ପ୍ରତିକୂଳେ ନୃପ

ପ୍ରକାଶନ୍ତି ସବୁ ଅର୍ଥ,

ତେବେ ତ କୁମାରୀ କଳଙ୍କ-ସାଗରେ

ଜୀବନ କରିବ ବ୍ୟର୍ଥ’’

 

ଶକୁନ୍ତଳାର ଭବିଷ୍ୟତର ନିରାପତ୍ତା ପାଇଁ ସଖୀଦ୍ୱୟ ସଦାବ୍ୟାକୁଳ । ଶକୁନ୍ତଳା ଯେଉଁ ମୁହୂର୍ତ୍ତରେ ‘ତପୋବନ ବିରୁଦ୍ଧ’ ଭାବରେ ନିଜକୁ ହଜାଇ ଦେଇଛି, ସେଇ ମୁହୂର୍ତ୍ତରୁ ସଖୀମାନେ ତା’ପାଇଁ ବ୍ୟସ୍ତ ଚିନ୍ତିତ ହୋଇଛନ୍ତି । ଶକୁନ୍ତଳା ଦୁଷ୍ମନ୍ତଙ୍କୁ ପାଇ ସଖୀଙ୍କୁ ଭୁଲିଛି, କିନ୍ତୁ ସଖୀମାନେ ଦୁଷ୍ମନ୍ତଙ୍କ ହାତରେ ଶକୁନ୍ତଳାଙ୍କୁ ଅର୍ପଣ କରି ଆଦୌ ନିଶ୍ଚିନ୍ତ ହୋଇ ପାରିନାହାନ୍ତି । ତେଣୁ ଅନ୍ୟ ଜଣେ ସଖୀ କହିଛି ଯେ ଦୁଷ୍ମନ୍ତ ଆଦୌ ଶଠ, ପ୍ରବଞ୍ଚକ ନୁହନ୍ତି ତାଙ୍କ ମୁଖ ମଣ୍ତଳରେ ବିଶ୍ୱସ୍ତ ପ୍ରଣୟ ଭାବ ସୂଚିତ ହେଉଥିଲା । କିନ୍ତୁ ସେ ରାଜା । ରାଜଧର୍ମର ବଶବର୍ତ୍ତୀ ହୋଇ ରାଜକର୍ମରେ ବ୍ୟସ୍ତ ରହିଥିବେ, ତା’ ଛଡ଼ା ମୁନି ଅଭିଶାପ ତାଙ୍କ ‘ପ୍ରଣୟ-ସ୍ମରଣ ପଥ’କୁ ରୋଧ କରିଦେବ । ତେଣୁ ସେ ପ୍ରତିଶ୍ରୁତି ଦେଲେ ମଧ୍ୟ ତାହା ପାଳନ କରିବେ ନାହିଁ । ଏକମାତ୍ର ଉପାୟ ହେଉଛି ଦୁଷ୍ମନ୍ତଙ୍କ ସହିତ ଶକୁନ୍ତଳାର ସାକ୍ଷାତର ବ୍ୟବସ୍ଥା ଗ୍ରହଣ । ଯେଉଁ ଶକୁନ୍ତଳା ନିଜ ଜୀବନର ସ୍ୱପ୍ନରେ ବୁଡ଼ି ରହି ପ୍ରାଣସମା ସଖୀଙ୍କୁ ଭୁଲିଛି, ସେଇ ଶକୁନ୍ତଳାଙ୍କ ଶୁଭ ଚିନ୍ତା କରି ସଖୀମାନେ ବ୍ୟାକୁଳ ହୋଇ ଉଠିଛନ୍ତି । ଶକୁନ୍ତଳାଙ୍କ ପ୍ରତି ସଖୀମାନଙ୍କର ପ୍ରଗାଢ଼ ଅନୁରାଗହିଁ ପ୍ରକାଶ ପାଇଛି ।

 

ମହାମୁନି କଣ୍ୱ ପ୍ରତ୍ୟାବର୍ତ୍ତନ କରି ଶକୁନ୍ତଳାଙ୍କ ଆତ୍ମଦାନ ବୃତ୍ତାନ୍ତ ଧ୍ୟାନ ବଳରେ ଜାଣିପାରିଲେ ଓ କନ୍ୟାର ପ୍ରତିଗୃହ ଗମନ ପାଇଁ ଆୟୋଜନ କରିବାକୁ ଭଗିନୀ ଗୌତମୀଙ୍କୁ ନିର୍ଦ୍ଦେଶ ଦେଲେ । ଏକଥା ଶୁଣି ସଖୀଦ୍ୱୟ ଆଶ୍ୱସ୍ତ ହେଲେ । ପ୍ରିୟମ୍ବଦା ଅନସୂୟାକୁ ଲକ୍ଷ୍ୟ କରି କହିଲା,

 

‘‘ସଜନି ! ସଂଶୟ-ତରଣୀ ଲାଗିଲା

ସୁବର୍ଣ୍ଣ ଭୂମିରେ ଯାଇ ।’’

 

ଅନସୂୟା ଆନନ୍ଦ ଗଦ୍‌ଗଦ ଚିତ୍ତରେ ଉତ୍ତର ଦେଲା ।

 

‘‘ସତେ ସଖି ! ସତ-କାର୍ଯ୍ୟରେ ସହାୟ

ଚିନ୍ତାମଣି ବିଶ୍ୱବାସ ।’’

 

ଦୁର୍ବାସାଙ୍କ ଅଭିଶାପ କଥା ଭାବି ସଖୀଦ୍ୱୟଙ୍କ ଚିତ୍ତ ଆଶା ଆଶଙ୍କାରେ ଦୋଦୁଲ୍ୟମାନ ହେଉଥିଲା । ଶକୁନ୍ତଳା ହସ୍ତିନାର ସୁବର୍ଣ୍ଣ ଭୂମିକୁ ଯିବାର ପ୍ରସ୍ତୁତି ପର୍ବ ଦେଖି ପ୍ରିୟମ୍ବଦାର ସଂଶୟ ଖଣ୍ତିତ ହେଲା ଆଉ ନିଷ୍ପାପ ହୃଦୟରେ ଶୁଦ୍ଧ ଚିତ୍ତରେ ମଣିଷ ଯେଉଁ କାର୍ଯ୍ୟ କରେ ସେଥିରେ ଭଗବାନ ନିଜେ ସହାୟ ହୁଅନ୍ତି—ଏଇ ବିଶ୍ୱାସ ଅନସୂୟା ର ଦୃଢ଼ୀଭୂତ ହେଲା । ଶକୁନ୍ତଳା ସ୍ୱାମୀ ଗୃଂହକୁ ଯିବା ସମ୍ବାଦରେ ସେମାନେ ଯେତିକି ଆନନ୍ଦିତ ହେଲେ, ଆଶୈଶବ ସାଥି ଚିରକାଳ ପାଇଁ ଛାଡ଼ିଯିବା ଭାବି ତାଙ୍କ ହୃଦୟ ବିଷାଦରେ ଭାଙ୍ଗି ପଡ଼ିଲା ।

 

ବିଦାୟ ମୁହୂର୍ତ୍ତରେ ସଖୀମାନେ କହିଲେ, ‘‘ସଜନି, ଆମ୍ଭଙ୍କୁ କାହା ହାତରେ ଅର୍ପଣ କରି ଯାଉଛୁ ?’’ ଅସହାୟ କଣ୍ଠରେ ନିଜର ନିରାଶ୍ରୟ ଭାବ ବ୍ୟକ୍ତ କରିଛନ୍ତି । ଶକୁନ୍ତଳାଙ୍କୁ ଆଶ୍ରୟ କରି ତାଙ୍କର ଜୀବନ ବିକଶିତ ହୋଇ ଉଠିଛି । ଶକୁନ୍ତଳା ବ୍ୟତୀତ ସେମାନଙ୍କର ସ୍ୱତନ୍ତ୍ର ଅସ୍ତିତ୍ୱ ନାହିଁ । ଶକୁନ୍ତଳାଙ୍କର ଦୃଢ଼ ବିଶ୍ୱାସ ପାଖରୁ ଅନ୍ତର ହେଲେ ବି ହୃଦୟରୁ କଦାପି ଅନ୍ତର ହେବେ ନାହିଁ । ଏଇ ବିଶ୍ୱାସହିଁ ପ୍ରିୟମ୍ବଦା ଅନସୂୟାଙ୍କ ସମଗ୍ର ଜୀବନର ତପସ୍ୟାର ଫଳ ।

 

ବିଦାୟର ଆସନ୍ନ ମୁହୂର୍ତ୍ତରେ ଶକୁନ୍ତଳା ଦୁଇ ସଖୀଙ୍କୁ ଆଲିଙ୍ଗନ କରି ଲୋତକ ବନ୍ୟାରେ ଭାସିଗଲା ବେଳେ ନିଜ ଦୁଃଖ ଭୁଲି ସଖୀ ଦୁଃଖ ସ୍ମରଣ କରି ପ୍ରିୟସଖୀ ପ୍ରିୟମ୍ବଦା କହିଲା, ‘‘ସଜନି, ଅଙ୍ଗୁରୀୟ କଥା ପାସୋରି ଦେଇଛୁ, ସେ ତୋ ପ୍ରଣୟର ଆଦ୍ୟ ଉପହାର ସଯତ୍ନରେ ତାକୁ ସଙ୍ଗରେ ରଖିଥିବୁ ।’’ ଦୁଷ୍ମନ୍ତଙ୍କ ନାମାଙ୍କିତ ମୁଦ୍ରିକାକୁ ଗଣ୍ଠିଧନ କରିବାକୁ ସଖୀ ଉପଦେଶ ଦେଇ ଅଶ୍ରୁବର୍ଷୀ ସଜଳ ନୟନରେ ଶକୁନ୍ତଳାର ଅଞ୍ଚଳ ପ୍ରାନ୍ତରେ ଅଙ୍ଗୁରୀୟକୁ ବାନ୍ଧି ଦେଲେ । ସଖୀର କର୍ତ୍ତବ୍ୟ ଏଇଠି ସମାପ୍ତ ହେଲା । ପ୍ରିୟମ୍ବଦା ଓ ଅନସୂୟାଙ୍କ ଜୀବନରେ ନିଜର ସୁଖ ଦୁଃଖ, ଭାଗ୍ୟର ଉତ୍‌ଥାନ ପତନ କିମ୍ବା ଜୀବନର ବୈଚିତ୍ର୍ୟମୟ ପ୍ରକାଶ ନ ଥିଲା । ସେମାନଙ୍କର ସୁଖ ଦୁଃଖ, ଆନନ୍ଦ ବିଷାଦ ଶକୁନ୍ତଳାଙ୍କୁ କେନ୍ଦ୍ର କରି ଆବର୍ତ୍ତିତ ହେଉଥିଲା । ଶକୁନ୍ତଳା ଥିଲେ ତାଙ୍କର ମନ ବିଳାସର ମଧ୍ୟ ମଣି । ଶକୁନ୍ତଳାର ସମବୟସୀ ହେଲେ ହେଁ ଦୁଷ୍ମନ୍ତଙ୍କୁ ଦେଖି ସେମାନଙ୍କ ହୃଦୟରେ ଆଶ୍ରମ ବିରୁଦ୍ଧ ଭାବ ପ୍ରକାଶ ପାଇନାହିଁ । ସେମାନେ ଶୁଦ୍ଧ ଅନ୍ତଃକରଣର ସଖୀ ଜୀବନର ପରିପୂର୍ଣ୍ଣତା ପାଇଁ ସକଳ ଆୟୋଜନ ସଂପୂର୍ଣ୍ଣ କରିଛନ୍ତି । ଏକ ମନ, ଏକ ପ୍ରାଣ ହୋଇ ଶୈଶବରୁ ସେମାନେ ବଢ଼ିଛନ୍ତି–କିନ୍ତୁ ସଖୀର ସୁଖ ସୌଭାଗ୍ୟ କଳ୍ପନାକରି ସେମାନେ ଶକୁନ୍ତଳାଙ୍କଠାରୁ ଅନ୍ତର ହେବା ପାଇଁ ମନକୁ ପ୍ରସ୍ତୁତ କରିଛନ୍ତି । ସଖୀ ପାଇଁ ଜୀବନ ତ୍ୟାଗ କରିବାକୁ ମଧ୍ୟ ସେମାନେ କୁଣ୍ଠିତ ନୁହନ୍ତି ।

 

କାଳିଦାସଙ୍କ ଅଭିଜ୍ଞାନ ଶକୁନ୍ତଳମ୍‌ରେ ଅନସୂୟା ଶକୁନ୍ତଳାଙ୍କର ‘ଦ୍ୱିତୀୟ ହୃଦୟ ସଦୃଶ’ ପ୍ରିୟସଖୀ ଭୂମିକାରେ ଅଭିନୟ କରିଛି । ପ୍ରିୟମ୍ବଦାର ଭୂମିକା କୌଣସି ଅଂଶରେ ନ୍ୟୁନ ନୁହେଁ । ସେ ମଧ୍ୟ ଶକୁନ୍ତଳାଙ୍କର ପ୍ରାଣ ସମ ପ୍ରିୟ ସଖୀ । କିନ୍ତୁ ଅନସୂୟାର ଶାନ୍ତ, ନିରୀହ, ସରଳ ପ୍ରକୃତି ସହିତ ଶକୁନ୍ତଳାଙ୍କ ସ୍ୱଭାବର ସାଦୃଶ୍ୟ ହିଁ ତାଙ୍କୁ ପ୍ରତି କ୍ଷେତ୍ରରେ ଅନସୂୟା ପ୍ରତି ଆକୃଷ୍ଟ କରାଇଛି । ରାଜାଙ୍କ କୌତୁହଳ ନିବୃତ୍ତ କରି ଅନସୂୟା ଶକୁନ୍ତଳାଙ୍କ ଜନ୍ମବୃତ୍ତାନ୍ତ ବର୍ଣ୍ଣନା କରିଛନ୍ତି, ଦୁଷ୍ମନ୍ତ ଦର୍ଶନ ଲାଳସୀ ଶକୁନ୍ତଳା ଅନସୂୟାଙ୍କୁ ଆହ୍ୱାନ କରି ପରିଧେୟ ବଳ୍‌କଳ କୁରୁବଳ ଶାଖାରୁ ମୁକ୍ତ କରିବା ଯାଏ ଅପେକ୍ଷା କରିବାକୁ କହିଛନ୍ତି । ଗଙ୍ଗାଧର ପ୍ରିୟମ୍ବଦାଙ୍କୁ ଏ ସବୁ ସ୍ଥଳରେ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ କରାଇଛନ୍ତି । କାରଣ ପ୍ରିୟମ୍ବଦା ଚଞ୍ଚଳା, ମୁଖରା ଚଟୁଳ ଭାଷିଣୀ, ମନ୍ତବ୍ୟ ପ୍ରଦାନରେ ଅଗ୍ରଣୀ, ସାମାନ୍ୟ କଥାକୁ ରସସିକ୍ତ କରି ବ୍ୟଙ୍ଗୋକ୍ତିରେ କହିବାରେ ସୁଦକ୍ଷା । ସତେ ଯେପରି ସେ ରସିକତାର ସ୍ରୋତସ୍ୱିନୀ । ନାଟକରେ ଦୁଇ ସଖୀଙ୍କର ଯେପରି ସ୍ୱତନ୍ତ୍ର ଅଭିବ୍ୟକ୍ତି ରହିଛି । ମେହେରଙ୍କ କାବ୍ୟରେ ଦୁଇ ସଖୀଙ୍କୁ ଏକ ଭାବରେ ପରିକଳ୍ପନା କରାଯାଇଛି । ତେବେ ରସଭାଗ ବା ଶ୍ଳେଷଭାଗ ପ୍ରକାଶ କାଳରେ ପ୍ରିୟମ୍ବଦାଙ୍କୁ କବି ଅଗ୍ରବର୍ତ୍ତନୀ କରାଇଛନ୍ତି । କିନ୍ତୁ ମେହେର ମୁଖ୍ୟତଃ ଦୁଇ ସଖୀଙ୍କୁ ଏକ ରୂପେ କଳ୍ପନା କରି ବିଷୟର ଅବତାରଣା କରିବା ଦ୍ୱାରା ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବାରେ ସମର୍ଥ ହୋଇଛନ୍ତି ।

 

ତ୍ରିଲୋକ ସୁନ୍ଦରୀ ଶକୁନ୍ତଳାଙ୍କର ପ୍ରିୟ ସଖୀଦ୍ୱୟ ରୂପ ଗୁଣ ବୟସରେ ତାଙ୍କର ସମତୁଲ୍ୟ ଓ ହୃଦୟର ଅଭିବ୍ୟକ୍ତିରେ ସମସାଧିକା । ପ୍ରେମମୟୀ ରାଧାଙ୍କର ଲଳିତା ବିଶାଖା ବ୍ୟତୀତ ଏପରି ଅଭିନ୍ନାତ୍ମା ସଖୀଯୁଗଳ ଅନ୍ୟତ୍ର ବିରଳ । କାଳିଦାସଙ୍କ ସ୍ପଷ୍ଟ ଚରିତ୍ର ସ୍ଥଳ ବିଶେଷରେ ମେହେରଙ୍କ ଲେଖନୀରେ ଆହୁରି ରସମୟୀ ପ୍ରାଣମୟୀ ହୋଇ ସତ୍ୟ ମୂର୍ତ୍ତିରେ ପ୍ରକାଶିତ ହୋଇଛନ୍ତି । ଏ ଦୁହେଁ କେବଳ ସୁକୁମାରୀ ଶକୁନ୍ତଳାରୂପୀ ସୁମନର ଶୋଭା ସଂପାଦିନୀ ପତ୍ର ନୁହନ୍ତି, କାବ୍ୟରୂପୀ ସୁମନର ମଧ୍ୟ ସୌନ୍ଦର୍ଯ୍ୟ ବିଧାୟକ ପଲ୍ଲବ ତୁଲ୍ୟ ମନୋଜ୍ଞ, ସଦୃଶ୍ୟ ।

 

ମହର୍ଷି କଣ୍ୱ–ବିନାଶଶୀଳ, ନିତ୍ୟ ପରିବର୍ତ୍ତିତ ସଂସାରର ମାୟା ମୋହ ଆସକ୍ତିରୁ ଉତ୍ତୀର୍ଣ୍ଣ ହୋଇ ମନର ଏକାଗ୍ର ସାଧନାରେ ଇନ୍ଦିୟକୁ ଜୟ କରି, କଠୋର ତପଶ୍ଚର୍ଯ୍ୟ ଶରୀର କ୍ଷୟ କରି, ଗଭୀର ଜ୍ଞାନ ପ୍ରଭାରେ ଜଗତକୁ ଆଲୋକିତ କରି ଲୋକ କଲ୍ୟାଣ ବ୍ରତଧାରଣ କରି ପରିଶେଷରେ ବ୍ରହ୍ମପ୍ରାପ୍ତି ହିଁ ତପସ୍ୱୀର ଜୀବନ ଲକ୍ଷ୍ୟ । ମାୟା ଜଡ଼ିତ ନ ହୋଇ ମାୟା ବିରକ୍ତ ହେବା ହିଁ ମହାମନା ଋଷିର ସାଧନ ବ୍ରତ । ସଂସାର ଉନ୍ମୁଖ ନ ହୋଇ ସଂସାର ବିମୁଖ ଭାବ ପ୍ରକାଶ ହିଁ ମୁନିର ବିଲକ୍ଷଣ ରୂପ । କିନ୍ତୁ ବିଧିର ବିଧାନ ଭିନ୍ନ ନିର୍ଜନ ବନ ମଧ୍ୟରେ ମାତ୍ରୁ ପରିତ୍ୟକ୍ତା, ଶକୁନ ପ୍ରତିପାଳିତା ଅପୂର୍ବ ସୁନ୍ଦର ଶିଶୁ କନ୍ୟାଟିଏ ଦେଖି ଯେଉଁ ମହାମନା ଋଷିଙ୍କ ଅନ୍ତରରେ କରୁଣା ସରିତ ପ୍ରବାହିତ, ସେଇ ହେଉଛନ୍ତି ପୁରାଣର ପ୍ରସିଦ୍ଧ ମୁନି ମହର୍ଷି କଣ୍ୱ । ଜନ୍ମରୁ ବ୍ରହ୍ମଚର୍ଯ୍ୟ ପାଳନ କରି ଲୋକାଳୟ ବର୍ଜନ କରି ବନବାସୀ ହୋଇ ସାରା ଜୀବନ ଗଭୀର ତପସ୍ୟାରେ ଅତିବାହିତ କରିଛନ୍ତି । ସ୍ନେହ ମମତାର ମାୟା-ମରୀଚିକାରେ କେବେ ବିଭ୍ରାନ୍ତ ହୋଇନାହାନ୍ତି । କିନ୍ତୁ ମନୁଷ୍ୟ ବର୍ଜିତ ବନ ମଧ୍ୟରେ ଅସହାୟା ଶିଶୁକୁ ଏକାକିନୀ ଦେଖି ଋଷି ହୃଦୟରେ ମମତାର ମନ୍ଦାକିନୀ ଉଛୁଳି ଉଠିଲା । ସ୍ନେହମୟୀ ଜନନୀ ଯେଉଁ ସନ୍ତାନକୁ ଉପେକ୍ଷା କଲା, ଆଜନ୍ମ ବ୍ରହ୍ମଚାରୀ ଋଷି ସ୍ନେହର ନିର୍ଝର ଝରାଇ ତା’କୁ ନିଜର କଠିନ ବକ୍ଷରେ ଆଦରରେ ତୋଳି ଧରିଲେ । ଶକୁନ-ପାଳିତା ହୋଇଥିବାରୁ ନାମ ଦେଲେ ଶକୁନ୍ତଳା । ସନ୍ତାନର ସ୍ମୃତି-ଅଙ୍ଗନରୁ ଲିଭି ଯାଇଛନ୍ତି ଜନ୍ମଦାତା ପିତା ବିଶ୍ୱାମିତ୍ର ଆଉ ସ୍ନେହ ସହାନୁଭୂତିର ଉଜ୍ଜ୍ୱଳ ମୂର୍ତ୍ତି ନେଇ ଆବିର୍ଭୂତ ହୋଇଛନ୍ତି ଉଦାରଚେତା ମହାପ୍ରାଣ ଋଷି କଣ୍ୱ । ଭାଗ୍ୟର କି ନିଷ୍ଠୁର ପରିହାସ । ଜନକ ଆତ୍ମସିଦ୍ଧି ପାଇଁ କନ୍ୟାକୁ ତ୍ୟାଗ କରି ଗଭୀର ଅରଣ୍ୟକୁ ଯାଇଛନ୍ତି ତପସ୍ୟା କରିବାକୁ, ଆଉ ଆଜନ୍ମ ବ୍ରହ୍ମଚାରୀ ମହର୍ଷି ତପସ୍ୟାର ଫଳ ଜ୍ଞାନ କରି ସାଦରେ ଗ୍ରହଣ କରିଛନ୍ତି ଅନାତ୍ମୀୟ ଶିଶୁପୁତ୍ରୀକୁ । ଏତଦ୍‍ଦ୍ୱାରା କଣ୍ୱଙ୍କର ଯଥାର୍ଥରେ ତପସିଦ୍ଧ ଭାବହିଁ ପ୍ରକାଶିତ ।

 

ସ୍ନେହମୟୀ କନ୍ୟାର ଯୌବନ ଉଦ୍‌ଗମରେ ସ୍ନେହମୟ ପିତା ତାଙ୍କୁ ଯୋଗ୍ୟ ବରରେ ଅର୍ପଣ କରିବା ଅଭିପ୍ରାୟରେ ତପସ୍ୟା କରିବାପାଇଁ ତୀର୍ଥ ଗମନ କରିଛନ୍ତି । ନିଃସନ୍ତାନ ହେଲେ ହେଁ କଣ୍ୱଙ୍କ ହୃଦୟ ପିତୃ ସ୍ନେହରେ ଉଦ୍‌ବେଳିତ, ବ୍ରହ୍ମଚାରୀ ହେଲେହେଁ ସଂସାର ଆଚାର ବିଦିତ । ତେଣୁ କନ୍ୟାର ଭବିଷ୍ୟତ ଜୀବନର ମଙ୍ଗଳ ପାଇଁ, ଶାନ୍ତି ସ୍ୱାସ୍ଥ୍ୟୟନ ବିଧାନ ପାଇଁ ତୀର୍ଥ ଗମନ କରିଛନ୍ତି । ହୃଦୟରେ କି ଅସୀମ ବାତ୍ସଲ୍ୟ ମମତା ! ସନ୍ତାନ ଭବିଷ୍ୟତ ପାଇଁ କି ବ୍ୟାକୁଳ ଉତ୍କଣ୍ଠା ! ଶୁଦ୍ଧ ଅନ୍ତରରେ କାମନାର ଉଦୟ ମାତ୍ରେ ତା’ ଫଳପ୍ରସୂ ହୋଇଛି କଣ୍ୱ ଆଶ୍ରମରେ ଦୁଷ୍ମନ୍ତଙ୍କ ଆକସ୍ମିକ ଆବିର୍ଭାବରେ । କଣ୍ୱଙ୍କର ସାତ୍ତ୍ୱିକତା ହିଁ ସୂଚିତ ।

 

ଦୀର୍ଘକାଳର ପ୍ରବାସ ପରେ କଣ୍ୱ ମୁନି ଆଶ୍ରମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଆଶ୍ରମର ତରୁଲତା, ବନ, ବୀଥି, ପଶୁପକ୍ଷୀ ତାପସ ତାପସୀ ସମସ୍ତେ ଆନନ୍ଦରେ ଉଚ୍ଛ୍ୱସିତ ହୋଇଛନ୍ତି । କିନ୍ତୁ ଆନନ୍ଦ ପ୍ରତିମର ଶକୁନ୍ତଳାଙ୍କ ରୀତି ନୀତିରେ ମୁନୀନ୍ଦ୍ର ବ୍ୟତିକ୍ରମ ଲକ୍ଷ୍ୟ କଲେ । ପୂର୍ବ ପରି ଉଚ୍ଛ୍ୱସିତ ତରଳ କଣ୍ଠରେ ଆଉ ସମ୍ଭାଷଣ କରୁନାହିଁ, ପରନ୍ତୁ ସମ୍ମୁଖକୁ ଚାଲି ଆସିଲେ ଲଜ୍ଜାବନତ ହୋଇ ଅପସରି ଯାଉଛି । ପକ୍ଷୀମାନଙ୍କର ଭାଷା ବୁଝି ପାରୁଥିବା ମହର୍ଷି କଣ୍ୱ କାକର ରାବ ମଧ୍ୟରେ ସକୁନ୍ତଳା ଜୀବନ ରହସ୍ୟର ଗ୍ରନ୍ଥି ଫିଟାଇ ଆନନ୍ଦିତ ହେଲେ । ତାଙ୍କ ଅନୁପସ୍ଥିତିରେ ସକୁନ୍ତଳା ସ୍ୱେଚ୍ଛାରେ ବର ବରଣ କରିବା ଓ ଅନ୍ତଃସତ୍ତ୍ୱା ହେବା ଘଟଣାରେ କଣ୍ୱ ଆଦୌ କୁପିତ ନ ହୋଇ ଉପରନ୍ତୁ ହର୍ଷୋତ୍‌ଫୁଲ୍ଲ ହୋଇଥିଲେ । ବିଚାରବନ୍ତ ଋଷି ଜାଣିଥିଲେ କ୍ଷତ୍ରିୟ କନ୍ୟା ପକ୍ଷରେ ନିଜ ଇଚ୍ଛାରେ ବରଣ କରିବା ଦୋଷାରବହ ନୁହେଁ । ପୁନଶ୍ଚଃ କନ୍ୟା ଅନୁରୂପ ପାତ୍ର ନିର୍ବାଚନ କରିଛି ଓ ତାର ସନ୍ତାନ ହିଁ ଦିନେ ଭାରତ ବିଶ୍ରୁତ ହେବ ଜାଣି କଣ୍ୱ କନ୍ୟାର ସୌଭାଗ୍ୟରେ ଆପ୍ୟାୟିତ ହୋଇଛନ୍ତି ।

 

ଶକୁନ୍ତଳା ପରିଣିତା ହେବା ପରେ ଆଉ ତପସ୍ୱିନୀ ପରି ଆଶ୍ରମରେ କୃଚ୍ଛ୍ର ସାଧନ କରିବା ବିହିତ ନୁହେଁ ଭାବି ମହାମୁନି କଣ୍ୱ ତତ୍‌ ପରଦିନ ପ୍ରଭାତରେ ତାଙ୍କୁ ପତି ଗୃହ ପ୍ରେରଣ କରିବା ପାଇଁ ମନସ୍ଥ କରିଛନ୍ତି । ଏହା କଣ୍ୱଙ୍କର ନିରହଙ୍କାର ଜିତକ୍ରୋଧ ବିଚାରବନ୍ତ ମନର ସ୍ୱଚ୍ଛନ୍ଦ ପ୍ରକାଶ ।

 

‘‘ଗୌତମୀଙ୍କି ଡାକିବୋଇଲେ, ‘ସୁସିଦ୍ଧ

ହୋଇଛି ମୋ ସଂକଳପ,

ଶକୁନ୍ତଳା ଯୋଗ୍ୟ-ବରପାଇଁ ଯାହା

କରି ଯାଇଥିଲି ତପ ।

ହସ୍ତିନାକୁ ଏବେଯାଇ ଶକୁନ୍ତଳା

ସେବିବ ସ୍ୱାମୀ ଚରଣ,

ଉଚିତ ନୁହେଁ ତାପକ୍ଷେ ଆଉ ଏହି

କାନନେ ତପଶ୍ଚରଣ ।’’

 

ମହର୍ଷି ଯେଉଁ ମୁହୂର୍ତ୍ତରେ ନିଜର କର୍ତ୍ତବ୍ୟ ସମ୍ବନ୍ଧରେ ସଚେତନ ହୋଇଛନ୍ତି, କାଳ ବିଳମ୍ବ ନ କରି ତା’ ପ୍ରତିପାଳନ ପାଇଁ ତତ୍ପର ହୋଇଛନ୍ତି ।

 

ଶକୁନ୍ତଳାଙ୍କର ସ୍ୱଗତ ଭାବନାରେ ଦୁଷ୍ମନ୍ତଙ୍କ ଚରିତ୍ରର ସୌନ୍ଦର୍ଯ୍ୟ ଫୁଟି ଉଠିଛି । ଶକୁନ୍ତଳା କଣ୍ୱଙ୍କର ଅନୁକୂଳଭାବ ଦେଖି କହିଛନ୍ତି,

 

‘‘ଦୁହିତାର ଦୋଷ କ୍ଷମିବାକୁ ପିତା

ତୁଲ୍ୟ ନାହିଁ ତ୍ରିଭୂବନେ ।’’

 

ସେ କଣ୍ୱଙ୍କୁ ପିତୃତୁଲ୍ୟ ଜ୍ଞାନ ନକରି ଜନ୍ମଦାତା ପିତା ରୂପେ ସ୍ୱୀକାର କରିଛନ୍ତି । ପିତା ମାତାର ସ୍ନେହ ଅକୃପଣ ଭାବରେ ଦେଇ କଣ୍ୱ ଶକୁନ୍ତଳା ହୃଦୟରେ ଏତେ ବିରାଟ ପ୍ରତିଷ୍ଠା ଲାଭ କରିଛନ୍ତି । ପୁଣି ଶକୁନ୍ତଳା ତାଙ୍କ ବିନାନୁମତିରେ ସ୍ୱେଚ୍ଛାଚାରିଣୀ ହୋଇ ଆତ୍ମଦାନ କରିବା ଅପରାଧକୁ ଉଦାର ମନରେ କ୍ଷମା କରି ପ୍ରକୃତରେ ପିତୃ ଆସନରେ ଅଳଙ୍କୃତ ହୋଇଛନ୍ତି ।

 

ଶକୁନ୍ତଳାଙ୍କ ମତରେ,—

‘‘ପ୍ରବାଳ ଲତିକା କେମନ୍ତେ ଜାଣିବ

ସାଗର କେତେ ଗଭୀର ?’’

 

କଣ୍ୱଙ୍କ ହୃଦୟର ଗଭୀର ସ୍ନେହକୁ କଳନା କରିବା ସହଜ ନୁହେଁ । ଗମ୍ଭୀର ମୂର୍ତ୍ତିତଳେ ତାଙ୍କର ସ୍ନେହ ଦୁର୍ବଳ ଛବିଟି ଲୁଚି ଯାଇଛି । ପ୍ରିୟତମା ସୁତାର ମନର ଅଭିଳାଷ ଜାଣି ହାରୀତଙ୍କୁ ବହୁମୂଲ୍ୟ ବିଚିତ୍ର ଆଭରଣ ଆଣିବାକୁ ମୁନି ଆଦେଶ ଦେଇଛନ୍ତି । ସିଦ୍ଧ ତପସ୍ୱୀଙ୍କ ମହିମାରେ ଉଦ୍ୟାନର ତରୁ ଲତା ବିଭିନ୍ନ ଅଳଙ୍କାର ପ୍ରଦାନ କରି ଅପସ୍‌ରା କନ୍ୟା ସର୍ବାଙ୍ଗ ଶୋଭିନୀ ଶକୁନ୍ତଳାଙ୍କ ଅଙ୍ଗମଣ୍ତନ କରିଛନ୍ତି । ସେମାନେ ଧନ ରତ୍ନ ଅଭିଳାଷୀ ନୁହନ୍ତି । କିନ୍ତୁ ସେମାନଙ୍କ ସେବାରେ ନିଜକୁ ନିୟୋଜିତ କରି ରତ୍ନ ଅଳଙ୍କାର ପବିତ୍ର ହେବା ମାନସରେ ତାଙ୍କ ନିକଟକୁ ଆସନ୍ତି । କଣ୍ୱଙ୍କର ତପଶକ୍ତି ଓ ଦିବ୍ୟଭାବ ଏହି ଘଟଣା ଦ୍ୱାରା ସୁସ୍ପଷ୍ଟ ।

 

ପତିଗୃହଗାମିନୀ କନ୍ୟା ସହିତ ମିଳିତ ହେବା ପାଇଁ ସଜଳ ନୟନରେ କଣ୍ୱଙ୍କର ଆବିର୍ଭାବ ପାଠକ ପୀଡ଼ିତ କରେ । ଚିରକୁମାର, ସଂସାର ନିରାସକ୍ତି ତପସ୍ୱୀ ସେ । ଚିରକାଳ ଅଧ୍ୟାତ୍ମ ଭାବନାରେ, ଅମୃତ ଅକୂପାରରେ ନିମଜ୍ଜିତ ଆନନ୍ଦମୟ ପୁରୁଷ ସେ । ଆଜି ସଂସାରର ଆଶ୍ଚର୍ଯ୍ୟ ନିୟମର କରୁଣ ଛାୟା ସ୍ପର୍ଶରେ ସେ ବିମନା ହୋଇ ପଡ଼ିଛନ୍ତି । ଆବାଲ୍ୟ ପାଳିତ ଦୁହିତାକୁ ସ୍ନେହମୟ କୋଳରୁ ଅବତରଣ କରି ଅପରିଚିତ ପତି ଗୃହକୁ ପ୍ରେରଣ କରିବାକୁ ହେବ । ଆଶ୍ରମ ସଂପ୍ରତି ଶକୁନ୍ତଳା ହୀନ ହେବ, ଭାବି ମୁନି ତୀବ୍ର ଆକର୍ଷଣ ଅନୁଭବ କରିଛନ୍ତି । ହୃଦୟ ଦୁଃଖ କ୍ଷୋଭରେ ବିଚଳିତ ହେଇଛି । ଶକୁନ୍ତଳାଙ୍କୁ ଆଜି ଚିରକାଳ ପାଇଁ ବିଦାୟ ଦେବାକୁ ହେବ-ଏହି ଭାବନାରେ କଣ୍ୱ ଅସ୍ଥିର ହୋଇ ପଡ଼ିଛନ୍ତି । ଯେଉଁ ଦୁଃଖ ଶୋକକୁ ଜୟ କରିବା ପାଇଁ ମୁନି ଋଷିମାନେ ସଂସାର ତ୍ୟାଗ କରନ୍ତି, ଆଜି ସେଇ ଶୋକରେ ଅଧୀର ହୋଇଛନ୍ତି ସର୍ବତ୍ୟାଗୀ ଋଷି । ମାତୃହରା କନ୍ୟାକୁ ବକ୍ଷରେ ଧାରଣ କରି ଅନ୍ତରର ସକଳ ସଞ୍ଚିତ ସ୍ନେହ ଢାଳି ସ୍ନେହର ପ୍ରତିମୂର୍ତ୍ତି କରି ଗଢ଼ିବା ପରେ କଣ୍ୱଙ୍କ ହୃଦୟ ବିଦାୟ ଲଗ୍ନରେ ନିସ୍ତରଙ୍ଗ ନିସ୍ପୃହ ରହି ପାରିନାହିଁ । କଣ୍ଠ ବାଷ୍ପରୁଦ୍ଧ ହୋଇ ନିର୍ବାକ କରି ଦେଇଛି । କବି କଣ୍ୱଙ୍କର ଏହି ସ୍ନେହ ବିଗଳିତ ଅବସ୍ଥାକୁ ଲକ୍ଷ୍ୟ କରି କହିଛନ୍ତି;

 

‘‘ସମୟ ପାଇଲେ ଜୀବନେ ପ୍ରବୃତ୍ତି

ଫୁଟି ପଡ଼ିଥାଏ ଆସି,

ପ୍ରବୃତ୍ତି ବର୍ଜିତକେ ଅଛି ଜଗତେ

କି ଗୃହୀ କି ବନବାସୀ ?’’

 

ଯେତେବଡ଼ କଠୋରମନ; ଅର୍ଜିତ ଇନ୍ଦ୍ରିୟ, ସଂସାର ବିରାଗୀ ମହାମୁନି ହେଲେ ମଧ୍ୟ ସମସ୍ତେ ପ୍ରବୃତ୍ତିର ଅଧୀନ–ବିଶେଷ ସମୟରେ ତାର ପ୍ରକାଶ ଘଟିଥାଏ । ସଂସାର ତ୍ୟାଗୀ ଋଷି ପୁଣି ପାଳିତା କନ୍ୟା, ତାର ବିଦାୟ କାଳରେ ଏତେ ଦୁଃଖ ଏତେ ଯାତନା-; ଯେଉଁମାନେ ସଂସାର ବିମୁଗ୍‌ଧ ଗୃହୀ, ସେମାନେ ନିଜ କନ୍ୟାର ବିଚ୍ଛେଦ ଲଗ୍ନରେ କେତେ ବ୍ୟଥିତ ହେଉଥିବେ ତାହା ସହଜରେ ଅନୁମେୟ । ମମତାର ଦୁଚ୍ଛେଦ୍ୟ ବନ୍ଧନକୁ ଏଡ଼ିବାର ଶକ୍ତି ମହାମନା ଜିତେନ୍ଦ୍ରିୟ ଆଜନ୍ମ ବହୁଚାରୀ କଣ୍ୱଙ୍କର ମଧ୍ୟ ନ ଥିଲା, କଣ୍ଠରେ ବିଷାଦ ବାଷ୍ପ ଭରି କହିଛନ୍ତି;

 

‘‘ସମସ୍ତ କୁଶଳେପତି-ରତ୍ନକରେ

ହୁଅ ମା ତୁ ସୁରଧୁନି ।

ପୁତ୍ର ଲାଭ କର ଚକ୍ରବର୍ତ୍ତୀ-ଚିହ୍ନ-

ବିମଣ୍ତିତ-କଳେବର ।’’

 

ଆଶୀର୍ବାଦ ଛଳରେ ଶକୁନ୍ତଳା ଜୀବନର ଅଭିଶାପ ଖଣ୍ତନ କରି ବରଦାନ କରିଛନ୍ତି ତାତ କଣ୍ୱ ।

 

ସଂସାର ଅନଭିଜ୍ଞା କନ୍ୟା ପତିଗୃହ ଯାତ୍ରା କରିବା ପୂର୍ବରୁ କଣ୍ୱମୁନି ତାଙ୍କୁ ଉପଦେଶ ଦେଇ ସଂସାର ସହିତ, ବଧୂ ଜୀବନ ସହିତ ପରିଚିତ କରାଇଛନ୍ତି । ପିତାର କର୍ତ୍ତବ୍ୟ ସର୍ବତୋଭାବେ ସର୍ବୋତ୍ତମ ରୂପେ ପାଳନ କରିବାକୁ ଯାଇ କଣ୍ୱ କହିଛନ୍ତି, ‘‘ଆଜିଯାଏ ସଖୀମାନଙ୍କ ସହିତ କ୍ରୀଡ଼ା କୌତୁକରେ ମାତି ଶାନ୍ତିର ନିଳୟ ଏହି ତପୋବନରେ ଅତିବାହିତ କଲୁ; ଆଜିଠାରୁ ସଂସାରର ଜଟିଳ ଜୀବନ ପଥ ସହିତ ତୋତେ ପରିଚିତ ହେବାକୁ ପଡ଼ିବ । ତରଣୀ ବିନା ଯେପରି ସାଗର ଅତିକ୍ରମ କରିବା ସମ୍ଭବ ନୁହେଁ, ସେମିତି ସଂସାର ସାଗର ଅତିକ୍ରମ କରିବା ପାଇଁ ଏକମାତ୍ର ପୋତ ହେଉଛି ସ୍ୱାମୀ-ପଦ । ସ୍ୱାମୀଙ୍କ ପଦତଳକୁ ସ୍ୱର୍ଗ ବୋଲି ଭାବିବ, ସ୍ୱାମୀଙ୍କୁ ଈଶ୍ୱର ଜ୍ଞାନ କରିବ । ପତିବ୍ରତା ନାରୀର ସଙ୍ଗ ଲକ୍ଷ୍ମୀ କରନ୍ତି ନାହିଁ; ସ୍ୱାମୀର ପ୍ରେମହିଁ ନାରୀ ଜୀବନରେ ମୁକ୍ତି ସ୍ୱରୂପ । ପୁଣି—

 

‘‘ସ୍ୱାମୀ ଗୁରୁ ସ୍ୱାମୀ ପରମ ବାନ୍ଧବ

ସ୍ୱାମୀ-ସେବା ନାରୀ-ଧର୍ମ,

ସ୍ୱାମୀ-ପଦେ ଭକ୍ତି ଅର୍ଚ୍ଚନାରେ ମତି

ଅର୍ପିତୁ କରିବୁ କର୍ମ ।’’

 

ଯେତେ କଠିନ ହେଲେହେଁ ସ୍ୱାମୀଙ୍କ ଆଦେଶ ପାଳନରେ ତତ୍ପର ହେବୁ, ଯାହା ତାଙ୍କର କାମ୍ୟ ନୁହେଁ, ତା’ ତୋର କରଣୀୟ ନୁହେଁ । ସ୍ୱାମୀଙ୍କ ମୁଖ ଦର୍ଶନରେ ମନର ସକଳ ଦୁଃଖ ଯାତନା ପାସୋରି ଦେବୁ । ସ୍ମରଣ ରଖିବୁ, ସ୍ୱାମୀ ତୋର ପରିହାସ ଯୋଗ୍ୟ ନୁହନ୍ତି । ସ୍ୱାମୀଙ୍କ ଭୋଜନ ପରେ ଭୋଜନ କରିବୁ, ଶୟନ ପରେ ଶଯ୍ୟା ଗ୍ରହଣ କରିବୁ, ତାଙ୍କ ଶଯ୍ୟା ତ୍ୟାଗ ପୂର୍ବରୁ ପ୍ରତ୍ୟୁଷରୁ ତୁ ଶଯ୍ୟା ତ୍ୟାଗ କରିବୁ । ପର ପୁରୁଷକୁ ଦେଖିବା ପାଇଁ ନୟନକୁ ପ୍ରଶ୍ରୟ ଦେବୁ ନାହିଁ । ଆଉ—

 

‘‘ସୋଦର ହେଲେହେଁ ନିର୍ଜନେ ନିକଟେ

ରହି ଦେବୁ ନାହିଁ କ୍ଷଣେ ।’’

 

ସ୍ୱାମୀ କ୍ରୋଧାନ୍ୱିତ ହେଲେ ତୁ ନୀରବରେ ତାକୁ ସହ୍ୟ କରି ତାଙ୍କ ସେବାରେ ଅଧିକ ମନ ସଂଯୋଗ କରିବୁ । ସ୍ୱହସ୍ତରେ ଅନ୍ନ ବ୍ୟଞ୍ଜନ ରାନ୍ଧି ସ୍ୱାମୀଙ୍କୁ ନିଜେ ବ୍ୟଜନ ଚାଳି ଭୋଜନ କରାଇବୁ ।

 

‘‘ସ୍ୱାମୀ ସେବା କାର୍ଯ୍ୟେ ନାରୀ ପ୍ରତିନିଧି

କଦାପି କରିବୁ ନାହିଁ,

ବିନା ବେତନର ପରିଚାରିକାକୁ

ଘରୁ ଦେବୁ ଘଉଡ଼ାଇ ।’’

 

ଏଇ ହେଉଛି କଣ୍ୱଙ୍କର ସର୍ବଶ୍ରେଷ୍ଠ ଉପଦେଶ ବାଣୀ । କଣ୍ୱ ସଂସାର ଧର୍ମରେ ପ୍ରବେଶ ନ କଲେହେଁ ନିଜର ପ୍ରଶସ୍ତ ଜ୍ଞାନ ବଳରେ ସଂସାରର ରୀତି ନୀତି ସମ୍ୱନ୍ଧରେ ସମ୍ୟକ୍‌ ଅବଗତ ଥିଲେ । ନାରୀ ଜୀବନକୁ ସୁନ୍ଦର ସୁସ୍ଥ ଓ ନିରାପଦ ରଖିବାକୁ ହେଲେ ଉପରୋକ୍ତ ବିଷୟ ପ୍ରତି ଯଥେଷ୍ଟ ଧ୍ୟାନ ଦେବା ଏକାନ୍ତ ପ୍ରୟୋଜନ ।

 

କେବଳ ସ୍ୱାମୀକୁ ନେଇ ସ୍ତ୍ରୀର ସଂସାର ସଂପୂର୍ଣ୍ଣ ନୁହେଁ । କଣ୍ୱ ମୁନି ନବବଧୂର ଶାଶୁ ନଣନ୍ଦ ଓ ଆତ୍ମୀୟ ପରିଜନଙ୍କ ପ୍ରତି କିପରି ଆଚରଣ ପ୍ରଦର୍ଶନ କରିବା କର୍ତ୍ତବ୍ୟ, ସେ ସମ୍ୱନ୍ଧ ମଧ୍ୟ ଅନଭିଜ୍ଞା କନ୍ୟାକୁ ଉପଦେଶ ପ୍ରଦାନ କରିଛନ୍ତି । ଆଶ୍ରମର ସଂକୀର୍ଣ୍ଣ ପରିସର ମଧ୍ୟରେ ଯେଉଁ ଜୀବନ ସୀମାବଦ୍ଧ ଥିଲା, ସେ ଜୀବନ ନିଖିଳ ଚରାଚର ପ୍ରତି ଅର୍ପିତ ହେବାର ସମୟ ସମାଗତ । ତେଣୁ କଣ୍ୱ କହିଛନ୍ତି—

 

‘‘ତପୋବନ-ମହୀ-ରୁହ-ଗତ-ସ୍ନେହ

ମହୀରେ କରିବୁ ନ୍ୟସ୍ତ,

ମୃଗ-ମୃଗୀ ଗତ ମମତା କରିବୁ

ମାନବ-ସମାଜଗତ ।’’

 

ସଂସାର ସମ୍ବନ୍ଧରେ ଅପରିଚିତା ଅଲିଅଳୀ କନ୍ୟାକୁ ଜନନୀ ଯେପରି ସଦୁପଦେଶ ପ୍ରାଦାନ କରି ଜୀବନ ବେଦର ପ୍ରଥମ ପାଠ ଦିଏ, ସେଇମିତି ପିତୃତୁଲ୍ୟ କଣ୍ୱମୁନି ସରଳା ଭୀରୁ, ତାପସ କନ୍ୟାକୁ ନାଗରିକ ଜୀବନର ଭେଦ ମନ୍ତ୍ର ଦେଇ ସଂସାର ପଥରେ ପ୍ରବେଶ କରିବାର ମାର୍ଗ ଚିହ୍ନାଇ ଦେଇଛନ୍ତି । ସାଧାରଣ ଜନନୀର ସଂକୀର୍ଣ୍ଣ ଦୃଷ୍ଟିକୋଣ ନେଇ ମହାମନା କଣ୍ୱ ଶକୁନ୍ତଳାଙ୍କୁ କେବଳ ପରିବାର କର୍ତ୍ତବ୍ୟନିଷ୍ଠ ହେବାକୁ କହି ନାହାନ୍ତି—ସମଗ୍ର ବିଶ୍ୱକୁ ସ୍ନେହରେ ଆଲିଙ୍ଗନ କରି ଅବନୀପତି ଦୁଷ୍ମନ୍ତଙ୍କର ଯୋଗ୍ୟ ସହଧର୍ମିଣୀ ହେବାକୁ ଉପଦେଶ ଦେଇଛନ୍ତି । ଦୁଷ୍ମନ୍ତ ତଥା ସକଳ ପ୍ରଜାପୁଞ୍ଜ ଯେପରି ସତତ ତାଙ୍କୁ ସମ୍ମାନର ଆଖିରେ ଦେଖନ୍ତି । ନାରୀ ପୁରୁଷର ବିଳାସ ସାମଗ୍ରୀ ନୁହେଁ, ତାର ସୁଖ ଦୁଃଖ ସଂପଦ ବିପଦରେ ସମଭାଗିନୀ । ତେଣୁ ଦୁଷ୍ମନ୍ତ ଯେଉଁ ବିରାଟ ରାଜ୍ୟାଶ୍ରମରେ ରାଜର୍ଷି ରୂପେ ଅଭିମଣ୍ତିତ, ସେଇ ରାଜ୍ୟାଶ୍ରମର ନୀତି ରକ୍ଷା କରିବାହିଁ ଶକୁନ୍ତଳାଙ୍କର ଧର୍ମ । କଣ୍ୱ ତପ-ପ୍ରଭାବ-ପ୍ରସୂତ ଅଳଙ୍କାରରେ କନ୍ୟାର ଅଙ୍ଗ ମଣ୍ତନ କରିଛନ୍ତି ଓ ଦିବ୍ୟଜ୍ଞାନ ପ୍ରସୂତ ସହଜ ବୁଦ୍ଧିରେ ସୂତାର ଅନ୍ତର ଅଳଙ୍କୃତ କରିଛନ୍ତି ।

 

ଆଶ୍ରମର ବନ୍ଧନ ଛିନ୍ନ କରି ସ୍ୱାମୀ ଗୃହରେ ମନୋନିବେଶ କରିବାକୁ କଣ୍ୱଙ୍କର ନିର୍ଦ୍ଦେଶ ସତ୍ତ୍ୱେ ମାତୃହରା ମୃଗଶିଶୁର ସ୍ନେହ-ରଜ୍ଜୁ ଛିଣ୍ତାଇ ଯିବାକୁ ଶକୁନ୍ତଳାଙ୍କ ପ୍ରାଣ ବ୍ୟଥିତ ହୋଇ ଉଠିଛି-। ମର୍ମାହତ କଣ୍ଠରେ କହିଛନ୍ତି,

 

‘‘ନ ହେଲେ ଛଡ଼ାଇନିଅ ଏ ଶିଶୁକୁ

ମୋତେ ଛାଡ଼ୁଛ ଯେସନ ।’’

 

ତପସ୍ୱୀ କଣ୍ୱଙ୍କ ହୃଦୟ ଆଦରିଣୀ କନ୍ୟା ବିଚ୍ଛେଦରେ କିପରି ଗଭୀର ଭାବରେ ଆଲୋଡ଼ିତ ହେଉଥିଲା, ଶକୁନ୍ତଳା ସେ ଦୁଃଖ ବେଦନା ଉପଲବ୍‌ଧି କରିଥିଲେ । କନ୍ୟାର ଆକୁତିରେ କଣ୍ୱଙ୍କ ହୃଦୟ-ସ୍ନେହ-ତରଙ୍ଗରେ ଉଦ୍‌ବେଳିତ ହେଲା । ସଜଳ ନୟନରୁ ଲୋତକ ଝରିଲା । କଣ୍ୱ ସଂଯମ ହରାଇ ଅଶ୍ରୁ ଆକୁଳ କଣ୍ଠରେ ଆଶ୍ରମର କାନନକୁ ଲକ୍ଷ୍ୟ କରି କହିଲେ, ସେମାନଙ୍କ ଆଜନ୍ମ ସଙ୍ଗିନୀ ସ୍ୱାମୀଗୃହ ଯାତ୍ରା କରୁଛି, ତାକୁ ପ୍ରସନ୍ନ ମନରେ ଯିବାପାଇଁ ସେମାନେ ଅନୁମତି ଦେଇ ତାର ଯାତ୍ରାପଥ କୁସୁମିତ ସୁରଭିତ କରନ୍ତୁ । ପୁନଶ୍ଚ ସଖୀଦ୍ୱୟଙ୍କୁ ନିଜ ସହିତ ନେବାକୁ ଶକୁନ୍ତଳା ଜିଜ୍ଞାସା କରିବାକୁ ବିଚାରବନ୍ତ ମହର୍ଷି କହିଛନ୍ତି ଯେ ସେମାନଙ୍କର ବିବାହ ଯୋଗ୍ୟ ବୟସ ହେଲାଣି । ତେଣୁ ଆଶ୍ରମ ତ୍ୟାଗ କରି ରାଜ ସଦନକୁ ଯିବା ତାଙ୍କ ପକ୍ଷରେ ଶୋଭନୀୟ ନୁହେଁ କଣ୍ୱଙ୍କର ଏଇ ବିଚାର ତାଙ୍କ ଚରିତ୍ରର ଆଲୋକିତ ସୌନ୍ଦର୍ଯ୍ୟକୁ ଉଦ୍‌ଘାଟନ କରେ । ଯାହା ଆଶ୍ରମର ନୀତି ନିୟମ ଆଦରିଣୀ କନ୍ୟାର ଅଭିଳାଷ ପୂରଣ ପାଇଁ ତାର ବିରୁଦ୍ଧାଚରଣ କରିବା ସ୍ୱୟଂ କଣ୍ୱଙ୍କ ପକ୍ଷରେ ମଧ୍ୟ ସମ୍ଭବ ନୁହେଁ । କଣ୍ୱ ଚରିତ୍ରର ବୈଶିଷ୍ଟ୍ୟ ଏଇ ସାମାନ୍ୟ ଘଟଣାରୁ ସୁସ୍ପଷ୍ଟ ।

 

ଅପରିଚିତ ପରିବେଶ ପ୍ରତି ସଂଶୟାକୁଳା ଶକୁନ୍ତଳା ନିଜର ଅସହାୟ ଅବସ୍ଥା ପ୍ରତି ପିତା କଣ୍ୱଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ମହର୍ଷି ସାନ୍ତ୍ୱନା ଦେଇ କହିଲେ ଯେ ରାଜଅନ୍ତଃପୁର ରମଣୀଗଣଙ୍କ ମଧୁର ବ୍ୟବହାର, ଦୁଷ୍ମନ୍ତଙ୍କର ଏଶ୍ୱର୍ଯ୍ୟ, ସମାରୋହ ଓ ପୁତ୍ରର ମମତା ଶକୁନ୍ତଳାଙ୍କ ଜୀବନରୁ ବିଷାଦ ପୋଛି ଦେଇ ଆନନ୍ଦ ସଞ୍ଚାର କରିବେ । କେବେ ପିତାଙ୍କର ପାଦ ବନ୍ଦନା କରିବାର ସୌଭାଗ୍ୟ ହେବ ବୋଲି ଶକୁନ୍ତଳା ବିଦାୟ ପୂର୍ବରୁ ପଚାରିବାରୁ ତ୍ରିକାଳଦର୍ଶୀ ମୁନି କହିଛନ୍ତି, ‘ଯେତେବେଳେ ତୋ ସନ୍ତାନ ସସାଗରା ମେଦିନୀର ଭାର ଗ୍ରହଣ କରି ହସ୍ତିନାର ରାଜସିଂହାସନ ଅଳଙ୍କୃତ କରିବ, ସେତେବେଳେ ମୁକ୍ତି-ଅଭିଳାଷୀ ରାଜା ଦୁଷ୍ମନ୍ତଙ୍କ ସହିତ ଏହି ବନରେ ଆସି ତୁ ତାଙ୍କ ପଦ ସେବାକରି ମୁକ୍ତି ଲାଭ କରିବୁ ।’’

 

ମହାପ୍ରାଣ କଣ୍ୱ ବୁଝିଥିଲେ ଶକୁନ୍ତଳାଙ୍କ ପ୍ରଣୟର ପରିଣାମ ବିଷମ ସଂକଟ ସୃଷ୍ଟି କରିବ-। ସେଥିପାଇଁ ଶକୁନ୍ତଳାଙ୍କ ସହିତ ଭଗିନୀ ଗୌତମୀ ଓ ଦୁଇଜଣ ମନସ୍ୱୀ ସାଧକ ଶାର୍ଙ୍ଗରବ ଓ ଶାରଦବତ୍‌ଙ୍କୁ ପ୍ରେରଣ କରିଥିଲେ ସ୍ୱଲିଖିତ ପତ୍ର ଦେଇ । ତାଙ୍କର ଧାରଣା ଥିଲା ଯେ ରାଜା କଣ୍ୱଙ୍କର ସତ୍ୟ ବଚନରେ ବିଶ୍ୱାସ ରଖି ଶକୁନ୍ତଳାଙ୍କୁ ଗ୍ରହଣ କରିବେ । ତେଣୁ ମନର ଅଶ୍ୱସ୍ତିକୁ ସେ ଆଶ୍ୱସ୍ତିରେ ପର୍ଯ୍ୟବସିତ କରିଥିଲେ । ଶକୁନ୍ତଳାଙ୍କୁ ବିଦାୟ ଦେଲାବେଳେ ସଂସାର ନିସ୍ପୃହ ମହାମୁନି କଣ୍ୱ ସାଧାରଣ ବିଦାୟ ଦେଇ ସେ ନିଜର ଅସାଧାରଣ ସଞ୍ଜାମ ପ୍ରଭାବରେ ମନକୁ ଦୃଢ଼ ଅବିଚଳିତ କରି ଆଶ୍ରମର କର୍ମରେ ନିଜକୁ ନିୟୋଜିତ କଲେ ।

 

କବି କଣ୍ୱଙ୍କ ଚରିତ୍ରରେ ଅପୂର୍ବ ପିତୃ ସ୍ନେହ ଓ ଅସାଧାରଣ ସଂଯମ ନିଷ୍ଠାର ଯେଉଁ ଆଶ୍ଚର୍ଯ୍ୟ ପରିଚୟ ପ୍ରଦାନ କରିଛନ୍ତି ତାହା ବିସ୍ମୟକର । ବଳିଷ୍ଠ ବ୍ୟକ୍ତିତ୍ୱର ଏକ ଚାରୁ ଚିତ୍ର ଅଙ୍କନରେ ଗଙ୍ଗାଧରଙ୍କ ସଫଳତା ଅଭିନନ୍ଦନୀୟ । ଯଦିଓ ଦୁଷ୍ମନ୍ତ ନାୟକ, କଣ୍ୱମୁନି ଗୌଣ ଚରିତ୍ର ମାତ୍ର; କିନ୍ତୁ ଚରିତ୍ର ସୌନ୍ଦର୍ଯ୍ୟର ଶୁଭ୍ର ଆଲୋକରେ କଣ୍ୱମୁନି ନିଜକୁ ଆଲୋକିତ କରି ଓ ସେହି ଆଲୋକ ଛଟାରେ ଅନ୍ୟର ହୃଦୟକୁ ଉଦ୍ଭାସିତ କରି ଯେଉଁ ଉଦାର ମହାପ୍ରାଣତା ପ୍ରଦର୍ଶନ କରିଛନ୍ତି, ତାହା ବିରଳ । ମୁଖ୍ୟତଃ ପ୍ରଣୟବଲ୍ଲରୀରେ କଣ୍ୱଙ୍କୁ ଜଣେ ଶ୍ରେଷ୍ଠ ସାଧକ ତପସ୍ୱୀ, ମହତ ପ୍ରାଣ ମନୁଷ୍ୟ ରୂପେ ଚିତ୍ରଣ କରାଯାଇଛି । ଉଭୟତଃ ଲୋକ ମଙ୍ଗଳ ସାଧନ ତାଙ୍କର ଧର୍ମ । କଣ୍ୱ ଯଥାର୍ଥରେ ପୁଣ୍ୟ ଓ ସାଧନାର ଏକ ମୂର୍ତ୍ତିମନ୍ତ ଅବତାର । ମାନବିକତା ଓ ସାଧୁତାର ସମନ୍ୱୟରେ କଣ୍ୱ ଏକ ବିସ୍ମିତ ଚରିତ୍ର ଯାହାଙ୍କ ପ୍ରତି ଆଖି ପଡ଼ିଲେ ନୟନ ବିସ୍ଫୋରିତ ହୁଏ, ଦୃଷ୍ଟି ପ୍ରତିହତ ନ ହୋଇ ସଂଲଗ୍ନ ହୁଏ । ସାମଞ୍ଜସ୍ୟ ବିଧାନର ଅସାଧାରଣ ଦକ୍ଷତାହିଁ କଣ୍ୱଙ୍କ ଚରିତ୍ରର ମହତ୍ତ୍ୱ ତଥା ବୈଚିତ୍ର୍ୟ ।

 

ମୁନି ଦୁର୍ବାସା— ନାଟକର ଘଟଣା ବିନ୍ୟାସ ଓ ଚରିତ୍ରର ବିକାଶ ପାଇଁ ଗୌଣ ଚରିତ୍ରର ଆବଶ୍ୟକତା ଅନୁଭୂତ ହୁଏ । ସମୟ ସମୟରେ ନାଟ୍ୟକାର ଏପରି ଏକ ଚରିତ୍ର ସୃଷ୍ଟି କରନ୍ତି, ଯାହାର ଅବସ୍ଥାନ କ୍ଷଣିକ, କିନ୍ତୁ ପ୍ରଭାବ ସୁଦୂର ପ୍ରସାରୀ । ସେପରି ଚରିତ୍ର ନାଟକର ପ୍ରାଣବିନ୍ଦୁ ବା ପ୍ରାଣ କେନ୍ଦ୍ର ରୂପେ ସମ୍ମାନିତ । ପୁରାଣ ପ୍ରସିଦ୍ଧ ମହାକ୍ରୋଧୀ ସତ୍ୟସିଦ୍ଧ ମୁନି ଦୁର୍ବାସା କାଳିଦାସଙ୍କ ବିଶ୍ୱବିଖ୍ୟାତ ନାଟକ ଅଭିଜ୍ଞାନ ଶକୁନ୍ତଳମ୍‌ରେ ସେଇମିତି ଗୋଟିଏ ବିଶିଷ୍ଟ ଚରିତ୍ର । ଚପଳା ଚମକ ସଦୃଶ ତାଙ୍କର ଆବିର୍ଭାବ ନାଟକର ମାନସଶ୍ରୃତିକୁ ସମ୍ପୂର୍ଣ୍ଣ ପରିବର୍ତ୍ତିତ କରି ଦେଇଛି–ପୁରାଣ ବର୍ଣ୍ଣିତ କାମୁକ ଦୁଷ୍ମନ୍ତଙ୍କ ଚାରିତ୍ରିକ ଗ୍ଳାନିକୁ ଖଣ୍ତନ କରିଛି, ଶକୁନ୍ତଳାଙ୍କୁ ନିରୀହ ନିଷ୍ପାପ ବିଶ୍ୱାସକୁ ଖଣ୍ତବିଖଣ୍ତ କରି ଦେଇଛି । ତାଙ୍କର ସ୍ୱପ୍ନ ମୁକୁଳିତ ଉଜ୍ଜ୍ୱଳ ଭବିଷ୍ୟତକୁ ଅନ୍ଧକାରର ଗହନ ଅରଣ୍ୟରେ ହଜାଇ ଦେଇଛି । ହଜିଯାଇଛି ସାମାଜିକ ହୃଦୟର ମନର ଆନନ୍ଦ । କରୁଣରସର ଏକ ବିଷଣ୍ଣସ୍ୱର ସମଗ୍ର ନାଟକରେ ଝଙ୍କାର ତୋଳିଛି ।

 

ମହାଭାରତ ବର୍ଣ୍ଣିତ ଶକୁନ୍ତଳା ଓ ଦୁଷ୍ମନ୍ତଙ୍କ ଉପାଖ୍ୟାନରେ ବ୍ୟାସଦେବ ଦୁର୍ବାସାଙ୍କୁ ଆବିର୍ଭୂତ କରାଇ ନାହାନ୍ତି । କିନ୍ତୁ କାଳିଦାସଙ୍କ କବିଚିତ୍ତ, ଶିଳ୍ପୀଅନ୍ତର ଦୁଷ୍ମନ୍ତ ଚରିତ୍ରର ସୌନ୍ଦର୍ଯ୍ୟ ସମ୍ପାଦନ ପାଇଁ, କଥାବସ୍ତୁରେ ଚମତ୍କାରିତା ସୃଷ୍ଟି କରିବା ପାଇଁ ଶକୁନ୍ତଳାଙ୍କ ଜୀବନରେ ଦୁର୍ବାସାଙ୍କର ନାଟକୀୟ ଆବିର୍ଭାବ ଘଟାଇଛନ୍ତି । ମହାଭାରତ ବର୍ଣ୍ଣିତ ଲମ୍ପଟ ଦୁଷ୍ମନ୍ତ ଏହି ଋଷିଙ୍କର କ୍ଷଣିକ ପ୍ରକାଶରେ ମହାପ୍ରାଣ, ଆଦର୍ଶ ବ୍ୟକ୍ତି, ନିଷ୍ଠାପର ପ୍ରେମିକରେ ପରିବର୍ତ୍ତିତ ହୋଇଛନ୍ତି । ମହାଭାରତର ଦୁଷ୍ମନ୍ତ ଚରିତ୍ରରୁ ସମସ୍ତ କଳଙ୍କ ଧୋଇ ହୋଇଯାଇଛି । ଶକୁନ୍ତଳାଙ୍କ ନିଶ୍ଚିନ୍ତ ଜୀବନର ନିଶ୍ଚିତ ପରିଣତି ପଥରେ ସଂଶୟ-ମେଘ ଉଦୟ ହୋଇଛି । ସତୀ ସାଧ୍ୱୀ ହେଲେ ବି କର୍ତ୍ତବ୍ୟର ଅବହେଳା ଓ ଅତିଥିର ଅବମାନନାର ଭୟଙ୍କର ପରିଣାମ ପ୍ରତି ସମାଜକୁ ସଚେତନ କରିଦେଇଛି । ଦର୍ଶକ ବା ପାଠକ ହୃଦୟରେ ଆନନ୍ଦ-ପ୍ରବାହ ପରିବର୍ତ୍ତେ କାରୁଣ୍ୟ-ଲହରୀ ଖେଳି ଯାଇଛି । ମୁହୂର୍ତ୍ତକରେ ଏତେଗୁଡ଼ିଏ କାର୍ଯ୍ୟର ଯେ କାରଣ, ସେଇ ଦୁର୍ବାସା ଚରିତ୍ର ପ୍ରତି ସମସ୍ତଙ୍କ ଦୃଷ୍ଟି ସ୍ୱତଃ ଆକୃଷ୍ଟ ହୁଏ । କାଳିଦାସଙ୍କ ଶକୁନ୍ତଳା ନାଟକ ଓ କାଳିଦାସ-ମାନସଚାରୀ ଗଙ୍ଗାଧରଙ୍କ ପ୍ରଣୟବଲ୍ଲରୀ କାବ୍ୟର ଏ ଚରିତ୍ର ପାଇଁ ବିଶେଷ ଅବକାଶ ନାହିଁ । କିନ୍ତୁ ସ୍ୱଳ୍ପ ଅବକାଶରେ ଦୁର୍ବାସାଙ୍କ ଆଶ୍ଚର୍ଯ୍ୟ କରଣୀରେ ନାଟକ ବା କାବ୍ୟର ଅଭାବନୀୟ ପରିବର୍ତ୍ତନ ଚରିତ୍ରର ଅପରିହାର୍ଯ୍ୟତାକୁ ସ୍ୱୀକାର କରେ । ଗୌଣ ଚରିତ୍ର ହେଲେହେଁ ଦୁର୍ବାସା ଅସାମାନ୍ୟ ଚରିତ୍ର ।

 

ପ୍ରିୟ ବିରହରେ ଏକାନ୍ତ କାତରା ଶକୁନ୍ତଳା ବିଶ୍ୱଭୁବନ ବିସ୍ତୃତ ହୋଇ ପ୍ରିୟତମ ଦୁଷ୍ମନ୍ତଙ୍କ ସ୍ମୃତି-ସ୍ୱପ୍ନରେ ଆଚ୍ଛନ୍ନ । ତାଙ୍କର ମାନସ ନେତ୍ରରେ ହସ୍ତିନାଧିପତି ଦୁଷ୍ମନ୍ତଙ୍କ ଅତିଥି ସେବାରେ ନିଜକୁ ସମର୍ପଣ କଲେ । ଏତିକିବେଳେ ବିଧି ପ୍ରେରିତ ହୋଇ ପ୍ରକୃତରେ ଆଶ୍ରମ ଦ୍ୱାରରେ ଅତିଥି ରୂପେ ଦେଖା ଦେଲେ ଉଗ୍ରତପା ମହାକୋପା ଋଷି ଦୁର୍ବାସା । କୁଟୀର ଦ୍ୱାରରେ ଏକାକିନୀ ଚିତ୍ରଲିଖିତ ପ୍ରାୟ ବସି ଆରାଧ୍ୟ ପୁରୁଷର ଧ୍ୟାନରେ ଶକୁନ୍ତଳା ନିମଜ୍ଜିତା । ଦୃଷ୍ଟି ସମ୍ମୁଖକୁ ପ୍ରସାରିତ, କିନ୍ତୁ ସେ ଦୃଷ୍ଟିରେ କେବଳ ଶୂନ୍ୟତା; ଶ୍ରବଣ ଉନ୍ମୁଖ, କିନ୍ତୁ ଦୁଷ୍ମନ୍ତଙ୍କ ପ୍ରେମଗୁଞ୍ଜନ ବ୍ୟତୀତ ଅନ୍ୟ ଧ୍ୱନି ପ୍ରତି ସେ ଶ୍ରୁତି ବଧିର । କୁଟୀରର ପ୍ରାଙ୍ଗଣରେ ଶକୁନ୍ତଳାଙ୍କୁ ଦେଖି ଦୁର୍ବାସା ଅଗ୍ରସର ହେଲେ, କିନ୍ତୁ କୁମାରୀ ତାଙ୍କୁ ସମ୍ଭାଷଣ କଲେ ନାହିଁ, ଅଭ୍ୟର୍ଥନା ଜଣାଇଲେ ନାହିଁ । ବିସ୍ମିତ ଦୁର୍ବାସା ନିଜ ଆଗମନ ସମ୍ବାଦ ଜଣାଇ କହିଲେ, ‘‘ମୁଁ ଅତିଥି’’—ତଥାପି କୌଣସି ପ୍ରତିକ୍ରିୟା ନାହିଁ । ଶକୁନ୍ତଳାଙ୍କର ବାହ୍ୟଚେତନା ବିଲୁପ୍ତ । ସଂପୂର୍ଣ୍ଣ ଆତ୍ମଗତ ଜଗତରେ ସେ ବିଚରଣଶୀଳା । ସେଠି ଦୁର୍ବାସାଙ୍କ ଛାୟା ମାତ୍ର ପ୍ରତିଫଳିତ ହୋଇ ପାରିନାହିଁ । କିନ୍ତୁ ଆଶ୍ରମଚାରିଣୀର ଏତେ ବଡ଼ ଧୃଷ୍ଟତା ଅମାର୍ଜନୀୟ ଅପରାଧ । ଆଶ୍ରମ କାର୍ଯ୍ୟରେ ଅବହେଳା ପାଇଁ ଯଥୋଚିତ ଶାସ୍ତି ବିଧାନ ଏକାନ୍ତ ପ୍ରୟୋଜନ । ବିସ୍ମିତ ଦୁର୍ବାସା ଶକୁନ୍ତଳାଙ୍କ ଅବଜ୍ଞାରେ ଅପମାନିତ ହୋଇ କ୍ରୋଧଜର୍ଜରିତ ଚିତ୍ତରେ କହିଲେ ଯେ, ଅଭିମାନିନୀ ତପୋବନର ପବିତ୍ର ବାତାବରଣ ମଧ୍ୟରେ ରହି ଅପବିତ୍ର ଭାବନାରେ ମନକୁ ଦୂଷିତ କରୁଛି । ମୁନିଙ୍କ ଆଶ୍ରମରେ ଅବସ୍ଥାନ କଲେ ଆଶ୍ରମର ନୀତିନିୟମ ଅନୁସରଣ କରିବା କର୍ତ୍ତବ୍ୟ । କର୍ତ୍ତବ୍ୟ ସାଧନାରେ ମାନବ ଜୀବନର ସାର୍ଥକତା । କର୍ତ୍ତବ୍ୟ କର୍ମର ଅବହେଳାରେ ତା’ ଜୀବନରେ ନଇଁଆସେ ଅଭିଶାପର ଯନ୍ତ୍ରଣା । ଶକୁନ୍ତଳା କର୍ତ୍ତବ୍ୟ ଭୁଲି ଆଶ୍ରମର ପୂତ ପରିବେଶ ବିସ୍ତୃତ ହୋଇ ଯୌବନର ରଙ୍ଗିନ ନିଶାରେ ପ୍ରମତ୍ତ ହୋଇ କେଉଁ ସୁଦୂର ହସ୍ତିନାପୁରରେ ରାଜ ସନ୍ନିଧାନରେ ଉପବିଷ୍ଟା । ତେଣୁ—

 

‘‘ଘେନ ପୂଜ୍ୟ-ପୂଜା-ବ୍ରତିକ୍ରମ-ଫଳ

ଯା’ଠାରେ ରଖିଛୁ ଲୟ,

ସେ ତୋତେ ଚିହ୍ନିବ-ନାହିଁ ତୁ ଦେଲେ ହେଁ

ଆପଣାର ପରିଚୟ ।’’

ଅଭିଶାପର ନିର୍ମମ ଜାଲରେ ଶକୁନ୍ତଳାଙ୍କ ଜୀବନ ବନ୍ଦୀ ହୋଇଗଲା—ଋଷି ମୁଖରୁ ନିଃସୃତ କଠୋର ବାକ୍ୟବାଣରେ ଶକୁନ୍ତଳାଙ୍କ ଜୀବନର ଅମୃତ ପାତ୍ର ନୀଳ ଗରଳରେ ରୂପାନ୍ତରିତ ହେଲା । ସରଳା ସାଧ୍ୱୀ ଏକାନ୍ତ ମନରେ ପତିର ସ୍ୱପ୍ନରେ ବିଭୋର ହୋଇ ରହିଲେ ।

ଅଭିଶାପ ଦେଇ ଦୁର୍ବାସା ସ୍ଥାନ ତ୍ୟାଗ କଲେ । ଦୁର୍ବାସାଙ୍କ ଉଚ୍ଚକଣ୍ଠର ନିଷ୍ଠୁର ବଜ୍ର ଧ୍ୱନିରେ ସଖୀଦ୍ୱୟ ହତଚକିତ ହେଲେ । ବିକଳ ଚିତ୍ତରେ ଧାଇଁ ଯାଇ ଋଷିଙ୍କ ପଦତଳେ ପଡ଼ି ବିନୟରେ କ୍ଷମାଭିକ୍ଷା କଲେ । ନିରପରାଧିନୀ ବାଳିକା ସ୍ୱାମୀ ଚିନ୍ତାରେ ନିମଗ୍ନା–ଜୀବନରେ ଏଇ ବୋଧହୁଏ ତାର ଏକମାତ୍ର ଅପରାଧ । ତା’ ପ୍ରତି ସଦୟ ହୋଇ ତାର ଅପରାଧ କ୍ଷମା କରିବା ବିଧେୟ ।

ତପସ୍ୱିନୀଙ୍କ ବିନୀତ କାକୁତିରେ ଦୁର୍ବାସାଙ୍କ କଠୋର ହୃଦୟ ଦ୍ରବୀଭୂତ ହେଲା । ଦୁର୍ବାସା ସିଦ୍ଧ ତପସ୍ୱୀ । ତାଙ୍କ ମୁଖ ନିଃସତ ବାଣୀ ବିଫଳ ହେବାର ନୁହେଁ । କିନ୍ତୁ ସଖୀଦ୍ୱୟଙ୍କ ଆକୁଳ ମିନତିରେ କ୍ଷଣକୋପୀ ଋଷିଙ୍କର ହୃଦୟ ମେଘ ଜଳରେ ଦାବାଗ୍ନି ପ୍ରଶମିତ ହେଲାପରି ଶାନ୍ତ ହୋଇଛି । ଅଭିଶାପର ପ୍ରତିକାର ବିଧାନ କରି—

‘‘ବୋଇଲେ ମହର୍ଷି,‘ଯା’କୁ ଚିନ୍ତୁଥିଲା,

ଥିଲେ ତାର ନିଦର୍ଶନ,

ପୂର୍ଣ୍ଣ ପରିଚୟ ପାଇବ ତାହାକୁ

କଲେ ତାହା ପ୍ରଦର୍ଶନ ।’’

 

ଦୁର୍ବାସା ମହାତପା ତ୍ରିକାଳଜ୍ଞ ମୁନି । ଶକୁନ୍ତଳାଙ୍କ ଜୀବନ-ରହସ୍ୟ ତାଙ୍କୁ ଅବିଦିତ ନ ଥିଲା । ପ୍ରିୟତମର ଅଭିଜ୍ଞାନ ଶକୁନ୍ତଳାଙ୍କ ପାଖରେ ଥିବା ଘଟଣା ମଧ୍ୟ ତାଙ୍କ ନଖଦର୍ପଣରେ । ତେଣୁ ସେଇ ନିଦର୍ଶନ ଦେଖାଇ ବାଳିକା ଅଭିଶାପମୁକ୍ତ ହେବ ବୋଲି ଋଷି କହିଛନ୍ତି । ଶକୁନ୍ତଳାଙ୍କ ଜୀବନରେ ଦୁର୍ବାସା ନିୟତି ସ୍ୱରୂପ ଅବତୀର୍ଣ୍ଣ ହୋଇଛନ୍ତି । କିନ୍ତୁ କେବଳ ଅଭିଶାପ ପ୍ରଦାନ କରି, ପ୍ରତିକାରର ଉପାୟ ନିର୍ଦ୍ଦେଶ ନ କରି, ଯଦି ଦୁର୍ବାସା ଚିରକାଳ ପାଇଁ ଶକୁନ୍ତଳାଙ୍କୁ ଦୁର୍ଭାଗ୍ୟର ଜ୍ୱାଳାମୁଖୀ ଗହ୍ୱରରେ ନିକ୍ଷେପ କରି ଚାଲି ଯାଇଥାଆନ୍ତେ, ତେବେ ଏ ଚରିତ୍ର ପ୍ରତି ଦର୍ଶକ ଓ ପାଠକର ଅନ୍ତର କ୍ଷମାହୀନ ଆକ୍ରୋଶରେ ବିଦଗ୍‌ଧ ହୋଇଥାନ୍ତା । କିନ୍ତୁ ପ୍ରତିକାର ବିଧାନ କରି ଦୁର୍ବାସା ନାୟକ ନାୟିକାର ମିଳନାନ୍ତକ ପରିଣତି ପାଇଁ ମାର୍ଗ ପ୍ରସ୍ତୁତ କରି ପାଠକ ମନରେ ଆଶ୍ୱସ୍ତି ଭରି ଦେଇଛନ୍ତି । ଅଧିକନ୍ତୁ ଏଇ ଚରିତ୍ର ନାଟକୀୟ ଆବେଗ ସୃଷ୍ଟିରେ ସହାୟତା କରିଥିବାରୁ କାବ୍ୟ ରସିକର ହୃଦୟ ସହାନୁଭୂତିଶୀଳ ହୋଇଅଛି । ଆଶ୍ରମ ନିୟମ ଅବଜ୍ଞା କରିଥିବାରୁ ତପୋବନର ଅନୁଶାସନର ଦଣ୍ତ ଶକୁନ୍ତଳାଙ୍କୁ ଭୋଗ କରିବାକୁ ହୋଇଛି—ଏଇ ସାମାଜିକ ଶୃଙ୍ଖଳା ବିଧାନ କରି ଦୁର୍ବାସା ଲୋକମଙ୍ଗଳ ସାଧନ କରିଛନ୍ତି । ତେଣୁ ଦୁର୍ବାସା ଚରିତ୍ରର ପୌରୁଷ ଅଭିଶାପ ଦାନରେ, ଓ ସୌନ୍ଦର୍ଯ୍ୟ ପ୍ରତିକାର ନିର୍ଣ୍ଣୟରେ । ଯେ ଦଣ୍ତ ଦିଏ, ସେଇ କ୍ଷମା ଆଚରଣ କରେ । ଚରିତ୍ରର ମହତ୍ତ୍ୱ ଏଇଠି ପ୍ରକାଶିତ ।

 

କାଳିଦାସ ଅଭିଜ୍ଞାନ ଶକୁନ୍ତଳମ୍‌ରେ ଦୁର୍ବାସାଙ୍କୁ ନେପଥ୍ୟରେ ରଖି ତାଙ୍କ ମୁଖରେ ଅଭିଶାପ ବାଣୀ ଉଚ୍ଚାରଣ କରାଇଛନ୍ତି । ଅଭିଶାପ ପ୍ରତିକାରର ବାର୍ତ୍ତା ପ୍ରିୟମ୍ବଦାଙ୍କ ମୁଖରେ ପ୍ରକାଶିତ ହୋଇଛି । ସେତିକିରେ ଦୁର୍ବାସା ଅନ୍ତର୍ଦ୍ଧାନ ହୋଇଛନ୍ତି । କେବଳ ତାଙ୍କର ପୁରୁଷ ବାକ୍ୟର ପ୍ରଭାବ ନାଟକର ଘଟଣା ଓ ଚରିତ୍ରକୁ ଇତସ୍ତତଃ କରିଛି । ମୁଦ୍ରିକା ପ୍ରାପ୍ତିରେ ଦୁର୍ବାସାଙ୍କ ଅଭିଶାପ ଖଣ୍ତିତ ହୋଇଛି । କିନ୍ତୁ ଗଙ୍ଗାଧର ଶକୁନ୍ତଳା ଚରିତ୍ର ପ୍ରତି ସହୃଦୟତା ପ୍ରକାଶ କରିବାକୁ ଯାଇ କାବ୍ୟର ସପ୍ତମ ସର୍ଗରେ ଅଭିସଂପାତର ଅଯୌକ୍ତିକତା ପ୍ରତିପାଦନ କରି ଦୁର୍ବାସା ଚରିତ୍ରର ଉଲ୍ଲେଖ କରିଛନ୍ତି । ଦୁର୍ବାସା କ୍ରୋଧପରବଶ ହୋଇ ପତିଗତପ୍ରାଣ ଶକୁନ୍ତଳାଙ୍କ ପ୍ରତି ଅଭିସଂପାତ ଅଶଂନିପାତ କରିଛନ୍ତି । ପୂଜ୍ୟ ବ୍ୟକ୍ତିଙ୍କ ମଧ୍ୟରେ ନାରୀର ପତି ହେଉଛନ୍ତି ପୂଜ୍ୟତମ । ଶକୁନ୍ତଳା ସେଇ ପତିଙ୍କ ଧ୍ୟାନର ନିଭଗ୍ନା ଥିଲେ ତେଣୁ ଦୁର୍ବାସା ନିଷ୍ପାପ ଶକୁନ୍ତଳାଙ୍କୁ ଅଭିଶାପ ପ୍ରଦାନ କରିବା କବି ଦୃଷ୍ଟିରେ ଦୋଷାବହ । ସେହି ଶାପ ଫଳରେ ନିର୍ଦ୍ଦୋଷ ଦୁଷ୍ମନ୍ତ ପତ୍ନୀ ବିଚ୍ଛେଦରେ ଘୋର ଯାତନା ଭୋଗ କରୁଛନ୍ତି—ଧର୍ମପ୍ରାଣ ଦୁଷ୍ମନ୍ତଙ୍କ ଦୁଃଖ ହେତୁ ସ୍ୱର୍ଗର ଶ୍ରୀ ନଷ୍ଟ ହୋଇଛି । ଗଙ୍ଗାଧର ଦୁର୍ବାସାଙ୍କ ଚରିତ୍ର ଅପେକ୍ଷା ଶକୁନ୍ତଳା ଚରିତ୍ରରେ ନିର୍ଦ୍ଦୋଷ ଅଭିବ୍ୟକ୍ତି ପ୍ରଦାନ କରିବାକୁ ଏହି କୌଶଳ ଅବଲମ୍ବନ କରିଛନ୍ତି ।

 

ଏଇ ଆଲୋଚନାରୁ ଜଣାଯାଏ ଦୁର୍ବାସା ଏକ ପକ୍ଷରେ କ୍ଷଣକୋପୀ, ଅହଙ୍କାରୀ, ଜୀବନସାରା ତପସ୍ୟା ନିରତ ରହି ମଧ୍ୟ ଦ୍ୱିତୀୟ ରିପୁର ବଶବର୍ତ୍ତୀ, ଅନ୍ୟ ପକ୍ଷରେ ନିଷ୍ଠାପର ତପସ୍ୱୀ; ସିଦ୍ଧପୁରୁଷ, ଋତଭାଷୀ ଓ ନରମ ହୃଦୟର ବ୍ୟକ୍ତି । ଦୁର୍ବାସା ହିଁ ଏହି କାବ୍ୟର ସୌନ୍ଦର୍ଯ୍ୟ, ପ୍ରାଣକେନ୍ଦ୍ର ।

☆☆☆

 

Unknown

ପ୍ରଣୟ ବଲ୍ଲରୀରେ ଆଶ୍ରମ ଜୀବନ

 

କବିବର ଗଙ୍ଗାଧର ମେହେର ଆଧୁନିକ ଯୁଗର ଜଣେ ପ୍ରଖ୍ୟାତନାମା ସ୍ରଷ୍ଟା । କାବ୍ୟରଚନା ଲାଗି ସେ ଗ୍ରହଣ କରିଛନ୍ତି ପ୍ରାଚୀନ ଭାରତୀୟ ସାହିତ୍ୟ ଓ ସଂସ୍ମୃତିର କଥାବସ୍ତୁ । ସେଇ କଥାବସ୍ତୁରେ ଭାରତୀୟ ଜୀବନର ମହାନ୍‌ ପରଂପରା ଉଦ୍‌ଘୋଷିତ ହୋଇ ଉଠିଛି । ଭାରତୀୟ ସଭ୍ୟତାରେ ଆଧ୍ୟାତ୍ମିକ ଚେତନାର ପ୍ରବାହ ଯୁଗେ ଯୁଗେ ତାରି ବୈଶିଷ୍ଟ୍ୟ ପ୍ରଚାର କରି ଆସିଛି । କବିବର ଗଙ୍ଗାଧର ମେହେର ଆଧୁନିକ କାଳରେ ସ୍ୱକୀୟ ଲେଖନୀ ଚାଳନା କରିଥିଲେହେଁ ତାଙ୍କର ଦୃଷ୍ଟିରପଥ ଲମ୍ବିଯାଇଛି ଅତୀତକୁ—ସୁଦୂର ଅତୀତକୁ । ଯେଉଁ ଅତୀତର ଜୀବନାଦର୍ଶ ଆଧୁନିକ କାଳର ଶିକ୍ଷାଭିମାନୀ ମାନବସମାଜକୁ ଯଥାର୍ଥ ଶିକ୍ଷା ଦେବାକୁ ସମର୍ଥ ସେଇ ଜୀବନାଦର୍ଶର ପ୍ରକୃଷ୍ଟ ପୂଜାରୀ ଗଙ୍ଗାଧର । ତାଙ୍କ ଲେଖନୀ ଯେପରି ଭାବରେ ଆଦର୍ଶ ନରପତି, ଆଦର୍ଶ ପ୍ରେମିକ, ଆଦର୍ଶ ଶାସକ, ଆଦର୍ଶ ପତ୍ନୀ, ଆଦର୍ଶ ପ୍ରେମିକାର ଚିତ୍ର ଅଙ୍କନ କରିପାରିଅଛି ତାହା ଅନନ୍ୟସାଧାରଣ । କବିଙ୍କର କେବଳ ପ୍ରଣୟବଲ୍ଲରୀ ନୁହେଁ, ତପସ୍ୱିନୀ, ଇନ୍ଦୁମତୀ ଓ କୀଚକବଧ ପ୍ରଭୃତି କାବ୍ୟ ଏହାର ପ୍ରମାଣ ଦେଇଥାଆନ୍ତି । ପ୍ରାଚୀନ ଭାରତର ଜୀବନାଦର୍ଶକୁ ଯଥୋପଯୁକ୍ତ ରୀତିରେ ରୂପାୟିତ କରିବାବେଳେ କବି ସତେ ଯେପରି ଦୁଇଗୋଟି ଜୀବନକୁ ତୁଳନାତ୍ମକ ରୀତିରେ ଉପସ୍ଥାପିତ କରିବାପାଇଁ ଉଦ୍ୟତ ହୋଇଛନ୍ତି—ଗୋଟିଏ ହେଉଛି ରାଜକୀୟ ଜୀବନ ଓ ଅନ୍ୟଟି ହେଉଛି ତପଶ୍ଚରୀ ଜୀବନ । ମୁନିବର ତପସ୍ୱୀମାନଙ୍କର ଜୀବନାଦର୍ଶର ସନ୍ଧାନ ଦେବା ବେଳେ କବି ତପୋବନ ବା ଆଶ୍ରମର ଚିତ୍ର ଯେପରି ଭାବରେ ଅଙ୍କନ କରି ସ୍ୱକୀୟ ବର୍ଣ୍ଣନାବିଳାସର ପରିଚୟ ଦେଇଅଛନ୍ତି ତାହା ତାଙ୍କର ସୌନ୍ଦର୍ଯ୍ୟପ୍ରିୟତା ଓ ପବିତ୍ର ଚିନ୍ତାର ଯଥାର୍ଥ ପରିଚାୟକ । ତପସ୍ୱିନୀ କାବ୍ୟରେ କବି ଯେପରି ପ୍ରାଞ୍ଜଳ ଭାବରେ ଆଶ୍ରମ ଜୀବନକୁ ଚିତ୍ରିତ କରିଛନ୍ତି, ପ୍ରଣୟ ବଲ୍ଲରୀରେ ସେ ପ୍ରକାର ପ୍ରାଞ୍ଜଳ ବର୍ଣ୍ଣନାର ଅବକାଶ ନଥିଲେ ହେଁ ଭାବ ପ୍ରକାଶର ସ୍ୱଚ୍ଛତା କୌଣସି ଅଂଶରେ ବାଧାପ୍ରାପ୍ତ ହୋଇନାହିଁ । ପ୍ରଣୟବଲ୍ଲରୀରେ ଆଶ୍ରମ ପ୍ରକୃତିର ବର୍ଣ୍ଣନା ରସପିପାସୁ ପାଠକର ଚିତ୍ତକୁ ଦ୍ରବୀଭୂତ କରିଥାଏ ।

 

ରାଜା ଦୁଷ୍ମନ୍ତ ଯେତେବେଳେ ତପୋବନର ଦୃଶ୍ୟ ଉପଭୋଗ କରିବା ଉଦ୍ଦେଶ୍ୟରେ ଚାଲିଥାଆନ୍ତି ସେତେବେଳେ ତାଙ୍କର ମନ ମଧ୍ୟରେ ତପୋବନର ଆକର୍ଷଣ ଏତେ ପରିମାଣରେ ବୃଦ୍ଧିଲାଭ କରିଥିଲା ଯେ, ସେ ସେହି ସୌନ୍ଦର୍ଯ୍ୟ ମଧ୍ୟରେ ଅଭିଭୂତ ହୋଇ ପଡ଼ିଲେ । ଦୁଷ୍ମନ୍ତ ଯେଉଁଦିଗକୁ ଦୃଷ୍ଟି ଦେଉଥାଆନ୍ତି, ସେ ଦିଗରୁ ଦୃଷ୍ଟି ଫେରାଇ ଆଣିବା ତାଙ୍କ ପକ୍ଷରେ କଷ୍ଟକର ହୋଇ ପଡ଼ୁଥାଏ । ଦୁଷ୍ମନ୍ତ ଏପରି ସୌନ୍ଦର୍ଯ୍ୟର ପରିବେଶକୁ ‘‘ପୀୟୁଷ-ଧାର-ବର୍ଷଣ’’ ବୋଲି ମନେ କରିଛନ୍ତି । ତପୋବନର ଶାନ୍ତିପୂର୍ଣ୍ଣ ବାତାବରଣ ହସ୍ତିନା ନରେଶଙ୍କୁ ଏପରି ମୁଗ୍‌ଧ କରିଦେଲା ଯେ, ସେ ତରୁଛାୟାକୁ ରାଜଛାତ୍ରର ଛାୟା ସହିତ ତୁଳନା କରିବାକୁ ପଶ୍ଚାତ୍‌ପଦ ହୋଇ ନଥିଲେ । କବିଙ୍କ ଭାଷାରେ,

 

‘‘ତରୁଛାୟା ସ୍ନେହ ପାଇ ନରନାଥ

କରନ୍ତି ମନେ ବିଚାର

ଏ ଶୀତଳ ଶାନ୍ତି-ପ୍ରଦ ଛାୟାସମ

ନୁହେଁ ଛତ୍ର-ଛାୟା ଛାର ।’’

 

ରାଜା ଦୁଷ୍ମନ୍ତଙ୍କ ନେତ୍ରପଥରେ ଆଶ୍ରମର ଦୃଶ୍ୟ ଯେପରି ଭାବରେ ପ୍ରତିଭାତ ହୋଇଥିଲା କବି ତହିଁରେ ଆଶ୍ରମ ଜୀବନର କେତେକ ସୂଚନା ଦେଇଛନ୍ତି । ଆଶ୍ରମ ଜୀବନରେ ହିଂସାର ସ୍ଥାନ ନାହିଁ । ବୃକ୍ଷଶାଖାରେ ଶୁକମାନେ ନିର୍ଭୟରେ ବସିଥାଆନ୍ତି, ମୃଗମାନେ ମୁନିକୁମାରଙ୍କ ହସ୍ତରୁ କୁଶାଙ୍କୁର ଭକ୍ଷଣରେ ଲାଗିଥାଆନ୍ତି; ପୁଣି କେତେକସ୍ଥଳରେ ମୃଗମାନେ ନିଃଶଙ୍କ ଚିତ୍ତରେ ଚରୁଥାଆନ୍ତି । ଆଶ୍ରମ ଜୀବନର ସୂଚନା କବି ପାଞ୍ଚଗୋଟି ପଦମଧ୍ୟରେ ଦେଇ ଲେଖିଛନ୍ତି,

 

‘‘ବୋଧହେଲା ବ୍ୟାଧ-ଭୟ ଶୁକଗଣ

ଛାଡ଼ି ଦୂର ବିସ୍ମରଣେ,

ସୁଖେ ରହି ବନ ଶୋଭାକୁ ବଢ଼ାନ୍ତି

ମରକତ ଅପଘନେ ।

ପଦ୍ମରାଗ ଚଞ୍ଚୁ ଚିତ୍ରକଣ୍ଠ ଶୋଭା

ସେହିକାଳେ ଏକବାରେ

ଉପସ୍ଥିତ ହୋଇଗଲେ ନୃପଙ୍କର

ଭାବରାଜ୍ୟ ଅଧିକାରେ ।

ପଡ଼ି କେଉଁଠାରେ ଇଙ୍ଗୁନ୍ଦୀ ନିର୍ଯ୍ୟାସ-

ସ୍ନିଗ୍‌ଧ-ଶିଳା-ଖଣ୍ତ-ଚୟ,

ଦେଉଛନ୍ତି ଋଷି-ହସ୍ତରେ ଇଙ୍ଗୁଦୀ

ବିଦାରଣ ପରିଚୟ ।

ମୁନିକୁମାରଙ୍କ ହସ୍ତୁଁ କୁଶାଙ୍କୁର

ଭକ୍ଷଣରେ ଚିରାଭ୍ୟସ୍ତ,

ଚରୁଚନ୍ତି ମୃଗଗଣ କାହିଁନୃପ-

ଦର୍ଶନେ ନ ହୋଇ ତ୍ରସ୍ତ ।

ବାୟୁ ବିଚାଳିତ କୂଲ୍ୟାଜଳେ ଧୌତ

ମୂଳ ତହିଁ ତରୁମାନ,

କିନ୍ତୁ ହୋମ ଧୂମ ଲାଗି ଲାଗି ତାଙ୍କ

ପତ୍ରଚୟ ଦିଶେ ମ୍ଳାନ ।’’

 

ଆଶ୍ରମ ପ୍ରକୃତିର ରମଣୀୟତା ପ୍ରତିପାଦନ କରିଅଛନ୍ତି । ଆଶ୍ରମ ପ୍ରକୃତିର ମନୋରମ ପରିବେଶରେ ଶକୁନ୍ତଳାଙ୍କର ସୌନ୍ଦର୍ଯ୍ୟ ଅତ୍ୟନ୍ତ ଆକର୍ଷଣୀୟ ରୀତିରେ ବର୍ଣ୍ଣିତ । ଅନନ୍ୟସୁନ୍ଦରୀ ଶକୁନ୍ତଳା ବଳ୍‌କଳ ପରିଧାନ କରିଥିଲେ । ଆଶ୍ରମବାସୀମାନଙ୍କର ବଳ୍‌କଳ ପରିଧାନ କରିବା ରୀତି ତହିଁରେ ସୂଚିତ । ଆଶ୍ରମରେ ମୁନିକନ୍ୟାଗଣ ବୃକ୍ଷମୂଳରେ ଜଳଦାନ କରିବା ଶକୁନ୍ତଳା, ଅନସୂୟା ଓ ପ୍ରିୟମ୍ବଦାଙ୍କ କାର୍ଯ୍ୟରୁ ପ୍ରକାଶିତ । ଦୁଷ୍ମନ୍ତ କଣ୍ୱ ମହର୍ଷିଙ୍କ ଆଶ୍ରମରେ ଅତିଥି ଭାବରେ ଆବିର୍ଭୂତ ହୋଇ ଯେପରି ଭାବରେ ଆତିଥ୍ୟ ଗ୍ରହଣ କରିଥିଲେ ତହିଁରୁ ଆଶ୍ରମ ଜୀବନର ଆତିଥେୟତାର ପରିଚୟ ମିଳିଥାଏ । କବି କାବ୍ୟର କଳେବର ମଧ୍ୟରେ ଆଶ୍ରମ ଜୀବନର କେତେକ ଅଲୌକିକ ଘଟଣାର ବର୍ଣ୍ଣନା କରିଅଛନ୍ତି । କେବଳ ମହର୍ଷି କଣ୍ୱଙ୍କ ଆଶ୍ରମ ନୁହେଁ, କଶ୍ୟପଙ୍କ ଆଶ୍ରମ ବର୍ଣ୍ଣନାରେ କବି ଅଲୌକିକ ଘଟଣାର ବର୍ଣ୍ଣନା କରି ଆଶ୍ରମ ଜୀବନର ମହନୀୟତା ପ୍ରତିପାଦନ କରିବାରେ ଚେଷ୍ଟିତ ହୋଇ ଅଛନ୍ତି ।

ଆଶ୍ରମରେ ରହି ଯେଉଁମାନେ ତପସ୍ୱୀ ତପସ୍ୱିନୀ ଭାବରେ ନିଜ ନିଜର କର୍ତ୍ତବ୍ୟ ପଥରେ ଅଗ୍ରସର ହୁଅନ୍ତି ସେମାନେ ନିତାନ୍ତ କଠିନ ଜୀବନଯାପନ କରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କୁ ଖଣ୍ତା ଧାରରେ ବାଟ ଚାଲିବା ପରି ସାବଧାନତା ଅବଲମ୍ବନ କରିବାକୁ ପଡ଼େ । ଏହିପରି ଜୀବନର ଏକ ଦୃଷ୍ଟାନ୍ତ ହେଉଛି ଶକୁନ୍ତଳାଙ୍କ ପ୍ରତି ଦୁର୍ବାସାଙ୍କର ଅଭିଶାପ । ଦିନେ ଏକାକିନୀ ବସି ଶକୁନ୍ତଳା ଦୁଷ୍ମନ୍ତଙ୍କ ବିଷୟ ଭାବିବା ସମୟରେ ଏତେଦୂର ତନ୍ମୟ ହୋଇ ପଡ଼ିଥିଲେ ଯେ ମହର୍ଷି ଦୁର୍ବାସା କେତେବେଳେ ଆସି ତାଙ୍କ ନିକଟରେ ଅନ୍ୟମନସ୍କତା ପ୍ରତି ଅତ୍ୟନ୍ତ କୃଦ୍ଧ ହୋଇ ପଡ଼ିଛନ୍ତି । ତାଙ୍କ ବିଚାରରେ ଶକୁନ୍ତଳା ଆଶ୍ରମ-ବାସିନୀ ହୋଇ ପୂଜ୍ୟପୂଜା ବିଧାନର ବ୍ୟତିକ୍ରମ କରିବା ଆଶ୍ରମ ଜୀବନର ବିରୁଦ୍ଧାଚରଣ ବ୍ୟତୀତ ଅନ୍ୟ କିଛି ନୁହେଁ । ତାଙ୍କ ଦୃଷ୍ଟିରେ ଏହା ଅକ୍ଷମଣୀୟ ଅପରାଧ । ତେଣୁ ସେ ଶକୁନ୍ତଳାଙ୍କୁ ନିତାନ୍ତ ନିର୍ମମ ଭାବରେ ଅଭିଶାପ ଦେଇଛନ୍ତି ଯେ, ସେ ଯାହା ଚିନ୍ତାରେ ତନ୍ମୟ ହୋଇ ପଡ଼ିଛନ୍ତି ତାଙ୍କ ସମ୍ମୁଖରେ ଦଣ୍ତାୟମାନ ହୋଇ ନିଜର ପରିଚୟ ଦେଲେ ହେଁ ସେ ତାଙ୍କୁ ଚିହ୍ନିପାରିବେ ନାହିଁ । ପ୍ରେମିକା ଶକୁନ୍ତଳାଙ୍କ ପ୍ରତି ମହର୍ଷି ଦୁର୍ବାସାଙ୍କର ଏହି ଅଭିଶାପ ଏକ ଅକଥନୀୟ ଦଣ୍ତ ବ୍ୟତୀତ ଅନ୍ୟ କିଛି ନୁହେଁ । ଆଶ୍ରମ ଜୀବନରେ ପ୍ରତ୍ୟେକ କ୍ଷେତ୍ରରେ ଅତିମାତ୍ରାରେ ସାବଧାନତା ବା ସତର୍କତା ଅବଲମ୍ବନ କରିବାହିଁ ଆଶ୍ରମବାସୀଙ୍କର କର୍ତ୍ତବ୍ୟ ।

ଆଶ୍ରମ ଜୀବନରେ କିପରି ଭାବରେ ଅଲୋକିକତା ପରିଦୃଷ୍ଟ ହୁଏ ତାହା କବି ଯେପରି ଭାବରେ ବର୍ଣ୍ଣନା କରିଛନ୍ତି ତାହାର ଦୁଇ ଗୋଟି ଉଦାହରଣ ଏଠାରେ ଦିଆଯାଇପାରେ । ମହର୍ଷି କଣ୍ୱଙ୍କର ଆଶ୍ରମରେ ଯେତେବେଳେ ଶକୁନ୍ତଳାଙ୍କୁ ପତିଗୃହ ଗମନ ଲାଗି କଣ୍ୱ ଅନୁମତି ଦେଲେ ସେତେବେଳେ କବି ଶକୁନ୍ତଳାଙ୍କ ଅଙ୍ଗମଣ୍ତନ ପ୍ରସଙ୍ଗରେ ଏକ ଅଲୋକିକ ଘଟଣାର ଅବତାରଣା କରିଅଛନ୍ତି । ଶକୁନ୍ତଳାଙ୍କ ଅଙ୍ଗମଣ୍ତନ ନିମନ୍ତେ ହାରୀତ ନାମକ ଜଣେ ଋଷି ପୁତ୍ର ଗୋଟିଏ ଅଳଙ୍କାର ପୂର୍ଣ୍ଣ ଥାଳି ଆଣି ସମସ୍ତ ସମକ୍ଷରେ ଉପସ୍ଥାପନ କଲେ । ଋଷିପୁତ୍ର ଏପରି ସୁନ୍ଦର ଅଳଙ୍କାର କେଉଁଠାରୁ ପାଇଲେ ବୋଲି ଅନ୍ୟମାନେ ଆଶ୍ଚର୍ଯ୍ୟାନ୍ୱିତ ହୋଇ ପ୍ରଶ୍ନ କଲେ । ସମସ୍ତଙ୍କର ସମ୍ଭାବନାକୁ ଦୂର କରି ଦ୍ୱାରୀତ ଅଳଙ୍କାର ସଂଗ୍ରହର ପ୍ରକୃତ ତଥ୍ୟ ପ୍ରକାଶ କଲେ ।

‘‘ହାରୀତ ବୋଇଲେ ମୁନି ମହିମାରେ

ନୁହେଁ ଏହା ଚମତ୍କାର,

ତାଙ୍କ ଉଦ୍ୟାନର ଏକ ଏକ ତରୁ

ଏକ ଏକ ଧନାଗାର ।

 

ପୁଣି ଏକ ଏକ ରାଜା ମୁନୀନ୍ଦ୍ରଙ୍କ

ଏକ ଏକ ମହାତରୁ,

ଏତିକି ଭୂଷଣ ମିଳିବାର କେଉଁ

ଚିତ୍ର ତାଙ୍କ ନିକଟରୁ ?

 

X X X

 

ମୁନୀନ୍ଦ୍ର ଆଦେଶେ ଉଦ୍ୟାନେ ବୁଲି ମୁଁ

କର ବଢ଼ାଇବା ମାତ୍ରେ,

କେଉଁଠାରୁ କେଉଁ ଅଳଙ୍କାର ଆସି

ପୂରିଗଲେ ଏହି ପାତ୍ରେ ।’’

 

ଭାରତୀୟ ପରମ୍ପରାରେ ବହୁ ପୂର୍ବକାଳରୁ ଲୋକସମାଜର ବିଶ୍ୱାସ ଯେ, ସିଦ୍ଧତପା ମୁନିମାନେ ଯେ କୌଣସି ଅଲୌକିକ କ୍ରିୟା ସଂପାଦନ କରିପାରନ୍ତି । ଲୋକସମାଜର ଏହି ବିଶ୍ୱାସ ପୁରାଣପାଠରୁ ଅନେକାଂଶରେ ଦୃଢ଼ୀଭୂତ ହୋଇଥାଏ । କବି ଏଠାରେ ସେହି ପ୍ରକାର ବିଶ୍ୱାସର ଏକ ଚିତ୍ର ଅଙ୍କନ କରି ଅଛନ୍ତି ।

 

କଶ୍ୟପଙ୍କ ଆଶ୍ରମର ପରିବେଶ ସର୍ବାଂଶରେ ସ୍ୱର୍ଗ ଅପେକ୍ଷା ଅଧିକ ମନୋରମ ଓ ମହତ୍ତ୍ୱପୂର୍ଣ୍ଣ । କଶ୍ୟପଙ୍କ ଆଶ୍ରମ ବର୍ଣ୍ଣନାରେ କବି ଅତିମାତ୍ରାରେ ଅଲୌକିକତାର ଅବତାରଣା କରିଅଛନ୍ତି । କଶ୍ୟପଙ୍କ ଆଶ୍ରମରେ ଯେତେବେଳେ ଦୁଷ୍ମନ୍ତ ଉପଗତ ହେଲେ, ସେତେବେଳେ ସେ ଆଶ୍ରମର ଶୋଭା ସନ୍ଦର୍ଶନରେ ଅଭିଭୂତ ହୋଇପଡ଼ିଲେ । ସେଠାରେ ତାଙ୍କୁ କେନ୍ଦ୍ର କରି ଗୋଟିଏ ଅଲୌକିକ ଘଟଣା କବି ବର୍ଣ୍ଣନା କରିଛନ୍ତି । ଶିଶୁ ସର୍ବଦମନ ଗୋଟିଏ ସିଂହ ଶିଶୁକୁ ଧରି ସେଠାରେ ଖେଳୁଥିଲା । ଶିଶୁ ନିକଟରେ ଥିବା ତାପସୀ ସିଂହ ଶିଶୁଟିକୁ ଛାଡ଼ିଦେବାକୁ ବାରମ୍ବାର ଅନୁରୋଧ କଲେ ହେଁ ସେ ତାକୁ ଛାଡ଼ିଲା ନାହିଁ । ଦୁଷ୍ମନ୍ତ ଶିଶୁ ନିକଟକୁ ଯାଇ ତାକୁ ଆନନ୍ଦାତି-ଶଯ୍ୟାରେ ଆଲିଙ୍ଗନ ପାଶରେ ଆବଦ୍ଧ କଲେ । ତା’ପରେ ଜଣେ ତାପସୀ ଯେତେବେଳେ ଦେଖିଲେ ଯେ ଶିଶୁ କରରେ ତାର ରକ୍ଷାକାଣ୍ତଟି ନାହିଁ, ସେତେବେଳେ ସେ ବ୍ୟସ୍ତ ହୋଇପଡ଼ିଲେ । ରକ୍ଷାକାଣ୍ତଟି ତଳେ ପଡ଼ିଥିବାର ଦେଖି ଦୁଷ୍ମନ୍ତ ତାକୁ ଉଠାଇ ଆଣିବାକୁ ଯିବା ସମୟରେ ତାପସୀ ତାଙ୍କୁ ବାରଣ କଲେହେଁ ସେ ବାରଣ ନ ମାନି ରକ୍ଷାକାଣ୍ତଟି ଉଠାଇ ଆଣିଲେ । ଦୁଷ୍ମନ୍ତ ତାପସୀଙ୍କଠାରୁ ଜାଣିବାକୁ ପାଇଲେ ଯେ, ସର୍ବଦମନର ରକ୍ଷାକାଣ୍ତଟିକୁ ତାର ପିତା ବ୍ୟତୀତ ଅନ୍ୟ କେହି ସ୍ପର୍ଶ କଲେ ସଙ୍ଗେ ସଙ୍ଗେ ମୃତ୍ୟୁ ବରଣ କରିବ । ମାତ୍ର ଦୁଷ୍ମନ୍ତ ରକ୍ଷାକାଣ୍ତଟିକୁ ଉଠାଇ ଆଣି କୌଣସି ଦୁର୍ବିପାକର ସମ୍ମୁଖୀନ ହେଲେ ନାହିଁ । କବି ଏଠାରେ ଦୁଷ୍ମନ୍ତଙ୍କୁ ସର୍ବଦମନର ପିତା ଭାବରେ ଚିହ୍ନିତ କରିବା ପାଇଁ ଏପରି ଏକ ସୂଚନାତ୍ମକ ଘଟଣା ବର୍ଣ୍ଣନା କରିଛନ୍ତି । ମାତ୍ର ଏହି ରକ୍ଷାକାଣ୍ତର ବୈଶିଷ୍ଟ୍ୟ ହିଁ ଅଲୌକିକ ।

 

କଶ୍ୟପଙ୍କ ଆଶ୍ରମର ଯେପରି ବର୍ଣ୍ଣନା ପ୍ରଣୟବଲ୍ଲରୀ କାବ୍ୟରେ ସ୍ଥାନ ପାଇଅଛି, ତାର ପ୍ରତ୍ୟେକ ଛାତ୍ରରେ ଅଲୌକିକତା ବିଦ୍ୟମାନ । ଏହା ତାଙ୍କ ଆଶ୍ରମର ମହନୀୟତା ପ୍ରତିପାଦନ ଉଦ୍ଦେଶ୍ୟରେ ବର୍ଣ୍ଣିତ ।

 

ଆଶ୍ରମଜୀବନର ମହତ୍ତ୍ୱ ଓ ବୈଶିଷ୍ଟ୍ୟ କବିଙ୍କ ଲେଖନୀରେ ଅନେକ ସ୍ଥଳରେ ଅଲୌକିକତା ବା ଅତି ମାନବିକତା ଉପରେ ଆଧାରିତ ହେଲେ ହେଁ କବି ସର୍ବ ସ୍ଥଳରେ ଆଦର୍ଶବାଦିତାର ଉଜ୍ଜ୍ୱଳ ଚିତ୍ର ଅଙ୍କନ କରିବାରେ ପ୍ରୟାସୀ ହୋଇଅଛନ୍ତି । କବିଙ୍କର ବର୍ଣ୍ଣନା ରୀତି ପାଠକମାନଙ୍କୁ କଳ୍ପଲୋକର ସନ୍ଧାନ ଦେବା ସଙ୍ଗେ ସଙ୍ଗେ କବିଙ୍କର କଳ୍ପନା ପ୍ରବଣତାର ପରିଚୟ ଦେଇଥାଏ ।

☆☆☆

 

ପ୍ରଣୟ ବଲ୍ଲରୀରେ ପ୍ରକୃତି ଚିତ୍ରାଙ୍କନ

 

ଓଡ଼ିଆ ସାହିତ୍ୟରେ ପ୍ରକୃତିର ଆତ୍ମପ୍ରକାଶ ଆଧୁନିକ ଯୁଗରେ ଏକ ବିଶିଷ୍ଟ ଘଟଣା । ପ୍ରାଚୀନ ଓଡ଼ିଆ ସାହିତ୍ୟ ବା ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟରେ ପ୍ରକୃତି ଯେପରି ଭାବରେ ଚିତ୍ରିତ ହୋଇଥିଲା, ଆଧୁନିକ ଯୁଗରେ ତାହା ପରିବର୍ତ୍ତିତ ରୂପ ଗ୍ରହଣ କଲା । ଏଥିପାଇଁ କବିବର ରାଧାନାଥ ଓଡ଼ିଆ ସାହିତ୍ୟରେ ପ୍ରକୃତିକୁ ଏକ ନୂତନ ରୂପବିଭବ ମଣ୍ତିତ କଲେ । ପ୍ରକୃତି ନିଜେ ଆତ୍ମପ୍ରକାଶ କରିବାକୁ ସମର୍ଥ ହେଲା । ପ୍ରକୃତି ହେଲା ମାନବର ଶିକ୍ଷାଦାତ୍ରୀ । ମାନବ ଜୀବନକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ପ୍ରକୃତି ତାକୁ ପ୍ରତ୍ୟେକ କ୍ଷେତ୍ରରେ ସୂଚନା ଦେଇ ଚାଲିଲା । ମାନବ ଜୀବନର ସୁଖ ଦୁଃଖରେ ପ୍ରକୃତି ସମଭାଗୀ ହେବାର ଦୃଷ୍ଟାନ୍ତ ରାଧାନାଥଙ୍କ ଲେଖନୀରେ ବହୁ ସ୍ଥଳରେ ସୁଲଭ । କବିବର ରାଧାନାଥଙ୍କର ପ୍ରକୃତି ଚିତ୍ରଣରେ ଥିଲା ଅପୂର୍ବ ଦକ୍ଷତା । ତାଙ୍କରି ପ୍ରଭାବ ତାଙ୍କର ସମସାମୟିକ ତଥା ପରବର୍ତ୍ତୀ କବିଗଣଙ୍କୁ ପ୍ରଭୂତ ଭାବରେ ପ୍ରକୃତିପ୍ରେମୀ କରିବାରେ ସହାୟତା କରିଅଛି । କବିବର ରାଧାନାଥଙ୍କ ପ୍ରଭାବ ଗଙ୍ଗାଧରଙ୍କ ଉପରେ କିପରି ଭାବରେ ପଡ଼ିଥିଲା, ତାହା ଗଙ୍ଗାଧରଙ୍କର ଯେ କୌଣସି କାବ୍ୟ ଆଲୋଚନା କରିବା ସମୟରେ ସହଜରେ ଜଣାପଡ଼ିଥାଏ । ଗଙ୍ଗାଧରଙ୍କର କାବ୍ୟ ରଚନାର ଆଦର୍ଶ ସ୍ୱତନ୍ତ୍ର । ଏହା ପ୍ରାଚୀନ ଓ ଆଧୁନିକ ଉଭୟର ଏକ ସମ୍ମିଶ୍ରିତ ରୂପ । ତେଣୁ ତାଙ୍କର କାବ୍ୟରେ ପ୍ରାଚୀନ ବା ମଧ୍ୟଯୁଗୀୟ କାବ୍ୟାଦର୍ଶର ଅନୁକରଣରେ ଯେ ପ୍ରକୃତି ବର୍ଣ୍ଣିତ ହୋଇନାହିଁ, ଏହା ଅସ୍ୱୀକାର କରିହେବ ନାହିଁ । ଏହା ସତ୍ତ୍ୱେ କବି ଆଧୁନିକ ରୀତି ପ୍ରତି କେତେଦୂର ସଚେତନ ଥିଲେ, ତାହା ତାଙ୍କର ତପସ୍ୱିନୀ ଓ ପ୍ରଣୟବଲ୍ଲରୀ କାବ୍ୟରୁ ପ୍ରକାଶ ପାଇଅଛି । ତପସ୍ୱିନୀ କାବ୍ୟର ପ୍ରଥମ ସର୍ଗରେ କବି ଯେପରି ଭାବରେ ପ୍ରକୃତି ବର୍ଣ୍ଣନା କରିଅଛନ୍ତି, ତାହା କବିବର ରାଧାନାଥଙ୍କ ପ୍ରଭାବ ବ୍ୟତୀତ ଅନ୍ୟ କିଛି ନୁହେଁ ।

 

ପ୍ରଣୟବଲ୍ଲରୀ କାବ୍ୟରେ କବି ପ୍ରକୃତିକୁ ସତେ ଯେପରି ତାଙ୍କ କାବ୍ୟ ରଚନାର ପୃଷ୍ଠଭୂମି ଭାବରେ ଗ୍ରହଣ କଲାପରି ମନେହୁଏ । ପ୍ରଣୟବଲ୍ଲରୀର ନାମକରଣ ହିଁ କବିଙ୍କର ପ୍ରକୃତିପ୍ରେମ-ପ୍ରବଣତାର ଅନନ୍ୟ ଦୃଷ୍ଟାନ୍ତ । ପ୍ରଣୟ ରୂପକ ବଲ୍ଲରୀର ସାତଗୋଟି ଅବସ୍ଥାକୁ କବି ଅଙ୍କୁର, ପଲ୍ଲବ, ପ୍ରସୂନ, ସୌରଭ, ପୁଷ୍ପେକୀଟ, ଫଳ ଓ ଛାୟା ଭାବରେ ସୂଚିତ କରି କାବ୍ୟର ସାତଗୋଟି ସର୍ଗର ନାମକରଣ କରିଅଛନ୍ତି ।

 

କବି ଗଙ୍ଗାଧର ପ୍ରଣୟ ବଲ୍ଲରୀ ରଚନା କରିବା ସମୟରେ ମହାକବି କାଳିଦାସଙ୍କୁ ବହୁଭାବରେ ଅନୁସରଣ କରିଥିବାକୁ ତାଙ୍କର ବର୍ଣ୍ଣନା-ବିଳାସ ବହୁସ୍ଥଳରେ ସୀମିତ ହୋଇ ପଡ଼ିଅଛି ବୋଲି କୁହାଯାଇପାରେ । ପ୍ରକୃତି ବର୍ଣ୍ଣନା ପ୍ରସଙ୍ଗରେ ମଧ୍ୟ କବିଙ୍କର ସେହି ରୀତି ପରିଦୃଷ୍ଟ ହୋଇଥାଏ । ଏ ପ୍ରସଙ୍ଗରେ ଅଧ୍ୟାପକ ଗୌରୀ କୁମାର ବ୍ରହ୍ମାଙ୍କର ମତ ହେଉଛି, ‘‘ପ୍ରଣୟ ବଲ୍ଲରୀର ବହୁସ୍ଥଳରେ ପ୍ରକୃତି ଚିତ୍ରମାନ କାଳିଦାସାଭିମୁଖିନୀ ହୋଇଥିବାରୁ କବିଙ୍କର ବିଶେଷତ୍ୱ ପ୍ରତିପାଦନ ଲାଗି ତାଙ୍କର ମୌଳିକ ପ୍ରଥମ ଅଙ୍କରେ ଆଶ୍ରମର ସୁନ୍ଦର ଓ ସ୍ୱାଭାବିକ ବର୍ଣ୍ଣନା ବଡ଼ ରମଣୀୟ ଭାବରେ; ଦେଖିବାକୁ ମିଳେ । ଗଙ୍ଗାଧର ସେଗୁଡ଼ିକର ଏକ ପ୍ରକାର ଅନୁବାଦ କରିଅଛନ୍ତି ମାତ୍ର । ଇଙ୍ଗୁଦି-ନିର୍ଯ୍ୟାସରେ ଶିଳାଖଣ୍ତମାନଙ୍କର ସ୍ନିଗ୍‌ଧତା, ଶୁକ-ମୁଖ-ଭ୍ରଷ୍ଟ ତୃଣଧାନ୍ୟର ପାଦପମୂଳରେ ପତନ, ମୁନିମାନଙ୍କ ହସ୍ତରୁ ମୃଗମାନଙ୍କର କୁଶାଙ୍କୁର ଭକ୍ଷଣ, କୁଲ୍ୟଜଳରେ ଧୌତମୂଳ ପାଦପ ଓ ଯଜ୍ଞଧୂମରେ ମ୍ଳାନ ସେମାନଙ୍କର ପତ୍ରରାଜି, ଏଗୁଡ଼ିକରେ ଗଙ୍ଗାଧରଙ୍କର କଳ୍ପନା ସୀମିତ ହୋଇ ପଡ଼ିଛି ମୂଳ ଶ୍ଳୋକମାନଙ୍କର ଅନୁସରଣ ହେତୁ ।’’ (ଶକୁନ୍ତଳା ଓ ଗଙ୍ଗାଧର-ପୃ ୨୫) । ତେଣୁ ଆଶ୍ରମର ପ୍ରକୃତି ବର୍ଣ୍ଣନା ମଧ୍ୟରେ ପାଠକ ଯେତେବେଳେ ହଜିଯାଏ, ସେତେବେଳେ ତହିଁରୁ କବି ଗଙ୍ଗାଧରଙ୍କ ପ୍ରତିଭାର କଳନା କରିବା ଆଦୌ ଉଚିତ ନୁହେଁ । ଆଶ୍ରମ ବର୍ଣ୍ଣନାର ସୌନ୍ଦର୍ଯ୍ୟ ଯଦି କୌଣସି ପାଠକକୁ ମୁଗ୍‌ଧ କରେ, ତେବେ ତାହା ମହାକବି କାଳିଦାସଙ୍କର ଲେଖନୀର ପ୍ରଭାବ ବୋଲି ମୁକ୍ତକଣ୍ଠରେ ସ୍ୱୀକାର କରିବାକୁ ପଡ଼ିବ ।

 

କବି ଗଙ୍ଗାଧର ଶକୁନ୍ତଳା ଓ ଦୁଷ୍ମନ୍ତଙ୍କର ପ୍ରେମର ଚିତ୍ର ଅଙ୍କନ କରିବାକୁ ଯାଇ ପ୍ରକୃତି ବର୍ଣ୍ଣନା ମାଧ୍ୟମରେ ଯେପରି ଭାବରେ ନିଜର କୃତବିଦ୍ୟତା ପ୍ରଦର୍ଶନ କରିଅଛନ୍ତି, ତାହା ପାଠକର ପ୍ରାଣକୁ ଉଲ୍ଲସିତ କରିଥାଏ । ଦୁଷ୍ମନ୍ତଙ୍କ ସହିତ ଶକୁନ୍ତଳାଙ୍କର ସାକ୍ଷାତ ଓ ଉଭୟେ ଉଭୟଙ୍କ ପ୍ରତି ଆକୃଷ୍ଟ ହେବା ପରେ ଦୁଷ୍ମନ୍ତ ଶକୁନ୍ତଳାଙ୍କୁ ସ୍ୱନାମାଙ୍କିତ ମୁଦ୍ରିକା ପ୍ରଦାନ ପ୍ରଭୃତି ଘଟଣା ପାଠକ ମନରେ ଯେତିକି ପ୍ରଭାବ ବିସ୍ତାର କରେ, ତଦପେକ୍ଷା ଅଧିକ ପ୍ରଭାବ ବିସ୍ତାର କରେ ପ୍ରକୃତି ବର୍ଣ୍ଣନା ମାଧ୍ୟମରେ ପ୍ରେମିକ ପ୍ରେମିକାଙ୍କର ପୂର୍ବରାଗରେ ସୂଚନା । ପ୍ରଣୟ ବଲ୍ଲରୀ କାବ୍ୟର ଦ୍ୱିତୀୟ ସର୍ଗର ଶେଷରେ ସଂଧ୍ୟା ଆଗମନର ବର୍ଣ୍ଣନା ଏହାର ଦୃଷ୍ଟାନ୍ତ ।

 

‘‘ଶକୁନ୍ତଳା ପୂର୍ବସ୍ୱଭାବ ସହିତ

ଦିବାକର ହେଲେ ଅସ୍ତ

ନବୀନ-ପ୍ରକୃତି-ସଙ୍ଗେ ତାର ନବ-

ସଂଧ୍ୟା ହେଲା ଉପଗତ ।

 

ଗଗନ ପବନ ବନ ଅଭିନବ

ହେଲା ତା ନବ-ଜୀବନେ,

ସଂଧ୍ୟା ରାଗ ସହନବ-ରାଗ ଜାତ

ହେଲା ନବୀନାର ମନେ ।

 

ନବ ପ୍ରତିଭାତ ହେଲେ ନୟନରେ

ତାରକା ପଟଳୀ କାନ୍ତି,

ପୁଷ୍ପାବଳୀ ନବସୌରଭ ବିତରି

ଦେଖାଇଲେ ନବ ଭାତି ।

 

ଯେମନ୍ତେ ସରସ ବୋଧହେଲା ସବୁ

ତେମନ୍ତ ଲୋଡ଼ିଲା ମନ,

ଏକପ୍ରାଣ ହୋଇ ଭୋଗିବାକୁ ସବୁ

ପରାଣର ପ୍ରିୟଜନ ।’’

 

କାବ୍ୟର ତୃତୀୟ ସର୍ଗରେ ଶକୁନ୍ତଳା ଓ ଦୁଷ୍ମନ୍ତଙ୍କର ପ୍ରୀତି ସମ୍ଭାଷଣ ପରେ ସଂଧ୍ୟା ସମାଗତ । ଅସ୍ତଗାମୀ ସୂର୍ଯ୍ୟର ଅବସ୍ଥା ଓ କାର୍ଯ୍ୟ ବିଷୟରେ କବି ପ୍ରକୃତି ଦେହରେ ମାନବିକ ପ୍ରୀତିର ଆରୋପ କରି ବର୍ଣ୍ଣନାଟିକୁ ଅତ୍ୟନ୍ତ ହୃଦ୍ୟ କରିଅଛନ୍ତି । ଅସ୍ତ ଚଳକୁ ଢଳିପଡ଼ିଥିବା ସୂର୍ଯ୍ୟଙ୍କ କିରଣ କୁଞ୍ଜର ରନ୍ଧ୍ରପଥରେ ପ୍ରବେଶ କରିବା ସ୍ୱାଭାବିକତାକୁ କବି ବର୍ଣ୍ଣନା କରିଛନ୍ତି ଯେ, ସୂର୍ଯ୍ୟ ତଳକୁ ଢଳିପଡ଼ି କୁଞ୍ଜର ରନ୍ଧ୍ର ପଥଦେଇ ପ୍ରେମିକ ପ୍ରେମିକାଙ୍କୁ ଅବଲୋକନ କଲେ ଅନ୍ୟର ପ୍ରୀତି ଦେଖିବା ଫଳରେ ନିଜର ପ୍ରୀତିଭାବ ବିଶେଷ ଭାବରେ ସଞ୍ଚାରିତ ହେଲେ ନାୟକ ତାର ନାୟିକା ଆଡ଼କୁ କର ପ୍ରସାରିତ କରିଥାଏ । କବି ଏଠାରେ ସୂର୍ଯ୍ୟଙ୍କ କ୍ଷେତ୍ରରେ ତାହାହିଁ ବର୍ଣ୍ଣନା କରିଛନ୍ତି ।

 

‘‘ଏରୂପେ ବିବିଧକୌତୁକ ବିନୋଦେ

ବେଳ ହେଲା ଅବସାନ,

କୁଞ୍ଜ-ରନ୍ଧ୍ର-ପଥେଚାହିଁ ତାଙ୍କ ରୀତି

ସ୍ନିଗ୍‌ଧ ହେଲେ ବିବସ୍ୱାନ ।

 

ପର ପ୍ରେମ ଚାହିଁ ନିଜ ପ୍ରେମ ସଦା

ହୋଇଥାଏ ବିସ୍ଫାରିତ,

ଛାୟାଲୋଭେ ତରୁ-ମୂଳକୁ ଭାସ୍କର

କର କଲେ ପ୍ରସାରିତ ।

 

ଭାନୁ ଆଲିଙ୍ଗନେ ପ୍ରଫୁଲ୍ଲ ବିଗ୍ରହେ

ଛାୟା ତେଜି ତରୁ-ତଳ,

ଉଦୟାଦ୍ରି କୁଞ୍ଜବିଳାସ ଲାଳସେ

ଚଳିଲା ହୋଇ ଚଞ୍ଚଳ ।

 

ଗଲାବେଳେ ଲମ୍ବହୋଇ ପଡ଼ି ଛାୟା

ତରୁବର ପଦ ଧରି,

ବୋଇଲା ଆସିବି ଆସିବେ ଯଦ୍ୟପି

ମୋ ଚନ୍ଦ୍ରିକା ସହଚରୀ ।’’

 

କାବ୍ୟର ଷଷ୍ଠସର୍ଗରେ କବି ବସନ୍ତ ଆଗମନରେ ଧରାବକ୍ଷର ସୌନ୍ଦର୍ଯ୍ୟ ବର୍ଣ୍ଣନା କରିଅଛନ୍ତି । ଏହି ବର୍ଣ୍ଣନା କେବଳ ସୌନ୍ଦର୍ଯ୍ୟର ଚିତ୍ରାଙ୍କନ ନୁହେଁ । ପ୍ରକୃତିରେ କବି ମାନବିକତାର ଯେଉଁ ଆରୋପ କରିଅଛନ୍ତି, ତାହା ତାଙ୍କର କବିତ୍ୱ ଚାତୁରୀର ଅମର ନିଦର୍ଶନ । ବସନ୍ତ ଋତୁ ଧରାରେ ପ୍ରବେଶ କରିବା ବିଷୟ ସୂଚନା ଦେବାକୁ ଯାଇ କବି ଶିଶିର ସଦନରେ ପୁତ୍ର ଜନ୍ମ ହେବା ବିଷୟ ଅବତାରଣା କରିଛନ୍ତି । ପୁତ୍ର ସନ୍ତାନଟିଏ ଜନ୍ମଗ୍ରହଣ କଲେ ସାମାଜିକ ରୀତି ନୀତି ଅନୁସାରେ ଯେପରି ଭାବରେ ଆନନ୍ଦ ଉତ୍ସବ ପାଳିତ ହେବାର କଥା, ସେସବୁ ପ୍ରକୃତି ମାଧ୍ୟମରେ କବି ପ୍ରଦର୍ଶନ କରିଅଛନ୍ତି । ଏହି ବର୍ଣ୍ଣନା ଅତ୍ୟନ୍ତ ମନୋମୁଗ୍‌ଧକର । ପୁତ୍ର କ୍ରମେ ବଡ଼ ହୋଇ ରାଜ୍ୟ ଭାର ସମ୍ଭାଳିବା ନିମନ୍ତେ ସମର୍ଥ ହେଲେ ରାଜା ପୁତ୍ର ହସ୍ତରେ ରାଜ୍ୟଭାର ସମର୍ପଣ କରି ବାନପ୍ରସ୍ଥାଶ୍ରମ ଅବଲମ୍ବନ କରୁଥିଲେ । ସେହି ବିଷୟକୁ କବି ଏଠାରେ ଶିଶିରର ପୁତ୍ର ବସନ୍ତ ସଂପର୍କରେ ବର୍ଣ୍ଣନା କରିଅଛନ୍ତି ।

 

‘‘କ୍ରମେ ବୃଦ୍ଧ ହେଲା ଶିଶିର ଶରୀର

ହୋଇଗଲା ବଳହୀନ,

ଶଶିକଳା ମତ ବଢ଼ିଲା ବସନ୍ତ

କରମେ ହେଲା ପ୍ରବୀଣ ।

 

ପୁତ୍ରେ ରାଜ୍ୟ ଦେଇ ଶିଶିର ପର୍ବତ

ତଳେ ଯାଇ କଲା ବାସ,

ତନୁ ତ୍ୟାଗ କଲା ଘୋର ତପେ ଚାରି-

ଦିଗେ ଜାଳି ଆଶ୍ରୟାଶ ।

 

ଜନ୍ମିଥିଲା ବୋଲି ମରଣ ଲଭିଲା,

ଜନମିବ ସେହିପରି,

ଦେଲା ଯାହା ଯାହା ଜନ୍ମାନ୍ତରେ ତାହା

ଭଣ୍ତାରେ ରହିବ ଭରି ।’’

 

କବି ହେମକୂଟ ପର୍ବତର ସୌନ୍ଦର୍ଯ୍ୟ ବର୍ଣ୍ଣନାରେ ଶତମୂଖ ହୋଇ ପଡ଼ିଛନ୍ତି । ସେ ବର୍ଣ୍ଣନା ଅଲୌକିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ । କବି ଗଙ୍ଗାଧର ମେହେର ପ୍ରଣୟବଲ୍ଲରୀ କାବ୍ୟରେ ଅନ୍ତଃପ୍ରକୃତି ଓ ବହିଃପ୍ରକୃତି ଉଭୟର ଚିତ୍ରଣରେ ଯେ ନିଜର ସିଦ୍ଧହସ୍ତତା ପ୍ରଦର୍ଶନ କରିଅଛନ୍ତି, ତାହା ତାଙ୍କର କାବ୍ୟ ପାଠକଲେ ଅତି ସହଜରେ ପ୍ରତିପନ୍ନ ହୋଇଥାଏ । କବିଙ୍କର ସୌନ୍ଦର୍ଯ୍ୟବାଦୀ ଦୃଷ୍ଟିକୋଣ ଓ ଜୀବନଦର୍ଶନ ପ୍ରକୃତି ମାଧ୍ୟମରେ ଅତ୍ୟନ୍ତ ସ୍ପଷ୍ଟ ଭାବରେ ପ୍ରକାଶ ପାଇଅଛି ।

☆☆☆

 

କବିଙ୍କର ରଚନା ଶୈଳୀ

 

ପ୍ରତ୍ୟେକ କବିର ଭାଷା, ଭାବ, ବର୍ଣ୍ଣନାଚାତୁରୀ, ଛନ୍ଦ ଯୋଜନା ଓ ଅଳଙ୍କାର ପ୍ରୟୋଗରେ ସ୍ୱତନ୍ତ୍ରତା ପରିଲକ୍ଷିତ ହୁଏ । ବୈଚିତ୍ର୍ୟହିଁ ଏଇ ବିଶାଳ ସୃଷ୍ଟିର ସୌନ୍ଦର୍ଯ୍ୟ । ସୃଷ୍ଟିର ଗୋଟିଏ ପଦାର୍ଥଠାରୁ ଆଉ ଗୋଟିଏ ପଦାର୍ଥ ଭିନ୍ନ । ମଣିଷ ଭିତରେ ଜଣକଠାରୁ ଆଉ ଜଣେ ଭିନ୍ନ-ଆକୃତିରେ, ପୁଣି ପ୍ରକୃତିରେ । କବି ସୃଷ୍ଟିରେ ଅନୁରୂପ ଭାବ ପରିଲକ୍ଷିତ ହୁଏ । ଭାବ ରାଜ୍ୟରେ ଜଣେ କବିର ରଚନାଠାରୁ ଅନ୍ୟର ରଚନା ଭିନ୍ନ—ଭାଷାରେ, ତଥା ଭଂଗୀରେ । ରଚନାଶୈଳୀର ସ୍ୱାତନ୍ତ୍ର୍ୟ କବିର ବୈଶିଷ୍ଟ୍ୟ ପ୍ରତିପାଦନ କରେ ।

ପାଶ୍ଚାତ୍ୟ ସାହିତ୍ୟରେ ପ୍ରଭାବିତ ରାଧାନାଥ ପରଂପରା ଅନୁସୃତ ପ୍ରାଚୀନ ରଚନା ରୀତିକୁ ବର୍ଜନ କରି ନୂତନ ଶୈଳୀର ପ୍ରବର୍ତ୍ତନ କଲେ । କ୍ଳିଷ୍ଟ ଦୁର୍ବୋଧ୍ୟ ଶବ୍ଦର ଯୋଜନା, ଅର୍ଥାଳାଙ୍କାର ଶବ୍ଦାଳଙ୍କାରର ବହୁଳ ପ୍ରୟୋଗ, ବିଭିନ୍ନ ବୃତ୍ତି ବା ରାଗରାଗିଣୀରେ ସର୍ଗ ରଚନା, ପଦ ସଂଘଟନରେ ସଂସ୍କୃତାଭିମୁଖୀ ଶବ୍ଦ ଓ ସମାସବହୁଳ ବାକ୍ୟ ଗଠନ ପ୍ରଭୃତି ଭଞ୍ଜଯୁଗର କାବ୍ୟିକ ଆଦର୍ଶ ରୂପେ ଗୃହୀତ ହୋଇଥିଲା । ରାଧାନାଥ ଭଞ୍ଜଙ୍କର ଶୈଳୀକୁ ସଂପୂର୍ଣ୍ଣ ବର୍ଜନ ନକରି, ସେଥିରେ ନୂତନ ଶୈଳୀର ଆରୋପ କଲେ । ପ୍ରାଞ୍ଜଳ ଓ ଶ୍ରୁତିମଧୁର ପଦଯୋଜନାରେ କାବ୍ୟକୁ ସୁଖପାଠ୍ୟ କରାଇବା ରାଧାନାଥଙ୍କର ଲକ୍ଷ୍ୟ ଥିଲା । ଅନୁପ୍ରାସ, ଯମକ ପ୍ରଭୃତି ଶବ୍ଦାଳଙ୍କାର ଓ ଉପମା, ରୂପକ, ଉତ୍‌ପ୍ରେକ୍ଷା ପ୍ରଭୃତି ଅର୍ଥାଳଙ୍କାରର ସଂଯତ ପ୍ରୟୋଗରେ କାବ୍ୟ ନାୟିକାକୁ ସୁଷମାନ୍ୱିତ କଲେ । ବର୍ଣ୍ଣନାଚାତୁରୀ ପ୍ରଦର୍ଶନ କରିବା ପାଇଁ ଗୋଟିଏ କଥାର ଦୀର୍ଘ ବର୍ଣ୍ଣନା ନ କରି ଅପୂର୍ବ କଳାକୌଶଳରେ ସଂକ୍ଷେପରେ ସୂଚନାତ୍ମକ ଭାବରେ ତାକୁ ପ୍ରକାଶ କରୁଥିଲେ । ବିଭିନ୍ନ ଛନ୍ଦ ଓ ରାଗରାଗିଣୀ ପରିବର୍ତ୍ତେ ଗୋଟିଏ ଛନ୍ଦ ବା ରାଗରେ ସମଗ୍ର କାବ୍ୟ ରଚନା କରିବା ରାଧାନାଥଙ୍କ ଅନ୍ୟତମ ସ୍ୱତନ୍ତ୍ର ଅଭିଳାଷ ଥିଲା । ରାଧାନାଥଙ୍କର ରୀତିକୁ ସମକାଳୀନ ବହୁ କବି ଅନୁସରଣ କରିଥିଲେ । ଭଂଜ ଯୁଗର ଆଳଙ୍କାରିକ ଆଦର୍ଶକୁ ବର୍ଜନ କରି ପ୍ରାଚୀନ କାବ୍ୟ ରୀତିରେ ପରିବର୍ତ୍ତନ ସାଧନ କରି ରାଧାନାଥ ସରଳ, ସହଜ, ସ୍ପଷ୍ଟ ଓ ପ୍ରାଞ୍ଜଳ ରୀତିରେ କାବ୍ୟ ରଚନା କଲେ । ଇଂରାଜୀ ଓ ବଂଗୀୟ ସାହିତ୍ୟରେ ପ୍ରଭାବିତ ରାଧାନାଥ ଭାବ, ଭାଷା, ଛନ୍ଦ ଓ ବର୍ଣ୍ଣନାରେ ନୂତନ ରୂପ ସଂଯୋଜନା କଲେ । କିନ୍ତୁ ଗଙ୍ଗାଧର ଏଇ ନବୀନ ରୀତି ପ୍ରତି ପ୍ରବଳ ଭାବରେ ଆକୃଷ୍ଟ ହେଲେହେଁ ପ୍ରାଚୀନ ଶୈଳୀକୁ ସଂପୂର୍ଣ୍ଣ ବର୍ଜନ କରିପାରିଲେ ନାହିଁ । ଭାଷାରେ ଅଯଥା ଚାତୁରୀ ପ୍ରଦର୍ଶନ କରିବାକୁ ସେ ଚେଷ୍ଟା କରି ନାହାନ୍ତି । କଥିତ ସରଳ ଭାଷାରେ ମନର ଭାବକୁ ସ୍ୱଚ୍ଛନ୍ଦରେ ପ୍ରକାଶ କରିଛନ୍ତି । ତେବେ ସମାସବହୁଳ ଦୀର୍ଘ ବାକ୍ୟ ରଚନା ପାଇଁ ଗଙ୍ଗାଧରଙ୍କ ପ୍ରବଣତା ବହୁ ସ୍ଥଳରେ ପରିଲକ୍ଷିତ ହୁଏ । ପ୍ରଣୟବଲ୍ଲରୀ ଓ ଇନ୍ଦୁମତୀକୁ ଏକାଧିକ ଛନ୍ଦରେ ସୃଷ୍ଟି କରିବାର ପ୍ରବୃତ୍ତି ବିଚାର କଲେ ଜଣାଯାଏ, ଗଙ୍ଗାଧର ଥିଲେ ଆଧୁନିକ ଓ ପ୍ରାଚୀନ ରୀତିର ଅର୍ଥାତ୍‌ ରାଧାନାଥୀ ଓ ଭଞ୍ଜୀୟ ଶୈଳୀର ମିଳନସେତୁ । ରାଧାନାଥଙ୍କ ଶୈଳୀର ଆଧୁନିକତା ଓ ସର୍ବଜନପ୍ରିୟତା ଗଙ୍ଗାଧରଙ୍କୁ ଯେତିକି ଆକୃଷ୍ଟ କରିଥିଲା ଭଂଜଯୁଗର ରାଗରାଗିଣୀ, ଅଳଙ୍କାରବିନ୍ୟାସ-ଚାତୁରୀ ତଥା ପ୍ରାଚୀନ କାବ୍ୟାଦର୍ଶ ସେତିକି ଚମତ୍‌କୃତ କରିଥିଲା । ତେଣୁ ତାଙ୍କର ଶୈଳୀ ପ୍ରାଚୀନ ଓ ନବୀନ ଧାରାର ସମନ୍ୱୟରେ ଗଢ଼ିଉଠିଛି ।

ଶବ୍ଦ ଓ ପଦବିନ୍ୟାସ :

କବି ତାର ମନୋଭାବକୁ ପ୍ରକାଶ କରିବା ପାଇଁ ନିଜ ରୁଚି ଅନୁଯାୟୀ ଶବ୍ଦ ପ୍ରୟୋଗ କରେ । ଏହି ଶବ୍ଦସଂଯୋଜନା ଓ ପଦସଙ୍ଘଟନରୁ କବିର ବୈଶିଷ୍ଟ୍ୟ ପରିଲକ୍ଷିତ ହୁଏ । କିଏ ମଧୁର କୋମଳ ସୁକୁମାର ବର୍ଣ୍ଣ ସମାସ ବା ମଧ୍ୟମ ସମାସର ସମାବେଶରେ କାବ୍ୟ ରଚନା କରେ, କିଏ ବା ଦୀର୍ଘ ସମାପ ଓ କୋଠର ବର୍ଣ୍ଣରେ କାବ୍ୟ ରଚନା କରେ । ପୁଣି କେହି କେହି ଏହି ଦୁଇ ଭାବର ମଧ୍ୟବର୍ତ୍ତୀ ରୂପ ଗ୍ରହଣ କରି କାବ୍ୟ ସୃଷ୍ଟିରେ ମନ ବଳାନ୍ତି । ଗଙ୍ଗାଧର ସଂସ୍କୃତ ଅଭିମୂଖୀ ସାଧୁଭାଷାରେ ଦୀର୍ଘ ସମାସବହୁଳ ପଦ ରଚନା ସଙ୍ଗେ ସଙ୍ଗେ କଥିତ ଭାଷାରେ ଅସମାସ ସରଳ ପଦ ଯୋଜନାରେ ସ୍ୱ ଅଭିବ୍ୟକ୍ତିକୁ ସ୍ପଷ୍ଟ ଓ ପ୍ରାଞ୍ଜଳ କରିଛନ୍ତି । ଯେପରି

‘‘ଇଙ୍ଗୁଦୀ ନିର୍ଯ୍ୟାସ-ସ୍ନିଗ୍‌ଧ-ଶିଳା-ଖଣ୍ତ-ଚୟ’’

‘‘ଅନ୍ତଃପୁର-ନାରୀ-ରୂପ-ସ୍ମୃତି’’

‘‘ବିଧାତା-ମାନସ-ଲତା-ଚଡ଼-ଶୋଭୀ-ଫୁଲ,’’

‘‘ସ୍ୱର୍ଗ-ଚ୍ୟୁତ-ମୃଦୁ-ଜ୍ୟୋତି-ପୁଣ୍ୟରାଶି’’

‘‘ଅଶ୍ୱନୀ-ପ୍ରଣୟ-ଚଳଚିତ୍ତ-ବିବସ୍ୱାନ ।’’

ଏଇ ପଦଗୁଡ଼ିକ ପାଖେ ପାଖେ–

‘‘କେ ବୋଇଲା ଦେଖ ‘ଏ କଢ଼ିଟି ଆଜ

ଫୁଟିବ ସତେ ସଜନି,’

ଅପର ବୋଇଲା, ‘ଏହି କୁସୁମଟି

ଫୁଟିଛି ଗତ ରଜନୀ ।’

ଶକୁନ୍ତଳା ହସି ବୋଇଲେ, ‘‘ବିବାହ

ରୀତି ମୋତେ ଜଣାନାହିଁ,

ଜାଣିଥିଲେ ତୁମ୍ଭେ ପୁରୋହିତ ହୋଇ

ସେ ବିଧି ଦିଅ ବଢ଼ାଇ ।’’

 

ଏହି ପଦଗୁଡ଼ିକ ଗଙ୍ଗାଧର ମାନସର ଏକ ସ୍ପଷ୍ଟ ପ୍ରଦାନ କରେ । ଗଙ୍ଗାଧର ସରଳ ତରଳ ଅନାଡ଼ମ୍ବର ପଦଯୋଜନା ସଙ୍ଗେ ସଙ୍ଗେ ଦୀର୍ଘ ସମାସ-ବହୁଳ ସାଡ଼ମ୍ବର ପଦସଂଘଟନ କରି ଶବ୍ଦ-ସଂଯମ ଓ ଭାବ-ସଙ୍ଗତିର ଅପୂର୍ବ ସାର୍ଥକତା ପ୍ରଦର୍ଶନ କରିଛନ୍ତି ।

 

ଅଳଙ୍କାର ବିନ୍ୟାସ :

 

ଅଳଙ୍କାର ହେଉଛି କାବ୍ୟର ଭୂଷଣ ସ୍ୱରୂପ । ନାରୀର ସୌନ୍ଦର୍ଯ୍ୟ ଅଭିବୃଦ୍ଧି ପାଇଁ ଯେପରି ଅଳଙ୍କାରର ଅପରିହାର୍ଯ୍ୟତା ସ୍ୱୀକୃତ, ସେହିପରି କାବ୍ୟ ନାୟିକାର ମନୋହାରିତା ସଂବିଧାନ ପାଇଁ ଶବ୍ଦାଳଙ୍କାର ଓ ଅର୍ଥାଳଙ୍କାର ଏକାନ୍ତରେ ଆବଶ୍ୟକ । ଶବ୍ଦାଳଙ୍କାରର ବହୁଳ ପ୍ରୟୋଗରେ କାବ୍ୟ ଶ୍ରୁତିମଧୂର ଓ ଅର୍ଥାଳଙ୍କାରର ପ୍ରୟୋଗରେ ଅର୍ଥ ଗୌରବରେ ମଣ୍ତିତ ହୁଏ । ଅଳଙ୍କାରହୀନ କାବ୍ୟ ଯେପରି ଅମାର୍ଜିତ ରୁଚିର ପରିଚାୟକ, ସେହିପରି ଅଳଙ୍କାରର ଅତ୍ୟଧିକ ବିନ୍ୟାସ ରୁଚିହୀନତାର ନିଦର୍ଶନ । ପ୍ରାଚୀନ ରୀତିଯୁଗୀୟ କାବ୍ୟରେ ଅଳଙ୍କାର-ସର୍ବସ୍ୱ କରି କାବ୍ୟ ରଚନାର ପଦ୍ଧତି ଆଧୁନିକ ଯୁଗରେ ପରିବର୍ତ୍ତିତ ହେଲା । ଅନୁପ୍ରାସ, ଯମକ ଶ୍ଳେଷ, ରୂପକ, ଉପମା ଉତ୍‌ପ୍ରେକ୍ଷା ପ୍ରଭୃତି ଶବ୍ଦାଳଙ୍କାର ଓ ଅର୍ଥାଳଙ୍କାରରେ କାବ୍ୟନାୟିକାର ସୌନ୍ଦର୍ଯ୍ୟ ବୃଦ୍ଧି କଲେ । ନିରାଭରଣା ନାରୀ ଯେପରି ମ୍ଳାନ ଓ ବିଷର୍ଣ୍ଣ ମନେହୁଏ, ସାଭରଣା ରମଣୀ ସେହିପରି ଅତ୍ୟଧିକ ଅଳଙ୍କାର ଓଜ୍ଜ୍ୱଲ୍ୟରେ ସ୍ୱାଭାବିକ ସୌନ୍ଦର୍ଯ୍ୟ ହରାଇବସେ । ଏ ଦିଗରେ ଆଧୁନିକ ଯୁଗ-ସ୍ରଷ୍ଟା ରାଧାନାଥ କାବ୍ୟର ସୌନ୍ଦର୍ଯ୍ୟ ବୃଦ୍ଧି କଳ୍ପେ ଆବଶ୍ୟକୀୟ ଅଳଙ୍କାର ଗ୍ରହଣ କରି ଅଳଙ୍କାର ପ୍ରୟୋଗ ବାହୁଲ୍ୟକୁ ବର୍ଜନ କରି ନୂତନ ଦୃଷ୍ଟାନ୍ତ ସୃଷ୍ଟି କରିଗଲେ । ଗଙ୍ଗାଧର ମଧ୍ୟଯୁଗୀୟ କବିର ଅନୁପ୍ରାସ, ଯମକ ପ୍ରତି ପ୍ରବଣତା ଓ ରାଧାନାଥୀୟ ଅଳଙ୍କାର ବିନ୍ୟାସରେ ଯଥାର୍ଥତାର ସମନ୍ୱୟ ସାଧନ କରି କାବ୍ୟର ଅଙ୍ଗ ପରିପୁଷ୍ଟ କରିଛନ୍ତି । ରାଧାନାଥ ଅନୁପ୍ରାସର ଯେପରି ବହୁଳ ପ୍ରୟୋଗ କରିଛନ୍ତି, ଯମକ ଓ ଶ୍ଳେଷାଳଙ୍କାରକୁ ପ୍ରାୟ ସ୍ୱୀକୃତି ଦେଇ ନାହାନ୍ତି । ଦୃଷ୍ଟାନ୍ତ ସ୍ୱରୂପ—

 

‘‘ଉତ୍କଳ-କମଳା-ବିଳାସ-ଦୀର୍ଘିକା

ମରାଳ-ମାଳିନୀ-ନୀଳାମ୍ବୁ-ଚିଲିକା ।’’

 

ଳ, କ, ମ ବର୍ଣ୍ଣ ବାରମ୍ବାର ଉଚ୍ଚାରିତ ହୋଇ କାବ୍ୟକୁ ଶ୍ରୁତି—ସୁଖକର କରିଛନ୍ତି । କିନ୍ତୁ ଗଙ୍ଗାଧର ଅନୁପ୍ରାସ ସଙ୍ଗେ ସଙ୍ଗେ ଯମକ ଓ ଶ୍ଳେଷାଳଙ୍କାରର ପ୍ରୟୋଗରେ ସ୍ଥଳବିଶେଷରେ କବିମନର ଦୁର୍ବଳତା ପ୍ରକାଶ କରିଛନ୍ତି । ତପସ୍ୱିନୀରେ ଯମକ ପ୍ରତି କବିଙ୍କର ପ୍ରବଣତାର ଭୂରି ଭୂରି ଦୃଷ୍ଟାନ୍ତ ବିଦ୍ୟମାନ ।

 

‘‘ଜନନୀ ରୋଦନ ଚାହିଁ ନ ବୁଝି ତା ମାନେ

ବ୍ୟସ୍ତ ଯଥା ହୋଇଥାନ୍ତି ତା ସନ୍ତାନମାନେ ।’’

 

ବା

 

‘‘ସେ ହାର-ପଦକ ପାଇଁ ଉପଯୁକ୍ତ ମଣି,

ମୋତେ ରଖିଥିଲ ତହିଁ କରି ମଧ୍ୟ-ମଣି ।’’

 

ପ୍ରଣୟ ବଲ୍ଲରୀରେ ମଧ୍ୟ ଏହାର ଅଭାବ ନାହିଁ–

 

(କ) ‘‘କି କରେ ଏ ଦେହେ ହେଉଅଛି ଦଗ୍‌ଧ

ନୀଡ଼-ପକ୍ଷୀ ପ୍ରାୟ ଚିତ୍ତ

ଧର୍ମଶାସ୍ତ୍ର ହେବ କୁଣ୍ଠିତ କଥନେ

ଏ ପାପର ପ୍ରାୟଶ୍ଚିତ୍ତ ।’’

(ଖ) ‘‘ପ୍ରଭାତରେ ପୁଣି ଉଇଁବାକୁ ରବି

ଦେଇ ଯାଇଥିଲେ ଆଶା

ନଳିନୀ ରହିଛି ପ୍ରଭାତରୁ ଗାଢ଼େ

ଅନାଇ ଉଦୟ ଆଶା ।’’

 

ଗଙ୍ଗାଧରଙ୍କ ଶ୍ଳେଷାଳଙ୍କାର ପ୍ରତି ଆସକ୍ତି ସହଜରେ ଅନୁମେୟ । ତାଙ୍କର ‘ଭାରତୀ ଭାବନା’ ଶ୍ଳେଷାଳଙ୍କାରର ଏକ ଅନବଦ୍ୟ ନିଦର୍ଶନ । ପ୍ରଣୟବଲ୍ଲରୀର ତୃତୀୟ ସର୍ବରେ ରାଜା ଓ ସଖୀଦ୍ୱୟଙ୍କ ଉକ୍ତି ପ୍ରତ୍ୟୁକ୍ତି, ପୁଣି ଶକୁନ୍ତଳା ଓ ଦୁଷ୍ମନ୍ତଙ୍କ କଥୋପକଥନ ଶ୍ଳେଷପୂର୍ଣ୍ଣ । ଦୃଷ୍ଟାନ୍ତ ସ୍ୱରୂପ—

 

‘‘କୁମାରୀ-ସୁମନ- ଦାମ ମାତ୍ର ଅଛି

ସମ୍ବଳ ଏ ତପୋବନେ,

ଚରିତାର୍ଥ କର ତାପସ-କୁଳକୁ

ତହିଁ ତୃପ୍ତି ଭରି ମନେ ।

ପ୍ରକାଶ୍ୟ ବୋଇଲେ, ‘‘ତପସ୍ୟାର ଫଳ

ରାଜ-ପ୍ରାପଣୀୟ କର,

ହୃଦୟର ହାର କରିଦେଲ ସିନା

ତାହା ତପସ୍ୱିନି କର ।

ପ୍ରିୟମ୍ବଦା ସଖୀ ନୃପଙ୍କୁ କହିଲା

ବନ ଫୁଲ ସମାଦୃତ

ହେବ କି ପ୍ରମଦା- ରଣ୍ୟ ସାରପୁଷ୍ପ

ସବୁ ଯହିଁ ସମାଦୃତ ?’’

‘‘ସଖୀ ପଚାରିଲା ସଖୀ ପ୍ରତି, ‘ସଖି-

ନନ୍ଦନ ପାଇବ କିସ ?’

ସେ ବୋଇଲା, ‘‘ଭାବୀ ନନ୍ଦନର କଥା

କି ହେବ ଆମେ ପଚାରି ?’’

ନୃପତି ବୋଇଲେ, ‘‘ସତ ସତ ସତ

ସେ ମୋ ଉତ୍ତରାଧିକାରୀ ।’’

 

ଏହିପରି ସରସ ମଧୁର ଶ୍ଳେଷପୂର୍ଣ୍ଣ ଆଳଙ୍କାରିକ ଆଳାପରେ କାବ୍ୟର ସୌନ୍ଦର୍ଯ୍ୟ ତଥା ଚରିତ୍ରର ମାଧୁର୍ଯ୍ୟ ମଧ୍ୟ ପ୍ରତିପାଦିତ ହୋଇଛି । ଗଙ୍ଗାଧରଙ୍କ କାବ୍ୟ ଶ୍ରୁତିସୁଖକର ଅନୁପ୍ରାସ ଅଳଙ୍କାର ଅନ୍ୱେଷଣର ଅପେକ୍ଷା ରଖେ ନାହିଁ । ପ୍ରାୟ ପ୍ରତ୍ୟେକ ପଦରେ ଶ୍ରବଣମଧୁର ଲଳିତ ପଦର ସଂଯୋଜନା ଦେଖାଯାଏ ।

 

‘‘ସୁକୁମାରୀ ବକ୍ଷ- କଳସ ସତ୍ୱର

କରାଇଲା ନିମନ୍ତ୍ରଣ

ଶମ୍ପା-ସହଚର କୁଳିଶ, ନଳିନୀ-

ନୀଡ଼-କଣ୍ଟକ ସ୍ମରଣ ।’’

‘‘ମୃଦୁ ମନୋହର କଳେବର ଦେଖି

ବଳ୍‌କଳର ପରିଚ୍ଛଦ,

ବିଚାରିଲେ, ‘ଆହା ରାଜଲକ୍ଷ୍ମୀ ତନୁ

ସମର ଚିନ୍ତା ଆସ୍ପଦ ।’

‘‘ସଜାଇ ଥିଲା ବା ବୀଣା କାମ-ବଧୁ

ବଜାଇ ଦେଲା ଝଙ୍କାର,

ହଜାଇଲେ ରାଜା ଧଇର୍ଯ୍ୟ, ମଣି ତା

କୁସୁମ-ଧନୁ-ଟଙ୍କାର ।’’

‘‘ରତ୍ନାକର-ରତ୍ନ ସକଳ ଯହିଁରେ

ଦିନବ୍ୟାପି ଘନପରି

ଘନେ ଗୁନ୍ଥା ହୋଇ ନକ୍ଷତ୍ର ପ୍ରଭାରେ

ନଭ ହେଉଛନ୍ତି ଭର ।’’

 

ସମଗ୍ର ପ୍ରଣୟବଲ୍ଲରୀ କାବ୍ୟ ଏହିପରି କର୍ଣ୍ଣ-ରସାୟନ ମଧୁର ପଦାବଳୀରେ ପୂର୍ଣ୍ଣ । ଯଥାର୍ଥରେ ମାନସିଂଙ୍କ ଭାଷାରେ ସେ ଜଣେ ‘‘ଶବ୍ଦ ଚିତ୍ରକର ।’’

 

ଅର୍ଥାଳଙ୍କାର ପ୍ରୟୋଗରେ ମଧ୍ୟ ଗଙ୍ଗାଧର ଜଣେ ଅବିସ୍ମରଣୀୟ ପ୍ରତିଭାଧର ଶିଳ୍ପୀ ।

 

ସ୍ୱଭାବୋକ୍ତି–

 

(କ) ‘‘ପୁଚ୍ଛ ଲପଟାଇ ସ୍ପୀଚ ସଙ୍କୁଚାଇ

ଆଶୁଗ-ପତନ-ଭୟେ,

ଗ୍ରୀବା ଭାଙ୍ଗି ଥରେ ଥରେ ରଥେ ଚାହିଁ

ପଳାଏ ପୁଣି ଅଥୟେ ।’’

 

(ଖ) ‘‘ଶରମ-ବିବୃତ- ମୁଖ-ଚ୍ୟୁତ ଦର-

କବଳିତ କୁଶମାନ,

ଗଗନ-ପଥରେ ଇତସ୍ତତଃ ପଡ଼ି

ଯାଉଥାଏ ସ୍ଥାନ ସ୍ଥାନ ।’’

 

(ଘ) ପୁଚ୍ଛ ଟେକି ଖୁର- ଧୂଳି ଦୂରେ ଛାଡ଼ି

ଆଗକୁ ଥାନ୍ତି ଦଉଡ଼ି,

ବାରିହେଲା ନାହିଁ ପାଦ ତାଙ୍କ ତଳେ

ପଡ଼େ କିବା ଯାନ୍ତି ଉଡ଼ି ।

 

ନିରଙ୍ଗ ରୂପକ–

 

‘‘ବିଶ୍ୱଜନ ମନେ ପ୍ରୀତି–ପ୍ରସ୍ରବଣ

ଢାଳଇ ଯାହାଙ୍କ ରୂପ

ତପୋବନ ଦୃଶ୍ୟ ଦରଶନେ ମୁଗ୍‌ଧ

ହୁଅନ୍ତି ଆଜି ସେ ଭୂପ ।’’

 

ସାଙ୍ଗ ରୂପକ–

 

‘‘ଦୃଷ୍ଟି-ସିଂହାସନ ତେଜି ଯିବ ଯେବେ

ଏ ମୋ ହୃଦ-ରାଜ୍ୟ-ରାଣୀ

ଦୁଷ୍ଟ ସ୍ମୃତି ପ୍ରାଣ- ପ୍ରଜାକୁ ସହଜେ

ବିପ୍ଳବେ ପ୍ଳାବିବ ଆଣି ।’’

 

ସଂକର–

 

‘‘ଆନନ୍ଦ-ପ୍ରତିମା ପ୍ରାୟେ ମନୋହର

ମୂରତି ଯୁବତୀ ତିନି

ରୂପ-ରଣେ ଦଳି ତେବେ ଯେହୁ ଚାରୁ

ଚରଣେ ସୁର କାମିନୀ ।’’

 

(ବ୍ୟତିରେକ, ରୂପକ ଓ ଉପମା)

 

ଅର୍ଥାନ୍ତର ନ୍ୟାସ—

 

(କ) ‘‘କଳଙ୍କ ହିଁ ଥାଇ କଳାକର-କୋଳେ

କରଇ ନେତ୍ର ରଞ୍ଜନ,

ସ୍ୱଭାବସୁନ୍ଦର ଅଙ୍ଗକୁ ଜଗତେ

ନ ହୁଏ କିସ ମଣ୍ତନ ?’’

 

(ଖ) ‘‘ଯା ମନ ଯେପରି ତା ପାଇଁ ସେପରି

ଫଳ ଥୋଇଥାଏ ବିଶ୍ୱ,

ଉଚ୍ଚ ମନା ଉଚ୍ଚେ ଅମୃତ ଲଭଇ

ନୀଚମନା ପାଏ ବିଷ ।’’

 

ଅପହୃତି–

 

(କ) ‘‘ଲତା ନୁହେଁ ବାମ ବିଧାତା-ମାନସ

ଲତା-ଚୂଡ଼-ଶୋଭୀ ଫୁଲ,

ଭାଗ୍ୟଦେବୀ ଶିର- ଯୋଗ୍ୟ ଏ ଭୂଷଣ

ଫୁଲ ଅମୂଲ୍ୟ ଅତୁଲ୍ୟ ।’’

 

(ଖ) ‘‘କେତେକ-ଶିଶିର ଛଳେ କେତେ ଅବା

କୁସୁମ-ବର୍ଷଣ-ଛଳେ

ଶକୁନ୍ତଳା-କର ସ୍ପରଶ ମାତ୍ରକେ

ଲୋତକ ମୋଚନ କଲେ ।’’

 

(ଗ) ‘‘ଆହା କି ମଧୂର -ମୂରତି ତାଙ୍କର

କି ମଧୁମୟ ବଚନ,

ବଚନ ନୁହେଁ ତା କେବଳ ଜୀବନ-

ଅଙ୍କୁରେ ସୁଧା ସେଚନ ।’’

କାବ୍ୟଲିଙ୍ଗ–

(କ) ‘‘ପର ପ୍ରେମ ଚାହିଁ ନିଜ ପ୍ରେମ ସଦା

ହୋଇଥାଏ ବିସ୍ଫାରିତ

ଛାୟା ଲୋଭେ ତରୁ- ମୂଳକୁ ଭାସ୍କର

କର କଲେ ପ୍ରସାରିତ ।’’

 

(ଖ) ‘‘ନରଶେ ବୋଇଲେ, ‘କରଗତ ହେଲେ

ନନ୍ଦନର ପାରିଜାତ,

ସହଜେ ପାର୍ଥିବ ପ୍ରସୂନ ସକଳ

ହୋଇଥାନ୍ତି ଅବଜ୍ଞାତ ।’’

ପ୍ରତିବସ୍ତୁପମା—

‘‘ରତ୍ନ-ପରୀକ୍ଷକ ରତନ ପାଇଲେ

ଦେଇ କି ପାରିବ ଛାଡ଼ି

ବିକସିତ ଫୁଲ ହସ୍ତରେ ପଡ଼ିଲେ

କେ ଦେଇଛି ପଦେ ମାଡ଼ି ।’’

ନିଦର୍ଶନ—

‘‘ତପୋବନ ଏକା ଅସମ୍ଭବ କଥା

ଜଗତେ ସମ୍ଭବିପାରେ,

ଶମୀତରୁ ଏହା କାଟୁଛନ୍ତି ମୁନି

ନୀଳୋତ୍ପଳ-ଦଳ-ଧାରେ ।’’

ସହୋକ୍ତ–

(କ) ‘‘ଶକୁନ୍ତଳା ପୂର୍ବ ସ୍ୱଭାବ ସହିତ

ଦିବାକର ହେଲେ ଅସ୍ତ,

ନବୀନ ପ୍ରକୃତି ସଙ୍ଗେ ତାର ନବ

ସଂଧ୍ୟା ହେଲା ଉପଗତ ।’’

 

(ଖ) ‘‘ଗଗନ ପବନ ବନ ଅଭିନବ

ହେଲା ତା ନବ ଜୀବନେ,

ସଂଧ୍ୟାରାଗ ସହ ନବରାଗ ଜାତ

ହେଲା ନବୀନାର ମନେ ।’’

ସମାସୋକ୍ତି–

(କ) ‘‘ଚୂତ ପକ୍ୱ ହେଲେ କୋକିଳ ଆସଇ

ଭାଷଇ ମଧୁର ଭାଷା

ପୁଣ୍ୟ ପକ୍ୱ ହେଲେ ପରାଣଦେବତା

ପୂରଣ କରନ୍ତି ଆଶା ।’’

 

(ଖ) ‘‘ନିର୍ମଳ ଗଗନେ ଚନ୍ଦ୍ର ଥିଲେ ସିନା

ଦିଶନ୍ତି କର-ଦର୍ପଣେ

ନିର୍ମଳ ପୀରତି ଜାତ ହୋଇଥିଲେ

ପାଶକୁ ଆସନ୍ତି ଜନେ ।’’ (ରୂପକ)

 

(ଗ) ‘‘ରସନା ବିକୃତ ନ ହେଲେ ଅମୃତ

କାହାକୁ ଲାଗିଛି ପିତା ?

ଯା କଣା ଲଭିଲେ ବିଶୁଷ୍କ ବଲ୍ଲରୀ

ହୋଇଯାଏ ପଲ୍ଲବିତା ।’’

 

(ଘ) ‘‘ବିପିନ ଭିତରେ ସରେ କମଳିନୀ

ଥିଲା ଗିରି ଅନ୍ତରାଳେ

ତିନି ଭୁବନରେ ତାଙ୍କ ବ୍ୟତିରେକେ

ନାହିଁ ନଳିନୀର ଗତି ।’’

ବକ୍ରୋକ୍ତି–

(କ) ପୁରୁବଂଶ ହେବ ବିସ୍ତୃତ-ବିଶ୍ରୁତ-

କୀରତି ଜାର-ସନ୍ତାନେ !

ଶିଶୁ ବିମୁଗ୍‌ଧାର ଆଶାଲତା ନବ

ପଲ୍ଲବିତ ହେଲା ପ୍ରାଣେ ।’’

(ଖ) ‘‘ମୁଁ ନ ଜାଣେ କହି’’ ଶକୁନ୍ତଳା ହେଲା

ଯିବା ପାଇଁ ତରବର,

‘‘ମୁନ ଜାଣ ହେଲେ ବସି ଏ ନିଭୃତେ

ସ୍ୱବର୍ଣ୍ଣ ରଚନା କର ।’’

(ଗ) ‘‘ସୁଧା କଣା କାହୁଁ ପାଇବି, ତା ପରା

ଥାଏ ପୂର୍ଣ୍ଣ ଶଶଧରେ ?’’

‘‘ସେ ତ ସକଳଙ୍କ ପୂର୍ଣ୍ଣ ଅଛି ସୁଧା

ଅକଳଙ୍କ ତୋ ଅଧରେ ।’’

ବିରୋଧ ଭାସ—

‘‘ଶାସନେ ତାଙ୍କର ଆଲୋକ ଥିଲେହେଁ

ତମ ଥିଲା ଘୋରତମ,

ସେହି ତମ ଭେଦି କୁପଥ ଗମନେ

କେହି ନୋହୁଥିଲେ କ୍ଷମ ।’’

ଯମକ ରୂପକ—

‘‘ପ୍ରିୟ ଦରଶନ ପ୍ରିୟ ଦରଶନ

ଆଶା-ଆସାରେ ପ୍ଳାବିତ,

ହେବାରୁ ହୃଦୟେ ପ୍ରଣୟ-ପଲ୍ଳବ-

ପଟଳ ହେଲା ରାଜିତ ।’’

 

ଅଳଙ୍କାର ପ୍ରୟୋଗରେ ରୀତିଯୁଗୀୟ କବିମାନଙ୍କ ପରି ଅତ୍ୟଧିକ ଆସକ୍ତି ପ୍ରକାଶ ନ କଲେ ହେଁ ଗଙ୍ଗାଧର ଶବ୍ଦାଳଙ୍କାର ଅର୍ଥାଳଙ୍କାରର ବିନ୍ୟାସ କୌଶଳରେ ସ୍ୱକୀୟ ସୌନ୍ଦର୍ଯ୍ୟବୋଧର ପରିଚୟ ପ୍ରଦାନ କରିଛନ୍ତି ।

 

ଛନ୍ଦ ବିନ୍ୟାସ—

 

ପ୍ରାଚୀନ ସାହିତ୍ୟରେ ଛନ୍ଦ ପ୍ରୟୋଗରେ କବିମନର ବିଲକ୍ଷଣ ଅନୁରାଗ ଲକ୍ଷ୍ୟଣୀୟ । ପ୍ରତ୍ୟେକ ଛାନ୍ଦକୁ ବିଭିନ୍ନ ଛନ୍ଦରେ ରଚନା କରିବାର ସ୍ପୃହା ବିଶେଷ ଭାବରେ ଦେଖାଯାଏ । ଛନ୍ଦସଂପଦରେ ପ୍ରାଚୀନ କାବ୍ୟ ସମୃଦ୍ଧ ପରମ୍ପରା ସୃଷ୍ଟି କରିଯାଇଛି । କିନ୍ତୁ ଆଧୁନିକ ଯୁଗସ୍ରଷ୍ଟା ରାଧାନାଥ ପୂରାପୂରି ଛନ୍ଦ ବୈଚିତ୍ର୍ୟର ବିରୋଧୀ ଥିଲେ । ତାଙ୍କର କାବ୍ୟର ସର୍ଗ-ଗୁଡ଼ିକ ବିଭିନ୍ନ ଛନ୍ଦରେ ଶୋଭିତ ନ ହୋଇ ଗୋଟିଏ ଛନ୍ଦରେ ରଚିତ ହୋଇଛି । ରାଧାନାଥଙ୍କ ପ୍ରଭାବରେ ତାଙ୍କର ଅନୁବର୍ତ୍ତୀ କବିଗଣ ଛନ୍ଦ ଯୋଜନାରେ ବିଶେଷ ଆଗ୍ରହ ପ୍ରକାଶ କରିନଥିଲେ । ଗଙ୍ଗାଧର ରାଧାନାଥ-ଯୁଗର ପ୍ରତ୍ୟକ୍ଷ ପ୍ରଭାବ ତଳେ କାବ୍ୟ ରଚନା କଲେହେଁ ତାଙ୍କର ମାନସ ପ୍ରାଚୀନ ପରମ୍ପରା ପ୍ରତି ଆକୃଷ୍ଟ ଥିଲା । କିନ୍ତୁ ରାଧାନାଥୀ ଅଭିରୁଚିକୁ ସଂପୂର୍ଣ୍ଣ ପରିହାର କରିବା ତାଙ୍କ ପକ୍ଷରେ ସମ୍ଭବ ନ ଥିଲା । ସେଥିପାଇଁ ତାଙ୍କର ତପସ୍ୱିନୀ ଓ କୀଚକବଧ ଯେପରି ବିଭିନ୍ନ ଛନ୍ଦରେ ଶୋଭିତ, ପ୍ରଣୟବଲ୍ଲରୀ ଓ ଇନ୍ଦୁମତୀ କାବ୍ୟ ଗୋଟିଏ ଛନ୍ଦରେ ରଚିତ ।

 

ପ୍ରଣୟବଲ୍ଲରୀ ବଙ୍ଗଳାଶ୍ରୀ ରାଗରେ ଆମଳଚୂଳ ବର୍ଣ୍ଣତ । ଏହି ରାଗର ପ୍ରତ୍ୟେକ ପାଦ ବିଂଶ ଅକ୍ଷରବିଶିଷ୍ଟ ଓ ଦୁଇ ପାଦରେ ଗୋଟିଏ ପଦ ସଂପୂର୍ଣ୍ଣ । ପ୍ରତ୍ୟେକ ପାଦର ଷଷ୍ଠ, ଦ୍ୱାଦଶ ଓ ଶେଷ ଅକ୍ଷର ଉପରେ ଯତିପାତ ହୁଏ । ପ୍ରାଚୀନ କବିମାନଙ୍କର ବଙ୍ଗଳାଶ୍ରୀ ରାଗରେ ରଚିତ କାବ୍ୟରେ ଯତିପାତରଏହି ଶୃଙ୍ଖଳାରେ ଶବ୍ଦଭଙ୍ଗ ଦୋଷ ଦେଖାଯାଏ । ରାଧାନାଥ ଷଷ୍ଠ ଓ ଦ୍ୱାଦଶ ଅକ୍ଷରରେ ଶବ୍ଦର ପୂର୍ଣ୍ଣତା ସମ୍ପାଦନ କରି ନୂତନ କ୍ରମ ସୃଷ୍ଟି କଲେ ଓ ଗଙ୍ଗାଧର ଏହି କ୍ରମ ରକ୍ଷାକରି ସମଗ୍ର ପ୍ରଣୟ ବଲ୍ଲରୀ କାବ୍ୟ ରଚନା କଲେ । କେବଳ ସେତିକି ନୁହେଁ, ରାଧାନାଥଙ୍କ ପ୍ରଭାବରେ ଉପମା ମିଳନ ପ୍ରତି ମଧ୍ୟ ଗଙ୍ଗାଧର ତୀକ୍ଷ୍‌ଣ ଓ ସଜାଗ ଦୃଷ୍ଟି ପ୍ରଦାନ କରିଛନ୍ତି । ପୂର୍ବେ ଶେଷ ଅକ୍ଷର ବିଚାରରେ ଉପଧା ମେଳ ଘଟିଛି କି ନାହିଁ ବିଚାର କରାଯାଉଥିଲା । କିନ୍ତୁ ରାଧାନାଥ ବଙ୍ଗଳା ସାହିତ୍ୟ ପ୍ରଭାବରେ ଉପଧା ମିଳନରେ ନୂତନ ଆଦର୍ଶ ସୃଷ୍ଟି କଲେ । ପାଦର ଶେଷ ଅକ୍ଷର ଓ ତାହାର ପୂର୍ବବର୍ତ୍ତୀ ସ୍ୱରବର୍ଣ୍ଣର ସମାନତା ପ୍ରତି ଦୃଷ୍ଟି ଦେଇ ସାର୍ଥକ ଉପଧା ମିଳନ ସୃଷ୍ଟି କଲେ ।

 

ଦୃଷ୍ଟାନ୍ତ ସ୍ୱରୂପ—

 

‘‘ଯେଉଁ ପଥେ ଗମି ଭ୍ରମିଛ ଗୁରୁ ହେ

ଭାରତୀ-କୁସୁମ-ବନେ

ସେହି ପଥେ ଚାଲି ତୋଳିବି କୁସୁମ

ପଡ଼ିବ ଯେତେ ନୟନେ ।’’

 

‘ବନେ ଓ ନୟନେ’ର ଶେଷ ଅକ୍ଷରର କେବଳ ମେଳ ଘଟିଛି ତା’ ନୁହେଁ, ତା’ର ପୂର୍ବବର୍ତ୍ତୀ ବର୍ଣ୍ଣ ବ ଓ ୟ ର ଥିବା ସ୍ୱରବର୍ଣ୍ଣ ମଧ୍ୟ ସମାନ । ରାଧାନାଥଙ୍କ କାବ୍ୟଗୁଡ଼ିକରେ ତଥା ପ୍ରଣୟବଲ୍ଲରୀର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକ ପଦରେ ଏହି ନିୟମ ଅନୁସତ ହୋଇଅଛି ।

 

ଶବ୍ଦବିନ୍ୟାସ, ପଦଯୋଜନା, ଅଳଙ୍କାର ସୌନ୍ଦର୍ଯ୍ୟ, ଛନ୍ଦସମ୍ପଦ ଓ ବର୍ଣ୍ଣନାଚାତୁରୀରେ କାବ୍ୟପୁରୁଷ ରାଧାନାଥଙ୍କ ସମକକ୍ଷ ନ ହେଲେହେଁ ଗଙ୍ଗାଧର ଯେ ରାଧାନାଥୀ ପ୍ରତିଭା ଦୀପ୍ତିରେ ଆତ୍ମସତ୍ତା ହଜାଇ ନ ଦେଇ ସ୍ୱକୀୟ ଅଭିରୁଚିର ସ୍ୱତନ୍ତ୍ରତା ପ୍ରତ୍ୟେକ କ୍ଷେତ୍ରରେ ପ୍ରକାଶ କରି ନିଜର ବୈଶିଷ୍ଟ୍ୟ ପ୍ରଦର୍ଶନ କରିଛନ୍ତି—ତାଙ୍କର ରଚନା ରୀତିର ବିଚାରରେ ଏହା ସ୍ପଷ୍ଟ ହୁଏ । ଅନେକ ସ୍ଥଳରେ ଏପରି ଶବ୍ଦ ଓ ରଚନା କରିଛନ୍ତି, ଯାହା ଆଦୌ କାବ୍ୟିକ ପ୍ରକାଶ ନୁହେଁ । ତଥାପି ଏକଥା ନିଃସନ୍ଦେହରେ କୁହାଯାଇ ପାରେ ଯେ, ଗଙ୍ଗାଧର ଏପରି ସ୍ୱାଭାବିକ ଓ ସୁନ୍ଦର ଭାଷାରେ ଭାବ ପ୍ରକାଶ କରିଛନ୍ତି, ଯାହା ସହଜରେ ଅନ୍ତରକୁ ସ୍ପର୍ଶ କରେ, ଚିତ୍ତ ଅଭିଭୂତ ଓ ହୃଦୟ ସମୁନ୍ନତ ହୁଏ ।

Image